“ମୋର ଯୌବନ ସମୟରେ ସେଠାରେ ଅନେକ କରଦାତା ନଥିଲେ କିନ୍ତୁ ବର୍ତ୍ତମାନ ମେସିନ୍‌, କୀଟନାଶକ ଓ ସାର ଆଦି କିଣିବା ପାଇଁ ଚାଷୀମାନଙ୍କୁ ପଇସା ଅଧିକ ଦରକାର ହେଉଥିବାରୁ ବହୁସଂଖ୍ୟକ ଚାଷୀ ବର୍ତ୍ତମାନ ଋଣ ନେଉଛନ୍ତି,” ବୋଲି ବଡଗାଓଁ ଗ୍ରାମର ସୁଖଲାଲ ସୁଲିୟା କୁହନ୍ତି ।

“ଆମେମାନେ ଗାଈ ଗୋବର ବ୍ୟବହାର କରୁଥିଲୁ, ଯାହା ମାଟି ପାଇଁ ହିତକାରୀ ଥିଲା ଓ ଏଥିପାଇଁ ଆମକୁ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡୁନ ଥିଲା । କିନ୍ତୁ ତା’ପରେ ସରକାର ୟୁରିଆ ଓ ବିଭିନ୍ନ କୀଟନାଶକଗୁଡ଼ିକର ବ୍ୟବହାର କରିବା ଦ୍ୱାରା ଆମର ଫସଲ ଉତ୍ପାଦନ ହାର ବୃଦ୍ଧି ପାଇବ ବୋଲି କହି ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ଏହାର ପ୍ରଚାର କରିବାକୁ ଆରମ୍ଭ କଲେ । ଏସବୁ ପଦାର୍ଥ ମାଟିକୁ ନଷ୍ଟ କରିଦେଉଛି ତଥାପି ବର୍ତ୍ତମାନ, ୪୦ ବର୍ଷ ପରେ ମଧ୍ୟ ଅଧିକାଂଶ ଚାଷୀ ଏହାକୁ ନିଜ ଜମିରେ ବ୍ୟବହାର କରୁଛନ୍ତି ଓ ଏହି ସାର ଓ କୀଟନାଶକ ବାବଦକୁ ପ୍ରଚୁର ଅର୍ଥ ମଧ୍ୟ ବ୍ୟୟ କରୁଛନ୍ତି । ତା’ପରେ ମଧ୍ୟସ୍ଥି ଜରିଆରେ ନିଜର ଉତ୍ପାଦକୁ ବଜାରରେ ବିକ୍ରି କରୁଛନ୍ତି, ଯେଉଁଥିରେ ସେମାନଙ୍କୁ ବେଶି ଲାଭ ମିଳେନାହିଁ  କିନ୍ତୁ ମଧ୍ୟସ୍ଥିମାନେ ସେମାନଙ୍କ ଉତ୍ପାଦ ସବୁ କମ୍‌ ମୂଲ୍ୟରେ କିଣି ସେମାନଙ୍କ ଗ୍ରାହକମାନଙ୍କୁ ବହୁ ଉଚ୍ଚ ମୂଲ୍ୟରେ ବିକ୍ରି କରନ୍ତି । ଏହି କାରଣରୁ ଚାଷୀମାନେ ଅଧିକ ଅର୍ଥ ଉପାର୍ଜନ କରିପାରୁନାହାନ୍ତି’’ ବୋଲି ସେ ଦୁଃଖର ସହିତ ପ୍ରକାଶ କରନ୍ତି ।

ମଧ୍ୟ ପ୍ରଦେଶର ଅଞ୍ଜଦ ତାଲୁକାରେ  ଅବସ୍ଥିତ ସକଡ ଗ୍ରାମରେ ଥିବା ଆଧାରଶୀଳା ପ୍ରଶିକ୍ଷଣ କେନ୍ଦ୍ରକୁ ଆମେ ଯେତେବେଳେ ପରିଦର୍ଶନରେ ଯାଇଥିଲୁ ସେତେବେଳେ ଆମେ ୮୩ ବର୍ଷ ବୟସ୍କ ସୁଖଲାଲ୍‌ଜିଙ୍କ ସହିତ ଏହି ରାଜ୍ୟରେ ଅବସ୍ଥିତ ତାଙ୍କ ଗ୍ରାମ ଅଞ୍ଜଦରେ କଥା ହୋଇଥିଲୁ । ସେଠାରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ତାଙ୍କ ପୁଅ ବଦ୍ରିଙ୍କ ସହିତ ସେଠାକୁ ବୁଲିବାକୁ ଆସିଥିଲେ। ଆମେ ତାଙ୍କଠାରୁ ଗତ ଅର୍ଦ୍ଧ ଶତାବ୍ଦୀରେ ବାଲ୍ୟାବସ୍ଥା କିଭଳି ଭାବେ ବଦଳିଯାଇଛି ସେ ବିଷୟରେ କିଛି ଜାଣିବାକୁ ଚାହିଁଥିଲୁ । ସୁଖଲାଲଜୀ ନିମାଦୀ କୁହନ୍ତି, ଯାହା ହେଉଛି ତାଙ୍କ ଭିଲାଲା ସମ୍ପ୍ରଦାୟର ଭାଷା (ଏକ ଅନୁସୂଚିତ ଜାତି) ଓ ଏହାକୁ ଅନୁବାଦ କରିବା ପାଇଁ ବଦ୍ରି ଆମକୁ ସହାୟତା କରିଥିଲେ ।

“ମୁଁ ଯେତେବେଳେ ଯୁବକ ଥିଲି, ସେତେବେଳେ ମୋ ପାଖରେ ମଇଁଷି ଶଗଡ ବା ସାଇକେଲ୍‌ ନଥିଲା; ମୁଁ ଚାରିଆଡେ ଚାଲିଚାଲି ଯାଉଥିଲି । ମୁଁ ଥରେ ୪୮ କେଜି ଓଜନ ବୋହି ସାତ କିଲୋମିଟର ଚାଲିଚାଲି ଯାଇଥିଲି । ସେତେବେଳେ ସାଇକେଲ ରଖିବା ଅର୍ଥ ଆଭିଜାତ୍ୟସୂଚକ । ବାସ୍ତବରେ ସେତେବେଳେ ସାଧାରଣତଃ ସରକାରୀ କର୍ମଚାରୀମାନେ ସାଇକେଲ୍‌ରେ ଗ୍ରାମକୁ ଆସୁଥିଲେ, ଯାହାକୁ ଦେଖି ଆମେ ଡରି ଯାଉଥିଲୁ!’’ ଶୁଖଲାଲଜୀ ହସି ହସି ମନେପକାଇ କୁହନ୍ତି ।

Left: Sukhlal Suliya with his family (left to right): son Badri, Badri's sons Deepak and Vijay, and Badri's wife Devaki. Right: With a few of his 17 grandchildren
PHOTO • Ravindar Romde
Left: Sukhlal Suliya with his family (left to right): son Badri, Badri's sons Deepak and Vijay, and Badri's wife Devaki. Right: With a few of his 17 grandchildren
PHOTO • Ravindar Romde

ବାମ: ପରିବାର ସହିତ ସୁଖଲାଲ ସୁଲିୟା (ବାମରୁ ଡାହାଣ): ପୁଅ ବଦ୍ରି, ବଦ୍ରିଙ୍କ ପୁଅ ଦୀପକ ଓ ବିଜୟ ଓ ବଦ୍ରିଙ୍କ ସ୍ତ୍ରୀ ଦେବିକା । ଡାହାଣ : ତାଙ୍କର ୧୭ଜଣ ନାତିନାତୁଣିଙ୍କ ମଧ୍ୟରୁ କେତେଜଣଙ୍କ ସହିତ

ଯୁବାବସ୍ଥାରେ ଶ୍ରୀ ଶୁଖଲାଲଜୀ ତାଙ୍କର ୧୪ ଏକର ଚାଷଜମିରେ ଚାଷ କାମ କରୁଥିଲା ଓ ତାଙ୍କ ଜୀବନ ଫସଲ ଚକ୍ର, ଗାଈଗୋରୁ ଓ ବିଭିନ୍ନ ଋତୁ ଚାରିଆଡେ ଘୁରୁଥିଲା । ତାଙ୍କ ପରିବାର ବିଭିନ୍ନ ପ୍ରକାରର ଫସଲ ଓ ଶସ୍ୟ ଉତ୍ପାଦନ କରିଥାଏ ଯାହା ଅନ୍ତର୍ଗତ ସେମାନେ ତୁଅର୍‌ ଦାଲ୍‌, ଉରଦ୍‌ ଦାଲ୍‌,ବାଜରା, ନଭାଣେ, ବଦାଲି, ସାୱରିଆ, ଚଣା, ଝୁଡୁଙ୍ଗ, ସୋୟାବିନ, ଗୋଜି ବୁଟ, ଅଳଶୀ ମଞ୍ଜି, କର୍ପାସ୍‌ ଓ କାକୁଡି ଆଦି ଉତ୍ପାଦନ କରିଥାନ୍ତି । ପରିବାରଗୁଡ଼ିକ ଆତ୍ମନିର୍ଭରଶୀଳ ହୋଇପାରୁଥିଲେ, ନିଜ ପାଇଁ ସେମାନେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ କରିବାକୁ ସମର୍ଥ ହୋଇପାରୁଥିଲେ, ବୋଲି ସେ କୁହନ୍ତି । “ଆମର ମଞ୍ଜି ଓ ଶସ୍ୟସବୁ ଦେଶୀୟ ଅଟେ,’’ ବୋଲି ସେ କୁହନ୍ତି । ବର୍ତ୍ତମାନ, ଏହି ଅଞ୍ଚଳର ଚାଷୀମାନେ, ଯେଉଁଥିରେ ଶ୍ରୀ ଶୁକ୍ଳାଙ୍କ ବଡ ପୁଅ ରାଜାରାମ ମଧ୍ୟ ସାମିଲ ଅଛନ୍ତି, ମୁଖ୍ୟତଃ ମକା ଓ ଗହମ ଉତ୍ପାଦନ କରୁଛନ୍ତି।

