“ବ୍ୟାଗରେ ରଖିଥିବା କଦଳୀ ଖାଇ ମୁଁ ରହିଛି,” ସୁରେନ୍ଦ୍ର ରାମ ମୋତେ ଫୋନରେ କହିଲେ, ସେ କିପରି ଭାବେ ମାର୍ଚ୍ଚ ୨୨ ‘ଜନତା କର୍ଫ୍ୟୁ’ ଦିନ ସମୟ କାଟିଥିଲେ। ସେଦିନ, ମୁମ୍ବାଇର ଅଧିକାଂଶ ଦୋକାନ ଓ ବ୍ୟବସାୟିକ ସ୍ଥଳୀ ବନ୍ଦ ରହିଥିଲା ଏବଂ ଯେଉଁମାନେ ବାହାରେ ରହିବା କଥା ସେମାନେ ମଧ୍ୟ ଘରେ ରହିଥିଲେ, ସୁରେନ୍ଦ୍ର ପାରେଲସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲ ପାଖ ଫୁଟପାଥରେ ବସି ରହିଥିଲେ।

୩୭ ବର୍ଷୀୟ ସୁରେନ୍ଦ୍ର ମୁଖ କର୍କଟରେ ପୀଡ଼ିତ

ଦକ୍ଷିଣ ମୁମ୍ବାଇରେ ଥିବା ସରକାରୀ ସହାୟତାପ୍ରାପ୍ତ ଏବଂ ଦାତବ୍ୟ ଚିକିତ୍ସାଳୟରେ କର୍କଟ ରୋଗୀଙ୍କୁ ରିହାତି ଦରରେ ଚିକିତ୍ସା ଯୋଗାଇ ଦିଆଯାଇଥାଏ। ଗୋଟିଏ ସପ୍ତାହ ଧରି ଏହି ଫୁଟପାଥ ତାଙ୍କର ‘ଘର’ ଥିଲା କର୍ଫ୍ୟୁ ଦିନ ତାଙ୍କୁ ଏବଂ ତାଙ୍କ ଭଳି ଆହୁରି କେତେଜଣ କର୍କଟ ଆକ୍ରାନ୍ତଙ୍କୁ କେହି ଆଶ୍ରୟ ଦେଇନଥିଲେ। ସାରା ଦେଶରୁ ଅଧିକାଂଶ ଗରିବ ପରିବାରର ରୋଗୀ ଏଠାକୁ ଚିକିତ୍ସା ନିମନ୍ତେ ଆସିଥାନ୍ତି ।

“ମୋର ସ୍ଵାସ୍ଥ୍ୟ ପରୀକ୍ଷା ଶେଷ ହୋଇସାରିଛି,” କୁହନ୍ତି ସୁରେନ୍ଦ୍ର। “ଡାକ୍ତର ମୋତେ ୪ ମାସ ପରେ ଆସିବା ଲାଗି କହିଛନ୍ତି”। କିନ୍ତୁ ବିହାରର ସମସ୍ତିପୁର ଜିଲ୍ଲା ଅନ୍ତର୍ଗତ ପୋଟିଲିଆ ଗାଁରେ ଥିବା ନିଜ ଘରକୁ ଯାଇପାରୁନାହାନ୍ତି। କାରଣ କର୍ଫ୍ୟୁ ପରେ ଆରମ୍ଭ ହୋଇଥିବା ଟ୍ରେନ ଚଳାଚଳ ମାର୍ଚ୍ଚ ୨୫ ଠାରୁ ଦେଶବ୍ୟାପୀ ସମ୍ପୂର୍ଣ୍ଣ ଲକଡାଉନ ଜାରି ହେବା କାରଣରୁ ପୁଣିଥରେ ବନ୍ଦ ହୋଇଯାଇଛି। “ବର୍ତ୍ତମାନ ସେମାନେ କହୁଛନ୍ତି ୨୧ ଦିନ ପର୍ଯ୍ୟନ୍ତ ସବୁ ବନ୍ଦ ରହିବ। ଆମେ କିଛି ଖବର ପାଉନାହୁଁ। ମୋତେ ଆଖପାଖର ଲୋକଙ୍କୁ ପଚାରିବାକୁ ହେଉଛି। ସେ ପର୍ଯ୍ୟନ୍ତ ମୋତେ କ’ଣ ଫୁଟପାଥରେ ରହିବାକୁ ପଡ଼ିବ?” ସୁରେନ୍ଦ୍ର ପଚାରିଛନ୍ତି।

ମାର୍ଚ୍ଚ ୨୦ରେ ଯେଉଁଦିନ ମୁଁ ତାଙ୍କୁ ଭେଟିଲି, ସେ ତଳେ ଏକ କମଳା ରଙ୍ଗର ପ୍ଲାଷ୍ଟିକ ଚଟେଇ ଉପରେ ବସି ସୁରେନ୍ଦ୍ର ପାଟିର ଗୋଟିଏ ପାର୍ଶ୍ୱରେ କଦଳୀ ଖାଉଥିଲେ। ତାଙ୍କ ନାକ ପୁଡ଼ାରେ ଏକ ପାଇପ ଲାଗିଥିଲା। “ଖାଦ୍ୟ ମୋ ତଣ୍ଟି ଦେଇ ଭିତରକୁ ଯାଉନାହିଁ। ସେଥିପାଇଁ ପାଇପ ଦରକାର ହେଉଛି,” ସେ କୁହନ୍ତି। ଚଟେଇ ଉପରେ ଏକ କଳା ବ୍ୟାଗ ଅଛି ଯେଉଁଥିରେ ସେ ତାଙ୍କ କପଡ଼ା, ଡାକ୍ତରୀ ରିପୋର୍ଟ, ଔଷଧ ଏବଂ କଦଳୀ ରଖିଛନ୍ତି।

