ମଙ୍ଗଲ ସିଂଙ୍କ ୱାଟର ଟର୍ବାଇନ୍ ସଂପର୍କରେ ବର୍ଣ୍ଣନା କରିବା ବେଳେ ୬୦ ବର୍ଷୀୟ ଭାଇଜାନ କୁଶୱାହ କହିଲେ, ‘‘ମୋ ଜୀବନରେ ଥରେ ମାତ୍ର ବିସ୍ମିତ ହୋଇଛି।’’ ଉତ୍ତର ପ୍ରଦେଶ ଲଳିତପୁର ଜିଲ୍ଲାର ଦଶରାର ଗାଁର ଏକ ଉତ୍ତପ୍ତ ଅପରାହ୍‌ଣ। ଭାଇଜାନ ତାଙ୍କ ୧୫ ଏକର ବିଶିଷ୍ଟ ଫାର୍ମାର ଗୋଟିଏ ଭାଗରେ ଗହମ ବୁଣୁଥିଲେ।  ‘‘ପ୍ରାୟ ୩୦ ବର୍ଷ ପୂର୍ବେ ଜଳସେଚନକୁ ସହଜ କରିଥିବା [କିଛି ସମୟ ପାଇଁ] ଏହି ଟର୍ବାଇନ୍ ତିଆରି ହେବା ପୂର୍ବରୁ ଏହି ଜମି ନିଷ୍ଫଳା ଥିଲା।’’ 

ଟର୍ବାଇନ୍ କେମିତି କାମ କରେ ସେ ସଂପର୍କରେ ବର୍ଣ୍ଣନା କରିବା ପୂର୍ବରୁ ସେ କୁଣ୍ଠାବୋଧ କରୁଥିଲେ। ଗୁଣୁଗୁଣୁ ହୋଇ କହିଲେ, ‘‘ମୁଁ ଶିକ୍ଷିତ ନୁହେଁ।’’ ତାଙ୍କ ଜମିକୁ ଲାଗିଥିବା ସଜନମ୍ ନଦୀ ପାଖରେ ସେ ଏକ କାଠର ଚକ ଦେଖିଥିଲେ। ୧୯୮୭ ମସିହାରେ ସ୍ଥାନୀୟ ଶ୍ରମିକଙ୍କ ଦ୍ୱାରା ଏକ ଛୋଟ ଆଡ଼ି ବନ୍ଧ ତିଆରି ହୋଇଥିଲା। ‘‘ଏକ ଗିଅର ବକ୍ସ ସହ ଚକର ସଂଯୋଗ ହୋଇଥିଲା। ଯେତେବେଳେ ପାଣି ଏହି ଚକ ଭିତର ଦେଇ ପ୍ରବାହିତ ହୁଏ ସେତେବେଳେ ଏହା ଘୂରେ ଏବଂ ଆମ ପାଖରେ [ପ୍ରାୟ ୧-୨ କିଲୋମିଟର ଦୂର] ପାଣି ପହଞ୍ଚିଯାଏ। ମେସିନ୍ ଭିତରକୁ ଜଳ ପ୍ରବାହ ଚାଲୁ କରିବାକୁ ଏବଂ ବନ୍ଦ କରିବାକୁ ମୋତେ କେବଳ ଏହା ଭିତରେ ଏକ କାଠର ଗେଟ୍  ଭର୍ତ୍ତି କରିବାକୁ ହୁଏ।’’

କିନ୍ତୁ ଆମ ଆଲୋଚନା ଅନୁଯାୟୀ ଏହା ଏକ ଯନ୍ତ୍ର ନଥିଲା, ଯାହା ଭାଇଜାନ୍‌ଙ୍କୁ ଆଶ୍ଚର୍ଯ୍ୟ କରିଥିଲା: ‘‘ମୁଁ ଯେତେବେଳେ ପଚାରିଲି ଏହାର ଦାମ କେତେ, ସେ କହିଲେ ଏହା ମାଗଣା। ପାଣି ଯୋଗାଣ ପାଇଁ ଏହି ଟର୍ବାଇନ୍ ଡିଜେଲ କିମ୍ବା ବିଦ୍ୟୁତ ଆବଶ୍ୟକ କରେ ନାହିଁ। ମୁଁ ବିସ୍ମିତ ହୋଇଥିଲି।’’

*****

୭୧ ବର୍ଷୀୟ ମଙ୍ଗଳ ସିଂ, ଲଳିତପୁର ଜିଲ୍ଲା ବାର ବ୍ଲକ ଭେଲୋନିଲୋଧ ଗାଁର ରାଜପୁତ ଜମିଦାର ପରିବାରର ସଦସ୍ୟ। ଚାଷୀଙ୍କ ଭିତରେ ବଢିଥିବାରୁ ସେ ଜାଣିଥିଲେ ପାଣି ଉପରେ କେତେ ନିର୍ଭରଶୀଳ ହେବାକୁ ପଡେ, ଯାହା ତାଙ୍କ ଗାଁ ସମେତ ବୁନ୍ଦେଲଖଣ୍ଡ ଅଞ୍ଚଳର ଅନ୍ୟ ଗାଁଗୁଡ଼ିକୁ ଦାରିଦ୍ର୍ୟତା ଆଣି ଦେଇଛି। ଯେତେବେଳେ ସଜନମ ନଦୀରେ ପାଣି ଆସେ ସେତେବେଳେ ଏଥିରୁ ପାଣି ଉଠାଇବା ପାଇଁ ବିଜୁଳି କିମ୍ବା ଡିଜେଲ ଆବଶ୍ୟକ ହୁଏ- ଏଥିପାଇଁ ଅନେକ ଟଙ୍କା ବ୍ୟୟ କରିବାକୁ ପଡ଼େ। 

An (early 90s) picture of the turbine when it was operational at Kanji ghat
PHOTO • Apekshita Varshney
Mangal Singh at the unoperational water turbine at Kanji ghat
PHOTO • Apekshita Varshney

ବାମ : ଭାଇଜାନ କୁଶୱାହ କହିଲେ, ‘ପ୍ରାୟ ୩୦ ବର୍ଷ ପୂର୍ବେ ଜଳସେଚନକୁ ଟର୍ବାଇନ୍ ସହଜ କରିବା [କିଛି ସମୟ ପାଇଁ]ପୂର୍ବରୁ ଏହା ଏକ ନିଷ୍ଫଳା ଜମି ଥିଲା।ଦକ୍ଷିଣ : ୧୯୯୦ ଦଶକରେ ତାଙ୍କ ଜମିରେ ପାଣି ମଡ଼ାଇବା ପାଇଁ ମଙ୍ଗଲ ଟର୍ବାଇନ୍ ବ୍ୟବହାର କରୁଥିବା ଖୁସିଲାଲ କୁଶୱାହ କହିଲେ। 

ସିଂ କହିଲେ, ‘‘ଚାଷୀଙ୍କୁ ଡିଜେଲ ବାବଦରେ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଥଲା। ବିନା ବିଜୁଳି ଏବଂ ଡିଜେଲରେ କିଭଳି କେନାଲ ଏବଂ ଝରଣାରୁ ପାଣି ଉଠାଇ ହେବ ମୁଁ ତାର ସମ୍ଭାବନା ଖୋଜିଲି। ଚାଷୀଙ୍କୁ ସହାୟତା କରିବାର ଇଛା ମୋତେ ଏଭଳି ଭାବିବାକୁ ଖୋରାକ ଦେଲା। ମୁଁ ପିଲାବେଳେ ଚକ୍ରୀ [ପବନରେ ବୁଲୁଥିବା ଏକ ଖେଳଣା] ଖେଳେ। ମୋତେ ଯେତେବେଳେ ୩୦ ବର୍ଷ ହୋଇଥିଲା, ସେତେବେଳେ ଏହାକୁ ନେଇ ମୁଁ ଭାବିବାକୁ ଲାଗିଲି - ବଡ଼ ଚକ୍ରୀ ବା ଚକଟିଏ ପାଣି ଉଠାଇବାକୁ କାହିଁକି ସକ୍ଷମ ହେବନି?’’ 

୧୯୮୬ ଆଡ଼କୁ ସିଂ ଏକ କାଠର ଚକ (ଦୁଇ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଦେଶୀ ବବୁଲ କାଠରେ) ତିଆରି କଲେ। ୧୨ଟି ବ୍ଲେଡ୍‌(ରିମ୍ ସହ ଖଞ୍ଜା ଯାଇଥିବା କାଠ ପଟା) ଦ୍ୱାରା ଏହି ଚକ ତିଆରି କରିଥିଲେ। ପରବର୍ତ୍ତୀ ସମୟରେ କାଠ ବଦଳରେ ଲୁହା ବ୍ୟବହାର କଲେ। କାରଣ କାଠରେ ଅଧିକ ଖର୍ଚ୍ଚ ହେଉଥିଲା ଏବଂ ପାଣିରେ ରହିବା ଯୋଗୁଁ ନଷ୍ଟ ହୋଇଯାଉଥିଲା। ‘‘ଏହା ପରେ ଚକକୁ ଗୋଟିଏ ଷ୍ଟିଲ ସାଫ୍ଟ ଉପରେ ଖଞ୍ଜାଗଲା ଏବଂ ଦୁଇଟି ବିଅରିଂ ଲାଗିଲା। ଚକର ଗତି ବଢାଇବାକୁ ସାଫ୍ଟରେ ଏକ ଗିଅର ବକ୍ସ ଲାଗିଲା। ଗିଅର ବକ୍ସର ଦୁଇଟ ପାର୍ଶ୍ୱ ଥିଲା - ଗୋଟିଏ ପାର୍ଶ୍ୱରେ ଏକ ସେଣ୍ଟ୍ରିଫୁଗାଲ ପଂପ ଲାଗିଥିଲା। ଏହି ପଂପ ୨ କିଲୋମିଟର ପର୍ଯ୍ୟନ୍ତ ପାଇପ୍ ଯୋଗେ ପାଣି ଯୋଗାଇବାକୁ ସକ୍ଷମ। ଅନ୍ୟ ଗୋଟିଏ ପାର୍ଶ୍ୱରେ ପୁଲି ଲାଗିଥିଲା।’’ ୧୯୯୦ ବେଳକୁ ସିଂ ଏହାକୁ ଆହୁରି ବିକଶିତ କଲେ। କ୍ରସର କିମ୍ବା ଗ୍ରାଇଣ୍ଡର ଭଳି କୃଷି ଯନ୍ତ୍ର ଖଞ୍ଜିବାକୁ ଏଥିରେ ପୁଲି ସଂଯୋଗ କଲେ।

୧୯୯୮ରେ ବୁନ୍ଦେଲଖଣ୍ଡର ଜଳସଂପଦ ଉପରେ ଏକ ଅଧ୍ୟୟନ କରିଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି, ଦିଲ୍ଲୀର ଗବେଷକମାନେ ଏହି ଯନ୍ତ୍ରକୁ ଖୁବ୍ ପ୍ରଶଂସା କରିଥିଲେ। ସେମାନେ କହନ୍ତି ଗୋଟିଏ ଟର୍ବାଇନ୍ ତିଆରି କରିବାକୁ ୧.୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଏବଂ ‘‘ଗୋଟିଏ ଅଞ୍ଚଳରେ ୨୦୦ ହେକ୍ଟର ଜମିକୁ ଦୁଇଟି ଟର୍ବାଇନ୍ ଜଳସେଚିତ କରିପାରିବ’’ ଏବଂ ‘‘ପାଣି ସୁବିଧା ଥିବା ୫୦୦ଟି ସ୍ଥାନରେ ମଙ୍ଗଲ ଟର୍ବାଇନ୍ ଲଗାଇବାକୁ ଯୋଜନା କରିଥିଲେ ... ହିସାବ କରାଯାଇଥିଲା ଯେ, ... ୨୫ ମେଗାୱାଟ୍ ବିଜୁଳି ଏଥିରୁ ସହଜରେ ଉତ୍ପାଦନ କରିହେବ।’’

ଏହାର ବ୍ୟବହାର ସଂପର୍କରେ ସିଂ ସଚେତନ ଥିଲେ। ୧୯୯୭ରେ ଦିଲ୍ଲୀ ସ୍ଥିତ ପାଟେଣ୍ଟ ଅଫିସରେ ସେ ଏହାର ପାଟେଣ୍ଟ କରି ନେଇଥିଲେ। (ପାଟେଣ୍ଟ ନମ୍ବର ୧୭୭୧୯୦, ନଭେମ୍ବର ୧୩, ୧୯୯୭) ପାଟେଣ୍ଟ, ଡିଜାଇନ୍ ଏବଂ ଟ୍ରେଡ୍ ମାର୍କର କଣ୍ଟ୍ରୋଲ ଜେନେରାଲର ଏହାର ପରିଚାଳନା କରିଥାନ୍ତି। କିନ୍ତୁ ଏହା ତାଙ୍କ ଉଦଭାବନକୁ ଆଗକୁ ନେଇପାରିଲା ନାହିଁ।

*****

୪୧ ବର୍ଷୀୟ ଖୁସିଲାଲ କୁଶୱାହଙ୍କର ମନେ ଅଛି, ୧୯୯୦ ଦଶକରେ ଜମିରେ ପାଣି ମଡ଼ାଇବାକୁ ତାଙ୍କ ବାପା ମଙ୍ଗଲ ଟର୍ବାଇନ୍ (ଏକ ସ୍ଥାନୀୟ ହିନ୍ଦୀ ଗଣମାଧ୍ୟମ ଏଭଳି ନାଁ ଦେଇଥିଲା) ବ୍ୟବହାର କରୁଥିଲେ। ‘‘ମୁଁ ସେତେବେଳେ ୧୨-୧୩ ବର୍ଷର ହୋଇଥିଲି। ମୋର ମନେ ଅଛି, ପାଣି ଅଭାବ ନରହିବାରୁ ବହୁଗୁଣରେ ଗହମ ଏବଂ ମଟର ଉତ୍ପାଦନ କରୁଥିଲୁ।’’ ବିନା ବୈଷୟିକ ଦକ୍ଷତାରେ ମଙ୍ଗଳ ସିଂ କିଭଳି ଏହି ଟର୍ବାଇନ୍ ତିଆରି କଲେ ତାହା କୁଶୱାହଙ୍କୁ ଆଶ୍ଚର୍ଯ୍ୟ କରିଥିଲା। (୧୯୬୭ରେ ଛାତ୍ର ଆନ୍ଦୋଳନ ଯୋଗୁ ମଧ୍ୟପ୍ରଦେଶ ଟିକମଗଡ଼ର ସରକାରୀ ଡିଗ୍ରୀ କଲେଜରେ ପଢୁଥିବା ମଙ୍ଗଳ ସିଂ ବିଜ୍ଞାନରେ ସ୍ନାତକ ଡିଗ୍ରୀ ପୂରା କରି ପାରିନଥିଲେ।) 

PHOTO • Apekshita Varshney
PHOTO • Apekshita Varshney

ବାମ : ୧୯୯୦ ଦଶକର ଆରମ୍ଭରେ ସ୍ଥାନୀୟ ଘାଟରେ ଟର୍ବାଇନ୍ କାର୍ଯ୍ୟକ୍ଷମ ଥିବା ବେଳର ଏକ ଫଟୋ ଆଲବମ୍। ଦକ୍ଷିଣ : ଟର୍ବାଇନ୍ ବନ୍ଦ ଥିବା ସେହି ଘାଟରେ ମଙ୍ଗଳ ସିଂ  

ସିଂ କହିଲେ, ‘‘ ସଫଳତା ପାଇଁ ଏହା ଏକ ପରୀକ୍ଷା ନିରୀକ୍ଷା ଥିଲା। ମୋ ନିଜ ଖର୍ଚ୍ଚରେ ମୁଁ ଏହି ଉଦ୍ଭାବନକୁ ସଂପୂର୍ଣ୍ଣ ବିକଶିତ କରିଥିଲି।’’ (କେତେ ଖର୍ଚ୍ଚ କରିଛନ୍ତି ତାଙ୍କର ମନେ ନାହିଁ କି ସେ ରେକର୍ଡ କରି ନାହାନ୍ତି) ଜଳସେଚନ ପାଇଁ ଦେଶୀ ଟର୍ବାଇନ୍ ନିର୍ମାଣ କରିବାକୁ ତାଙ୍କର ଯେଉଁ ପରିକଳ୍ପନା ଥିଲା, ସେଥିପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବାକୁ ତାଙ୍କୁ ଦଶନ୍ଧି ଦଶନ୍ଧି ଧରି ସଂଘର୍ଷ କରିବାକୁ ପଡ଼ିଥିଲା। 

ପ୍ରାୟ ୧୯୮୮ରେ ପ୍ରଥମ କରି ଯନ୍ତ୍ର କାର୍ଯ୍ୟକ୍ଷମ ହେବା ପରେ ସିଂ ଏହାର ପ୍ରଚାର କଲେ। ‘‘ମୁଁ ପତ୍ର ମାଧ୍ୟମରେ ମୋ ଉଦ୍ଭାବନକୁ ଲୋକ ଲୋଚନକୁ ଆଣିଲି। ୧୯୮୮ ରେ ଏ ନେଇ କାପାର୍ଟ [ଗ୍ରାମ ବିକାଶ ମନ୍ତ୍ରାଳୟର ଦ କାଉନସିଲ ଫର ଆଡ଼ଭାନ୍ସମେଣ୍ଟ ଅଫ ପିପୁଲ୍ସ ଆକ୍ସନ ଆଣ୍ଡ ରୁରାଲ ଟେକ୍ନୋଲୋଜି] ପ୍ରଥମ କରି ଆଗ୍ରହ ପ୍ରକାଶ କଲା। ମୋ ଗାଁ ଭେଲୋନିଲୋଧରେ ପ୍ରଥମ ଟର୍ବାଇନ୍‌ର ଆଉ ଏକ ବିକଶିତ ମଡେଲ ସ୍ଥାପନ କରିବାକୁ କାପାର୍ଟ ମୋତେ ୪୮,୫୦୦ ଟଙ୍କା ପ୍ରଦାନ କଲା।’’ ସିଂ ତାଙ୍କ ପ୍ରଥମ ଟର୍ବାଇନ୍ ଦଶରାରାରେ ତିଆରି କରିଥିଲେ। ଅଧିକ ଚାଷ ଜମି ପାଇଁ ଉପଯୋଗ ହେଲା ଭଳି ପ୍ରାୟ ତିନି କିଲୋମିଟର ଦୂରରେ ଟର୍ବାଇନ୍ ବସିଥିଲା।

ଦଶରାରାକୁ ଟର୍ବାଇନ୍ ଦେଖିବା ପାଇଁ ବହୁ ଲୋକଙ୍କ ଧାଡ଼ି ଲାଗିଥିଲା। ସିଂ କହନ୍ତି, ସେମାନଙ୍କ ଭିତରେ ଥିଲେ ତତ୍କଳୀନ ଯୋଜନା ଆୟୋଗ ଉପଦେଷ୍ଟା ସାରଳା ଗୋପାଲନ୍। ସାରଳାଙ୍କ ଚିଠି ସବୁ ସିଂ ସାଇତି ରଖିଛନ୍ତି, ମୋତେ ସେ ସବୁକୁ ଦେଖାଇଲେ। ଆଇଆଇଟି ରୁର୍‌କିସ୍ଥିତ ଅଲଟରନେଟ୍ ହାଇଡ୍ରୋ ଏନର୍ଜୀ ସେଣ୍ଟର ଏବଂ ଦିଲ୍ଲୀର ଏନର୍ଜୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ [ଟିଇଆର] ପକ୍ଷରୁ ଏହି ଟର୍ବାଇନ୍‌କୁ ଅନୁଧ୍ୟାନ କରାଯାଇଥିଲା ଏବଂ ପ୍ରଶଂସା କରାଯାଇଥିଲା। ଆଉ କେତୋଟି ଟର୍ବାଇନ୍ ନିର୍ମାଣ କରିବାକୁ ସିଂଙ୍କୁ କାପାର୍ଟ କାର୍ଯ୍ୟାଦେଶ ଦେଇଥିଲା।
Patent document
PHOTO • Apekshita Varshney
Mangal Singh’s home office is overflowing with stacks of files which record his communication with government agencies
PHOTO • Apekshita Varshney

ବାମ : ୧୯୯୭ରେ ସିଂ ଏହାର ପାଟେଣ୍ଟ କରିଥିଲେ। ଦକ୍ଷିଣ : କିନ୍ତୁ ଦସ୍ତାବିଜ୍ ପାଇଁ ସରକାରୀ କଳ ସହ ଏକ ଦଶନ୍ଧିର ସଂଘର୍ଷ ଭିତରେ ସେ ଫସିଗଲେ। 

ସିଂ କହନ୍ତି, ‘‘କିନ୍ତୁ ଠିକ୍ ପରେ ପରେ ଦୁର୍ନୀତି ଆଉ ଶୋଷଣ ଆରମ୍ଭ ହୋଇଗଲା। ସରକାରୀ ସଂସ୍ଥାଗୁଡ଼ିକ ମୋତେ ଅଳ୍ପ ବଜେଟ୍‌ର ପ୍ରକଳ୍ପ ଦେବା ସହ କିସ୍ତି ପ୍ରଦାନ ବନ୍ଦ କରିଦେଲେ। ଟର୍ବାଇନ୍ ପୂରା କରିବାକୁ ମୁଁ ଯେତେବେଳେ ନିଜସ୍ୱ ଅର୍ଥ ଖର୍ଚ୍ଚ କଲି ସେତେବେଳେ ଟିମ୍ ପଠାଇ ଏହାକୁ ବିରୋଧ କଲେ। ଏଟା କର ସେଟା କର ଏବଂ କ୍ୟାସ୍ ବୁକ୍ ଦାଖଲ କରିନ କହି ମୋ ଉପରେ ଚାପ ପକାଇଲେ। ମୁଁ ଏକାକୀ ଏହାର ଉଦ୍ଭାବକ, ଏନଜିଓ ନୁହେଁ। ତେଣୁ କୌଣସି କାର୍ଯ୍ୟାଳୟ ଭଳି ମୁଁ କର୍ମଚାରୀଙ୍କୁ ନେଇ କାମ କରିପାରିବିନି। ମୁଁ ତାଙ୍କୁ ଏକଥା ଜଣାଇଲି ... କିନ୍ତୁ ଶୋଷଣ ସରିଲାନି।’’

ଏହାର ବହୁ ଦିନ ପରେ, ୨୦୧୦-୧୧ ବେଳକୁ ମୋ ଅଭିଯୋଗ ଉପରେ ଅନୁଧ୍ୟାନ କରିବାକୁ ଗ୍ରାମ ବିକାଶ ମନ୍ତ୍ରାଳୟ ବି.ପି. ମୈଥାନୀଙ୍କୁ ନିଯୁକ୍ତି ଦେଲା। ବି.ପି ମୈଥାନୀ ହେଉଛନ୍ତି ଗୌହ୍ୱାଟୀର ଗ୍ରାମ ବିକାଶ ଓ ପଞ୍ଚାୟତିରାଜ ବିଭାଗର ଜାତୀୟ ସ୍ତରର ପ୍ରତିଷ୍ଠାନ ଉତ୍ତର ପୂର୍ବାଞ୍ଚଳ କେନ୍ଦ୍ରର ପୂର୍ବତନ ପ୍ରଫେସର ଏବଂ କାପାର୍ଟର ଉତ୍ତର-ପୂର୍ବ ଏବଂ ମଧ୍ୟ ଜୋନ୍‌ର ପୂର୍ବତନ ଆବାହକ।

ମଙ୍ଗଲ ସିଂଙ୍କୁ କାର୍ଯ୍ୟାଦେଶ ମିଳିଥିବା ପ୍ରକଳ୍ପଗୁଡ଼ିକ ସଂପର୍କରେ ସେ ଆଲୋଚନା କଲେ ଏବଂ ଅବହେଳା ଓ ସରକାରୀ ଫାଇଲ୍ ସଂପର୍କିତ ତଥ୍ୟ ହାସଲ କଲେ। ବିଭିନ୍ନ ଗାଁରେ ସ୍ଥାପନ କରିବାକୁ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ସରକାରଙ୍କ ଡିଷ୍ଟ୍ରିକ୍ଟ ରୁରାଲ ଡେଭଲପମେଣ୍ଟ ଏଜେନ୍ସିଜ୍ (ଡିଆରଡିଏ) ଏବଂ କାପାର୍ଟ ଏହି ସବୁ ପ୍ରକଳ୍ପ ମଞ୍ଜୁର କରିଥିଲେ। ମୈଥାନୀ ଲେଖିଥିଲେ, ‘‘ଅଧିକାଂଶ ପ୍ରକଳ୍ପ ମଙ୍ଗଲ ସିଂ ପୂରା କରିପାରି ନଥିଲେ, ଏହାର କାରଣ ବିଭିନ୍ନ ବାଧା ସୃଷ୍ଟି କରାଯାଇଥିଲା ଏବଂ ଆବଶ୍ୟକ ଅର୍ଥ ମଞ୍ଜୁର କରାଯାଇ ନଥିଲା।’’

ଉଦାହରଣ ସ୍ୱରୂପ, ଏହି ରିପୋର୍ଟ ଅନୁଯାୟୀ, ୧୯୯୬ରେ ସିଂଙ୍କୁ କାପାର୍ଟ ଏଫଏଏସ୍ (‘ଫର୍ଦର ଆସିଷ୍ଟାନ୍ସ ଷ୍ଟପ୍‌ଡ’) ଅନ୍ତର୍ଭୁକ୍ତ କଲା। ଏହାର କାରଣ ଥିଲା, ‘‘ତାଙ୍କୁ ଗୋଟିଏ ବାବଦରେ ମଞ୍ଜୁର ହୋଇଥିବା ମାତ୍ର ୬,୪୦୦ ଟଙ୍କାର ବ୍ୟବହାର ସଂପର୍କିତ ତଥ୍ୟ ସେ ଦାଖଲ କରିନଥିଲେ।’’ 
Mangal Singh’s factory where scraps of metal and machines used to build the turbine’s parts lie unused
PHOTO • Apekshita Varshney
Mangal Singh’s factory where scraps of metal and machines used to build the turbine’s parts lie unused
PHOTO • Apekshita Varshney

ଭେଲୋନିଲୋଧରେ ମଙ୍ଗଲ ସିଂଙ୍କ ୱାର୍କସପ୍ ପରିତ୍ୟକ୍ତ ହୋଇ ପଡ଼ିରହିଛି, ଯେଉଁଠି ସେ ଏବଂ ତାଙ୍କ ଦ୍ୱାରା ନିଯୁକ୍ତ ଶ୍ରମିକମାନେ ଟର୍ବାଇନ୍ ତିଆରି କରୁଥିଲେ। ଯନ୍ତ୍ରପାତି ଏବଂ ଧାତବ ପଦାର୍ଥ ସବୁ ଜଙ୍କ ଲାଗିଗଲାଣି। 

ସିଂ କହନ୍ତି, ‘‘ମୁଁ କାମ ଚାଲୁ ରଖିବାକୁ ଚାହୁଁଥିଲି। କିନ୍ତୁ ସମ୍ବଳ ଯୋଗାଇବା ସହଜ ହେଲା ନାହିଁ। ମୁଁ ଅସଂଖ୍ୟ ଚିଠି ଲେଖିଲି ଏବଂ ବହୁ ଉଦ୍ୟମ ପରେ ଫାସ୍ ତାଲିକାରୁ ମୋତେ ବାଦ୍ ଦିଆଗଲା।’’ ଏହା ପରେ ସେ ୨୦୦୧ ମସିହାରେ କାପାର୍ଟରୁ ଆଉ ଏକ ପ୍ରକଳ୍ପ ପାଇବାକୁ ସକ୍ଷମ ହେଲେ। ଭେଲୋନିଲୋଧଠାରୁ ୩.୫ କିଲୋମିଟର ଦୂର ସଜନମ୍ ନଦୀର କାଞ୍ଜିଘାଟରେ ୫ଟି ଟର୍ବାଇନ୍ ବସାଇବାକୁ ତାଙ୍କୁ କାର୍ଯ୍ୟାଦେଶ ମିଳିଲା। ୨୦୦୧ ପୂର୍ବରୁ ସେଠାରେ ସେ ଗୋଟିଏ ଟର୍ବାଇନ୍ ସ୍ଥାପନ କରି ସାରିଥିଲେ। ପାଞ୍ଚଟି ଉପଯୁକ୍ତ ସ୍ଥାନ ନିରୂପଣ କରିବା ସହ ଆଡି ବନ୍ଧ ନିର୍ମାଣ, ଟର୍ବାଇନ୍ ବସାଇବା ଏବଂ ଏହାର ରକ୍ଷଣାବେକ୍ଷଣ କରିବାକୁ କାର୍ଯ୍ୟାଦେଶ ମିଳିଲା। ଏହି ନୂଆ ପ୍ରକଳ୍ପ ମଧ୍ୟ ସମାନ ବିବାଦରେ ଫସିଲା।

ମୈଥାନୀ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ଏହି ପ୍ରକଳ୍ପର ବ୍ୟୟ ବରାଦ ଥିଲା ୧୬.୮ ଲକ୍ଷ ଟଙ୍କା। କିନ୍ତୁ ‘‘୨୦୦୩-୨୦୧୧ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ତାଙ୍କୁ ୧୨ ଲକ୍ଷ ଟଙ୍କା ଦିଆଯାଇଥିଲା।’’ ବକେୟା ଅର୍ଥ ପାଇଁ ଯେତେବେଳେ ସିଂ ଅନୁରୋଧ କଲେ, ‘‘ପରବର୍ତ୍ତୀ ମଞ୍ଜୁରୀ ପାଇଁ କାପାର୍ଟ ତାଙ୍କୁ ସର୍ତ୍ତମୂଳକ ଭାବେ ଏକ ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ଅଗ୍ରଗତି ସଂପର୍କିତ ରିପୋର୍ଟ ଏବଂ ଟଙ୍କାର ଅଡିଟ୍ ତଥ୍ୟ ମାଗିଲା।’’ 

Mangal Singh at the unoperational water turbine at Kanji ghat
PHOTO • Apekshita Varshney
Umro Kushwaha in his house
PHOTO • Apekshita Varshney

ବାମ : ପୁରୁଣା ଟର୍ବାଇନ୍ ଲାଗିଥିବା ସଜନମ୍ ନଦୀର ଘାଟରେ ସିଂ। ଦକ୍ଷିଣ : ଉମରୋ କୁଶୱାହ କହିଲେ ଏହି ଟର୍ବାଇନ୍ ତାଙ୍କ ଜମିକୁ ଜଳସେଚିତ କରୁଥିଲା; ଏବେ ତାଙ୍କ ଜମିକୁ ସେ ଲିଜ୍ ଦେଇ ଦେଇଛନ୍ତି 

୨୦୦୦ ମସିହାର ଆରମ୍ଭରେ କାଞ୍ଜି ଘାଟ (ସ୍ଥାନୀୟ ଲୋକେ ଏପରି ନାମକରଣ କରିଛନ୍ତି)ରେ ନିର୍ମାଣାଧିନ ଟର୍ବାଇନ୍ ଆଉ ଆଗକୁ ବଢିପାରିଲା ନାହିଁ। ଏହାର କାରଣ ସଂପର୍କରେ ମୈଥାନୀ ତାଙ୍କ ରିପୋର୍ଟରେ କହିଛନ୍ତି, ‘‘ବିରୋଧୀଙ୍କ ଦ୍ୱାରା ନଷ୍ଟ ହୋଇ ଯାଇଥିଲା .... ସିଂଙ୍କ ଦ୍ୱାରା ବସା ଯାଇଥିବା ଅନେକ ଟର୍ବାଇନ୍ ଏବଂ ପାଇପ୍ ଲାଇନ୍ ନଷ୍ଟ ହୋଇ ଯାଇଥିଲା।’’ ରିପୋର୍ଟରେ କୁହାଯାଇଛି ଯେ, ମଙ୍ଗଲ ଟର୍ବାଇନ୍ ୱାର୍କସପ୍‌ର ଜଣେ ପୂର୍ବତନ ସୁପରଭାଇଜର .... ସ୍ଥାନୀୟ ପ୍ରଶାସନର ସମର୍ଥନରେ ... ଏଠାରୁ ଅଧା କିଲୋମିଟର ଦୂର କାଞ୍ଜିଘାଟର ତଳମୁଣ୍ଡରେ ସେ ତାଙ୍କ ନିଜ ଟର୍ବାଇନ୍ ବସାଇଥିଲେ।’’ ସମାନ ଜାଗାରେ ଆଉ ଏକ ଟର୍ବାଇନ୍ ସ୍ଥାପନ କରିବାରୁ ମଙ୍ଗଲ ଟର୍ବାଇନ୍‌ର ଯନ୍ତ୍ରାଂଶ ପାଣିରେ ବୁଡି ଯାଇଥିଲା। 

*****

୧୯୮୬ରୁ ଦୁଇ ଦଶନ୍ଧି ମଧ୍ୟରେ ପ୍ରାୟ ୫୦ଟି ଟର୍ବାଇନ୍ ବସାଇବାରେ ସିଂ ସହାୟତା କରିଥିବା ହିସାବ ରଖିଛନ୍ତି। ଏଥିରୁ ଅଧିକାଂଶ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ କିଛିଟା ଗୁଜରାଟରେ ବସିଛି। ସବୁଗୁଡ଼ିକର କାର୍ଯ୍ୟାଦେଶ କେବଳ କାପାର୍ଟ ଦେଇ ନଥିଲା, କେତେକ ଏନଜିଓ ଏବଂ ଡିଷ୍ଟ୍ରିକ୍ଟ ରୁରାଲ ଡେଭେଲପମେଣ୍ଟ ଏଜେନ୍ସି ଦେଇଥିଲେ। 

ସବୁ ଟର୍ବାଇନ ରକ୍ଷଣାବେକ୍ଷଣ ଏବଂ ତତ୍ୱାବଧାନ ଆବଶ୍ୟକ କରୁଥିଲା। କିନ୍ତୁ ସିଂ କହନ୍ତି, ଏ ସବୁ ଅର୍ଥ ଏବଂ ସରକାରୀ କଳ ସହ ଦୀର୍ଘ ସଂଘର୍ଷ କରୁଥିଲେ। ବ୍ୟବହାର ଏବଂ ମରାମତି ନହେବାରୁ ମଟର୍ବାଇନଗୁଡ଼ିକ ଧୀରେ ଧୀରେ ବନ୍ଦ ହେବାକୁ ଲାଗିଲା। କିଛି ବର୍ଷ ପରେ ଆଉ ନୂଆ ଟର୍ବାଇନ୍ ବସିପାରିଲା ନାହିଁ। 

ଦଶରାରାରେ ଲାଗିଥିବା ପ୍ରଥମ ମଙ୍ଗଳ ଟର୍ବାଇନଟି ପ୍ରାୟ ଦୁଇ ଦଶନ୍ଧି ଧରି କାର୍ଯ୍ୟକ୍ଷମ ଥିଲା। ଏହାର ପାଇପ୍ ଏବଂ ଯନ୍ତ୍ରାଂଶ ଗୁଡ଼ିକ ଚୋରି ହୋଇଗଲା ଏବଂ କାଢି ନିଆଗଲା। ସିଂ କହନ୍ତି, ‘‘ମୋ ପାଇଁ ଏହା ଏକ ଅତ୍ୟନ୍ତ କଷ୍ଟକର ସମୟ ଥିଲା, ଯେତେବେଳେ ଏହି ଟର୍ବାଇନ୍‌ର ରକ୍ଷଣାବେକ୍ଷଣ ପାଇଁ ଅର୍ଥ ଖର୍ଚ୍ଚ କରିବା ମୋ ପକ୍ଷରେ ଆଉ ସମ୍ଭବ ହେଲା ନାହିଁ। ମୌଳିକ ଭାବେ ଯାହା ତିଆରି କରିଥିଲି ତାର ରକ୍ଷଣାବେକ୍ଷଣ ଏବଂ ବିକାଶ ପରିବର୍ତ୍ତେ ଅନାବଶ୍ୟକ ସରକାରୀ ପ୍ରକ୍ରିୟା, ବିଧି ବ୍ୟବସ୍ଥା ଏବଂ ଟଙ୍କା ଯୋଗାଡ଼ କରିକରି ମୁଁ ଶକ୍ତହୀନ ହୋଇପଡ଼ିଲି।’’

ଏହି କ୍ଷତିକୁ ଗ୍ରାମବାସୀମାନେ ଖୁବ୍ ଅନୁଭବ କରୁଛନ୍ତି। ଭାଇଜାନ କୁଶୱାହ କହନ୍ତି, ‘‘ଏବେ ଡିଜେଲ ପମ୍ପ ମାଧ୍ୟମରେ ଜମିରେ ପାଣି ମଡାଇବାକୁ ମୁଁ ୫୦,୦୦୦ ଟଙ୍କା [ଅକ୍ଟୋବର-ମାର୍ଚ୍ଚ ଚାଷ ଋତୁରେ] ଖର୍ଚ୍ଚ କରୁଛି। ମୋର ମନେ ଅଛି, ଗୋଟିଏ ସମୟରେ ମୁଁ ଏହା ମାଗଣା କରୁଥିଲି।’’ 

Shivdayal Rajput at one of the sites where the Mangal Turbine was installed. The broken check dam can be still seen
PHOTO • Apekshita Varshney
Shivdayal Rajput at his tuck shop
PHOTO • Apekshita Varshney

ବାମ : ମଙ୍ଗଲ ଟର୍ବାଇନ ସ୍ଧାପନ ହୋଇଥିବା ଏକ ସ୍ଥାନରେ ଶିବଦୟାଲ ରାଜପୁତ୍ ଦକ୍ଷିଣ: ସେ କହନ୍ତି, ‘ବର୍ତ୍ତମାନ ଏକ ତେଜରାତି ଦୋକନ ଚଳାଇବା ଏହାଠାରୁ ବେଶୀ ଲାଭଦାୟକ।’  

ଚାଷୀଙ୍କ ଅନ୍ୟ ନିୟମିତ ଖର୍ଚ୍ଚ ସହ ପମ୍ପ ଯୋଗେ ପାଣି ମଡ଼ାଇବା ପାଇଁ ଅତିରିକ୍ତ ଭାବେ ଡିଜେଲ ଖର୍ଚ୍ଚ ଲାଗୁଛି (ପରିବେଶ ପାଇଁ ମଧ୍ୟ ଏହା ପ୍ରତିକୂଳ)। ଏଥିସହ ଚାଷରୁ ଯାହା ଆୟ ହେଉଛି ତାହା ଦଶରାରା ଏବଂ ଭେଲୋନିଲୋଧର ଅନେକ ଚାଷୀଙ୍କୁ ଚାଷ ଛାଡିବାକୁ ବାଧ୍ୟ କରୁଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୬୦ ବର୍ଷୀୟ ଶିବଦୟାଲ ରାଜପୁତ। କିଛି ବର୍ଷ ପାଇଁ ପାଣି ମଡ଼ାଇବାକୁ ତାଙ୍କ ପରିବାର ଏହି ଟର୍ବାଇନ୍ ବ୍ୟବହାର କରୁଥିଲେ। ସେ କହନ୍ତି, ‘‘ଗୋଟିଏ ତେଜରାତି ଦୋକାନ ଚଳାଇବା ଏହା ଠାରୁ ଢେର ଲାଭଦାୟକ।’’

୬୪ ବର୍ଷୀୟ ଉମରୋ କୁଶୱାହ କହନ୍ତି ତାଙ୍କ ୧୫ ଏକର ଜମିରେ ପାଣି ମଡ଼ାଇବାରେ ଏହି ଟର୍ବାଇନ୍ ସାହାଯ୍ୟ କରୁଥିଲା, ଯେଉଁଠି ସେ ଗହମ, ମଟର, କୋବି ଆଦି ଚାଷ କରୁଥିଲେ। ଏବେ ସେହି ଜମିକୁ ଲିଜ୍ ଦେଇ ଦେଇଛନ୍ତି। ତାଙ୍କ ସ୍ତ୍ରୀ ଶ୍ୟାମାବାଇ କହନ୍ତି, ‘‘ଯେଉଁମାନେ କୂଅ ଖୋଳିପାରିବେ କିମ୍ବା ପାଣି ପମ୍ପ ପାଇଁ ଡିଜେଲ କିଣିପାରିବେ, କେବଳ ସେଇମାନେ ହିଁ ଚାଷ କରିପାରିବେ।’’

ମୈଥାନୀ ରିପୋର୍ଟରେ ଉଲ୍ଲେଖ ଦାବିକୁ ନେଇ ସିଂ ଆଶାବାଦୀ। ‘‘ଟର୍ବାଇନଗୁଡ଼ିକର ପୁନରୁଦ୍ଧାର, ତାଙ୍କ ବିରୋଧରେ ଲାଗିଥିବା ଆରୋପ ପ୍ରତ୍ୟାହାର ଏବଂ ରଦ୍ଦ କରିଥିବା ତାଙ୍କ ବ୍ୟାଙ୍କ ଏକାଉଣ୍ଟକୁ ପୁନଃ ଚାଲୁ କରିବା ସହ ସମାଜର ବିକାଶ ନିମିତ୍ତ ତାଙ୍କର ଉଦ୍ଭାବନ ଏବଂ ଅବଦାନ ପାଇଁ ପୁରସ୍କୃତ କରିବାକୁ’’ ରିପୋର୍ଟରେ ଦାବି କରାଯାଇଛି। ତେବେ ଏହି ସୁପାରିଶକୁ କାପାର୍ଟ ଅଗ୍ରାହ୍ୟ କରିଦେଇଛି। ସିଂଙ୍କୁ ଏକ ଚିଠି ଲେଖି ଏହା ଯୁକ୍ତି ଦର୍ଶାଇ ଯେ, ‘‘ମୈଥାନୀଙ୍କ ରିପୋର୍ଟ ଏବଂ ସୁପାରିଶ/ପର୍ଯ୍ୟବେକ୍ଷଣରେ ଅର୍ଥ ମଞ୍ଜୁରୀ ବେଳେ ଶ୍ରୀ ମଙ୍ଗଲ ସିଂଙ୍କ ସହ ହୋଇଥିବା ସର୍ତ୍ତାବଳୀକୁ ସେଥିରେ ସାମିଲ କରାଯାଇ ନାହିଁ ଯେଉଁ ସର୍ତ୍ତାବଳୀକୁ ସେ ସ୍ୱୀକାର କରିଥିଲେ...’’

କିନ୍ତୁ ସିଂ ଆଶା ଛାଡି ନାହାନ୍ତି। ସେ ସୁପ୍ରିମକୋର୍ଟରେ କାପାର୍ଟ ବିରୋଧରେ ମାମଲା ଚଳାଇଛନ୍ତି। ଇତି ମଧ୍ୟରେ ବୁନ୍ଦେଲଖଣ୍ଡର ଶୁଷ୍କ ଜମିରେ ନିଶ୍ଚଳ ହୋଇଯାଇଥିବା ସେହି ଚକଗୁଡ଼ିକ ପୁଣି ଘୂରିବା ଆରମ୍ଭ କଲାଣି। ଏଗୁଡ଼ିକର ଗିଅର କିନ୍ତୁ ଆଉ ଶକ୍ତି ପ୍ରଦାନ କରି ପାରୁନି ....ବୋଧହୁଏ ଏହାକୁ ମନ୍ୟତା ଦେଇ ଦିଲ୍ଲୀରୁ ଶକ୍ତି ପ୍ରବାହିତ ହେବ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Apekshita Varshney

ଲେଖକ ପରିଚିତି: ଆପେକ୍ଷିତା ବର୍ଷନେ ମୁମ୍ବାଇର ଜଣେ ମୁକ୍ତବୃତ୍ତ ଲେଖିକା।

Other stories by Apekshita Varshney