ମାୟଲାପୁରର ଏକ ଛୋଟ ଗଳିରେ ନୀଳ ରଙ୍ଗ ଦିଆଯାଇଥିବା ଗୋଟିଏ ଆବଦ୍ଧ କୋଠରିରେ ରେଡିଓରୁ ଭାସିଆସୁଥାଏ କର୍ଣ୍ଣାଟକୀ ସଙ୍ଗୀତର ଧ୍ୱନି । କାନ୍ଥରେ ଶୋଭା ପାଉଥାଏ ହିନ୍ଦୁ ଦେବତାଙ୍କ ଫଟୋ ଏବଂ ଚଟାଣରେ ଇତସ୍ତତଃ ପଡ଼ିଥାଏ ଖଣ୍ଡ ଖଣ୍ଡ ପଣସ କାଠ ଓ ଚମଡ଼ା । ହାତୁଡ଼ି, କଣ୍ଟା ଓ ସ୍ୱର ବାନ୍ଧିବା ପାଇଁ କାଠ ଖିଲ ଏବଂ ପାଲିସ୍‌ କରିବା ପାଇଁ ଥିବା ଜଡ଼ା ତେଲ ମଧ୍ୟରେ ବସି ଯେସୁଦାସ ଆନ୍ଥୋନି ଏବଂ ତାଙ୍କ ପୁଅ ଏଡୱିନ୍‌ ଯେସୁଦାସ ଏହି କୋଠରିରେ କାମ କରନ୍ତି । ବାହାରେ, କେନ୍ଦ୍ରୀୟ ଚେନ୍ନାଇ ପାଖାପାଖି ଏହି ଆବାସିକ ଅଞ୍ଚଳରେ ପ୍ରତିଧ୍ୱନିତ ହେଉଥାଏ ମନ୍ଦିରର ଘଣ୍ଟାଧ୍ୱନି ।

ଦୁଇ କୁଶଳୀ କାରିଗର ନିର୍ମାଣ କରନ୍ତି ମୃଦଙ୍ଗମ୍‌, ଯାହାକି କର୍ଣ୍ଣାଟକୀ (ଦକ୍ଷିଣ ଭାରତୀୟ ଶାସ୍ତ୍ରୀୟ) ସଙ୍ଗୀତରେ ସଙ୍ଗତ ରୂପେ ବ୍ୟବହୃତ ଏକ ପ୍ରକାରର ଢୋଲ। ଚେନ୍ନାଇଠାରୁ ୩୫୦ କିଲୋମିଟର ଦୂର ସହରକୁ ଆଖିରେ ରଖି ଏଡ୍‌ୱିନ୍‌ କହନ୍ତି, “ମୋ ଜେଜେବାପାଙ୍କ ବାପା ତାଞ୍ଜାଭରରେ ମୃଦଙ୍ଗମ୍‌ ନିର୍ମାଣ ଆରମ୍ଭ କରିଥିଲେ ।” ତାଙ୍କ ବାପା ମୁଣ୍ଡ ଟେକି ଦେଖନ୍ତି ଏବଂ ମୁଚୁକି ମୁଚୁକି ହସି, ପୁଣି ଦୁଇଟି ଗୋଲାକାର ଚମଡ଼ା ଖଣ୍ଡର ଧାରରେ ଛିଦ୍ର କରିବାରେ ଲାଗିଯାଆନ୍ତି । ତା ପରେ ସେ ଦୁଇଟିଯାକ ଖଣ୍ଡକୁ ଟାଣି ଚମଡ଼ା ପଟିରେ ବନ୍ଧା ଗୋଟିଏ ଫମ୍ପା ଫ୍ରେମ୍‌ର ଉଭୟ ପାଖ ଖୋଲା ମୁହଁରେ ବାନ୍ଧନ୍ତି । ବାଦ୍ୟଯନ୍ତ୍ରର ‘ପିଣ୍ଡ’ ବା ଅନୁନାଦକର ଗୋଟିଏ ମୁଣ୍ଡରୁ ଅନ୍ୟ ମୁଣ୍ଡ ପର୍ଯ୍ୟନ୍ତ ମୋଟା ଚମଡ଼ା ପଟି ବୁଣାହୋଇଥାଏ । ଗୋଟିଏ ମୃଦଙ୍ଗମ୍‌ ନିର୍ମାଣର (ସେମାନେ ଗୋଟିଏ ସମୟରେ ଏକାଧିକ ତିଆରି କରନ୍ତି) ସମଗ୍ର ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ପ୍ରାୟ ସାତ ଦିନ ଲାଗେ ।

