ଶିବାଜୀ ଥୋମ୍‌ରେଙ୍କର ୧୩ ଏକରର ଚାଷଜମି ଅଛି । କାର୍ପାସ୍‌, ଜୋୱାର ଓ କର୍ନ ଚାଷ ପାଇଁ ସିଆର କାଟି ପ୍ରସ୍ତୁତ କରାଯାଇଥିବା ତାଙ୍କ ଜମିରେ ଆମେ ଅଙ୍କାବଙ୍କା ପଥରେ ଚାଲୁଚାଲୁ, ଗୋଟିଏ ସ୍ଥାନରେ କିଛି ଶୁଖିଲା ଗଛ ଥିବା ଦେଖିବାକୁ ପାଇଲୁ. ଯାହାର ତଳେ ଗୋଲ୍‌ ଗୋଲ୍ ହଳଦିଆ ଫଳ ସବୁ ପଡିଥିଲା- ଯାହା ଚିପୁଡା ଯାଇଥିବା ଏକ ଲେମ୍ବୁ ସଦୃଶ ଦେଖା ଯାଉଥିଲା- ଭୂମିରେ ବିଛେଇ ହୋଇ ପଡିରହିଥିଲା । “ଏହା ହେଉଛି ମୋସାମ୍ବି (ସ୍ୱିଟ୍‌ ଲାଇମ୍‌)’’, ସେଥିରୁ ଗୋଟିଏ ଉଠାଇ ଶିବାଜୀ କହିଲେ । “ଅନୁକୂଳ ପରିସ୍ଥିତିରେ ଗୋଟିଏ ଗଛ ପାଇଁ ଦୈନିକ ୬୦ ଲିଟର ଜଳ ଆବଶ୍ୟକ ହୋଇଥାଏ । ମୋସାମ୍ବି ସମ୍ପୂର୍ଣ୍ଣ ଭାବେ ଶୁଖିଯାଇଛି’’।

ଥୋମ୍‌ରେଙ୍କ ୨ଏକର ଜମିରେ ୪୦୦ ମୋସାମ୍ବି ଗଛ ଲାଗଛି – ଯାହାର ଅର୍ଥ ହେଉଛି ଖରାଦିନରେ ଦିନକୁ ୨୪୦୦୦ ଲିଟର ଜଳ, ଭଲ ମୌସୁମୀ ବର୍ଷା, ଓ ଶୀତଦିନେ ଏହା ପାଖାପାଖି ପରିମାଣର ଜଳ । ଅନ୍ୟ ଫଳଗଛ ପାଇଁ ଏହାଠାରୁ ଅତି କମ୍‌ ପରିମାଣର ଜଳ ଆବଶ୍ୟକ ହୋଇଥାଏ – ଯେପରିକି, ଡାଳିମ୍ବ ପାଇଁ ଖରାଦିନରେ ଦିନକୁ ଗୋଟିଏ ଗଛ ପାଇଁ ୨୦ ଲିଟର ଜଳ ଆବଶ୍ୟକ ହୋଇଥାଏ ।

ଥୋମରେଙ୍କ ବାପା, ମରାଠ୍‌ୱାଡାର ଉପାନ୍ତ ଅଞ୍ଚଳରେ ଥିବା ୧୩୦୦ ଜନସଂଖ୍ୟା ବିଶିଷ୍ଟ ତାଙ୍କ ଗ୍ରାମ କାରଜଗାଁଓରେ ୨୦୦୨ଟି ଗଛ ଲଗାଇଥିଲେ । ଶିବାଜୀଙ୍କୁ ସେତେବେଳେ ମାତ୍ର ୨୦ବର୍ଷ ହୋଇଥିଲା । “ସେତେବେଳେ ଜଳ ନେଇ କୌଣସି ସମସ୍ୟା ନଥିଲା” ସେ ମନେ ପକାଇ କୁହନ୍ତି । ବୃଷ୍ଟିପାତ ଉପରେ ବିଶ୍ୱାସ କରିହେଉଥିଲା ଓ ତାଙ୍କ ପରିବାରର ନିଜସ୍ୱ କୂଅରେ ପର୍ଯ୍ୟାପ୍ତ ଜଳ ଭରି ରହୁଥିଲା । “ସେତେବେଳେ ମୋସାମ୍ବି ଗଛ ଲଗାଇବା ଏକ ଉତ୍ତମ ଓ ଲାଭଦାୟକ ବିକଳ୍ପ ଥିଲା” ।

