ଭାବିଚିନ୍ତି ଏକ ଆଶଙ୍କା ଜଡ଼ିତ ନିଷ୍ପତ୍ତି ନେଇଛନ୍ତି ଅମ୍ବାଦାସ କାକଡ଼େ: ଏଥର ଖରିଫ୍‌  ଋତୁରେ ଦ୍ୱିତୀୟ ଥର ପାଇଁ ସେ ଫସଲ ରୋପଣ କରିଛନ୍ତି । ଚାଷବାସରେ ଲଗାଇଥିବା ଅର୍ଥର କିଛି ଭାଗ ଫେରି ପାଇବା ପାଇଁ ଏହା ତାଙ୍କର ଶେଷ ଆଶା ।

ମୌସୁମୀ ପ୍ରାରମ୍ଭରୁ କିଛିଟା ଭଲ ବର୍ଷା ହେବା ପରେ, ଜୁନ୍‌ ମଧ୍ୟଭାଗ ପାଖାପାଖି, ପରଭଣି ଜିଲ୍ଲା ସାଇଲୁ ତାଲୁକା ଅନ୍ତର୍ଗତ ମୋରେଗାଓଁ ଗାଁର ଏହି ୮୩ ବର୍ଷୀୟ ଚାଷୀ ଜଣକ କପା, ସୋୟାବିନ୍‌, ହରଡ଼ ଓ ମୁଗ ଲଗାଇ ଥିଲେ । କିନ୍ତୁ ତା ପରେ, ପାଖାପାଖି ଅଗଷ୍ଟ ମଧ୍ୟଭାଗ ଯାଏ ମରାଠୱାଡ଼ାରେ ଆଦୌ ବର୍ଷା ହୋଇ ନ ଥିଲା । ପରଭଣି ସମେତ ଏ ଅଞ୍ଚଳର ବିସ୍ତୀର୍ଣ୍ଣ ଇଲାକାରେ ଫସଲ ଶୁଖିଗଲା କିମ୍ବା ବଢ଼ିଲା ନାହିଁ । କାକଡ଼େଙ୍କ ସୋୟା, ହରଡ଼ ଓ ମୁଗ ବି ମଉଳି ଗଲା ।

କାକଡ଼େ କହନ୍ତି, “ମୋର ୧୦ ଏକର ଅଛି'' । ‘‘ଗୋଟିଏ ଏକରରୁ ମୁଁ କପା ତଳି ବାହାର କରିନେଲି ଏବଂ ତା ବଦଳରେ (ଜୁଲାଇ ଶେଷ ବେଳକୁ) ବନ୍ଧାକୋବି ଲଗାଇଲି । ଏଇଟା ତିନିମାସିଆ ଚାଷ ଏବଂ ବେଶି ପାଣି ଦରକାର କରେନି । ବର୍ଷା ନ ହେଲେ ଆଉ କେତେକ ଫସଲ ବଦଳରେ ମୁଁ ଟମାଟୋ ଚାଷ କରିବି (ଯାହାକି କମ୍‌ ପାଣି ଦରକାର କରେ) ।”

ଗୋଟିଏ ଏକର ଜମିରେ ଲଗାଯାଇଥିବା କପା ଫସଲ ବଦଳରେ ବନ୍ଧାକୋବି ଲଗାଇବା ଯୋଗୁଁ ଜୁନ୍‌ ମାସରେ ସେଇ ଏକ ଏକରରେ କାକଡ଼େ ବିନିଯୋଗ କରିଥିବା ୧୫,୦୦୦ ଟଙ୍କାର କ୍ଷତି ସହିଛନ୍ତି । ବୃଷ୍ଟିହୀନତା ଲାଗି ରହିଲେ ସେ ବନ୍ଧାକୋବି ଚାଷରେ ବିନିଯୋଗ କରିଥିବା ଆଉ ୧୫,୦୦୦ ଟଙ୍କା ହରାଇ ବସିବାର ଆଶଙ୍କା ରହିଛି । ସେ କହନ୍ତି, “ମୁଁ ଜାଣିଛି ଏହି ଋତୁରେ ମୁଁ ଲାଭ କରିବି ନାହିଁ ।”

PHOTO • Parth M.N.

ବହୁ ଭାବିଚିନ୍ତି ଏକ ଆଶଙ୍କା ଜଡ଼ିତ ନିଷ୍ପତ୍ତି ନେଲେ ୮୩ ବର୍ଷୀୟ ଅମ୍ବାଦାସ କାକଡ଼େ ଏବଂ ଚଳିତ ଖରିଫ ଋୁତୁରେ ସେ ଗୋଟିଏ ଏକର ଜମିରେ ଲଗାଇଥିବା କପା ଫସଲ ବଦଳରେ ବନ୍ଧାକୋବି ଲଗାଇଲେ

କାକଡ଼େ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଏବଂ ଘରୋଇ ଭାବେ ୫ ଲକ୍ଷ ଟଙ୍କା ଋଣ କରିଛନ୍ତି । “ମୁଁ ଉଭୟ ଫସଲରୁ (ସେଇ ଏକ ଏକର ଜମିରେ) କେବଳ ମୋର ବୁଣିବା ଓ ରୋଇବା ବାବଦ ଖର୍ଚ୍ଚ ଉଠାଇବି ବୋଲି ଆଶା କରୁଛି । ପ୍ରକୃତିର ଇଚ୍ଛା ନିକଟରେ ଆମେ ସମସ୍ତେ ଦୟାର ପାତ୍ର । ଗତ ୧୦ ବର୍ଷ ହେଲା ପାଣିପାଗ ଅଧିକରୁ ଅଧିକ ଅନିଶ୍ଚିତ ହୋଇଯାଇଛି । ମୁଁ ଆଶା କରୁଛି ଅକ୍ଟୋବରରେ ରବି ଋତୁ ଆସିବା ପୂର୍ବରୁ ମତେ ଟଙ୍କା ପାଇଁ ହାତ ପତେଇବାକୁ ପଡ଼ିବନି ।”

କାକଡ଼େ ତାଙ୍କ କପା ଫସଲରୁ ଅଳ୍ପ କିଛି ରଖିବେ କାରଣ ସେ ତାଙ୍କର ସମସ୍ତ ୧୦ ଏକର ଜମିରେ ଅନ୍ୟ ଫସଲ ଲଗାଇ ପାରିବେ ନାହିଁ । ସେଥିପାଇଁ ଅଧିକ ଅର୍ଥ ଦରକାର, ଯାହା ତାଙ୍କ ପାଖରେ ନାହିଁ । ଏବଂ ଅଗଷ୍ଟ ମାସ ଦ୍ୱିତୀୟାର୍ଦ୍ଧରେ ମରାଠୱାଡ଼ାରେ ବର୍ଷା ହେବା ପରେ ଆଗକୁ ମୌସୁମୀ ବର୍ଷା ପୂରା ଲେଉଟିବ ବୋଲି ସେ ଆଶା କରୁଛନ୍ତି । ଯଦି ବର୍ଷା ଲାଗି ରହେ, ତେବେ ନଭେମ୍ବର ବେଳକୁ କପା ଅମଳ ହୋଇପାରିବ ଏବଂ କିଛିଟା ଫାଇଦା ମିଳିପାରିବ । କିନ୍ତୁ ପ୍ରଥମ ଥର ବୁଣାବୁଣି ହୋଇଥିବା ଖାଦ୍ୟ ଫସଲ ଆଉ ବଞ୍ଚିବ ନାହିଁ ।