PHOTO • Ashna Butani
PHOTO • Ashna Butani

ବାମ: ଗୋଲାକାର ଚମଡ଼ା ଖଣ୍ଡରେ ଛିଦ୍ର କରନ୍ତି ଯେସୁଦାସ ଆନ୍ଥୋନି, ଯାହାକୁ ସେ ସରୁ ବେଣା ପଟିରେ ମୃଦଙ୍ଗମ୍‌ର ଗୋଟିଏ ମୁଣ୍ଡରେ ବାନ୍ଧନ୍ତି । ଡାହାଣ: ବାଦ୍ୟଯନ୍ତ୍ରର ଧ୍ୱନି ନିୟନ୍ତ୍ରଣ ଲାଗି ଗୋଟିଏ କାଠ ବାଡ଼ି ଓ ପଥର ଖଣ୍ଡ ବ୍ୟବହୃତ ହୁଏ

ପ୍ରାୟ ୫୨୦ କିଲୋମିଟର ଦୂର କାମୁଥି ସହରର କାଠ କାରିଗରଙ୍କ ପାଖରୁ ଏହି ପରିବାରର ଲୋକେ ଫ୍ରେମ୍‌ କିଣନ୍ତି; ଏହା ଶୁଖିଲା ପଣସ କାଠରେ ତିଆରି ହୋଇଥାଏ । ଏହି କାଠ ତନ୍ତୁଯୁକ୍ତ ହୋଇଥାଏ ଏବଂ ଏଥିରେ ଛୋଟ ଛୋଟ ରନ୍ଧ୍ର ଥିବାରୁ ପାଗ ବଦଳିଲେ ବି ବାଦ୍ୟଯନ୍ତ୍ରର ଧ୍ୱନି ବଦଳି ନଥାଏ । ଭେଲୋର ଜିଲ୍ଲାର ଅମ୍ବୁର ସହରରୁ ଗାଈ ଚମଡ଼ା କିଣାହୁଏ ।

ଆମେ ଯେତେବେଳେ ତାଙ୍କୁ ଭେଟିଲୁ, ତାଞ୍ଜାଭର ଜିଲ୍ଲାର କାବେରୀ ନଦୀଶଯ୍ୟାରେ ମିଳୁଥିବା ପଥରକୁ ଏଡ୍‌ୱିନ୍‌ ଗୁଣ୍ଡ କରୁଥିଲେ । ପଥର ଗୁଣ୍ଡ ସହିତ ଚାଉଳ ଚୁନା ଓ ପାଣି ମିଶାଇ କାପ୍ପି ମୃଦଙ୍ଗମ୍‌ର ଦୁଇ ମୁଣ୍ଡରେ ଥିବା ଚମଡ଼ା ଉପରେ ଲେପ ଦିଆଯାଏ । ଏହା ତବଲା ଭଳି ଶବ୍ଦ ସୃଷ୍ଟି କରେ ଏବଂ କାପ୍ପି କାରିଗରୀ ପାଇଁ ଚେନ୍ନାଇର କର୍ଣ୍ଣାଟକୀ ସଙ୍ଗୀତ ମଣ୍ଡଳୀରେ ଏଡ୍‌ୱିନ୍‌ଙ୍କ ପରିବାର ବେଶ୍‌ ଜଣାଶୁଣା । (କଚ୍ଚି ମୃଦଙ୍ଗମ୍‌ରେ ମୋଟା କାଠ ଫ୍ରେମ୍‌ ଥାଏ ଏବଂ ସୁଦୀର୍ଘ ଧ୍ୱନି ସୃଷ୍ଟି ପାଇଁ ଡାହାଣ ପଟରେ ଛୋଟ ଛୋଟ ବାଉଁଶ ପାତିଆ ଦିଆହୋଇଥାଏ ।)

PHOTO • Ashna Butani
PHOTO • Ashna Butani
PHOTO • Ashna Butani

ବାମ: ଯେସୁଦାସଙ୍କ ଯୁବାବସ୍ଥାରେ ତାଙ୍କ କାମ ଓ  ବଂଶାନୁକ୍ରମିକ ବୃତ୍ତି ସଂପର୍କରେ ଖବରକାଗଜରେ ପ୍ରକାଶିତ ଏକ ଲେଖା । ମଝି: କାନ୍ଥରେ ଲାଗିଛି ତାମିଲରେ ଲିଖିତ ଆଉ ଏକ ଲେଖା ଯାହା ତାଙ୍କ ପରିବାରର କର୍ମକୁଶଳତା ବୟାନ କରେ । ଡାହାଣ: ସେମାନଙ୍କର ନିପୁଣ କାରିଗରୀ ପାଇଁ ସେମାନେ ଅନେକ ପୁରସ୍କାର ପାଇଛନ୍ତି ।

ବାଦ୍ୟଯନ୍ତ୍ରର ଡାହାଣ ମୁଣ୍ଡକୁ କହନ୍ତି କାରାନାଇ, ଯାହାର ତିନିଟି ଭିନ୍ନ ଭିନ୍ନ ଚମଡ଼ାର ସ୍ତର ରହିଛି – ଏକ ବାହ୍ୟ ବଳୟ, ଏକ ଆଭ୍ୟନ୍ତରୀଣ ବଳୟ ଏବଂ କେନ୍ଦ୍ରରେ କଳା ବୃତ୍ତ ଥିବା ଅଂଶ । ବାମ ମୁଣ୍ଡକୁ ଥୋପ୍ପି କହନ୍ତି ଏବଂ ଏହା ଡାହାଣ ପଟ ତୁଳନାରେ ଅଧା ଇଞ୍ଚ ବଡ଼ ।

ଡିସେମ୍ବର-ଜାନୁଆରୀରେ ବାର୍ଷିକ ମାର୍‌ଗାଝି ସଙ୍ଗୀତ ଉତ୍ସବ ପାଳନ ସମୟରେ ୬୪ ବର୍ଷୀୟ ଯେସୁଦାସ ଏବଂ ୩୧ ବର୍ଷୀୟ ଏଡ୍‌ୱିନ୍‌ ପ୍ରତି ସପ୍ତାହରେ ୩ରୁ ୭ଟି ଏବଂ ବର୍ଷର ଅବଶିଷ୍ଟ ସମୟରେ ପ୍ରତି ସପ୍ତାହରେ ୩ରୁ ୪ଟି ମୃଦଙ୍ଗମ୍‌ ନିର୍ମାଣ କରନ୍ତି ଏବଂ ଏହା ସହିତ ଅନ୍ୟ ବାଦ୍ୟଯନ୍ତ୍ର ମରାମତି କରନ୍ତି । ପ୍ରତି ମୃଦଙ୍ଗମ୍‌ରୁ ସେମାନେ ୭,୦୦୦ରୁ ୧୦,୦୦୦ ଟଙ୍କା ରୋଜଗାର କରନ୍ତି । ଦୁହେଁ ସପ୍ତାହର ସାତ ଦିନ କାମ କରନ୍ତି- ଯେସୁଦାସ ସକାଳ ୯ଟାରୁ ସନ୍ଧ୍ୟା ୮ଟା ଏବଂ ସନ୍ଧ୍ୟାରେ କାମ (ସେ ଚାହାଁନ୍ତି ଯେ ତାଙ୍କ ଚାକିରି ସଂପର୍କିତ ବିବରଣୀ ଆମେ ଉଲ୍ଲେଖ ନକରୁ) ସାରି ଫେରିବା ପରେ ଏଡ୍‌ୱିନ୍‌ ଯୋଗ ଦିଅନ୍ତି । ସେମାନଙ୍କ ଘରୁ ପରିବାରର ଏହି କାର୍ଯ୍ୟଶାଳାକୁ ଚାଲି ଚାଲି ଗଲେ ପ୍ରାୟ ୧୫ ମିନିଟ୍‌ ଲାଗେ ।

PHOTO • Ashna Butani
PHOTO • Ashna Butani

ବାମ: ଏଡୱିନ୍‌ ଦିନବେଳା ଚାକିରି କରନ୍ତି, କିନ୍ତୁ ସନ୍ଧ୍ୟାରେ ଏବଂ ରବିବାରରେ ସେ ତାଙ୍କ ବାପାଙ୍କ ସହ କାର୍ଯ୍ୟଶାଳାରେ କାମ କରନ୍ତି । ଡାହାଣ: ଏଡ୍‌ୱିନ୍‌ଙ୍କ ସ୍ତ୍ରୀ ୨୯ ବର୍ଷୀୟା ନାନ୍‌ସୀ ଜଣେ ଗୃହିଣୀ ଏବଂ ମୃଦଙ୍ଗମ କେମିତି ତିଆରି ହୁଏ ବୋଲି ମୋଟାମୋଟି ଭାବେ ଜାଣନ୍ତି, କିନ୍ତୁ ଏହି କାମ ପରିବାରର ପୁରୁଷମାନଙ୍କ ପାଇଁ ସଂରକ୍ଷିତ

ଏଡ୍‌ୱିନ୍‌ କହନ୍ତି, “ଯଦିଓ ଆମେ ଦଳିତ ଖ୍ରୀଷ୍ଟିଆନ୍‌, ଆମେ ଏହି କୌଳିକ ବୃତ୍ତିକୁ ବଜାୟ ରଖିଛୁ ।” ସେ ସ୍ମୃତିଚାରଣ କରି କହନ୍ତି ଯେ, ତାଙ୍କ ଜେଜେବାପା ଆଣ୍ଟୋନି ସେବାଷ୍ଟିଆନ୍‌, ଜଣେ ବେଶ୍‌ ଜଣାଶୁଣା ମୃଦଙ୍ଗମ୍‌ ନିର୍ମାତା ଥିଲେ ଏବଂ ତାଙ୍କ କାମ ଯୋଗୁଁ କର୍ଣ୍ଣାଟକୀ ସଙ୍ଗୀତଜ୍ଞମାନଙ୍କ ଦ୍ୱାରା ପ୍ରଶଂସିତ ହେଉଥିଲେ ସତ, କିନ୍ତୁ ଜଣେ ବ୍ୟକ୍ତି ହିସାବରେ ତାଙ୍କୁ ସମ୍ମାନ ଦିଆଯାଉ ନଥିଲା । “ମୋ ଜେଜେବାପା ମୃଦଙ୍ଗମ୍‌ ତିଆରି କରୁଥିଲେ ଏବଂ ବିକ୍ରି କରୁଥିଲେ, କିନ୍ତୁ ଯେତେବେଳେ ସେ ବାଦ୍ୟଯନ୍ତ୍ର ଦେବା ଲାଗି ଗ୍ରାହକଙ୍କ ଘରେ ପହଞ୍ଚୁଥିଲେ, ସେମାନେ ତାଙ୍କୁ ଛୁଇଁବାକୁ ମନା କରୁଥିଲେ ଏବଂ ତାଙ୍କ ପାଉଣା ଟଙ୍କା ତଳେ, ଚଟାଣରେ ରଖିଦେଉଥିଲେ ।” ଏଡ୍‌ୱିନ୍‌ ଅନୁଭବ କରନ୍ତି ଯେ, ଏବେ ଏହି ଜାତିଗତ ସମସ୍ୟା “୫୦ ବର୍ଷ ତଳେ ଯାହା ଥିଲା ସେତେଟା ଖରାପ ନୁହେଁ ।” କିନ୍ତୁ, ଅଧିକ ବର୍ଣ୍ଣନା ନକରି ସେ କହନ୍ତି ଯେ, ଏହି ଭେଦଭାବ ଏବେ ବି ରହିଛି ।

ଯେତେବେଳେ ସେ ତାଙ୍କ ବାପାଙ୍କ ସହ ମିଶି ତିଆରି କରିଥିବା ଗୋଟିଏ ମୃଦଙ୍ଗମ୍‌ର ସ୍ୱର ସଜାଡ଼ନ୍ତି, ଧ୍ୱନି ସଂପର୍କିତ ତାଙ୍କର ଗଭୀର ଜ୍ଞାନ ସ୍ପଷ୍ଟ ବାରିହୁଏ । କିନ୍ତୁ ଏଡୱିନ୍‌ କହନ୍ତି ଯେ, ତାଙ୍କ ଜାତି ଓ ଧର୍ମ ଯୋଗୁଁ ଏହି ବାଦ୍ୟଯନ୍ତ୍ର ବଜାଇବାରେ ପ୍ରଶିକ୍ଷଣ ନେବାକୁ ତାଙ୍କୁ ମନା କରିଦିଆଗଲା । “ପ୍ରବୀଣ ସଙ୍ଗୀତଜ୍ଞମାନେ ମତେ କହୁଥିଲେ ଯେ ମୋର ସଙ୍ଗୀତରେ ଜ୍ଞାନ ରହିଛି । ସେମାନେ କହିଲେ, ଏହା ବଜାଇବାକୁ ମୋର ହାତ ଉପଯୁକ୍ତ । କିନ୍ତୁ ମୁଁ ଯେତେବେଳେ ତାଙ୍କୁ ଶିଖାଇବାକୁ କହିଲି, ସେମାନେ ମନା କରିଦେଲେ ।କେତେକ ସାମାଜିକ ପ୍ରତିବନ୍ଧକ ଏବେ ବି ରହିଛି... ।”

PHOTO • Ashna Butani
PHOTO • Ashna Butani

ବାମ: କର୍ଣ୍ଣାଟକୀ ସଙ୍ଗୀତ, ମୁଖ୍ୟତଃ ଉଚ୍ଚ ଜାତିର ହିନ୍ଦୁମାନଙ୍କର ଅଧିକାରଭୁକ୍ତ ଏବଂ ଯେସୁଦାସ ଓ ଏଡୱିନ୍‌ ଦଳିତ ଖ୍ରୀଷ୍ଟିଆନ୍‌ ହେଲେ ମଧ୍ୟ ସେମାନଙ୍କର କାର୍ଯ୍ୟଶାଳା କାନ୍ଥରେ ହିନ୍ଦୁ ଦେବଦେବୀମାନଙ୍କର ପ୍ରତିକୃତି ରହିଛି । ଡାହାଣ: ସେମାନଙ୍କ ଘରର ପ୍ରବେଶପଥରେ ଶୋଭା ପାଉଛି ସେମାନଙ୍କ ନିଜ ସଂପ୍ରଦାୟର କଳାକୃତି

ଅନେକ ବିଖ୍ୟାତ କର୍ଣ୍ଣାଟକୀ ସଙ୍ଗୀତଜ୍ଞଙ୍କ ଭଳି ମୁଖ୍ୟତଃ ଉଚ୍ଚ ଜାତିର ହିନ୍ଦୁ ଗ୍ରାହକମାନଙ୍କ ସହ ଏଡ୍‌ୱିନ୍‌ଙ୍କ ପରିବାରକୁ କାମ କରିବାକୁ ପଡ଼େ ଏବଂ ଏହା ସେମାନଙ୍କ କାର୍ଯ୍ୟଶାଳାର କାନ୍ଥରେ ବି ପ୍ରତିଫଳିତ। ଯଦିଓ ଏହି ମୃଦଙ୍ଗମ୍‌ ନିର୍ମାତାମାନେ ମାୟଲାପୁରର ‘ଆୱାର ଲେଡି ଅଫ୍‌ ଲାଇଟ୍‌’ର ‘ଲଜ୍‌ ଚର୍ଚ୍ଚ୍‌’ର ସଦସ୍ୟ, ସେମାନଙ୍କ କାର୍ଯ୍ୟଶାଳା କାନ୍ଥରେ ଶୋଭା ପାଉଥାଏ ହିନ୍ଦୁ ଦେବଦେବୀଙ୍କ ପ୍ରତିକୃତି । ଏଡ୍‌ୱିନ୍‌ କହନ୍ତି, “ମୁଁ ଜାଣେ ମୋ ଜେଜେବାପା ଓ ତାଙ୍କ ବାପା ଖ୍ରୀଷ୍ଟିଆନ୍‌ ଥିଲେ । ସେମାନଙ୍କ ପୂର୍ବରୁ ଆମର ହିନ୍ଦୁ ପରିବାର ଥିଲା ।”

ପ୍ରବୀଣ ସଙ୍ଗୀତଜ୍ଞମାନେ ମୃଦଙ୍ଗମ୍‌ ବାଦନ ପ୍ରଶିକ୍ଷଣ ଦେବାକୁ ମନା କରିଦେଇଥିଲେ ହେଁ, ଭବିଷ୍ୟତ ଭିନ୍ନ ହେବ ବୋଲି ସେ ଆଶାବାଦୀ। ସେ କହନ୍ତି, “ମୁଁ ହୁଏତ ଏହି ବାଦ୍ୟଯନ୍ତ୍ର ବଜାଇବାରେ ସକ୍ଷମ ହେଲିନାହିଁ ସତ’’। ‘‘କିନ୍ତୁ ମୋର ସନ୍ତାନ ହେଲେ ସେମାନେ ଯେମିତି ଏହା କରନ୍ତି, ସେ ଦିଗରେ ମୁଁ ନିଶ୍ଟୟ କାମ କରିବି ।”

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Ashna Butani

Ashna Butani is a recent graduate of the Asian College of Journalism, Chennai. She is based in Kolkata and interested in writing stories on gender, culture, caste and the environment.

Other stories by Ashna Butani