ଐନୁଲ ଯେତେବେଳେ ଆମରୋହାରୁ ଦିଲ୍ଲୀ ଆସିବା ପାଇଁ ବଡ଼ି ଭୋରରୁ କାଶୀ ବିଶ୍ୱନାଥ ଏକ୍ସପ୍ରେସ ଚଢ଼ିଲେ ସେ ଖୁବ୍ ଭୟଭୀତ ଥିଲେ। ‘ମୁଁ ଖୁବ୍ ଭୟଭୀତ ଥିଲି, ମୁଁ ଭାବୁଥିଲି ମୁଁ ବମ୍ବେକୁ ଯାଉଛି, ମୁଁ ଏତେ ଦୂରକୁ ଯାଉଛି। ସେମାନେ ମୋ’ ସହିତ କିପରି ବ୍ୟବହାର କରିବେ? ମୁଁ କିପରି ଚଳିବି?’ ନିଜର ଉତ୍ସୁକତା ଯୋଗୁ ଏହି ୧୭ ବର୍ଷୀୟା ଝିଅ ଜଣକ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସାଧାରଣ ବଗିରେ ରାତି ସାରା ଅନିଦ୍ରା ରହିଲେ।

ତାଙ୍କର ଶ୍ୱଶୁର ଆଲିମ୍ ସେହି ବଗିରେ ଯାତ୍ରା କରୁଥିଲେ। ଦିଲ୍ଳୀରୁ ଆଉ ଏକ ଟ୍ରେନରେ ବସିବା ପରେ ସେମାନେ ବାନ୍ଦ୍ରା ଟର୍ମିନସରେ ଓହ୍ଲାଇଲେ। ସେ ଭିକାରୀ ଭାବେ ମକଦୁମ ଅଲି ମାହିମି ଦରଘା ବାହାରେ ବସିବା ପୂର୍ବରୁ ଐନୁଲଙ୍କୁ ମାହିମିର ନୟି ବସ୍ତି କଲୋନୀରେ ଥିବା ତାଙ୍କ ନୂଆ ଘରକୁ ନେଇଗଲେ।

ଐନୁଲ ଶେଖ୍ ମଧ୍ୟ ତିନି ବର୍ଷ ପରେ କିଛି ଦିନ ପାଇଁ ଏହି କାମ କରିଥିଲେ। ଏହା କେନ୍ଦ୍ରୀୟ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ତାଙ୍କର ୧୮ ମାସର ପୁଅ ଚିକିତ୍ସିତ ହେବାରେ ସହାୟକ ହୋଇଥିଲା। ସେ କେଉଁ ରୋଗରେ ପୀଡ଼ିତ ଐନୁଲ ତାହା ଜାଣନ୍ତି ନାହିଁ। ସେ କହନ୍ତି, ‘ମୁଁ କାହା ପାଖରୁ ଋଣ ପାଇପାରିଲି ନାହିଁ (ମେଡିକାଲ ବିଲ ପାଇଁ) କାରଣ କିଏ ତାକୁ ପରିଶୋଧ କରିଥାନ୍ତା?’

ମୁମ୍ବାଇକୁ ଆସିବାବେଳେ ତାଙ୍କର ଉତ୍କଣ୍ଠା ଅମୂଳକ ନଥିଲା।

ସେଦିନ ଟ୍ରେନରେ ଐନୁଲଙ୍କ ପାଖରେ ଗୋଟିଏ ବ୍ୟାଗରେ କେବଳ କିଛି ଲୁଗାପଟା ଥିଲା। ଶାଶୂଘରକୁ ନେବାପାଇଁ ସେ ଗୋଟିଏ ପରେ ଗୋଟିଏ ବାସନ ବାସନକୁସନ କିଣିଥିବାବେଳେ ସେ ସମସ୍ତ ବିକ୍ରି ହୋଇଯାଇଥିଲା। ଖୁବ୍ କମ୍ ବୟସରୁ ସେ ଦୀର୍ଘଦିନ ଧରି କଠିନ ପରିଶ୍ରମ କରିଥିଲେ। ଅନ୍ୟମାନଙ୍କ ବାସନକୁସନ ଧୋଇବା, ଘର ସଫା କରିବା, କୃଷିକ୍ଷେତ୍ରରେ କାମ କରିବା ପ୍ରଭୃତି। ‘କିଛି ଟଙ୍କା ବିନିମୟରେ ମୋତେ ଖାଇବାକୁ ମିଳିଯାଉଥିଲା ମୁଁ ଟଙ୍କାକୁ ବାକ୍ସରେ ରଖି ରଖି ମୋ ବିବାହ ପାଇଁ ସଞ୍ଚୟ କରିଥିଲି। ମୁଁ ପ୍ରାୟ ୫,୦୦୦ ଟଙ୍କା ସଞ୍ଚୟ କରିଥିଲି। ପରେ ସେ ଟଙ୍କାକୁ ନେଇ ଏକ ସ୍ଥାନୀୟ ଦୋକାନକୁ ଯାଇ ପିତ୍ତଳର ବାଲ୍ଟି, ଥାଳି, କର୍ଚୁଲି ଏପରିକି ଏକ ଡେକ୍ଚି ବି କିଣିଥିଲି। ’