ଅଉରଙ୍ଗାବାଦର ରାଜରାସ୍ତାଠାରୁ ଆରମ୍ଭ କରି ଜଲନା ମଧ୍ୟରେ ପ୍ରାୟ ୬୦ କିମି ମଧ୍ୟରେ ଥିବା ଗ୍ରାମଗୁଡିକରେ ମୋସାମ୍ବି ବଗିଚା ବିଛେଇ ହୋଇ ରହିଛି । ସେ ସବୁକୁ  ୨୦୦୦ର ଆରମ୍ଭରେ ପୋତା ଯାଇଥିଲା ଓ ସେହି ସମସ୍ତ ଫଳ ବଗିଚାର ମାଲିକମାନେ ଆଜି ସଂଘର୍ଷ କରୁଛନ୍ତି ।

ଏହି ଫଳ ଚାଷ କରିବା ସହଜ ନୁହେଁ । ଗଛରେ ମୋସାମ୍ବି ଫଳିବା ପାଇଁ ଚାରିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହାର ଯତ୍ନ ନେବାକୁ ହୋଇଥାଏ, କିନ୍ତୁ ତା’ପରେ ୨୫ - ୩୦ ବର୍ଷ ପର୍ଯ୍ୟନ୍ତ ପ୍ରତି ଦୁଇ ବର୍ଷରେ ଥରେ ଗଛରେ ଫଳ ଫଳିଥାଏ ।ଶିବାଜୀଙ୍କ ଫଳ ବଗିଚାରେ କେବେଳ ଚାରି ବର୍ଷ ପର୍ଯ୍ୟନ୍ତ ଫଳ ଫଳିଥଲା, ୨୦୦୬ ରୁ ୨୦୧୦ ମଧ୍ୟରେ ।

ଭିଡିଓ ଦେଖନ୍ତୁ : କରଜଗାଓଁର ଶିବାଜୀ ଥୋମ୍‌ରେ ତାଙ୍କର ମୋସାମ୍ବି ଚାଷ ବିଷୟରେ କହୁଛନ୍ତି

୨୦୧୨ ପରଠାରୁ ମରାଠ୍‌ୱାଡାରେ କ୍ରମାନ୍ୱୟରେ ଚାରି ବର୍ଷ ପର୍ଯ୍ୟନ୍ତ ମରୁଡି ପରିସ୍ଥିତ ଓ ଜଳ ସଂକଟ ଲାଗି ରହିଲା । “ଫସଲ ଅମଳ କରିବା କଥା ଭୁଲି ଯାଆନ୍ତୁ, ଜଳ ଅଭାବ କାରଣରୁ ଗଛଗୁଡିକ ବଞ୍ଚିବା ମଧ୍ୟ କଷ୍ଟକର ହୋଇଗଲା,’’ ବୋଲି ଶିବାଜୀ କୁହନ୍ତି। “ଯଦିଓ ୨୦୧୬ରେ ଅପେକ୍ଷାକୃତ ଅଧିକ ପରିମାଣର ବୃଷ୍ଟିପାତ ହୋଇଛି, ତେବେମଧ୍ୟ କୌଣସି ଲାଭ ମିଳିଲାନାହିଁ । ଏହି ଅଞ୍ଚଳରେ, ଅଧିକ ପରିମାଣରେ ବର୍ଷା ହୋଇନାହିଁ ।’’

ଭଲ ଚାଷ ହୋଇଥିଲେ, ଆମେ ପ୍ରାୟ ୧୫ - ୨୦ ଟନ୍‌ ମୋସାମ୍ବି ଆଦାୟ କରିଥାଉ ବୋଲି ଶିବାଜୀ କୁହନ୍ତି । “ଟନ୍‌ ପିଛା ହାରାହାରି ୩୦,୦୦୦ଟଙ୍କା ହାରରେ ହିସାବ କଲେ (ବିକ୍ରି ମୂଲ୍ୟ), ଏଇ ଋତୁରେ ମୋର ପ୍ରାୟ ୩.୫ ରୁ ୪ ଲକ୍ଷ ଟଙ୍କା କ୍ଷତି ହୋଇଛି,’’ ବୋଲି ଏକ ଥୁଣ୍ଟା ମୋସାମ୍ବି ଗଛ ତଳେ ବସି ସେ କୁହନ୍ତି। “ ଏଥିରେ ମୁଁ ଏହି ଫଳବଗିଚାରେ ବର୍ଷସାରା କରିଥିବା ନିବେଶକୁ ସାମିଲ ହୋଇନି । ଗତ ପାଞ୍ଚ ବର୍ଷ ଏହି ଫଳ ପାଇଁ ଧ୍ୱଂସକାରୀ ପ୍ରମାଣିତ ହୋଇଛି ।’’

ଦୀର୍ଘ ଦିନ ପର୍ଯ୍ୟନ୍ତ ଖରାପ ଅବସ୍ଥା ଜାରି ରହିବାରୁ ଶିବାଜୀଙ୍କ ସ୍ତ୍ରୀ ଜ୍ୟୋତିଙ୍କୁ ଅନ୍ୟମାନଙ୍କ ଚାଷଜମିରେ କୃଷି ଶ୍ରମିକ ଭାବେ କାମ କରିବାକୁ ପଡିଲା । “ମୁଁ ଦିନକୁ ୧୫୦ଟଙ୍କା ମଜୁରୀ ପାଏ”, ବୋଲି ସେ କୁହନ୍ତି । “ଏହା ମୋ ପରିବାରର ଆୟକୁ ବଢାଇ ଥାଏ । ଆପଣଙ୍କୁ କେତେବେଳେ ହଠାତ୍‌ ପଇସାର ଆବଶ୍ୟକତା ହେବ, ତାହା ଆପଣ ଜାଣନ୍ତି ନାହିଁ । ଗତ ଦୁଇଦିନ ଧରି ଆମର ସାତ ବର୍ଷର ଝିଆରିକୁ ଅଉରଙ୍ଗାବାଦ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା। ତାର ସିଷ୍ଟ ଅପରେସନ କରିବା ଦରକାର ହେଲା । ଏଥିପାଇଁ ଆମେ ତାଙ୍କୁ  ୧୫,୦୦୦ ଟଙ୍କା ପଠେଇଦେଇଛୁ’’ ।

୧୮ ସଦସ୍ୟ ବିଶିଷ୍ଟ ଏକ ଯୌଥ ପରିବାରରେ ରହୁଥିବା ଶିବାଜୀ, କେବଳ ଚାଷ କାମ କରି ଜୀବିକା ନିର୍ବାହ କରିବା ପାଇଁ ସମର୍ଥ ହୋଇପାରି ନଥାନ୍ତେ । ଗ୍ରାମରେ ତାଙ୍କର ଏକ ଇଲେକ୍ଟ୍ରୋନିକ୍‌ ଦୋକାନ ଅଛି ଓ ଶିବାଜୀ ନିଜେ ମଧ୍ୟ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରରେ ଜଣେ ବ୍ୟବସାୟ ସମ୍ବାଦଦାତା ଭାବେ କାମ କରି, ମାସିକ ୭,୦୦୦ଟଙ୍କା ବେତନ ପାଆନ୍ତି । “ଆମେ ୮ଲକ୍ଷ ଟଙ୍କା ଋଣ କରିଛୁ [ବ୍ୟାଙ୍କରୁ, ପାଞ୍ଚ ବର୍ଷରେ],’’ ସେ କୁହନ୍ତି । “ଆମକୁ ମୋସାମ୍ବିର ବିକଳ୍ପ ବିଷୟରେ ଚିନ୍ତା କରିବାକୁ ହେବ ।’’

ଏଣୁ ଶିବାଜୀ ଫଳ ବଗିଚା ନକରିବା ପାଇଁ ପାଇଁ ଯୋଜନା କରୁଛନ୍ତି । ୧୫ବର୍ଷ ତଳେ ତାଙ୍କ ବାପା ପୋତିଥିବା ଗଛଗୁଡିକୁ ମଧ୍ୟ ଉପାଡି ଦିଆଯିବ । ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । “ଆମର ୪୦୦ ଗଛ ମଧ୍ୟରୁ ଏହି ଋତୁରେ ୫୦ଟି ଗଛ ଅପସାରିତ କରାଯାଇଥିବା କଥା  [୨୦୧୭ର ଗ୍ରୀଷ୍ମ ଦିନରେ],’’ ସେ କୁହନ୍ତି । “ମୁଁ ଗୋଟିଏ ଜେସିବି ମେସିନ ଭଡାରେ ଆଣିଥିଲି । ମୁଁ ଧୀରେ ଧୀରେ ସେସବୁରୁ ଦୂରେଇ ଯିବାକୁ ଚେଷ୍ଟା କରୁଛି । ଆର୍ଥିକ ଦୃଷ୍ଟିରୁ ଅନିର୍ଦ୍ଦିଷ୍ଟ ଓ ପ୍ରଚୁର ପାଣି ଆବଶ୍ୟକ କରୁଥିବା ଏହିପରି ଏକ ଫସଲ ସହିତ ଯୋଡି ହୋଇ ରହିବାରେ କୌଣସି ଲାଭ ନାହିଁ ।’’

PHOTO • Parth M.N.

ଅଉରଙ୍ଗାବାଦ, ଜଲ୍‌ନା ଓ ନାନ୍‌ଦେଦ୍‌ ଜିଲ୍ଲା ହେଉଛି ଦେଶର ଅନ୍ୟ ଅଂଶକୁ ସର୍ବାଧିକ ମୋସାମ୍ବି ଯୋଗାଉଥିବା ଜିଲ୍ଲା ମଧ୍ୟରେ ଅଗ୍ରଣୀ ଜିଲ୍ଲା

ଉଚ୍ଚ ଉତ୍ତାପ ମଧ୍ୟ ମୋସାମ୍ବି ପାଇଁ କ୍ଷତିକାରକ ।  ୨୦୧୭ରେ ଯେତେବେଳେ ମରାଠ୍‌ୱାଡାରେ ପ୍ରବଳ ଗରମ ହେଉଥିଲା – ଏପ୍ରିଲ ଓ ମଇ ମାସ ଶେଷରେ ତାପମାତ୍ରା  ପ୍ରାୟ ୪୫ ଡିଗ୍ରୀରେ ସ୍ଥିର ରହୁଥିଲା – ସେତେବେଳେ ଫଳଗୁଡିକ ଦଗ୍‌ଧ ହୋଇଗଲା। “ଏହା ଫଳରେ ଫଳଗୁଡିକୁ ଅପରିପକ୍ୱ ଅବସ୍ଥାରେ ଗଛରୁ ଝଡିଗଲେ’’ ବୋଲି ଶିବାଜୀ କୁହନ୍ତି । “ଅତ୍ୟୁଚ୍ଚ ଉତ୍ତାପରେ ଏହାର ତନ୍ତୁଗୁଡିକ ଦୁର୍ବଳ ହୋଇଯାଆନ୍ତି’’।

ମରାଠ୍‌ୱାଡାର ଅଉରଙ୍ଗାବାଦ, ଜଲ୍‌ନା ଓ ନାନ୍‌ଦେଦ୍‌ ଆଦି ଜିଲ୍ଲାରେ ମୋସାମ୍ବି ବ୍ୟାପକ ଭାବେ ଚାଷ କରାଯାଏ ଓ ଦେଶର ଅନ୍ୟ ସ୍ଥାନଗୁଡିକୁ ମୋସାମ୍ବି ଯୋଗାଇବାରେ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ ହୋଇଥାନ୍ତି । ତେବେ, ବର୍ତ୍ତମାନ, ମରାଠ୍‌ୱାଡାରୁ ମୋସାମ୍ବି ଲୋପ ହୋଇଯିବା ସମ୍ଭାବନା ଦେଖାଯାଉଛି । ଅନେକ କୃଷକ ଏହା ସ୍ଥାନରେ ଅନ୍ୟ ଫଳ ଲଗେଇବାକୁ ଇଚ୍ଛା କରୁଛନ୍ତି, ଯେପରିକି ଡାଳିମ୍ବ, ଯେଉଁଥିପାଇଁ ଅଳ୍ପ ପାଣି ଆବଶ୍ୟକ ହୋଇଥାଏ: ଓ ଅନ୍ୟକିଛି ପାରମ୍ପରିକ ଖରିଫ୍‌ ଫସଲ ଯେପରିକି ହରଡ ଡାଲି ଓ କାର୍ପାସ୍‌ ଫସଲ ପୁଣିଥରେ ଆରମ୍ଭ କରିବାକୁ ଚାହୁଁଛନ୍ତି ।

କେବଳ ୨୦୧୩ରେ ୩୦ ପ୍ରତିଶତ ଗଛ ଉପାଡି ଦିଆଯାଇଛି, ଯେତେବେଳେକି ପୂରା ମରାଠ୍‌ୱାଡାରେ ପ୍ରାୟ ୧.୫ ଏକର ଜମିରେ ମୋସାମ୍ବି ଫସଲ ପ୍ରଭାବିତ ହୋଇଥିବାବେଳେ, ଅନେକ କୃଷକ ସେମାନଙ୍କ ଗଛଗୁଡିକୁ ନାଳନର୍ଦ୍ଦମା ପାଣି ସହାୟତାରେ ବଞ୍ଚେଇ ରଖିଛନ୍ତି । ସମ୍ପନ୍ନ କୃଷକମାନେ ପାଣି ଟାଙ୍କି ପିଛା ପ୍ରଚୁର ଅର୍ଥ ବ୍ୟୟ କରୁଛନ୍ତି ।

ଭିଡିଓ ଦେଖନ୍ତୁ : ଗଢେ ଜଲ୍‌ଗାଓଁ ଗ୍ରାମର ଭାଉସାହେବ ବେହେରେ ଫଳ ବଗିଚାର ରକ୍ଷଣାବେକ୍ଷଣ କରିବା ପାଇଁ ସେ କରିଥିବା ସଂଘର୍ଷ ବିଷୟରେ କୁହନ୍ତି ।

ଏପ୍ରିଲ୍‌ ୨୦୧୭ରେ, କରଜଗାଓଁଠାରୁ ଦୁଇ କିଲୋମିଟର ଦୂରରେ ଥିବା ଗଢେ ଜଲ୍‌ଗାଓଁ ଗ୍ରାମର ଭାଉସାହେବ ବେହେରେ, ୩୪, ଚଳିତ ଗ୍ରୀଷ୍ମରେ ତାଙ୍କର ମୋସାମ୍ବି ଗଛଗୁଡିକୁ ବଞ୍ଚାଇ ରଖିବା ପାଇଁ ୫୦,୦୦୦ ଟଙ୍କା ମୂଲ୍ୟର ପାଣି ଖର୍ଚ୍ଚ କରିଥିଲେ । ୨.୫ ଏକରର କାର୍ପାସ୍‌ ଓ ଜୱାର ଚାଷ ନିକଟରେ ଥିବା ୨.୫ଏକର ଫଳ ବଗିଚାରେ ଚାଲିଚାଲି ଯିବାବେଳେ “ଫଳସବୁ ଶୁଖି ଯାଇଛି,’’ ବୋଲି ସେ କହିଲେ । “ମୋତେ ଚେଷ୍ଚା କରିବାକୁ ହେବ ଓ ଯେକୌଣସି ଉପାୟରେ ଗଛଗୁଡିକ ବଞ୍ଚେଇ ରଖିବାକୁ ହେବ । ଏପର୍ଯ୍ୟନ୍ତ, ପ୍ରାୟ ୨୦ଟି ଗଛ ମରିଗଲେଣି ।

ବେହେରେ ମଧ୍ୟ ୨୦୦୦ରୁ ଫଳ ବଗିଚା କରୁଛନ୍ତି । ଗତ ପାଞ୍ଚ ବର୍ଷ ଏକ ଭୟାଭୟ ସ୍ୱପ୍ନ ସଦୃଶ ବୋଲି ସେ କୁହନ୍ତି । “ମୁଁ ୪ଲକ୍ଷ ଟଙ୍କା ଋଣ କରିଛି, ବୋଲି ସେ କୁହନ୍ତି ।’’ “ତିନି ମାସ ତଳେ ମୋ ଝିଅର ବାହାଘର ଅନୁଷ୍ଠିତ ହୋଇଥିଲା । ବାହାଘର ସମୟରେ ଯେତେବେଳେ ଅଧିକ ପଇସା ଆବଶ୍ୟକ ହୋଇଥାଏ, ସେତେବେଳେ ମୋସାମ୍ବି ଉପରେ ଭରସା କରି ରହିଲେ ପରିସ୍ଥିତିର ସମ୍ମୁଖୀନ ହେବାକୁ ହୋଇଥାଏ । ଏବେ ମୁଁ ମୋର ଚାଷ ଜମିରେ ଥିବା ପୋଖରୀକୁ ଆଉଟିକିଏ ଖାଲୁଆ କରିଦେଇଛି ଓ ଏହା ସହାୟକ ହେବ ବୋଲି ମୁଁ ଆଶା କରୁଛି ।’’

PHOTO • Parth M.N.

ଭାଉସାହେବ ବେହେରେ: ‘ପରିସ୍ଥିତି ସେତେବେଳେ ଭୟଙ୍କର ହୋଇଯାଏ ଯେତେବେଳେ ବାହାଘର କରିବା ପାଇଁ ଆପଣଙ୍କୁ ପଇସାର ଆବଶ୍ୟକତା ଥାଏ ଓ ଆପଣ ମୋସାମ୍ବି ଉପରେ ଭରସା କରି ରହିଥାନ୍ତି

ନିଜ ଚାଷ ଜମିରେ ପୋଖରୀ ଖୋଳି ଜଳ ସଂରକ୍ଷଣ କରିବା ପାଇଁ ରାଜ୍ୟ ସାରା ସମସ୍ତ କୃଷକଙ୍କୁ ମହାରାଷ୍ଟ୍ର ସରକାର ଆର୍ଥିକ ଅନୁଦାନ ପ୍ରଦାନ କରୁଛନ୍ତି । ମୋସାମ୍ବି  ଗଛ ପାଇଁ ଅତ୍ୟଧିକ ପରିମାଣର ଜଳ ଆବଶ୍ୟକ ହେଉଥିବାରୁ, କୃଷକମାନେ ଏହି ଅନୁଦାନ ରାଶି ଗ୍ରହଣ କରିବା ପାଇଁ ବାଧ୍ୟ ହେଉଛନ୍ତି । ତେବେ, ଅଉରଙ୍ଗାବାଦରେ ଥିବା ବିଭାଗୀୟ କମିସନର୍‌ଙ୍କ କାର୍ଯ୍ୟାଳୟରୁ ପ୍ରାପ୍ତ ହୋଇଥିବା ପରିସଂଖ୍ୟାନ ତଥ୍ୟ ଅନୁସାରେ, ୨୦୧୬ – ୨୦୧୭ ରେ ମରାଠ୍‌ୱାଡାର ଆଠଟି ଜିଲ୍ଲାରେ କେବଳ ୧୩,୬୧୩ଟି ପୋଖରୀ କାମ ସମ୍ପୂର୍ଣ୍ଣ ହୋଇଛି, ଯେତେବେଳେକି ପ୍ରଶାସନ ମୋଟ ୩୯,୬୦୦ଟି ପୋଖରୀ ଖୋଳିବାକୁ ଯୋଜନା କରିଛି । ଓ ଯେଉଁ ୧୩,୬୧୩ ଜଣ କୃଷକ ନିଜ ଜମିରେ ପୋଖରୀ ଖୋଳିଛନ୍ତି, ସେମାନଙ୍କ ମଧ୍ୟରୁ ୪୪୨୯ଜଣ ଏପର୍ଯ୍ୟନ୍ତ ଅନୁଦାନ ରାଶି ପାଇନାହାନ୍ତି ।

ତଥାପି, ବେହେରେ ନିଜର ଶେଷ ଗୋଟି ଚାଳନା କରିବାକୁ ଯାଇ ନିଜ ଜମିରେ ଏହି ପୋଖରୀ ଖୋଳିଛନ୍ତି ଓ ଏଥିପାଇଁ ସେ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ସେ ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବା ନେଇ ଆଶାବାଦୀ ଅଛନ୍ତି, ଯେଉଁଥିରେ ତାଙ୍କର ଏହି ପୋଖରୀରେ ପାଣି ଭର୍ତ୍ତି ହୋଇଯିବ ଓ ମୋସାମ୍ବି ବଗିଚାର ରକ୍ଷଣାବେକ୍ଷଣ କରିବା ତାଙ୍କ ପକ୍ଷେ ସହଜ ହେବ । “ବାସ୍‌ ଏତିକି” ସେ କହିଲେ । “ଯଦି ଏହି ପରୀକ୍ଷଣ ଅସଫଳ ହୁଏ, ତେବେ ଏହି ବଗିଚା ଆଉ ୨୦୧୮ ଦେଖିପାରିବ ନାହିଁ ’’।

ଫଟୋ : ଶ୍ରୀରଙ୍ଗ ସ୍ୱାର୍ଗେ

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE