ଗୌରୀ କହିଲେ, ‘‘ମୁଁ ଶୁଣିଛି ସରକାରୀ ଯୋଜନାରେ ବହୁ ଲୋକ ଭଲ ନିଯୁକ୍ତି ପାଇଛନ୍ତି ଆଉ ଜୀବନରେ ଭଲ ଉନ୍ନତି କରିପାରିଛନ୍ତି। ଏକଥା ମୁଁ ଟେଲିଭିଜନ୍ ବିଜ୍ଞାପନରେ ଦେଖିଛି।’’

ଗୌରୀ ବାଘେଲା କିନ୍ତୁ ପ୍ରକୃତରେ ସେମିତି କାହାକୁ ଜାଣିନାହାନ୍ତି, ଯିଏ ରାଜ୍ୟ ସରକାରଙ୍କ ଯୋଜନାରେ ନିଯୁକ୍ତି ପାଇଛନ୍ତି ବା ଭଲ କିଛି କରିଛନ୍ତି, ଯେଭଳି ବିଜ୍ଞାପନରେ ଦାବି କରାଯାଇଛି। ତାଙ୍କ ନିଜ କାମ ବି ଏହା ଭିତରେ ଖୋଜି ପାଉ ନାହାନ୍ତି। ୧୯ ବର୍ଷୀୟ ମହିଳା ଜଣଙ୍କ କହିଲେ, ‘‘ମୁଁ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଦକ୍ଷତା ବିକାଶ ତାଲିମ ନେଇ ସିଲେଇ ମେସିନ ଚଳାଇବା ଶିଖିଲି। ଏପରିକି ମୁଁ ଗୋଟେ ନିଯୁକ୍ତି ମଧ୍ୟ ପାଇଥିଲି [ଏକ ପୋଷାକ କାରଖାନାରେ]। କିନ୍ତୁ ୮ ଘଣ୍ଟାର କାମକୁ ମାତ୍ର ୪,୦୦୦ ଟଙ୍କା ଦରମା। ମୁଁ ରହୁଥିବା ସ୍ଥାନରୁ ୬ କିଲୋମିଟର ଦୂର। ଯିବା ଆସିବା ଆଉ ଖାଇବାରେ ସବୁ ଟଙ୍କା ଖର୍ଚ୍ଚ ହୋଇ ଯାଉଥିଲା। ତେଣୁ ମୁଁ ଦୁଇ ମାସ ପରେ କାମ ଛାଡିଲି।’’ ସେ ହସିଲେ, ଆଉ କହିଲେ, ‘‘ଏବେ ମୁଁ ଘରେ ପଡୋଶୀଙ୍କ କପଡ଼ା ସିଲେଇ କରୁଛି। ଖଣ୍ଡକୁ ୧୦୦ ଟଙ୍କା ଦାମ୍‌ରେ। କିନ୍ତୁ ଲୋକେ ଏଠି ବର୍ଷକୁ ମାତ୍ର ଦୁଇ ହଳ ପୋଷାକ କରୁଛନ୍ତି, ତେଣୁ ମୁଁ ବେଶୀ ରୋଜଗାର କରିପାରୁନି।’’

ଗୁଜରାଟ କଛ ଜିଲ୍ଲା ଭୁଜ୍ ସହରର ରାମନଗରୀ ଅଞ୍ଚଳର ଏକ ବସ୍ତିରେ ଆମେ କିଛି ଯୁବତୀଙ୍କ ସହ କଥା ହେଉଛୁ। ଲୋକସଭା ନିର୍ବାଚନ ଉପରେ ଆମର ଆଲୋଚନା-ଏଠାରେ ଭୋଟ ଗ୍ରହଣ ତାରିଖ ଆଜି, ୨୩ ଏପ୍ରିଲ।

୨୦୧୪ରେ କଚ୍ଛର ପାଖାପାଖି ୧୫.୩୪ ଲକ୍ଷ ଭୋଟରଙ୍କ ଭିତରୁ ପ୍ରାୟ ୯.୪୭ ଲକ୍ଷ ଭୋଟିଂ ହୋଇଥିଲା, ରାଜ୍ୟର ସମସ୍ତ ୨୬ଟି ଲୋକସଭା ଆସନ ଜିତିଥିଲା ଭାରତୀୟ ଜନତା ପାର୍ଟି। କଚ୍ଛର ଲୋକସଭା ସଦସ୍ୟ ବିନୋଦ ଚାୱଡ଼ା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଡକ୍ଟର ଦିନେଶ ପରମାରଙ୍କୁ ୨.୫ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ଏହାପରେ ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନରେ ୧୮୨ଟି ଆସନରୁ ୯୯ଟି ବିଜେପି ଜିତିଥିଲ। ଏହି ୯୯ ଆସନ ଭିତରେ ରହିଛି ଭୁଜ୍ ବିଧାନସଭା ଆସନ। କଂଗ୍ରେସ ୭୭ଟି ଆସନ ପାଇଥିଲା।

Puja Vaghela’s house in Ramnagari slums, Bhuj city, where we met the young women
PHOTO • Namita Waikar
Standing Left to Right: Gauri Vaghela, Rekha Vaghela, Usha Parmar, Tara Solanki, Kanta, Champa Vaghela, girl from neighbourhood, Jasoda Solanki
Sitting Left to Right: Girl from neighbourhood, Puja Vaghela, Hansa Vaghela, Jamna Vadhiara, Vanita Vadhiara
PHOTO • Namita Waikar

ଭୁଜ୍ ସହରର ରାମନଗରୀରେ ପୂଜା ବାଘେଲାଙ୍କ ଘର (ବାମ), ଆମେ କଥା ହୋଇଥିବା ୧୩ ଜଣ ଝିଅଙ୍କ ଭିତରୁ (ଡାହାଣ) କେବଳ ୨୦୧୭ ବିଧାନସଭା ନିର୍ବାଚନରେ ପୂଜା ଭୋଟ ଦେଇଥିଲେ

ଭୁଜ୍‌ରେ ମହିଳାଙ୍କ ପାଇଁ କାର୍ଯ୍ୟ କରୁଥିବା କଛ ମହିଳା ବିକାଶ ସଂଗଠନର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅରୁଣା ଢୋଲକିଆ କହନ୍ତି, ରାମନଗରୀରେ ରହୁଥିବା ଅଧିକାଂଶ ଲୋକ କଚ୍ଛର ଗ୍ରାମାଞ୍ଚଳଗୁଡ଼ିକରୁ ଜୀବିକା ସଂଧାନରେ ଏଠିକି ଆସିଛନ୍ତି। ପ୍ରାୟ ୧୫୦,୦୦୦ ଲୋକ ବସବାସ କରୁଥିବା (୨୦୧୧ ଜନଗଣନା) ଭୁଜ୍ ସହରରେ ଏଭଳି ୭୮ଟି କଲୋନି ରହିଛି ଯେଉଁଠି ଗୁଜରାଟର ବିଭିନ୍ନ ଗ୍ରାମଞ୍ଚଳରୁ ଆସିଥିବା ଲୋକ ରହୁଛନ୍ତି।

ରାମନଗରୀରେ ଆମେ ଭେଟିଥିବା ୧୩ ଜଣ ମହିଳାଙ୍କ ବୟସ ୧୭ ରୁ ୨୩ ବର୍ଷ ମଧ୍ୟରେ। ଏମାନଙ୍କ ଭିତରୁ ଅଳ୍ପ କେଇଜଣ ଏଠି ଜନ୍ମ ହୋଇଥିବା ବେଳେ ଅନ୍ୟମାନେ ତାଙ୍କ ବାପା ମାଆଙ୍କ ସହ ଭୁଜ୍ ଆସିଥିଲେ। କେବଳ ପୂଜା ବାଘେଲା ଏହା ପୂର୍ବରୁ ୨୦୧୭ ବିଧାନସଭା ନିର୍ବାଚନରେ ଭୋଟ ଦେଇଥିଲେ। ଗୌରୀଙ୍କ ସମେତ ଅନ୍ୟମାନଙ୍କ ବୟସ ୧୮ରୁ ଅଧିକ ନଥିଲା, କିନ୍ତୁ ଭୋଟ ଦେବା ପାଇଁ ନାଁ ପଞ୍ଜିକୃତ ହୋଇଥିଲା।   

ଏମାନେ ସମସ୍ତେ ପ୍ରାଥମିକ ବିଦ୍ୟାଳୟକୁ ଯାଇଛନ୍ତି। ପରେ ପଞ୍ଚମରୁ ଅଷ୍ଟମ ଭିତରେ ସମସ୍ତେ ସ୍କୁଲ ଛାଡ଼ିଛନ୍ତି । ଗୌରୀ ମଧ୍ୟ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି। ସେ ଭୁଜ୍ ତାଲୁକ୍‌ର କୋଡ଼କି ଗାଁରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ବୋର୍ଡିଂ ସ୍କୁଲରେ ପଢୁଥିଲେ। ଏମାନଙ୍କ ଭିତରେ କେବଳ ଗୌରୀଙ୍କ ସାନ ଭଉଣୀ ଚମ୍ପା ବାଘେଲା ଆଗକୁ ଯାଇଛନ୍ତି। ଏବେ ସେ ଦଶମ ଶ୍ରେଣୀରେ ପଢୁଛନ୍ତି। ଯେଉଁମାନେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି, ସେମାନଙ୍କ ସମେତ ଅଧା ମହିଳା ଠିକ୍ ଭାବରେ ପଢି କିମ୍ବା ଲେଖି ପାରନ୍ତିନି।

Women reading the Gujarati bimonthly magazine Bol samantana (Words of equality)
PHOTO • Namita Waikar

ପରସ୍ପର ସହଯୋଗରେ ଗୁଜରାଟୀ ଦ୍ୱିମାସିକ ପତ୍ରିକା ‘ବୋଲ ସମନ୍ତନା’ (ସମତାର ଶବ୍ଦ) ପଢନ୍ତି; ପଞ୍ଚମରୁ ଅଷ୍ଟମ ଶ୍ରେଣୀ ଭିତରେ ଅଧିକାଂଶ ମହିଳା ସ୍କୁଲ ଛାଡିଛନ୍ତି। ଏମାନଙ୍କ ଭିତରୁ ଅଧାରୁ ଅଧିକ ଠିକ୍ ଭାବରେ ପଢି କିମ୍ବା ଲେଖି ପାରନ୍ତିନି।

ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ବନିତା ବଢିଆରାଙ୍କ ସ୍କୁଲ ଜୀବନ ସରିଗଲା। ଜଣେ ପୁଅ ତାଙ୍କୁ ପିଛା କରୁଛି ବୋଲି ସେ ତାଙ୍କ ଜେଜେମା ଓ ଜେଜେ ବାପାଙ୍କୁ କହିବା ପରେ ସେମାନେ ଭୟରେ ତାଙ୍କୁ ଆଉ ସ୍କୁଲ ଛାଡ଼ି ନଥିଲେ। ସେ ଭଲ ଗୀତ ଗାଆନ୍ତି। ଏକ ସଂଗୀତ ଅନୁଷ୍ଠାନ ମଧ୍ୟ ତାଙ୍କୁ ସୁଯୋଗ ଦେଇଥିଲା। ସେ କହନ୍ତି, ‘‘କିନ୍ତୁ ସେଠି ଅଧିକ ସଂଖ୍ୟାରେ ପୁଅ ଥିବାରୁ ସେଠାକୁ ଯିବା ପାଇଁ ମୋ ବାପା ମା’ ଅନୁମତି ଦେଲେନି।’’ ବନିତା, ତାଙ୍କ ଭାଇ ଭଉଣୀଙ୍କ ସହ ବନ୍ଧନୀ କାମ କରନ୍ତି। ଫାବ୍ରିକ୍‌ ଗଣ୍ଠି କରିବା ଏବଂ ସୁଖାଇବା କାମରେ ୧,୦୦୦ ଡଟ୍ ପାଇଁ ସେମାନେ ୧୫୦ ଟଙ୍କା ପାଆନ୍ତି- ଏବଂ ମାସକୁ ପ୍ରାୟ ୧,୦୦୦ ରୁ ୧,୫୦୦ ଟଙ୍କା ରୋଜଗାର କରନ୍ତି।  

୨୨ ବର୍ଷ ବୟସରେ, ସେ ଜାଣି ପାରିନାହାନ୍ତି ଯେ, ଭୋଟ୍ ଦେବା ଦ୍ୱାରା ତାଙ୍କ ଜୀବନରେ କି ପରିବର୍ତ୍ତନ ଆସିଛି। ‘‘ଆମର ଅନେକ ବର୍ଷ ଧରି ପାଇଖାନା ନଥିଲା, ମଳତ୍ୟାଗ ପାଇଁ ଖୋଲା ପଡ଼ିଆକୁ ଯାଉଥିଲୁ। ରାତିରେ ବାହାରକୁ ଯିବା ପାଇଁ ଭୟ କରୁ। ଆମ ଭିତରୁ ଅନେକଙ୍କର ଏବେ ପାଇଖାନା ଅଛି [ଘର ବାହାରେ]।କିନ୍ତୁ ଏଥିରୁ ଅଧିକାଂଶ ସଂଯୋଗ ହୋଇନି [ଡ୍ରେନେଜ୍ ଲାଇନ ସହ]। ତେଣୁ ବ୍ୟବହାର ହୋଇ ପାରୁନି। ସବୁଠୁ ଗରିବ ଲୋକ ଏବେ ବି ବାହାରେ ମଳତ୍ୟାଗ କରୁଛନ୍ତି।’’

ଏଠି ଉପସ୍ଥିତ ଥିବା ସବୁ ମହିଳାଙ୍କ ପରିବାରର ପୁରୁଷମାନେ ରୋଷେୟା, ଅଟୋରିକ୍ସା ଚାଳକ, ଫଳ ବେପାରୀ ନହେଲେ ଦିନ ମଜୁରିଆ। ଯୁବତୀଙ୍କ ଭିତରୁ ଅଧିକାଂଶ ରେଷ୍ଟୁରାଣ୍ଟ ରୋଷେଇଶାଳରେ ଝାଡୁ କରନ୍ତି, ବାସନ ସଫା କରନ୍ତି ବା ହେଲପର ଭାବେ କାମ କରନ୍ତି। ୨୩ ବର୍ଷୀୟ ପୂଜା ବାଘେଲା କହିଲେ, ‘‘ମୋ ମାଆ ଓ ମୁଁ ପାର୍ଟି କ୍ୟାଟେରିଂରେ ଅପରାହ୍‌ଣ ୪ଟାରୁ ରାତି ଅଧ ପର୍ଯ୍ୟନ୍ତ ରୁଟି କରୁ ଆଉ ବାସନ ସଫା କରୁ।’’ ‘‘ଗୋଟିଏ ଦିନର କାମ ପାଇଁ ଆମେ ମାତ୍ର ୨୦୦ ଟଙ୍କା [ଜଣ ପିଛା]ପାଉ। ଯଦି କୌଣସି ଦିନ ଆମେ ନଯାଉ କିମ୍ବା ଶୀଘ୍ର ଚାଲିଆସୁ, ଆମ ଟଙ୍କା କାଟି ଦିଆଯାଏ। କିନ୍ତୁ ଅଧିକ କାମ ପାଇଁ କେବେ ଅଧିକ ଟଙ୍କା ମିଳେ ନାହିଁ - ଆଉ ଅନେକ ସମୟରେ ଆମକୁ ଅଧିକ କାମ କରିବାକୁ ପଡ଼େ। ’’

ସେ ଏବଂ ଅନ୍ୟମାନେ ଭାବନ୍ତି, ସଂସଦର ମହିଳା ସଦସ୍ୟମାନେ ତାଙ୍କ ଭଳି ଲୋକଙ୍କ ପାଇଁ ଅଧିକ ଚିନ୍ତା କରନ୍ତି। ଗୌରୀ କହନ୍ତି, ‘‘ଆମ ଗରିବ ଲୋକେ ନେତା ହେବାକୁ ଚାହିଁଲେ ତାଙ୍କ ପାଇଁ ବେଶୀ ଟଙ୍କା ଦରକାର ହେବ।’’ ‘‘ଯଦି ସଂସଦରେ ମହିଳାଙ୍କ ସଂଖ୍ୟା ଅଧା ହୁଅନ୍ତା, ତେବେ ସେମାନେ ଗାଁକୁ ଗାଁ ଯାଇ ମହିଳାଙ୍କ ସମସ୍ୟାକୁ ଜାଣି ପାରନ୍ତେ। କିନ୍ତୁ ଏବେ ଜଣେ ମହିଳା ନିର୍ବାଚିତ ହେଲେ, ତାଙ୍କ ବାପା ବା ସ୍ୱାମୀ ଅଧିକ ଗୁରୁତ୍ୱ ପାଉଛନ୍ତି ଏବଂ କ୍ଷମତା ଉପଯୋଗ କରୁଛନ୍ତି।’’

ଭିଡିଓ ଦେଖନ୍ତୁ: ‘ମତଦାନ ହେଉଛି ଦାନ!’

‘ବଡ଼ କମ୍ପାନୀମାନଙ୍କର ନିଜର କ୍ଷମତା ରହିଛି, କାହିଁକି ସରକାର ତାଙ୍କୁ ସାହଯ୍ୟ କରିବେ? ମୁଁ ଟିଭି ସମ୍ବାଦରୁ ଶୁଣିଛି, ତାଙ୍କ ଋଣ ଛାଡ ହୋଇଯାଇଛି .... ’

କଚ୍ଛ ଜିଲ୍ଲା ନକ୍ଷତ୍ରାଣ ତାଲୁକର ଦାଦର ଗାଁରୁ ପ୍ରାୟ ୫୦ କିଲୋମିଟର ପର୍ଯ୍ୟନ୍ତ ସେମାନଙ୍କ ଅବିଶ୍ୱାସ ପ୍ରତିଧ୍ୱନିତ ହେଉଥିଲା। ୬୫ ବର୍ଷୀୟ ହାଜି ଇବ୍ରାହିମ ଗଫର କହିଲେ, ‘‘ଏହି ଲୋକସାହି [ଗଣତନ୍ତ୍ର]ରେ, ଲୋକେ ଭୋଟ ଖଣ୍ଡକୁ ୫୦୦, ୫,୦୦୦ ବା ଏମିତିକି ୫୦,୦୦୦ ଟଙ୍କାରେ କିଣା ହେଉଛନ୍ତି।’’ ଗରିବ ଲୋକଙ୍କୁ ଭାଗଭାଗ କରାଯାଉଛି। ଅଧା ଗୋଟେ ପଟେ ଏବଂ ଆର ଅଧା ଅନ୍ୟ ପଟେ ରହୁଛନ୍ତି, କିନ୍ତୁ କିଛି ଲାଭ ପାଉ ନାହାନ୍ତି। ନିର୍ବାଚନ ଲଢିବାକୁ ଗୋଟେ ସଂପ୍ରଦାୟର ନେତା ଲୋକଙ୍କଠାରୁ ଟଙ୍କା ପାଉଛନ୍ତି। କିନ୍ତୁ ସେହି ନେତାଙ୍କ ପ୍ରଭାବ ଭିତରେ ରହୁଥିବା ଲୋକେ କିଛି ଲାଭ ପାଉ ନାହାନ୍ତି। ମତଦାନରେ ସେମାନେ ଦାନ ଦେଉଛନ୍ତି [ସେମାନେ ଭୋଟ ଦାନ କରୁଛନ୍ତି]।’’ ହାଜି ଇବ୍ରାହିମ୍ ଗଫର ୨୦ ଏକର ଜମିରେ ଜଡ଼ା ଚାଷ କରନ୍ତି। ତାଙ୍କର ଦୁଇଟି ମଇଁଷି ଅଛନ୍ତି।

ସମାନ ତାଲୁକର ଭାଙ୍ଗ୍ ଗାଁରେ ଆମେ ନାନ୍ଦୁବା ଜାଡ଼େଜାଙ୍କୁ ଭେଟିଲୁ (ସେ ଦେବୀସାର ଗାଁର)। ତାଙ୍କର ସରକାରଙ୍କ ପାଇଁ ଏହି ଉପଦେଶ ଥିଲା: ‘‘ସେମାନେ ଯଦି ପ୍ରକୃତରେ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି, ସେମାନେ କୃଷକ ଏବଂ ଗାଈ ବା ମେଣ୍ଢା ଚାଷୀଙ୍କ ଋଣ ଛାଡ଼ କରି ଦିଅନ୍ତୁ। ଫଳରେ ଆମେ ବଞ୍ଚି ପାରିବୁ - ଖାଇବାକୁ ଖାଦ୍ୟ ଏବଂ ପିଇବାକୁ କ୍ଷୀର ପାଇବୁ। ଏହି ଲୋକଙ୍କୁ ସରକାର ସାହାଯ୍ୟ କରନ୍ତୁ ବୋଲି ମୋର ଅନୁରୋଧ। ’’

୬୦ ବର୍ଷୀୟ ନନ୍ଦୁବା, କୁଚ୍ଛ ମହିଳା ବିକାଶ ସଂଗଠନର ସାୟରେ ଜୋ ସଙ୍ଗଠନ ସହ କାମ କରନ୍ତି। ସେ କହିଲେ, ‘‘ବଡ଼ ବଡ଼ କମ୍ପାନୀମାନଙ୍କର ନିଜର କ୍ଷମତା ରହିଛି, ସରକାର ତାଙ୍କୁ କାହିଁକି ସାହାଯ୍ୟ କରିବା ଦରକାର?’’ ‘‘ମୁଁ ଟିଭି ସମ୍ବାଦରୁ ଶୁଣିଛି ସରକାର ସେମାନଙ୍କ ଋଣ ଛାଡ଼ କରି ଦେଇଛନ୍ତି। ଆଉ ଚାଷୀ ଯେତେବେଳେ ଋଣ ଛାଡ଼ କଥା ପଚାରୁଛନ୍ତି, ସରକାର କହୁଛନ୍ତି, ତାଙ୍କ କ୍ଷମତା ଭିତରେ ନାହିଁ! ଏହି ଦେଶରେ ଲୋକେ ଚାଷ ପାଇଁ ବଞ୍ଚିଛନ୍ତି। ସେମାନେ କମ୍ପାନୀ ତିଆରି କରୁଥିବା ପ୍ଲାଷ୍ଟିକ ଖାଇ ବଞ୍ଚି ପାରିବେନି। ’’

ରାମନଗରୀରୁ ଦାଦର ଓ ଭାଙ୍ଗ୍ ପର୍ଯ୍ୟନ୍ତ ସବୁଠି ଲୋକଙ୍କ ପ୍ରସଙ୍ଗ ବିଲକୁଲ ପରିସ୍କାର। କିନ୍ତୁ, ଏବେକାର ନିର୍ବାଚନୀ ଇତିହାସ ଯାହା, ଏହି ସବୁ ପ୍ରସଙ୍ଗକୁ ନେଇ କଣ ଭୋଟ୍ ହେବ?

ଭୁଜ୍‌ର କୁଛ୍ ମହିଳା ସଂଗଠନ ସହ କାମ କରୁଥିବା ଟିମ୍‌କୁ ଲେଖିକା ଧନ୍ୟବାଦ ଦେବାକୁ ଚାହାନ୍ତି, ବିଶେଷ କରି ସଖୀ ସଂଗିନୀ କେଭିଏମଏସ୍‌ର ଶାବନା ପଠାନ ଓ ରାଜୱୀ ରାବ୍ରୀ, ଏବଂ କଛ ନକ୍ଷତ୍ରାଣାର ସାୟରେ ଜୋ ସଂଗଠନ ସହ କାମ କରୁଥିବା ହାକିମବାଇ ଥେବାଙ୍କୁ ତାଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେବାକୁ ଚାହାନ୍ତି।

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ନମିତା ଓ୍ୱାକର ଜଣେ ଲେଖକ, ଅନୁବାଦକ ଏବଂ PARIର ପରିଚାଳନା ସଂପାଦକ। କେମିସଃତଈ ଡାଟବେସ୍ଫା ର୍ମର ସେ ଜଣେ ଅଂଶୀଦାର। ସେ ଜୈବ ରସାୟନବିତ ଭାବେ କାର୍ଯ୍ୟ କରିଛନ୍ତି ଏବଂ ଜଣେ ସଫ୍ଟଓ୍ୱାର ପ୍ରକଳ୍ପ ପରିଚାଳକ।

Other stories by Namita Waikar