A woman and her son and daughter
PHOTO • Sharmila Joshi

ସାନ ପୁଅ ଜୁନୈଦ୍ ଏବଂ ଝିଅ ମେହଜବୀନ ସହିତ ଐନୁଲ ଶେଖ୍ତାଙ୍କର ବଡ଼ ପୁଅ ମହମ୍ମଦ ଫଟୋ ଉଠାଇବାକୁ ମନାକଲେ। 

ଯେତେବେଳେ ସେ ବାହାହୋଇ ଆମରୋହାରେ ସମାନ ମୋହଲ୍ଲାରେ ଥିବା ସ୍ୱାମୀ ଜମିଲଙ୍କର ଘରକୁ ଗଲେ ତାଙ୍କୁ ସ୍ୱାମୀଙ୍କର ମଦ ପିଇବା ଅଭ୍ୟାସ ଯୋଗୁ ସେ ସବୁକୁ ବିକ୍ରି କରିବାକୁ ପଡ଼ିଲା। ସେ ବାନ୍ଦ୍ରା ଟର୍ମିନସ୍ରେ ପହଞ୍ଚିବାର ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ଧରି ଜମିଲ ତାଙ୍କୁ ରକ୍ତାକ୍ତ ହେବା ଯାଏ ପିଟୁଥିଲେ। ସେ ମୁମ୍ବାଇକୁ ଆସିବା ପରେ ଏହି ହିଂସା ଆରମ୍ଭ ହୋଇଥିଲା। ପ୍ରକୃତରେ କେବେ ତାହା ଆରମ୍ଭ ହେଲା ସେ ମନେ ପକାଇ ପାରନ୍ତି ନାହିଁ। ଐନୁଲ କହନ୍ତି, ‘ମୁଁ ମୋ ମା’ଙ୍କୁ ଫୋନ୍ କଲି।’ ‘ସେ ମୋତେ କହିଲେ ତୋତେ ସେଠାରେ ରହିବାକୁ ପଡ଼ିବ। ଦେଖ ଯଦି କିଛି...’

ବିକ୍ରି ହୋଇଯାଇଥିବା ବାସନକୁସନ ସହିତ ଐନୁଲ ଉତ୍ତରପ୍ରଦେଶର ଜ୍ୟୋତିବା ଫୁଲେ ନଗର ଜିଲ୍ଲାରେ ଆମରୋହା ସହର ଉପକଣ୍ଠରେ ବଟୱାଲ ମୋହଲ୍ଳାରେ ଥିବା ତାଙ୍କ ପରିବାରକୁ ପଛରେ ଛାଡ଼ି ଯାଉଥିଲେ। ପରିବାରରେ ତାଙ୍କର ମା’, ଦୁଇ ଭଉଣୀ ଏବଂ ତିନି ଭାଇ ଥିଲେ। ଐନୁଲଙ୍କ ବାପା ଜଣେ ବାରିକ ହୋଇଥିବାବେଳେ କିଛି ବର୍ଷ ତଳୁ ତାଙ୍କର ପରଲୋକ ହୋଇସାରିଥିଲା। ଧରାବି ନିକଟରେ ଟିଣ ଓ ଆଜବେଷ୍ଟସରେ ତିଆରି ଏକ ବଖୁରିଆ ଘରର ଚଟାଣରେ ବସି ସେ କହନ୍ତି, ‘ଆମେ ହେଉଛୁ ସଲମାନି ଜାଠ୍। ଆମ ଜାତିରେ ପୁରୁଷମାନେ ପାରମ୍ପରିକ ଭାବେ ବାରିକ କାମ କରନ୍ତି। ଆବ୍ୱା ଗୋଟିଏ ଛପର ତଳେ ବସି ଲୋକଙ୍କ ଦାଢ଼ି ଓ ଚୁଟି କାଟି କିଛି ଟଙ୍କା ରୋଜଗାର କରୁଥିଲେ। ଆମେ ଖୁବ୍ ଗରିବ ଥିଲୁ। ଆମ୍ମି ଅଧିକାଂଶ ସମୟରେ ପେଟ ପୂରାଇବା ପାଇଁ ଆମ ଛଅଜଣ ପିଲାଙ୍କୁ ଗରମ ପାଣି ପିଇବାକୁ ଦେଉଥିଲା କିମ୍ବା ଖଣ୍ଡେ ଗୁଡ଼ଦେଉଥିଲା। ଆମ ପାଖରେ ପିନ୍ଧିବା ଲାଗି ଢଙ୍ଗରେ ପୋଷାକପତ୍ର ନଥିଲା। ଆମେ ମେଳ ଖାଉନଥିବା ଜୋତା ପିନ୍ଧୁଥିଲୁ, ଯଦି ଗୋଟିଏ ନୀଳ ଥିଲା, ଅନ୍ୟଟି ଥିଲା କଳା। ତାକୁ ଗୋଟିଏ ସେଫ୍ଟି ପିନ୍ ସାହାଯ୍ୟରେ ଆମେ ବାନ୍ଧି ରଖୁଥିଲୁ। ’