ତାଙ୍କ ଜମିର କିଛି ଅଂଶରେ ଦ୍ୱିତୀୟ ପର୍ଯ୍ୟାୟ ବପନ-ଦୋବାର ପର୍ନି- କରିବାକୁ ସ୍ଥିର କରି କାକଡ଼େ ତାଙ୍କ ପାଇଁ ଏକ ବାଜି ଲଗାଇଛନ୍ତି । ପ୍ରାୟ ଜୁନ୍‌ ମଧ୍ୟଭାଗରେ, ମରାଠୱାଡ଼ାର ଚାଷୀମାନେ ଯେତେବେଳେ ପ୍ରଥମ ପର୍ଯ୍ୟାୟ ଖରିଫ ବୁଣାବୁଣି କରନ୍ତି, ଫସଲ ବଢ଼ିବା ପାଇଁ ଲଗାଣ ବର୍ଷା ଦରକାର ହୁଏ । ଯଦି ଅଳ୍ପ ବର୍ଷା ହୁଏ ବା ଆଦୌ ନ ହୁଏ, ତେବେ ଚାଷୀମାନେ ଜାଣନ୍ତି ଯେ ପ୍ରଥମ ପର୍ଯ୍ୟାୟରୁ ସେମାନଙ୍କୁ ପର୍ଯ୍ୟାପ୍ତ ଲାଭ ମିଳିବନି । ଆଗ୍ରହ ନଥିଲେ ବି, ଅତି କମ୍‌ରେ ଖର୍ଚ୍ଚ ଉଠିଯିବା ଆଶାରେ ସେମାନେ ପୁଣି ପୁଞ୍ଜି ଓ ସାହସ ଯୋଗାଡ଼ କରି ଅଗଷ୍ଟ ପ୍ରଥମ ସପ୍ତାହ ପାଖାପାଖି ଦ୍ୱିତୀୟ ଥର ବୁଣାବୁଣିରେ ବିନିଯୋଗ କରନ୍ତି । ଦୋବାର ପର୍ନି ପରେ ଯଦି ବର୍ଷା ହୁଏ ତେବେ ସେମାନେ ବାଜି ମାରିନେବେ। ଯଦି ବର୍ଷା ନ ହୁଏ ତେବେ ଦୁଇଗୁଣ କ୍ଷତି ସହିବେ ।

କାକଡ଼େଙ୍କ ବୟସ ୮୦ ବର୍ଷରୁ ଅଧିକ । ଏଇ ବୟସରେ, ନିଜ ଚାଷଜମିରେ ଧୀରେ ଧୀରେ ଚାଲୁ ଚାଲୁ ସେ କହନ୍ତି ଯେ, ଏଇ ଅନିଶ୍ଚିତତା ତାଙ୍କୁ ପ୍ରଭାବିତ କରେ । “ଆମ ପରିବାରରେ ୧୬ ଜଣ ସଦସ୍ୟ । ମୋର ତିନିଟି ଯାକ ପୁଅ ବିବାହିତ । ଅଧିକ ରୋଜଗାର ପାଇଁ ସେମାନେ ମଧ୍ୟ କୃଷି ଶ୍ରମିକ (ଆଖପାଖ ଗାଁରେ) ଭାବେ କାମ କରନ୍ତି । ମୋ ନାତିନାତୁଣୀମାନେ ଚାଷକାମରେ ସହାୟତା କରନ୍ତି ଏବଂ ପାଠ ପଢ଼ନ୍ତି । ସେମାନେ ଏବେ ସାନପିଲା ।''

ପ୍ରାୟ ତିନି କିଲୋମିଟର ଦୂର ଖୁପ୍‌ସା ଗାଁର ୪୯ ବର୍ଷ ବୟସ୍କ ସାହେବରାଓ ଦାସଲକର ମଧ୍ୟ କାକଡ଼େଙ୍କ ପଦାଙ୍କ ଅନୁସରଣ କରିଛନ୍ତି । ତାଙ୍କର ୧୨ ଏକର କପା ଜମିରୁ ସେ ୧.୫ ଏକର ଖାଲି କରିଦେଇଛନ୍ତି; ତଥାପି, ଅବଶିଷ୍ଟ ଫସଲରୁ କିଛି ଲାଭ ମିଳିବ ବୋଲି ସେ ମଧ୍ୟ ଆଶା ରଖିଛନ୍ତି । ସେ କହନ୍ତି, “ମୁଁ ଏଇ ୧.୫ ଏକରରେ ୨୫,୦୦୦ ଟଙ୍କା କ୍ଷତି ସହିଲି'' । "ଏହା ଉପରେ ମୁଁ ଏବେ ବନ୍ଧାକୋବି ଲଗାଇଛି । ଅଧିକ ଭାଗ କପା ଫସଲ ମୁଁ ବଦଳାଇଲି ନାହିଁ । କାରଣ ପରେ ଯଦି ବର୍ଷା ହୁଏ ତଥାପି ଏକର ପିଛା ୨-୩ କୁଇଣ୍ଟାଲ (ଭଲ ବର୍ଷା ହେଲେ, ଏହା ୬-୮ କୁଇଣ୍ଟାଲ ହୋଇପାରେ) କପା ମିଳିବ ଏବଂ ମୁଁ ଏଥିରୁ ଅତି କମ୍‌ରେ କିଛି ଟଙ୍କା ତ ପାଇପାରିବି (କୁଇଣ୍ଟାଲକୁ ପାଖାପାଖି ୪,୦୦୦ ଟଙ୍କା ହିସାବରେ) ।”

PHOTO • Parth M.N.

ଏ ବର୍ଷ ଭଲ ଲାଭ ମିଳିବା ଆଶାରେ, ଖୁପ୍‌ସା ଗାଁର ସାହେବରାଓ ଦାସଲକର ୧.୫ ଏକର ଜମିରୁ କପା ବାହାର କରି ବନ୍ଧାକୋବି ଲଗାଇଛନ୍ତି

ମରାଠୱାଡ଼ାର ଯେଉଁ ଚାଷୀମାନେ କେବଳ ଖାଦ୍ୟ ସାମଗ୍ରୀ ଚାଷ କରନ୍ତି ସେମାନେ ଏବେ ଅଧିକ ହଇରାଣ ହେଉଛନ୍ତି, କାରଣ ଅଧିକ ସମୟ ଶୁଖିଲା ରହିଲେ ଏଭଳି ଚାଷ ବଞ୍ଚିପାରିବ ନାହିଁ । ଲାଟୁର ଜିଲ୍ଲା ଜାଲ୍‌କୋଟ ତାଲୁକା ଅନ୍ତର୍ଗତ ମାଲିହାପାର୍ଗା ଗାଁର ୩୫ ବର୍ଷୀୟ ହରି କେନ୍ଦ୍ରେ ଅନ୍ୟ ଜଣକ ଜମିରେ ଶ୍ରମିକ ରୂପେ କାମ କରୁଛନ୍ତି । କାରଣ, ତାଙ୍କ ନିଜ ଫସଲ ଶୁଖି ମରିଯାଇଛି । ହଳ କରୁ କରୁ ସେ କହନ୍ତି, “ଦୋବାର ପର୍ନି ପାଇଁ ପୁଞ୍ଜି ଯୋଗାଡ଼ କରିବା ଲାଗି ଏହା ହିଁ ମୋ ଆଗରେ ଏକମାତ୍ର ଉପାୟ''। "ମୋ ନିଜର ୧୦ ଏକର ଜମିରେ ମୁଁ ଲଗାଇଥିବା ସୋୟାବିନ୍‌, ମୁଗ, ହରଡ଼ ଏବଂ କୋଳଥ ସବୁ ଉଜୁଡ଼ିଗଲା । ସେଥିରେ ୬୦,୦୦୦ ଟଙ୍କା କ୍ଷତି ହେଲା ।”

ସ୍ଵଳ୍ପ ବୃଷ୍ଟିପାତ ସାଙ୍ଗକୁ ଜାଲକୋଟରେ ଥିବା ଜଳଭଣ୍ଡାରଗୁଡ଼ିକ ବି ଶୁଖି ଯାଇଛି । କେନ୍ଦ୍ରେ କହନ୍ତି, “ସୂର୍ଯ୍ୟମୁଖୀ ଫୁଲ (ଏକ ଖାଦ୍ୟ ଫସଲ) ଅଧିକ ପାଣି ଦରକାର କରେନାହିଁ'' । ଯଦି ମୁଁ ଦିନକୁ ୨୦୦ ଟଙ୍କା ମଜୁରି ପାଇ ପର୍ଯ୍ୟାପ୍ତ ଟଙ୍କା ଯୋଗାଡ଼ କରିପାରିବି, ତେବେ ମୁଁ ସୂର୍ଯ୍ୟମୁଖୀ ଲଗାଇବି...।”ଦୋବାର ପର୍ନି  ହିଁ ଏକମାତ୍ର ଉପାୟ, ଯେଉଁଥିରୁ ସେ ଅକ୍ଟୋବରର ରବି ଋତୁ ପୂର୍ବରୁ କିଛି ଟଙ୍କା ଯୋଗାଡ଼ କରିପାରିବେ । ସେ କହନ୍ତି, “ମୁଁ ଘରୋଇ ଭାବରେ ୪ ଲକ୍ଷ ଟଙ୍କା ଋଣ ନେଇଛି । ଅଧିକ ଋଣ କଲେ ମୁଁ ଯନ୍ତାରେ ପଡ଼ିଯିବି । ମୋ ଫସଲରୁ ହିଁ ମୋତେ ଟଙ୍କା ଉଠାଇବାକୁ ପଡ଼ିବ ।”

PHOTO • Parth M.N.

ବର୍ଷା ଅଭାବରୁ ଅଧିକାଂଶ ଫସଲ ହୁଏତ ଶୁଖିଯାଇଛି କିମ୍ବା ଠିକ୍‌ ଭାବରେ ବଢୁନାହିଁ

ବିଗତ ବର୍ଷଗୁଡ଼ିକରେ ବି ମରାଠୱାଡ଼ାର ଚାଷୀମାନେ ଅନୁରୂପ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ମୌସୁମୀ ଆରମ୍ଭରୁ ଆଶାନୁରୂପ ଭଲ ବର୍ଷା ହେବା ପରେ ସପ୍ତାହ ସପ୍ତାହ ଧରି ବୁନ୍ଦାଏ ବି ବର୍ଷା ପଡ଼ି ନଥିଲା । ସେତେବେଳେ ବି ଅନେକ ଚାଷୀ ଦୋବାର ପର୍ନି  ଉପାୟରେ ନିଜ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । କିନ୍ତୁ ଏ ଅଞ୍ଚଳରେ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ଚାରି ବର୍ଷ ଧରି ମରୁଡ଼ି ପଡ଼ିଛି ଏବଂ ଏଭଳି ପ୍ରତିଟି ବର୍ଷ ଚାଷୀମାନଙ୍କର ଚାଷବାସ ପାଇଁ ଟଙ୍କା ଯୋଗାଡ଼ କରିବାର ସାମର୍ଥ୍ୟକୁ ଲଗାତର ହ୍ରାସ କରିଛି । ତେଣୁ ୨୦୧୭ରେ, ଅଳ୍ପ କେଇ ଜଣ ଚାଷୀ ସାହସ କରିଛନ୍ତି ଏବଂ ଅଧିକାଂଶ ସହଜରେ ମାନି ନେଇଛନ୍ତି ଯେ, ଖରିଫ୍‌ ଋତୁରୁ କିଛି ହେଲେ ମିଳିବ ନାହିଁ ।

ବୀଡ୍‌ ଜିଲ୍ଲା ମଜାଲଗାଓଁ ଗାଁର ୩୨ ବର୍ଷୀୟ ଗଣେଶ ଭାଲେକର କହନ୍ତି, ବହୁସଂଖ୍ୟକ ଚାଷୀ ଏ ବର୍ଷ ଦ୍ୱିତୀୟ ପର୍ଯ୍ୟାୟ ବୁଣାବୁଣି ହାତକୁ ନେଉନାହାନ୍ତି, କାରଣ ଖରିଫ ଋତୁ ପୂର୍ବରୁ ହିଁ ସେମାନେ ଚାଷରେ ବିନିଯୋଗ କରିବାକୁ ଟଙ୍କା ଋଣ କରିସାରିଛନ୍ତି । ସେ କହନ୍ତି, “ଆଉ ଅଧିକ ଋଣ କରିବା ଏବଂ ପୁଣି ଥରେ ବୁଣାବୁଣି କରି ବାଜି ଲଗାଇବା ଆତ୍ମଘାତୀ ସାବ୍ୟସ୍ତ ହେବ'' । "ଆମ ମୁଣ୍ଡରେ ଯଥେଷ୍ଟ ଋଣଭାର ରହିଛି । ତେଣୁ ବାସ୍ତବ ଦୃଷ୍ଟିରୁ ସିଧାସଳଖ ରବି ଋତୁ ପାଇଁ ପ୍ରସ୍ତୁତ ହେବା ହିଁ ଭଲ ।”

PHOTO • Parth M.N.

ବାମ: ତାଙ୍କ ପିଲାମାନଙ୍କ ସହିତ ବୀଡ୍‌ ଜିଲ୍ଲା ମଜାଲଗାଓଁର ଗଣେଶ ଭାଲେକର। ଡାହାଣ: ସେମାନଙ୍କ ଚାଷଜମିରେ ସୁରେଶ ଚୋଲେ ଏବଂ ତାଙ୍କ ସ୍ତ୍ରୀ

ଭାଲେକର ଘରୋଇ ଋଣଦାତାମାନଙ୍କ ନିକଟରୁ ପାଖାପାଖି ୧ ଲକ୍ଷ ଟଙ୍କା ଋଣ କରିଛନ୍ତି । ଜଣେ ଜମିହୀନ ଭାଗଚାଷୀ ହିସାବରେ ସେ ବ୍ୟାଙ୍କରୁ ଋଣ ପାଇବାକୁ ଅକ୍ଷମ । ସେ ୧୮ ଏକର ଜମି ଚାଷ କରନ୍ତି- ୧୩ ଏକରରେ ଆଖୁ ଏବଂ ପାଞ୍ଚ ଏକରରେ ସୋୟାବିନ୍‌ । ଜମି ମାଲିକଙ୍କ ସହ ତାଙ୍କର ରାଜିନାମା ଅନୁସାରେ ସେ ମୋଟ ଖର୍ଚ୍ଚର ୨୫ ପ୍ରତିଶତ ଦିଅନ୍ତି, ମାଲିକ ୭୫ ପ୍ରତିଶତ ଦିଅନ୍ତି । ଲାଭ କିମ୍ବା କ୍ଷତି ବି ସେହି ଅନୁପାତରେ ଭାଗବଣ୍ଟା ହୁଏ ।

ଉଜୁଡ଼ା ଫସଲକୁ ଦେଖାଇ ସେ କହନ୍ତି, “ପାଞ୍ଚ ଏକରର ସୋୟାବିନ୍‌ ପୂରା ଶୁଖିଯାଇଛି''। "ମୁଁ ଧରିନେଇଛି ଯେ ସୋୟାବିନ୍‌ରେ ବିନିଯୋଗ କରିଥିବା ୧୫,୦୦୦ ଟଙ୍କା ପାଣିରେ ପଡ଼ିଗଲା । ବର୍ଷା ଅଭାବ ଯୋଗୁଁ ଆଖୁ ଚାଷ ବି ଏକାଭଳି କ୍ଷତିଗ୍ରସ୍ତ ହୋଇଛି । ଆଖୁଗଛର ଏଇ ଧଳା ଦାଗକୁ ଦେଖନ୍ତୁ । ଏଥର ଖୁବ୍‌ କମ୍‌ ଅମଳ ହେବ... ।”

ଭାଲେକରଙ୍କ ଭଳି ଜାଲକୋଟ୍‌ ତାଲୁକା କୋଲନୁର୍‌ ଗାଁର ସୁରେଶ ଚୋଲେ କପା କି ଆଖୁ ଭଳି ଅର୍ଥକାରୀ ଫସଲ କରିନାହାନ୍ତି ଯେ ପୁଣି ବର୍ଷା ହେବା ଉପରେ ନିର୍ଭର କରିହେବ । ତାଙ୍କର ୪.୫ ଏକର ଜମିରେ ସେ ଲଗାଇଥିବା ସୋୟାବିନ୍‌, ହରଡ଼ ଏବଂ ଯଅ ସବୁକିଛି ଖରାପ ସ୍ଥିତିରେ। ସେ କହନ୍ତି, “ସେଗୁଡ଼ିକୁ ଦେଖନ୍ତୁ''। "ଏଇ ସମୟ ସୁଦ୍ଧା (ଅଗଷ୍ଟ ପ୍ରଥମ ସପ୍ତାହ) ଗଛଗୁଡ଼ିକ ଅଣ୍ଟା ଉଚ୍ଚ ଯାଏ ବଢ଼ିବା କଥା । ଏବେ ସେଗୁଡ଼ିକ ଅତି ବେଶୀରେ ଗୋଇଠି ଛୁଉଁଛନ୍ତି ।” ଅଗଷ୍ଟ ଶେଷ ଆଡ଼କୁ ମୌସୁମୀ ବର୍ଷା ହେଲେ ବି ଚୋଲେଙ୍କ ପାଇଁ ଫରକ ପଡ଼ିବ ନାହିଁ । ସେ କହନ୍ତି, “ଏସବୁ ଫସଲ ପାଇଁ ଲଗାଣ ବର୍ଷା ଦରକାର''। "ବୁଣିବା ବେଳେ ମୁଁ ବିହନ, ସାର, କୀଟନାଶକ କିଣିବାକୁ ଏବଂ ଶ୍ରମିକମାନଙ୍କୁ ମଜୁରି ଦେବାକୁ ୪୫,୦୦୦ ଟଙ୍କା ବିନିଯୋଗ କରିଥିଲି । ତା’ର ୧୦ ପ୍ରତିଶତ ବି ମତେ ମିଳିବ ନାହିଁ... ।”

ଭିଡିଓ ଦେଖନ୍ତୁ: ସୁରେଶ ଚୋଲେ କହନ୍ତି, “ସେଗୁଡ଼ିକୁ ଦେଖନ୍ତୁ । ଏଇ ସମୟ ସୁଦ୍ଧା (ଅଗଷ୍ଟ ପ୍ରଥମ ସପ୍ତାହ) ଗଛଗୁଡ଼ିକ ଅଣ୍ଟା ଉଚ୍ଚ ଯାଏ ବଢ଼ିବା କଥା । ଏବେ ସେଗୁଡ଼ିକ ଅତି ବେଶୀରେ ଗୋଇଠି ଛୁଉଁଛନ୍ତି ।”

ଏଥିପାଇଁ, ଏହି କୃଷିପ୍ରଧାନ କ୍ଷେତ୍ରର ଅନ୍ୟମାନଙ୍କ ଭଳି ଚୋଲେଙ୍କୁ ବି ଏକ କଠିନ ନିଷ୍ପତ୍ତି ନେବାକୁ ପଡ଼ିବ: ଦ୍ୱିତୀୟ ଥର ପାଇଁ ସେ ପୁଣି ବୁଣାବୁଣି କରି ଅଧିକ ଟଙ୍କା ବାଜି ଲଗାଇବା ଉଚିତ ହେବ କି ? ସେ କହନ୍ତି, “ମୋର ବିଶ୍ଵାସ ହେଉନି''। "ମରୁଡ଼ି ସ୍ଥିତି (ଏ ପର୍ଯ୍ୟନ୍ତ) ବେଶ୍‌ ଜଟିଳ ହୋଇଛି । ଆଗକୁ ଅଧିକ ବିପତ୍ତି ବରିନେବାକୁ ମୁଁ ସାହସ କରିପାରୁନି ।”

ଏହି ବାର୍ତ୍ତାଳାପର ଦୁଇ ସପ୍ତାହ ପରେ, ଅଗଷ୍ଟ ମଧ୍ୟଭାଗରେ, ମରାଠାୱାଡ଼ାରେ ପ୍ରବଳ ବର୍ଷା ହେଲା ଏବଂ ଦୋବାର ପର୍ନି ଉପାୟ ଆପଣେଇ ନେଇଥିବା ଚାଷୀମାନେ ଆଶ୍ଵସ୍ତ ହେଲେ । ହୁଏତ ଚୋଲେଙ୍କ ଭଳି ଅନ୍ୟମାନେ ଭାବୁଥିବେ ଯେ ସେମାନେ ବି ଏ ବର୍ଷ ଦ୍ୱିତୀୟ ଥର ବୁଣାବୁଣି କରିଥାଆନ୍ତେ କି - କିନ୍ତୁ ତାହା କେବଳ ବାଜି ଲଗାଇବା କଥା ଏବଂ ପ୍ରତି ବର୍ଷ ଏଠାକାର ସବୁ ଚାଷୀ ଏହି ବାଜି ସହ ଜୀବନ କାଟନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Other stories by Parth M.N.