ଏମ୍‌. ମାଧନ ଜାଣନ୍ତି ଯେ ୬୦ ଫୁଟ ଉଚ୍ଚ ଗଛ ଉପରେ ଚଢ଼ି ମହୁ ସଂଗ୍ରହ କରିବା, ବଣୁଆ ହାତୀରେ ଭର୍ତ୍ତି ମୁଦୁମଲାଇର ଘଞ୍ଚ ଜଙ୍ଗଲରେ କାମ କରିବା ଏବଂ ଶିକାରକୁ ଚାହିଁ ରହିଥିବା ପ୍ରାୟ ୬୫ଟି ବାଘଙ୍କ ମଧ୍ୟରେ ବନ୍ୟ ପରିବେଶରେ ରହିବାର ପରିଣତି କ’ଣ ହୋଇପାରେ ।

ଏଥିରୁ କେଉଁଟି ହେଲେ ତାଙ୍କୁ ଭୟଭୀତ କରାଇ ପାରିନଥିଲା । କେତୋଟି ବାଘକୁ ଅତି ପାଖରୁ ଦେଖିଛନ୍ତି ବୋଲି ଆମେ ଯେତେବେଳେ ତାଙ୍କୁ ପଚାରୁ, ସେ ହସି ଦିଅନ୍ତି: “ମୁଁ ଗଣିବା ବନ୍ଦ କରିଦେଇଥିଲି !”

କିନ୍ତୁ ଏବେ ଏକ ଭିନ୍ନ ଧରଣର ଆଚ୍ଛନ୍ନ ବିପଦ ତାଙ୍କୁ ଚିନ୍ତାରେ ପକାଇଛି । ମାଧନ ଏବଂ ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ଅଞ୍ଚଳରେ ପ୍ରାୟ ୯୦ଟି ପରିବାର ରହୁଥିବା ସାତଟି ପଲ୍ଲୀରୁ ଗୋଟିଏ ବେନ୍ନେର ଅନ୍ୟ ବାସିନ୍ଦାମାନଙ୍କୁ ହୁଏତ ଖୁବ୍‌ ଶୀଘ୍ର ନିଜ ନିଜର ପୈତୃକ ଘର ଓ ଜମି ଛାଡ଼ି ଯିବାକୁ ପଡ଼ିବ ।

ଜଙ୍ଗଲ ଭିତରେ ଥିବା ତାଙ୍କର ଘରବାଡ଼ି ଆମକୁ ଦେଖାଇ ଦିଅନ୍ତି ମାଧନ । ତାଙ୍କ ପରିବାରର ମାଟି ଏବଂ ନଡ଼ା ଛପର ଘରର ଠିକ୍‌ ପରେ ପରେ ରହିଛି ଦେବୀ ମାରିଆମ୍ମାଙ୍କ ମନ୍ଦିର ଏବଂ ଗହଳିଆଗଛ ପୁଞ୍ଜର ଛାଇ ତଳେ ଥିବା କବରସ୍ଥଳୀ, ଯେଉଁଠି ତାଙ୍କ ପୂର୍ବଜଙ୍କ ପିଢ଼ିର ଅନେକ ଭୂମିତଳେ ବିଶ୍ରାମ ନେଉଛନ୍ତି । ଆମକୁ ସେ ଦେଖାଇ ଦିଅନ୍ତି, ପାହାଡ଼ ଉପତ୍ୟକାର ଏକ ଝରଣା ଏବଂ ଭୋକିଲା ପଶୁମାନଙ୍କ ଦାଉରୁ ରକ୍ଷା କରିବା ଲାଗି କଣ୍ଟାବୁଦାରେ ଘେରା ତାଙ୍କ ପରିବାରର ପରିବା ଚାଷଜମି। ସେ କହନ୍ତି, “ଏହା ଆମର ଘର ।”

M. Madhan and other residents of Benne may soon have to leave behind their ancestral homes and land
PHOTO • Priti David
M. Madhan and other residents of Benne may soon have to leave behind their ancestral homes and land
PHOTO • Priti David

ଏମ୍‌. ମଧାନ ଓ ବେନ୍ନେର ଅନ୍ୟ ବାସିନ୍ଦାମାନଙ୍କୁ ହୁଏତ ଖୁବ୍‌ ଶୀଘ୍ର ସେମାନଙ୍କ ପୈତୃକ ଘର ଓ ଜମି ଛାଡ଼ି ଯିବାକୁ ହେବ

ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ମଧ୍ୟବର୍ତ୍ତୀ ଅଞ୍ଚଳ ଭିତରେ ଥିବା ସାତଟି ପଲ୍ଲୀ ମଧ୍ୟରୁ ଗୋଟିଏ ହେଲା ବେନ୍ନେ (ଜଙ୍ଗଲ ବିଭାଗ ଦସ୍ତାବେଜରେ ଉଲ୍ଲିଖିତ) । ଏସବୁ ପଲ୍ଲୀର ସମସ୍ତ ବାସିନ୍ଦା କାଟ୍ଟୁନାୟକନ୍‌ ଏବଂ ପାନିୟାନ୍‌ ଆଦିବାସୀ ସଂପ୍ରଦାୟର । ତାମିଲନାଡୁର ଜଙ୍ଗଲ ଭିତରେ ଥିବା ୬୮୮ ବର୍ଗ କିଲୋମିଟର ପରିମିତ ଏହି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ୨୦୦୭ରେ ମହତ୍ତ୍ୱପୂର୍ଣ୍ଣ ବାଘ ଆବାସସ୍ଥଳୀ ରୂପେ ଦର୍ଶାଇ ବିଜ୍ଞପ୍ତି ପ୍ରକାଶ ପାଇଲା । ଏବଂ ୨୦୧୩ରେ, ଇଚ୍ଛୁକ ଲୋକେ ୧୦ ଲକ୍ଷ ଟଙ୍କା ନେଇ ଜଙ୍ଗଲ ବାହାରେ ବସବାସ କରିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (NTCA)ଙ୍କ ପୁନର୍ବାସ ପ୍ରସ୍ତାବ ଲାଗୁ କରିବା ଦିଗରେ ଜଙ୍ଗଲ ବିଭାଗ ସକ୍ରିୟ ହୋଇଉଠିଲା । ୨୦୦୬ରେ ସଂଶୋଧିତ ଏନ୍‌ଟିସିଏର ଏହି ପୁନର୍ବାସ କାର୍ଯ୍ୟକ୍ରମରେ ‘ବ୍ୟାଘ୍ର ସଂରକ୍ଷଣକୁ ମଜଭୁତ’ କରିବାକୁ ଡାକରା ଏବଂ ଆର୍ଥିକ କ୍ଷତିପୂରଣ ପ୍ରଦାନ ପ୍ରସ୍ତାବ ରହିଛି ।

ବେନ୍ନେ ବାସିନ୍ଦାମାନେ ଏହି ପ୍ରସ୍ତାବକୁ ବିଚାର କରି ଦେଖିଲେ ଏବଂ ସେମାନଙ୍କ ମନ୍ଦିର ଏବଂ କବରସ୍ଥଳୀ ସହନିର୍ବିଘ୍ନରେ ଏବଂ ଅତି ନିକଟରେ ରହିବାକୁ ସ୍ଥିର କଲେ । ୨୦୧୬ ଜାନୁଆରୀ ୧୭ ତାରିଖ ଦିନ ୫୦ ଜଣ ସଦସ୍ୟ ବିଶିଷ୍ଟ ବେନ୍ନେ ଗ୍ରାମସଭାର ବୈଠକରେ ସର୍ବସମ୍ମତ ଭାବେ ଦୁଇଟି ପ୍ରସ୍ତାବ ଗୃହୀତ ଓ ସ୍ୱାକ୍ଷରିତ ହେଲା । ଯେଉଁଥିରେ ତାମିଲରେ କୁହାଯାଇଛି: ‘ବେନ୍ନେ ଆଦିବାସୀ ଗାଁ ଅନ୍ୟ କୌଣସି ଅଞ୍ଚଳରେ ପୁନର୍ସ୍ଥାପିତ ହେବ ନାହିଁ । ଆମର ଅନ୍ୟ ଏକ ଜାଗା ଦରକାର ନାହିଁ ଏବଂ ଆମର ଟଙ୍କା ଦରକାର ନାହିଁ ।’

ସେମାନଙ୍କ ନିଷ୍ପତ୍ତି ପଛରେ ଥିଲା ୨୦୦୬ର ଜଙ୍ଗଲ ଅଧିକାର ଆଇନ, ଯେଉଁଥିରେ ଉଲ୍ଲେଖ ରହିଛି ଯେ ଜଙ୍ଗଲ ଅଧିବାସୀମାନଙ୍କର ‘ଜଙ୍ଗଲ ଜମି ଉପରେ ବସବାସ ଏବଂ ମାଲିକାନା’ର ଅଧିକାର ରହିଛି । ଏହା ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, କୌଣସି ପଲ୍ଲୀ ବା ଗ୍ରାମରୁ ଲୋକଙ୍କୁ ବାହାର କରିବା ପୂର୍ବରୁ ‘ପ୍ରସ୍ତାବିତ ପୁନର୍ବାସ ଏବଂ କ୍ଷତିପୂରଣ ପ୍ୟକେଜ୍‌ ସଂପର୍କରେ ଅବାଧରେ ସୂଚିତ ଗ୍ରାମସଭାର ସମ୍ମତି’ ଲିଖିତ ଆକାରରେ ପ୍ରାପ୍ତ ହେବ ।

କିନ୍ତୁ ଗ୍ରାମସଭାରେ ପ୍ରସ୍ତାବ ଗ୍ରହଣର ଗୋଟିଏ ବର୍ଷ ଭିତରେ, ମାଧନଙ୍କ ପରିବାର ସହିତ ବେନ୍ନେର ଅନ୍ୟ ୪୪ଟି କାଟ୍ଟୁନାୟକନ୍‌ ଆଦିବାସୀ ପରିବାର, ସେମାନଙ୍କ ମତ ପରିବର୍ତ୍ତନ କଲେ ଏବଂ ୧୦ ଲକ୍ଷ ଟଙ୍କାର ପୁନର୍ବାସ ପ୍ୟାକେଜ୍‌ ଗ୍ରହଣ କରିନେଲେ। ୨୦୧୯ ଅକ୍ଟୋବରରେ ମାଧନ ମୋତେ କହିଥିଲେ, “ଆମକୁ କୌଣସି ବିକଳ୍ପ ଦିଆଯାଇ ନଥିଲା’’ । ‘‘ଜଙ୍ଗଲ ବିଭାଗ ରେଞ୍ଜର ଆମକୁ ବ୍ୟକ୍ତିଗତ ଭାବେ ଡାକୁଥିଲେ ଏବଂ ପୁନର୍ବିଚାର ଲାଗି ପ୍ରବର୍ତ୍ତାଉଥିଲେ । ସେ କହିଲେ ଯେ ଯଦି ଆମେ ଏବେ ନ ଯିବୁ, ପରେ ବଳପୂର୍ବକ ବାହାର କରିଦିଆଯିବ ଏବଂ ପଇସାଟିଏ ବି ମିଳିବ ନାହିଁ ।”

Madhan's family shrine
PHOTO • Priti David
"Now I am stopped and not allowed to enter [the forest]' says  G. Appu
PHOTO • Priti David

ବାମ: ମାଧନଙ୍କ ପରିବାରର ମନ୍ଦିର । ‘ସେ କହନ୍ତି, ଏହା ହିଁ ମୋ ଘର’। ଡାହାଣ: ଜି. ଆପ୍ପୁ କହନ୍ତି, “ଏବେ ମୋତେ ଅଟକାଇ ଦିଆଯାଉଛି ଏବଂ (ଜଙ୍ଗଲ) ଭିତରେ ପଶିବାକୁ ଛଡ଼ାଯାଉନାହିଁ”