ଛଅ ଭାଇଭଉଣୀଙ୍କ ମଧ୍ୟରେ ସବୁଠୁ ସାନ ଐନୁଲ ବିଲକୁଲ ସ୍କୁଲ ଯାଇନଥିଲେ। ଯେତେ ଶୀଘ୍ର ସମ୍ଭବ ସବୁ ଭାଇଭଉଣୀ କାମ ଆରମ୍ଭ କରିଥିଲେ। ତାଙ୍କର ଜଣେ ଭାଇ ଏକ ଗ୍ୟାରେଜରେ ସହାୟକ, ଦୁଇଜଣ ରିକ୍ସାଚାଳକ ଭାବେ କାମ କରୁଥିଲେ। ତାଙ୍କ ମା’ ବଡ଼ ଭଉଣୀ ସହିତ (ଉଭୟଙ୍କୁ ପରେ ଟିଭି ହୋଇଗଲା) ଘରେ ବିଡ଼ି ବଳୁଥିଲେ ଏବଂ ୧,୦୦୦ ବିଡ଼ି ପାଇଁ ଜଣେ ଏଜେଣ୍ଟଙ୍କ ପାଖରୁ ୫୦ ଟଙ୍କା ପାଉଥିଲେ। ଐନୁଲ ଜଣେ ଶ୍ରମିକ ଭାବେ କାମ କରିବା ପାଇଁ ତାଙ୍କର ବଡ଼ ଭଉଣୀଙ୍କ ସହିତ ନିକଟବର୍ତ୍ତୀ ଜୋୟା ଗାଁକୁ ଯିବା ଆରମ୍ଭ କରିଥିଲେ। ସାଧାରଣତଃ ସେମାନଙ୍କୁ ମଜୁରି ଭାବେ ଫସଲ ବା ଖାଦ୍ୟଶସ୍ୟ ମିଳୁଥିଲା। ଯାହାକି ସେମାନଙ୍କର ମାସିକିଆ ସଉଦାପତ୍ରରେ ସାହାଯ୍ୟ କରୁଥିଲା। ସେ କହନ୍ତି, ‘କିନ୍ତୁ ସେ ସମୟରେ ମୁଁ କେବଳ କାମ କରୁଥିଲି ଏବଂ ଚିନ୍ତା କରୁନଥିଲି। ମୁଁ ଆରାମ କରିବା ସହିତ ହସି ପାରୁଥିଲି।’

ଧୀରେ ଧୀରେ ଶେଖ ପରିବାର ତାଙ୍କ ବାପାଙ୍କ ୱାର୍କସେଡ୍ରୁ ବାହାରି ଏକ ଘର କରିବାରେ ସମର୍ଥ ହେଲା। ତାଙ୍କ ମା’ ଏକ ସ୍ଥାନୀୟ ସଂସ୍ଥା ଦ୍ୱାରା ମିଡୱାଇଫ୍ ଭାବେ ତାଲିମପ୍ରାପ୍ତ ହୋଇ କିଛି ଅର୍ଥ ରୋଜଗାର କରିବା ଆରମ୍ଭ କଲେ। କିନ୍ତୁ ଯେତେବେଳେ ଐନୁଲଙ୍କୁ ୧୩ ବର୍ଷ ହୋଇଥିଲା(ଐନୁଲଙ୍କୁ ଏବେ ୩୦ ବର୍ଷ। ତାଙ୍କର ଅନ୍ୟସବୁ ସଂପର୍କରେ ତୀକ୍ଷ୍ମ ସ୍ମରଣଶକ୍ତି ଅଛି, କିନ୍ତୁ ବୟସ ପ୍ରସଙ୍ଗରେ ସେ ଏତେ ମନେ ରଖିପାରନ୍ତି ନାହିଁ) ଅଧିକାଂଶ ସମୟରେ ରୋଗୀଣା ରହୁଥିବା ତାଙ୍କର ବାପା ଦୁଇ ବର୍ଷରୁ ଅଧିକ ସମୟ ଧରି ପକ୍ଷାଘାତରେ ଆକ୍ରାନ୍ତ ହୋଇ ପଡ଼ିରହିଲେ। ତାଙ୍କର ସେହି ଅସୁସ୍ଥତା ପରିବାରକୁ ପୁଣି ଥରେ ଦାରିଦ୍ରତା ମଧ୍ୟକୁ ଠେଲିଦେଲା। ‘ଆମେ ବହୁତ ଚେଷ୍ଟା କଲୁ, ଆମ ମୋହଲ୍ଲାର ଲୋକମାନେ ମଧ୍ୟ ସାହାଯ୍ୟ କଲେ। କିନ୍ତୁ ଆମେ ତାଙ୍କୁ ରକ୍ଷା କରିପାରିଲୁ ନାହିଁ।’ ଐନୁଲଙ୍କୁ ପ୍ରାୟ ୧୫ ବର୍ଷ ହୋଇଥିବାବେଳେ ତାଙ୍କ ବାପା ଚାଲିଗଲେ। ତାଙ୍କୁ ୧୬ ବର୍ଷ ହେବା ବେଳକୁ ଭାଇମାନେ ତାଙ୍କର ବିବାହ ପାଇଁ ବ୍ୟବସ୍ଥା କରିସାରିଥିଲେ।

କିଛି ଦିନ ଧରି ଐନୁଲ ତାଙ୍କ ଶ୍ୱଶୁର ଆଲିମଙ୍କ ଘରେ ରହିଲେ। ସେ କହନ୍ତି, ଆଲିମ କିଛି ମାସ ମୁମ୍ବାଇରେ ରହି ଭିକ୍ଷା ମାଗନ୍ତି , ତା’ ପରେ କିଛି ମାସ ଧରି ଆମରୋହାରେ ରହି ସେ ଟଙ୍କାରେ ଚଳିଥାନ୍ତି। ତାଙ୍କ ସ୍ୱାମୀ ଜମିଲଙ୍କ ମା’ଙ୍କର କିଛି ଦିନ ପୂର୍ବରୁ ମୃତୁ୍ୟ ହୋଇଥିଲା। ଜମିଲଙ୍କ ଭାଇ ମଧ୍ୟ ବଟୱାଲ ମୋହଲ୍ଲାରେ ଜଣେ ବାରିକ ଭାବେ କାମ କରୁଥିଲେ। ତାଙ୍କ ବାହାଘରର ପ୍ରାୟ ବର୍ଷକ ପରେ ଆଲିମ ଐନୁଲଙ୍କୁ ମୁମ୍ବାଇ ଆଣିଲେ। 

A road in Dharavi, a slum in Mumbai

ଐନୁଲଙ୍କ ଏକବଖୁରିଆ ଘର ଥିବା ଗଳି

ଜମିଲ ସେଠାରେ ଏଣୁତେଣୁ କାମ କରୁଥିଲେ। ଧରାବିରେ ପୁନଃ ପ୍ରକ୍ରିୟାକରଣ ସେକ୍ଟରରେ କୁଲି ଭାବେ କାମ କରି ତାଙ୍କୁୁ ଦିନକୁ ୧୫୦-୨୦୦ ଟଙ୍କା ମିଳୁଥିଲା। ସେ ମଧ୍ୟ ଉତ୍ତରପ୍ରଦେଶକୁ ଚାଉଳ ଓ ଗହମ ନେଇ ଯାଉଥିବା ଟ୍ରକ୍ରେ ସହାୟକ ଭାବେ ଯାଉଥିଲେ। ଆଲିମ ପ୍ରାୟ ସମୟରେ ତାଙ୍କୁ କିଛି ଟଙ୍କା ସହାୟତା କରୁଥିଲେ।  ଯଦିଓ ସେ ଲମ୍ପଟ ଥିଲା ଏବଂ ଜୁଆ ଖେଳିବାକୁ ପସନ୍ଦ କରୁଥିଲା ଐନୁଲ କହନ୍ତି ସେ ତାଙ୍କ ପାଇଁ ଏକ ସମସ୍ୟା ଥିଲା।

ମୁମ୍ବାଇକୁ ଆସିବାର କିଛି ବର୍ଷ ଯାଏ ଐନୁଲ ରୋଜଗାର ପାଇଁ କିଛି କରୁନଥିଲେ। ସେ କହନ୍ତି, ‘ମୁଁ ମୋ ସ୍ୱାମୀଙ୍କୁ ଦରଘାକୁ ଯାଇ ଭିକ ମାଗିବାକୁ ଅନୁମତି ମାଗଲି। ମୁଁ ତାଙ୍କୁ ପଚାରିଲି ମୁଁ କିଛି ଘରୋଇ କାମ କରିପାରିବି କି? କିନ୍ତୁ ସେ ମୋତେ କେଉଁଠାକୁ ଯିବାକୁ ଦେଉନଥିଲେ। ସେ ମୋତେ ଦିନକୁ ୩୦ ଟଙ୍କା ଦେଉଥିଲେ ଏବଂ ମୋତେ ସେତିକି ମଧ୍ୟରେ ସବୁକିଛିକୁ ଚଳାଇବାକୁ ପଡୁଥିଲା। ଆମର ପଡେ଼ାଶୀମାନେ ଦୟାଳୁ ଥିଲେ ଏବଂ ସେମାନେ ସମୟ ସମୟରେ ବଳକା ଖା୍ରଦ୍ୟ ଆମକୁ ଦେଉଥିଲେ। ’ ଯେତେବେଳେ ତାଙ୍କର ପ୍ରଥମ ପିଳାଟି ଅସୁସ୍ଥ ହୋଇପଡ଼ିଲା ସେତେବେଳେ ଜମିଲଙ୍କ ନିନ୍ଦାକୁ ଭ୍ରୁକ୍ଷେପ ନ କରି ସେ ଦରଘାକୁ କାମ ପାଇଁ ବାହାରିପଡ଼ିଲେ। 

