ମା’ ସବୁଦିନ ବାଲକନିରେ ଥିବା ତୁଳସୀ  ଚଉରା ପାଖରେ ଏକ ଛୋଟ ଦୀପ ରଖନ୍ତି । ଯେବେଠାରୁ ମୋର ମୁଁ ମନେ ପକାଇ ପାରୁଛି, ସେ ପ୍ରତିଦିନ ସନ୍ଧ୍ୟାରେ ଏପରି କରି ଆସୁଛନ୍ତି । ବର୍ତ୍ତମାନ ତାଙ୍କର ବୟସ ୭୦ବର୍ଷରୁ ଅଧିକ ହେବ, ପାର୍କିନ୍‌ସନ୍‌ ବେମାରୀ ଯୋଗୁଁ  ତାଙ୍କର ହାତ ଓ ପାଦ ସବୁବେଳେ ଥରୁଛି, ମସ୍ତିଷ୍କରେ ବିଭିନ୍ନ ଅପଭ୍ରମ ସୃଷ୍ଟି ହେଉଛି, ସେ ଭାବନ୍ତି ଯେ ତାଙ୍କର ଦୀପ ଲିଭିଯାଇଛି । ଆପାର୍ଟମେଣ୍ଟର ଅନ୍ୟ ବାଲ୍‌କନିରେ ଦୀପାବଳି ପାଇଁ ଦୀପ ସବୁ ପ୍ରଜ୍ଜ୍ୱଳିତ କରାଯାଇଛି । ଆଜି କ’ଣ ଦୀପାବଳି? ସେ ଆଶ୍ଚର୍ଯ୍ୟ ହୁଅନ୍ତି । ତାଙ୍କର ସ୍ମୃତି ଶକ୍ତି ପ୍ରାୟତଃ ଲୋପ ପାଇଗଲାଣି । ବର୍ତ୍ତମାନ କିନ୍ତୁ  ପୁଣି ସବୁକିଛି ଅନ୍ଧକାରମୟ ହୋଇଯାଇଛି, ପୂର୍ବ ଅପେକ୍ଷା ଅଧିକ ଅନ୍ଧାକାରମୟ । ସେ ଜାଣିଥିବା କେତେକ ମନ୍ତ୍ର ଉଚ୍ଚାରଣଗୁଡିକ ସେ ଶୁଣି ପାରୁଛନ୍ତି; କିଛି ଗାୟତ୍ରୀ ମନ୍ତ୍ର ଭଳି ଲାଗୁଛି । ତାହା କ’ଣ ହନୁମାନ ଚାଳିଶା  ଥିଲା? କ’ଣ କେହି ‘ପାକିସ୍ତାନ ମୁର୍ଦାବାଦ୍‌’ ବୋଲି କହିଲେ କି?

ସେ ତାରାବିହୀନ ଆକାଶ ଆଡକୁ ଚାହିଁଲେ ଓ ଥରିବାକୁ ଲାଗିଲେ । ହଠାତ୍‌ ସେ ତାଙ୍କ ମସ୍ତିଷ୍କରେ କିଛି ସ୍ୱର ଶୁଣିବାକୁ ପାଇଲେ ଓ ପାଗଳଙ୍କ ଭଳି ଆଚରଣ କରିବାକୁ ଲାଗିଲେ । ସ୍ୱର ଯାହା ତାଙ୍କୁ ମୁସଲ୍‌ମାନ ପାଉଁରୁଟି ପ୍ରସ୍ତୁତକାରୀମାନେ ସଂକ୍ରମିତ ପାଉଁରୁଟି ବିକ୍ରି କରୁଥିବା ବିଷୟରେ ସତର୍କ କରୁଛି । ସ୍ୱର ଯାହା ତାଙ୍କୁ ସେହି ମୁସଲମାନ ପରିବା ବିକାଳିମାନଙ୍କୁ ବାସନ୍ଦ କରିବାକୁ କହୁଛି ଯେଉଁମାନେ ରୋଗ ବ୍ୟାପିବା ପାଇଁ ଛେପ ପକାଉଛନ୍ତି । ସ୍ୱର ଯାହା ଏୈକ୍ୟତାର ଦୀପ ପ୍ରଜ୍ଜ୍ୱଳନ କରିବାକୁ କହୁଛି । ଦିଶାହିନ ହୋଇପଡିଥିବା ଭୋକିଲା ପେଟର ଗଁ ଗଁ ସ୍ୱର । ଭଲପାଇବା ଓ ଦୟାଭାବ ପ୍ରଦର୍ଶନ କରୁଥିବା ଧର୍ମଶାସ୍ତ୍ରର କ୍ଷୀଣ ସ୍ୱର । ତାଙ୍କ ଦୀପକୁ ଲିଭେଇ ଦେଉଥିବା କଳା ପବନର ସ୍ୱର । ତାଙ୍କ ମୁଣ୍ଡ ଘୂରିଲା ଭଳି ସେ ଅନୁଭବ କଲେ, ସେ ତାଙ୍କ ଶେଯକୁ ଫେରି ଯିବାକୁ ଇଚ୍ଛା କଲେ କିନ୍ତୁ ଅତ୍ୟଧିକ ଅନ୍ଧାର ଯୋଗୁଁ ସେ ଫେରି ପାରିଲେ ନାହିଁ । ସେ ତାଙ୍କର ଅସ୍ଥିର ଅଙ୍ଗୁଳିରେ ତାଙ୍କର ଦୀପ ପ୍ରଜ୍ଜ୍ୱଳିତ କରିବାକୁ ସଂଘର୍ଷ କରୁଛନ୍ତି, ପୁଣି ଆଉଥରେ…

ସୁଧନ୍ୱା ଦେଶପାଣ୍ଡେଙ୍କ ଏହି କବିତା ଆବୃତ୍ତି ଶୁଣନ୍ତି

PHOTO • Rahul M.

ଏକ ଅନ୍ଧାର ପ୍ରଦୀପ

ମୁଁ କେବଳ ଏକ ଛୋଟ ଦୀପ ପ୍ରଜ୍ଜ୍ୱଳିତ କରିଛି

ଏବଂ ଘନ ଅନ୍ଧକାର ଛାଇଗଲା!

କିପରି ସମ୍ଭବ ?

କିପରି ନୀରବ ଭାବେ ଏହା 

ଆଜି ପର୍ଯ୍ୟନ୍ତ ଘରର ସେହି ଛୋଟ କୋଣରେ 

ଲୁଚି ରହିଥିଲା,

 ଏବଂ ଏବେ ମୋ ଆଖି ଆଗରେ ଓ ଚାରି ପାଖରେ 

ଚାଲିଛି ଏହି ତାଣ୍ଡବ ନୃତ୍ୟ!

ଧମକ ଓ ସତର୍କ ସୂଚନା ସହିତ 

ମୁଁ ଏହାକୁ ତଳେ ଥିବା

ମୋର ବେସ୍‌ମେଣ୍ଟରେ 

ଆବଦ୍ଧ କରି ରଖିଥିଲି ।

ଏହା ଯେପରି କୋଣସି ଷଡଯନ୍ତ୍ର ରଚି ନ ପାରିବ, 

ସେଥିପାଇଁ 

ଏହାର ମୁଣ୍ଡ ଉପରେ 

କାଷ୍ଟ ଆଇରନ୍‌ ଭଳି ଓଜନିଆ 

ଲଜ୍ୟାର ବୋଝ ରଖିଦେଲି।

ଏହାର ପାଟିରେ ଚୁଣ୍ଟା ମାରିଦେଲି, 

ଏପରିକି ମନେପକାଇ ମୁହଁ ଉପରେ ଦୂଆର କିଳି ଦେଲି ।

ଏହା କିପରି ମୁକ୍ତ ହୋଇଗଲା?

ସବୁ ପ୍ରତିବନ୍ଧକ କୁଆଡେ ଗଲା?

ଏହି ଅନ୍ଧକାର କିଭଳି 

ଲଜ୍ୟାହୀନ ଓ ଉଲଗ୍ନ ହୋଇ 

ଚାରିଆଡେ ବୁଲିପାରୁଛି?

କ୍ଷୁଦ୍ର , ଅସ୍ପଷ୍ଟ ଭଲ ପାଇବାର 

ଶିଖା ମଧ୍ୟକୁ ଅନୁପ୍ରବେଶ କରି,

ଏହା ସମସ୍ତ ଆଲୋକକୁ ଅନ୍ଧକାର,

 କଳା, ବିଷାକ୍ତ ଲାଲ୍‌, 

ନୃଶଂସ ଓ ରକ୍ତ ପିପାସୁରେ 

ପରିଣତ କରିଦେଇଛି ।

ଆଲୋକ, ଏକଦା ଯାହା ଉଷୁମ, 

ହଳଦିଆ ଓ ଉଜ୍ଜ୍ୱଳ ଥିଲା ।

ଏହାର ମୁଣ୍ଡ ଉପରୁ ଓଜନ 

କିଏ ଅପସାରିତ କଲା?

କିଳିଣୀ କିଏ ଖୋଲିଦେଲା?

ଏହାର ଜୀଭକୁ ମୁକ୍ତ କରିବା ପାଇଁ 

କିଏ ଏହାର ମୁହଁର ଚୁଣ୍ଟା ବାହାର କରିଦେଲା?

କିଏ ଅବା ଜାଣିଥିଲା ଯେ

ଦୀପ ପ୍ରଜ୍ଜ୍ୱଳିତ କରିବା 

ଅର୍ଥ ହେଉଛି ଅନ୍ଧାରକୁ ଶିକୁଳି ମୁକ୍ତ କରିବା?

ଲେଖକଙ୍କ ଦ୍ୱାରା ତାଙ୍କର ମୂଳ ଗୁଜୁରାତି କବିତାରୁ ଅନୁବାଦିତ ।

ଅଡିଓ : ସୁଧନ୍ଵା ଦେଶପାଣ୍ଡେ ହେଉଛନ୍ତି ଜନ ନାଟ୍ୟ ମଞ୍ଚର ଅଭିନେତା ଓ ନିର୍ଦ୍ଦେଶକ ଓ ଲେଫ୍ଟୱର୍ଡ ବୁକ୍‌ସର ସମ୍ପାଦକ ।

ଫଟୋ: ରାହୁଲ ଏମ୍‌

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ଅହମଦାବାଦ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବେ କାମ କରନ୍ତି । ସେ ଜଣେ କବି ଓ ଅନୁବାଦକ ଯିଏ ଗୁଜୁରାତି ଓ ଇଂରାଜୀ ଭାଷାରେ କାମ କରନ୍ତି । ସେ ମଧ୍ୟ ପରୀ ପାଇଁ ଲେଖନ୍ତି ଓ ଅନୁବାଦ କରନ୍ତି ।

Other stories by Pratishtha Pandya