ବାନ୍ଦିପୁର ଜାତୀୟ ଉଦ୍ୟାନର ଠିକ୍‌ ପରେ ପରେ ଅବସ୍ଥିତ ମଙ୍ଗଳା ଗାଁର ଜଣେ କୃଷକ ଏନ୍‌. ସ୍ୱାମୀ ବାସବାନ୍ନା ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କ ସହ ସେହି ଗାଁରେ ରହନ୍ତି ।

କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାରେ ଥିବା ଭାରତର ଏକ ପ୍ରମୁଖ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସୀମାବର୍ତ୍ତୀ ଅଞ୍ଚଳରେ ଛଅ ମାସ ଭିତରେ ସ୍ୱାମୀ ତାଙ୍କ ନିତିଦିନିଆ ଜୀବନର ଫଟୋଗୁଡ଼ିଏ ଉଠାଇଛନ୍ତି। ତାଙ୍କ ପରିବାର, ପଡ଼ୋଶୀ, କାମ, କ୍ଷେତ, ଫସଲ ଏବଂ ଗୃହପାଳିତ ପ୍ରାଣୀଙ୍କର ଫଟୋ । ତାଙ୍କ ଫଟୋ ନିବନ୍ଧ, ବନ୍ୟପ୍ରାଣୀଙ୍କ ସହ ରହିବା ଉପରେ ଏକ ବୃହତ୍‌ ସହଯୋଗିତାମୂଳକ ଫଟୋଗ୍ରାଫି ପ୍ରକଳ୍ପର ଅଂଶବିଶେଷ ଏବଂ ପରୀର ଛଅଟି ନିବନ୍ଧ ଶୃଙ୍ଖଳର ଷଷ୍ଠ ଭାଗ। (ପ୍ରଥମଟି, ଯେତେବେଳେ ଜୟାମ୍ମା ଚିତାବାଘକୁ ଦେଖିଲେ, ୮ମାର୍ଚ୍ଚ, ୨୦୧୭ରେ ପ୍ରକାଶିତ ହୋଇଥିଲା ।)

PHOTO • N. Swamy Bassavanna

ପ୍ରକଳ୍ପ ସଂପର୍କରେ ୩୦ ବର୍ଷୀୟ ସ୍ୱାମୀ କହନ୍ତି, “ଏଠାରେ ଚାଲିଥିବା କାମ ବିଷୟରେ ମୁଁ ବାହାର ଲୋକଙ୍କୁ ଜଣାଇବାକୁ ଚାହେଁ । ମୁଁ ଏକ ବାର୍ତ୍ତା ଦେବାକୁ ଚାହେଁ । ମୁଁ ଭାବୁଛି ପ୍ରତ୍ୟେକ ବ୍ୟକ୍ତି କୃଷି କାର୍ଯ୍ୟରେ ସାମିଲ ହେବା ଏବଂ ଆମେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ବୁଝିବା ଉଚିତ । ସମସ୍ତଙ୍କର ଖାଦ୍ୟ ଦରକାର । ତେଣୁ ସମସ୍ତେ ଚାଷ କରିବା କଥା ଭାବିବା ଉଚିତ ।”

PHOTO • N. Swamy Bassavanna

ଜେଜେମାଆ: ‘‘ଏ ହେଲେ ମୋର ଜେଜେମାଆ, ଯିଏ ଶିମ୍ବ ତୋଳୁଛନ୍ତି । ଆମେ ଏଠାରେ ଆବାରେକାଇ (ଶିମ୍ବ) ଚାଷ କରୁ । ମୋ ଜେଜେମାଆ ପ୍ରତିଦିନ ସକାଳ ୫.୩୦ରେ ଉଠି ଗାଈ ଦୁହଁନ୍ତି । ସକାଳ ୬.୩୦ ବେଳକୁ ସେ କ୍ଷେତରେ କାମ କରିବାକୁ ଯାଆନ୍ତି ।”

