ରାମ ୱାକ୍‌ଚୌରେ ସବୁଦିନ ସକାଳେ ତାଙ୍କ ଘରପାଖ ବଜାରରୁ ୨୭୫ ଜଣ ପିଲା ଓ ଅନ୍ୟମାନଙ୍କ ପାଇଁ ପନିପରିବା କିଣନ୍ତି- ତିନି କିଲୋ ଆଳୁ, ଫୁଲକୋବି, ଟମାଟୋ ଏବଂ ଆଉ କିଛି । ବୀରଗାଓଁ ଗାଁରେ ଥିବା ଜିଲ୍ଲା ପରିଷଦ ସ୍କୁଲ୍‌ର ଏହି ଶିକ୍ଷକ କହନ୍ତି, “ପ୍ରତିଟି ପରିବାର ଦର ମୋର ବେଶ୍‌ ମନେ ରହିଯାଇଛି । ମୋଟର ସାଇକେଲ୍‌ରେ ବ୍ୟାଗ୍‌ ଝୁଲାଇ ମୁଁ ସ୍କୁଲ୍‌କୁ ଯାଏ ।”

ଅହମଦନଗର ଆକୋଲା ତାଲୁକା ଅନ୍ତର୍ଗତ କଲାସଗାଓଁ ନିବାସୀ ୪୪ ବର୍ଷୀୟ ୱାକ୍‌ଚୌରେଙ୍କର ବଦଳି ହୋଇଥିଲା ଜୁନ୍‌ରେ । ଘରଠାରୁ ପ୍ରାୟ ୨୦ କିଲୋମିଟର ଦୂର ବୀରଗାଓଁର ସ୍କୁଲକୁ । ଜଣେ ଶିକ୍ଷକ ଭାବେ ସେ କଲାସଗାଓଁ ପ୍ରାଥମିକ ସ୍କୁଲ୍‌ରେ ୧୮ ବର୍ଷ ଧରି କାର୍ଯ୍ୟ କରିଥିଲେ । ଏବେ ତାଙ୍କର ମୁଖ୍ୟ କର୍ତ୍ତବ୍ୟ ହେଲା ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ଯୋଜନା (ପ୍ରାଥମିକ ଶିକ୍ଷା ପ୍ରତି ପୁଷ୍ଟିକର ସହାୟତା ନିମନ୍ତେ ଜାତୀୟ କାର୍ଯ୍ୟକ୍ରମ ଅଧୀନସ୍ଥ ) ନିଶ୍ଚିତ ଭାବେ ଲାଗୁ କରିବା ।

ମଧ୍ୟାହ୍ନ ଭୋଜନ ରେଜିଷ୍ଟର ପୂରଣରୁ ସାମାନ୍ୟ ବିରତି ନେଇ ସେ କହନ୍ତି, “ଅଧ୍ୟକ୍ଷ ସବୁ କାମ କରିପାରିବେ ନାହିଁ। ତେଣୁ ସେ ଦାୟିତ୍ୱ ବାଣ୍ଟି ଦେଇଛନ୍ତି । ସରକାରୀ ଚାକିରି ଆପଣଙ୍କୁ ସୁରକ୍ଷା ଦିଏ ସତ, କିନ୍ତୁ ମୁଁ ଅନୁଭବ କରେନି ଯେ ମୁଁ ଜଣେ ଶିକ୍ଷକ ।”

ୱାକ୍‌ଚୌରେଙ୍କ ପାଠ୍ୟକ୍ରମ ବହିର୍ଭୂତ କର୍ତ୍ତବ୍ୟ କିଛି ନୂଆ କଥା ନୁହେଁ- ମହାରାଷ୍ଟ୍ରର ସବୁ ଜିଲ୍ଲା ପରିଷଦ ସ୍କୁଲ୍‌ର ଶିକ୍ଷକମାନଙ୍କୁ ଅଧିକାଂଶ ସମୟରେ ଏଭଳି ଅଣ-ଶୈକ୍ଷିକ କାମ ଦିଆଯାଏ । ସେମାନେ କହନ୍ତି ଯେ, ଏହା ଦ୍ୱାରା ସେମାନଙ୍କ ପାଖରେ ପାଠ ପଢ଼ାଇବାକୁ ସମୟ ପ୍ରାୟ ନ ଥାଏ ।

ସପ୍ତମ ପର୍ଯ୍ୟନ୍ତ ଶ୍ରେଣୀ ଥିବା ବୀରଗାଓଁ ସ୍କୁଲ୍‌ରେ ୱାକ୍‌ଚୌରେଙ୍କ ସହକର୍ମୀ ୪୨ ବର୍ଷୀୟ ସବାଜୀ ଦାତିର କହନ୍ତି ଯେ, ବର୍ଷକରେ ଏଭଳି କାର୍ଯ୍ୟ ସଂଖ୍ୟା ମୋଟ ୧୦୦ରୁ ଅଧିକ। ଦାତିର ହାରାହାରି ସପ୍ତାହକୁ ୧୫ ଘଣ୍ଟା ଅଣ-ଶୈକ୍ଷିକ କାମରେ ଲଗାନ୍ତି । ସେ କହନ୍ତି, “ଅନେକ ସମୟରେ ଏହି କାମ ସ୍କୁଲ୍‌ ସମୟରେ (ଦିନକୁ ୪ ଘଣ୍ଟା) କରିବାକୁ ପଡ଼େ । ସ୍କୁଲ୍‌ ସରିବା ପରେ ଆମେ ଯେତେ ସମ୍ଭବ ସେତେ କାମ କରିବାକୁ ଚେଷ୍ଟା କରୁ ।” ଯେତେବେଳେ ଦୁଇ ପ୍ରକାର କାମ ଏକା ସମୟରେ କରିବାକୁ ପଡ଼େ ଅଣ-ଶୈକ୍ଷିକ କାମକୁ ପ୍ରାଥମିକତା ଦିଆଯାଏ ।

PHOTO • Parth M.N.
PHOTO • Parth M.N.

ରାମ ୱାକଚୌରେ (ବାମ) ଏବଂ ସବାଜୀ ଦାତିର (ଡାହାଣ)-ବୀରଗାଓଁ ଜିଲ୍ଲା ପରିଷଦ ସ୍କୁଲରେ ଶିକ୍ଷାଦାନ ଓ ଅଣ-ଶୈକ୍ଷିକ କାମ ଭିତରେ ପେଷି ହୋଇଗଲା ଭଳି ଅନୁଭବ କରନ୍ତି ।

ଦାତିର କହନ୍ତି, “ଶିକ୍ଷା ଅଧିକାର ଆଇନ-୨୦୦୯ (ନିର୍ଦ୍ଦିଷ୍ଟ ଭାବେ ସେକ୍‌ସନ ୨୭) ଅନୁସାରେ, କେବଳ ନିର୍ବାଚନ ସମୟରେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏବଂ ପ୍ରତି ୧୦ ବର୍ଷରେ ଥରେ ଜନଗଣନା କାର୍ଯ୍ୟ ପାଇଁ ଶିକ୍ଷକମାନଙ୍କୁ ଅଣ-ଶୈକ୍ଷିକ କାମ କରିବାକୁ କୁହାଯାଇପାରେ ।”

କିନ୍ତୁ ଅନ୍ୟାନ୍ୟ ସମୟରେ ମଧ୍ୟ ମହାରାଷ୍ଟ୍ରର ସମସ୍ତ ୩୦୦,୦୦୦ ଶିକ୍ଷକଙ୍କୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ପାଇଁ ବିଭିନ୍ନ ଅଣ-ଶୈକ୍ଷିକ କାମ କରନ୍ତି –ସେମାନେ ଦେଖନ୍ତି ଯେ ଗାଁରେ କେତେ ଜଣ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଛନ୍ତି, ଯାଞ୍ଚ କରନ୍ତି ଯେ ସରକାରୀ ଯୋଜନା ସବୁ ସେମାନଙ୍କ ପାଖରେ ପହଞ୍ଚୁଛି କି ନାହିଁ, ଗାଁ ଲୋକେ ଶୌଚାଳୟ ବ୍ୟବହାର କରୁଛନ୍ତି କି ନାହିଁ ଏବଂ ଖୋଲା ସ୍ଥାନରେ ମଳତ୍ୟାଗର ଅପକାରିତା ବିଷୟରେ ସେମାନଙ୍କୁ କହନ୍ତି ।

ଏହି ସବୁ ଅତିରିକ୍ତ କାର୍ଯ୍ୟ ପାଇଁ ଶିକ୍ଷକମାନଙ୍କୁ କୌଣସି ପାଉଣା ମିଳେନାହିଁ । ଜଣେ ଜିଲ୍ଲା ପରିଷଦ ଶିକ୍ଷକ, ଯାହା ପାଇଁ ସ୍ନାତକ ଉପାଧି ସହିତ ଶିକ୍ଷାରେ ଡିପ୍ଲୋମା ଆବଶ୍ୟକ ଏବଂ ଜଣେ ମାଧ୍ୟମିକ ସ୍କୁଲ୍‌ ଶିକ୍ଷକ, ଯିଏ କି ନିଶ୍ଚିତ ରୂପେ ଶିକ୍ଷା ବିଷୟ ସହିତ ସ୍ନାତକ ଉପାଧି ହାସଲ କରିଥିବେ, ଏକତ୍ରୀକୃତ ୨୫,୦୦୦ ଟଙ୍କା ଦରମାରେ କାର୍ଯ୍ୟ ଆରମ୍ଭ କରନ୍ତି। ଅନେକ ବର୍ଷ ପରେ, ହୁଏତ ସେମାନେ, ଅତି ବେଶୀରେ ଜଣେ ଅଧ୍ୟକ୍ଷ ଭାବେ ୬୦,୦୦୦ଟଙ୍କା ଆୟ କରିପାରିବେ । ଏହି ଦରମାରେ ବିଭିନ୍ନ ‘ଭତ୍ତା’ ମିଶି ରହିଥାଏ – ଯେମିତି କି ମହଙ୍ଗା ଭତ୍ତା, ଯାତ୍ରା, ଘରଭଡ଼ା ଏବଂ ଏମିତି ଆହୁରି କିଛି । ଏବଂ ଏକି ଏକତ୍ରୀକୃତ ଦରମାରୁ ବୃତ୍ତିଗତ କର ଏବଂ ପେନ୍‌ସନ୍‌ ପାଇଁ ଦେୟ ପ୍ରଭୃତି ବିଭିନ୍ନ ବାବଦରେ ଟଙ୍କା କାଟି ନିଆହୁଏ । ଘଣ୍ଟା ଘଣ୍ଟା ଧରି ସେମାନେ କରୁଥିବା ଅଣ-ଶୈକ୍ଷିକ କାର୍ଯ୍ୟ ପାଇଁ କୌଣସି ପାଉଣା ନଥାଏ ।