ଶ୍ରୀ ଶୁଖଲାଲଜୀ ପ୍ରାୟ ୩୦ ବର୍ଷ ହେବ ଚାଷ କାମ କରିବା ବନ୍ଦ କରିଦେଇଛନ୍ତି ଓ ବର୍ତ୍ତମାନ ରାଜାରାମଙ୍କ ସହିତ ରୁହନ୍ତି ଓ ବେଳେବେଳେ ବଦ୍ରିଙ୍କ ସହିତ ରୁହନ୍ତି । ତାଙ୍କର ତିନୋଟି ପୁଅ, ତିନୋଟି ଝିଅ ଓ ୧୭ ଜଣ ନାତିନାତୁଣି ଅଛନ୍ତି । ଏବେ କେବଳ ରାଜାରାମ ଚାଷକାମ ଜାରି ରଖିଛନ୍ତି ।

ଶ୍ରୀ ଶୁଖଲାଲଜୀ ପାଞ୍ଚ ଜଣ ଭାଇଙ୍କ ସହିତ ଏକ ଯୌଥ ପରିବାରରେ ବଢିଛନ୍ତି- ଓ ସେଠାରେ ୩୦ ଲୋକ ଏକତ୍ର ବସବାସ କରନ୍ତି । “ଘରେ ଥିବା ସ୍ତ୍ରୀ ଲୋକମାନେ ଦିନକୁ ପ୍ରାୟ ୨୦ କେଜି ଶସ୍ୟ ପେଷିଥାନ୍ତି – ଜୱାର,  ଗହମ, ମକା ବା ଚାଉଳ – ପୂରା ପରିବାର ପାଇଁ । ଆମେ ଆମର ଚାରିଟି ମଇଁଷିଙ୍କଠାରୁ ମିଳୁଥିବା ଦୁଧରୁ ପ୍ରସ୍ତୁତ ଦହିରେ ପ୍ରସ୍ତୁତ ଚହ୍ଲା ସହିତ ମକା ରୁଟି  ଓ ଖୁଦ (ଖେଚୁଡି) ଖାଇଥାଉ ।’’

“ସେତେବେଳେ କୌଣସି ମେସିନ୍‌ ନଥିଲା, ସବୁ କାମ ହାତରେ କରାଯାଉଥିଲା,’’ ବୋଲି ସେ ମନେପକାନ୍ତି । ସେମାନେ ଆଖୁରୁ ବାଲ୍‌ଟି ଆକାରର ଗୁଡ ଖଣ୍ଡ ପ୍ରସ୍ତୁତ କରୁଥିଲେ ଓ ଏକ ଘାଟି ( ପଥର ପେଷଣା)କୁ ମଇଁଷି ଦ୍ୱାରା ବୁଲେଇ ଚିନାବାଦାମକୁ ପେଡୁଥିଲୁ; ପରେ ଜଣେ ଥେଲି  ଏଥିରୁ ତେଲ ବାହାର କରୁଥିଲା । ଗୋଟିଏ ଥରରେ ଏହି ପରିବାର ଲୋକମାନେ ପ୍ରାୟ ୧୨ ରୁ ୧୫ଲିଟର ତେଲ ପ୍ରସ୍ତୁତ କରୁଥିଲେ ।