PHOTO • N. Swamy Bassavanna

ବାଛୁରୀ ଓ ବାଳକ: “ମୁଁ ଏହି ଫଟୋ ନେବାର କିଛି ସମୟ ପରେ ଏହି ବାଛୁରୀଟି ହଜିଗଲା । ଆମେ ସେମାନଙ୍କୁ ଚରିବାକୁ ଛାଡ଼ି ଦେଉ । କିନ୍ତୁ ଏଇ ଗୋଟିକ ଫେରିଲା ନାହିଁ । ଇନ୍ଦ୍ର ଓ ମୁଁ ଏହାକୁ ଖୋଜି ଖୋଜି ସବୁ ଜାଗାକୁ ଗଲୁ, କିନ୍ତୁ ତାକୁ ପାଇଲୁନି । ଏହି ପିଲାଟି ଗାଈମାନଙ୍କୁ ଖୁବ୍‌ ଭଲ ପାଏ ଏବଂ ସେ ହଜିଯାଇଥିବା ବାଛୁରୀଟିର ବି ଯତ୍ନ ନେଉଥିଲା । ସେ ତାକୁ ପାଣି ପିଆଉଛି । ବୋଧହୁଏ ତାକୁ ଗୋଟିଏ ବାଘ କି ଚିତାବାଘ ଖାଇଗଲା, କିନ୍ତୁ ଆମେ ନିଶ୍ଚିତ ଭାବରେ ଏହା କହିପାରିବୁନି । ଆମେ ଏହାକୁ କେବେ ବି ଖୋଜି ପାଇଲୁନି ।’’

PHOTO • N. Swamy Bassavanna

ହାତୀ ରାସ୍ତା: “ଏ ହେଉଛି ସେହି ରାସ୍ତା, ଯେଉଁଠି ସବୁଦିନ ହାତୀମାନେ ଚାଲନ୍ତି । ରାସ୍ତା ତଳମୁଣ୍ଡରେ ଛୋଟିଆ ହ୍ରଦଟିଏ ଅଛି । ହାତୀମାନେ ସେଠାରେ ପାଣି ପିଇବାକୁ ଆସନ୍ତି । ରାସ୍ତାର ଉଭୟ ପଟେ ଲାଗିଥିବା ସୌରଶକ୍ତି ଚାଳିତ ତାରବାଡ଼ରେ ନ ଲାଗିବା ପ୍ରତି ସେମାନେ ଧ୍ୟାନ ଦିଅନ୍ତି।’’

PHOTO • N. Swamy Bassavanna

ଫସଲ ଉପରେ ଚଢ଼ାଉ: “ହାତୀମାନେ ଆସିଲେ ଏବଂ ଅମଳ ହୋଇଥିବା ଅଧିକାଂଶ ଶିମ୍ବ ଖାଇଦେଲେ। କେବଳ ଯାହା ଏଇ ଗୋବରକୁ ଛାଡ଼ି ଦେଇଗଲେ । ଆମେ ଶିମ୍ବ ଅମଳ କରି ମଞ୍ଜି କାଢ଼ିବା ପାଇଁ ଗଦେଇ ରଖିଥିଲୁ । କିନ୍ତୁ ଦୁଇଟି ବଡ଼ ହାତୀ ଓ ଗୋଟିଏ ହାତୀ ଛୁଆ ଥିବା ତିନିଟି ହାତୀର ପଲ ରାତିରେ ଆସିଲେ ଏବଂ ସବୁ ଖାଇଦେଲେ । ଏହି ଘଟଣାକୁ ପାଞ୍ଚ ମାସ ହେଲାଣି ଏବଂ ଗତ ସପ୍ତାହରେ ହିଁ ମୁଁ ବନ ବିଭାଗ ପାଖରୁ କ୍ଷତିପୂରଣ ପାଇଲି । ସେମାନେ ମତେ ମାତ୍ର ୩,୦୦୦ ଟଙ୍କା ଦେଲେ । ମୁଁ ପ୍ରାୟ ୪୦୦-୫୦୦କିଲୋ ଫସଲ ହରାଇଲି, ଯାହାର ମୂଲ୍ୟ ୪୦,୦୦୦ ଟଙ୍କା ହେବ । ହାତୀମାନେ ସୌରଶକ୍ତି ଚାଳିତ ତାରବାଡ଼କୁ ବି ନଷ୍ଟ କରିଦେଲେ ।’’

PHOTO • N. Swamy Bassavanna

ମଜୁରିଆ:“ସେ ମୋ ପାଇଁ କାମ କରନ୍ତି, କିନ୍ତୁ ଆଗରୁ ସେ ଜଣେ ଶିକାରୀ ଥିଲେ । ସେ ଜଣେ ସୋଲିଗା ଆଦିବାସୀ । ପୂର୍ବରୁ ସେ ବଣୁଆ ଜୀବଜନ୍ତୁ ମାରୁଥିଲେ, କିନ୍ତୁ ଏବେ ସେ ତାହା କରୁନାହାନ୍ତି । ଗତ ଚାରି ବର୍ଷ ହେଲା ସେ ମୋ କ୍ଷେତରେ ଚାଷ କାମ କରନ୍ତି ଏବଂ ଗାଈମାନଙ୍କର ଯତ୍ନ ବି ନିଅନ୍ତି । ସେ ମୋ କଥା ଶୁଣନ୍ତି, ସେ ଆଉ ଶିକାର କରୁନାହାନ୍ତି ।”

PHOTO • N. Swamy Bassavanna

ରାସ୍ତା ଉପରେ ଫସଲ: “ଲୋକେ ସେମାନଙ୍କର ସବୁ ଫସଲ ଅମଳ କରି ରାସ୍ତା ଉପରେ ବିଛାଇ ଦିଅନ୍ତି । କିନ୍ତୁ ସେମାନେ ଏମିତି କରିବା ଉଚିତ ବୋଲି ମୁଁ ଭାବୁନି । ଆଗରୁ ଲୋକମାନେ ସେମାନଙ୍କ କ୍ଷେତରେ ଏହା କରୁଥିଲେ । ସେମାନେ ରାସ୍ତା ଉପରେ ଫସଲ ରଖିବା ଉଚିତ ନୁହେଁ, କାରଣ ଏହା ରାସ୍ତାରେ ଯିବାଆସିବା କରୁଥିବା ଲୋକଙ୍କ ପାଇଁ ଏକ ସମସ୍ୟା ଏବଂ ରାସ୍ତାରେ ରାସାୟନିକ ଦ୍ରବ୍ୟ ଏବଂ ପଶୁଙ୍କ ମୂତ୍ର ବି ପଡ଼ିଥିବ । କ୍ଷେତରେ ଫସଲ ରଖି ରୋଲିଂ କରିବା କ୍ଷେତ୍ରରେ ସେମାନେ ଅଳସୁଆ ଏବଂ ସେଥିପାଇଁ ସେମାନେ ଏପରି କରନ୍ତି । ପୂର୍ବରୁ, ଚାଷୀମାନେ ଗଛରୁ ମଞ୍ଜି ଅଲଗା କରିବା ପାଇଁ ଏକ ବଳଦଟଣା ବଡ଼ ପଥର ରୋଲର୍‌ ବ୍ୟବହାର କରୁଥିଲେ। ଏହା ଏକ ଶ୍ରମସାଧ୍ୟ ପ୍ରକ୍ରିୟା, କିନ୍ତୁ କାର୍‌, ଟ୍ରକ୍‌ ଓ ବାଇକ୍‌ରେ ଏହା କରାଇବା ଅପେକ୍ଷା ସ୍ୱାସ୍ଥ୍ୟକର।”

PHOTO • N. Swamy Bassavanna

ରୋଲିଂ: “ଏହା ହେଉଛି ଅମଳପରେ ଫସଲର ରୋଲିଂ। ଏହି ପଥର ରୋଲର୍‌ ଗଡ଼ାଇବାକୁ ବଳଦ ଲାଗେ । ଗାଡ଼ିମଟର ସେଗୁଡ଼ିକ ଉପରେ ଚଢ଼ିଯାଉଥିବାରୁ ରାସ୍ତା ଉପରେ ଏହା କରିବାକୁ ମୁଁ ପସନ୍ଦ କରେନାହିଁ । ଆମେ ବର୍ଷେ ପର୍ଯ୍ୟନ୍ତ ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ଜମା କରି ରଖୁ । ଅମଳ ପରେ ଯଅ ଗଛକୁ ସଫା କରି ସେଗୁଡ଼ିକୁ ଆମେ ବର୍ଷ ସାରା ଗାଈମାନଙ୍କୁ ଖାଇବାକୁ ଦେଉ। ପୂର୍ବରୁ ଆମର ପ୍ରାୟ ୧୦୦ଟି ଗାଈ ଥିଲେ, କିନ୍ତୁ ଏବେ ମାତ୍ର ପାଞ୍ଚଟି ଅଛନ୍ତି ।”

PHOTO • N. Swamy Bassavanna

ବାଘ ଓ ଗାଈ: “ଏହା ହେଉଛି ସ୍କୁଲ୍‌ରେ ବାର୍ଷିକ ଉତ୍ସବ ପାଳନ । ପିଲାମାନେ ବାଘ ଓ ଅନ୍ୟ ଜୀବଜନ୍ତୁଙ୍କ ମଧ୍ୟରେ ଥିବା ବନ୍ଧୁତା ଉପରେ ଏକ ନାଟକ ପରିବେଷଣ କରୁଛନ୍ତି । ସେମାନେ ଏହା ଦେଖାଇବାକୁ ଚେଷ୍ଟା କରୁଛନ୍ତି କି ବାଘର ଗାଈମାନଙ୍କ ସହ ବନ୍ଧୁଭାବ ରହିଛି ଏବଂ ଲୋକେ ବାଘକୁ ମାରିବା ଉଚିତ ନୁହେଁ ।”

କର୍ଣ୍ଣାଟକର ମଙ୍ଗଳା ଗାଁରେ ଅବସ୍ଥିତ ମାରିଆମ୍ମା ଚାରିଟେବ୍‌ଲ ଟ୍ରଷ୍ଟ୍‌ ସମନ୍ୱୟରେ ଏହି କାର୍ଯ୍ୟରେ ସହଯୋଗ କରିଥିଲେ ଜାରେଡ୍‌ ମାର୍‌ଗୁଲିସ୍‌ । ବାଲ୍‌ଟିମୋର୍‌ କାଉଣ୍ଟିରେ ଥିବା ୟୁନିଭର୍ସିଟି ଅଫ୍‌ ମେରିଲ୍ୟାଣ୍ଡ ପକ୍ଷରୁ ୨୦୧୫-୨୦୧୬ରେ ପ୍ରଦତ୍ତ ଫୁଲ୍‌ବ୍ରାଇଟ୍‌ ନେହରୁ ଷ୍ଟୁଡେଣ୍ଟସ ରିସର୍ଚ୍ଚ ଗ୍ରାଣ୍ଟ୍‌ ଶୀର୍ଷକ ଏକ ଗ୍ରାଜୁଏଟ୍‌ ଷ୍ଟୁଡେଣ୍ଟ ରିସର୍ଚ୍ଚ୍‌ ଗ୍ରାଣ୍ଟ୍‌ ସହାୟତାରେ ଏବଂ ମାରିଆମ୍ମା ଚାରିଟେବ୍‌ଲ ଟ୍ରଷ୍ଟ୍‌ର ସଦୟ ସହଯୋଗରେ, ଏବଂ ସର୍ବୋପରି ଫଟୋଗ୍ରାଫରମାନଙ୍କର ସ୍ୱତଃ ଯୋଗଦାନ, ଉତ୍ସାହ ଏବଂ ପ୍ରୟାସ ବଳରେ ଏହା ସମ୍ଭବ ହୋଇପାରିଛି । ଏହାର ଲେଖା ଅନୁବାଦ କ୍ଷେତ୍ରରେ ବି.ଆର୍‌.ରାଜୀବଙ୍କ ବହୁମୂଲ୍ୟ ସହାୟତା ମଧ୍ୟ ରହିଛି । PARIର କ୍ରିଏଟିଭ୍‌ କମନ୍‌ସ ନୀତି ଅନୁସାରେ ସବୁ ଫଟୋର ପ୍ରକାଶନ ଅଧିକାର କେବଳ ଫଟୋଗ୍ରାଫରମାନଙ୍କର ସେଗୁଡ଼ିକର ଉପଯୋଗ ଏବଂ ପୁନଃପ୍ରକାଶନ ସମ୍ପର୍କିତ ଯେ କୌଣସି ପ୍ରଶ୍ନ, PARI ନିକଟକୁ ପ୍ରେରଣ କରିବା ଉଚିତ ।

ସମ୍ବନ୍ଧିତ ଅନ୍ୟାନ୍ୟ କାହାଣୀ:

ଯେତେବେଳେ ଜୟାମ୍ମା ଚିତାବାଘକୁ ଦେଖିଲେ
‘ଆମର ପାହାଡ଼ ଓ ଜଙ୍ଗଲ ଅଛି ଏବଂ ଆମେ ସେଠାରେ ରହୁ’
ବାନ୍ଦିପୁରରେ ବାସଗୃହ ସହିତ ଶସ୍ୟ ଅମଳ
ବାନ୍ଦିପୁରର ଯୁବରାଜଙ୍କ ସହ ମୁହାଁମୁହିଁ
'ସେହିଠାରେ ହିଁ ଆକ୍ରମଣ କରନ୍ତି ବାଘ ଓ ଚିତାବାଘ'

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

N. Swamy Bassavanna

ଏନ୍‌.ସ୍ୱାମୀ ବାସବାନ୍ନା ଜଣେ କୃଷକ, ଯେ କି ଭାରତର ଏକ ପ୍ରମୁଖ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ, ବାନ୍ଦିପୁର ଜାତୀୟ ଉଦ୍ୟାନ ସୀମାବର୍ତ୍ତୀ ଅଞ୍ଚଳରେ ରହନ୍ତି ।

Other stories by N. Swamy Bassavanna