ଆଠ ବର୍ଷ ତଳେ ଯେତେବେଳେ ଆଲିମଙ୍କର ମୃତ୍ୟୁ ହେଲା ସେତେବେଳେ ତାଙ୍କର ଅତି ଖରାପ ସମୟ ଆରମ୍ଭ ହେଲା। ସବୁବେଳେ ଜଣେ ହିଂସକ ଲୋକ ଥିବା ଜମିଲ ଆହୁରି ନିର୍ମମ ହୋଇପଡ଼ିଲେ। ଐନୁଲ କହନ୍ତି, ‘ତାଙ୍କଠାରୁ ମୁଁ ବହୁତ ମାଡ଼ ଖାଇଛି। ଅନେକ ଗାଳି ଶୁଣିଛି। ଏକଦା ସେ ମୋତେ ମାହିମର ରେଳଧାରଣାକୁ ଧକ୍କା ଦେଇଦେଇ ମରିବାକୁ କହିଥିଲେ।’ ସେ ମୋତେ ସେଠାରେ ପଡ଼ି କିପରି ତାଙ୍କ ଆଣ୍ଠୁର ହାଡ଼ଭାଙ୍ଗିଯାଇଥିଲା ସେହି ପୁରୁଣା କ୍ଷତକୁ ଦେଖାଇଲେ। ‘ସେ ମୋତେ ହାତରେ, ବାଡ଼ିରେ, ଚିମୁଟାରେ ଯାହା ସାମ୍ନାରେ ପଡୁଥିଲା ସେଥିରେ ମାରୁଥିଲେ। ମୁଁ କ’ଣ କରିପାରିଥାନ୍ତି? ମୋତେ ତାହା ସହିବାକୁ ଥିଲା।’

ଏସବୁ ସତ୍ତ୍ୱେ ଐନୁଲଙ୍କର ୩ଟି ପିଲା ହୋଇଥିଲେ-୨ଟି ପୁଅ ମହମ୍ମଦ (୧୫), ଜୁନୈଦ୍ (୯) ଏବଂ ଝିଅ ମେହଜବୀନ (୧୧)। ସେ କହନ୍ତି, ‘ସମୟ ସମୟରେ ଲୋକମାନେ ମୋତେ ମୋ ସ୍ୱାମୀଙ୍କୁ ଛାଡ଼ିଦେବାକୁ କହିଛନ୍ତି। କିନ୍ତୁ ମୋ ପିଲାଙ୍କର କ’ଣ ହେବ? ଆମ ଜାତିରେ ପରେ ଲୋକମାନେ ତାଙ୍କ ବାହାଘର ପାଇଁ ରାଜି ହୋଇନଥାନ୍ତେ।’

କିଛି ଦିନ ପରେ ଐନୁଲ ଦରଘାରେ ଜଣେ ମହିଳାଙ୍କୁ ଭେଟିଲେ ଯିଏକି ମାସିକ ୬୦୦ ଟଙ୍କା ବିନିମୟରେ ତାଙ୍କୁ ଘରୋଇ ସହାୟିକା ଭାବେ ନିଯୁକ୍ତି ଦେଲେ। ତା’ ପରଠାରୁ ଐନୁଲ ଅନେକଗୁଡ଼ିଏ କାମ କରିସାରିଛନ୍ତି। ‘ୱାଡି’ ଲାଇନ୍ରେ କିମ୍ବା କ୍ୟାଟରିଂ କାମ ଯେଉଁଠାରେ କଣ୍ଟ୍ରାକ୍ଟରମାନେ ଶ୍ରମିକମାନଙ୍କୁ ବାସନ ଧୋଇବା ପାଇଁ ନେଇଯାଆନ୍ତି, ସୁବୁରବନର ଯୋଗେଶ୍ୱରୀର ଏକ ଘରେ ନର୍ସ ଭାବେ ବି ସେ କାମ କରିଛନ୍ତି।

ବର୍ଷ ବର୍ଷ ଧରି  ସେ ନିଜ ପିଲା, ସ୍ୱାମୀଙ୍କ ସହିତ ଅଧିକାଂଶ ସମୟରେ ନିକଟବର୍ତ୍ତୀ ଚଟାଣରେ ଶୋଇଛନ୍ତି, ମାହିମ-ଧରାବିରେ ଛୋଟ ଭଡ଼ା ଘରେ ରହିଛନ୍ତି ଏବଂ କିଛି ସମୟରେ ରାସ୍ତାରେ ବି ଶୋଇଛନ୍ତି। ଧରାବିରେ ଗୋଟେ ଘର ଭଡ଼ା ନେବାକୁ ହେଲେ ସାଧାରଣତଃ ୫,୦୦୦ ଟଙ୍କା ଜମା କରିବାକୁ ପଡେ଼। ଐନୁଲଙ୍କ ନିକଟରେ ଅଧିକାଂଶ ସମୟରେ ସେତିକି ଟଙ୍କା ନଥାଏ। ‘ କିନ୍ତୁ ଧୀରେ ଧୀରେ ମୁଁ ଲୋକଙ୍କୁ ଜାଣିବା ଆରମ୍ଭ କଲି ଏବଂ ବିନା ଟଙ୍କା ଜମାରେ ମୋତେ ଘର ଭଡ଼ା ମିଳିଯାଉଥିଲା। ମୋତେ ଅନେକଗୁଡ଼ିଏ ଘର ଛାଡ଼ି (ଭଡ଼ା ଦେବା ପାଇଁ) ରାସ୍ତାକୁ ଆସିବାକୁ ପଡ଼ିଥିଲା, ସେଠୁ ଆଉଗୋଟେ ଘର ଖୋଜୁଥିଲି, ପୁଣି ତାକୁ ଛାଡୁଥିଲି....’। 