୨୦୧୮ ଜୁନ୍‌ରେ ପୁନର୍ବାସ ରାଶିର ପ୍ରଥମ କିସ୍ତି ବାବଦ ୭ ଲକ୍ଷ ଟଙ୍କାରୁ ମାଧନଙ୍କ ପରିବାରକୁ ୫ ଲକ୍ଷ ୫୦ ହଜାର ଟଙ୍କା ମିଳିଲା । (NTCAର ନିର୍ଦ୍ଦେଶାବଳିରେ ଉଲ୍ଲେଖ ରହିଛି ଯେ ଜମି କିଣିବା ଲାଗି ପ୍ରଥମେ ୭ ଲକ୍ଷ ଟଙ୍କା ଦିଆଯିବ ଏବଂ ଅବଶିଷ୍ଟ ୩ ଲକ୍ଷ ଟଙ୍କା ତିନି ବର୍ଷ ପରେ ଦିଆଯିବ।) ସେହିଦିନ ହିଁ ରେଞ୍ଜର ପରିଚୟ କରାଇ ଦେଇଥିବା ଜଣେ ଜମି ମାଲିକଙ୍କ ପାଖକୁ ଟଙ୍କା ପଠାଇ ଦିଆଗଲା । ବେନ୍ନେ ର ତାଙ୍କ ବାସସ୍ଥଳୀରୁ ପ୍ରାୟ ଏକ କିଲୋମିଟର ଦୂରରେ ତାଙ୍କ ପରିବାରକୁ ୫୦ ସେଣ୍ଟ୍‌ (ଅଧା ଏକର) ଜମି ଦେବାକୁ ଜମି ମାଲିକ ପ୍ରସ୍ତାବ ଦେଇଥିଲେ । ଅନ୍ୟ ଆଡ଼କୁ ଚାହିଁ ସେ କହନ୍ତି, “ଏହା ଭିତରେ ବର୍ଷକରୁ ଅଧିକ ବିତିଗଲାଣି ଏବଂ ମୋତେ ଜମିର ମାଲିକାନା ସ୍ୱତ୍ୱ ମିଳିନାହିଁ । ତେଣୁ ମୁଁ ଯାଇନାହିଁ । ମୋ ପାଖରେ ମାଲିକାନା ନାହିଁ କି ଟଙ୍କା ନାହିଁ ।”

ବେନ୍ନେ ଗ୍ରାମସଭା ଅଧ୍ୟକ୍ଷ ୪୦ ବର୍ଷୀୟ ଜି. ଆପ୍ପୁ କହନ୍ତି, “ରେଞ୍ଜର ଜମି ଦଲାଲମାନଙ୍କୁ ଆଣିବେ ଏବଂ ସେମାନେ ଜଣ ଜଣ କରି ଆମକୁ ଭଲ ଜମି ଓ ଘର ଦେବାକୁ କହି ବିଶ୍ୱାସ ଜନ୍ମାଇବେ ।” ଚାରିଟି ଅନ୍ୟ ପରିବାର ସହ ଆପ୍ପୁ ତାଙ୍କ ପୁନର୍ବାସ ପ୍ୟାକେଜ୍‌ ବାବଦ ଅର୍ଥକୁ ମିଶାଇ ଦୁଇ ଏକର ଜମିକୁ ୨୫ ଲକ୍ଷ ଟଙ୍କାରେ କିଣିଥିଲେ । ସେ କହନ୍ତି, “ସେମାନେ (ଜମି ମାଲିକ, ଓକିଲ ଏବଂ ରେଞ୍ଜର) ଟଙ୍କା ହସ୍ତାନ୍ତର କରିବା ଲାଗି କୋର୍ଟ ଆଗରେ ଥିବା ଅଫିସ୍‌ରେ ଚାଲାଣ  ଫର୍ମ ପୂରଣ କରିଦେଲେ’’ । ଏବେ ସେମାନେ କହୁଛନ୍ତି, ଆମକୁ ତୁମର ପରବର୍ତ୍ତୀ କିସ୍ତି ଟଙ୍କାରୁ ଆଉ ୭୦,୦୦୦ ଟଙ୍କା ଦେଲେ ହିଁ ତୁମେମାନେ ମାଲିକାନା ସ୍ୱତ୍ୱ ପାଇବ ।”

ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇ ଏବଂ ଯେ କୌଣସି ସମୟରେ ବାସଚ୍ୟୁତ ହେବାର ଆଶଙ୍କା ଭିତରେ, ମାଧନ ଓ ଆପ୍ପୁ, ସେମାନଙ୍କ ପାରମ୍ପରିକ ରୋଜଗାର ପନ୍ଥା ହରାଇ ସଂଘର୍ଷ କରୁଛନ୍ତି । ଆପ୍ପୁ କହନ୍ତି,“ପୂର୍ବରୁ ମୁଁ ଔଷଧୀୟ ପତ୍ର, ମହୁ, ନେଲ୍ଲିକାଇ (ଅଁଳା), କର୍ପୂର ଏବଂ ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିଲି । ଏବେ ମୋତେ ଅଟକାଇ ଦିଆଯାଉଛି ଏବଂ ପଶିବାକୁ ଦିଆଯାଉନାହିଁ ।” କଥା ମିଶାଇ ମାଧନ କହନ୍ତି, “ଆମେ ଯଦି ଯାଉ, ଆମକୁ ମାଡ଼ ମରାଯାଏ, ଯଦିଚ ଆମେ କୌଣସି ନିୟମ ଭାଙ୍ଗି ନଥାଉ ।”

