ମାରୁତି ଭିସେ କହିଲେ, ‘‘ଗତ ଥର ଆମେ କପିଲ ପତିଙ୍କୁ ଭୋଟ ଦେଇଥିଶୁ। କଣ ହେଲା? ଏବେ ବି ଗାଁରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନାହିଁ। ଆଉ ଏ ସବୁ ରାସ୍ତା ..... ଜିତିବା ପରେ ସେ ଥରେ ବି ଏଠିକୁ ଆସି ନାହାନ୍ତି। ତାଙ୍କୁ ପୁଣି କାହିଁକି ଭୋଟ ଦବୁ?’’

୩୮ ଡିଗ୍ରୀ ସେଲସିଅସ ତାତି। ଉତ୍ତପ୍ତ ଅପରାହ୍‌ଣରେ ତେମ୍ଭାରି ଗାଁର ରାସ୍ତାଘାଟ ଜନଶୂନ୍ୟ ଲାଗୁଥିଲା। ୬ ଜଣ ପୁରୁଷ ଓ ୩ ଜଣ ମହିଳା ୭୦ ବର୍ଷୀୟ ବିଶେଙ୍କ ପକ୍କା ଘରେ ଏକାଠି ହୋଇଥିଲେ। ସାମ୍ନା ପଟ ଘରେ କିଛି ଲୋକ ମସିଣାରେ ଆଉ କିଛି ଲୋକ ପ୍ଲାଷ୍ଟିକ ଚୌକିରେ ବସିଥିଲେ। ୫ ଏକର ଜମିରୁ ଅମଳ ହୋଇଥିବା ଧାନବସ୍ତା ସବୁ ଘରର ଗୋଟିଏ କଣରେ ରଖାଯାଇଥିଲା। ଏକାଠି ହୋଇଥିବା ସମସ୍ତେ ଜଣେ ଜଣେ ଚାଷୀ। ଏମାନଙ୍କର ୨ ଏକରରୁ ୫ ଏକର ଭିତରେ ଜମି। ସମସ୍ତେ ଧାନ ଆଉ ପରିବାପତ୍ର ଚାଷ କରନ୍ତି। ରଘୁନାଥ ଭୋଏର କହିଲେ, ‘‘ଏଥର କାହାକୁ ଭୋଟ ଦେବା, ସେ ସଂପର୍କରେ ଆମେ ଏକାଠି ବସି ଆଲୋଚନା କରିବା ଆବଶ୍ୟକ।’’

ଆଲୋଚନାରୁ କିଛି ନିର୍ଯାସ ବାହାରିବ ବୋଲି ମହାଦୁ ଭୋଏର ନିଶ୍ଚିତ ନଥିଲେ। ‘‘ବିଜେପିକୁ ଆମେ ପାଞ୍ଚ ବର୍ଷ ଦେଲୁ, କିନ୍ତୁ ସେମାନେ ୫ ବର୍ଷ ନଷ୍ଟ କରିଦେଲେ। କଂଗ୍ରେସକୁ ଆଉ ୫ ବର୍ଷ ଦିଅ ଆଉ ସେମାନେ ବି ନଷ୍ଟ କରନ୍ତୁ। କିଛି ପ୍ରଭେଦ ନାହିଁ। ସମସ୍ତେ ସମାନ।’’

People gathered at Maruti Vishe's house to discuss their poll choices
PHOTO • Jyoti Shinoli

କାହାକୁ ଭୋଟ ଦେବେ ସେ ସଂପର୍କରେ ଆଲୋଚନା ପାଇଁ ମାରୁତି ବିଶେଙ୍କ ଘରେ ଲୋକ ଏକାଠି ହୋଇଥିଲେ

ଏକ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା ଚାଲିଲା। ସମସ୍ତଙ୍କର ମତ, ପସନ୍ଦ ଓ ପ୍ରସଙ୍ଗ ନିଜସ୍ୱ ଥିଲା। ଏପ୍ରିଲ ୨୯ରେ ହେବାକୁ ଥିବା ଭିୱାଣ୍ଡି ଲୋକସଭା ଆସନ ପାଇଁ ତେମ୍ଭାରେ ଗାଁର ଅନ୍ୟମାନଙ୍କ ସହ ଏମାନେ ଭୋଟ ଦେବେ।  

ଏକ ଘଣ୍ଟା ଧରି ଆଲୋଚନା ଚାଲିଲା। ସମସ୍ତଙ୍କର ମତାମତ, ପସନ୍ଦ ଏବଂ ପ୍ରସଙ୍ଗ ନିଜସ୍ୱ ଥିଲା। ଏପ୍ରିଲ ୨୯ରେ ଭିଓ୍ୱାଣ୍ଡି ଲୋକସଭା ଆସନ ପାଇଁ ଏମାନେ ଭୋଟ ଦେବେ। ମହାରାଷ୍ଟ୍ର ଥାନେ ଜିଲ୍ଲା ସାହାରଣପୁର ତାଲୁକ ର ତେମ୍ଭାରି ଗାଁରେ ଥିବା ୫ଟି ପଡ଼ାରେ ମୋଟ ୧,୨୪୦ ଜଣ ଭୋଟର। ଏହି ଭୋଟରଙ୍କ ଭିତରେ ଅଛନ୍ତି ଏମାନେ।

ଏହି ଲୋକସଭା କ୍ଷେତ୍ରର ବର୍ତ୍ତମାନର ସାଂସଦ ଅଛନ୍ତି ଭାରତୀୟ ଜନତା ପାର୍ଟିର କପିଲ ପାଟିଲ। ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ବିଶ୍ୱନାଥ ପାଟିଲଙ୍କ ବିପକ୍ଷରେ ୪୧୧,୦୭୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ନିର୍ବାଚନର ଠିକ୍ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ପାଟିଲ। ଏଥର ମଧ୍ୟ ସେହି ଲୋକସଭା ଆସନରୁ କଂଗ୍ରେସର ସୁରେଶ ତାଓ୍ୱାଡ଼େଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ୨୦୧୪ରେ ଏହି ଲୋକସଭା କ୍ଷେତ୍ରରେ ଭୋଟର ସଂଖ୍ୟା ଥିଲା ପ୍ରାୟ ୧୭ ଲକ୍ଷ।

ଏପ୍ରିଲ ୧୧ରୁ ଏପ୍ରିଲ ୨୯ ତାରିଖ ମଧ୍ୟରେ ମହାରାଷ୍ଟ୍ରରେ ଚାରିଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ରାଜ୍ୟର ୪୮ଟି ସଂସଦୀୟ କ୍ଷେତ୍ରର ୮୭,୩୩୦,୪୮୪ ଜଣ ଭୋଟର ନୂଆ କେନ୍ଦ୍ର ସରକାର ବାଛିବେ।  

ତାଙ୍କ ଘରେ ଏକାଠି ହୋଇଥିବା ଲୋକଙ୍କୁ ବିଶେ ପଚାରିଲେ, ‘‘ବିଶ୍ୱନାଥ ପାଟିଲ ଆମ କୁମ୍ଭି ଜାତିର [ଏକ ଓବିସି ସଂପ୍ରଦାୟ]। ଆମେ ତାଙ୍କୁ ଭୋଟ ଦେବା ଉଚିତ। ସେ ଗାଁଗୁଡ଼ିକରେ କାମ କରନ୍ତି। ସେମାନେ [ବିଜେପି] ବାସ୍ତବିକ ନୋଟବନ୍ଦୀ ବେଳେ ଗରିବଙ୍କୁ ମାରିଦେଲେ। ମୋତେ କୁହ ! କପିଳ ପାଟିଲ ଆମ ପାଇଁ କଣ କରିଛନ୍ତି?’’

Yogesh Bhoir listens to his fellows discussing politics
PHOTO • Jyoti Shinoli
Neha Vishe discusses politics
PHOTO • Jyoti Shinoli

ଯୋଗେଶ ଭୋଏର (ବାମ) କହିଲେ, ‘ଆମେ ଜାତି ଓ ଦଳ ଆଧାରରେ ଭୋଟ ଦେବା ଉଚିତ ନୁହେଁ’, ନେହା ବିଶେ (ଦକ୍ଷିଣ) କହିଲେ, ‘ମନ୍ଦିରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଅପେକ୍ଷା ଗୋଟିଏ ଛୋଟ ଗାଁକୁ ବିକଶିତ କରିବା ପାଇଁ ଖର୍ଚ୍ଚ କରିବା ଆବଶ୍ୟକ ​‌

୨୫-ବର୍ଷୀୟ ଯୋଗେଶ ଭୋଏର ଉତ୍ତର ଦେଲେ, ‘‘ଆମେ ଜାତି ଓ ଦଳ ଭିତ୍ତିରେ ଭୋଟ ଦେବା ଉଚିତ ନୁହେଁ। ସେହି ଲୋକ ତଳ ସ୍ତରରେ କଣ କାମ କରିଛନ୍ତି ଆମେ ଦେଖିବା ଉଚିତ।’’ ‘‘... ବିରୋଧୀ କିଛି ଭଲ ସାମାଜିକ ଯୋଜନା କରିଛନ୍ତି କି? ସେଇଟା ଠିକ୍ ହେବ’’।

ବିଶେଙ୍କ ବୋହୂ, ୩୦ ବର୍ଷୀୟା ନେହା କହିଲେ, ‘‘ସେମାନେ [ରାଜନେତାମାନେ] ଭାଷଣରେ କେବଳ ପରସ୍ପକୁ ଦୋଷାରୋପ କରୁଛନ୍ତି। ସେମାନେ ସାମାଜିକ ବିକାଶ ସଂପର୍କରେ କିଛି କହୁ ନାହାନ୍ତି। ସେମାନେ ରାମ ମନ୍ଦିର ସଂପର୍କରେ ଆଲୋଚନା କରୁଛନ୍ତି। ମନ୍ଦିରରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ନକରି ଗୋଟିଏ ଛୋଟ ଗାଁ କିମ୍ବା ପଡ଼ାର ବିକାଶ ପାଇଁ ଖର୍ଚ୍ଚ କରିବା ଉଚିତ।’’

ତାଙ୍କ ପଡୋଶୀ, ୩୫-ବର୍ଷୀୟ ରଂଜନ ଭୋଏର କହିଲେ, ‘‘ଠିକ୍ କଥା। ଆମ ଗାଁରେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଅଛି। ଆମ ପିଲାମାନେ ପାଠ ପଢିବା ପାଇଁ ଅନ୍ୟ ଗାଁକୁ [ଥିଲେ] ୩-୪ କିଲୋମିଟର ବାଟ ଯାଉଛନ୍ତି। ତାଙ୍କ ଯିବା ଆସିବା ପାଇଁ ବି କୌଣସି ବ୍ୟବସ୍ଥା ନାହିଁ। ଆମ ପିଲାଙ୍କ ପାଇଁ ଗୋଟେ ସ୍କୁଲ ଦିଅ, ମନ୍ଦିର ନୁହେଁ।’’

୫୬ -ବର୍ଷୀୟ କିଷାନ ଭୋଏର କହିଲେ, ‘‘ତୁମେ ଶୁଣିଛ କି? ଯଦି ଏନସିପି କ୍ଷମତାକୁ ଆସେ ମହାରାଷ୍ଟ୍ରରେ ଚାଷୀଙ୍କ ଋଣ ଛାଡ କରିବେ ବୋଲି ଶରଦ ପାୱାର ପ୍ରତିଶ୍ରୁତି ଦେଇଛନ୍ତି। ସେ କୃଷି ମନ୍ତ୍ରୀ ଥିବା ବେଳେ ଚାଷୀଙ୍କ ଋଣ ଛାଡ଼ କରିଥିଲେ। ସେ ଯାହା କୁହନ୍ତି, ତାହା କରନ୍ତି। ତାଙ୍କୁ ଥରଟେ ସୁଯୋଗ ଦେବା ଉଚିତ।’’

Villagers discussing upcoming elections
PHOTO • Jyoti Shinoli
Mahadu Bhoir and Jagan Mukne at their village.
PHOTO • Jyoti Shinoli

ବାମରୁ ଡାହଣ: ମାରୁତି ବିଶେ, ମହାଦୁ ଭୋଏର ଓ ଜଗନ ମୁକନେ ବର୍ତ୍ତମାନ ଥିବା ବିଜେପି ସାଂସଦଙ୍କ ଉପରେ ସଂଦିହାନ ଥିଲେ

ମାରୁତିଙ୍କ ଘର ପାଖରୁ କିଛି ପାହୁଣ୍ଡ ଦୂରରେ, ଗ୍ରାମ ପଞ୍ଚାୟତ ଦ୍ୱାରା ଏକ ପିଚୁ ରାସ୍ତା କାମ ଚାଲିଥିଲା। ପଂଚାୟତର ଜଣେ ସଭ୍ୟ ଜଗନ ମୁକନେ ରାସ୍ତା କାମର ତଦାରଖ କରୁଥିଲେ। ସେ କହିଲେ, ‘‘ମାତ୍ର ମାସେ ତଳେ କାମ ଆରମ୍ଭ ହୋଇଥିଲା। ନିର୍ବାଚନ ଅଛି। ତେଣୁ ସେମାନଙ୍କୁ [ବିଜେପି] କିଛି କାମ ଦେଖାଇବାକୁ ପଡ଼ିବ।’’ ଜଗନ ହେଉଛନ୍ତି କଟକରୀ ଆଦିବାସୀ ସଂପ୍ରଦାୟର। ନିର୍ଦ୍ଦିଷ୍ଟ ଭାବେ ମହାରାଷ୍ଟ୍ରର ଏକ ଦୁର୍ବଳ ଆଦିବାସୀ ସଂପ୍ରଦାୟ ଭାବେ ଏମାନେ ତାଲିକାଭୁକ୍ତ।   

ସେ ଆହୁରି କହିଲେ, ‘‘ଗତ ପାଞ୍ଚ ବର୍ଷ ଭିତରେ ଇନ୍ଦିରା ଆବାସ ଯୋଜନାରେ [ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା] ଏଠି ଗୋଟିଏ ବି ଘର ତିଆରି ହୋଇନି।’’ ‘‘ଦୁଇ ବର୍ଷ ତଳେ ଆମେ ପଞ୍ଚାୟତ ସମିତିକୁ ହିତାଧିକାରୀଙ୍କ ତାଲିକା ଦେଇଥିଲୁ; ସେମାନେ ଏବେ ବି ଆମ ଆବେଦନ ଦେଖୁଛନ୍ତି। ଏପରିକି ପୁରୁଣା ଇନ୍ଦିରା ଆବାସ ମରାମତି ପାଇଁ ମଧ୍ୟ ଆମେ ଟଙ୍କା ପାଇନୁ। ବିଜେପିକୁ ଭୋଟ ଦେଇ ଆମେ ମସ୍ତବଡ଼ ଭୁଲ କରିଛୁ। ଆମ ପାଇଁ ଏନସିପି କିଛି କରିଥିଲା।’’  

ଅନ୍ୟମାନେ ତାଙ୍କ ଚାରିପାଖରେ ବସିଗଲେ। ଜାନବାଇ ରାଗିଯାଇ କହିଲେ, ‘‘ସେମାନେ ଏବେ ଭିକ [ଭୋଟ ପାଇଁ] ମାଗିବାକୁ ଆସିବେ। ‘‘ମୁଁ ଏବେ ବି ଜମିରେ କାମ କରି ଦିନକୁ ୧୫୦ ଟଙ୍କା ରୋଜଗାର କରୁଛି- ବର୍ଷରେ ମାତ୍ର ୬ ମାସ ପାଇଁ। ଆଗରୁ ବି ଅବସ୍ଥା ସମାନ ଥିଲା। ବିଜେପି ହେଉ କି ଶିବ ସେନା କିମ୍ବା କଂଗ୍ରେସ- ପ୍ରକୃତରେ ଆମ ଦୁଃଖ କେହି ବୁଝି ପାରୁନାହାନ୍ତି।’’

ଏକାଠି ହୋଇଥିବା ଲୋକଙ୍କୁ ୫୭-ବର୍ଷୀୟ ମିଠୁ ମୁକନେ କହିଲେ: ‘‘ଏଠି ପ୍ରବଳ ଗରମ ହେଉଛି, ଆମ ଘରକୁ ଆସ। ସେଠି କଥା ହେବା।’’ ସେ ଚାଲି ଯାଉଯାଉ କହିଲେ, ‘‘ସେମାନେ ଗାଁର ୩୦ଟି କଟକରୀ ପରିବାରକୁ ମାଗଣାରେ ଗ୍ୟାସ୍ [ଉଜ୍ୱଳା ଯୋଜନାରେ ଏଲପିଜି ଗ୍ୟାସ ସିଲିଣ୍ଡର] ବାଣ୍ଟିଛନ୍ତି। ତା ପରେ ଆମକୁ ସିଲିଣ୍ଡର ପାଇଁ ଟଙ୍କା ଦେବାକୁ ପଡ଼ିଲା। ମାସକୁ ସିଲିଣ୍ଡର ପିଛା ଖର୍ଚ୍ଚ କରିବାକୁ ୮୦୦ ଟଙ୍କା ଆମେ କୋଉଠୁ ପାଇବୁ? ଆମେ ୧୫୦-୨୦୦ ଟଙ୍କା ମଜୁରୀରେ ବର୍ଷରେ ୬ ମାସ କାମ ପାଉଛୁ। ଆମେ ୮୦୦ ଟଙ୍କା କୋଉଠୁ ପାଇବୁ? ସେମାନେ ଏକଥା ଭାବିବା ଆବଶ୍ୟକ।’’

Janabai Mukne at her village
PHOTO • Jyoti Shinoli
Mithu Muke at his village
PHOTO • Jyoti Shinoli

ଜାନବାଇ ମୁକନେ (ବାମ) କହିଲେ, ‘ସେମାନେ ଏବେ ଭିକ [ଭୋଟ ପାଇଁ] ମାଗିବାକୁ ଆସିବେ, ଆଲୋଚନା ଆଗକୁ ନେବା ପାଇଁ ସମସ୍ତଙ୍କୁ ମିଠୁ ମୁକନେ (ଡାହାଣ) ତାଙ୍କ ଘରକୁ ନିମନ୍ତ୍ରଣ କଲେ  

ତାଙ୍କ ମାଟି ଆଉ ଇଟାରେ ତିଆରି ଘରର (ଉପରେ ଥିବା କଭର ଫଟୋ ଦେଖନ୍ତୁ) ଚଟାଣରେ ମସିଣା ପରେ ସମସ୍ତେ ବସିଥିଲେ- ଆଠ ଜଣ ମିହଳା ଓ ଛଅ ଜଣ ପୁରୁଷ। ସମସ୍ତେ କଟକରି ଆଦିବାସୀ ସଂପ୍ରଦାୟର। ସମସ୍ତେ ଜଣେ ଜଣେ ଭୂମିହୀନ କୃଷି ଶ୍ରମିକ। ୫୦ ବର୍ଷୀୟ ବାରକି ମୁକନେ କହିଲେ, ‘‘ଗାଁରେ କେହି ଡାକ୍ତର [ପ୍ରାଥମିକ ସ୍ୱାସ୍ଥ୍ୟସେବା] ନାହାନ୍ତି। ଆମକୁ ୨୦ କିଲୋମିଟର ଦୂର ସେନଡ୍ରନ୍ ଗାଁକୁ କିମ୍ବା ସାହାରପୁର ସହରକୁ [୩୦ କିଲୋମିଟର ଦୂର] ଯିବାକୁ ପଡ଼ୁଛି। ପ୍ରସବ ସମୟରେ ଏହା ଏକ ବଡ଼ ସମସ୍ୟା - ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଅନେକ ମହିଳା ବାଟରେ ପିଲା ଜନ୍ମ କରିଛନ୍ତି।’’

୫୮୦ ଜଣ ଭୋଟର ଥିବା ସେନଡ୍ରନ୍ ଗାଁରେ ଗତ ପାଞ୍ଚ ବର୍ଷ ଭିତରେ ନିଯୁକ୍ତି ସୃଷ୍ଟି କରିବାରେ ବିଜେପି ସମର୍ଥ ହୋଇ ନାହିଁ, ଯାହାକୁ ନେଇ ଅଧିକାଂଶ ଲୋକ ଖପ୍ପା। କିନ୍ତୁ ୨୧ ବର୍ଷୀୟ ଆକାଶ ଭଗତଙ୍କୁ ଧନ୍ୟବାଦ ଯେ, ଗତ କିଛି ବର୍ଷ ମଧ୍ୟରେ ଗାଁ ଠାରୁ ୧୦-୧୨ କିଲୋମିଟର ଦୂରରେ ଥିବା ଜାତୀୟ ରାଜପଥ କଡ଼ରେ ଅନେକ ଅନ୍‌ଲାଇନ୍ ସପିଂ କମ୍ପାନୀ ସେମାନଙ୍କ ଗୋଦାମ  କରିଛନ୍ତି।

ସେ କହିଲେ, ‘‘ନିଯୁକ୍ତି କୁଆଡେ ଗଲା? ସାହାପୁର ତାଲୁକରେ ଥିବା ଗାଁଗୁଡ଼ିକରେ ଯୁବକମାନଙ୍କ ପାଇଁ ଏବେ ଏହି ପରିସ୍ଥିତି। ମୁଁ ଜାଣିନି ଗୋଦାମଗୁଡିକ ନଥିଲେ ଯୁବକମାନେ କ’ଣ କରୁଥାନ୍ତେ।’’ ‘‘ଆମେ ତିନି ମାସିଆ ଚୁକ୍ତିରେ କାମ କରୁଛୁ [ଲୋଡର ଏବଂ ପ୍ୟାକର ଭାବେ], କିନ୍ତୁ ଅତି କମ୍‌ରେ ଆମେ ପାଞ୍ଚ-ଛଅ ମାସ ପାଇଁ କାମ ପାଉଛୁ। ନହେଲେ ଆମେ ଉପାସରେ ମରି ଯାଇଥାନ୍ତୁ।’’ ବାସିନ୍ଦ ସହର ନିକଟରେ ଥିବା ଏକ କଲେଜରେ ଆକାଶ ବିକମ୍ ଡିଗ୍ରୀ କରୁଛନ୍ତି।

Akash Bhagat outside his house
PHOTO • Jyoti Shinoli
Young men gather at a house in Shendrun village to speak of the elections
PHOTO • Jyoti Shinoli

ଆକାଶ ଭଗତ କହିଲେ, ‘ନିଯୁକ୍ତି କୁଆଡେ ଗଲା?’; ସେ ଏବଂ ଅନ୍ୟ ଯୁବକମାନେ ନିର୍ବାଚନ ସଂପର୍କରେ ଆଲୋଚନା ପାଇଁ ସେନଡ୍ରନ୍ ଗାଁର ଗୋଟିଏ ଘରେ ଏକାଠି ହୋଇଥିଲେ)  

୨୬ ବର୍ଷୀୟ ମହେଶ ପାଟୋଲେ କହିଲେ, ‘‘ଆମ ଗାଁର ୯୦ ପ୍ରତିଶତ ଯୁବକ ଗ୍ରାଜୁଏଟ୍। କିନ୍ତୁ ସେମାନେ ଗୋଦାମଗୁଡ଼ିକରେ ହେଲପର ଭାବେ କାମ କରୁଛନ୍ତି। ତାହା ବି ଚୁକ୍ତିରେ। ମୁଁ ଅଟୋମୋବାଇଲ ଇଞ୍ଜିନିୟରିଂ ପଢିଛି, କିନ୍ତୁ ଜଣେ ହେଲପର ଭାବେ ୮,୦୦୦ ଟଙ୍କାରେ କାମ କରୁଚି। ଆମ ଖାସଦାର  [ପାର୍ଲ୍ୟାମେଣ୍ଟ ସଦସ୍ୟ]ଏହି ପ୍ରସଙ୍ଗ ଉଠାଇବା କଥା।’’

୨୫ ବର୍ଷୀୟ ଜୟ ପୋଟାଲେ କହିଲେ, ‘‘ପାଖରେ ବଡ଼ ବଡ଼ କାରଖାନା ଅଛି, କିନ୍ତୁ ସେମାନେ ଆମକୁ ନିଯୁକ୍ତି ଦେଉନାହାନ୍ତି। ସେମାନେ ବଡ଼ବଡ଼ିଆଙ୍କ ମାର୍ଫତ ଚାହୁଁଛନ୍ତି। ଅନ୍ୟ କୋଉ ବିଭାଗରେ କାମ ଦେବା କଥା ଛାଡ଼ନ୍ତୁ, ଆମକୁ ସିକ୍ୟୁରିଟି ଗାର୍ଡ ଭାବେ ବି ନିଯୁକ୍ତି ଦେଉନାହାନ୍ତି। ରାଜନେତାମାନେ ଭୋଟ ପାଇବାକୁ ଏହି କଥା ଉପରେ ଗୁରୁତ୍ୱ ଦିଅନ୍ତି, କିନ୍ତୁ କିଛି କରନ୍ତିନି।’’ ଜୟ ପୋଟାଲେ ମଧ୍ୟ ଏକ ଗୋଦାମରେ କାମ କରନ୍ତି।  

୨୯ ବର୍ଷୀୟ ନକୁଳ ଦଣ୍ଡକର କହିଲେ, ‘‘ଯେତେବେଳେ ପୁଲଓ୍ୱାମା ଆକ୍ରମଣ ହେଲା, ଆମେ ବି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛୁ। କିନ୍ତୁ ହ୍ୱାଟସ୍ ଆପ୍‌ରେ ଆସୁଥିବା ସାଂପ୍ରଦାୟିକ ବାର୍ତ୍ତା ଆମେ କାଟି ଦେଉଛୁ। ଜଣଙ୍କୁ ଭୋଟ ଦେବା ପାଇଁ ଏହା ଏକ ପ୍ରସଙ୍ଗ ହୋଇ ନପାରେ।’’ ନକୁଳ ଦଣ୍ଡକର ମଧ୍ୟ ବିଏ ପଢିଛନ୍ତି। ସେ ବି ଗୋଟିଏ ସ୍କୁଲରେ ଜଣେ ହେଲପର ଭାବେ କାମ କରୁଛନ୍ତି। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ସବୁ ଯୁବକମାନେ ତାଙ୍କ ଘରେ ଏକାଠି ହୋଇଥିଲେ।

୨୪ ବର୍ଷୀୟ ସ୍ୱପ୍ନିଲ ବିଶେ ଏବେ ବେରୋଜଗାର ଅଛନ୍ତି। ସେ କହିଲେ, ‘‘କପିଲ ପାଟିଲ ‘ମୋଦି ହାୱା’ରେ ଜିତି ଯାଇଥିଲେ ଆଉ ଲୋକେ ବି ତାଙ୍କ ଉପରେ ବିଶ୍ୱାସ କରି ଯାଇଥିଲେ। ‘‘କିନ୍ତୁ ଭୋଟରଙ୍କୁ ବୁଝିବା ସମ୍ଭବ ନୁହେଁ। ଲୋକେ କାହାକୁ ଭୋଟ ଦେବେ ଏବଂ ତାର କାରଣ କ’ଣ, ତାକୁ ନେଇ ସମସ୍ତଙ୍କର ନିଜସ୍ୱ ବୁଝାମଣା ରହିଛି। ଲୋକେ ବିଜେପିକୁ ଗାଳି କରିପାରନ୍ତି। କିନ୍ତୁ କିଏ ଜାଣିଛି ସେମାନେ ପ୍ରକୃତରେ କାହାକୁ ଭୋଟ ଦେବେ ଏବଂ କେଉଁ ଆଧାରରେ। ଏସବୁ ପ୍ରସଙ୍ଗ ଛଡା [ଯାହା ଆମକୁ ପ୍ରଭାବିତ କରେ] ଭୋଟ କିଣିବା ଭଳି କଥା ବି ରହିଛି। ଚୂଡାନ୍ତ ଫଳାଫଳ ସବୁ କିଛି କହିବ।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jyoti Shinoli

ଜ୍ୟୋତି ସିନୋଲି ମୁମ୍ବାଇର ଜଣେ ସାମ୍ବାଦିକ ଏବଂ ପିପୁଲ୍ସ ଆର୍କାଇଭ୍ ଅଫ୍ରୁରାଲ୍ଇଣ୍ଡିଆର ବିଷୟବସ୍ତୁ ସଂଯୋଜକ। ସେ ପୂର୍ବରୁ ‘ମି ମରାଠି’ ଏବଂ ‘ମହାରାଷ୍ଟ୍ର-୧’ ପରି ନ୍ୟୁଜ୍ଚ୍ୟାନେଲ୍ରେ କାମ କରିଛନ୍ତି।

Other stories by Jyoti Shinoli