କିଛି ମାସ ପୂର୍ବେ ଭର୍ସୋବା ଜେଟିରେ ଦିନେ ସକାଳେ, ମୁଁ ରାମ୍‌ଜିଭାଇଙ୍କୁ ପଚାରିଲି, ସେହି ଉପନଦୀର ଧାରରେ କିଏ ବସିଥିଲା, ସେ ସେଠାରେ କଣ କରୁ୍‌ଥିଲା। “ଟାଇମ୍‌ପାସ୍‌” ବୋଲି ସେ ଉତ୍ତର ଦେଲେ । “ମୁଁ ଏହାକୁ ଘରକୁ ନେବି ଓ ଖାଇବି ।’’ ସେ ସେହି ସମୟରେ ଧରିଥିବା ଏକ ଛୋଟ  ତେଙ୍ଗଡା  ( ଏକ ପ୍ରକାରର କ୍ୟାଟ୍‌ଫିସ୍‌) ଉଦ୍ଦେଶ୍ୟରେ କହିଲେ । ଗତକାଲି ରାତିରେ ସେହି ଉପନଦୀରେ ଜାଲ ବିଛେଇଥିବା ଅନ୍ୟ ମତ୍ସଜୀବୀମାନେ ମଧ୍ୟ ସେମାନଙ୍କ ଜାଲ ପରିଷ୍କାର କରୁଥିବା ମୁଁ ଦେଖିବାକୁ ପାଇଲି ।

“ଖାଡିରେ ମାଛ ଧରିବା ଆଜିକାଲି ପ୍ରାୟତଃ ସମ୍ଭବ ହେଉନାହିଁ,” ବୋଲି ସାରା ଜୀବନ, ପ୍ରାୟ ୭୦ରୁ ଅଧିକ ବର୍ଷ, ଉତ୍ତର ମୁମ୍ବାଇର କେ-ପଶ୍ଚିମ ୱାର୍ଡର ଏହି ମତ୍ସ୍ୟଜୀବୀ ଗ୍ରାମ ଭର୍ସୋବା କୋଲିୱାଡାରେ ବିତେଇଥିବା ଭଗବାନ ନାମଦେବ ଭାଞ୍ଜି କୁହନ୍ତି । “ଆମେ ଯେତେବେଳେ ଯୁବକ ଥିଲୁ, ସେତେବେଳେ ଏହି ଉପକୂଳ ମରିସସ୍‌ରେ ଥିବା ଏକ ଉପକୂଳ ପରି ମନେ ହେଉଥିଲା । ତୁମେ ଯଦି ପାଣିରେ ଏକ ମୁଦ୍ରା ପକେଇବ, ତେବେ ତୁମେ ତାହା ଦେଖିବା ସମ୍ଭବ ହେଉଥିଲା… ସେତେବେଳେ ପାଣି ଏପରି ସ୍ୱଚ୍ଛ ଥିଲା ।

ବେଳେବେଳେ ଯେଉଁ ମାଛଗୁଡିକ ଭଗବାନଙ୍କ ପଡୋଶୀରେ ଥିବା ଜାଲରେ ପଡ଼ୁଛନ୍ତି –ବର୍ତ୍ତମାନ ଗଭୀର ସମୁଦ୍ରରେ ଜାଲ ପକାଯାଉଛି-ସେଗୁଡିକ ମଧ୍ୟ ପ୍ରାୟତଃ ଛୋଟ ଆକାର ବିଶିଷ୍ଟ ହୋଇଥାଏ।‘‘ପୂର୍ବେ ଆମକୁ ବଡ଼ ବଡ଼ ପୋମଫ୍ରେଟ୍ ମିଳୁଥିଲା କିନ୍ତୁ ବର୍ତ୍ତମାନ କେବଳ ଛୋଟ ଆକାରର ମିଳୁଛି । ଏହା ଆମର ବ୍ୟବସାୟକୁ ବହୁଳ ଭାବେ ପ୍ରଭାବିତ କରୁଛି’’, ବୋଲି ୪୮ ବର୍ଷ-ବୟସ୍କ ପ୍ରିୟ ଭାଞ୍ଜି, ଭଗବାନଙ୍କ ଜ୍ୱାଇଁ ଯିଏ ଗତ ୨୫ବର୍ଷ ଧରି ମାଛ ବିକ୍ରି କରିଆସୁଛନ୍ତି, କୁହନ୍ତି ।

ଏଠାରେ ରହୁଥିବା ପ୍ରାୟ ସମସ୍ତଙ୍କ – କୋଲିୱାଡାରେ ରହୁଥିବା ୧,୦୭୨ ପରିବାର ବା ୪,୯୪୩ ଲୋକ ମାଛ ଧରିବା କାମରେ ନିୟୋଜିତ ଅଛନ୍ତି (୨୦୧୦ ସମୁଦ୍ରୀ ମତ୍ସ୍ୟ ଜନଗଣନା)- ପାଖରେ କ୍ରମଶଃ ଅନ୍ତର୍ଦ୍ଧାନ ହୋଇଯାଉଥିବା ବା ହ୍ରାସ ପାଉଥିବା ମାଛ ବିଷୟରେ କହିବାକୁ କିଛି ନା କିଛି କାହାଣୀ ଅଛି । ଏଥିପାଇଁ ସେମାନେ ଆଞ୍ଚଳିକ ପ୍ରଦୂଷଣଠାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ଉତ୍ତାପନକୁ ଦାୟୀ କରନ୍ତି-  ସହରର ଉପକୂଳବର୍ତ୍ତୀ ଅଞ୍ଚଳରେ ଉଭୟର ମିଳିତ ପ୍ରଭାବ ଯୋଗୁଁ ଭର୍ସୋବାରେ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବ ଅନୁଭୂତ ହେଉଛି ।

Bhagwan Bhanji in a yard where trawlers are repaired, at the southern end of Versova Koliwada
PHOTO • Subuhi Jiwani

ଭଗବାନ ଭାଞ୍ଜି ଭର୍ସୋବା କୋଲିୱାଡାର ଦକ୍ଷିଣ ପ୍ରାନ୍ତରେ ଟ୍ରଲର୍‌ ମରାମତି ହେଉଥିବା ଏକ ପଡ଼ିଆରେ ଅଛନ୍ତି

କୂଳ ପାଖରେ ଥିବା ପାଣିରେ, ମଲାଡ୍‌ ଉପନଦୀରେ (ଯାହାର ପାଣି ଭର୍ସୋବାରେ ଥିବା ସମୁଦ୍ରରେ ପଡିଥାଏ), ଭିଙ୍ଗ (ବିରାଟକାୟ ହେରିଂ), ପାଳ (ହିଲ୍‌ସା ସାଦ୍‌) ଓ ଅନ୍ୟାନ୍ୟ ମାଛ ଯାହାକୁ ଏହି କୋଲିୱାଡା ନିବାସୀ ଦୁଇ ଦଶନ୍ଧି ପୂର୍ବେ ସହଜରେ ଧରି ପାରୁଥିଲେ, ସେଗୁଡିକ ଆଜି ମାନବୀୟ ହସ୍ତକ୍ଷେପ ଯୋଗୁଁ ବହୁ ପରିମାଣରେ ଧ୍ୱଂସ ହୋଇଯାଇଥିବା ଜଣାପଡୁଛି ।

ଏହାର ଚତୁଃପାର୍ଶ୍ୱରେ ଅବସ୍ଥିତ ବିଭିନ୍ନ ଜନବସତିରୁ ପ୍ରାୟ୧୨ଟି ନାଲ୍ଲା (ଖୋଲା ନର୍ଦ୍ଦମା)ରେ ପ୍ରକ୍ରିୟାକରଣ ନହୋଇ ଆସୁଥିବା ନର୍ଦ୍ଦମା ଜଳ, କାରଖାନାର ମଇଳା ଜିନିଷ ଓ ଭର୍ସୋବା ଓ ମଲାଡ୍‌ରେ ଥିବା ଦୁଇଟି ମ୍ୟୁନିସିପାଲ୍‌ ବର୍ଜ୍ୟଜଳ ପ୍ରକ୍ରିୟାକରଣ ଉପକରଣରୁ ନିଃସୃତ ପଚାଜଳ ଆଦି ବର୍ତ୍ତମାନ ଏଠାରେ ନିଷ୍କାସିତ ହେଉଛି, ଯାହା ଏକଦା ଅତି ସ୍ୱଚ୍ଛ ଉପନଦୀ ଭାବେ ଭଗବାନଙ୍କ ସ୍ମୃତିର ଅଂଶ ହୋଇ ରହିଥିଲା । “ସମୁଦ୍ର କୂଳରେ ଏବେ ବଞ୍ଚିବା ପ୍ରାୟ ଅସମ୍ଭବ ହୋଇଗଲାଣି । ଏହି ସମସ୍ତ ପ୍ରଦୂଷଣ ସମୁଦ୍ର ଭିତରେ ୨୦ ନାଉଟିକାଲ୍‌ ମାଇଲ୍‌ ଦୂରତା ପର୍ଯ୍ୟନ୍ତ ବ୍ୟାପିଛି। ସମସ୍ତଙ୍କ ନର୍ଦ୍ଦମାର ପାଣି, ମଇଳା ଓ ଆବର୍ଜନା ଯୋଗୁଁ ଏହି ପରିଷ୍କାର ଉପନଦୀ ଆଜି ରାସ୍ତାକଡରେ ଥିବା ଏକ ନର୍ଦ୍ଦମାରେ ପରିଣତ ହୋଇଯାଇଛି,” ବୋଲି ଭଗବାନ କୁହନ୍ତି, ଯାହାକୁ ଆଖପାଖ ଅଞ୍ଚଳର ଲୋକମାନେ କୋଲି ଇତିହାସ, ସଂସ୍କୃତି ଓ ସ୍ଥାନୀୟ ରାଜନୀତି ବିଷୟରେ ଜ୍ଞାନ ଥିବା ଜଣେ ବ୍ୟକ୍ତି ଭାବେ ଜାଣନ୍ତି । କିଛି ବର୍ଷ ପୂର୍ବେ ସେ ତାଙ୍କ ସ୍ୱର୍ଗତ ଭାଇଙ୍କ ଦୁଇଟି ମାଛଧରା ଡଙ୍ଗା ପାଇଁ କୂଳରେ ରହି ବିଭିନ୍ନ କାମ ପରିଚାଳନା କରୁଥିଲେ – ଯେପରିକି ମାଛ ଶୁଖେଇବା, ଜାଲ ତିଆରି କରିବା, ମରାମତି କାମ ଦେଖିବା ଇତ୍ୟାଦି ।

ଏହି ଗୋଳିଆ ପାଣି ଉପନଦୀରେ ଦ୍ରବିଭୂତ ଅମ୍ଳଜାନ ନିମ୍ନସ୍ତରରେ ରହିଥିବା ସୂଚାଇ ଥାଏ, ଏହା ସହିତ ଏଥିରେ ପ୍ରଚୁର ପରିମାଣରେ ମଳରେ ରହୁଥିବା ବ୍ୟାକ୍ଟେରିଆ ମହଜୁଦ୍‌ ଥିବା ମଧ୍ୟ ସୂଚାଉଛି  – ଓ ଏପରି ପରିବେଶରେ ମାଛମାନେ ବଞ୍ଚି ରହିପାରିବେ ନାହିଁ । ନାସ୍‌ନାଲ୍‌ ଏନ୍‌ଭାଇରୋନ୍‌ମେଣ୍ଟ ଇଂଜିନିୟରିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏନ୍‌ଇଇଆର୍‌ଆଇ) ଦ୍ୱାରା ୨୦୧୦ରେ ପ୍ରକାଶିତ ଏକ ପେପର୍‌ରେ କୁହାଯାଇଛି ଯେ, “ମଲାଡ୍‌ ଉପନଦୀର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଅଟେ, [ସେଥିରେ] ଉପନଦୀରେ ନିମ୍ନ ଜୁଆର ଆସିବାବେଳେ ସେଥିରେ ଡିଓ (DO) [ଦ୍ରବିଭୂତ ଅମ୍ଳଜାନ] ମହଜୁଦ ନଥାଏ … ଉଚ୍ଚ ଜୁଆର ଆସିବା ବେଳେ ପରିସ୍ଥିତି ଟିକିଏ ଉନ୍ନତ ରହିଥାଏ…”

ମହାସାଗରୀୟ ପ୍ରଦୂଷଣ ସହିତ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବ ମିଶିବା ଯୋଗୁଁ ଅନୁଭୂତ ହେଉଥିବା ପ୍ରଭାବ ଦୀର୍ଘକାଳୀନ ହେଉଛି। ବର୍ଦ୍ଧିତ ବିକାଶଭିତ୍ତିକ ଗତିବିଧି, ଉପକୂଳ ଓ ସମୁଦ୍ରର ପ୍ରଦୂଷଣ (୮୦ ଭାଗରୁ ଅଧିକ ସ୍ଥଳ ଭାଗରେ ଥିବା ବିଭିନ୍ନ ଉତ୍ସରୁ ଜାତ ହୋଇଥାଏ) ଓ ମହାସାଗରୀୟ ସ୍ରୋତ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ମେରାଇନ୍‌ ଡେଡ୍‌ ଜୋନ (ଅକ୍ସିଜେନ୍‌ ଡେଡ୍‌ ଜୋନ୍‌)ର ବିସ୍ତାର ତରାନ୍ୱିତ ହେବ ବୋଲି ୨୦ ୦୮ରେ ୟୁନାଇଟେଡ୍‌ ନେସନ୍‌ର ଏନ୍‌ଭାଇରୋନ୍‌ମେଣ୍ଟ ପ୍ରୋଗ୍ରାମ୍‌ରେ ଇନ୍‌ ଡେଡ୍‌ ୱାଟର୍‌: ମର୍ଜିଂ ଅଫ୍‌ କ୍ଲାଇମେଟ୍‌ ଚେଞ୍ଜ୍ ୱିଥ୍‌ ପଲ୍ୟୁସନ୍‌, ଓଭର୍‌ ହାର୍ଭେଷ୍ଟ ଆଣ୍ଡ ଇନ୍‌ଫେଷ୍ଟେସନ୍‌ ଇନ୍‌ ଦ ୱାର୍ଲଡ୍‌ସ ଫିସିଂ ଗ୍ରାଉଣ୍ଡ ଶିରୋନାମା ଥିବା ଏକ ପୁସ୍ତକରେ କୁହାଯାଇଛି …. ଉକ୍ତ ପୁସ୍ତକ ଅନୁସାରେ, ଉପକୂଳବର୍ତ୍ତୀ ଅଞ୍ଚଳରେ ଦ୍ରୁତ ଗତିରେ ଚାଲିଥିବା ବିଭିନ୍ନ ପ୍ରକାରର ନିର୍ମାଣ କାମ ଯୋଗୁଁ ହେନ୍ତାଳ ବଣ ଓ ଅନ୍ୟାନ୍ୟ ପ୍ରାକୃତିକ ବାସସ୍ଥଳି ଧ୍ୱଂସ ପାଉଥିବାରୁ ଧୀରେ ଧୀରେ ପ୍ରଦୂଷଣର ପ୍ରଭାବ ବହୁମାତ୍ରାରେ ବୃଦ୍ଧି ପାଉଛି ।

Left: Struggling against a changing tide – fishermen at work at the koliwada. Right: With the fish all but gone from Malad creek and the nearby shorelines, the fishermen of Versova Koliwada have been forced to go deeper into the sea
PHOTO • Subuhi Jiwani
Left: Struggling against a changing tide – fishermen at work at the koliwada. Right: With the fish all but gone from Malad creek and the nearby shorelines, the fishermen of Versova Koliwada have been forced to go deeper into the sea
PHOTO • Subuhi Jiwani

ବାମ : ବଦଳୁଥିବା ଜୁଆର ବିପକ୍ଷରେ ସଂଘର୍ଷ କରୁଛନ୍ତି- କୋଲିୱାଡାରେ ମତ୍ସ୍ୟଜୀବୀମାନେ କାର୍ଯ୍ୟରତ ଅଛନ୍ତି ଡାହାଣ : ମାଲାଡ୍‌ ଉପନଦୀ ଓ ଆଖପାଖ ଉପକୂଳ ଅଞ୍ଚଳରୁ ମାଛସବୁ ସରିଯିବା ପରେ ଭର୍ସୋବା କୋଲିୱାଡାର ମତ୍ସ୍ୟଜୀବୀମାନେ ବର୍ତ୍ତମାନ ଗଭୀର ସମୁଦ୍ର ମଧ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ।

ମୁମ୍ବାଇରେ ମଧ୍ୟ ବର୍ଷ ବର୍ଷ ଧରି ରାସ୍ତା, କୋଠା ଓ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣ କରିବା  ପାଇଁ ହେନ୍ତାଳ ବଣଗୁଡିକୁ କାଟି ସଫା କରାଯାଇଛି । ବହୁସଂଖ୍ୟାରେ ମାଛ ଉତ୍ପାଦନ ହେବାରେ ହେନ୍ତାଳ ବଣଗୁଡିକର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଇଣ୍ଡିଆନ୍‌ ଜୋର୍ଣ୍ଣାଲ୍‌ ଅଫ୍‌ ମେରାଇନ୍‌ ସାଇନ୍ସେସ୍‌ରେ ୨୦ ୦୫ରେ ପ୍ରକାଶିତ ଏକ ପେପର୍‌ରେ ଉଲ୍ଲେଖ କରାଯାଇଛି ଯେ “ହେନ୍ତାଳବଣ କେବଳ ଯେ ସାମୁଦ୍ରିକ ଜୀବମାନଙ୍କୁ ରହିବା ପାଇଁ ସ୍ଥାନ ଯୋଗାଇଥାଏ, ସେତିକି ନୁହେଁ, ବରଂ ଏହା ଉପକୂଳ ଅଞ୍ଚଳକୁ ଅବକ୍ଷୟ ହେବାଠାରୁ ସୁରକ୍ଷା ପ୍ରଦାନ କରିଥାଏ ଓ ସାମୁଦ୍ରିକ ତଥା ମୁହାଣରେ ଥିବା ଜୀବମାନଙ୍କ ପାଇଁ ପ୍ରଜନନ, ଖାଦ୍ୟ ଓ ଲାଳନପାଳନର କେନ୍ଦ୍ର ଭାବେ କାମ କରିଥାଏ ।’’ ୧୯୯୦ରୁ ୨୦୦୧ ମଧ୍ୟରେ, କେବଳ ୧୧ବର୍ଷ ସମୟ ମଧ୍ୟରେ କେବଳ ମୁମ୍ବାଇ ଉପନଗରୀୟ କ୍ଷେତ୍ରରେ ସମୁଦାୟ ୩୬.୫୪ ବର୍ଗ କିଲୋମିଟର ହେନ୍ତାଳବଣ କ୍ଷୟ ହୋଇଥିବା କଥା ପେପର୍‌ରେ ଉଲ୍ଲେଖ କରାଯାଇଛି।

“ମାଛମାନେ ଅଣ୍ଡା ଦେବାକୁ କୂଳକୁ ଆସୁଥିଲେ [ହେନ୍ତାଳବଣରେ], କିନ୍ତୁ ବର୍ତ୍ତମାନ ସେପରି ହେବା ସମ୍ଭବ ନୁହେଁ,” ବୋଲି ଭଗବାନ କୁହନ୍ତି । “ଆମେମାନେ ଯଥାସମ୍ଭବ ହେନ୍ତାଳବଣ ଧ୍ୱସଂ କରିସାରିଛେ । ଅଳ୍ପ କିଛି ବାକି ଅଛି । ବର୍ତ୍ତମାନ ଉପନଗରର ଉପକୂଳ ଅଞ୍ଚଳରେ ଯେଉଁଠି କୋଠାଗୁଡ଼ିକ ରହିଛି ଓ ଏଠାରେ ଥିବା ସମୂର୍ଣ୍ଣ ଜନବସତି ଯେପରିକି ଲୋଖଣ୍ଡୱାଲା ଓ ଆଦର୍ଶ ନଗରର ପୂର୍ବେ ହେନ୍ତାଳବଣରେ ଭର୍ତ୍ତି ହୋଇ ରହିଥିଲା।’’

ବର୍ଷ ବର୍ଷ ଧରି ମଲାଡ୍‌ ଉପନଦୀ ଓ ଏହାର ନିକଟବର୍ତ୍ତୀ ଉପକୂଳରେଖାରେ ମାଛ ସଂଖ୍ୟା କ୍ରମଶଃ ହ୍ରାସ ପାଇବା ଯୋଗୁଁ ଭର୍ସୋବା କୋଲିୱାଡାର ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ର ମଧ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ଗଭୀର ସମୁଦ୍ରରେ ମଧ୍ୟ ବଢୁଥିବା ସାମୁଦ୍ରିକ ତାପମାତ୍ରା, ବଢୁଥିବା ସାମୁଦ୍ରିକ ଝଡ଼ ବାତ୍ୟା ଓ ଟ୍ରଲର୍‌ ଦ୍ୱାରା ମାତ୍ରାଧିକ ମାଛ ଧରାଯିବା ଯୋଗୁଁ ସେମାନଙ୍କ ବ୍ୟବସାୟ ବାଧାପ୍ରାପ୍ତ ହେଉଛି ।

‘‘ପୂର୍ବେ ମାଛ ଧରିବା ପାଇଁ ସେମାନଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବାକୁ ପଡୁନଥିଲା [କୂଳରୁ ୨୦କିଲୋମିଟରରୁ ଅଧିକ ଦୂରରେ ଥିବା ସ୍ଥାନ] କାରଣ ସେତେବେଳେ ପରିସଂସ୍ଥାନ ଅତ୍ୟନ୍ତ ସମୃଦ୍ଧ ଥିଲା” ବୋଲି ଭର୍ସୋବା କୋଲିୱାଡାରେ ଉପକୂଳୀୟ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବିଷୟରେ ଅଧ୍ୟୟନ କରୁଥିବା ବମ୍ବେ ୬୧ ନାମକ ଏକ ଆର୍କିଟେକ୍ଟ ଦଳର କେତକୀ ଭାଡ୍‌ଗାଓଁକର କୁହନ୍ତି । ‘‘ଗଭୀର ସମୁଦ୍ରରେ ମାଛ ଧରିବା ପାଇଁ ବଡ଼ ବଡ଼ ଡଙ୍ଗା, ବିଭିନ୍ନ କାମ ପାଇଁ କର୍ମଚାରୀଙ୍କ ଏକ ଦଳ ଓ ଅନ୍ୟାନ୍ୟ ଜିନିଷ ଆବଶ୍ୟକ ହେଉଥିବାରୁ ପଇସା ଦୃଷ୍ଟିରୁ ଏଭଳି ମାଛ ଧରିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । ଅଧିକନ୍ତୁ, ଜାଲରେ ମାଛ ପଡ଼ିବ କି ନାହିଁ ସେ ନେଇ ମଧ୍ୟ ମତ୍ସ୍ୟଜୀବୀମାନେ ନିଶ୍ଚିତ ହୋଇପାରନ୍ତି ନାହିଁ’’।

Photos taken by Dinesh Dhanga, a Versova Koliwada fisherman, on August 3, 2019, when boats were thrashed by big waves. The yellow-ish sand is the silt from the creek that fishermen dredge out during the monsoon months, so that boats can move more easily towards the sea. The silt settles on the creek floor because of the waste flowing into it from nallahs and sewage treatment facilities
PHOTO • Dinesh Dhanga
Photos taken by Dinesh Dhanga, a Versova Koliwada fisherman, on August 3, 2019, when boats were thrashed by big waves. The yellow-ish sand is the silt from the creek that fishermen dredge out during the monsoon months, so that boats can move more easily towards the sea. The silt settles on the creek floor because of the waste flowing into it from nallahs and sewage treatment facilities
PHOTO • Dinesh Dhanga

ଅଗଷ୍ଟ ୩,୨୦୧୯ରେ ଯେତେବେଳେ ଏକ ବଡ ଜୁଆରରେ ଡଙ୍ଗାଗୁଡିକ ଭାଙ୍ଗିଗଲା ସେତେବେଳେ ଭର୍ସୋବା କୋଲିୱାଡାର ଜଣେ ମତ୍ସ୍ୟଜୀବୀଙ୍କ ଦ୍ୱାରା ଏହି ଫଟୋଗୁଡିକ ଉଠାଯାଇଥିଲା। ଦେଖାଯାଉଥିବା ହଳଦିଆ ବାଲି ହେଉଛି ଉପନଦୀର ପଟୁ ଯାହା ବର୍ଷା ଦିନରେ ମତ୍ସ୍ୟଜୀବୀମାନେ ଏକ ଯନ୍ତ୍ର ସହାୟତାରେ ପରିଷ୍କାର କରିଥାନ୍ତି, ଯାହାଫଳରେ ଡଙ୍ଗାଗୁଡିକ ସମୁଦ୍ର ଆଡକୁ ସହଜରେ ଯାଇପାରିବ । ବିଭିନ୍ନ ନାଲ୍ଲା  ଓ ନର୍ଦ୍ଦମା ପାଣି ପ୍ରକ୍ରିୟାକରଣ ଉପକରଣରୁ ବାହାରୁଥିବା ବର୍ଜ୍ୟ ପଦାର୍ଥଗୁଡିକ ପ୍ରବାହିତ ହୋଇ ଆସୁଥିବାରୁ ଉପନଦୀର ତଳଭାଗରେ ପଟୁ ଜମିଯାଏ ।

ଆରବ ସାଗର କ୍ରମଶଃ ଉଷ୍ମ ହେଉଥିବାରୁ ଏଠାରେ ଗଭୀର ସମୁଦ୍ର ଭିତରକୁ ଯାଇ ମାଛ ଧରିବା ନେଇ ଅନିଶ୍ଚିତତା ଲାଗିରହୁଛି- ମହାରାଷ୍ଟ୍ରର ଉପକୂଳରେ ବିଭିନ୍ନ ଜୋନ୍‌ରେ ସମୁଦ୍ର ତାପମାତ୍ରା ୨୦୦୮ -୨୦୧୮ ମଧ୍ୟରେ ୦.୪ ରୁ ୦.୬ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ବୃଦ୍ଧି ପାଇଥିବା ବିଷୟ ସେଣ୍ଟ୍ରାଲ ମେରାଇନ୍‌ ଫିସେରିଜ୍‌ ଇନ୍‌ଷ୍ଟିଚ୍ୟୁଟ୍‌ (ସିଏମ୍‌ଏଫ୍‌ଆର୍‌ଆଇ) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି । ସିଏମ୍‌ଏଫ୍‌ଆର୍‌ଆଇର ମୁମ୍ବାଇ ସେଣ୍ଟରରେ ପ୍ରାୟ ଚାରି ଦଶନ୍ଧିରୁ ଅଧିକ ସମୟ କାର୍ଯ୍ୟରତ ଥିବା ଡ.ବିନୟ ଦେଶମୁଖଙ୍କ ଅନୁସାରେ ଏହା ଦ୍ୱାରା ସାମୁଦ୍ରିକ ଜୀବନ ଗଭୀର ଭାବେ ପ୍ରଭାବିତ ହୋଇଛି। ‘‘ସାର୍ଡାଇନ୍‌ ଯାହା ମୁଖ୍ୟତଃ ଦକ୍ଷିଣରେ [ଭାରତର] ପ୍ରଚୁର ମାତ୍ରାରେ ଉପଲବ୍ଧ ହେଉଥିଲା ତାହା ବର୍ତ୍ତମାନ ଉତ୍ତର ଆଡକୁ ଗତି କରିବା ଆରମ୍ଭ କରିଛି [ଉପକୂଳ ରେଖାରେ]। ତେବେ ଦକ୍ଷିଣରେ ମିଳୁଥିବା ଅନ୍ୟ ଏକ ମାଛ ମାକ୍‌ରେଲ୍‌ ଗଭୀର ସମୁଦ୍ର ମଧ୍ୟକୁ ଚାଲିଯାଇଛି [୨୦ ମିଟର୍‌ ତଳେ] ।’’ ଆରବ ସାଗରର ଉତ୍ତର ଭାଗ ଓ ଗଭୀର ସମୁଦ୍ରରେ ପାଣି ଅପେକ୍ଷାକୃତ ଥଣ୍ଡା ଅଟେ ।

ମୁମ୍ବାଇ ଓ ମହାରାଷ୍ଟ୍ରରେ ସମୁଦ୍ରର ତାପମାତ୍ରା ବୃଦ୍ଧି ପାଇବା ପରସ୍ପର ସହିତ ସଂଯୁକ୍ତ ହୋଇ ରହିଥିବା ଗ୍ଲୋବାଲ୍‌ ପ୍ୟାଟର୍ଣ୍ଣର ଏକ ଅଂଶ – ୨୦୧୪ରେ ଇଣ୍ଟରଗଭର୍ଣ୍ଣମେଣ୍ଟାଲ୍‌ ପ୍ୟାନେଲ୍‌ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ (ଆଇପିସିସି) ଦ୍ୱାରା କରାଯାଇଥିବା ଏକ ଆକଳନରୁ ଏହା ଜଣାପଡିଛି ଯେ ବିଶ୍ୱର ମହାସାଗରଗୁଡିକର ଉପରର ୭୫ଭାଗର ତାପମାତ୍ରା ୧୯୭୧ ରୁ ୨୦୧୦ ମଧ୍ୟରେ ଗୋଟିଏ  ଦଶନ୍ଧିରେ ୦.୦୯ ରୁ ୦.୧୩ ଡିଗ୍ରୀ ବୃଦ୍ଧି ପାଇଛି ।

କ୍ରମଶଃ ବୃଦ୍ଧି ପାଉଥିବା ଏହି ସାମୁଦ୍ରିକ ତାପମାତ୍ରା ଯୋଗୁଁ କେତେକ ମାଛର ଜୀବନଚକ୍ରରେ ପରିବର୍ତ୍ତନ ଦେଖାଦେଇଛି –  ଯାହା ଏକ ଉଲ୍ଲେଖନୀୟ ଓ “ସ୍ଥାୟୀ ପରିବର୍ତ୍ତନ” ବୋଲି ଡ.ଦେଶମୁଖ କହିଛନ୍ତି । “ଯେତେବେଳେ ପାଣି ଅପେକ୍ଷାକୃତ ଥଣ୍ଡା ଥାଏ ଓ ଏହାର ତାପମାତ୍ରା ପ୍ରାୟ ୨୭ଡିଗ୍ରୀ ହୋଇଥାଏ, ସେତେବେଳେ ମାଛଗୁଡ଼ିକ ବିଳମ୍ବରେ ପରିପକ୍ୱତା ହାସଲ କରିଥାନ୍ତି । ଯେତେବେଳେ ପାଣି ଉଷୁମ ହୋଇଯାଏ ସେତେବେଳେ ମାଛଗୁଡ଼ିକ ସମୟ ପୂର୍ବରୁ ପରିପକ୍ୱତା ହାସଲ କରିଥାନ୍ତି । ଅର୍ଥାତ୍‌ ସେମାନେ ସେମାନଙ୍କ ଜୀବନ ଚକ୍ରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଣ୍ଡା ଓ ଶୁକ୍ରାଣୁ ଉତ୍ପାଦନ କରିଥାନ୍ତି । ଏପରି ଯେତେବେଳେ ହୁଏ, ସେତେବେଳେ ମାଛର ଶାରୀରିକ ଅଭିବୃଦ୍ଧି ମନ୍ଥର ବେଗରେ ହୋଇଥାଏ । ବମ୍ବେ ଡକ୍‌ ଓ ପୋମଫ୍ରେଟ୍  କ୍ଷେତ୍ରରେ ଆମେ ଏହା ପରିଷ୍କାର ଭାବେ ଦେଖିପାରିବା ।’’ ଏଣୁ ଏକ ପରିପକ୍ୱ ପମ୍ପରେଟ୍‌ ଯାହାର ଓଜନ ତିନି ଦଶନ୍ଧି ପୂର୍ବେ ୩୫୦- ୫୦୦ ଗ୍ରାମ ମଧ୍ୟରେ ହେଉଥିଲା ସେହି ମାଛର ଓଜନ ବର୍ତ୍ତମାନ ୨୦୦- ୨୮୦ ଗ୍ରାମ ହେଉଛି ବୋଲି ଡ. ଦେଶମୁଖ ଓ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଏକ ଆକଳନରୁ ଜଣାପଡ଼ିଛି – ଆକାରରେ ପରିଲକ୍ଷିତ ହେଉଥିବା ପରିବର୍ତ୍ତନ ଉତ୍ତାପ ବୃଦ୍ଧି ଓ ଅନ୍ୟ ଚାପ ଯୋଗୁଁ ହେଉଛି ।

ଏଣୁ ଏକ ପରିପକ୍ୱ ପମ୍ପରେଟ୍‌ ଯାହାର ଓଜନ ତିନି ଦଶନ୍ଧି ପୂର୍ବେ ୩୫୦- ୫୦୦ ଗ୍ରାମ ମଧ୍ୟରେ ହେଉଥିଲା ସେହି ମାଛର ଓଜନ ବର୍ତ୍ତମାନ ୨୦୦- ୨୮୦ ଗ୍ରାମ ହେଉଛି –ଉତ୍ତାପ ବୃଦ୍ଧି ଓ ଅନ୍ୟ ଚାପ ଯୋଗୁଁ ଆକାର ହ୍ରାସ ପାଉଛି

ଭିଡିଓ ଦେଖନ୍ତୁ : ଉପନଦୀରେ ମାଛ ଧରିବା ସମ୍ପୂର୍ଣ୍ଣ କ୍ଷତି ଜନକ ଅଟେ

ଡ.ଦେଶମୁଖଙ୍କ ମତରେ କିନ୍ତୁ ଏହାଠାରୁ ମଧ୍ୟ ବଡ ଦୋଷୀ ହେଉଛି ମାତ୍ରାଧିକ ପରିମାଣରେ ମାଛ ଧରିବା । ଡଙ୍ଗାଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଛି ଓ ବର୍ତ୍ତମାନ ସେହି ସବୁ ଟ୍ରଲର୍‌ (କୋଲିୱାଡାର କିଛି ବାସିନ୍ଦାଙ୍କ ପାଖରେ ମଧ୍ୟ ରହିଛି) ଓ ଅନ୍ୟ ବଡ଼ ଡଙ୍ଗାଗୁଡ଼ିକ ପୂର୍ବପେକ୍ଷା ସମୁଦ୍ରରେ ଅଧିକ ସମୟ ରହୁଛନ୍ତି। ୨୦୦୦ମସିହାରେ ଏହି ଡଙ୍ଗାଗୁଡ଼ିକ ସମୁଦ୍ରରେ ୬ - ୮ ଦିନ ରହୁଥିଲେ; ଏହି ସମୟ ପରେ ୧୦-୧୫ଦିନକୁ ବୃଦ୍ଧି ପାଇଲା ଓ ବର୍ତ୍ତମାନ ଏହା ୧୬ ରୁ୨୦ ଦିନରେ ପହଞ୍ଚିଛି। ଏହା ଦ୍ୱାରା ପୂର୍ବରୁ ସମୁଦ୍ରରେ ବିଦ୍ୟମାନ ଥିବା ମାଛ ଭଣ୍ଡାର ଉପରେ ଚାପ ବୃଦ୍ଧି ପାଇଛି। ଏହା ସହିତ ସେ କୁହନ୍ତି ଯେ ଟ୍ରଲିଂ ଯୋଗୁଁ ଚଟାଣ ପରିସଂସ୍ଥାନର ଅବନତି ମଧ୍ୟ ହୋଇଛି, “ଯାହା ଚଟାଣକୁ କୋରି ଦେଉଛି [ସମୁଦ୍ରର ତଳଅଂଶ], ଏଥିରେ ଥିବା ଗଛଗୁଡ଼ିକୁ ଉପାଡ଼ି ଦେଉଛି ଓ ଜୀବମାନଙ୍କୁ ପ୍ରାକୃତିକ ଉପାୟରେ ବଢିବାକୁ ସୁଯୋଗ ଦେଉନି।

ମହାରାଷ୍ଟ୍ରରେ ୨୦୦୩ରେ ସର୍ବାଧିକ ମାଛ ଧରା ଯାଇଥିଲା ବୋଲି ଦେଶମୁଖ କୁହନ୍ତି, ଯାହାର ପରିମାଣ ପ୍ରାୟ ୪.୫ଲକ୍ଷ ଟନ୍‌ ଥିଲା, ଯାହା ୧୯୫୦ରୁ ଆଜି ପର୍ଯ୍ୟନ୍ତ ଧରା ଯାଇଥିବା ମାଛ ମଧ୍ୟରେ ସର୍ବାଧିକ ପରିମାଣର ମାଛ ବୋଲି ଇତିହାସରେ ଲିପିବଦ୍ଧ ହୋଇଛି । ମାତ୍ରାଧିକ ପରିମାଣରେ ମାଛ ଧରା ଯିବା ଯୋଗୁଁ ପ୍ରତିବର୍ଷ ମାଛର ପରିମାଣ କମିବାରେ ଲାଗିଛି – ୨୦୧୭ରେ ଏହାର ପରିମାଣ ୩.୮୧ ଲକ୍ଷ ଟନ୍‌ ଥିଲା

“ମାତ୍ରାଧିକ ଆଦାୟ ଓ ଚଟାଣରେ ଟ୍ରଲିଂ କରାଯିବା ଦ୍ୱାରା ମାଛମାନଙ୍କ ବାସସ୍ଥଳୀ ନଷ୍ଟ ହୋଇଯାଉଛି ଓ ଏହା ଦ୍ୱାରା ମହାସାଗରୀୟ ଜୈବବିବିଧତାର ହଟ୍‌ସ୍ପଟ୍‌ର ସମ୍ପୂର୍ଣ୍ଣ ଉତ୍ପାଦନ ମଧ୍ୟ ସଙ୍କଟାପନ୍ନ ହୋଇଯାଇଛି,” ବୋଲି ଇନ୍‌ ଡେଡ୍‌ ୱାଟର୍‌ ପୁସ୍ତକରେ କୁହାଯାଇଛି, ‘‘ଯାହାଦ୍ୱାରା ସେମାନେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଗମ୍ଭୀର ଭାବେ ପ୍ରଭାବିତ ହେବା ସମ୍ଭାବନା ରହିଛି’’। ଏଥିରେ ଆହୁରି ମଧ୍ୟ କୁହାଯାଇଛି ସମୁଦ୍ର ପତ୍ତନ ବଢିବା ଓ ସାମୁଦ୍ରିକ ଝଡ଼ର ତୀବ୍ରତା ଓ ପୁନଃପୌନିକତା ବୃଦ୍ଧି ପାଉଥିବାରୁ ମାନବୀୟ ଗତିବିଧିର ପ୍ରଭାବ ଆହୁରି (ଯେଉଁଥିରେ ପ୍ରଦୂଷଣ ଓ ହେନ୍ତାଳ ବଣ କ୍ଷୟ ମଧ୍ୟ ସାମିଲ ଅଛି) ଗମ୍ଭୀର ପରିସ୍ଥିତ ସୃଷ୍ଟି କରିବ ।

ଉଭୟର ପ୍ରମାଣ ଆରବ ସାଗରରେ ମିଳିପାରିବ – ଓ ଭର୍ସୋବା କୋଲିୱାଡାରେ ମଧ୍ୟ । “…୨୦୧୭ରେ ନେଚର୍‌ କ୍ଲାଇମେଟ୍‌ ଚେଞ୍ଜରେ ପ୍ରକାଶିତ ହୋଇଥିବା ଏକ ପେପର୍‌ରେ କୁହାଯାଇଛି ଯେ “ମାନବଜନିତ ଚାପ ବୃଦ୍ଧି ଯୋଗୁଁ ଆରବ ସାଗରରେ ବିଳମ୍ବିତ ଋତୁରେ ଇସିଏସ୍‌ସି [ଏକ୍ସଟ୍ରିମ୍‌ଲି ସିଭିୟର୍‌ ସାଇକ୍ଲୋନିକ ଷ୍ଟର୍ମ ବା ଚକ୍ରବାତ ତୋଫାନ]ର ହାର ବୃଦ୍ଧି ପାଇଛି’’।

Extensive land reclamation and construction along the shore have decimated mangroves, altered water patterns and severely impacted Mumbai's fishing communities
PHOTO • Subuhi Jiwani

ଉପକୂଳବର୍ତ୍ତୀ ଅଞ୍ଚଳରେ ବହୁମାତ୍ରାରେ ଜମି ସୁଧାର ଓ ନିର୍ମାଣ କାର୍ଯ୍ୟ କରାଯିବା ଯୋଗୁଁ ସେଠାରେ ଥିବା ହେନ୍ତାଳ ବଣ ଧ୍ୱଂସ ହୋଇଯାଇଛି, ଯାହାଫଳରେ ପାଣିର ସ୍ୱରୂପ ପରିବର୍ତ୍ତନ ହୋଇଯାଇଛି ଓ ଏହା ଦ୍ୱାରା ମୁମ୍ବାଇର ମତ୍ସ୍ୟଜୀବୀ ସମ୍ପ୍ରଦାୟ ଗମ୍ଭୀର ଭାବେ ପ୍ରଭାବିତ ହୋଇଛନ୍ତି ।

ଏହିସବୁ ଝଡ ଯୋଗୁଁ ମତ୍ସ୍ୟଜୀବୀ ସମ୍ପ୍ରଦାୟ ଗମ୍ଭୀର ଭାବେ ପ୍ରଭାବିତ ହେଉଛନ୍ତି, ବୋଲି ପ୍ରଫେସର୍‌ ଡି.ପାର୍ଥସାରଥୀ, ବମ୍ବେସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର କ୍ଲାଇମେଟ୍‌ ଷ୍ଟଡିଜ୍‌ ବିଭାଗର ଆବାହକ, ଅନୁଭବ କରିଛନ୍ତି। “ଜାଲରେ କମ୍‌ ସଂଖ୍ୟକ ମାଛ ପଡୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ଯିବାକୁ ପଡୁଛି । କିନ୍ତୁ [ କେତେକ] ସେମାନଙ୍କ ଡଙ୍ଗାର ଆକାର ଅପେକ୍ଷାକୃତ ଛୋଟ ଓ ସେଥିରେ ଗଭୀର ସମୁଦ୍ରକୁ ଯିବା ପାଇଁ ଆବଶ୍ୟକ ସରଞ୍ଜାମ ଉପଲବ୍ଧ ନାହିଁ । ଏଣୁ ଯେତେବେଳେ ଝଡ଼ ଓ ବାତ୍ୟା ଆସିବ, ସେମାନେ ନିଶ୍ଚିତ ଭାବେ ପ୍ରଭାବିତ ହେବେ। ମାଛ ଧରିବା ନେଇ ବର୍ତ୍ତମାନ କୌଣସି ନିଶ୍ଚିତତା ନାହିଁ ଓ ଏହା ଅଧିକ ବିପଦଶଙ୍କୁଳ ମଧ୍ୟ ।’’

ବଢୁଥିବା ସମୁଦ୍ର ପତ୍ତନ ମଧ୍ୟ ହେଉଛି ଏହା ସହିତ ଯୋଡ଼ିହୋଇ ରହିଥିବା ଅନ୍ୟ ଏକ ସମସ୍ୟା । ଗତ ୫୦ବର୍ଷରେ ଭାରତୀୟ ଉପକୂଳର ପତ୍ତନ ୮.୫ ସେଣ୍ଟିମିଟର୍‌ ବୃଦ୍ଧି ପାଇଛି – ବା ବର୍ଷକୁ ପ୍ରାୟ ୧.୭ମିଲିମିଟର ବଢୁଛି (ସଂସଦରେ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ୨୦୧୯ ନଭେମ୍ବରରେ ସରକାର ରାଜ୍ୟସଭାରେ ଏହା ଉଲ୍ଲେଖ କରିଛନ୍ତି) । ବିଶ୍ୱସ୍ତରରେ ସମୁଦ୍ର ପତ୍ତନ ଆହୁରି ଅଧିକ ହାରରେ ବୃଦ୍ଧି ପାଇବାରେ ଲାଗିଛି – ଗତ ୨୫ବର୍ଷରେ ବର୍ଷକୁ ପ୍ରାୟ ୩ ରୁ ୩.୬ମିମି ବଢୁଛି ବୋଲି ଆଇପିସିସି ଡାଟା ଓ ପ୍ରୋସିଡିଂସ ଅଫ୍‌ ଦ ନ୍ୟାସ୍‌ନାଲ୍‌ ଏକାଡେମୀ ଅଫ୍‌ ସାଇନ୍‌ସ (ୟୁଏସ୍‌ଏ) ଜର୍ଣ୍ଣାଲ୍‌ରେ ପ୍ରକାଶିତ ହୋଇଥିବା ପେପର୍‌ରୁ ଜଣାପଡିଛି। ଏହି ହାରରେ, ୨୧୦୦ ବେଳକୁ ସମଗ୍ର ବିଶ୍ୱରେ ସମୁଦ୍ର ପତ୍ତନ ପ୍ରାୟ ୬୫ସେଣ୍ଟିମିଟର ବୃଦ୍ଧି ପାଇବା ସମ୍ଭାବନା ରହିଛି- ଯଦିଓ ଆଞ୍ଚଳିକ ଭିତ୍ତିରେ ଏହି ବୃଦ୍ଧି ଭିନ୍ନ ଭିନ୍ନ ହୋଇଥାଏ, ଯାହା ଜୁଆର, ମାଧ୍ୟାକର୍ଷଣ, ପୃଥିବୀର ଘୂର୍ଣ୍ଣନ ଓ ଅନ୍ୟ ଜିନିଷ ଉପରେ ନିର୍ଭର କରିଥାଏ ।

ସମୁଦ୍ର ପତ୍ତନ ବୃଦ୍ଧି ହେବା ବିଶେଷକରି ଭର୍ସୋବା ପାଇଁ ବିପଦପୂର୍ଣ୍ଣ ହୋଇପାରେ ବୋଲି ଦେଶମୁଖ ସତର୍କ କରିଛନ୍ତି କାରଣ ଏହା ଉପନଦୀର ମୁହଁରେ ଅବସ୍ଥିତ ଓ ମତ୍ସ୍ୟଜୀବୀମାନେ ଯେଉଁଠାରେ ମଧ୍ୟ ସେମାନଙ୍କ ଡଙ୍ଗା ରଖନ୍ତୁ, ତାହା ନିଶ୍ଚିତ ଭାବେ ଝଡତୋଫାନ ଦ୍ୱାରା ଗମ୍ଭୀର ଭାବେ ପ୍ରଭାବିତ ହେବ ।

ଭର୍ସୋବା କୋଲିୱାଡ଼ାରେ ରହୁଥିବା ଅନେକ ଲୋକ ସମୁଦ୍ର ପତ୍ତନର ଏହି ବୃଦ୍ଧିକୁ ଲକ୍ଷ୍ୟ କରିପାରିଛନ୍ତି । ହର୍ଷ ରାଜହଂସ ତାପ୍‌କେ, ଯିଏ ଗତ ୩୦ବର୍ଷ ଧରି ମାଛ ବିକ୍ରି କରିଆସୁଛନ୍ତି, କୁହନ୍ତି ଯେ, “ଥରକୁ ଜାଲରେ କମ୍‌ ସଂଖ୍ୟକ ମାଛ ପଡ଼ିବା କାରଣରୁ, ଲୋକମାନେ [ନିର୍ମାଣକାରୀ ଓ ସ୍ଥାନୀୟ ବ୍ୟକ୍ତିମାନେ] ସେମାନଙ୍କ ଜମି, ଯେଉଁଠାରେ ଆମେ ଆମ ମାଛ ଶୁଖେଇବା କଥା ତାହା ପୁନଃ ପ୍ରାପ୍ତ କଲେ ଓ ସେଠାରେ ଘର ନିର୍ମାଣ କରିବାକୁ ଆରମ୍ଭ କଲେ [ବାଲି ଉପରେ] .. ଜମିରେ ସଂସ୍କାର କାମ ହେବା ଦ୍ୱାରା ଉପନଦୀର ପାଣି ସ୍ତର ବଢ଼ିବାରେ ଲାଗିଛି ଓ ତାହା ଆମେ କୂଳରେ ଦେଖିପାରିବା ।

Harsha Tapke (left), who has been selling fish for 30 years, speaks of the changes she has seen. With her is helper Yashoda Dhangar, from Kurnool district of Andhra Pradesh
PHOTO • Subuhi Jiwani

ହର୍ଷ ତାପ୍‌କେ (ବାମ), ଯିଏ ଗତ ୩୦ ବର୍ଷ ଧରି ମାଛ ବିକ୍ରି କରୁଛନ୍ତି, ସେ ଦେଖିଥିବା ପରିବର୍ତ୍ତନ ବିଷୟରେ କହୁଛନ୍ତି । ଆନ୍ଧ୍ରପ୍ରଦେଶର କୁର୍ନୁଲ୍‌ ଜିଲ୍ଲାରୁ ଆସିଥିବା ତାଙ୍କର ସହାୟକ ୟସୋଦା ଧାଙ୍ଗରଙ୍କ ସହିତ

ଅତି ପ୍ରବଳ ବୃଷ୍ଟିପାତ ଯୋଗୁଁ ଯେତେବେଳେ ସହର ମଧ୍ୟ ପ୍ରଭାବିତ ହୋଇଥାଏ, ସେତେବେଳେ ମତ୍ସ୍ୟଜୀବୀ ସମ୍ପ୍ରଦାୟ ଉପରେ ହେନ୍ତାଳବଣ କ୍ଷୟ, ନିର୍ମାଣ କାର୍ଯ୍ୟ ପାଇଁ ପୁଣି ସେହି ଜମି ବ୍ୟବହାର କରାଯିବା, ବଢୁଥିବା ସମୁଦ୍ର ପତ୍ତନ ଓ ଆହୁରି ଅନେକ ଜିନିଷର ସମ୍ମିଳିତ ପ୍ରଭାବର ହାର ଖୁବ୍‌ ବେଶୀ ହୋଇଥାଏ। ଅଗଷ୍ଟ ୩, ୨୦୧୯ରେ, ଉଦାହରଣସ୍ୱରୂପ, ମୁମ୍ବାଇରେ ୨୦୪ମିଲିମିଟର ବର୍ଷା ହୋଇଥିଲା – ଯାହା ହେଉଛି ଗତ ଦଶବର୍ଷରେ ୨୪ ଘଣ୍ଟାରେ ହୋଇଥିବା ସର୍ବାଧିକ ବୃଷ୍ଟିପାତ ଓ ଏ ସମୟରେ ସମୁଦ୍ରରେ ୪.୯ ମିଟର (ପ୍ରାୟ ୧୬ ଫୁଟ ପାଖାପାଖି) ଉଚ୍ଚ ଜୁଆର ଆସିଥିଲା । ସେହିଦିନ ଭର୍ସୋବା କୋଲିୱାଡ଼ାରେ ରଖାଯାଇଥିବା ଅନେକ ଡଙ୍ଗା ଶକ୍ତିଶାଳୀ ତରଙ୍ଗ ପ୍ରଭାବରେ ଭାଙ୍ଗି ଯାଇଥିଲା ଓ ମତ୍ସ୍ୟଜୀବୀ ସମ୍ପ୍ରଦାୟକୁ ଭାରି କ୍ଷତି ସହିବାକୁ ପଡ଼ିଲା ।

“କୋଲିୱାଡ଼ାର ସେହି ପାର୍ଶ୍ୱ [ଯେଉଁଠାରେ ଡଙ୍ଗାଗୁଡ଼ିକୁ ରଖାଯାଏ]କୁ ପୁନଃ ପ୍ରାପ୍ତ କରାଯାଇଛି, କିନ୍ତୁ ଗତ ସାତ ବର୍ଷ ଧରି ସେଠାରେ ସେଦିନ ଭଳି ଜଳ ଏତେ ଉଚ୍ଚକୁ ଉଠି ନଥିଲା,’’ ବୋଲି, ଭର୍ସୋବା ମାଶେମାରୀ ଲଘୁ ନଉକା ସଂଗଠନ, ଯେଉଁଥିରେ ପ୍ରାୟ ୧୪୮ଟି ଡଙ୍ଗାରେ କାମ କରୁଥିବା ପ୍ରାୟ ୨୫୦ ମତ୍ସ୍ୟଜୀବୀ ସାମିଲ ଅଛନ୍ତି, ତାହାର ଚ୍ୟାର୍‌ମେନ୍‌ ଦିନେଶ ଧାଙ୍ଗା କୁହନ୍ତି । “ଉଚ୍ଚ ଜୁଆର ସମୟରେ ଝଡ ଆସିଲା, ଏଣୁ ପାଣିର ସ୍ତର ଦ୍ୱିଗୁଣିତ ବୃଦ୍ଧି ପାଇଲା। ସେଥିରେ କେତେକ ଡଙ୍ଗା ବୁଡ଼ିଗଲା, କିଛି ଭାଙ୍ଗିଗଲା । “ମତ୍ସ୍ୟଜୀବୀମାନେ ସେମାନଙ୍କ ଜାଲ ହରାଇଲେ ଓ କେତେକ ଡଙ୍ଗାର ଇଂଜିନ୍‌ରେ ପାଣି ଭର୍ତ୍ତି ହୋଇଗଲା ।’’ ପ୍ରତ୍ୟେକ ଡଙ୍ଗାର ମୂଲ୍ୟ ପ୍ରାୟ ୪୫,୦୦୦ ଟଙ୍କା ହେବ ବୋଲି ଦିନେଶ କୁହନ୍ତି । ଗୋଟିଏ ଜାଲର ମୂଲ୍ୟ ହେଉଛି ୨୫୦୦ଟଙ୍କା।

ଭର୍ସୋବାର ମତ୍ସ୍ୟଜୀବୀ ସମ୍ପ୍ରଦାୟର ଜୀବିକା ଅର୍ଜନ କରିବା ପନ୍ଥା ଏହା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଛି “ଥରକୁ ଯେତେ ମାଛ ପଡ଼ିବା କଥା ସେଥିରେ ଆମେ ୬୦ ରୁ ୭୦ ପ୍ରତିଶତ ପାର୍ଥକ୍ୟ ଦେଖୁଛୁ, ବୋଲି ପ୍ରିୟା ଭାଞ୍ଜି କୁହନ୍ତି’’ । “ଏବେ ଆମେ ବଜାରକୁ ୧୦ଟୋକ୍ରି ମାଛ ନେଉଛୁ, କିନ୍ତୁ ପୂର୍ବେ ଆମେ ୨୦ ଟୋକ୍ରି ମାଛ ନେଇ ଯାଉଥିଲୁ [ପ୍ରାୟ ଦୁଇ ଦଶନ୍ଧି ପୂର୍ବେ]। ଏହା ହେଉଛି ଏକ ବିଶାଳ ପାର୍ଥକ୍ୟ ।’’

ଏବେ ଜାଲରେ ପୂର୍ବଠାରୁ କମ୍‌ ସଂଖ୍ୟକ ମାଛ ପଡୁଥିବାବେଳେ ଡକ୍‌ ପାଖରେ ଥିବା ପାଇକାରୀ ବଜାରରୁ ମହିଳାମାନଙ୍କୁ ଉଚ୍ଚ ମୂଲ୍ୟରେ ମାଛ କିଣିବାକୁ ପଡୁଛି – ଯାହାଫଳରେ ସେମାନଙ୍କ ଲାଭ ଦ୍ରୁତ ଗତିରେ କମିବାରେ ଲାଗିଛି । “ପୂର୍ବେ ଆମେ ୫୦୦ଟଙ୍କାରେ ଆମ ପାଖରେ ମହଜୁଦ ଥିବା ସବୁଠାରୁ ବଡ଼ ମାଛ [ପୋମଫ୍ରେଟ୍ ]ଯାହାର ଲମ୍ବ ପ୍ରାୟ ଏକ ଫୁଟ ଅଟେ, ବିକ୍ରି କରୁଥିଲୁ । କିନ୍ତୁ ବର୍ତ୍ତମାନ, ସେହି ମୂଲ୍ୟରେ ଆମେ ଏକ ଛଅ-ଇଂଚ ଲମ୍ବର ପୋମଫ୍ରେଟ୍ ବିକ୍ରି କରୁଛୁ । ପୋମଫ୍ରେଟର ଆକାର ଛୋଟ ହୋଇଯାଇଛି ଓ ମୂଲ୍ୟ ବୃଦ୍ଧି ପାଇଛି,” ବୋଲି ପ୍ରିୟା କୁହନ୍ତି । ସେ ତିନି ଦିନ ମାଛ ବିକ୍ରି କରିବା ପାଇଁ ଯାଉଥିବା ବେଳେ ଦୈନିକ ୫୦୦- ୬୦୦ଟଙ୍କା ରୋଜଗାର କରିଥାନ୍ତି ।

Left: Dinesh Dhanga (on the right right) heads an organisation of around 250 fishermen operating small boats; its members include Sunil Kapatil (left) and Rakesh Sukacha (centre). Dinesh and Sunil now have a Ganapati idol-making workshop to supplement their dwindling income from fishing
PHOTO • Subuhi Jiwani
Left: Dinesh Dhanga (on the right right) heads an organisation of around 250 fishermen operating small boats; its members include Sunil Kapatil (left) and Rakesh Sukacha (centre). Dinesh and Sunil now have a Ganapati idol-making workshop to supplement their dwindling income from fishing
PHOTO • Subuhi Jiwani

ବାମ: ଦିନେଶ ଧାଙ୍ଗା (ଡାହାଣରେ) ଛୋଟ ଡଙ୍ଗା ଚଲଉଥିବା ପ୍ରାୟ ୨୫୦ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଗଠିତ ଏକ ସଂଗଠନର ମୁଖ୍ୟ ଅଟନ୍ତି; ସୁନୀଲ କପାତିଲ୍‌ (ବାମ) ଓ ରାକେଶ ଶୁକଚା (କେନ୍ଦ୍ର) ଏହାର ସଦସ୍ୟ ଅଛନ୍ତି । ସୁନୀଲ ଓ ଦିନେଶ ମାଛ ଧରି ଯାହା ଉପାର୍ଜନ କରୁଥିଲା ତାହା କ୍ରମଶଃ ହ୍ରାସ ପାଉଥିବାରୁ ନିଜର ଆୟ ବଢେଇବା ପାଇଁ ଏକ ଗଣପତି ମୂର୍ତ୍ତି ନିର୍ମାଣ କର୍ମଶାଳା କରିଛନ୍ତି ।