ମାଧନ ଓ ଆପ୍ପୁଙ୍କ ରାସ୍ତାରେ ନ ଯାଇ, ୨୦୧୮ରେ ତାଙ୍କ ପଡ଼ୋଶୀ କେ.ଓନାଥି ନୂତନ ବେନ୍ନେ ଗାଁକୁ (ସେମାନେ ଏହାକୁ ‘ନମ୍ବର ୱାନ୍‌’ ବୋଲି କହନ୍ତି) ଚାଲି ଯାଇଥିଲେ । ସେମାନଙ୍କ ପୁରୁଣା ପଲ୍ଲୀଠାରୁ ଏହା ପ୍ରାୟ ଏକ କିଲୋମିଟର ଦୂର ।

M. Chennan, Madhan's neighbour
PHOTO • Priti David
Within a year after the gram sabha resolution, 45 Kattunayakan Adivasi families of Benne changed their mind and accepted the Rs. 10 lakhs relocation package
PHOTO • Priti David

ଏମ୍‌.ଚେନ୍ନାନ (ବାମ), ମାଧନଙ୍କ ପଡ଼ୋଶୀ; ଗ୍ରାମସଭା ପ୍ରସ୍ତାବର ବର୍ଷକ ଭିତରେ, ବେନ୍ନେର ୪୫ଟି କଟ୍ଟୁନାୟକନ୍‌ ଆଦିବାସୀ ପରିବାର ସେମାନଙ୍କ ମତ ବଦଳାଇଲେ ଏବଂ ୧୦ ଲକ୍ଷ ଟଙ୍କାର ପୁନର୍ବାସ ପ୍ୟାକେଜ୍‌ ଗ୍ରହଣ କରିନେଲେ

ମୁଁ ଯାଇଥିବା ସମୟରେ, ଓନାଥି ତାଙ୍କ ନୂଆ ଘର ବାହାରେ ବାଉଁଶ ଖୁଣ୍ଟ ଓ ପ୍ଲାଷ୍ଟିକ୍‌ ଚାଦରରେ ତିଆରି ଏକ ଅସ୍ଥାୟୀ ରନ୍ଧାଘରେ ତାଙ୍କ ପରିବାର ପାଇଁ ପ୍ରାତଃଭୋଜନ ରାନ୍ଧୁଥିଲେ । ନୂଆ ଘର, ଅର୍ଥାତ୍‌ ସିମେଣ୍ଟରେ ତିଆରି ଦୁଇଟି କୋଠରି ଯାହାର ରଙ୍ଗ ପରସ୍ତ ପରସ୍ତ ହୋଇ ଛାଡୁଥିଲା ଏବଂ କବାଟରେ ଫାଟ ଦେଖାଦେଇଥିଲା । କେବେ କେମିତି ଓନାଥି ପାଖ ଚା’ ବଗିଚାରେ କିମ୍ବା ଜାନୁଆରୀ-ଫେବ୍ରୁଆରୀ ମାସର ତୋଳିବା ସମୟରେ, କଫି ଓ ଗୋଲମରିଚ ବଗିଚାରେ ଶ୍ରମିକ ଭାବରେ କାମ କରି ଦିନକୁ ୧୫୦ ଟଙ୍କା ରୋଜଗାର କରୁଥିଲେ । କିନ୍ତୁ କାମ କମ୍‌ ମିଳୁଥିଲା ।

ଓନାଥିଙ୍କ ଭଳି କାଟ୍ଟୁନାୟକନ୍‌ ଆଦିବାସୀମାନେ (ତାମିଲନାଡୁରେ ସେମାନଙ୍କ ସଂଖ୍ୟା ପ୍ରାୟ ୨,୫୦୦ ବୋଲି କହନ୍ତି ନୀଳଗିରିସ୍ଥିତ ସରକାରୀ ଆଦିବାସୀ ଗବେଷଣା କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ସି.ଆର୍‌.ସତ୍ୟନାରାୟଣ) ବହୁ ବର୍ଷ ଧରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ଅଞ୍ଚଳର ଛୋଟ ଛୋଟ କଫି ଏବଂ ଗୋଲମରିଚ ବଗିଚାରେ ଦିନ ମଜୁରିଆ ଭାବରେ କାମ କରିଆସୁଛନ୍ତି । ବହୁ ବଗିଚା ମାଲିକ ମଧ୍ୟ ପୁନର୍ବାସ ପ୍ୟାକେଜ୍‌ ନେଇ ପାଖାପାଖି ୨୦୧୮ ମସିହାରେ ବାହାରକୁ ଚାଲିଗଲେ ଏବଂ ଦିନ ମଜୁରିଆଙ୍କ ପାଇଁ କାମ କମିଗଲା ।

ଓନାଥି କହନ୍ତି, “ଆମକୁ କିଛି ଟଙ୍କା (୧୦ ଲକ୍ଷ ଟଙ୍କା) ମିଳିଯିବ ବୋଲି ଭାବି ମୁଁ ଏଠାକୁ ଚାଲିଆସିଲି, କିନ୍ତୁ ପ୍ରାୟ ସବୁ ଚାଲିଗଲା । ‘‘ମୋତେ ୫୦  ସେଣ୍ଟ ଜମି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଦଲାଲ ଓ ବିକାଳିଙ୍କ ପାଖକୁ ଛଅ ଲକ୍ଷ ଟଙ୍କା ଚାଲିଗଲା । ଏହି ଘରଟି ପାଞ୍ଚ ସେଣ୍ଟ ଜମି ଉପରେ ଅଛି, ଆଉ ବାକି ୪୫  ସେଣ୍ଟ କେଉଁଠି ମୁଁ ଜାଣିନି । ମୋ ପାଖରେ କାଗଜପତ୍ର ନାହିଁ ।” ରେଞ୍ଜର ଚିହ୍ନା କରାଇ ଦେଇଥିବା ଜଣେ ଓକିଲ ତାଙ୍କ “ଫି’ ବାବଦରେ ୫୦,୦୦୦ ଟଙ୍କା ନେଇଗଲେ, ଏଇ ଘରଟି ପାଇଁ ମୋତେ ୮୦,୦୦୦ ଖର୍ଚ୍ଚ କରିବାକୁ ପଡ଼ିଲା ଏବଂ ବିଦ୍ୟୁତ୍‌ ସଂଯୋଗ ନେବା ପାଇଁ ୪୦,୦୦୦ଟଙ୍କା ଦେବାକୁ ସେମାନେ କହିଲେ ।”