ଦାତିର କହନ୍ତି, “ଶିକ୍ଷା ଅଧିକାର ଆଇନ-୨୦୦୯ ଅନୁସାରେ, ନିର୍ବାଚନ ସମୟରେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏବଂ ପ୍ରତି ୧୦ବର୍ଷରେ ଜନଗଣନା ପାଇଁ ଶିକ୍ଷକମାନଙ୍କୁ ଅଣ-ଶୈକ୍ଷିକ କାମ କରିବାକୁ କୁହାଯାଇପାରେ ।”

ଜୁନ୍‌ ମାସରେ ବୀରଗାଓଁକୁ ବଦଳି ହୋଇ ଆସିବା ପୂର୍ବରୁ ଚାନ୍ଦଭାଡ଼ ତାଲୁକାର ଉର୍‌ଧୁଲ ଗାଁରେ ଥିବା ଜିଲ୍ଲା ପରିଷଦ ସ୍କୁଲରେ ପଢ଼ାଉଥିଲେ ୪୦ ବର୍ଷୀୟ ଦେବୀଦାସ ଗିରେ। ସେ କହନ୍ତି, “ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କ ସଂଖ୍ୟା ଯାଞ୍ଚ କରିବା ପାଇଁ ମୁଁ ଥରେ ନାସିକ୍‌ର ଗୋଟିଏ ଗାଁକୁ ଯାଇଥିଲି। ଗୋଟିଏ ବଙ୍ଗଳା ମାଲିକଙ୍କ ପରିବାର ମତେ ଧମକ ଦେଇ କହିଲେ, ‘ଆମ ନାଁ ତାଲିକାରେ ରହିବା ଦରକାର’। ଶିକ୍ଷକମାନଙ୍କୁ ଆମେ କେଉଁ ସ୍ତରରେ ପହଞ୍ଚାଇଛୁ? କିଛିଟା ସମ୍ମାନ ପାଇଁ ଆମେ ଯୋଗ୍ୟ ନୁହେଁ କି? ଏହା ଅପମାନିତ କରିବା କଥା । ଆମକୁ ରବିବାର ଦିନ ବି ଛୁଟି ମିଳେନି।”

ଅନ୍ୟ ସମୟରେ ଗିରେଙ୍କୁ ଜଣେ ବୁଥ୍‌ସ୍ତରୀୟ ଅଧିକାରୀ ଭାବେ ଘରକୁ ଘର ବୁଲି ଗାଁ ଲୋକଙ୍କ କାଗଜପତ୍ର ଯାଞ୍ଚ କରିବାକୁ ପଡ଼େ। ଲୋକଙ୍କ ସ୍ଥାନାନ୍ତରଣ ଓ ମୃତ୍ୟୁ ଭିତ୍ତିରେ ଏବଂ ନୂଆ ଭୋଟଦାତା ସାମିଲ କରାଇ ଭୋଟର ତାଲିକା ସୁଧାରିବାକୁ ପଡ଼େ। ସେ କହନ୍ତି, “ଏହା ବର୍ଷ ସାରା ଚାଲିଥାଏ।” ସ୍କୁଲ୍‌ ଅଗଣାରେ ଖେଳ ବନ୍ଦ କରି ପିଲାମାନେ ଆମ ଚାରିପଟେ ରୁଣ୍ଡ ହୁଅନ୍ତି। ସେ କହି ଚାଲନ୍ତି, “ବିଡ଼ମ୍ବନାର ବିଷୟ ଯେ, ଯଦି ଆମେ ଠିକ୍‌ ଭାବେ ନ ପଢ଼ାଉ, କୌଣସି ସରକାରୀ ଚିଠିରେ କୈଫିୟତ ମଗାଯାଏନି, କିନ୍ତୁ ଶୌଚାଳୟ ଗଣିବା କାମରେ ଅବହେଳା ନ କରିବାକୁ ତହସିଲଦାରଙ୍କ ଅଫିସ୍‌ରୁ ଅନେକ ନିର୍ଦ୍ଦେଶ ଆସେ ।”

ସେମାନଙ୍କ କର୍ତ୍ତବ୍ୟ ବହିର୍ଭୂତ କାର୍ଯ୍ୟରେ କ୍ଳାନ୍ତ ଓ ବିରକ୍ତ ହୋଇ ଆକୋଲାର ୪୮୨ ଜଣ ଶିକ୍ଷକ, ୨୦୧୭ ସେପ୍ଟେମ୍ବର ୧୮ତାରିଖ ଦିନ ପଞ୍ଚାୟତ ସମିତି ଅଫିସ୍‌ ସାମନାରେ ପ୍ରତିବାଦ କରିଥିଲେ। ତାଙ୍କ ହାତରେ ଥିବା ବ୍ୟାନରରେ ମରାଠୀରେ ଲେଖା ହୋଇଥିଲା ଆମ୍‌ହାଲା ଶିକାଭୁ ଦ୍ୟା (‘ଆସ ଆମେ ପଢ଼ାଇବା’)

ସାମାଜିକ କର୍ମୀ ଏବଂ ବୀରଗାଓଁ ସ୍କୁଲ୍‌ର ଶିକ୍ଷକ ଭାଉ ଚାସ୍‌କର ସେହି ପ୍ରତିବାଦର ନେତୃତ୍ୱ ନେଇଥିଲେ। ସେ କହନ୍ତି,  ଗତ ୧୦ ବର୍ଷ ଭିତରେ ଅଣ-ଶୈକ୍ଷିକ କାର୍ଯ୍ୟ ବୃଦ୍ଧି ପାଇଛି। “ପ୍ରାଶାସନିକ ସ୍ତରରେ ଖାଲି ପଦବୀ ପୂରଣ କରାଯାଉନାହିଁ। ରାଜସ୍ୱ ଏବଂ ଯୋଜନା (ବିଭାଗ)ରେ ବିଭିନ୍ନ ପଦବୀ ଖାଲି ପଡ଼ିଛି ଏବଂ ସେହି କାମ ଶିକ୍ଷକମାନଙ୍କ ଦ୍ୱାରା କରାଯାଉଛି। ଏହି ଅଣ-ଶୈକ୍ଷିକ କାମ ପାଇଁ ଆମକୁ ବାଧ୍ୟ କରାଯାଉଛି ଏବଂ ଏହା ଶିକ୍ଷକମାନଙ୍କ ପ୍ରତି ଥିବା ଲୋକଙ୍କ ଧାରଣାକୁ ପ୍ରଭାବିତ କରୁଛି। ସେମାନେ ଅଳସୁଆ ଏବଂ ବିଶୃଙ୍ଖଳିତ ବୋଲି ଆମକୁ ଦୋଷ ଦେଉଛନ୍ତି । ପ୍ରତିବାଦ ପରେ କିଛି ଦିନ ପାଇଁ ଆମକୁ ଡକାଯାଇ ନ ଥିଲା । କିନ୍ତୁ ପୁଣି ଏହା ଆରମ୍ଭ ହୋଇଗଲା ।”

PHOTO • Parth M.N.
PHOTO • Parth M.N.

ଆସ ଆମେ ପଢ଼ାଇବା’:ଅତିରିକ୍ତ କାର୍ଯ୍ୟ ପାଇଁ ବାଧ୍ୟ କରାଯାଉଥିବା ବିରୋଧରେ ସେପ୍‌ଟେମ୍ବର ୨୦୧୭ରେ ଶହ ଶହ ଶିକ୍ଷକଙ୍କ ପ୍ରତିବାଦର ନେତୃତ୍ୱ ନେଇଥିଲେ ଭାଉ ଚାସ୍‌କର ।

ଶିକ୍ଷୟିତ୍ରୀମାନଙ୍କୁ ଅଧିକ ସଂଘର୍ଷ କରିବାକୁ ପଡ଼େ। ଓସ୍‌ମାନାବାଦ ସହରର ବାଳିକା ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ୪୦ରୁ ଅଧିକ ବୟସର ତବସୁମ୍‌ ସୁଲ୍‌ତାନା କହନ୍ତି ଯେ ଶିକ୍ଷାଦାନ କାମ, ଅଣ-ଶୈକ୍ଷିକ କାମ ଏବଂ ଘରକାମ ଭିତରେ ତାଙ୍କୁ ଘାଣ୍ଟି ହେବାକୁ ପଡ଼େ । ସେ କହନ୍ତି, “ପୁରୁଷ ହୁଅନ୍ତୁ ବା ମହିଳା, ଶିକ୍ଷକମାନଙ୍କ ପାଇଁ କାମ କରିବାର ସମୟ ସମାନ । କିନ୍ତୁ ଆମକୁ ଆମ ଶାଶୂ /ଶ୍ୱଶୁର ଏବଂ ପିଲାମାନଙ୍କ ଯତ୍ନ ନେବାକୁ ହୁଏ, ସେମାନଙ୍କ ପାଇଁ ରାନ୍ଧିବାକୁ ପଡ଼େ, ଘର ଛାଡ଼ିବା ପୂର୍ବରୁ ସବୁ ଠିକ୍‌ ଅଛି ବୋଲି ନିଶ୍ଚିତ କରିବାକୁ ପଡ଼େ।” ତବସୁମ୍‌ଙ୍କର ଦୁଇଟି ପୁଅ, ଦୁହେଁ କଲେଜରେ ପଢ଼ନ୍ତି। ସେ କହନ୍ତି, “ସେମାନେ ବଡ଼ ହୋଇଗଲେଣି । ସେମାନେ ସ୍କୁଲ୍‌ରେ ପଢୁଥିବା ବେଳେ ଏହା କଷ୍ଟକର ଥିଲା। କିନ୍ତୁ ଏବେ ମୋର ଅଭ୍ୟାସ ହୋଇଗଲାଣି ।”

 ‘ଶିକ୍ଷକମାନଙ୍କର ନିର୍ବାଚନମଣ୍ଡଳୀ’ (ଶିକ୍ଷକମାନଙ୍କ ଦ୍ୱାରା ମନୋନୀତ) ମହାରାଷ୍ଟ୍ର ବିଧାନ ପରିଷଦର ଜଣେ ସଭ୍ୟ କପିଳ ପାଟିଲ କହନ୍ତି ଯେ ଶିକ୍ଷକମାନଙ୍କୁ କାମରେ ଲଗାଇବା ସହଜ । ସେ କହନ୍ତି, “ସେମାନେ ଶିକ୍ଷିତ, ଉପଲବ୍‌ଧ ଏବଂ ସରକାରୀ ଚାକିରିଆ । ମହାରାଷ୍ଟ୍ରର ଜିଲ୍ଲା ପରିଷଦ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବାର ଏହା ଆଉ ଏକ କାରଣ । ପାଠ ପଢ଼ାଇବା ପାଇଁ ଶିକ୍ଷକ ମିଳନ୍ତି ନାହିଁ । ଏହାର ଅର୍ଥ ନୁହେଁ ଯେ ସେମାନେ ଛୁଟିରେ ଅଛନ୍ତି । ସେମାନେ ଆଉ କେଉଁଠି କାମରେ ଲାଗିଛନ୍ତି । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ହିଁ ଅଧିକ ଅସୁବିଧାର ସମ୍ମୁଖୀନ ହୁଅନ୍ତି, କାରଣ ଶିକ୍ଷାର ଗୁଣାତ୍ମକ ମାନ ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡେ।”

ମହାରାଷ୍ଟ୍ରର ୬୧,୬୫୯ ଜିଲ୍ଲା ପରିଷଦ ସ୍କୁଲ୍‌ରେ ପଢୁଥିବା ପ୍ରାୟ ୪୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼େ। ଜିଲ୍ଲା ପରିଷଦ ସ୍କୁଲ୍‌ଗୁଡ଼ିକରେ ମାଗଣା ଶିକ୍ଷା ଦିଆଯାଏ ଏବଂ ଅଧିକାଂଶ ଛାତ୍ରଛାତ୍ରୀ କୃଷକ, କୃଷି ଶ୍ରମିକ ପରିବାରର। ବହୁ ଛାତ୍ରଛାତ୍ରୀ ବେସରକାରୀ ଶିକ୍ଷାନୁଷ୍ଠାରେ ପଢ଼ାଇବାକୁ ଅସମର୍ଥ ଦଳିତ ଓ ଆଦିବାସୀ ସଂପ୍ରଦାୟର ପରିବାରରୁ ଆସିଥାଆନ୍ତି। ସୋଲାପୁରର ସାମାଜିକ କର୍ମୀ ଏବଂ ଶିକ୍ଷକ ନବନାଥ ଗେଣ୍ଡ କହନ୍ତି, “ଏହା ଦ୍ୱାରା ଏକ ସାମାଜିକ ବିଭାଗକୁ ଶିକ୍ଷିତ କରାଇବା କ୍ଷେତ୍ରରେ ସାଲିସ କରାଯାଏ। କିନ୍ତୁ ଯେତେବେଳେ ଶିକ୍ଷକମାନେ ବୁଥ୍‌ସ୍ତରୀୟ ଅଧିକାରୀ ଭାବେ କାମ କରିବାକୁ ମନା କରନ୍ତି, ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ଧମକ ଦିଏ ।”

Teachers hanging around at virgaon school
PHOTO • Parth M.N.
Children playing in school ground; rain
PHOTO • Parth M.N.

ଶିକ୍ଷକମାନଙ୍କୁ ବ୍ଲକ୍‌ସ୍ତରୀୟ ଅଧିକାରୀ ଭାବେ ନିଆଯାଉଥିବାରୁ ଶ୍ରେଣୀରେ ପାଠପଢ଼ା ପାଇଁ ଶିକ୍ଷକ ମିଳନ୍ତିନି, ଯାହା ଦ୍ବାରା ଜିଲ୍ଲା ପରିଷଦ ସ୍କୁଲ୍‌ରେ ନାମ ଲେଖାଇଥିବା ପିଲାଙ୍କ ଶିକ୍ଷାର ଗୁଣାତ୍ମକ ମାନ ପ୍ରଭାବିତ ହୁଏ ।

ବୁଥ୍‌ସ୍ତରୀୟ ଅଧିକାରୀ ଭାବେ କାମ କରିବାକୁ ମନା କରିବାରୁ, ସୋଲାପୁର ଜିଲ୍ଲା ମାଧ ତାଲୁକାର ମୋଡ଼ନିମ୍ବ ଗାଁରେ ଥିବା ଜିଲ୍ଲା ପରିଷଦ ସ୍କୁଲ୍‌ର ୩୭ ବର୍ଷୀୟ ପ୍ରାଥମିକ ଶିକ୍ଷକ ପରମେଶ୍ୱର ସୁର୍‌ବାସେଙ୍କ ବିରୋଧରେ ୨୦୧୭ ନଭେମ୍ବର ମାସରେ ଥାନାରେ ଏତଲା ଦିଆଯାଇଥିଲା। ସେ କହନ୍ତି, “ମୋର ଦାୟିତ୍ୱ ହେଲା ଗୁଣାତ୍ମକ ଶିକ୍ଷାଦାନ କରିବା। ମୋ ସ୍କୁଲ୍‌ରେ ପରୀକ୍ଷାର ସପ୍ତାହକ ପୂର୍ବରୁ ଆମ ଭିତରୁ ଛଅ ଜଣ ଶିକ୍ଷକଙ୍କୁ ବୁଥ୍‌ସ୍ତରୀୟ ଅଧିକାରୀ ଭାବେ କାମ କରିବାକୁ କୁହାଗଲା। ଆମେ କହିଲୁ ଥରକରେ ଛଅ ଜଣ ଶିକ୍ଷକ ସ୍କୁଲ୍‌ ଛାଡ଼ିପାରିବେ ନାହିଁ। ନହେଲେ ପିଲାମାନେ ଅସୁବିଧାରେ ପଡ଼ିବେ। ଆମେ ତହସିଲଦାରଙ୍କ ଦେଖା କରିବାକୁ ଅନୁରୋଧ କଲୁ ।”

ଦେବୀଦାସ ଗିରେ କହନ୍ତି, “ବିଡ଼ମ୍ବନାର ବିଷୟ ଯେ, ଯଦି ଆମେ ଠିକ୍‌ ଭାବେ ନ ପଢ଼ାଉ, କୌଣସି ସରକାରୀ ଚିଠିରେ କୈଫିୟତ ମଗାଯାଏନି, କିନ୍ତୁ ଶୌଚାଳୟ ଗଣିବା କାମରେ ଅବହେଳା ନ କରିବାକୁ ତହସିଲଦାରଙ୍କ ଅଫିସ୍‌ରୁ ଅନେକ ନିର୍ଦ୍ଦେଶ ଆସେ ।”

କିନ୍ତୁ ସୋଲାପୁର ସହରର ତହସିଲଦାରଙ୍କ ଅଫିସ୍‌ ଛଅ ଜଣ ଶିକ୍ଷକଙ୍କ ନାଁରେ ଏକ ଏତଲା ଦାୟର କଲା। ସେ କହନ୍ତି, “ଆମ ବିରୋଧରେ ଅଭିଯୋଗ କରାଗଲା ଯେ ଆମେ ନିର୍ଦ୍ଦେଶ ମାନିବାକୁ ମନା କରୁଛୁ ଏବଂ ଆମ କାମ କରୁନାହୁଁ । ଆମେ ଆଉ ଯୁକ୍ତିତର୍କ କରିପାରିଲୁ ନାହିଁ। ଆମେ ନିର୍ଦ୍ଦେଶ ମାନିଲୁ ଏବଂ ଏହାର ଅର୍ଥ ହେଲା ପରବର୍ତ୍ତୀ ୩୦ ଦିନ ପାଇଁ ଆମେ ସ୍କୁଲ୍‌ ଦେଖିପାରିଲୁ ନାହିଁ। ଆଜି ଯାଏଁ ଆମେ ବୁଥ୍‌ସ୍ତରୀୟ ଅଧିକାରୀ ଭାବେ କାମ କରୁଛୁ ଏବଂ କେତେ ଥର ଥାନାକୁ ମଧ୍ୟ ଯିବାକୁ ପଡ଼ିଛି। ଆମ ଭିତରୁ ଦୁଇ ଜଣଙ୍କୁ ନୋଟିସ୍‌ ଜାରି କରାଯାଇଥିଲା ଏବଂ ସେମାନଙ୍କୁ ଅଦାଲତରେ ହାଜର ହେବାକୁ ପଡ଼ିଥିଲା। ଏସବୁ ଭିତରେ ଆମେ କେମିତି ପଢ଼ାଇ ପାରିବୁ ? ଏହି ସମୟ ଭିତରେ ୪୦ ଜଣ ପିଲା ଆମ ସ୍କୁଲ୍‌ ଛାଡ଼ି ପାଖରେ ଥିବା ଘରୋଇ ସ୍କୁଲ୍‌ରେ ନାମ ଲେଖାଇଲେ ।”

ସେମାନଙ୍କ ମଧ୍ୟରୁ ଜଣେ ହେଲା ଦତ୍ତାତ୍ରେୟ ସୁର୍‌ବେଙ୍କ ୧୧ ବର୍ଷର ପୁଅ ବିବେକ। ସୁର୍‌ବେ ଜଣେ କୃଷକ ଏବଂ ନିଜର ୨.୫ ଏକର ଜମିରେ ସେ ଯଅ ଏବଂ ବାଜରା ଚାଷ କରନ୍ତି। ସେ କହନ୍ତି, “ମୁଁ ସ୍କୁଲ୍‌ (ମୋଡନିମ୍ବରେ ଥିବା) ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କଲି ଏବ ସେ କହିଲେ ଯେ ଶିକ୍ଷକମାନେ ସେମାନଙ୍କ କାମ କରୁଛନ୍ତି ।” ସୁର୍‌ବେ ଆହୁରି କହନ୍ତି, “ବର୍ଷକୁ ପ୍ରାୟ ୨୦୦ ଦିନ ସ୍କୁଲ୍‌ ଚାଲେ ଏବଂ ସେହି ସମୟରେ ଯଦି ଶିକ୍ଷକମାନେ ନ ଥାଆନ୍ତି ତେବେ ମୋ ପିଲାଙ୍କୁ ସ୍କୁଲ ପଠାଇବି କାହିଁକି ? ଏଥିରୁ ହିଁ ଜଣାପଡ଼େ ଯେ ଜିଲ୍ଲା ପରିଷଦ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପ୍ରତି ରାଜ୍ୟ ସରକାର ଧ୍ୟାନ ଦେଉନାହାନ୍ତି ।”

ସୁର୍‌ବେ କହନ୍ତି ଯେ, ତାଙ୍କ ପୁଅକୁ ଯେତେଦୂର ସମ୍ଭବ ଉତ୍ତମ ଶିକ୍ଷା ଦେବାକୁ ସେ ଚାହାନ୍ତି । ସେ ଆହୁରି କହନ୍ତି, “ଚାଷକାମରେ ଭବିଷ୍ୟତ ନାହିଁ ।” ୨୦୧୭ ଅକ୍ଟୋବର ମାସରେ ପ୍ରାୟ ଦୁଇ କିଲୋମିଟର ଘରୋଇ ସ୍କୁଲରେ ସେ ତାଙ୍କ ପୁଅର ନାମ ଲେଖାଇଲେ। ଏବେ ସେ ବାର୍ଷିକ ଫି’ ବାବଦରେ ୩,୦୦୦ ଟଙ୍କା ଦେଉଛନ୍ତି । “କିନ୍ତୁ ମୁଁ ଏହି ନୂଆ ସ୍କୁଲ୍‌କୁ ନେଇ ଖୁସି । ଏହା ପେସାଦାର ଢଙ୍ଗରେ ଚାଲେ।”

PHOTO • Parth M.N.

ପୁଣି ମୂଳରୁ ଆରମ୍ଭ କରିବାକୁ ବାଧ୍ୟ ହେବେ ଅଧ୍ୟକ୍ଷ ଅନୀଲ ମୋହିତେ, କାରଣ ତାଙ୍କ ବଦଳି ଏମିତି ଏକ ସ୍କୁଲ୍‌କୁ ହୋଇଛି, ଯେଉଁଠି ସେ ଓ ତାଙ୍କ ଛାତ୍ରଛାତ୍ରୀ ଅଲଗା ଅଲଗା ଭାଷା କହନ୍ତି । 

କପିଲ ପାଟିଲଙ୍କ କହିବା କଥା ଯେ, ବାରମ୍ବାର ହେଉଥିବା ଏଭଳି ଅନେକ ଅଭିଯୋଗରୁ ବୁଝାଯାଏ ଯେ ଜିଲ୍ଲା ପରିଷଦ ସ୍କୁଲ୍‌ଗୁଡ଼ିକ ସଂପର୍କରେ ରାଜ୍ୟ ସରକାର ଗମ୍ଭୀର ନୁହନ୍ତି । ସେ କହନ୍ତି, “ଜୁନ୍‌ (୨୦୧୮)ରେ ରାଜ୍ୟବ୍ୟାପୀ ଶିକ୍ଷକମାନଙ୍କ ବଦଳିରେ ଏହା (ମଧ୍ୟ) ପ୍ରତିଫଳିତ ହୁଏ’’ । ପ୍ରଦତ୍ତ ବଦଳିର କାରଣଗୁଡ଼ିକ ଭିତରୁ ଗୋଟିଏ ହେଲା ଦୁର୍ଗମ ଅଞ୍ଚଳରେ ରହୁଥିବା ଶିକ୍ଷକମାନେ ମଧ୍ୟ ସହରରେ କିମ୍ବା ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ଥିବା ଗାଁଗୁଡ଼ିକରେ ରହିବାର ସୁଯୋଗ ପାଇବା ଉଚିତ।” ବଦଳି ନିର୍ଦ୍ଦେଶ ରଦ୍ଦ କରିବା ପାଇଁ ଅନୁରୋଧ କରି ଜଣେ ଶିକ୍ଷକଙ୍କ ନିକଟରୁ ସେ ପାଇଥିବା ଏକ ଚିଠିକୁ ହାତରେ ଧରି ପାଟିଲ କହନ୍ତି, “କିନ୍ତୁ, ରାଜ୍ୟ ସରକାର ନା ଛାତ୍ରଛାତ୍ରୀଙ୍କ କଥା ଚିନ୍ତା କରୁଛନ୍ତି ନା ଶିକ୍ଷକମାନଙ୍କ କଥା ।”

ଅହମଦନଗରର ୧୧,୪୬୨ଜିଲ୍ଲା ପରିଷଦ ସ୍କୁଲ୍‌ ଶିକ୍ଷକମାନଙ୍କ ମଧ୍ୟରୁ ୬,୧୮୯ (କିମ୍ବା ୫୪ ପ୍ରତିଶତ) ଜଣ ବଦଳି ନିର୍ଦ୍ଦେଶ ପାଇଥିଲେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ରମାକାନ୍ତ କାଟମୋରେ କହନ୍ତି । “ଏହି ପ୍ରତିଶତ ରାଜ୍ୟର ସବୁ ଜିଲ୍ଲାରେ ପ୍ରାୟ ସମାନ । ଏହା ଏକ ନିୟମିତ ପ୍ରକ୍ରିୟା ।”

 ବଦଳି ହୋଇଥିବା ଶିକ୍ଷକମାନଙ୍କ ମଧ୍ୟରୁ ଜଣେ ହେଲେ ରମେଶ ଉତ୍ରାଦକର। ସେ ଦେବପୁର ଗାଁ ଜିଲ୍ଲା ପରିଷଦ ସ୍କୁଲ୍‌ରେ ପଢ଼ାଉଥିଲେ । ସେ କହନ୍ତି, “ବୁଲଧାନା ସହରରେ ଥିବା ମୋ ଘରଠାରୁ ଏହା ୨୦ କିଲୋମିଟର ଦୂର ।” ୨୦୧୮ ମେ ମାସରେ ୬୫ କିଲୋମିଟର ଦୂର ମୋମିନାବାଦ ଜିଲ୍ଲା ପରିଷଦ ସ୍କୁଲ୍‌କୁ ତାଙ୍କର ବଦଳି କରାଗଲା। ସେ କହନ୍ତି, “ମୋ ସ୍ତ୍ରୀ ସହରର ନଗରପାଳିକା ସ୍କୁଲ୍‌ରେ ପଢ଼ାନ୍ତି। ତେଣୁ ଆମେ ଘର ବଦଳାଇ ପାରିଲୁ ନାହିଁ । ମୁଁ ସବୁଦିନ ସ୍କୁଲ୍‌କୁ ଯିବାଆସିବା କରେ। ଗୋଟିଏ ପଟ ଯାତ୍ରାରେ ଦୁଇ ଘଣ୍ଟା ଲାଗେ ।” ଉତ୍ରାଦକର ଦୁଇଟି ଉପନ୍ୟାସ ଲେଖିଛନ୍ତି ଏବଂ ତାଙ୍କର ଦୁଇଟି କବିତା ସଂକଳନ ପ୍ରକାଶିତ ହୋଇଛି। ସାହିତ୍ୟ ସାଧନା ଲାଗି ରାଜ୍ୟସ୍ତରରେ ଏକ ପୁରସ୍କାର ପାଇଛନ୍ତି । କିନ୍ତୁ ବଦଳି ପରେ ସେ ଆଉ ପଢ଼ିବା ବା ଲେଖିବାରେ ସମର୍ଥ ନୁହନ୍ତି । ସେ କହନ୍ତି, “ଏତେ ଅଧିକ ଯାତ୍ରା କରିବା କ୍ଳାନ୍ତିକର । ମୋ ଜୀବନ କକ୍ଷଚ୍ୟୁତ ହୋଇଗଲାଣି ।” 

ନିଜ ବାସସ୍ଥାନ ଆକୋଲା ସହରରେ ଶିକ୍ଷକ ରୂପେ କାର୍ଯ୍ୟରତ ୪୪ ବର୍ଷୀୟ ଅନୀଲ ମୋହିତେଙ୍କୁ ୩୫ କିଲୋମିଟର ଦୂର ଆଦିବାସୀ ଗାଁ ଶେଲଭିହିରେ ଜିଲ୍ଲା ପରିଷଦ ସ୍କୁଲ୍‌ର ଅଧ୍ୟକ୍ଷ ରୂପେ ବଦଳି କରାଯାଇଥିଲା। ମୋହିତେ କୋଲି ମହାଦେବ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭାଷା ବୁଝନ୍ତି ନାହିଁ କି ସେମାନେ ଭଲ ଭାବେ ମରାଠୀ କହିପାରନ୍ତି ନାହିଁ । “ସେମାନଙ୍କୁ ମୁଁ କେମିତି ପଢ଼ାଇବି ? ପୂର୍ବରୁ ମୁଁ ଔରଙ୍ଗପୁର (ଆକୋଲାଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର) ସ୍କୁଲ୍‌ରେ ୪ ବର୍ଷ ଧରି କାମ କରିଥିଲି । ମୁଁ ମୋ ଛାତ୍ରଛାତ୍ରୀଙ୍କୁ ଜାଣିଛି, କେଉଁଥିରେ ସେମାନେ ସମର୍ଥ ଆଉ କେଉଁଥିରେ ଦୁର୍ବଳ । ସେମାନେ ମତେ ଜାଣିଛନ୍ତି । ଆମ ଭିତରେ ସୁସଂପର୍କ ଥିଲା । ଏବେ ମତେ ପୁଣି ମୂଳରୁ ଆରମ୍ଭ କରିବାକୁ ପଡ଼ିବ ।”

ଅନେକ ଜିଲ୍ଲା ପରିଷଦ ସ୍କୁଲ୍‌ ଭଳି, ଶେଲଭିହିରେର ତାଙ୍କ ସ୍କୁଲ୍‌ରେ ଇଣ୍ଟରନେଟ୍‌ ନେଟ୍‌ୱର୍କ ପ୍ରାୟତଃ ରହେ ନାହିଁ । ମୋହିତେ କହନ୍ତି,” ଆମକୁ ମଧ୍ୟାହ୍ନ ଭୋଜନର ବିବରଣୀ ଏବଂ ଉପସ୍ଥାନ ଅନ୍‌ଲାଇନ୍‌ରେ ପୂରଣ କରିବାକୁ ପଡ଼େ । ଅନ୍‌ଲାଇନ୍‌ରେ କରିବାକୁ ପ୍ରାୟ ୧୫ଟି କାମ ରହିଛି । ଏସବୁ ଏହି ସ୍କୁଲ୍‌ରେ କରିବା ଅସମ୍ଭବ । ମତେ ସବୁଦିନ ଏହାକୁ ଲେଖି ରଖିବାକୁ ପଡ଼େ ଏବଂ ଘରକୁ ଫେରିଲେ ଅନ୍‌ଲାଇନରେ ଏହା ପୂରଣ କରେ । କାମରେ ବୁଡ଼ି ରହିଥିବା ବେଳେ ଏହା ଆହୁରି କାମ ବଢ଼ାଏ ।”

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Other stories by Parth M.N.