ଦିନ ବେଳା ରାସ୍ତାରେ କିଛି ମୂଷା ଦୌଡ଼ୁଥିଲେ। ରୋଗୀଙ୍କ ନିକଟରେ କିଛି ମୂଷା ମରି ପଡ଼ିଥିଲେ। ରାତିର ଦୃଶ୍ୟ ଆହୁରି ଦୟନୀୟ ଥିଲା, ବଡ଼ ବଡ଼ ମୂଷା ଏଣେତେଣେ ଦୌଡ଼ୁଥିଲେ।

Left: Pills, ointments, gauze and bandage that belong to the cancer patients living on the footpath near the Tata Memorial Hospital. Right: Peels of bananas eaten by Surendra Ram, an oral cancer patient. Surendra survived on the fruit during the Janata Curfew on March 22
PHOTO • Aakanksha
Left: Pills, ointments, gauze and bandage that belong to the cancer patients living on the footpath near the Tata Memorial Hospital. Right: Peels of bananas eaten by Surendra Ram, an oral cancer patient. Surendra survived on the fruit during the Janata Curfew on March 22
PHOTO • Aakanksha

ବାମ : ଟାଟା ମେମୋରିଆଲ ହସ୍ପିଟାଲ ନିକଟ ଫୁଟପାଥ ଉପରେ କର୍କଟ ରୋଗୀଙ୍କର ବଟିକା, ଅଏଣ୍ଟମେଣ୍ଟ, ଗଜ ଓ ବ୍ୟାଣ୍ଡେଜ ପଡ଼ିଛି। ଡାହାଣ : ମୁଖ କର୍କଟ ପୀଡ଼ିତ ରୋଗୀ ସୁରେନ୍ଦ୍ର ରାମ ଖାଇଥିବା କଦଳୀ ଚୋପା। ମାର୍ଚ୍ଚ ୨୨ ଜନତା କର୍ଫ୍ୟୁ ଦିନ ଫଳ ଖାଇ ସୁରେନ୍ଦ୍ର ଦିନ ବିତାଇଥିଲେ।

ଆମେ ଭେଟିବା ଦିନ ପର୍ଯ୍ୟନ୍ତ, ସୁରେନ୍ଦ୍ରଙ୍କ ନିକଟରେ ନିଜ ସୁରକ୍ଷା ପାଇଁ ମାସ୍କ ନଥିଲା। ସେ ଏକ ସବୁଜ ତଉଲିଆରେ ନିଜର ନାକ ଓ ପାଟିକୁ ଘୋଡ଼ାଇ ଥିଲେ। ପରଦିନ, କେହି ଜଣେ ତାଙ୍କୁ ମାସ୍କ ଦେଇଥିଲା। ସେ ସର୍ବସାଧାରଣ ଶୌଚାଳୟ ଏବଂ ସେଠାରେ ଥିବା ସାବୁନ ବ୍ୟବହାର କରୁଥିଲେ।

“ସେମାନେ ଲୋକମାନଙ୍କୁ ହାତ ଧୋଇବା ଏବଂ ସୁରକ୍ଷିତ ରହିବା ପାଇଁ କହୁଛନ୍ତି, କିନ୍ତୁ ଆମକୁ ସୁରକ୍ଷିତ ରଖିବା ଲାଗି ସେମାନେ କିଛି କରୁନାହାନ୍ତି କାହିଁକି?” ସେ ପଚାରନ୍ତି। “ଆମେ ମଧ୍ୟ ରୋଗୀ”।

ଗୁରୁତର କୋଭିଡ-19 ସଂକ୍ରମଣ ଆଶଙ୍କା ଥିବା ଲୋକଙ୍କର ଏକ ତାଲିକା ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏବଂ ଏହି ତାଲିକାରେ କର୍କଟ ଆକ୍ରାନ୍ତଙ୍କୁ ସାମିଲ କରାଯାଇଛି। ଯଦି ସେମାନେ ଖୋଲାରେ, ଖୁବ କମ ଖାଦ୍ୟ, ପାନୀୟ ଓ ପରିମଳରେ ରହୁଛନ୍ତି, ତେବେ ସଂକ୍ରମଣ ଆଶଙ୍କା କେବଳ କଳ୍ପନା କରାଯାଇପାରେ।

ସାମାଜିକ ସମାବେଶ କମ୍ କରିବା ଏବଂ ଲୋକମାନଙ୍କୁ ଘରେ ରହିବା ଲାଗି ସୁନିଶ୍ଚିତ କରିବା ସକାଶେ ଲକଡାଉନକୁ କାର୍ଯ୍ୟକାରୀ କରାଯାଇଛି। କିନ୍ତୁ ମୁମ୍ବାଇରେ ଭଡ଼ାଘର ନେଇ ରହିବାର ଆର୍ଥିକ କ୍ଷମତା ସୁରେନ୍ଦ୍ରଙ୍କର ନାହିଁ। “ପ୍ରତ୍ୟେକ ଥର ଏ ସହରକୁ ଆସିଲେ, ମୁଁ ହଜିଯାଏ। ମୁଁ ରହିବା ପାଇଁ ଘର କେଉଁଠୁ ପାଇବି?” ସେ ପଚାରନ୍ତି। ମୁମ୍ବାଇର ବିଭିନ୍ନ ପ୍ରାନ୍ତରେ ଥିବା ଶସ୍ତା ଧର୍ମଶାଳା ବିଷୟରେ ସେ ସମ୍ପୂର୍ଣ୍ଣ ଅଜ୍ଞ ଅଛନ୍ତି। “ମୁଁ ଏଠି କାହାକୁ ଜାଣିନାହିଁ, କାହାକୁ ମୁଁ ପଚାରିବି?” ସେ କୁହନ୍ତି।