ବେନ୍ନେର ପୂର୍ବ ଦିଗରେ ପ୍ରାୟ ୩୦ କିଲୋମିଟର ଦୂରରେ ରହିଛି ନାଗମ୍‌ପାଲ୍ଲୀ ପଲ୍ଲୀ । ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଭିତରେ ଛଅ କିଲୋମିଟର ଦୂର । ୨୦୧୮ ଫେବ୍ରୁଆରୀରେ ୩୨ ବର୍ଷୀୟା କମଲାଚି ଏମ୍‌. ଏଠାରୁ ସଂରକ୍ଷିତ ଅଞ୍ଚଳ ବାହାରେ ଥିବା ମାଚିକୋଲିକୁ ଚାଲିଯାଇଥିଲେ । ସାଙ୍ଗରେ ଥିଲେ ତାଙ୍କର ୩୫ ବର୍ଷୀୟ ଦିନ ମଜୁରିଆ ସ୍ୱାମୀ ମାଧବନ୍‌, ସେମାନଙ୍କ ପିଲାମାନେ, ବାପା ଓ ମାଆ, ଜଣେ ବିଧବା ଭଉଣୀ ଏବଂ ତାଙ୍କର ଦୁଇ ପିଲା ।

'I moved here thinking we will get some money [the Rs. 10 lakhs compensation] but almost all is gone', Onathi says
PHOTO • Priti David
'I moved here thinking we will get some money [the Rs. 10 lakhs compensation] but almost all is gone', Onathi says
PHOTO • Priti David

ଓନାଥି କହନ୍ତି, ‘ଆମକୁ କିଛି ଟଙ୍କା (୧୦ ଲକ୍ଷ ଟଙ୍କାର କ୍ଷତିପୂରଣ) ମିଳିଯିବ ବୋଲି ଭାବି ମୁଁ ଏଠାକୁ ଚାଲିଆସିଲି, କିନ୍ତୁ ପ୍ରାୟ ସବୁ ଚାଲିଯାଇଛି’

ପ୍ରତିଶ୍ରୁତି ମୁତାବକ ୧୦ ଲକ୍ଷ ଟଙ୍କା ଏବଂ ସେ ପାଳିଥିବା କେତେକ ଛେଳି ଯୋଗୁଁ କମଲାଚି ଯିବା ବେଳେ ଆଶ୍ୱସ୍ତ ଥିଲେ । ଛେଳିଗୁଡ଼ିକ ତ ବଞ୍ଚିଛନ୍ତି, କିନ୍ତୁ ତାଙ୍କ ପୁନର୍ବାସ କ୍ଷତିପୂରଣ ଟଙ୍କା ଜମା ହେବାର କେଇ ମିନିଟ୍‌ ମଧ୍ୟରେ ଉଠାଣ ହୋଇଯାଇଥିଲା । ତାଙ୍କ ଜମାଖାତାରୁ ଜଣାଯାଏ ଯେ ୨୮ ନଭେମ୍ବର ୨୦୧୮ ତାରିଖ ସୁଦ୍ଧା ସେ ୫.୭୩ ଲକ୍ଷ ଟଙ୍କା ପାଇଥିଲେ ଏବଂ ସେହିଦିନ ହିଁ ଅଧା ଏକର ଜମିର ମୂଲ୍ୟ ବାବଦରେ ସେଥିରୁ ୪.୭୩ ଲକ୍ଷ ଟଙ୍କା ଜଣେ ‘ରୋଜାମ୍ମା’ଙ୍କ ଆକାଉଣ୍ଟକୁ ପଠାଇ ଦିଆଯାଇଥିଲା । ଅଥଚ, ତାଙ୍କ ମାଲିକାନା ପ୍ରମାଣିତ କରିବା ଲାଗି ଏ ପର୍ଯ୍ୟନ୍ତ ତାଙ୍କୁ କୌଣସି ପଞ୍ଜୀକୃତ ଦସ୍ତାବିଜ୍‌ ମିଳିନାହିଁ ।

କମଲାଚି ତାଙ୍କ ସଂପ୍ରଦାୟରେ ଅପେକ୍ଷାକୃତ ଭଲ ପାଠ ପଢ଼ିଛନ୍ତି – କାଟ୍ଟୁନାୟକନ୍‌ ଆଦିବାସୀଙ୍କ ମଧ୍ୟରେ ସାକ୍ଷରତା ହାର ୪୮ ପ୍ରତିଶତ । ତାଙ୍କ ପାଖରେ ୧୨ଶ ଶ୍ରେଣୀ ସାର୍ଟିଫିକେଟ୍‌ ରହିଛି ଏବଂ ସେ ଶିକ୍ଷୟିତ୍ରୀ ହେବା ଲାଗି ପ୍ରଶିକ୍ଷଣ ନେଇଛନ୍ତି (ଯଦିଚ ସେ ଦିନ ମଜୁରିଆ ଶ୍ରମିକ ଭାବେ କାମ କରନ୍ତି) । ତଥାପି ସେ ଏହି ଧମକଚମକର ମୁକାବିଲା କରିପାରିଲେ ନାହିଁ । “ସେ (ରେଞ୍ଜର) ସମସ୍ତଙ୍କୁ କହି ବୁଲିଲେ ଯେ ତୁମମାନଙ୍କୁ ଏବେ ହିଁ ଗାଁ ଛାଡ଼ି ଯିବାକୁ ହେବ ଏବଂ ଏବେ ଯଦି ତୁମେ ଚାଲିଯାଅ ତା’ହେଲେ କ୍ଷତିପୂରଣ ପାଇବ, ପରେ ନୁହଁ । ପାଞ୍ଚ ପିଢ଼ିରୁ ଅଧିକ କାଳ ଧରି ଆମେ ନାଗମପାଲ୍ଲୀରେ ରହିଛୁ । ଆମେ ଯେତେବେଳେ ଛାଡ଼ି ଚାଲିଗଲୁ ଆମକୁ ଲାଗିଲା ସତେ ଯେପରି ଏକ ବିପର୍ଯ୍ୟୟ ଘଟିଲା, ସତେ ଯେମିତି ଆମେ ସବୁକିଛି ହରାଇ ବସିଲୁ ।”

ନାଗମପାଲ୍ଲୀର ଅନ୍ୟ ଦୁଇଟି କାଟ୍ଟୁନାୟକନ ଏବଂ ୧୫ଟି ପାନିୟାନ୍‌ ପରିବାର ମଧ୍ୟ ବିନା ମାଲିକାନା ସ୍ୱତ୍ୱରେ ନିଜଘର ଛାଡ଼ି କୌଣସି ସୁବିଧା ନଥିବା ଘରଗୁଡ଼ିକୁ ଚାଲିଗଲେ । ତେଣୁ ୨୦୧୮ ଅକ୍ଟୋବର ୨ ତାରିଖ ଦିନ ନାଗମପାଲ୍ଲୀ ଗ୍ରାମସଭାରେ ଏକ ପ୍ରସ୍ତାବ ଗୃହୀତ ହେଲା, ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ ସେମାନଙ୍କ ମଧ୍ୟରୁ କେତେ ଜଣ ବିନା ମାଲିକାନା ସ୍ୱତ୍ୱରେ ଚଢ଼ା ଦାମରେ ଜମି ବିକି ଦେଇଛନ୍ତି ଏବଂ ପାଣି, ବିଦ୍ୟୁତ୍‌, ରାସ୍ତା ଓ କବରସ୍ଥଳୀ ପାଇଁ ସ୍ଥାନ ଭଳି ସୁବିଧା ସହିତ ସେମାନଙ୍କୁ ଘର ଯୋଗାଇ ଦେବାକୁ ସେମାନେ ଏଥିରେ ନୀଳଗିରି ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ।

କିଛି ମାସ ପରେ, ୨୦୧୯ ଜାନୁଆରୀରେ, ମାଧନ, ଓନାଥି ଏବଂ କମଲାଚିଙ୍କ ଉଦ୍‌ବେଗ ସଂପର୍କରେ ଶ୍ରୀମଦୁରାଇରେ ଥିବା ଆଦିବାସୀ ମୁନ୍ନେତ୍ରା ସଂଗମ (AMS) କାର୍ଯ୍ୟାଳୟରେ ଆଲୋଚନା ହେଲା । ଜମି ଓ ଅଧିକାର ସଂପର୍କିତ ସେମାନଙ୍କ ସମସ୍ୟାର ସମାଧାନ ଏବଂ ଏହାକୁ ଶକ୍ତି ଯୋଗାଇବା ପାଇଁ ୧୯୮୬ରେ ଗୁଡ଼ାଲୁରର ଏହି ଆଦିବାସୀ ସଂଗଠନ ଗଠିତ ହୋଇଥିଲା । ଗୁଡ଼ାଲୁର ଏବଂ ପାଣ୍ଡାଲୁର ତାଲୁକରେ ଏହାର ୨୦,୦୦୦ରୁ ଅଧିକ ସଦସ୍ୟ ଅଛନ୍ତି ।୨୦୧୯ ଜାନୁଆରୀ ୨୬ତାରିଖ ଦିନ ସେମାନେ ନୂଆଦିଲ୍ଲୀସ୍ଥିତ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି କମିସନ ଅଧ୍ୟକ୍ଷଙ୍କ ପାଖକୁ ଏକ ଚିଠି ପଠାଇଲେ ।

PHOTO • Priti David
PHOTO • Priti David

କମଲାଚି ଓ ତାଙ୍କ ବାପାମାଆ ଘର ଛାଡ଼ି ଯିବା ବେଳେ ପ୍ରତିଶ୍ରୁତି ମୁତାବକ ୧୦ ଲକ୍ଷ ଟଙ୍କା ଏବଂ ସେ ପାଳିଥିବା କେତେକ ଛେଳି ଯୋଗୁଁ ଆଶ୍ୱସ୍ତ ଥିଲେ । ଛେଳିଗୁଡ଼ିକ ବଢୁଛନ୍ତି, କିନ୍ତୁ ତାଙ୍କ ପୁନର୍ବାସ ଟଙ୍କା ଜମା ହେବାର କେଇ ମିନିଟ୍‌ ଭିତରେ ଉଠା ହୋଇଯାଇଥିଲା ।

AMS ସଂପାଦକ ତଥା ଜଣେ ମୁଲ୍ଲୁକୁରୁମ୍ବା ଆଦିବାସୀ କେ.ଟି. ସୁବ୍ରମଣି କହନ୍ତି, ୨୦୧୯ ମାର୍ଚ୍ଚ ୬ ତାରିଖ ଦିନ ସେମାନେ ମଧ୍ୟ ଉଧାଗମଣ୍ଡଳମ୍‌ (ଉଟି) ଯାଇ ଜିଲ୍ଲାପାଳ (ଇନୋସେଣ୍ଟ ଦିବ୍ୟା)ଙ୍କୁ ଦୁଇ ପୃଷ୍ଠାର ଆବେଦନ ଦେଇଥିଲେ । ଆବେଦନରେ ଠକାମି ବିଷୟରେ ବିସ୍ତୃତ ବିବରଣୀ ଥିଲା ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ଅନୁରୋଧ କରାଯାଇଥିଲା । ଏହା ନାଗମପାଲ୍ଲୀ ଗ୍ରାମସଭାର ଲେଟର୍‌ପ୍ୟାଡ୍‌ରେ ଲେଖାଯାଇଥିଲା ଏବଂ ୨୦ରୁ ଅଧିକ ସଦସ୍ୟ ସ୍ୱାକ୍ଷର କରିଥିଲେ ।

ଶେଷରେ, ୨୦୧୯ ସେପ୍ଟେମ୍ବର ୩ ତାରିଖ ଦିନ ଗୁଡ଼ାଲୁର ଥାନାରେ (ନାଗମପାଲ୍ଲୀ ପଲ୍ଲୀରୁ ଗୁଡ଼ାଲୁର ସହର ପ୍ରାୟ ୨୦ କିଲୋମିଟର ଦୂର) (ପ୍ରଥମ ସୂଚନା ରିପୋର୍ଟ ଅନୁସାରେ) ଦାୟର ଏକ ଏତଲାରେ ନଅ ଜଣଙ୍କର ନାମ ରହିଲା । ଏତଲାରେ ସୁରେଶ କୁମାର (ବନ ବିଭାଗ ରେଞ୍ଜର) ଏବଂ ସୁଗୁମାରନ (ଓକିଲ)ଙ୍କ ସମେତ ଜମି ମାଲିକ ଏବଂ ଦଲାଲମାନଙ୍କର ନାଁ ରହିଥିଲା। ଏତଲାରେ ‘ଅପରାଧିକ ଷଡ଼ଯନ୍ତ୍ର’ ଏବଂ ‘ଜାଲିଆତି ପାଇଁ ଦଣ୍ଡ’ ଭଳି ଦଫା ସମେତ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଦଫା ଲାଗିଥିଲା । ଏଥିରେ ଉକ୍ତ ନଅ ଜଣଙ୍କ ବିରୋଧରେ ୧୯୮୯ର ଅଧିସୂଚିତ ଜାତି ଓ ଅଧିସୂଟିତ ଜନଜାତି (ଅତ୍ୟାଚାର ନିରୋଧକ) ଆଇନ ଅନୁସାରେ ବି ଅଭିଯୋଗ ରହିଥିଲା ।

AMSର ଓକିଲ ଜି.ମାଲ୍ଲାଇଚାମି କହନ୍ତି, “କେତେକ ଲୋକ ପଢ଼ିପାରୁ ନଥିବାରୁ ସେମାନଙ୍କୁ ବ୍ୟାଙ୍କ ଚାଲାଣରେ ସ୍ୱାକ୍ଷର କରିବାକୁ କୁହାଗଲା ଏବଂ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ବାହାର କରି ନିଆଯାଇଥିଲା । ଆମେ ସେମାନଙ୍କ ନାଁରେ ଏତଲା ଦେଇଛୁ ।”

୨୦୧୯ ଅକ୍ଟୋବରରେ, ଏତଲାରେ ନାଁ ରହିଥିବା ବନ ବିଭାଗ ରେଞ୍ଜର ସୁରେଶ କୁମାର ମୋ ସହିତ ଫୋନ୍‌ରେ କଥା ହୋଇଥିଲେ ଏବଂ ସବୁ ଅଭିଯୋଗକୁ ଅସ୍ୱୀକାର କରିଥିଲେ । “ମୁଁ କାହାରିକୁ ଜୋରଜବରଦସ୍ତ କରିନାହିଁ, ସେମାନେ ଛାଡ଼ି ଚାଲିଯିବାକୁ ଚାହୁଁଥିଲେ । ମୁଁ NTCAର ନିର୍ଦ୍ଦେଶାବଳି ଅନୁସାରେ କାମ କରିଛି । ତଦନ୍ତ ଚାଲିଛି । ମୁଁ କିଛି ଭୁଲ କରିନାହିଁ । ମୁଁ ଜଣେ ସରକାରୀ ଚାକିରିଆ ।”

ଏତଲାରେ ନାଁ ଥିବା ଓକିଲ କେ.ସୁକୁମାରନ୍‌ ମଧ୍ୟ ଏସବୁ ଅଭିଯୋଗ ବାଜେକଥା ବୋଲି କହନ୍ତି: “ଏହା ଏକ ମିଥ୍ୟା ଏତଲା ଏବଂ ଭୁଲ ତଥ୍ୟ ଉପରେ ପର୍ଯ୍ୟବେସିତ ଏବଂ ମୋତେ ଅସାମାଜିକ ବ୍ୟକ୍ତିମାନେ ଫସେଇବାକୁ ବସିଥିବାରୁ ମୁଁ ଆଗୁଆ ଜାମିନ (ନଭେମ୍ବରରେ) ନେଇସାରିଛି ।”

PHOTO • Priti David
PHOTO • Priti David

ବାମ:ଓକିଲ ଜି.ମାଲ୍ଲାଇଚାରି କହନ୍ତି, “କେତେକ ଲୋକ ପଢ଼ିପାରୁ ନଥିବାରୁ ସେମାନଙ୍କୁ ବ୍ୟାଙ୍କ ଚାଲାଣରେ ସ୍ୱାକ୍ଷର କରିବାକୁ କୁହାଗଲା ଏବଂ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ବାହାର କରି ନିଆଯାଇଥିଲା । ଡାହାଣ: AMS ସଂପାଦକ ତଥା ଜଣେ ମୁଲ୍ଲୁକୁରୁମ୍ବା ଆଦିବାସୀ, କେ.ଟି. ସୁବ୍ରମଣି କହନ୍ତି, ୨୦୧୯ ମାର୍ଚ୍ଚରେ ସେମାନେ ମଧ୍ୟ ଜିଲ୍ଲାପାଳଙ୍କୁ ଦୁଇ ପୃଷ୍ଠାର ଏକ ଆବେଦନ ଦେଇଥିଲେ

ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଜାରି ଏକ ଦସ୍ତାବିଜ୍‌ରେ କୁହାଯାଇଛି ଯେ ପୁନର୍ବାସ କ୍ଷତିପୂରଣ ପାଇବା ଲାଗି ୭୦୧ଟି ପରିବାର ଯୋଗ୍ୟ ବିବେଚିତ ହୋଇଥିଲେ । ୧ମ ଏବଂ ୨ୟ ପର୍ଯ୍ୟାୟରେ, ସାତଟି ପଡ଼ା ଗାଁର ୪୯୦ ପରିବାର ସ୍ଥାନାନ୍ତରିତ ହୋଇଛନ୍ତି । ଏବେ ଚାଲିଥିବା ୩ୟ ପର୍ଯ୍ୟାୟରେ ଅବଶିଷ୍ଟ ୨୧୧ ପରିବାରଙ୍କୁ ସ୍ଥାନାନ୍ତର କରାଯିବ । ଆଉ ୨୬୩ଟି ପରିବାର ପୁନର୍ବାସ ଲାଗି ‘ଅଯୋଗ୍ୟ’ ରୂପେ ଚିହ୍ନିତ ହୋଇଛନ୍ତି, କାରଣ ସେମାନଙ୍କ ପାଖରେ ଜମିର ମାଲିକାନା ସ୍ୱତ୍ୱ ନାହିଁ କିମ୍ବା ସେମାନେ ସଂରକ୍ଷଣ ପ୍ରକଳ୍ପ ବାହାରେ ରହନ୍ତି ।

୨୦୧୯ ମାର୍ଚ୍ଚରେ ମୁଦୁମଲ୍ଲାଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କେ.କେ.କୌଶଲର କହନ୍ତି, “NTCA ନିର୍ଦ୍ଦେଶାବଳି ଅନୁସାରେ ଏହା ଏକ ସ୍ୱେଚ୍ଛାକୃତ ପୁନର୍ବାସ’’ । ‘‘ଆମ ରେକର୍ଡ ଅନୁସାରେ ଏ ପର୍ଯ୍ୟନ୍ତ ମୋଟ ୪୮ କୋଟି ଟଙ୍କା ଦିଆସରିଛି ଏବଂ ୩ୟ ପର୍ଯ୍ୟାୟ ପାଇଁ ୨୦ କୋଟି ଟଙ୍କା ରହିଛି ।”

ଇତ୍ୟବସରରେ, ଗୁଡ଼ାଲୁର ରାଜସ୍ୱ ମଣ୍ଡଳ ଅଧିକାରୀ ରୂପେ ୨୦୧୮  ଡିସେମ୍ବରରେ (ଏହା ତାଙ୍କର ପ୍ରଥମ ନିଯୁକ୍ତି) ଦାୟିତ୍ୱ ନେଇଥିବା କେ.ଭି.ରାଜକୁମାର ପୁନର୍ବାସ ପ୍ରସଙ୍ଗକୁ ବିଚାରକୁ ନେଇଛନ୍ତି । ବହୁ ମାସ ଧରି ଏହି ମାମଲାର ଅନୁଧ୍ୟାନ କରିଛନ୍ତି ବୋଲି ସେ କହନ୍ତି । “୨୦୧୯ ଡିସେମ୍ବରରେ ମୁଁ ମୁଦୁମଲ୍ଲାଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଥିଲି । କେବଳ ୧୦ଲକ୍ଷ ଟଙ୍କା ହସ୍ତାନ୍ତର କରିବା ନୁହେଁ, NTCA ନିର୍ଦ୍ଦେଶାବଳି ଅନୁସାରେ ବିସ୍ଥାପିତଙ୍କ ପାଇଁ ସାଧନ ସୃଷ୍ଟି କରିବା ଲାଗି ମୁଁ କହିଥିଲି । କେବଳ ପୁନର୍ବାସ ନୁହେଁ, ଆମେ ଥଇଥାନ ଏବଂ ଜୀବିକା ପୁନର୍ଗଠନ ଉପରେ ଧ୍ୟାନ ଦେବା ଉଚିତ ।”

ତେଣେ ବେନ୍ନେରେ, ଏକଦା ଦୃଢ଼ମନା ଏବଂ ଆତ୍ମବିଶ୍ୱାସୀ ଆପ୍ପୁ ଓ ମାଧନଙ୍କ ଭଳି ଗ୍ରାମସଭା ସଦସ୍ୟମାନେ ଏବେ ଦୁଶ୍ଚିନ୍ତାରେ କାଳ କାଟୁଛନ୍ତି । ଆପ୍ପୁ କହନ୍ତି, “ଆମେ ବାଘ ଓ ହାତୀଙ୍କୁ ଭୟ କରୁନୁ। ଆମେ କେବଳ କେତେକ ମଣିଷଙ୍କୁ ଭୟ କରୁଛୁ ।” ତାଙ୍କ ମନ୍ଦିର ଓ କବରସ୍ଥଳୀକୁ ପଛରେ ଛାଡ଼ି ଆସିଥିବାରୁ ମାଧନଙ୍କୁ ଚିନ୍ତା ଘାରିଛି । “ସେମାନେ ଆମକୁ ସବୁବେଳେ ସୁରକ୍ଷା ଦେଇ ଆସୁଥିଲେ । ଏବେ ମୁଁ ଭବିଷ୍ୟତକୁ ଡରୁଛି ।”

PHOTO • Priti David

ଅନିଶ୍ଚିତତା ଘେରକୁ ବିସ୍ଥାପିତ:‘ନୂଆ’ ବେନ୍ନେ ପଲ୍ଲୀରେ ପରିବାର

ଏହି ଲେଖା ସଂପାଦନରେ ସଦୟ ସହାୟତା ପାଇଁ ଏହି ସାମ୍ବାଦିକ ଗୁଡ଼ାଲୁରର ଏ.ଏମ୍‌.କରୁଣାକରନ୍‌ଙ୍କୁ ଧନ୍ୟବାଦ ଜଣାନ୍ତି ।

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Priti David

ପ୍ରୀତି ଡେଭିଡ୍‌ ଜଣେ ସାମ୍ବାଦିକା ଏବଂ ଆମର ଶିକ୍ଷା ସଂପାଦିକା । ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଶ୍ରେଣୀଗୃହ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଲାଗି ସେ ବିଭିନ୍ନ ସ୍କୁଲ୍‌ ଏବଂ କଲେଜ ସହ କାର୍ଯ୍ୟରତ ।

Other stories by Priti David