A woman crouching on the floor of her house
PHOTO • Sharmila Joshi

ନିଜ ଘରେ ଐନୁଲ ଯେଉଁଠାରେ ସେ କିଛି ସ୍ଥାୟିତ୍ୱ ପାଇଛନ୍ତି

ବର୍ଷ ବର୍ଷ ଧରି  ଐନୁଲ ନିଜ ପରିବାର ସହିତ ମାହିମ-ଧରାବିରେ ଛୋଟ ଭଡ଼ା ଘରେ ରହିଛନ୍ତି ଏବଂ କିଛି ସମୟରେ ରାସ୍ତାରେ ବି ଶୋଇଛନ୍ତି। ‘ମୋତେ ଅନେକଗୁଡ଼ିଏ ଘର ଛାଡ଼ି (ଭଡ଼ା ଦେବା କାରଣରୁ) ରାସ୍ତାକୁ ଆସିବାକୁ ପଡ଼ିଥିଲା, ସେଠୁ ଆଉଗୋଟେ ଘର ଖୋଜୁଥିଲି, ପୁଣି ତାକୁ ଛାଡୁଥିଲି....’। 

ଜାନୁଆରୀ ୨୦୧୨ରେ ତାଙ୍କ ବସ୍ତିରେ ନିଆଁ ଲାଗିଗଲା। ଐନୁଲ ମନେ ପକାନ୍ତି, ‘ସେତେବେଳେ ଭୋର ପ୍ରାୟ ୩ଟା ହୋଇଥିଲା, ସମସ୍ତେ ଶୋଇଥିଲେ। ଆମେ ଛାତ ଉପରେ ଚଢ଼ି ଦୌଡ଼ିଲୁ। ’ ନିଆଁ ଲାଗିବା ପରେ ସେ ଏବଂ ତାଙ୍କର ପିଲାମାନେ ମାହିମ-ସିଅନ୍ ପୋଲ ତଳେ ପ୍ରାୟ ଆଠ ମାସ ଧରି ରହିଲେ, ତାଙ୍କ ସ୍ୱାମୀ ମଧ୍ୟ ସେଠାରେ ଥିଲେ। ସେ କହନ୍ତି, ‘ମୌସୁମୀ ସମୟ ଖୁବ୍ କଷ୍ଟକର ଥିଲା। ଯେତେବେଳେ ବର୍ଷା ହେଉଥିଲା ମୁଁ ମୋ ପିଲାଙ୍କୁ ନେଇ ନିକଟବର୍ତ୍ତୀ ଏକ ଦୋକାନରେ ଆଶ୍ରୟ ନେଉଥିଲି।’

ସ୍ଥାନୀୟ ସଂସ୍ଥା ଏବଂ ନେତାମାନେ ଯେଉଁ ଲୋକମାନେ ନିଆଁ ଦ୍ୱାରା ପ୍ରଭାବିତ ହୋଇଥିଲେ ସେମାନଙ୍କୁ ସାହାଯ୍ୟ କରୁଥିଲେ। ସେ ମଧ୍ୟ ଖାଦ୍ୟଶସ୍ୟ, ବାସନକୁସନ, ବାଲ୍ଟି, ଗୋଟେ ଷ୍ଟୋଭ, ସପ ପ୍ରଭୃତି ପାଇଲେ। ଧୀରେ ଧୀରେ ଐନୁଲଙ୍କ ବନ୍ଧୁ ଓ ପରିଚିତଙ୍କ ସଂଖ୍ୟା ବଢ଼ିଲା। ସେମାନଙ୍କ ମାଧ୍ୟମରେ ଐନୁଲ ପ୍ରାୟ ଦୁଇବର୍ଷ ତଳେ ଏକ ଘର ପାଇଥିଲେ ଯେଉଁଠାରେ ତାଙ୍କ ପରିବାର ଏବେ ରହୁଛନ୍ତି। ଅନ୍ୟ ପବନ ଚଳାଚଳ ନଥିବା ରୁମ୍ ତୁଳନାରେ ଏଠାରେ ଗୋଟେ ବଡ଼ ଝରକା ଅଛି ଏବଂ ଘରକୁ କିଛି ପବନ ପଶୁଛି। ଏହା ଏକ ଟେରାସ୍ ଭଳି, ସେ କିଛି ଗର୍ବର ସହିତ ମୋତେ କହିଲେ।

ମାର୍ଚ୍ଚ ୨୦୧୫ରୁ ଐନୁଲ ଗୋଟିଏ ସ୍ୱେଚ୍ଛାସେବୀ ସଂସ୍ଥାରେ ରଦି ପେପର ସର୍ଟର ଭାବେ କାମ ପାଇଛନ୍ତି। ସେହି ସଂସ୍ଥା ପୁନଃପ୍ରକ୍ରିୟାକରଣ ଏବଂ ଅନ୍ୟ ପ୍ରସଙ୍ଗରେ କାମ କରେ। ଏହାଯୋଗୁ ତାଙ୍କୁ ମାସିକ ୬,୦୦୦ ଟଙ୍କା ଦରମା ମିଳେ ଏବଂ ଏହା ତାଙ୍କୁ କିଛି ପରିମାଣରେ ଆତ୍ମସନ୍ତୋଷ ଦେଇଛି। ନିଜ ଦରମାରୁ ସେ ମାସିକ ୩,୫୦୦ ଟଙ୍କା ଘର ଭଡ଼ା ଦେଉଛନ୍ତି, ପ୍ରାୟ ୧,୦୦୦ ଟଙ୍କା ଖାଦ୍ୟଶସ୍ୟ, ସଉଦାପତ୍ର ଏବଂ ପରିବାକିଣାରେ ଖର୍ଚ୍ଚ କରୁଛନ୍ତି। ତାଙ୍କର ରାସନ କାର୍ଡ ନିଆଁରେ ଜଳିଯାଇଥିବାବେଳେ ସେବେଠୁ ତାଙ୍କୁ ଆଉ ଏକ ରାସନ କାର୍ଡ ମିଳିନାହିଁ। ତାଙ୍କର ବଳକା ରୋଜଗାର ବିଜୁଳି ଦେୟ ଓ ଅନ୍ୟାନ୍ୟ ଖର୍ଚ୍ଚରେ ବ୍ୟବହୃତ ହେଉଛି। ସେ କହନ୍ତି, ‘ମୁଁ ଏବେ ଖୁବ୍ ଖୁସି ଅନୁଭବ କରୁଛି ଯେତେବେଳେ ମୋ ପିଲାମାନେ ତାଙ୍କ ପେଟ ପୂରିବା ପର୍ଯ୍ୟନ୍ତ ଖାଉଛନ୍ତି।’

ନିକଟରେ ଥିବା ଏକ ସାଧାରଣ ଶୌଚାଳୟକୁ ତାଙ୍କ ପରିବାର ବ୍ୟବହାର କରୁଛନ୍ତି। କମ୍ୟୁନିଟି ଟ୍ୟାପରୁ ସେମାନେ ପାଣି ଆଣୁଥିବାବେଳେ ସେଥିପାଇଁ ମାସକୁ (ସ୍ଥାନୀୟ ପ୍ରଭାବଶାଳୀ ମହିଳାଙ୍କୁ) ୨୦୦ ଟଙ୍କା ଦେବାକୁ ପଡୁଛି। ପ୍ରତିଦିନ ସନ୍ଧ୍ୟା ୭- ୮ଟା ଯାଏ ସେଥିରେ ପାଣି ଆସିଥାଏ। ଐନୁଲ ବାଲଟି, ଡବା, ବୋତଲରେ ପାଣି ରଖନ୍ତି। ସେ କହନ୍ତି, ସେ ସବୁକୁ ନେବାକୁ ତାଙ୍କ ପୁଅ ମହମ୍ମଦ ତାଙ୍କୁ ସାହାଯ୍ୟ କରେ।’ ମୁଁ ତାଙ୍କ ଘରକୁ ଯିବା ସମୟରେ ତାଙ୍କର ଝିଅ ମେହଜବୀନ ତାର ସ୍କୁଲପଢ଼ାରେ ବ୍ୟସ୍ତ ଥିଲା। ସେ ୬ଷ୍ଠ ଶ୍ରେଣୀରେ ପଢ଼ୁଛି। ତାଙ୍କର ସାନ ପୁଅ ଜୁନୈଦ୍ ଲାଜକୁଳା ଓ ହସଖୁସିଆ ସ୍ୱଭାବର ହୋଇଥିବାବେଳେ ସେ ଏକ ନିକଟବର୍ତ୍ତୀ ମ୍ୟୁନିସପାଲ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଛି। 

A woman standing on a ladder amidst hutments in Dharavi, a slum in Mumbai
PHOTO • Sharmila Joshi
The view from a hutment room in Dharavi
PHOTO • Sharmila Joshi

ଐନୁଲଙ୍କ ଘରକୁ ଯିବାକୁ ହେଲେ ଆପଣଙ୍କୁ ଏହି ସିଡିଗୁଡ଼ିକ ଚଢ଼ିବାକୁ ପଡ଼ିବଐନୁଲ ସେହି ପାଖରେ ଛିଡ଼ା ହୋଇଛନ୍ତିଡାହାଣ: ତାଙ୍କ ଘରର ଝରକାରୁ ବମ୍ବେ ସହରର ଦୃଶ୍ୟ

ପଞ୍ଚମ ଶ୍ରେଣୀ ପରେ ମହମ୍ମଦ ସ୍କୁଲ ପାଠ ଛାଡ଼ି ଦେଇଛି ଏବଂ ସମୟ ସମୟରେ ସେ ଓଲ୍ଡିଂ କରୁଥିବା ଜଣେ ଲୋକଙ୍କର ସହାୟକ ଭାବେ କାମ କରି ଦିନକୁ ୧୦୦ ଟଙ୍କା ରୋଜଗାର କରିଥାଏ। କିମ୍ବା ଜଣେ ପଡେ଼ାଶୀଙ୍କ ପାଇଁ ବହି ଯୋଗାଣ କରି କିଛି ଟଙ୍କା ରୋଜଗାର କରେ। ତାର ଗୋଟେ ଛୋଟ ସ୍ୱପ୍ନ- ପଡେ଼ାଶୀଙ୍କ ପରି ରାସ୍ତା କଡ଼ର ଚଟାଣରେ ନିଜର ଏକ ଛୋଟ ବୁକ୍‌ଷ୍ଟଲ ଖୋଲିବା ବା ତା ମାମୁଁଙ୍କ ଭଳି ମେକାନିକ୍ ହେବା। କିମ୍ବା ସେ କହେ, ମୁଁ ପ୍ରକୃତରେ ବାରିକ ହେବାକୁ ଚାହେଁ, ମୋ ଜାତିର ଅନ୍ୟମାନଙ୍କ ପରି। କିନ୍ତୁ ମୋତେ ସେ ବିଷୟରେ ଶିଖିବାକୁ ପଡ଼ିବ... ତେଣୁ ମୁଁ ଯେକୌଣସି କାମ କରି ରୋଜଗାର କରିପାରିବି  ଏବଂ କିଛି ଟଙ୍କା ମା’ଙ୍କୁ ଦେବି।’

ଏବେ ଐନୁଲଙ୍କୁ ମାରିବାକୁ ତାର ବାପା ଆସିଲେ ମହମ୍ମଦ ତାଙ୍କୁ ଅଟକାଇବାକୁ ଉଦ୍ୟମ କରୁଛି। ତେଣୁ ଜମିଲ କେବଳ ତାଙ୍କ ଉପରେ ଜୋରସୋରରେ ପାଟି କରୁଛନ୍ତି। ତେବେ ବର୍ଷ ବର୍ଷ ଧରି ମାଡ଼ଗାଳି ସହିବା, କଠିନ ପରିଶ୍ରମର ପ୍ରଭାବ ଐନୁଲଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିଛି। ସେ ଏବେ ଖୁବ୍ ନିଷ୍ପ୍ରଭ ଦେଖାଯାଉଛନ୍ତି, ତାଙ୍କର ରକ୍ତଚାପ ସମସ୍ୟା, ବାରମ୍ବାର ମୁଣ୍ଡ ବିନ୍ଧିବା ଭଳି ରୋଗ ରହିଛି।

କିଛି ସମୟରେ ଐନୁଲ ବଟୱାଲ ମୋହଲ୍ଲାକୁ ଯାଇଛନ୍ତି। ସେଠାରେ ସେ ଟିଭି ଯୋଗୁ ଆକ୍ରାନ୍ତ ହୋଇଥିବା ମା’ଙ୍କ ପାଖରେ ତାଙ୍କର ମୃତୁ୍ୟ ପର୍ଯ୍ୟନ୍ତ ରହିଛନ୍ତି। ଐନୁଲ ଦୁଃଖର ସହ କହନ୍ତି, ‘ସେ କିଛି ଟଙ୍କା ପଠାଉଥିଲେ, ସାହାଯ୍ୟ କରିବାକୁ ଚାହୁଁଥିଲେ...ମୋ ମା’’। କିଛି ବର୍ଷ ବ୍ୟବଧାନରେ ସେ ଏବେ ବି ନିଜର ସହରକୁ ଯାଉଛନ୍ତି ଏବଂ ଏବେ ଝିଆରୀର ବାହାଘର ପାଇଁ ଟ୍ରେନ୍ରେ ଆମରୋହା ଯିବାକୁ ଯୋଜନା କରୁଛନ୍ତି।

‘ମୋର ଗୋଟେ ଇଚ୍ଛା ଅଛି ଯେପରିକି ମୁଁ ମୋ ନିଜ ସହରରେ ମୋ ପାଇଁ ଘରଖଣ୍ଡେ କରିବାକୁ ସକ୍ଷମ ହେବି। ଯେପରିକି ଯେତେବେଳେ ମୁଁ ମରିବି, ମୋ ନିଜ ଜନ୍ମମାଟିରେ ମରିବି। ମୋ ହୃଦୟ ବମ୍ବେରେ ନାହିଁ... ଏହି ସହର ମୋତେ ଅଣନିଃଶ୍ୱାସୀ କରେ... ମୋ ଗାଁରେ ଯଦି ବି ଆମେ ଭୋକରେ ଥିଲୁ, ଆମେ ଚଳାଇ ନେଉଥିଲୁ। ମୋର ସ୍ମୃତି ସେଠାରେ ଅଛି,ମୋର ପିଲାଦିନ ସେଠାରେ ବିତିଛି। ମୁଁ ସେଠାରେ ସହଜରେ ହସିପାରେ।’


ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sharmila Joshi

ଲେଖକ ପରିଚୟ: ଶର୍ମିଲା ଜୋଶୀ ପରୀରେ ସମ୍ପାଦନା ମଣ୍ଡଳିର ମୁଖ୍ୟ। ଏହା ସହିତ ସେ ଜଣେ ଲେଖକ, ଗବେଷକ ଓ ଅତିଥି ଅଧ୍ୟାପକ।

Other stories by Sharmila Joshi