ଏକ ବର୍ଷରୁ ଅଧିକ ସମୟ ହେବ ସୁରେନ୍ଦ୍ର ଟାଟା ହସ୍ପିଟାଲରେ ଚିକିତ୍ସା ପାଇଁ ମୁମ୍ବାଇକୁ ଆସୁଛନ୍ତି। ତାଙ୍କ ପତ୍ନୀ ଏବଂ ପାଞ୍ଚ ଓ ଦୁଇ ବର୍ଷର ଦୁଇ ପିଲା ଗାଁରେ ରହୁଛନ୍ତି। “ଗୋଟିଏ ବର୍ଷ ପୂର୍ବରୁ ମୁଁ ବାଙ୍ଗାଲୋରର ଏକ ଔଷଧାଳୟ (ଡିସ୍ପେନ୍ସରୀ)ରେ କାମ କରୁଥିଲି, କିନ୍ତୁ କର୍କଟ କାରଣରୁ ମୋତେ ଚାକିରି ଛାଡ଼ିବାକୁ ପଡ଼ିଲା”, ସେ କୁହନ୍ତି। ସେ ମାସକୁ ୧୦,୦୦୦ ଟଙ୍କା ରୋଜଗାର କରୁଥିଲେ, କିଛି ନିଜ ପାଇଁ ଖର୍ଚ୍ଚ କରୁଥିଲେ ବାକି ଟଙ୍କା ସେ ଗାଁକୁ ପରିବାର ପାଇଁ ପଠାଇ ଦେଉଥିଲେ। ବର୍ତ୍ତମାନ ତାଙ୍କର କିଛି ଆୟ ନାହିଁ, ସେ ସମ୍ପର୍କୀୟଙ୍କ ଉପରେ ନିର୍ଭର କରୁଛନ୍ତି। “ମୋ ପାଖରେ କିଛି ଟଙ୍କା ନାହିଁ, ମୋ ଶଳା ମୋତେ କିଛି ଟଙ୍କା ଦେଲେ ମୁଁ ମୁମ୍ବାଇକୁ ଚିକିତ୍ସା ପାଇଁ ଆସିଥାଏ”।

The footpath near the hospital has been home to Surendra. His check-up done, he can longer go back home to Potilia village in Bihar as trains were suspended for the 21-day nationwide lockdown from March 25. And he cannot afford to rent a room in Mumbai
PHOTO • Aakanksha

ଡାକ୍ତରଖାନା ନିକଟବର୍ତ୍ତୀ ଫୁଟପାଥ ସୁରେନ୍ଦ୍ରଙ୍କ ଘର ପାଲଟିଛି। ତାଙ୍କର ସ୍ଵାସ୍ଥ୍ୟ ପରୀକ୍ଷା ଶେଷ ହୋଇସାରିଛି, ମାର୍ଚ୍ଚ ୨୫ଠାରୁ ଦେଶବ୍ୟାପୀ ଲକଡାଉନ ହେବା କାରଣରୁ ଟ୍ରେନ ସେବା ବନ୍ଦ ହୋଇଯିବା ଫଳରେ ସେ ବିହାର ପୋଟିଲିଆରେ ଥିବା ଗାଁକୁ ଏବେ ସେ ଫେରିପାରିବେ ନାହିଁ। ହେଲେ ମୁମ୍ବାଇରେ ସେ ଭଡ଼ା ନେଇ ରହିପାରିବେ ନାହିଁ।

ହସ୍ପିଟାଲରେ ତାଙ୍କ ଚିକିତ୍ସା ପାଇଁ ସୁରେନ୍ଦ୍ରଙ୍କୁ ‘କୌଣସି ଦେୟ’ ଦେବାକୁ ପଡ଼ୁନାହିଁ। “ମୋର କେମୋ ଏବଂ ଅନ୍ୟ ଚିକିତ୍ସା ଖର୍ଚ୍ଚ କମ୍ କରି ଦିଆଯାଇଛି ଏବଂ ଅବଶିଷ୍ଟ ଅର୍ଥ ହସ୍ପିଟାଲ ବହନ କରୁଛି। କିନ୍ତୁ ସବୁଦିନ ମୁମ୍ବାଇରେ ରହିବା କଷ୍ଟ କ’ଣ,” ସୁରେନ୍ଦ୍ର କୁହନ୍ତି।

ସକାଳେ ହସ୍ପିଟାଲ ବାହାରେ ଥିବା ରୋଗୀଙ୍କୁ କଦଳୀ ଓ ରୁଟି ଖାଇବାକୁ ମିଳିଥାଏ। ସନ୍ଧ୍ୟାରେ କିଛି ମସଲା ସହ ସେମାନଙ୍କୁ ଭାତ ଖାଇବାକୁ ମିଳିଥାଏ। ଗତକାଲି (ମାର୍ଚ୍ଚ ୨୯), ପ୍ରଥମ ଥର ପାଇଁ ସକାଳୁ ତାଙ୍କୁ କ୍ଷୀର ପିଇବାକୁ ମିଳିଥିଲା, ଯାହାକୁ ସ୍ୱେଚ୍ଛାସେବୀମାନେ ବାଣ୍ଟିଥିଲେ।

ନିୟମିତ ପାଣି ପିଇବା ଲାଗି ସୁରେନ୍ଦ୍ରଙ୍କୁ ଡାକ୍ତର ପରାମର୍ଶ ଦେଇଛନ୍ତି। “କିଛି ଲୋକ ଆମକୁ ଖାଇବାକୁ ଦେଉଛନ୍ତି କିନ୍ତୁ ସେମାନେ ପାଣି ଦେଉନାହାନ୍ତି; କର୍ଫ୍ୟୁ (ଲକଡାଉନ) ସମୟରେ ଏହାକୁ ପାଇବା କଷ୍ଟକର,” ସେ କୁହନ୍ତି।

ସୁରେନ୍ଦ୍ର ବସିଥିବା ସ୍ଥାନଠାରୁ କିଛି ଦୂରରେ ଥିଲେ ସଞ୍ଜୟ କୁମାରଙ୍କ ସଂଘର୍ଷରତ ପରିବାର। ମାର୍ଚ୍ଚ ୨୦ ତାରିଖ ଦିନ ମୁଁ ଯେତେବେଳେ ସେମାନଙ୍କୁ ଭେଟିଲି, ସଞ୍ଜୟ ଏକ ଚଟିଆ ପାରି ଫୁଟପାଥରେ ଶୋଇଥିଲେ, ଏକ ସିମେଣ୍ଟ ବନ୍ଧ ଉପରେ ସେ ମୁଣ୍ଡ ରଖିଥିଲେ। ଏହି ୧୯ ବର୍ଷୀୟ ଯୁବକ (ଉପରେ ଥିବା କଭର ଫଟୋରେ) ଅସ୍ଥି କର୍କଟରେ ପୀଡ଼ିତ ଏବଂ ତାଙ୍କର ଡାହାଣ ଗୋଡ଼ ସେ ହଲାଇ ପାରୁନାହାନ୍ତି। ଗୋଟିଏ ମାସରୁ ଅଧିକ ସମୟ ହେବ ତାଙ୍କର ବଡ଼ ଭାଇ ବିଜୟ ଓ ଭାଉଜ ପ୍ରେମଲତା ତାଙ୍କ ସହିତ ଫୁଟପାଥରେ ପଡ଼ି ରହିଛନ୍ତି।

For two days, Satender (left) and Geeta Singh (right) from Solapur, lived on the footpath, where rats scurry around. Geeta has liver cancer, and her check-up on April 1 has been postponed
PHOTO • Aakanksha

ଦୁଇ ଦିନ ଧରି, ସୋଲାପୁରର ସତ୍ୟେନ୍ଦ୍ର (ବାମ) ଏବଂ ଗୀତା ସିଂ (ଡାହାଣ; ଯକୃତ କର୍କଟରେ ପୀଡ଼ିତ),  ଫୁଟପାଥରେ ରହୁଛନ୍ତି, ଯେଉଁଠି ଏଣେତେଣେ ମୂଷା ଦୌଡ଼ୁଛନ୍ତି।

କିଛିଦିନ ପରେ ସଞ୍ଜୟ ମୋତେ ଫୋନରେ କହିଲେ,“ଏହି କର୍ଫ୍ୟୁ (ଲକଡାଉନ) ଆମ ଅବସ୍ଥା ଦୟନୀୟ କରିଛି, ଖାଦ୍ୟ ପାଇବା କଷ୍ଟକର ହୋଇପଡ଼ିଛି। କେହି ସାହାଯ୍ୟ କରିବାକୁ ନଥିଲେ ଆମେ ବ୍ରେଡ ଓ ବିସ୍କୁଟ ଖାଇଥାଉ”।

ସଞ୍ଜୟ ଉଠି ପାରିବେ ନାହିଁ କିମ୍ବା ଚାଲିପାରିବେ ନାହିଁ, ଏପରିକି ହସ୍ପିଟାଲ ନିକଟରେ ଥିବା ସାର୍ବଜନିନ ଶୌଚାଳୟକୁ ଯିବା ମଧ୍ୟ ତାଙ୍କ ପାଇଁ କଷ୍ଟକର। “ମୁଁ ଏଠି ସବୁଦିନ ପଡ଼ିରହୁଛି, ମୋ ଶରୀରକୁ ଘୁଞ୍ଚାଇ ମଧ୍ୟ ପାରୁନାହିଁ। ମୁଁ ହସ୍ପିଟାଲ ଠାରୁ ଦୂରରେ ରହିପାରିବି ନାହିଁ,” ସେ କୁହନ୍ତି। ଯଦି ସେ ଚାଲନ୍ତି ତାଙ୍କ ଗୋଡ଼ରୁ ରକ୍ତ ବାହାରିବ। ତିନି ଦିନ ପୂର୍ବରୁ ଡାକ୍ତର ତାଙ୍କ ଗୋଡ଼ରେ ପ୍ଲାଷ୍ଟର ଗୁଡ଼ାଇ ଦେଇଛନ୍ତି।

ପ୍ରଥମ ଥର ପାଇଁ ଏହି ପରିବାର ମୁମ୍ବାଇ ଆସିଛନ୍ତି। “ମୁଁ ଶୁଣିଥିଲି ଯେ ମୁମ୍ବାଇରେ ଭଲ ସୁବିଧା ଅଛି। କିନ୍ତୁ ଫୁଟପାଥରେ ରହିବା ଏବଂ ଗୋଟିଏ ସମ୍ପୂର୍ଣ୍ଣ ମିଲ ପାଇବା ପାଇଁ ଅପେକ୍ଷା କରିବା ଏସବୁ ସୁବିଧା ଆମେ ଏଠି ପାଉଛୁ”, ବିଜୟ କୁହନ୍ତି। ସେମାନେ ମଧ୍ୟ କୌଣସି ଶସ୍ତା ଆବାସ ସୁବିଧା ପାଇବାକୁ ଅସମର୍ଥ, କାରଣ ସେମାନେ କୌଣସି ଧର୍ମଶାଳା ବିଷୟରେ ଜାଣନ୍ତି ନାହିଁ।

“ପ୍ରତିଦିନ, କିଛି ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଆମକୁ ଡାକ୍ତରଙ୍କୁ ଅପେକ୍ଷା କରିବାକୁ ହୋଇଥାଏ,” ବିଜୟ କୁହନ୍ତି। “ଆମେ ଘରକୁ ଯାଇପାରିବୁ ନାହିଁ।” ସେମାନଙ୍କ ଘର ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲା ଅନ୍ତର୍ଗତ ବୈହାର ବ୍ଲକରେ ।

