ଆଜି ଫେବୃଆରୀ ୨୬ । କେ.ଶିଲାଙ୍କର ୧୮ତମ ଜନ୍ମଦିନ । ସେ ଆଜି ନୂଆ ଡ୍ରେସଟିଏ ପିନ୍ଧିଛନ୍ତି । କେଶରେ ଜୁଈ ଫୁଲ ଲଗାଇଛନ୍ତି । ତାଙ୍କ ମା’ ତାଙ୍କର ପ୍ରିୟ ଚିକେନ୍ ବିରିୟାନୀ ତିଆରି କରିଛନ୍ତି ଏବଂ ସେ କଲେଜରେ ସାଙ୍ଗମାନଙ୍କୁ ଛୋଟ ଭୋଜିଟିଏ ବି ଦେଇଛନ୍ତି । 

ଶିଲା ଏକ ଜଣାଶୁଣା ଘରୋଇ ନର୍ସିଂ ସ୍କୁଲରେ ପଢ଼ନ୍ତି, ଚେନ୍ନାଇର ଶ୍ରୀ ସଷ୍ଟା କଲେଜ ଅଫ୍ ନର୍ସିଂରେ । ଏହି ଇଂଲିଶ୍ ମିଡିୟମ୍ କଲେଜରେ ଆଡମିଶନ ପାଇବା ଏକ ସଂଘର୍ଷ ଥିଲା, ଗ୍ରହଣୀୟତା ପାଇବା ଆହୁରି କଷ୍ଟକର  ।

ଯେଉଁଦିନ ଅନ୍ୟ ସବୁ ଛାତ୍ରଛାତ୍ରୀ ଜାଣିଲେ, ତାଙ୍କର ପିତା, ଆଇ. କାନ୍ନନ ଏକ ସେପ୍ଟିକ୍ ଟାଙ୍କି ସଫା କରିବା ସମୟରେ ମୃତ୍ୟୁବରଣ କରିଛନ୍ତି, ସେମାନଙ୍କର ପରବର୍ତ୍ତୀ ପ୍ରଶ୍ନ ତାଙ୍କ ଜାତି ପ୍ରତି ଥିଲା । ଶିଲା କୁହନ୍ତି, “ହଠାତ୍ ଏକ ଅଦୃଶ୍ୟ କାନ୍ଥ ଆମମାନଙ୍କ ଭିତରେ ଥିବା ମୁଁ ଅନୁଭବ କଲି ।” 

୨୦୦୭ ସେପ୍ଟେମ୍ବର ୨୭ ତାରିଖରେ କାନ୍ନନଙ୍କ ମୃତ୍ୟୁ ପରଠାରୁ ସେ ଏବଂ ତାଙ୍କ ମା’ ଏହି ଅଦୃଶ୍ୟ କାନ୍ଥରେ ଅନେକ ଥର ବାଡ଼େଇ ହୋଇଛନ୍ତି । କାନ୍ନନ ଅନ୍ୟ ଦୁଇଜଣ ସଫେଇ କର୍ମଚାରୀଙ୍କ ସହିତ ମୃତ୍ୟୁବରଣ କରିଥିଲେ । ସେ ଆଦି ଦ୍ରାବିଡ଼ ମାଦିଗା ଗୋଷ୍ଠୀର ଜଣେ ଅନୁସୂଚିତ ଜାତିର ମିସ୍ତ୍ରୀ ଏବଂ କୁଲି ଥିଲେ । ଏହି ଜାତି ମୁଖ୍ୟତଃ ମେହେନ୍ତର ଭାବରେ କାମ କରନ୍ତି। କାନନ୍ ମଧ୍ୟ ଯେତେବେଳେ ଡକରା ପାଆନ୍ତି, ସେପ୍ଟିକ୍ ଟାଙ୍କି ଏବଂ ସ୍ୱେରେଜ୍ ସଫା କରିବାକୁ ଯାଆନ୍ତି ।

‘My mother is a fearless woman’
PHOTO • Bhasha Singh

ନାଗମ୍ମା’ଙ୍କ ବଡ଼ଝିଅ ଶିଲା ଏବେ ୧୮ବର୍ଷର । ସେ କୁହନ୍ତି, ଏ ସଂଘର୍ଷ ଖୁବ୍ ଲମ୍ବା ଥିଲା 

ଶିଲା କୁହନ୍ତି, “ଏହା ଏକ ଦୀର୍ଘ ସଂଘର୍ଷ ଥିଲା । ମୁଁ ଇଂରାଜୀ ଭାଷାରେ ଦକ୍ଷତା ହାସଲ ପାଇଁ ଚେଷ୍ଟା ଚଳାଇଥିଲି । ମୋ ବାପା ମୋତେ ଡାକ୍ତରଟିଏ କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ବିନା ଏହି ସ୍ଵପ୍ନ ଖୁବ୍ କଷ୍ଟକର ଥିଲା । ତେଣୁ ମୁଁ ନର୍ସିଂ କଲେଜରେ ଯୋଗଦେଲି । ଆମ ଅଞ୍ଚଳର କେହି ଏହି ପାଠ ପଢ଼ିନଥିଲେ । ଯଦି ମୁଁ ନର୍ସ ହେବା ପାଇଁ ଯୋଗ୍ୟ ହୋଇଯାଏ, ତେବେ ଏହା ମୋ ବାପାଙ୍କର ସ୍ମୃତି ହେବ । ମୁଁ ଜାତିରେ ବିଶ୍ୱାସ କରେନି । ଜାତି ଏବଂ ଧର୍ମ ଆଧାରରେ କୌଣସି ଭେଦଭାବ ହେବା ଉଚିତ ନୁହେଁ । ଆଉ ଗୋଟିଏ କଥା ମୁଁ ସାରା ଦୁନିଆକୁ କହିବାକୁ ଚାହେଁ, ତାହା ହେଉଛି, ମୋ ବାପା ଯେମିତି ମୃତ୍ୟୁବରଣ କଲେ, ସେମିତି ଆଉ କାହାର ମୃତ୍ୟୁ ହେବା ଉଚିତ୍ ନୁହେଁ ।” ଶିଲା ପୁଣି କହିଲେ, “ଧୀରେ ଧୀରେ ମୁଁ କଲେଜରେ ସାଙ୍ଗମାନଙ୍କ ସହ ସମାନ ସ୍ତରରେ ଯୋଗାଯୋଗ କରିବାକୁ ସମର୍ଥ ହେଲି । ସେମାନଙ୍କ ମଧ୍ୟରୁ କେତେଜଣ ପାଠପଢ଼ାରେ ମଧ୍ୟ ମୋତେ ସାହାଯ୍ୟ କରିବାକୁ ଆରମ୍ଭ କଲେ । ମୁଁ ତାମିଲ ମାଧ୍ୟମରେ ପଢ଼ିଥିବାରୁ ଇଂରାଜୀ ଦୁର୍ବଳ ଥିଲା । ସମସ୍ତେ ମୋତେ ଇଂରାଜୀରେ କୋଚିଂ ନେବାକୁ ପରାମର୍ଶ ଦେଉଥିଲେ । କିନ୍ତୁ ଆମେ ଏଥିପାଇଁ ଆବଶ୍ୟକ ଅର୍ଥ ଖର୍ଚ୍ଚ କରିପାରିନଥାନ୍ତୁ । ତେଣୁ ମୁଁ ନିଜେ ନିଜେ ଶିଖିବାକୁ ଚେଷ୍ଟା କଲି । ଅସଫଳ ହେବାର ବିକଳ୍ପ ମୋ ପାଖରେ ନଥିଲା ।”

ଶିଲା ନିଜର ପାଠପଢ଼ା ପାଇଁ ଖୁବ୍ ଗର୍ବିତ ଥିଲେ । ଦ୍ୱାଦଶ ଶ୍ରେଣୀରେ ସେ ଭଲ ରେଜଲ୍ଟ କରିଥିଲେ । ଆଖପାଖ ଅଞ୍ଚଳରେ ଏହା ଏକ ରେକର୍ଡ ଥିଲା । ଗଣମାଧ୍ୟମ ତାଙ୍କ ସଫଳତାର କାହାଣୀ ପ୍ରଚାର କରିଥିଲା । ଏହା ତାଙ୍କୁ ନର୍ସିଂ ଶିକ୍ଷା ପାଇଁ ଆର୍ଥିକ ସହାୟତା ପାଇବାରେ ସହଯୋଗ କରିଥିଲା । 

ଭିଡିଓ ଦେଖନ୍ତୁ: କେ.ଶିଲା: ମୁଁ ଅନୁଭବ କରେ ମୋ ବାପା ଯାହା କରୁଥିଲେ, ତାହା କେହି ବି କରିବା ଉଚିତ୍ ନୁହେଁ 

ସ୍ଵତଃସ୍ଫୁର୍ତ୍ତ ଭାବରେ ତାଙ୍କ ମନରୁ ଅନୁଭବଗୁଡ଼ିକ ବାହାରି ଆସୁଥିଲା । ତାଙ୍କ ମା’ ୪୦, ବର୍ଷ ବୟସ୍କା କେ. ନାଗମ୍ମା ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଶିଲା ଖୁବ୍ ଚୁପଚାପ୍ ଝିଅ । ପ୍ରଥମ ଥର ପାଇଁ ସେ ଦେଖୁଥିଲେ ଯେ ତାଙ୍କ ଝିଅ ଏତେ ଖୋଲାଖୋଲି କଥା ହେଉଛି । 

ନିଜ୍ ଝିଅମାନେ ଯେମିତି ସୁନ୍ଦର ଭବିଷ୍ୟତର ସ୍ଵପ୍ନ ଦେଖିପାରିବେ, ତାହା ସୁନିଶ୍ଚିତ କରିବା ପାଇଁ ନାଗମ୍ମା ନିଜର ସାଧ୍ୟମତେ ସବୁକିଛି କରିଥିଲେ । ତାଙ୍କ ସାନଝିଅ କେ. ଆନନ୍ଦିଙ୍କ ବୟସ ଏବେ ୧୬ ଏବଂ ସେ ୧୦ମ ଶ୍ରେଣୀରେ ପାଠ ପଢ଼ୁଛନ୍ତି ।

ଯେଉଁଦିନ ନାଗମ୍ମା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣିଲେ, ସେଦିନ ବୋକା ପାଲଟିଗଲେ । ତାଙ୍କ ପିତାମାତା ତାଙ୍କର ଦାୟିତ୍ଵ ନେଲେ । ସେତେବେଳେ ଶିଲା ୮ବର୍ଷର ଏବଂ ଆନନ୍ଦି ୬ବର୍ଷର । ଆନନ୍ଦି ସେତେବେଳକୁ ସ୍କୁଲ ମଧ୍ୟ ଯାଇନଥାଏ ।

‘My mother is a fearless woman’
PHOTO • Bhasha Singh

ଇନ୍ଦିରା ନଗରରେ ଘର ପାଖରେ ନିଜ ଛୋଟ ଦୋକାନରେ ନାଗମ୍ମା । ମୁଁ ମୋର ଦୁଃଖକୁ ଦୃଢ଼ତାରେ ବଦଳାଇ ଦେଲି 

“ମୋର ମନେନାହିଁ, ମୁଁ କେମିତି ମୋ ସ୍ୱାମୀଙ୍କ ମୃତଦେହ ସହ ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାରେ ଥିବା ଆମ ଗାଁ ପାମରୁକୁ ଗଲି କିମ୍ବା ତାଙ୍କର ଶେଷକୃତ୍ୟ କେମିତି ସମ୍ପନ୍ନ ହେଲା । ମୋ ଶ୍ଵଶୁର ମୋତେ ଡାକ୍ତରଖାନାକୁ ନେଲେ । ସେଠାରେ ମୋତେ ଇଲେକ୍ଟ୍ରିକ୍ ସକ୍ (ଇଲେକ୍ଟ୍ରୋ କନଭୁଲସିଭ୍ ଥେରାପି) ଓ ଅନ୍ୟାନ୍ୟ ଚିକିତ୍ସା କରାଗଲା । ଏହାପରେ ମୁଁ ଚେତନା ଫେରି ପାଇଲି। ମୋ ସ୍ୱାମୀ ଯେ ପ୍ରକୃତରେ ମରିଯାଇଛନ୍ତି, ଏହା ଗ୍ରହଣ କରିବାକୁ ମୋତେ ଦୁଇବର୍ଷରୁ ଅଧିକ ସମୟ ଲାଗିଗଲା ।”

ଏ ମଧ୍ୟରେ ପ୍ରାୟ ଦଶବର୍ଷ ବିତିଗଲାଣି, କିନ୍ତୁ ନାଗମ୍ମା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟଣାକୁ ମନେ ପକାଇ ବାରମ୍ବାର କାନ୍ଦୁଥିଲେ। “ଏହାପରେ ମୋ ପରିଜନମାନେ କହିଲେ, ମୋ ଝିଅମାନଙ୍କ ପାଇଁ ମୋତେ ବଞ୍ଚିବାକୁ ହେବ। ଏହା ପରଠାରୁ ହିଁ ମୁଁ ସଂଘର୍ଷ କରିବା ଆରମ୍ଭ କଲି। ମୁଁ ନିକଟସ୍ଥ ଏକ ଫ୍ୟାକ୍ଟ୍ରିରେ ସଫା କରିବା କାମ ନେଲି। କିନ୍ତୁ ମୋତେ ସେ କାମ ଭଲ ଲାଗିଲା ନାହିଁ। ମୋ ବାପା ମା’ ମଧ୍ୟ ସଫେଇ କର୍ମଚାରୀ। ମୋ ବାପା ଜଣେ ସେପ୍ଟିକ୍ ଟାଙ୍କି/ମ୍ୟାନ୍ ହୋଲ୍ ସଫା କରୁଥିବା ମେହେନ୍ତର। ମା’ ଜଣେ ଝାଡ଼ୁଦାର ।”

ତାମିଲନାଡ଼ୁରେ ଥିବା ଅଧିକାଂଶ ସଫେଇ କର୍ମଚାରୀ ଆନ୍ଧ୍ରପ୍ରଦେଶର। ସେମାନେ ତେଲଗୁ କୁହନ୍ତି। ତାମିଲନାଡ଼ୁର ଅନେକ ଭାଗରେ ସଫେଇ କର୍ମଚାରୀ ସମୂହଙ୍କ ପାଇଁ ସ୍ଵତନ୍ତ୍ର ତେଲଗୁ ମାଧ୍ୟମ ସ୍କୁଲ ଅଛି। 

ନାଗମ୍ମା ଏବଂ ତାଙ୍କ ସ୍ୱାମୀ ଉଭୟ ପାମୁର୍ ଗ୍ରାମର। ନାଗମ୍ମା କୁହନ୍ତି, “ମୁଁ ୧୯୯୫ ମସିହାରେ ବିବାହ କଲି। ସେତେବେଳେ ମୋ ବୟସ ୧୮। ମୋ ବାପା ମା’ ମୋ ଜନ୍ମ ପୂର୍ବରୁ ଚେନ୍ନାଇ ଚାଲିଆସିଥିଲେ । ଆମେ ମୋ ବିବାହ ପାଇଁ ଗାଁକୁ ଗଲୁ ଏବଂ ସେଠାରେ କିଛିବର୍ଷ ରହିବା ପରେ ଚେନ୍ନାଇ ଫେରି ଆସିଲୁ । ମୋ ସ୍ୱାମୀ ମିସ୍ତ୍ରୀ ଭାବରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ କାମ କରୁଥିଲେ । ଯେତେବେଳେ ସେ ସେପ୍ଟିକ୍ ଟାଙ୍କି ସଫା କରିବାର ଡାକରା ପାଆନ୍ତି, ସେ ଯାଆନ୍ତି । ଯେତେବେଳେ ମୁଁ ଜାଣିଲି, ସେ ସ୍ୱେରେଜ୍ କାମ କରୁଛନ୍ତି, ମୁଁ ଦୃଢ଼ ଭାବରେ ଏହାକୁ ବିରୋଧ କଲି । ଏହା ପରଠାରୁ ସେ ଯେତେବେଳେ ଏପରି କାମ ପାଇଁ ଯାଉଥିଲେ, ମୋତେ କିଛି ଜଣାଉ ନଥିଲେ । ୨୦୦୭ରେ ଯେତେବେଳେ ତାଙ୍କ ସହ ଅନ୍ୟ ଦୁଇଜଣ ଗୋଟିଏ ସେପ୍ଟିକ୍ ଟାଙ୍କି ମଧ୍ୟରେ ପ୍ରାଣ ହରାଇଲେ, ସେତେବେଳେ କାହାକୁ ଗିରଫ କରାଯାଇନଥିଲା । ସେମାନଙ୍କ ହତ୍ୟା ପାଇଁ କାହାକୁ ଦାୟୀ କରାଯାଇନଥିଲା । ଦେଖନ୍ତୁ ଏହି ଦେଶ ଆମକୁ କେମିତି ବ୍ୟବହାର କରୁଛି, ଆମ ଜୀବନର ବି କିଛି ମୂଲ୍ୟ ନାହିଁ । କେହି ଆମକୁ ସାହାଯ୍ୟ କରିବାକୁ ଆସିଲେନି- କୌଣସି ସରକାର ନୁହେଁ, କୌଣସି ଅଧିକାରୀ ନୁହନ୍ତି, ଶେଷରେ ସଫେଇ କର୍ମଚାରୀ ଆନ୍ଦୋଳନ (ଏସ୍ କେ ଏ) ମୋତେ ଶିଖାଇଲା ନିଜ ଅଧିକାର ପାଇଁ କେମିତି ସଂଘର୍ଷ କରିବାକୁ ହୁଏ । ୨୦୧୩ରେ ହିଁ ମୁଁ ଏହି ଆନ୍ଦୋଳନ ବିଷୟରେ ଜାଣିଲି ।”

ଥରେ ନିଜର ଅଧିକାର ସମ୍ପର୍କରେ ସଚେତନ ହେବା ପରେ ନାଗମ୍ମା ପାଟି ଖୋଲିଲେ ଏବଂ ନିଜ ଅଧିକାର ବିଷୟରେ କହିଲେ। ସେ ଅନ୍ୟ ମହିଳାମାନଙ୍କୁ ମଧ୍ୟ ଭେଟିଲେ, ଯେଉଁମାନେ ନିଜ ସ୍ୱାମୀ ବା ପ୍ରିୟଜନଙ୍କୁ ସେପ୍ଟିକ୍ ଟାଙ୍କି ବା ସ୍ୱେରେଜରେ ହରାଇଛନ୍ତି । “ଯେତେବେଳେ ମୁଁ ଜାଣିଲି ଏକମାତ୍ର ମୁଁ ଜୀବନସାଥୀଙ୍କୁ ନର୍ଦ୍ଦମା ଯୋଗୁ ହରାଇନି, ଏମିତି ଶହ ଶହ ମହିଳା ଅଛନ୍ତି, ଯେଉଁମାନଙ୍କର ଦୁଃଖ ସମାନ । ଏହାପରେ ମୁଁ ମୋର ଦୁଃଖକୁ ଦୃଢ଼ତାରେ ବଦଳାଇଦେଲି । 

ଭିଡିଓ ଦେଖନ୍ତୁ: କେ. ନାଗମ୍ମା: ସେ ମୋତେ କଥା ଦେଇଥିଲେ ଯେ ସେ ସେହି କାମକୁ ଆଉଥରେ ଯିବେନି 

ଏହି ଦୃଢ଼ତା ନାଗମ୍ମାଙ୍କୁ ଘର ସଫା କାମରୁ ମୁକ୍ତି ଦେଲା, ୨୦ ହଜାର ଟଙ୍କାର ଲୋନ୍ ଆଣିବାକୁ ସାହସ ଦେଲା । ନିଜର ପିତା ଏବଂ ସଫେଇ କର୍ମଚାରୀ ଆନ୍ଦୋଳନର ସହଯୋଗରେ ସେ ଇନ୍ଦିରାନଗରର ନିଜ ଘର ଆଗରେ ଦୈନନ୍ଦିନ ବ୍ୟବହାର ସାମଗ୍ରୀର ଏକ ଦୋକାନ ଖୋଲିଲେ । 

ସ୍ୱାମୀଙ୍କ ମୃତ୍ୟୁର କ୍ଷତିପୂରଣ ପାଇବା ନିମନ୍ତେ ତାଙ୍କ ସଂଘର୍ଷ ଏକବିଂଶ ଶତାବ୍ଦିର ଭାରତରେ ତାଙ୍କ ଘରକୁ ଜାତିର ଯନ୍ତ୍ରଣା ନେଇ ଆସିଲା । ତେବେ ୨୦୧୬ ନଭେମ୍ବରରେ ମ୍ୟୁନିସିପାଲିଟି କର୍ପୋରେସନ ଶେଷରେ ତାଙ୍କୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କଲା । ୨୦୧୪ ମସିହା ସୁପ୍ରିମକୋର୍ଟ ରାୟ ଅନୁଯାୟୀ ନର୍ଦ୍ଦମା ସଫା କରିବା ସମୟରେ ଯେଉଁମାନଙ୍କ ଜୀବନ ଯାଇଛି, ତାଙ୍କ ପାଇଁ ବାଧ୍ୟତାମୂଳକ କ୍ଷତିପୂରଣ ରାଶି ୧୦ଲକ୍ଷ ଟଙ୍କା । ଏହି ଟଙ୍କାରେ ସେ ଋଣ ପରିଶୋଧ କଲେ, ନିଜ ଦୋକାନରେ ଆଉ କିଛି ଅର୍ଥ ଖଟେଇଲେ ଏବଂ ଝିଅମାନଙ୍କ ନାଁରେ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ ରଖିଲେ।

‘My mother is a fearless woman’
PHOTO • Bhasha Singh

ସାନଝିଅ ୧୬ବର୍ଷ ବୟସ୍କା ଆନନ୍ଦି ନିଜ ମା’ଙ୍କ କଷ୍ଟ ଅର୍ଜିତ ଆତ୍ମବିଶ୍ୱାସ ଓ ଦୃଢ଼ତା ପାଇଁ ଖୁବ୍ ଗର୍ବ କରନ୍ତି 

ଖୁବ୍ ଗର୍ବର ସହ ଆନନ୍ଦି କୁହନ୍ତି, “ମୋ ମା’ ଜଣେ ନିର୍ଭୀକ ମହିଳା । ସେ ସାକ୍ଷର ହୋଇନଥିଲେ ମଧ୍ୟ ଯେ କୌଣସି ଅଧିକାରୀଙ୍କ ସହ କଥାବାର୍ତ୍ତା କରିବାର ଆତ୍ମବିଶ୍ୱାସ ତାଙ୍କର ଅଛି । ସେ ଅଧିକାରୀ ଯେତେ ବଡ଼ ହୁଅନ୍ତୁ ନା କାହିଁକି । ସେ ତାଙ୍କର ଆବେଦନ ପ୍ରତ୍ୟେକ ଜାଗାରେ ପହଞ୍ଚାଇଛନ୍ତି । ସେ ଯେତେବେଳେ କୌଣସି ଅଫିସ୍ ମଧ୍ୟକୁ ପ୍ରବେଶ କରନ୍ତି, ସେତେବେଳେ ଅଫିସରମାନେ ମଧ୍ୟ ବ୍ୟସ୍ତ ହୋଇଯାଆନ୍ତି । କାରଣ ସେମାନେ ଜାଣନ୍ତି ସେ ଘଣ୍ଟା ଘଣ୍ଟା ଅପେକ୍ଷା କରିବେ ଏବଂ ନିଜ ଅଧିକାର ପାଇଁ ସୀମାହୀନ ତର୍କ ଦେବେ ।” 

ନାଗମ୍ମା କୁହନ୍ତି, “ମୋ ସ୍ୱାମୀ ୨୦୦୭ରେ ପ୍ରାଣ ହରାଇଲେ, ଏତେ ସଂଘର୍ଷ ଓ ଗୋଟିଏ ଅନୁଷ୍ଠାନର ସହଯୋଗ ପରେ ମୁଁ ୨୦୧୬ ଶେଷବେଳକୁ କ୍ଷତିପୂରଣ ପାଇଲି । କିନ୍ତୁ ସୁପ୍ରିମକୋର୍ଟଙ୍କ ୨୦୧୪ ରାୟ ଅନୁଯାୟୀ ମୁଁ ସେହିବର୍ଷ ହିଁ କ୍ଷତିପୂରଣ ପାଇବା କଥା । ନ୍ୟାୟ ଦେବା ପାଇଁ କୌଣସି କଳ କାମ କରୁନି । କେହି ବ୍ୟସ୍ତ ବି ନାହାନ୍ତି । ଏହି ବ୍ୟବସ୍ଥା ମୋତେ ଜଣେ ମେହେନ୍ତର ହେବାକୁ ବାଧ୍ୟ କରିଥିଲା । କ’ଣ ପାଇଁ? ମୁଁ ଏହାକୁ ଗ୍ରହଣ କରିବାକୁ ମନା କଲି । ମୁଁ ମୋ ପାଇଁ ଏବଂ ମୋ ଝିଅମାନଙ୍କ ପାଇଁ ଏକ ଜାତିହୀନ ଜୀବନ ନିମନ୍ତେ ସଂଘର୍ଷ କରୁଛି । ଆପଣ କାହା ପକ୍ଷରେ ଅଛନ୍ତି? 

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Bhasha Singh

ଲେଖକ ପରିଚୟ: ଭାଷା ସିଂହ ଜଣେ ସ୍ୱାଧୀନ ସାମ୍ବାଦିକ , ଲେଖକ ଏବଂ ୨୦୦୭ ପରି ବ୍ୟକ୍ତିତ୍ୱ। ହାତରେ ମଇଳା ସଫାକୁ ନେଇ ହିନ୍ଦିରେ ଲିଖିତ ତାଙ୍କର ପୁସ୍ତକ ‘ଅଦୃଶ୍ୟ ଭାରତ’ ୨୦୧୨ ମସିହାରେ ପ୍ରକାଶିତ ହୋଇଥିଲା। ୨୦୧୪ରେ ପେଙ୍ଗୁଇନ୍ ଦ୍ୱାରା ଏହାର ଇଂରାଜୀ ଅନୁବାଦ ‘ଅନସିନ୍’ ପ୍ରକାଶ ପାଇଥିଲା। ତାଙ୍କ ସାମ୍ବାଦିକତା ଉତ୍ତର ଭାରତରେ କୃଷକମାନଙ୍କ ଦୂରବସ୍ଥା ଏ ନ୍ୟୁକ୍ଲିୟର୍ ପ୍ଲାଣ୍ଟର ରାଜନୈତିକ ଓ ଭୂ-ବାସ୍ତବିକତା ଏବଂ ଦଳିତ, ଲିଙ୍ଗଗତ ଓ ସଂଖ୍ୟାଲଘୁ ଅଧିକାର ଉପରେ ପର୍ଯ୍ୟବେସିତ।

Other stories by Bhasha Singh