“ଆମେ ଏକ ପାରମ୍ପରିକ ପ୍ରକ୍ରିୟାରେ ମକାରୁ ଏହାର ଚୋପା ଅଲଗା କରିଥାଉ, ଯେଉଁଥିରେ ଆମେ ପ୍ରଥମେ ମକାକୁ ଶୁଖେଇ ଥାଉ, ତା’ପରେ ଏହାକୁ ଏକ ଥଳିରେ ଭର୍ତ୍ତି କରିଦେଉ ଓ ତା’ପରେ ଏହାକୁ କୌଣସି ଏକ ପାହାଡ଼ରେ ପିଟି ଥାଉ । ଏହିପରି ପ୍ରକ୍ରିୟା ସମ୍ବନ୍ଧରେ ବର୍ତ୍ତମାନର ପିଢି କିଛି ଜାଣନ୍ତି ନାହିଁ ଓ ଏବେ ଏହି କାମ ମେସିନ୍‌ ସହାୟତାରେ କରାଯାଉଛି ।’’

As a young man, Sukhlalji cultivated his 14-acre farmland, and his life revolved around cropping cycles, cattle and the seasons
PHOTO • Ravindar Romde
As a young man, Sukhlalji cultivated his 14-acre farmland, and his life revolved around cropping cycles, cattle and the seasons
PHOTO • Ravindar Romde

ଯୁବକ ଶ୍ରୀ ଶୁଖଲାଲଜୀ ତାଙ୍କର ୧୪ ଏକର ଜମି ଚାଷ କରୁଥିଲେ ଓ ତାଙ୍କ ଜୀବନ ଫସଲ ଚକ୍ର, ଗାଈଗୋରୁ ଓ ବିଭିନ୍ନ ଋତୁ ଚାରିଆଡେ ଘୂରୁଥିଲା

ସମ୍ପ୍ରଦାୟ ବା ଶ୍ରେଣୀର ନିର୍ଦ୍ଦେଶ କ୍ରମେ ପୋଷାକ ପରିଧାନ କରାଯାଉଥିଲା, ବୋଲି ଶ୍ରୀ ଶୁଖଲାଲଜୀ କୁହନ୍ତି । “ସରକାରୀ କର୍ମଚାରୀମାନେ ଉଜ୍ଜ୍ୱଳ ରଙ୍ଗର ମୋଟା ସୂତା ଲୁଗା ପିନ୍ଧୁଥିଲେ, ଯାହାର ମୂଲ୍ୟ ବହୁତ ଅଧିକ ଥିଲା । ଅନ୍ୟ ଲୋକମାନେ ସାଧାରଣ ଧଳା ପୋଷାକ ପିନ୍ଧୁଥିଲେ, ଯେତେବେଳେକି ମହିଳାମାନେ ଧଳା କପଡ଼ା ଉପରେ ଉଜ୍ଜ୍ୱଳ ରଙ୍ଗ ଧଡ଼ି ବା ଡିଜାଇନ୍‌ ଥିବା ପୋଷାକ ପିନ୍ଧୁଥିଲେ । ଏହିପରି ରଙ୍ଗେଇବା (କାମ)ରେ ନିପୁଣତା ହାସଲ କରିଥିବା ସମ୍ପ୍ରଦାୟ ଦ୍ୱାରା ଏହା କରାଯାଉଥିଲା।’’

ଗ୍ରାମବାସୀମାନେ ସପ୍ତାହରେ ଥରେ ସେମାନଙ୍କ ପାଇଁ କପଡ଼ା କିଣିବାକୁ ବା ସେମାନେ ଉତ୍ପାଦନ କରିପାରୁନଥିବା କୌଣସି ଦ୍ରବ୍ୟ କିଣିବା ପାଇଁ ହାଟ  ବା ବଜାରକୁ ଯାଇଥାନ୍ତି । “ଆମେ ଘି  ବା ଗୁଡ ବିକ୍ରି କରିଥାଉ” ବୋଲି ଶ୍ରୀ ଶୁଖଲାଲଜୀ କୁହନ୍ତି ।

“ବର୍ତ୍ତମାନ, ସେମାନେ [ଏହି ଗ୍ରାମର ଲୋକମାନେ] ସହରକୁ ଯିବା ପରେ [କାମ ପାଇଁ], ସେମାନେ ତାଙ୍କ ବାପା ମା’ ଯେଉଁ ଜିନିଷ ସେମାନଙ୍କୁ ଯୋଗେଇବା ପାଇଁ ସମର୍ଥ ଅଟନ୍ତି, ତାହା ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି, ଯେପରିକି ହାତ ତିଆରି ସାବୁନ, ଖାଦ୍ୟ ଓ ତେଲ,” ବୋଲି ସେ କୁହନ୍ତି  । “ଯେପରି ଜଣାଯାଉଛି ସେମାନେ କେବଳ ଦୋକାନରୁ କିଣା ଯାଇଥିବା ଜିନିଷଗୁଡିକ ବ୍ୟବହାର କରିବାକୁ ଚାହୁଁଛନ୍ତି । ସେମାନେ ସେମାନଙ୍କ ଗୁରୁଜନମାନଙ୍କ ପରାମର୍ଶ ଗ୍ରହଣ କରୁନାହାନ୍ତି । ବାପା ମା’ ସେମାନଙ୍କ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ତୁଲେଇବା ପାଇଁ ଅଧିକରୁ ଅଧିକ ଟଙ୍କା ଋଣ କରୁଛନ୍ତି କିନ୍ତୁ [କେତେଜଣ ] ଏହି ପଇସାରେ ମଦ ପିଉଛନ୍ତି ବା ଡ୍ରଗ୍‌ସ ସେବନ କରୁଛନ୍ତି; ସେମାନେ ନିଜ ବାପା ମା’ଙ୍କୁ ମିଛ କଥା କହୁଛନ୍ତି, ଯାହାଫଳରେ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ଓ ଡାକ୍ତର ତଥା ଡାକ୍ତରଖାନା ଖର୍ଚ୍ଚ ବାବଦରେ ବହୁତ ଅର୍ଥ ବ୍ୟୟ ହୋଇଯାଉଛି ।’’

ତା’ପରେ, ସେ ଦୁଃଖର ସହିତ ପ୍ରକାଶ କରନ୍ତି ଯେ, “ଯଦି ତୁମେ ତୁମର ପିଲାମାନଙ୍କୁ ତୁମ ପାଖରେ ରହିବାକୁ କହିବ, ସେମାନେ କ’ଣ ରହିବେ? ମୁଁ ଗାଁକୁ ଭଲପାଏ, କିନ୍ତୁ ସେଠାରେ ଆଉ ବଞ୍ଚି ହେବନାହିଁ।’’

ଆମେ ଆଧାରଶୀଳାର ଶିକ୍ଷକ ବଦ୍ରି, ଜୟଶ୍ରୀ ଓ ଅମିତ (ସେମାନେ କେବଳ ନିଜର ପ୍ରଥମ ନାମ ଉଲ୍ଲେଖ କରିବାକୁ ପସନ୍ଦ କରନ୍ତି) ଆମ ପାଇଁ ତାଙ୍କ ବହୁମୂଲ୍ୟ ସମୟ ପ୍ରଦାନ କରିଥିବାରୁ ଧନ୍ୟବାଦ ଜଣେଇବାକୁ ଚାହିଁବୁ ଓ ଆମର ଶିକ୍ଷକ କମଳା ମୁକୁନ୍ଦନ ଆମକୁ ସାହାଯ୍ୟ କରିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହିଁବୁ ।

ପରୀ ଦ୍ୱାରା ପ୍ରେରିତ ହୋଇ, ବାଙ୍ଗାଲୁରୁ ସ୍ଥିତ ସେଣ୍ଟର ଫର୍‌ ଲର୍ଣ୍ଣିଂର ମିଡିଲ୍‌ ସ୍କୁଲର ଦୁଇଜଣ ବିଦ୍ୟାର୍ଥୀ, ସେମାନଙ୍କ ସ୍କୁଲ ଏକ୍ସକର୍ସନ୍‌ କାର୍ଯ୍ୟକ୍ରମ ଅନ୍ତର୍ଗତ ମଧ୍ୟ ପ୍ରଦେଶ ଗସ୍ତ କରିଥିବା ବେଳେ ସେଠାରେ ଜଣେ ଚାଷୀଙ୍କ ସହିତ ସେମାନଙ୍କ ସାକ୍ଷାତ ବିଷୟରେ ହସ୍ତଗତ ହୋଇଥିବା ବିଭିନ୍ନ ତଥ୍ୟଗୁଡ଼ିକୁ ଉଲ୍ଲେଖ କରିଛନ୍ତି । ପରୀ ସେମାନଙ୍କୁ ଗ୍ରାମୀଣ ଭାରତର ବିଭିନ୍ନ ଦିଗ ବିଷୟରେ ଓ ସେମାନଙ୍କ ଗବେଷଣାକୁ କିଭଳି ଲିଖିତ ଆକାରରେ ଉପସ୍ଥାପନା କରାଯାଇପାରିବ ସେ ବିଷୟରେ ଆବଶ୍ୟକ ସୂଚନା ପ୍ରଦାନ କରିଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

Nia Chari and Akil Ravi

Nia Chari and Akil Ravi are 13-year-old Class 9 students at the Centre for Learning, Bengaluru.

Other stories by Nia Chari and Akil Ravi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE