ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB)ର ସର୍ବଶେଷ ତଥ୍ୟରୁ ଜଣାଯାଏ ଯେ ୨୦୧୩ ମସିହାରେ ମହାରାଷ୍ଟ୍ରରେ ୩,୧୪୬ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ । ଏହାକୁ ମିଶାଇଲେ ୧୯୯୫ରୁ ଏ ପର୍ଯ୍ୟନ୍ତ, ଏହି ପଶ୍ଚିମ ଭାରତୀୟ ରାଜ୍ୟରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ମୋଟ ସଂଖ୍ୟା ହେବ ୬୦,୭୫୦। ମହାରାଷ୍ଟ୍ରର ଏହି ରେକର୍ଡ ଗଣମାଧ୍ୟମରେ ସ୍ଥାନ ପାଇନାହିଁ । ୨୦୦୪ ପରେ ରାଜ୍ୟର ସ୍ଥିତି ଅତି ଖରାପ ହେବାରେ ଲାଗିଛି । ୨୦୦୪ରୁ ୨୦୧୩ ଭିତରେ ପ୍ରତି ବର୍ଷ ହାରାହାରି ୩,୬୮୫ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି ।

ଏହାର ଅର୍ଥ, ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପ୍ରାୟ ଆଉ ତିନି ମାସ ବାକିଥିବା ବେଳେ ଏକାଦିକ୍ରମେ ଗତ ଦଶ ବର୍ଷ ହେଲା ପ୍ରତି ଦିନ  ହାରାହାରି ଦଶରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିବା ନଜରକୁ ଆସିଛି ୧୯୯୫ରୁ ୨୦୦୩ ଭିତରେ ଏଭଳି ମୃତ୍ୟୁର ହାରାହାରି ସଂଖ୍ୟା ଉଦ୍‌ବେଗଜନକ ଭାବେ ଦିନକୁ ସାତଟି ଥିଲା ବେଳେ ଏବେ ସ୍ଥିତି ଆହୁରି ଖରାପ ହୋଇଛି । ବାସ୍ତବରେ ଏଥିରେ ୪୨ ପ୍ରତିଶତ ବୃଦ୍ଧି ଘଟିଛି । (ଭାରତରେ ଦୁର୍ଘଟଣାଜନିତ ମୃତ୍ୟୁ ଏବଂ ଆତ୍ମହତ୍ୟା ଶୀର୍ଷକ ଏହାର ବାର୍ଷିକ ରିପୋର୍ଟରେ NCRB କୃଷିକ୍ଷେତ୍ର ସଂକ୍ରାନ୍ତରେ ତଥ୍ୟ ସଂକଳନ ୧୯୯୫ରୁ ଆରମ୍ଭ କରିଥିଲା ।)

୧୯୯୫ରୁ ଏ ପର୍ଯ୍ୟନ୍ତ ଭାରତରେ ମୋଟ ୨,୯୬,୪୩୮ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି ।

PHOTO • P. Sainath

କୃଷି ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟିର ପରିଦର୍ଶନକାରୀ ସଦସ୍ୟମାନଙ୍କ ସହ ବୈଠକ ଲାଗି ମହାରାଷ୍ଟ୍ରର ୟବତମାଲ ଜିଲ୍ଲା ଅନ୍ତର୍ଗତ ଭାମରାଜା ଗାଁରେ ମହିଳା ଚାଷୀମାନେ ରୁଣ୍ଡ ହୋଇଛନ୍ତି। କମିଟିର ସଦସ୍ୟମାନେ ଜାଣିପାରିଲେ ଯେ ଏହି ଗାଁ, ବିଭିନ୍ନ ବଡ଼ ବଡ଼ ବିହନ ନିଗମ ଦ୍ୱାରା ଗଣମାଧ୍ୟମରେ ପ୍ରସାରିତ ପ୍ରାୟୋଜିତ କାର୍ଯ୍ୟକ୍ରମରେ ବର୍ଣ୍ଣିତ ‘ଆଦର୍ଶ’ ଗାଁର ଠିକ୍‌ ବିପରୀତ

ଏହା ଭିତରେ ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ସଂଖ୍ୟା ୩,୧୪୬ ବୋଲି ଦର୍ଶାଯାଇଛି ଯାହାକି ୨୦୧୨ ମସିହା ତୁଳନାରେ ୬୪୦ କମ୍‌ । ବାସ୍ତବରେ ଚାଷୀ ଆତ୍ମହତ୍ୟା କ୍ଷେତ୍ରରେ ପରିଚିତ ୫ଟି ଯାକ ବଡ଼ ରାଜ୍ୟରେ ୨୦୧୩ରେ ପୂର୍ବ ବର୍ଷ ତୁଳନାରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି । ଏହି ସଂଖ୍ୟା ଆନ୍ଧ୍ର ପ୍ରଦେଶରେ ୫୫୮, ଛତିଶଗଡ଼ରେ ୪, ମଧ୍ୟ ପ୍ରଦେଶରେ  ୮୨ ଏବଂ କର୍ଣ୍ଣାଟକରେ ୪୭୨ କମ୍‌ ହୋଇଛି ।

ତାହେଲେ ଏବେ ଅଳ୍ପସଂଖ୍ୟାରେ ଭାରତୀୟ ଚାଷୀ ଆତ୍ମହତ୍ୟା କରୁଛନ୍ତି କି ? ହୁଏତ NCRBର ସର୍ବଶେଷ ADSI ରିପୋର୍ଟରେ ତାହା ହିଁ ଦର୍ଶାଯାଇଥିବା ଭଳି ମନେହେଉଛି । ସାରା ଦେଶର ଚାଷୀ ଆତ୍ମହତ୍ୟା ସଂଖ୍ୟା ୧୧,୭୪୪କୁ ଖସି ଆସିଛି, ଯାହାକି ୨୦୧୨ରେ ଥିବା ସଂଖ୍ୟା ୧୩,୭୫୪ଠାରୁ ୧,୯୮୨ କମ୍‌ । ( http://ncrb.gov.in/adsi2013/table-2.11.pdf )

ଆପଣ ଏହି ଅଙ୍କଗୁଡ଼ିକୁ ନିରେଖି ନ ଦେଖିଲା ପର୍ଯ୍ୟନ୍ତ, ଏହା ଅତି ସ୍ୱାଗତଯୋଗ୍ୟ ସଂଖ୍ୟାହ୍ରାସ ବୋଲି ମନେହୁଏ । ୫ଟି ବଡ଼ ରାଜ୍ୟର ମୋଟ ୭,୬୫୩ ଚାଷୀ ଆତ୍ମହତ୍ୟା ସମଗ୍ର ଦେଶରେ ଏଭଳି ଘଟଣାର ସଂପୂର୍ଣ୍ଣ ଦୁଇ ତୃତୀୟାଂଶ । ଏହି ଧାରା ଏବେ ବି ବଦଳି ନାହିଁ । ଏବଂ ୧୫ଟି ଅନ୍ୟ ରାଜ୍ୟରେ ସାମାନ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ସେଥିରୁ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ କେବଳ ହରିୟାଣାରେ ୯୮ଟି ଚାଷୀ ଆତ୍ମହତ୍ୟା ଘଟଣା ବଢ଼ିଥିବା ରେକର୍ଡ କରାଯାଇଛି ।

ଏହି ବୃହତ୍‌ ‘ସଂଖ୍ୟାହ୍ରାସ’ ନଜରକୁ ଆସିବା ପରେ ପୂର୍ବରୁ ସଂଖ୍ୟାଧିକ ଚାଷୀ ଆତ୍ମହତ୍ୟା ରେକର୍ଡ କରାଯାଇଥିବା ଅନ୍ୟ କେତେକ ରାଜ୍ୟ ମଧ୍ୟ ଏଭଳି ଘଟଣାର ସଂଖ୍ୟା ‘ଶୂନ’ କିମ୍ବା ପାଖାପାଖି ଶୂନ ବୋଲି ବର୍ଷ ପରେ ବର୍ଷ ଘୋଷଣା କରିବାକୁ ଖୋରାକ ପାଇଲେ । ୨୦୧୧ରୁ କ୍ରମାଗତ ତିନି ବର୍ଷ ଧରି ଚାଷୀ ଆତ୍ମହତ୍ୟା ଘଟଣା ୦, ୪ ଏବଂ ୦ ବୋଲି ଛତିଶଗଡ଼ ଘୋଷଣା କରିଛି । ପଶ୍ଚିମବଙ୍ଗ ମଧ୍ୟ ୨୦୧୨ ଏବଂ ୨୦୧୩ରେ ଏହାକୁ ଶୂନ ବୋଲି ରେକର୍ଡ କରିଛି। ହେଲେ ଏହି ମୋଟ ସଂଖ୍ୟା ଶୂନ ଘୋଷଣା କରିବାର ଖେଳ ଆରମ୍ଭ ହେବାର ପୂର୍ବ ତିନି ବର୍ଷରେ ଏହି ସବୁ ରାଜ୍ୟରେ ହାରାହାରି ଚାଷୀ ଆତ୍ମହତ୍ୟା କେତେ ଥିଲା ବୋଲି ଆମେ ଯଦି ଦେଖିବା, ତେବେ କ’ଣ ପାଇବା ? ଛତିଶଗଡ଼ରେ ସେହି ହାରାହାରି ସଂଖ୍ୟା ଥିଲା ୧,୫୬୭।ପଶ୍ଚିମବଙ୍ଗରେ ୯୫୧। ମୋଟ ସଂଖ୍ୟା ୨,୫୧୮। ଏହାକୁ ୨୦୧୩ ବର୍ଷ ପାଇଁ ମୋଟସଂଖ୍ୟାରେ ମିଶାଇଲେ ହେବ ୧୪,୨୬୨। ୨୦୧୨ର ମୋଟ ସଂଖ୍ୟା (ଯେତେବେଳେ କି ସଂଖ୍ୟାର ଏହି ହେରଫେର ଜାରି ରହିଥିଲା) ତୁଳନାରେ ତାହା ତଥାପି ଅଧିକ ।

ଏମିତି କି ୨୦୧୩ର ମୋଟ ଚାଷୀ ଆତ୍ମହତ୍ୟା ସଂଖ୍ୟା ୧୧,୭୪୪ ବୋଲି ଗ୍ରହଣ କରିନେଲେ ବି ୧୯୯୫ରୁ ଏ ପର୍ଯ୍ୟନ୍ତ ସାରା ଦେଶରେ ୨,୯୬,୪୩୮ ଚାଷୀ ଆତ୍ମହତ୍ୟା କରିଛନ୍ତି (୧୯୯୫- ୨୦୧୩ ପାଇଁ NCRB ADSIର ରିପୋର୍ଟ) ।

ଏହାର ଅର୍ଥ ନୁହେଁ ଯେ ବିଭିନ୍ନ ରାଜ୍ୟରେ ଚାଷୀ ଆତ୍ମହତ୍ୟା ଘଟଣାର ସଂଖ୍ୟା ଆଦୌ କମ୍‌ ହୋଇନାହିଁ । (କେବେ କେଉଁ ବର୍ଷରେ ଥରକ ପାଇଁ ଏହି ସଂଖ୍ୟା ବଢ଼ିବା କିମ୍ବା କମିବା ମଧ୍ୟ ସ୍ୱାଭାବିକ) । ଠିକ୍‌ ସେମିତି ଗତ ତିନି ବର୍ଷରେ ରେକର୍ଡ଼ କରାଯାଇଥିବା ସଂଖ୍ୟାହ୍ରାସର ଧାରା ବି ସନ୍ଦେହ ଘେରରେ ରହିଛି । ତେଣୁ ଛତିଶଗଡ଼ରେ, ଯେଉଁ ରାଜ୍ୟରେ ୨୦୦୧ରୁ ୨୦୧୦ ଭିତରେ ୧୪,୦୦୦ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିଲେ, ସେଠାରେ ହଠାତ୍‌ ପରବର୍ତ୍ତୀ ତିନି ବର୍ଷରେ ଏଭଳି ଗୋଟିଏ ହେଲେ ଘଟଣା ନଥିଲା । ଅନୁକରଣଯୋଗ୍ୟ ଆଦର୍ଶ ନୁହେଁ କି ? ଅନ୍ୟ ରାଜ୍ୟଗୁଡ଼ିକ ତ ତାହା ହିଁ ଭାବିବେ । ସେମାନେ ମଧ୍ୟ ସେଇ ହେରଫେରକୁ ଆପଣେଇ ନେଇଛନ୍ତି ।

କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଚାଷୀ ଆତ୍ମହତ୍ୟା କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ଅତି ଖରାପ ସ୍ଥିତିରେ ଥିବା ପୁଡୁଚେରି ବି ୨୦୧୧, ୨୦୧୨ ଏବଂ ୨୦୧୩ରେ ଏଭଳି ଘଟଣାର ସଂଖ୍ୟା ଶୂନ ବୋଲି ଘୋଷଣା କରିଛି । ୨୦୧୦ରେ, ଏହି ସଂଖ୍ୟା କେବଳ ଚାରି ବୋଲି କୁହାଯାଇଥିଲା । କିନ୍ତୁ ୨୦୦୯ରେ ସେଠାରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ସଂଖ୍ୟା ଥିଲା ୧୫୪ ।

ଚେନ୍ନାଇର ଏସିଆନ୍‌ କଲେଜ୍‌ ଅଫ ଜର୍ଣ୍ଣାଲିଜ୍‌ମର ଜଣେ ଅର୍ଥନୀତିଜ୍ଞ, ପ୍ରଫେସର କେ. ନାଗରାଜ କହନ୍ତି, “ଏକଥା ସ୍ପଷ୍ଟ ଯେ, ତଥ୍ୟକୁ ଘଷିମାଜି ପ୍ରସ୍ତୁତ କରାଯାଉଛି” । ଭାରତରେ ଚାଷୀ ଆତ୍ମହତ୍ୟାକୁ ନେଇ ୨୦୦୮ରେ ପ୍ରଫେସର ନାଗରାଜଙ୍କ ଅନୁଶୀଳନ ଏ ପର୍ଯ୍ୟନ୍ତ ଏହି ବିଷୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ବୋଲି ବିବେଚିତ ହୁଏ । “ଆପଣ ଯେତେବେଳେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ତମ୍ଭରେ ସ୍ଥାନିତ ପ୍ରତିକୂଳ ଅଙ୍କଗୁଡ଼ିକୁ ଲୁଚାଇବାକୁ ଚାହାନ୍ତି, ଆପଣ ସେଗୁଡ଼ିକୁ କେବଳ ଲିଭାଇ ଦେଇପାରିବେ ନାହିଁ । ସେଗୁଡ଼ିକୁ ସବୁକଥା ଖାପ ଖାଇଲା ଭଳି ଥିବା ଅନ୍ୟ ଏକ ବର୍ଗରେ ଆପଣଙ୍କୁ ରଖିବାକୁ ପଡ଼ିବ । ଅଲୋଡ଼ା ଅଙ୍କଗୁଡ଼ିକୁ “ଅନ୍ୟାନ୍ୟ” ସ୍ତମ୍ଭ ତଳକୁ ଠେଲିଦେବା ହେଉଛି ଘଷିମାଜି ସୁହାଇଲା ଭଳି ତଥ୍ୟ ପ୍ରସ୍ତୁତ କରିବାର ସାଧାରଣ ଉପାୟ ।”

ଏବଂ ଠିକ୍‌ ସେହି ଉପାୟରେ ତଥ୍ୟ ପ୍ରସ୍ତୁତ କରି ରାଜ୍ୟଗୁଡ଼ିକ NCRB ନିକଟରେ ଦାଖଲ କରୁଛନ୍ତି । ଏ ବର୍ଷ ବି କରିଛନ୍ତି ।

ରାଜ୍ୟ ସ୍ତରରେ କେମିତି ନିଜକୁ ସୁହାଇଲା ଭଳି ଢଙ୍ଗରେ ତଥ୍ୟକୁ ଘଷିମାଜି ପ୍ରସ୍ତୁତ କରାଯାଉଛି ତାହା ଏଠାରେ ପ୍ରଦତ୍ତ ଆଉ ଏକ କଥାରୁ ହିଁ ବୁଝାଯାଏ ।

NCRBର ସାରଣୀ ଥିବା ସେଇ ଏକା ପୃଷ୍ଠାରେ ଗୋଟିଏ ସ୍ତମ୍ଭର ଶୀର୍ଷକ “ଆତ୍ମନିଯୁକ୍ତ (ଚାଷବାସ/କୃଷି)” ରହିଥିବା ବେଳେ ଏବଂ “ଆତ୍ମନିଯୁକ୍ତ (ଅନ୍ୟାନ୍ୟ)” ଶୀର୍ଷକ ଥାଇ ଅନ୍ୟ ଏକ ସ୍ତମ୍ଭ ରହିଛି ।

http://ncrb.gov.in/adsi2013/table-2.11.pdf ).

ଛତିଶଗଡ଼ର ଚାଷୀ ଆତ୍ମହତ୍ୟା ସଂଖ୍ୟା ଶୂନକୁ ଖସି ଆସିଥିବା ବେଳେ “ଆତ୍ମନିଯୁକ୍ତ (ଅନ୍ୟାନ୍ୟ)” ସ୍ତମ୍ଭ ତଳେ ଥିବା ସଂଖ୍ୟା ବୃଦ୍ଧି ପାଇଛି । ପୂର୍ବରୁ ଯେଉଁ ସବୁ ବର୍ଷରେ (ଉଦାହରଣ ସ୍ୱରୂପ ୨୦୦୮ ଏବଂ ୨୦୦୯) ଛତିଶଗଡ଼ ଚାଷୀ ଆତ୍ମହତ୍ୟା ସଂଖ୍ୟା ଶୂନ କରି ନଥିଲା, ସେତେବେଳେ ଏହି “ଅନ୍ୟାନ୍ୟ” ଶୀର୍ଷକ ସ୍ତମ୍ଭ ତଳର ସଂଖ୍ୟା ଥିଲା ୮୨୬ ଏବଂ ୮୫୧। ଗତ ଦୁଇ ବର୍ଷରେ ଯେତେବେଳେ ରାଜ୍ୟରେ ଚାଷୀ ଆତ୍ମହତ୍ୟା ସଂଖ୍ୟା ଶୂନ ବୋଲି ଦର୍ଶାଗଲା, ସେତେବେଳେ ଏହି ସଂଖ୍ୟା ବୃଦ୍ଧି ପାଇ ୧୮୨୬ ଏବଂ ୨୦୭୭ରେ ପହଞ୍ଚିଲା। ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ସଂଖ୍ୟା ୬୪୦ ହ୍ରାସ ପାଇଛି ବୋଲି ଦାବି କରାଯାଉଥିବା ବେଳେ ଏହି “ଆତ୍ମନିଯୁକ୍ତ (ଅନ୍ୟାନ୍ୟ)” ସ୍ତମ୍ଭର ସଂଖ୍ୟା ୧,୦୦୦ରୁ ଅଧିକ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି । ମଧ୍ୟପ୍ରଦେଶରେ ମଧ୍ୟ ଚାଷୀ ଆତ୍ମହତ୍ୟା ସଂଖ୍ୟାରେ ୮୨ ହ୍ରାସ ପାଇଥିବା ବେଳେ “ଅନ୍ୟାନ୍ୟ” ବର୍ଗରେ ୨୩୬ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି ।

ପୁଡୁଚେରି ମଧ୍ୟ ସେଇ ଏକା ଧାରାରେ ତଥ୍ୟ ଦର୍ଶାଇଛି । ୨୦୧୨ରେ ପଶ୍ଚିମ ବଙ୍ଗ କୌଣସି ତଥ୍ୟ ପ୍ରଦାନ ନ କରି ସମସ୍ୟାର ସରଳ ସମାଧାନ କରିଦେଇଛି । ଏଥିରୁ ଏହା ସ୍ପଷ୍ଟ ଯେ, ଯଦିବା ଆପଣ କୌଣସି ସଂଖ୍ୟାକୁ ସଂପୂର୍ଣ୍ଣ ରୂପେ ଏଡ଼ାଇ ଦେଇପାରିବେ ନାହିଁ ତଥାପି ଆପଣ ଏଥିରୁ କିଛି ନେଇ “ଅନ୍ୟାନ୍ୟ”ରେ ରଖିଦେଇ ପାରିବେ ।

ସମୟ ନ ହେଉଣୁ ଯେଉଁମାନେ ଏହି ସଂଖ୍ୟା ହ୍ରାସକୁ ନେଇ ଖୁସି ହେଉଛନ୍ତି, ସେମାନେ ଆଉ ଗୋଟିଏ କଥା ଭୁଲିଯାଇଛନ୍ତି । ଜନଗଣନା ତଥ୍ୟରେ ଦର୍ଶାଯାଇଛି ଯେ ୨୦୦୧ ତୁଳନାରେ ୨୦୧୧ରେ ୭୭ ଲକ୍ଷ କମ୍‌ ଚାଷୀ ଥିଲେ । ଲକ୍ଷ ଲକ୍ଷ ଲୋକ ହୁଏତ ଚାଷବାସ ଛାଡୁଛନ୍ତି କିମ୍ବା ପୂର୍ଣ୍ଣାଙ୍ଗ ଚାଷୀର ମାନ୍ୟତା ହରାଉଛନ୍ତି। ସେହି ସମୟରେ ଦେଶର ଚାଷୀ ସଂଖ୍ୟା ପ୍ରତିଦିନ ହାରାହାରି ୨,୦୦୦ କମିବାରେ ଲାଗିଥିଲା । ତେଣୁ ଏହା ନିଶ୍ଚିତ ଯେ ୨୦୧୩ରେ ଆହୁରି କମ ଚାଷୀ ଥିଲେ । ଚାଷୀ ସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ଆତ୍ମହତ୍ୟା ସଂଖ୍ୟା ବିଚାରକୁ ନେଲେ ଆମେ କ’ଣ ପାଇବା ?

ପ୍ରଫେସର ନାଗରାଜ ଏବଂ ଏମ୍‌.ଏସ୍‌. ସ୍ୱାମୀନାଥନ୍‌ ରିସର୍ଚ୍ଚ ଫାଉଣ୍ଡେସନ (MSSRF)ର ଗବେଷକମାନେ ଗୋଟିଏ ଦଶନ୍ଧିର NCRB ଏବଂ ଜନଗଣନା ତଥ୍ୟକୁ ହିସାବ କରି ଦେଖିଛନ୍ତି ଯେ, “ହିସାବରେ ତାଳମେଳ ରଖିବା ପାଇଁ ୨୦୧୧ରେ ଦର୍ଶାଯାଇଥିବା ଚାଷୀ ଆତ୍ମହତ୍ୟା ହାର ୨୦୦୧ ତୁଳନାରେ ସାମାନ୍ୟ ଅଧିକ ।” ( http://psainath.org/farmers-suicide-rates-soar-above-the-rest/ ) ଆଉ ତାହା ବି ରାଜ୍ୟସ୍ତରରେ ବ୍ୟାପକ ତଥ୍ୟ ହେରଫେର କରିବା ପରେ । 

ସେମାନଙ୍କ ହିସାବରେ ଯାହା ଦର୍ଶାଯାଇଛି: ୨୦୧୧ରେ ଭାରତୀୟ ଚାଷୀମାନଙ୍କ ଆତ୍ମହତ୍ୟା ହାର ଅବଶିଷ୍ଟ ଲୋକଙ୍କ ତୁଳନାରେ ଉଦ୍‌ବେଗଜନକ ଭାବେ ୪୭ ପ୍ରତିଶତ ଅଧିକ ଥିଲା । କୃଷି ସଂକଟ ପ୍ରପୀଡ଼ିତ କେତେକ ରାଜ୍ୟରେ ଏହି ହାର ୧୦୦ ପ୍ରତିଶତରୁ ବି ଯଥେଷ୍ଟ ଅଧିକ ଥିଲା । ଚାଷୀମାନଙ୍କ ବ୍ୟତୀତ ଅନ୍ୟ ଯେ କୌଣସି ଭାରତୀୟମାନଙ୍କ ତୁଳନାରେ ମହାରାଷ୍ଟ୍ରରେ ଚାଷୀମାନଙ୍କ ଆତ୍ମହତ୍ୟା ହାର ୧୬୨ ପ୍ରତିଶତ ଅଧିକ ରହିଥିଲା । ଚାଷୀମାନଙ୍କୁ ଛାଡ଼ି ଦେଶର ଅନ୍ୟ ଯେ କୌଣସି ଲୋକ ତୁଳନାରେ ଏହି ରାଜ୍ୟର ଜଣେ ଚାଷୀ ଆତ୍ମହତ୍ୟା କରିବା ସମ୍ଭାବନା ଅଢ଼େଇ ଗୁଣ ଅଧିକ ।

ମରୁଡ଼ି ଏବଂ ଫସଲହାନି କାରଣରୁ ଏହି ସବୁ ଆତ୍ମହତ୍ୟା ଘଟୁଛି କି ?

ଖୁବ୍‌ ଭଲ ଫସଲ ଅମଳ ହୋଇଥିବା ବର୍ଷରେ ବି ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି । ଏବଂ ଫସଲହାନି ଋତୁରେ ବି । ଭିନ୍ନ ଭିନ୍ନ ବର୍ଷରେ ସେମାନେ ବହୁ ସଂଖ୍ୟାରେ ଆତ୍ମହତ୍ୟା କରିଛନ୍ତି । ବର୍ଷା ହେଲେ ସେମାନେ ବିଫଳ ହୁଅନ୍ତି, ବର୍ଷା ନହେଲେ ଆହୁରି ଶୋଚନୀୟ ଭାବେ ବିଫଳ ହୁଅନ୍ତି । ଭଲ ବର୍ଷା ହୋଇଥିବା ବର୍ଷଗୁଡ଼ିକରେ ବି ଆତ୍ମହତ୍ୟା ସଂଖ୍ୟା ଉଦ୍‌ବେଗଜନକ ରହିଆସିଛି । ଏବଂ ମରୁଡ଼ି ପଡ଼ିଥିବା ବର୍ଷଗୁଡ଼ିକରେ ତ ସ୍ଥିତି ଆହୁରି ଭୟଙ୍କର ହୋଇପାରେ ।

ଅର୍ଥକରୀ ଫସଲ କରୁଥିବା ଚାଷୀମାନଙ୍କ ମଧ୍ୟରେ ଆତ୍ମହତ୍ୟା ସଂଖ୍ୟା ବହୁ ମାତ୍ରାରେ ଅଧିକ । ସେମାନେ, ଯେଉଁମାନେ କପା, ଆଖୁ, ଚିନାବାଦାମ, ଭାନିଲା, କଫି, ଗୋଲମରିଚ ଏବଂ ଅନ୍ୟ ଫସଲ କରନ୍ତି । ଧାନ ଓ ଗହମ ଚାଷୀଙ୍କ ମଧ୍ୟରେ ଆତ୍ମହତ୍ୟା ସଂଖ୍ୟା ଖୁବ୍‌ କମ୍‌ । ଆମେ ଏହା କହିପାରିବା କି ମରୁଡ଼ି ଯୋଗୁଁ  ଅର୍ଥକରୀ ଫସଲ ଚାଷୀମାନେ ପ୍ରାଣ ହରାନ୍ତି, କିନ୍ତୁ ଖାଦ୍ୟଶସ୍ୟ ଚାଷ କରୁଥିବା ଚାଷୀମାନେ ନୁହନ୍ତି ?

ବାସ୍ତବରେ କୃଷି ଉପରେ ମୌସୁମୀର ପ୍ରଭାବ ପଡ଼ିଥାଏ । କିନ୍ତୁ ଯେ କୌଣସି ଦୃଷ୍ଟିକୋଣରୁ ବି ଏହା ଚାଷୀ ଆତ୍ମହତ୍ୟାର ମୁଖ୍ୟ କାରଣ ନୁହେଁ । ଅର୍ଥକରୀ ଫସଲ କରୁଥିବା ଚାଷୀମାନେ ବହୁ ସଂଖ୍ୟାରେ ଆତ୍ମହତ୍ୟା କରୁଥିବା ବେଳେ ଋଣଭାର, ଅତ୍ୟଧିକ ବ୍ୟାବସାୟୀକରଣ, କୃଷି ଉପକରଣ ଏବଂ ସାମଗ୍ରୀର ମୂଲ୍ୟବୃଦ୍ଧି, ଜଳ ବ୍ୟବହାର ପ୍ରଣାଳୀ ଏବଂ ଦରଦାମର ଆକସ୍ମିକତା ଏବଂ ଅସ୍ଥିରତା ଭଳି ପ୍ରସଙ୍ଗ ସାମନାକୁ ଆସେ । ମୁଖ୍ୟତଃ ଏସବୁ କାରଣ ସରକାରୀ ନୀତି ଦ୍ୱାରା ପରିଚାଳିତ ।

ଏହି ସବୁ କାରଣର ପୃଷ୍ଠଭୂମିରେ, ନିଶ୍ଚିତ ଭାବରେ ଏହା କୁହାଯାଇପାରେ ଯେ ଯଦି ବାସ୍ତବରେ ଏ ବର୍ଷ ମରୁଡ଼ି ପଡ଼େ ତେବେ ସେମାନେ ଭୀଷଣ ସଂକଟର ସମ୍ମୁଖୀନ ହେବେ । ଆଉ ଅତି ଶୀଘ୍ର ଆମେ ଏହା ଜାଣିପାରିବା । ମୌସୁମୀର ମୁଖ୍ୟ ମାସ ଜୁଲାଇ । ସାଧାରଣତଃ ଏହି ମାସରେ ୫୦ ପ୍ରତିଶତରୁ ଅଧିକ ବର୍ଷା ହୋଇଥାଏ, ଯାହାକି ମିଳିତ ଭାବେ ଜୁନ୍‌, ଅଗଷ୍ଟ ଓ ସେପ୍ଟେମ୍ବର ଭଳି ଅନ୍ୟ ତିନିଟି ମାସର ମହତ୍ତ୍ୱ ସହ ସମାନ । ପରିସ୍ଥିତି ଯେଉଁଭଳି ରୂପ ନେବାର ସମ୍ଭାବନା ରହିଛି, ସେଥିରେ ମୋର ଖୁସି ହେଲା ଭଳି ବେଶୀ କିଛି ନାହିଁ ।

ଅନ୍ୟମାନଙ୍କ ତୁଳନାରେ ଚାଷୀମାନଙ୍କ ଆତ୍ମହତ୍ୟା ହାର ବଢ଼ିବାରେ ଲାଗିଛି: http://psainath.org/farmers-suicide-rates-soar-above-the-rest/

୨୦୧୨ରେ ଚାଷୀ ଆତ୍ମହତ୍ୟା ପ୍ରବୃତ୍ତି ଚିନ୍ତାଜନକ. http://psainath.org/farm-suicide-trends-in-2012-remain-dismal/

ପ୍ରତି ଦିନ ଚାଷୀ ସଂଖ୍ୟା ୨,୦୦୦ରୁ ଅଧିକ କମୁଛି: http://psainath.org/over-2000-fewer-farmers-every-day/

ମହାରାଷ୍ଟ୍ର ରାଜ୍ୟରେ ୧୯୯୫-୨୦୧୩ର ଚାଷୀ ଆତ୍ମହତ୍ୟା ସଂଖ୍ୟା 

Year Maharashtra farm suicides

୧୯୯୫ ୧୦୮୩

୧୯୯୬ ୧୯୮୧

୧୯୯୭  ୧୯୧୭

୧୯୯୮ ୨୪୦୯

୧୯୯୯  ୨୪୨୩

୨୦୦୦  ୩୦୨୨

୨୦୦୧ ୩୫୩୬

୨୦୦୨ ୩୬୯୫

୨୦୦୩ ୩୮୩୬

ମୋଟ ୧୯୯୫-୨୦୦୩ ୨୩,୯୦୨

୨୦୦୪  ୪୧୪୭

୨୦୦୫ ୩୯୨୬ 

୨୦୦୬ ୪୪୫୩ 

୨୦୦୭ ୪୨୩୮

୨୦୦୮ ୩୮୦୨

୨୦୦୯  ୨୮୭୨

୨୦୧୦ ୩୧୪୧

୨୦୧୧ ୩୩୩୭

୨୦୧୨ ୩୭୮୬

୨୦୧୩ ୩୧୪୬

ମୋଟ ୨୦୦୪-୨୦୧୩ ୩୬,୮୪୮

ମୋଟ ୧୯୯୫-୨୦୧୩  ୬୦,୭୫୦

ଏହି କାହାଣୀ ପ୍ରଥମେ ପ୍ରକାଶିତ ହୋଇଥିଲା: http://psainath.org/maharashtra-crosses-60000-farm-suicides/#prettyPhoto

ଏହାର ଏକ ସଂକ୍ଷିପ୍ତ ରୂପ ବିବିସିରେ ପ୍ରକାଶିତ ହୋଇଥିଲା: http://www.bbc.co.uk/news/world-asia-india-28205741

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ପି.ସାଇନାଥ ପିପୁଲ୍ସ ଆର୍କାଇବ ରୁରାଲ ଇଣ୍ଡିଆର ସଂସ୍ଥାପକ ସମ୍ପାଦକ, ସେ କେଇ ଦଶକ ଧରି ଜଣେ ଗ୍ରାମୀଣ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରଟ୍’ର ଲେଖକ।

Other stories by P. Sainath