ଦୁଇ ପୁଅ ଓ ବୋହୂ ନିରାପଦ ଭାବେ ଫେରିବା ଲାଗି ଗାଁରେ ସେମାନଙ୍କ ବାପା ମା’ ଅପେକ୍ଷା କରି ରହିଛନ୍ତି । ବିଜୟ ପରିବାରର ଏକମାତ୍ର ରୋଜଗାରିଆ ପୁଅ। ସେ ନିର୍ମାଣସ୍ଥଳୀରେ କାମ କରିଥାନ୍ତି ଏବଂ ମାସିକ ୭,୦୦୦ ରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି।  ସଞ୍ଜୟଙ୍କୁ ନେଇ ମୁମ୍ବାଇ ଆସିବା ପରେ ତାଙ୍କର ରୋଜଗାର ଠପ୍ ହୋଇଯାଇଛି। ଯାହା ଅଳ୍ପ କିଛି ସଞ୍ଚୟ ଅଛି ସେଥିରେ ତାଙ୍କ ପରିବାର ଚଳୁଛି।

“ଆମେ ଦୋକାନ ଓ ହୋଟେଲରୁ କିଛି ଖାଦ୍ୟ କିଣୁଛୁ, କିଛି ପୁରୀ ଓ ଭାଜି ପାଇଯାଉଛୁ, କିନ୍ତୁ କେତେ ଦିନ ପର୍ଯ୍ୟନ୍ତ ଏହାକୁ ଖାଇବୁ? ଡାଲି-ଭାତ ଏଠି ମହଙ୍ଗା। ଶୌଚାଳୟ ବ୍ୟବହାର କରିବାକୁ ଆମକୁ ଟଙ୍କା ଦେବାକୁ ହେଉଛି, ଫୋନ ଚାର୍ଜ କରିବାକୁ ବି ଟଙ୍କା ଦେବାକୁ ପଡ଼ୁଛି, ମୁମ୍ବାଇରେ ସବୁକିଛି ପାଇଁ ଟଙ୍କା ଦେବାକୁ ପଡ଼ୁଛି। ମୁଁ ଜଣେ ଶ୍ରମିକ,” କୁହନ୍ତି ବିଜୟ। ପ୍ରତିଦିନ ବିଜୟଙ୍କୁ ଏସବୁ ଜରୁରି କାମ ପାଇଁ ୧୦୦ରୁ ୨୦୦ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି ଏବଂ ଔଷଧ ଦରକାର ହେଲେ ଆହୁରି ଅଧିକ।

ହସ୍ପିଟାଲ ବାହାରେ ରାସ୍ତା କଡ଼ରେ ପଡ଼ିଥିବା ରୋଗୀ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ନିୟମିତ ଭାବେ ସହାୟତା କରିଥାନ୍ତି, ଏବଂ ସେମାନଙ୍କୁ ରୁଟି, କଦଳୀ ଓ କ୍ଷୀର ଦେଇଥାନ୍ତି। କିନ୍ତୁ ଲକଡାଉନ କାରଣରୁ ଏହା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି। “ଆମେ କେବଳ ରାତିରେ ଖାଦ୍ୟ ପାଉଛୁ”, ବୋଲି ଜନତା କର୍ଫ୍ୟୁ ଦିନ ବିଷୟରେ ବିଜୟ କୁହନ୍ତି । ପୂର୍ବଦିନରୁ ବଳି ପଡ଼ିଥିବା କିଛି ପାଉଁରୁଟି ଏବଂ କିଛି  ତରକାରୀ ଖାଇ ସେମାନେ ଚଳେଇ ନେଇଥିଲେ।

ଲକଡାଉନ ଦିନ, ବାହାରେ ଖାଦ୍ୟ ବଣ୍ଟା ହେଉଥିବା ସମୟରେ, କିଛି ରୋଗୀଙ୍କୁ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ଭିତରକୁ ଯିବାକୁ ପଡ଼ିଥିଲା, ତେଣୁ ସେମାନେ ଖାଦ୍ୟରୁ ବଞ୍ଚିତ ହୋଇଥିଲେ। ସୋମବାର ଦିନ କରୁଣା ଦେବୀ ଏପରି ସମସ୍ୟାର ସମ୍ମୁଖୀନ ହୋଇଥିଲେ। କରୁଣା ଦେବୀ ସ୍ତନ କର୍କଟ ପୀଡ଼ିତା। ହସ୍ପିଟାଲ ଠାରୁ ଦୁଇ କିମି ଦୂର, ଦାଦର ଷ୍ଟେସନ ନିକଟରେ ଥିବା ଧର୍ମଶାଳାରେ ରହିବାକୁ ସ୍ଥାନ ପାଇବା ଲାଗି ସେ କିଛି ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିଆସୁଛନ୍ତି। କେତେକ ଧର୍ମଶାଳାରେ ରହିବା ପାଇଁ ଦିନକୁ ୫୦ରୁ ୨୦୦ଟଙ୍କା ପର୍ଯ୍ୟନ୍ତ ଭଡ଼ା ଦେବାକୁ ହୋଇଥାଏ, ଯାହାକୁ ଅଧିକାଂଶ ରୋଗୀ ବହନ କରିବାକୁ ଅସମର୍ଥ।

Left: Ajay , a Class 4 student from Jharkhand, arrived in Mumbai with his parents over two weeks ago. Ajay suffers from blood cancer. His father runs around for his reports and medicines while his mother takes care of him on the footpath. Right: People from poor families across India come to the  Tata Memorial Hospital because it provides subsidised treatment to cancer patients
PHOTO • Aakanksha
Left: Ajay , a Class 4 student from Jharkhand, arrived in Mumbai with his parents over two weeks ago. Ajay suffers from blood cancer. His father runs around for his reports and medicines while his mother takes care of him on the footpath. Right: People from poor families across India come to the  Tata Memorial Hospital because it provides subsidised treatment to cancer patients
PHOTO • Aakanksha

ବାମ : ଅଜୟ ନାମକ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ରକ୍ତ କର୍କଟରେ ପୀଡ଼ିତ; ସେ ଦୁଇ ସପ୍ତାହ ପୂର୍ବରୁ ନିଜ ଅଭିଭାବକମାନଙ୍କ ସହିତ ଝାଡ଼ଖଣ୍ଡରୁ ମୁମ୍ବାଇ ଆସିଥିଲେ। ତାଙ୍କ ବାପା ଔଷଧ ଓ ରିପୋର୍ଟ ପାଇଁ ଘୂରି ବୁଲୁଥିବା ବେଳେ ମା’ ଫୁଟପାଥରେ ରହି ତାଙ୍କର ଦେଖାଶୁଣା କରୁଛନ୍ତି। ଡାହାଣ : ଶସ୍ତାରେ ଚିକିତ୍ସା ପାଇଁ ସାରା ଦେଶରୁ ଲୋକମାନେ ଏହି ହସ୍ପିଟାଲକୁ ଆସିଥାନ୍ତି।

ମାର୍ଚ୍ଚ ୨୦ ତାରିଖରେ, ଫୁଟପାଥରେ ବସିଥିବା ଅନ୍ୟମାନଙ୍କ ସହିତ ଗୀତା ସିଂ ତାଙ୍କର ସ୍ଵାମୀ ସତେନ୍ଦର ମଧ୍ୟ ଥିଲେ। ସେମାନଙ୍କ ନିକଟରେ ଦୁଇଟି ପଥର ସନ୍ଧିରେ ଏକ ମଲା ମୂଷା ଚାପି ହୋଇ ରହିଛନ୍ତି। ଛଅ ମାସ ପୂର୍ବେ ଗୀତାଙ୍କର ଯକୃତ କର୍କଟ ବାହାରିଥିଲା ଏବଂ ସେ ଚିକିତ୍ସା ପାଇଁ ଚାରି ମାସ ହେବ ମୁମ୍ବାଇରେ ଆସି ଅଛନ୍ତି। ସେମାନେ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରୁ ମୁମ୍ବାଇ ଆସିଛନ୍ତି।

ଗୋଟିଏ ସପ୍ତାହ ପୂର୍ବରୁ, ସେମାନେ ଉତ୍ତର ମୁମ୍ବାଇର ଗୋରେଗାଓଁଠାରେ ସତେନ୍ଦରଙ୍କ ସମ୍ପର୍କୀୟଙ୍କ ନିକଟରେ ରହୁଥିଲେ, କିନ୍ତୁ କୋଭିଡ-19 ସଂକ୍ରମଣ ବ୍ୟାପିବା କାରଣରୁ ସେମାନଙ୍କୁ ସେଠାରୁ ଛାଡ଼ିବାକୁ ପଡ଼ିଲା। “ସେ କହିଲେ ଯେ ଆମେ ପ୍ରତିଦିନ ହସ୍ପିଟାଲକୁ ଆସୁଛୁ, ତେଣୁ ତାଙ୍କର ପୁଅ ସଂକ୍ରମିତ ହୋଇଯିବାର ଆଶଙ୍କା ରହିଛି ବୋଲି ସେ ଭୟଭୀତ ହୋଇପଡ଼ିଲେ। ତେଣୁ ଆମକୁ ସେଠାରୁ ଛାଡ଼ିବାକୁ ପଡ଼ିଲା। ଦୁଇ ଦିନ ହେବ ଆମକୁ ଷ୍ଟେସନ ଏବଂ ଫୁଟପାଥରେ ରହିବାକୁ ପଡ଼ୁଛି,” ଗୀତା କୁହନ୍ତି।

ବହୁ କାକୁତିମିନତି ହେବା ପରେ, ହସ୍ପିଟାଲ ଠାରୁ ୫୦ କିମି ଦୂର ଥାନେ ଜିଲ୍ଲାରେ ଥିବା ଡୋମ୍ବିଭଲିରେ ଜଣେ ଦୂର ସମ୍ପର୍କୀୟଙ୍କ ସହିତ ଯୋଗାଯୋଗ କରିବାରେ ସତେନ୍ଦ୍ର ସକ୍ଷମ ହେଲେ। ସେ ଓ ଗୀତା ସେଠାକୁ ଚାଲିଗଲେ ଏବଂ ସେଠାରେ ରହିବା ଓ ଖାଇବା ପାଇଁ ସେମାନଙ୍କୁ ଟଙ୍କା ଦେବାକୁ ପଡ଼ୁଛି।

ଏପ୍ରିଲ ୧ ତାରିଖରେ ଗୀତା ତାଙ୍କର ପରବର୍ତ୍ତୀ ସ୍ଵାସ୍ଥ୍ୟ ପରୀକ୍ଷା କରିବେ, ଏହାପରେ କେମୋଥେରାପି ଏବଂ ମାସ ଆରମ୍ଭରେ ତାଙ୍କର ଅସ୍ତ୍ରୋପଚାର କରାଯିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଡାକ୍ତର ତାଙ୍କୁ କହିଲେ ଯେ ଏପ୍ରିଲ ୧ ତାରିଖରେ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଧାର୍ଯ୍ୟ ହୋଇଥିବା ଦିନ ବାତିଲ ହୋଇଯାଇଛି। ତାଙ୍କୁ ପୂର୍ବ ପରି ପରାମର୍ଶ ଅନୁଯାୟୀ ଔଷଧ ଏବଂ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। “ଆମେ ଘରକୁ ଆମ ପିଲାମାନଙ୍କ ପାଖକୁ ମଧ୍ୟ ଯାଇପାରିବୁ ନାହିଁ। ଏବଂ ଏଠି ଆମେ ହସ୍ପିଟାଲକୁ ମଧ୍ୟ ଯାଇପାରିବୁ ନାହିଁ। ଆମ ପାଖରେ କିଛି ନାହିଁ। ଆମେ ଏଠି ଫସିଯାଇଛୁ,” କୁହନ୍ତି ସତେନ୍ଦ୍ର। ସେ ଗୀତାଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତିତ। “ସେ ଲଗାତାର ବାନ୍ତି କରିଚାଲିଛନ୍ତି”।

ସେମାନଙ୍କର ଦୁଇ ପିଲା ଅଛନ୍ତି, ଜଣଙ୍କୁ  ୧୨ ଏବଂ ଅନ୍ୟ ଜଣଙ୍କୁ ୧୬ ବର୍ଷ। ସେମାନେ ସୋଲାପୁରରେ ସତେନ୍ଦରଙ୍କ ବଡ଼ ଭାଇଙ୍କ ନିକଟରେ ରହୁଛନ୍ତି। “ଆମେ ଶୀଘ୍ର ଫେରିଆସିବୁ ବୋଲି ସେମାନଙ୍କୁ କଥା ଦେଇଥିଲୁ, କିନ୍ତୁ ଆମେ ଜାଣିନାହୁଁ ଆମେ କେବେ ସେମାନଙ୍କ ମୁହଁ ଦେଖିବୁ”, କୁହନ୍ତି ଗୀତା। ୫ ମାସ ପୂର୍ବରୁ ସତେନ୍ଦର ଏକ ବିଦ୍ୟୁତଚାଳିତ ଚରଖା କାରଖାନାରେ କାମ କରୁଥିଲେ। ସେଠାରୁ ମାସିକ ୭,୦୦୦ ଟଙ୍କା ଦରମା ପାଉଥିଲେ। ଟାଟା ମେମୋରିଆଲ ହସ୍ପିଟାଲ ଟ୍ରଷ୍ଟ ପକ୍ଷରୁ ତାଙ୍କ ଚିକିତ୍ସାର ଅଧା ଖର୍ଚ୍ଚ ବହନ କରାଯାଉଛି, ଅବଶିଷ୍ଟ ଅର୍ଥ ସେ ନିଜ ଜମାପୁଞ୍ଜିରୁ ଖର୍ଚ୍ଚ କରୁଛନ୍ତି।

Left: Jamil Khan, who has oral cancer, moved to a distant relative's home in Nalasopara with his mother and siblings after the lockdown came into effect. They had lived on the street for seven months prior to that. Right: Cancer patients live out in the open opposite the hospital. With little food, water and sanitation, they are at a greater risk of contracting Covid-19
PHOTO • Aakanksha
Left: Jamil Khan, who has oral cancer, moved to a distant relative's home in Nalasopara with his mother and siblings after the lockdown came into effect. They had lived on the street for seven months prior to that. Right: Cancer patients live out in the open opposite the hospital. With little food, water and sanitation, they are at a greater risk of contracting Covid-19
PHOTO • Aakanksha

ବାମ : ମୁଖ କର୍କଟରେ ପୀଡ଼ିତ ଜମିଲ ଖାନ, ଲକଡାଉନ ଲାଗୁ ହେବା ପରେ ନାଲାସୋପାରାରେ ଥିବା ନିଜ ଦୂର ସମ୍ପର୍କୀୟଙ୍କ ଘରକୁ ପରିବାର ସହିତ ଚାଲିଯାଇଛନ୍ତି। ସେପର୍ଯ୍ୟନ୍ତ ସେମାନେ ୭ ମାସ ଧରି ରାସ୍ତା କଡ଼ରେ ରହୁଥିଲେ। ଡାହାଣ : ହସ୍ପିଟାଲର ବିପରୀତ ଦିଗରେ କର୍କଟ ରୋଗୀମାନେ ଖୋଲାରେ ରହୁଛନ୍ତି, ଏଠାରେ କୋଭିଡ-19 ସଂକ୍ରମଣର ଆଶଙ୍କା ଅଧିକ ରହୁଛି।

ମୁଖ କର୍କଟରେ ପୀଡ଼ିତ ଜମିଲ ଖାନ ମଧ୍ୟ ସମାନ ଶଙ୍କା ମଧ୍ୟ ଦେଇ ଗତି କରୁଛନ୍ତି। ମା’ କମରଜାହା, ଭାଇ ଶକିଲ ଏବଂ ଭଉଣୀ ନସ୍ରିନଙ୍କ ସହିତ ତାଙ୍କୁ ୭ ମାସ ଧରି ହସ୍ପିଟାଲ ସାମ୍ନା ଫୁଟପାଥରେ ରହିବାକୁ ପଡ଼ିଥିଲା। ସେମାନେ ଉତ୍ତରପ୍ରଦେଶର ବଳରାମପୁର ଜିଲ୍ଲା ଅନ୍ତର୍ଗତ ଗୋଣ୍ଡାୱା ଗ୍ରାମରୁ ଏଠାକୁ ଆସିଛନ୍ତି ।  ପରିବାରର ଅଧିକାଂଶ ଲୋକ କୃଷି ଶ୍ରମିକ ଭାବେ କାମ କରିଥାନ୍ତି, କାମ ମିଳିଲେ ଦିନକୁ ୨୦୦ ଟଙ୍କା ରୋଜଗାର ହୋଇଥାଏ କିମ୍ବା ଫସଲ ଋତୁ ନଥିଲେ ସେମାନଙ୍କୁ କାମ ସନ୍ଧାନରେ ବଡ଼ ସହରକୁ ଯିବାକୁ ପଡ଼ିଥାଏ।

ଲକଡାଉନ ପରେ, ସେମାନେ ହସ୍ପିଟାଲ ଠାରୁ ୬୦ କିମି ଦୂର ନାଲାସୋପାରାକୁ ଚାଲିଯାଇଛନ୍ତି, ଜଣେ ଦୂର ସମ୍ପର୍କୀୟଙ୍କ ଘରକୁ। “ସେମାନେ ଆମକୁ କିଛି ଦିନ ପାଇଁ ରହିବାକୁ କହିଥିଲେ, କିନ୍ତୁ ଏହା ଏତେ ଦିନ ଚାଲିବ ବୋଲି ଆମେ ଜାଣିନଥିଲୁ…”

ନାଲାସୋପାରାରେ ରହୁଥିବା ଜମିଲଙ୍କ ଦୂର ସମ୍ପର୍କୀୟଙ୍କ ପାଇଁ ଅଧିକ ୪ ଜଣ ପରିବାର ସଦସ୍ୟଙ୍କୁ ଚଳାଇବା କଷ୍ଟକର ହୋଇପଡ଼ୁଛି। “ପୂର୍ବରୁ ସେମାନେ ୫ ଜଣ ଥିଲେ ଏବେ ଆମେ ଆସିଅଛୁ। ଏତେ ଖାଦ୍ୟ ମହଜୁଦ କରି ରଖିବା କଷ୍ଟକର। ସପ୍ତାହକୁ ଆମକୁ ୫୦୦ ଟଙ୍କାର ଔଷଧ ଖାଇବାକୁ ପଡ଼ୁଛି। ଆମ ପାଖରେ ଏବେ ଟଙ୍କା ନାହିଁ,” ବୋଲି କୁହନ୍ତି ନସ୍ରିନ। ଶନିବାର ପର୍ଯ୍ୟନ୍ତ ସେମାନଙ୍କ ପାଖରେ କିଛି ଔଷଧ ଥିଲା, ଏବଂ ଏହାପରେ ସେମାନେ କିପରି ଚଳିବେ ସେ ନେଇ ସନ୍ଦେହରେ ଅଛନ୍ତି। ଜମିଲଙ୍କ ମୁହଁର ବାଁ ପଟେ ଥିବା ଘା’କୁ ନିୟମିତ ସଫା କରି ବ୍ୟାଣ୍ଡେଜ କରିବା ଜରୁରି।

ଜମିଲ ଅନୁଭବ କରନ୍ତି ଯେ ଫୁଟପାଥରେ ରହିବା ଭଲ, “ଅତିକମରେ ତ’ ହସ୍ପିଟାଲ ପାଖରେ ଅଛି। ଯଦି ଏଥିରୁ ରକ୍ତ ବାହାରେ କିମ୍ବା ଯନ୍ତ୍ରଣା ହୁଏ (ମୁହଁର ଡାହାଣ ପାଖରେ ଥିବା ଘା), ମୁଁ ହସ୍ପିଟାଲକୁ ତ’ ଯାଇପାରିବି।”

“ଏଠାରେ (ନାଲାସୋପାରାରେ) ଯଦି ମୋ ଭାଇଙ୍କୁ କିଛି ହୋଇଯାଏ, ସେଥିପାଇଁ କିଏ ଦାୟୀ ହେବ?” ନସ୍ରିନ ପଚାରନ୍ତି। “ତାଙ୍କର ଯଦି କିଛି ହୋଇଯାଏ ଏଥିରେ କାହାର କିଛି ହୋଇଯିବ କି?”

ଟାଟା ମେମୋରିଆଲ ହସ୍ପିଟାଲର ଜନସମ୍ପର୍କ ଟିମରେ ଥିବା ନୀଲେଶ ଗୋଏଙ୍କା ମୋତେ ଫୋନ ଯୋଗେ କହିଲେ ଯେ : “ଯଦି ସେମାନଙ୍କର ଜରୁରି ଚିକିତ୍ସା ନାହିଁ, ଆମେ ରୋଗୀଙ୍କୁ ତୁରନ୍ତ ସେମାନଙ୍କ ଘରକୁ ପଠାଇବା ଲାଗି ଚେଷ୍ଟା କରୁଛୁ। ଆମେ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରୁଛୁ”।

ଚଳିତ ବର୍ଷ ଜାନୁଆରୀରେ, ହସ୍ପିଟାଲ ଠାରୁ ଅନତି ଦୂରରେ ଥିବା ହିନ୍ଦମାତା ଫ୍ଲାଏ ଓଭର ତଳେ ରହୁଥିବା କର୍କଟ ରୋଗୀଙ୍କ ବିଷୟରେ ମୁମ୍ବାଇ ମିରରରେ ଖବର ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ, ଅଧିକାଂଶ ରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କୁ ଧର୍ମଶାଳାକୁ ସ୍ଥାନାନ୍ତରିତ କରାଯାଇଥିଲା। ଫ୍ଲାଏଓଭର ତଳେ ଶୌଚାଳୟ ସହିତ ଅସ୍ଥାୟୀ ଆଶ୍ରୟ ଶିବିର ନିର୍ମାଣ କରିବା ଲାଗି ମହାନଗର ନିଗମ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହାପରେ, ରାସ୍ତାକଡ଼ରେ ଥିବା ଲୋକମାନେ, ଯେଉଁମାନଙ୍କ ସହ ମୁଁ କଥା ହେଲି, ଏହା ବିଷୟରେ କିଛି ଶୁଣିବାକୁ ପାଇନାହାନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Aakanksha

Aakanksha is a reporter and photographer with the People’s Archive of Rural India. A Content Editor with the Education Team, she trains students in rural areas to document things around them.

Other stories by Aakanksha
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE