ସେ ଜଣେ ଶିକାରୀ, ଚାଷୀ, ଝୁଡ଼ି ବୁଣାଳି ଏବଂ ସ୍ଥାନୀୟ ପରିଷଦର ମୁଖିଆ। ମାକା ଲିଙ୍ଗିଙ୍କ ବିଷୟରେ ବଢ଼େଇ ଚଢେ଼ଇ କହିବା ଅନାବଶ୍ୟକ । ଠିକ୍ସେଇଭଳି ଢଙ୍ଗରେ ହିଁ ଅରୁଣାଚଳ ପ୍ରଦେଶର ଇଦୁ ମିଶମି ସଂପ୍ରଦାୟର ଏହି ବୟୋଜ୍ୟେଷ୍ଠ ବ୍ୟକ୍ତି ଜଣକ ତାଙ୍କ ଜୀବନ ବିତାଇ ଆସିଛନ୍ତି ।

ଭାରତର ପୂର୍ବ ସୀମାନ୍ତରେ ସ୍ଥିତ ଅରୁଣାଚଳ ପ୍ରଦେଶର ଅତି ଦୁର୍ଗ ଅଞ୍ଚଳରେ ଜୀବନଧାରଣ କରିବା ଲାଗି ତାଙ୍କୁ ମଧ୍ୟ ତାଙ୍କ ପିଢ଼ିର ଅନ୍ୟ ଅନେକଙ୍କ ଭଳି ବିଭିନ୍ନ କୌଶଳ ଶିଖିବାକୁ ପଡ଼ିଥିଲା।

“ଆମେ ଗାଁରେ କିଛି ହେଲେ କିଣୁ ନଥିଲୁ । ସେଭଳି ବ୍ୟବସ୍ଥା ହିଁ ନଥିଲା । ଆମକୁ ନିଜକୁ ନିଜେ ସବୁକିଛି ଉତ୍ପାଦନ କରିବାକୁ ପଡୁଥିଲା । ଆମେ ଚାଷବାସ କରୁଥିଲୁ, ଶିକାର କରୁଥିଲୁ ଏବଂ ବିଭିନ୍ନ ଜିନିଷ ତିଆରି କରୁଥିଲୁ,” ୬୦ରୁ ଅଧିକ ବର୍ଷ ବୟସର ଲିଙ୍ଗି କହନ୍ତି । ସେକଥା କହୁଥିଲା ବେଳେ ତାଙ୍କ ହାତ ଦୁଇଟି ନୂଆ ଝୁଡ଼ିଟିଏ ବୁଣିବାରେ ଲାଗିଥାଆନ୍ତି ।

ସାରା ଅରୁଣାଚଳ ପ୍ରଦେଶରେ ବିକ୍ଷିପ୍ତ ଭାବେ ରହିଛନ୍ତି ଇଦୁ ମିଶମି ସଂପ୍ରଦାୟର ଲୋକେ । କେତେକ କ୍ଷେତ୍ରରେ ଗୋଟିଏ ପଲ୍ଲୀରେ ମାତ୍ର ଦୁଇଟି କି ତିନିଟି ପରିବାର ଅଛନ୍ତି । ଆନିନି ମଣ୍ଡଳ ନିକଟ ଦିବଙ୍ଗ ଉପତ୍ୟକାରେ ଅବସ୍ଥିତ ଲିଙ୍ଗିଙ୍କ ଗାଁ ଆହୁନ୍ଲିର ଲୋକସଂଖ୍ୟା ମାତ୍ର ୧୧ ।

He points out where his fingers have marks from his years of weaving
PHOTO • Sweta Daga
Lingi using his dao to slice the bamboo
PHOTO • Sweta Daga

ବାମ: ବର୍ଷ ବର୍ଷ ଧରି ବାଉଁଶ ବୁଣିବା ଫଳରେ ତାଙ୍କ ହାତରେ ପଡ଼ିଥିବା ଦାଗ ଦେଖାଉଛନ୍ତି ମାକୋ ଲିଙ୍ଗି । ଡାହାଣ: ବାଉଁଶ ଝୁଡ଼ି ବୁଣିବା ପୂର୍ବରୁ ସେ ତାଙ୍କ  ଦାଓରେ ବାଉଁଶକୁ ଚିରି ପାତିଆ କରନ୍ତି

କେବଳ ତାଙ୍କ ଦାଓ (ଛୁରୀ) ଏବଂ ହାତ ଓ ପାଦ ବ୍ୟବହାର କରି ସେ ବିଭିନ୍ନ ପ୍ରକାରର ଝୁଡ଼ି ତିଆରି କରିପାରିବେ । ଅନ୍ୟ କୌଣସି ଉପକରଣ ଦରକାର ନାହିଁ । “ଇଦୁ ସଂପ୍ରଦାୟର ଲୋକେ ଭିନ୍ନ ଭିନ୍ନ ପ୍ରକାରର ଝୁଡ଼ି ବ୍ୟବହାର କରନ୍ତି,” ସେ ବୁଝାଇ ଦିଅନ୍ତି । ଖାଦ୍ୟ ପଦାର୍ଥ ବୋହିନେବା, କାଠ ବୋହିବା କିମ୍ବା ଶିକାର ପାଇଁ ଯିବା ଭଳି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ପ୍ରସ୍ତୁତ ପ୍ରତିଟି ଝୁଡ଼ିର ବୁଣିବା ଶୈଳୀ ମଧ୍ୟ ଭିନ୍ନ । ପ୍ରତିଟି ଝୁଡ଼ି ପାଇଁ ଆମେ ଭିନ୍ନ ଭିନ୍ନ ପ୍ରକାରର ବାଉଁଶ ବା ବେତ ବ୍ୟବହାର କରୁ । ଆମେ ଜଙ୍ଗଲକୁ ଯାଉ, ବାଉଁଶ କି ବେତ କାଟୁ, ସେସବୁ ଘରକୁ ଆଣୁ, ସେଗୁଡ଼ିକରୁ ସରୁ ସରୁ ପାତିଆ କାଟୁ ଏବଂ ତା’ପରେ ଝୁଡ଼ି ବୁଣିବା କାମ ଆରମ୍ଭ କରୁ ।” କେତେକ ଝୁଡ଼ି କେଇ ଘଣ୍ଟାରେ ତିଆରି ହୋଇଯାଏ, କେତେକ କେଇ ଦିନରେ, ଏବଂ  ଆଉ କେତେକ ତିଆରି କରିବାକୁ ସପ୍ତାହ ସପ୍ତାହ ଲାଗେ ।

“ଇଦୁ ସଂପ୍ରଦାୟର ସମସ୍ତେ (ଏବେ ବି ଗାଁରେ ରହୁଛନ୍ତି) ଝୁଡ଼ି, ତଳେ ବିଛାଇବାକୁ ମସିଣା, ବେତ କି ବାଉଁଶର ଟୋପି, ଶର ଏବଂ ଅନ୍ୟାନ୍ୟ ଜିନିଷ ତିଆରି କରନ୍ତି।” ଏହା କହନ୍ତି ଡକ୍ଟର ରାଜୀବ ମିସୋ, ସେ ନିଜେ ଜଣେ ଇଦୁ ମିଶମି ଏବଂ ରୋଇଙ୍ଗରେ ଥିବା ଜୋମିନ୍ଦ ଟାୟେଣ୍ଡ ସରକାରୀ ମଡେଲ ଡିଗ୍ରୀ କଲେଜ୍ର ସହାୟକ ପ୍ରାଧ୍ୟାପକ । ଡକ୍ଟରେଟ୍ପାଇଁ ତାଙ୍କ ନିବନ୍ଧରେ ଇଦୁ ମିଶ୍ମିଙ୍କୁ ଗୁରୁତ୍ଵ ପ୍ରଦାନ ପୂର୍ବକ ଅରୁଣାଚଳର ଗୋଷ୍ଠୀ ଓ ସଂପ୍ରଦାୟ ଭିତ୍ତିକ ଐତିହାସିକ ଦିଗ ଉପରେ ଆଲୋକପାତ କରାଯାଇଥିଲା। “ଏଠାରେ ପ୍ରସ୍ତୁତ ବସ୍ତୁଗୁଡ଼ିକ ଉପଯୋଗଭିତ୍ତିକ- ଅଧିକାଂଶ ପରିବାରରେ ବ୍ୟବହାର ପାଇଁ ଏବଂ ପ୍ରତିବଦଳରେ ଅନ୍ୟ ଆବଶ୍ୟକ ବସ୍ତୁ ପାଇବା ପାଇଁ । ସଂପ୍ରଦାୟର କେତେକ ସଦସ୍ୟ ଜ୍ଞାନୀ ଓ ଗୁଣୀ । ଅନେକ କ୍ଷେତ୍ରରେ, ଉଦାହରଣସ୍ଵରୂପ ଘର ତିଆରି କରିବା ପୂର୍ବରୁ ମାପଚୁପ କରିବା ପାଇଁ, ସେମାନଙ୍କର ଅଭିଜ୍ଞତା ଦରକାର ହୁଏ । ସେମାନେ ସ୍ଵେଚ୍ଛାରେ ଏହି କାମ କରନ୍ତି ଏବଂ ବଦଳରେ କିଛି ନିଅନ୍ତି ନାହିଁ ।”

He measures each strip of bamboo
PHOTO • Sweta Daga
Lingi’s nimble fingers make his weave tight and strong
PHOTO • Sweta Daga

ପ୍ରତି ବାଉଁଶ ପାତିଆର ଲମ୍ବକୁ ପ୍ରଥମେ ହାତରେ ମପାଯାଏ (ବାମ) । ପରେ ଲିଙ୍ଗିଙ୍କ କୁଶଳୀ ହାତରେ ଏହା ଶକ୍ତ ଓ ଦୃଢ଼ ଭାବରେ ବୁଣା ହୁଏ

ପରିବେଶ ସହିତ ଇଦୁ ମିଶ୍ମିମାନଙ୍କର ନିବିଡ଼ ସଂପର୍କ ଏବଂ ଶିକାର କରିବା ପରେ ଅନୁଶୋଚନାର ଜଟିଳ ପ୍ରଥା ବି ରହିଛି। ପ୍ରତିକୂଳ ପରିସ୍ଥିତିରେ ଏବଂ ଦୁର୍ଗମ ଅଞ୍ଚଳରେ ଜୀବନଯାପନ ସେମାନଙ୍କର ବହୁ ପ୍ରଥା ଓ ପରମ୍ପରାକୁ ରୂପ ଦେଇଛି- ଯେମିତି କି ସେମାନେ ଶିକାର କରୁଥିବା ପଶୁର ପ୍ରକାର, ରହିବା ପାଇଁ ତିଆରି କରୁଥିବା ଘର ଏବଂ ବ୍ୟବହାର କରୁଥିବ ବାଉଁଶ। ଏହା ସେମାନଙ୍କର ସାମୂହିକ ଜୀବନଧାରାକୁ ସୁଦୃଢ଼ କରିଛି । ଲିଙ୍ଗି କହନ୍ତି, “ଇଦୁ ସଂପ୍ରଦାୟରେ ସଂପର୍କ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ’’। ‘‘କୌଣସି ନା କୌଣସି ଭାବରେ ଆମ ସମସ୍ତଙ୍କର ପରସ୍ପର ସହ ସଂପର୍କ ରହିଛି ଏବଂ ଆମେମାନେ ମିଳିମିଶି ନିଜେ ନିଜ ସମସ୍ୟାର ସମାଧାନ କରୁ। ଆମ ଭିତରେ ପୋଲିସ ବା ସେଭଳି କୌଣସି ଲୋକ ନାହିଁ କି କେବେହେଲେ ସେମାନଙ୍କର ଆବଶ୍ୟକତା ଉପୁଜି ନାହିଁ”।

ଜଣେ ସମ୍ମାନିତ ବୟୋଜ୍ୟେଷ୍ଠ ଇଦୁ ଭାବରେ ଲିଙ୍ଗିଙ୍କୁ ଅନେକ ସମୟରେ ନାବା (ବାପା) ବୋଲି କୁହାଯାଏ; ୧୦ ବର୍ଷ ଧରି ସେ ଗ୍ରାମ ପଞ୍ଚାୟତର (ସ୍ଥାନୀୟ ପ୍ରଶାସନର) ସଦସ୍ୟ ଥିଲେ ଏବଂ ୧୯୯୩ରେ ଜିଲ୍ଲା ପରିଷଦର ଅଞ୍ଚଳ ସମିତିରେ (ଜିଲ୍ଲାସ୍ତରୀୟ ପ୍ରାଶାସନିକ ସଂସ୍ଥାରେ) ତାଙ୍କର କାର୍ଯ୍ୟକାଳ ଆରମ୍ଭ ହୋଇଥିଲା । “ଆମ ଲୋକଙ୍କୁ ସାହାଯ୍ୟ କରିବାକୁ ମୁଁ ଚାହୁଁଥିଲି । ଆହୁନ୍ଲି ଏବଂ ଆଖପାଖ ଗାଁରେ ଆମେ ଯାହା କରିପାରିବୁ କରିଥିଲୁ, କିନ୍ତୁ ରାଜ୍ୟ ସରକାର ଆମକୁ ପ୍ରକୃତ କ୍ଷମତା ଦେଲେ ନାହିଁ କି ଭଲ ରାସ୍ତା କିମ୍ବା ସ୍କୁଲ ତିଆରି କରିବାକୁ ବାସ୍ତବରେ ପାଣ୍ଠି ଦେଲେ ନାହିଁ । ଆମେ କେବଳ ୧ ଲକ୍ଷ ଟଙ୍କା ଯାହା ପାଇଲୁ । ସେଥିରେ ଆମେ କ’ଣ ବା କରିପାରିଥାଆନ୍ତୁ ? ଆମେ ନିଜ ହାତରେ ଆହୁରି ଭଲ ରାସ୍ତା କରିପାରିବୁ ।” ମୁଣ୍ଡ ହଲାଇ ସେ କହନ୍ତି, “ତଥାପି ଯେତେବେଳେ ଆମେ ସ୍କୁଲ୍ଟିଏ ତିଆରି କରିବାରେ ସକ୍ଷମ ହେଲୁ, ଭୂସ୍ଖଳନରେ ତାହା ନଷ୍ଟ ହୋଇଗଲା ।”

ଆଜି ଯଦିବା ଲୋକେ ଏହି କାରିଗରୀ ଶିଖୁଛନ୍ତି, ତା’ର କାରଣ ଏହା ଏକ ‘କଳା’, ଏଭଳି ଧାରଣା ଅସ୍ଵାଭାବିକ ବୋଲି ଲିଙ୍ଗି ମନେ କରନ୍ତି । “କଳା ନୁହେଁ, ଏହା ହିଁ ଥିଲା ଜୀବନ।”

ଲିଙ୍ଗି ତାଙ୍କର ପ୍ରାଶାସନିକ କର୍ତ୍ତବ୍ୟ ସଂପାଦନ ସହିତ ପାର୍ବତ୍ୟାଞ୍ଚଳରେ ଥିବା ତାଙ୍କର ୧୦-୧୫ ଏକର ଜମିରେ ଧାନ, ମକା ଓ ବିଭିନ୍ନ ଛୁଇଁ ମଧ୍ୟ ଚାଷ କରନ୍ତି । ଏବଂ ସେ ଶିକାର ବି କରନ୍ତି । କେଇ ଦଶନ୍ଧି ତଳେ ସେ ବାଘ ଆକ୍ରମଣରୁ ବର୍ତ୍ତି ଯାଇଥିଲେ । ଅଳ୍ପ ହସି ପୁରୁଣା କଥାକୁ ମନେ ପକାନ୍ତି ଲିଙ୍ଗି: “ମୋର ଜଣେ ସଂପର୍କୀୟ ଭାଇକୁ ବାଘ ଆକ୍ରମଣ କରିଥିଲା ଏବଂ ଜଙ୍ଗଲକୁ ଯାଇ ତାକୁ ଉଦ୍ଧାର କରି ଆଣିବା ପାଇଁ ପରିବାରର ଅନ୍ୟ ଜଣେ ସଦସ୍ୟ ମତେ କହିଲେ । ବାଘ ଜାତିର ଅନ୍ୟ ଜନ୍ତୁଙ୍କ ଭଳି ଏଠାରେ ବାଘ ପ୍ରାୟ ଦେଖା ଯାଆନ୍ତିନି । ମୁଁ ଯେତେବେଳେ ଜଙ୍ଗଲରେ ପଶିଲି, ସେଇ ବାଘଟି ପଞ୍ଝା ମେଲାଇ ମୋ ଉପରକୁ ଝାମ୍ପି ପଡ଼ିଲା, କିନ୍ତୁ ମୁଁ ତାକୁ ଗୁଳି କରି ମାରିଦେଲି... ମୁଁ ଖୁବ୍ଡରିଯାଇଥିଲି ।”

ଅଧା ବୁଣିଥିବା ଝୁଡ଼ିଟିକୁ ଲିଙ୍ଗି ରଖିଦେଲେ ଏବଂ ନୂଆ ଝୁଡ଼ିଟିଏ ବୁଣିବା ଆରମ୍ଭ କରିବାକୁ ସ୍ଥିର କଲେ । ଅଳ୍ପ ହସି ସେ କହିଲେ, ‘‘ଏହାର ବୁଣା ଏତେ ଦୃଢ଼ ନୁହେଁ । ଏହା ଭାଙ୍ଗି ଯାଇଥାଆନ୍ତା ।” କିଛି ଚିନ୍ତା କରି ସେ କହିଲେ, “ମୋର ସବୁ ସମୟ ମୁଁ ଅନ୍ୟମାନଙ୍କ ପାଇଁ ଦେଲି, କିନ୍ତୁ ଶେଷରେ ହାରିଗଲି । ସେମାନେ ଅର୍ଥ ଉପାର୍ଜନ କରିବାରେ ସମୟ ଲଗାଇଲେ । ଅନ୍ୟ ସମସ୍ତଙ୍କ ପାଖରେ ଧନ ଅଛି, ହେଲେ ମୋ ପାଖରେ ନାହିଁ ।”

4.	Mako Lingi’s grandson plays in his grandfather’s creations
PHOTO • Sweta Daga
Three generations of Lingi men
PHOTO • Sweta Daga

ବାମ: ଜେଜେବାପାଙ୍କ କୃତି ସହ ଖେଳୁଛି ଲିଙ୍ଗିଙ୍କର ଛୋଟ ନାତି । ଡାହାଣ: ରୋଇଙ୍ଗ୍ସହରରେ ମାକୋ ଲିଙ୍ଗିଙ୍କ ପୁଅର ଘରେ ପରିବାରର ତିନି ପିଢ଼ି

ଅର୍ଥଲାଭର ଇଚ୍ଛା କିମ୍ବା ଆବଶ୍ୟକତା ଯୋଗୁଁ ଅନେକ ଇଦୁ ମିଶ୍ମି ସେମାନଙ୍କ ଗାଁ ଓ କ୍ଷେତ ଛାଡ଼ି ପଳାଇଛନ୍ତି । ଧୀରେ ଧୀରେ ଝୁଡ଼ି ବୁଣିବା ଭଳି ପୁରୁଣା ପରମ୍ପରାର ସ୍ଥାନ ନେଉଛି ସରକାରୀ ଚାକିରି କିମ୍ବା ଅଫିସ୍କାମ ପାଇବାର ନୂଆ କୌଶଳ । କାମ ଖୋଜିବା ପାଇଁ ଅନେକ ସେମାନଙ୍କର ଗାଁ ଏମିତି କି ଅରୁଣାଚଳ ବି ଛାଡ଼ି ପଳାଇଛନ୍ତି । ରାଜ୍ୟର ବିଭିନ୍ନ ଦୁର୍ଗମ ଗାଁକୁ ଯିବା ପାଇଁ ଅଧିକରୁ ଅଧିକ ରାସ୍ତା ଓ ପୋଲ ତିଆରି ହେବା ଫଳରେ ଯାତାୟତ ସହଜ ହୋଇଛି ଏବଂ ସାଂସ୍କୃତିକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି ।

ସମୟକ୍ରମେ, ଇଦୁ ମିଶ୍ମି ସଂପ୍ରଦାୟର ଜନସଂଖ୍ୟା ମଧ୍ୟ କମିବାରେ ଲାଗିଛି । ୨୦୦୧ର ଜନଗଣନାରେ ମାତ୍ର ୧୦,୦୦୦ ଇଦୁ ମିଶ୍ମିଙ୍କୁ ନଥିଭୁକ୍ତ କରାଯାଇଥିଲା (୨୦୧୧ ଜନଗଣନାରେ ଭାବେ ଏହି ସଂପ୍ରଦାୟର ପୃଥକ୍ତାଲିକା କରାଯାଇନାହିଁ) । ଡକ୍ଟର ମିସୋ କହନ୍ତି, “ସଂପ୍ରଦାୟରେ ଏ କଥା କୁହାଯାଏ ଯେ ଯେ ଆମର ଲୋକସଂଖ୍ୟା ହ୍ରାସ ପାଇବାରେ ଲାଗିଛି”। “ପୂର୍ବରୁ ବହୁ ପରିବାରରେ ୬-୭ ଜଣ ଲେଖାଏଁ ପିଲା ରହୁଥିଲେ ଏବେ ସେମାନଙ୍କର ମାତ୍ର ୨-୩ ଜଣ ପିଲା ଅଛନ୍ତି । ତେଣୁ ଭାଷା ଓ ସଂସ୍କୃତି ଉପରେ ଏହାର ପ୍ରଭାବ ବାରି ହେଉଛି ।”

ମାକୋ ଲିଙ୍ଗିଙ୍କ ପୁଅ ଓ ଝିଅ ମଧ୍ୟ ଗାଁ ଛାଡ଼ି ପଳାଇଛନ୍ତି । ସେମାନେ ଏବେ ପରିବାର ସହ ଆହ୍ନୁଲି ଗାଁଠାରୁ ପ୍ରାୟ ୨୩୦କିଲୋମିଟର ଦୂର ରୋଇଙ୍ଗ୍ସହରରେ ରହୁଛନ୍ତି । ସଡ଼କ ପଥରେ ୧୨ ଘଣ୍ଟାରୁ ଅଧିକ ସମୟର ଯାତ୍ରା କରି ଲିଙ୍ଗି ମଝିରେ ମଝିରେ ରୋଇଙ୍ଗ୍ଯାଆନ୍ତି ।

ଏବେ ତାଙ୍କ ପରିବାରର କେହି ହେଲେ ଝୁଡ଼ି ବୁଣିବା ଶିଖୁନାହାନ୍ତି କାରଣ ଜୀବନଧାରଣ ପାଇଁ ଏହା ଆବଶ୍ୟକ ନୁହେଁ । ଆଜି ଯଦିବା ଲୋକେ ଏହି କାରିଗରୀ ଶିଖୁଛନ୍ତି, ତା’ର କାରଣ ଏହା ଏକ ‘କଳା’, ଏଭଳି ଏକ ଧାରଣା ଅସ୍ଵାଭାବିକ ବୋଲି ଲିଙ୍ଗି ମନେ କରନ୍ତି । “ଇଦୁ ପରିବାରର ଲୋକେ ଗୋଟିଏ କାରିଗରୀରେ ବାନ୍ଧି ହୋଇ ନଥିଲେ । ସବୁ ଇଦୁ ଲୋକେ କାରିଗର । ଏହା ହେବାକୁ ହିଁ ପଡ଼ିବ । ଆଜିକାଲି ଆମ ପିଲାମାନେ ଗୋଟିଏ ପ୍ରକାର କାରିଗରୀ ଶିଖୁଛନ୍ତି ବା ଆଦୌ ଶିଖୁନାହାନ୍ତି । ଏହା କଳା ନୁହେଁ, ଏହା ହିଁ ଥିଲା ଜୀବନ ।”

The bottom of the basket starts to come together
PHOTO • Sweta Daga
Lingi washes the finished basket
PHOTO • Sweta Daga
Lingi and all his baskets
PHOTO • Sweta Daga

ତାଙ୍କ ପରିବାର ପାଇଁ ଆବଶ୍ୟକ ସବୁ ପ୍ରକାର ଝୁଡ଼ି ବୁଣିପାରିବେ ଲିଙ୍ଗି। ତିଆରି ହେଲା ପରେ, ବ୍ୟବହାର କରିବା ପୂର୍ବରୁ ସେଗୁଡ଼ିକ ଭଲ ଭାବରେ ଧୁଆ ହୁଏ (ମଝି)

ଲେଖକ ଲିଙ୍ଗି ପରିବାର, ଦେବରାଜ ଚାଲିହା ଏବଂ ଫର୍ଦର ଆଣ୍ଡ ବିୟଣ୍ଡ ଫାଉଣ୍ଡେସନ୍କୁ ଧନ୍ୟବାଦ ଜଣାନ୍ତି।


ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sweta Daga

ଶ୍ଵେତା ଡାଗା ବାଙ୍ଗାଲୋରର ଜଣେ ଲେଖକ ଓ ଫଟୋଗ୍ରାଫର । ସେ, ପିପୁଲ୍ସ ଆର୍କାଇଭ୍ଅଫ୍ରୁରାଲ ଇଣ୍ଡିଆ ଏବଂ ସେଣ୍ଟର୍ଫର୍ସାଇନ୍ସ୍ଆଣ୍ଡ୍ଏନ୍ଭାଇରନ୍ମେଣ୍ଟ୍ରେ ଫେଲୋସିପ୍ସମେତ ବିଭିନ୍ନ ମଲ୍ଟି ମିଡିଆ ପ୍ରକଳ୍ପରେ କାର୍ଯ୍ୟରତ ।

Other stories by Sweta Daga