ସେମାନଙ୍କ ରୋଜଗାର ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଏଥିରୁ ଉଦ୍ଧାର ପାଇବା ପାଇଁ ଅନେକ ମତ୍ସ୍ୟଜୀବୀ ପରିବାର ଏବେ ଅନ୍ୟ କାମ ମଧ୍ୟ କରିବା ଆରମ୍ଭ କଲେଣି । ପ୍ରିୟାଙ୍କ ସ୍ୱାମୀ ବିଦ୍ୟୁତ୍‌ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ଆକାଉଣ୍ଟସ ବିଭାଗରେ କାର୍ଯ୍ୟ କରୁଥିଲେ (ସେ ସମୟ ପୂର୍ବରୁ ଅବସର ନେବା ପର୍ଯ୍ୟନ୍ତ); ତାଙ୍କ ଭାଇ ଗୌତମ ଏୟାର୍‌ ଇଣ୍ଡିଆରେ ଷ୍ଟୋର୍‌ ମ୍ୟାନେଜର ଭାବେ କାମ କରନ୍ତି, ଯେତେବେଳେକି ତାଙ୍କ ସ୍ତ୍ରୀ ଅନ୍ଧେରୀର ବଜାରରେ ମାଛ ବିକ୍ରି କରନ୍ତି । “ବର୍ତ୍ତମାନ ସେମାନଙ୍କୁ ବିଭିନ୍ନ କାର୍ଯ୍ୟାଳୟରେ ଚାକିରି କରିବାକୁ ପଡୁଛି [କାରଣ ମାଛ ଧରା ବ୍ୟବସାୟ ଉପରେ ଆଉ ନିର୍ଭର କରି ଚଳି ହେବନି]” ବୋଲି ପ୍ରିୟା କୁହନ୍ତି । “ମୁଁ କିନ୍ତୁ ଆଉ କିଛି କରିପାରିବିନି। କାରଣ ମୁଁ ଏହା କରିବାରେ ଅଭ୍ୟସ୍ତ ଅଟେ ।

ସୁନୀଲ କପାତିଲ, ୪୩, ଯାହାର ପରିବାର ପାଖରେ ଏକ ଛୋଟ ଡଙ୍ଗା ଅଛି, ସେ ମଧ୍ୟ ରୋଜଗାରର ଅନ୍ୟ ରାସ୍ତାଗୁଡ଼ିକ ସନ୍ଧାନ କରୁଛନ୍ତି । କିଛି ମାସ ପୂର୍ବେ, ସେ ତାଙ୍କ ସାଙ୍ଗ ଦିନେଶ ଧାଙ୍ଗାଙ୍କ ସହିତ ମିଶି ଗଣପତି ମୂର୍ତ୍ତି ନିର୍ମାଣ ବ୍ୟବସାୟ ଆରମ୍ଭ କରିଛନ୍ତି । “ପୂର୍ବେ ଆମେ ଆଖପାଖ ଅଞ୍ଚଳକୁ ମାଛ ଧରିବାକୁ ଯାଉଥିଲୁ ଯେଉଁଠାରେ ପହଞ୍ଚିବାକୁ ଏକ ଘଣ୍ଟା ସମୟ ଲାଗୁଥିଲା କିନ୍ତୁ ବର୍ତ୍ତମାନ ଆମକୁ ୨ ରୁ ୩ ଘଣ୍ଟା ଯାତ୍ରା କରିବାକୁ ପଡୁଛି । ଦିନକୁ ଆମେ ୨ ରୁ ୩ ପେଟି [ବାସ୍କେଟ୍‌] ଭର୍ତ୍ତି ମାଛ ସହିତ ଫେରୁଥିଲୁ । ବର୍ତ୍ତମାନ କେବଳ ଗୋଟିଏ ପେଟି ପାଇଁ ମଧ୍ୟ ଅନେକ ସଂଘର୍ଷ କରିବାକୁ ପଡୁଛି…’’ ବୋଲି ସୁନୀଲ କୁହନ୍ତି । “ବେଳେବେଳେ, ୧୦୦୦ଟଙ୍କା ରୋଜଗାର ହେଉଥିବା ବେଳେ, ସମୟ ସମୟରେ ୫୦ଟଙ୍କା ମଧ୍ୟ ରୋଜଗାର ହୋଇପାରେନାହିଁ’’।

ଭର୍ସୋବା କୋଲିୱାଡ଼ାରେ ଏବେ ମଧ୍ୟ ଏପରି ଅନେକ ମତ୍ସ୍ୟଜୀବୀ ଓ ମାଛ ବିକାଳି ଅଛନ୍ତି, ଯେଉଁମାନେ ବୃଦ୍ଧି ପାଉଥିବା ସମୁଦ୍ର ପତ୍ତନ, ବୃଦ୍ଧି ପାଉଥିବା ତାପମାତ୍ରା, ମାତ୍ରାଧିକ ମାଛ ଧରା, ପ୍ରଦୂଷଣ, ଅନ୍ତର୍ଦ୍ଧାନ ହେଉଥିବା ହେନ୍ତାଳ ବଣ ଓ ଏପରି ଅନ୍ୟାନ୍ୟ ପରିସ୍ଥିତିର ମୁକାବିଲା କରି ଜାଲରେ ପଡୁଥିବା ମାଛ ସଂଖ୍ୟା ହ୍ରାସ ପାଇବା ଓ ମାଛର ଆକାର ଛୋଟ ହେବା ସତ୍ତ୍ୱେ ନିଜକୁ ସମ୍ପୂର୍ଣ୍ଣ ଭାବେ ସେମାନଙ୍କ କାମରେ ନିୟୋଜିତ କରୁଛନ୍ତି । ନିଜ ପରିବାରର ଆୟ ବୃଦ୍ଧି କରିବା ପାଇଁ ରାକେଶ ସୁକଚା, ୨୮ଙ୍କୁ ୮ମ ଶ୍ରେଣୀ ପରେ ନିଜ ପାଠପଢା ବନ୍ଦ କରିବାକୁ ପଡ଼ିଲା । ସେ ହେଉଛନ୍ତି ସେହିମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ଆଜି ମଧ୍ୟ ରୋଜଗାର ପାଇଁ ମାଛ ଧରା ବ୍ୟବସାୟ ଉପରେ ନିର୍ଭର କରୁଛନ୍ତି। ସେ କୁହନ୍ତି: “ଆମର ଜେଜେବାପା ଆମକୁ ଏକ କାହାଣୀ କହୁଥିଲେ: ଯଦି ଜଙ୍ଗଲରେ ତୁମେ କୌଣସି ସିଂହର ସମ୍ମୁଖୀନ ହେଉଛ, ତେବେ ତୁମକୁ ତାହାର ସାମନା କରିବାକୁ ହେବ। ଯଦି ତୁମେ ସେଠାରୁ ଦଉଡ଼ି ପଳେଇବାକୁ ଚେଷ୍ଟା କରିବ, ତବେ ସେ ତୁମକୁ ଖାଇଦେବ। ଯଦି ତୁମେ ଜିତିବ [ତା ବିପକ୍ଷରେ] ତେବେ ତୁମେ ନିଶ୍ଚିତ ଭାବେ ଜଣେ ସାହାସୀ ବ୍ୟକ୍ତି । ଅନୁରୂପ ଭାବେ ମହାସାଗରର ସମ୍ମୁଖୀନ ହେବା ଶିଖିବା ପାଇଁ ସେମାନେ ଆମକୁ କହିଛନ୍ତି’’।

ନାରାୟଣ କୋଲି, ଜୟ ଭଦ୍‌ଗାଓଁକର, ନିଖିଳ ଆନନ୍ଦ, ଷ୍ଟାଲିନ ଦୟାନନ୍ଦ ଓ ଗିରିଶ ଜାଥର୍‌ଙ୍କୁ ଏହି କାହାଣୀ ପ୍ରସ୍ତୁତ କରିବାରେ ସହାୟତା କରିଥିବାରୁ ଲେଖକ ଧନ୍ୟବାଦ ଜଣାଉଛନ୍ତି ।

ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ UNDPର ମିଳିତ ସହଯୋଗରେ ଚାଲିଥିବା ପରୀର ଦେଶବ୍ୟାପୀ ରିପୋର୍ଟିଂ ପ୍ରୋଜେକ୍ଟ ହେଉଛି ସାଧାରଣ ଜନତାଙ୍କ ସ୍ୱର ଓ ଅଙ୍ଗେନିଭା କଥା ମାଧ୍ୟମରେ ଏହାର ସତ୍ୟତାକୁ ତୋଳିବା ।

ଆପଣ କଣ ଏହି ଆଲେଖ୍ୟକୁ ପୁଣି ପ୍ରକାଶ କରିବାକୁ ଚାହୁଁଛନ୍ତି? ତେବେ, ଦୟାକରି [email protected]କୁ ଲେଖନ୍ତୁ ଓ [email protected]କୁ acc କରନ୍ତୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

Reporter : Subuhi Jiwani

Subuhi Jiwani is a writer and video-maker based in Mumbai. She was a senior editor at PARI from 2017 to 2019.

Other stories by Subuhi Jiwani
Editor : Sharmila Joshi

Sharmila Joshi is former Executive Editor, People's Archive of Rural India, and a writer and occasional teacher.

Other stories by Sharmila Joshi

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Series Editors : Sharmila Joshi

Sharmila Joshi is former Executive Editor, People's Archive of Rural India, and a writer and occasional teacher.

Other stories by Sharmila Joshi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE