“ଅନେକ ସମୟରେ, ପ୍ରାୟ ଦ୍ୱିପହର ୨ଟା ବେଳେ, ମୁଁ ସବାଶେଷରେ କାମରୁ ଫେରିବା ବେଳେ, ମଷ୍ଟର ରୋଲ୍‌କୁ ଧରେ ଓ ଦଉଡି ପଳାଇଆସେ। ଘରକୁ ପହଞ୍ଚିବା ପର୍ଯ୍ୟନ୍ତ ମୁଁ ନିଶ୍ୱାସ ମାରେ ନାହିଁ। କାଳେ କିଏ ରହିଯାଇଥିବ ସେଥିପାଇଁ ଆମେ ବାରମ୍ବାର ପଛକୁ ଚାହୁଁ। ଆମମାନଙ୍କୁ ଭୟ ଲାଗୁଥିଲେ ମଧ୍ୟ, ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ଆମକୁ ଯିବାକୁ ହେବ। ଆମକୁ ପଇସା ଦରକାର,” ବୋଲି ଚମ୍ପା ରାୱତ୍‌ କୁହନ୍ତି ।

କ୍ଷୀପ୍ର ଗତିରେ ଚାଲିବା ବେଳେ ନିଜ ମୁହଁକୁ ଘୋଡାଇ ରଖିବା ପାଇଁ ନିରନ୍ତର ତାଙ୍କ ଘୁଙ୍ଗଟ ଠିକ୍‌ କରିବା ସହିତ, ଚମ୍ପା ତାଙ୍କ ଗ୍ରାମ ଥାନାରେ ଏମ୍‌ଜିଏନ୍‌ଆର୍‌ଇଜିଏ ଅଧିନରେ ବିଭିନ୍ନ ପ୍ରକଳ୍ପଗୁଡିକ କିଭଳି ଭାବେ କାର୍ଯ୍ୟ କରୁଛି, ସେ ବିଷୟରେ ମୋତେ କହୁଥିଲେ। ସେ ତାଙ୍କ ଗ୍ରାମଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଜଳସେଚନ ପାଇଁ ଗଭୀର ଖାତ ବା ଟ୍ରେଞ୍ଚ ଖୋଳାଯାଇଥିବା ଏକ ପ୍ଲଟ୍‌ ଦେଖାଇଲେ ଓ କହିଲେ ଯେ “ଏହି ସାଇଟ୍‌ରେ ଆମେ କାମ କରୁଥିଲୁ । କିନ୍ତୁ ଏଥର [ଏପ୍ରିଲ୍‌ ୨୦୧୯]ରେ ଆମକୁ ଯେଉଁ କାର୍ଯ୍ୟକ୍ଷେତ୍ର  ଦିଆଯାଇଛି ତାହା ଏଠାରୁ ଚାରି କିଲୋମିଟର୍‌ ଦୂରରେ ଅବସ୍ଥିତ ଓ ଏହାଠାରୁ ଅଧିକ ନିର୍ଜନ ସ୍ଥାନରେ ରହିଛି” । ଚାଲି ଚାଲି ଏଠାରେ ପହଞ୍ଚିବା ପାଇଁ ଏକ ଘଣ୍ଟା ସମୟ ଲାଗେ ଓ ଏଠାରୁ ଘରକୁ ଫେରିବା ପାଇଁ ମଧ୍ୟ ଏକ ଘଣ୍ଟା ସମୟ ଲାଗିଥାଏ । ଚମ୍ପା ମାଧ୍ୟମରେ ଆମେ ୨୦୦୫ରେ ମହାତ୍ମା ଗାନ୍ଧୀଙ୍କ ଜାତୀୟ ନିଶ୍ଚିତ ଗ୍ରାମ୍ୟ କର୍ମ ନିଯୁକ୍ତି ଆଇନ ( ଏମ୍‌ଜିଏନ୍‌ଆର୍‌ଇଜିଏ ) ଅଧିନରେ କାର୍ଯ୍ୟକାରୀ ହୋଇଥିବା କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ଯୋଜନାର ଲାଭ ଓ ଦୁର୍ବଳତା ସମ୍ବନ୍ଧରେ ସୂଚନା ପାଇପାରିବା । ଭାରତର ବିଭିନ୍ନ ଗ୍ରାମାଞ୍ଚଳରେ ରହୁଥିବା ପରିବାରଗୁଡିକୁ ୧୦୦ଦିନ ପର୍ଯ୍ୟନ୍ତ ନିଶ୍ଚିତ କର୍ମ ଯୋଗାଇବା ହେଉଛି ଏହି ଯୋଜନାର ଲକ୍ଷ୍ୟ ।

ରାଜସ୍ଥାନର ଭିଲ୍‌ୱାରା ଜିଲ୍ଲା- ଯାହାର ମଣ୍ଡଳ ତାଲୁକାରେ ଚମ୍ପାଙ୍କ ଗ୍ରାମ ଥାନା ଅବସ୍ଥିତ- ରେ ୨୦୧୯(ଏପ୍ରିଲ – ସେପ୍ଟେମ୍ବର)ରେ ଏହି ଯୋଜନା ଅଧିନରେ ୮୬୨,୧୩୩ ପରିବାରକୁ ଅତ୍ୟାବଶ୍ୟକ ମୂଲ କାମ ଯୋଗାଯାଇଛି । ୨୦୧୩ ଠାରୁ ଏହା ମାଧ୍ୟମରେ ଭଲ୍‌-ୱାରାର ପ୍ରାୟ ୬ଲକ୍ଷରୁ ଅଧିକ ପରିବାରକୁ କର୍ମ ଯୋଗାଯାଇଛି ।

ଅନେକ ପରିବାରକୁ ଏହି ମଜୁରି ବଞ୍ଚାଇ ରଖିଛି, ଯାହା ମଧ୍ୟରେ ୧୯ ବର୍ଷ ବୟସ୍କ ମୀନା ସାଲ୍‌ଭି ମଧ୍ୟ ଅଛନ୍ତି, ଯିଏ ତାଙ୍କ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି ହେବା ସହିତ ନିଜ ପିତାମାତାଙ୍କ ଯତ୍ନ ନେଇଥାନ୍ତି । ମୀନା ମଧ୍ୟ ନିର୍ଜନ ସ୍ଥାନରେ କାମ କରିବା ଯୋଗୁଁ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ବିଷୟରେ କୁହନ୍ତି । “ମୋତେ ଏକାକୀ ଫେରିବାକୁ ପଡିପାରେ, ବିଶେଷକରି ସେତେବେଳେ ଯେତେବେଳେ ସବାଶେଷରେ ମୋର କାମ ସରିବ, ସେଥିପାଇଁ ମୁଁ ଡରୁଛି,” ବୋଲି ସେ କୁହନ୍ତି ।

ଚମ୍ପା କାମ କରୁଥିବା କାର୍ଯ୍ୟକ୍ଷେତ୍ରରେ କାମ କରୁଥିବା ସମସ୍ତ ମହିଳା ସେମାନଙ୍କୁ ଏତେ ଦୂରରେ ଥିବା ଏକ କାର୍ଯ୍ୟକ୍ଷେତ୍ରରେ କାମ କରିବାକୁ ଦିଆଯାଇଥିବାରୁ ଏହାକୁ ବିରୋଧ କରି ମେ ୨୫ରେ କାର୍ଯ୍ୟ ବନ୍ଦ ରଖିଥିଲେ । ଯଦି ସେମାନେ ଏହି ନିର୍ଜନ ସ୍ଥାନରେ କାମ କରିବାକୁ ରାଜି ହୋଇଯିବେ, ତେବେ ଆସନ୍ତା ଥର ପଞ୍ଚାୟତ  ସେମାନଙ୍କୁ ଆହୁରି ଦୂରବର୍ତ୍ତୀ ସ୍ଥାନକୁ କାମ ପାଇଁ ପଠାଇବ ବୋଲି ସେମାନେ ଚିନ୍ତିତ ଥିଲେ । ‘‘ଏହି ଆଖପାଖରେ ଆହୁରି ଅନେକ ସ୍ଥାନ ରହିଛି ଯେଉଁଠାରେ କାମର ଆବଶ୍ୟକତା ରହିଛି,” ବୋଲି ଚମ୍ପା କୁହନ୍ତି । “ସେଠାରେ ପହଞ୍ଚିବା ପାଇଁ ନିଶ୍ଚିତ ଭାବେ ମଝିରେ ଥିବା ଜଙ୍ଗଲ ରାସ୍ତାରେ ଯିବାକୁ ହେବ, ଏହାଛଡା ଅନ୍ୟ କୌଣସି ରାସ୍ତା ନାହିଁ । ବେଳେବେଳେ ସେଠାରେ ବନ୍ୟ ଜନ୍ତୁମାନେ ରହିଥାନ୍ତି, ବେଳେବେଳେ ମଦୁଆ ମଣିଷମାନେ ମଧ୍ୟ ଥାଆନ୍ତି…” ବୋଲି ସେହି କାର୍ଯ୍ୟକ୍ଷେତ୍ରରେ କାମ କରୁଥିବା ସବିତା ରାୱତ କୁହନ୍ତି । ତେବେ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରିବା କେତେକ ଶ୍ରମିକ ଯେଉଁମାନଙ୍କ ପାଇଁ ପଇସା ଅତ୍ୟାବଶ୍ୟକ ଥିଲା, ସେମାନେ କାମକୁ ଫେରିଗଲେ । ଅଳ୍ପ କିଛି ଶ୍ରମିକ ଚମ୍ପାଙ୍କ ସହିତ ରହିଲେ ଓ ଏକ ମାସ ପରେ ସେମାନଙ୍କୁ ଆଉ ଏକ କାର୍ଯ୍ୟକ୍ଷେତ୍ରରେ କାମ କରିବାକୁ ପଠାଗଲା ।

'I am afraid because I have to walk back alone', says Champa Rawat (left).
PHOTO • Nioshi Shah
'I am afraid because I have to walk back alone', says Champa Rawat (left). Other women workers echo the same anxieties
PHOTO • Nioshi Shah

‘ମୋତେ ଏକଲା ଚାଲିଚାଲି ଫେରିବାକୁ ପଡିପାରେ, ସେଥିପାଇଁ ମୁଁ ଡରୁଛି’, ବୋଲି ଚମ୍ପା ରାୱତ୍‌ କୁହନ୍ତି (ବାମ) । ଅନ୍ୟ ମହିଳା ଶ୍ରମିକମାନେ ମଧ୍ୟ ସମାନ ଉଦ୍‌ବେଗ ପ୍ରକାଶ କଲେ

ଚମ୍ପା, ୩୦, ଜାନୁୟାରୀ ୨୦୧୯ରୁ ଏମ୍‌ଜିଏନ୍‌ଆର୍‌ଇଜିଏରେ ‘ମେଟ୍‌’ (କାର୍ଯ୍ୟସ୍ଥଳି ସୁପର୍‌ଭାଇଜର୍‌) ଭାବେ କାର୍ଯ୍ୟ କରିଆସୁଛନ୍ତି। ଏହି ଯୋଜନା ଅଧିନରେ ସେ ୨୦୧୫ରେ କାର୍ଯ୍ୟକ୍ଷେତ୍ରରେ କାମ କରିବା ଆରମ୍ଭ କରିଥିଲେ । ଜଣେ ମେଟ୍‌ ଓ ଜଣେ ଶ୍ରମିକ ସମାନ ମଜୁରି ପାଇଥାନ୍ତି – ଯାହା ରାଜସ୍ଥାନରେ ଦିନକୁ ୧୯୯ଟଙ୍କା । ରୁଲ୍‌ ମୁତାବକ, ଜଣେ ଶିକ୍ଷିତ ମହିଳା ଶ୍ରମିକଙ୍କୁ ମେଟ୍‌ ଭାବେ ନିଯୁକ୍ତ କରାଯିବା ଉଚିତ ଯିଏ ପୂର୍ବ / ଚଳିତ ଆର୍ଥିକ ବର୍ଷରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅଧିନରେ ଅତିକମ୍‌ରେ ୫୦ଦିନ ଶ୍ରମିକ ଭାବେ କାମ କରିଥିବେ ।

ଏହି କାମ ଯୋଗୁଁ ଚମ୍ପା କିଛି ପରିମାଣରେ ସ୍ୱାଧୀନ ମଧ୍ୟ ହୋଇପାରିଛନ୍ତି । “ମୋର ସ୍ୱାମୀଙ୍କ ପରିବାର ଲୋକ ମୋର ଏପରି ବାହାରକୁ ଯିବା ଓ କାମ କରିବା ପସନ୍ଦ କରନ୍ତିନି,’’ ସେ କୁହନ୍ତି । “ଘରେ ମୁଁ କରିବା ପାଇଁ ଯଥେଷ୍ଟ କାମ ଅଛି ବୋଲି ସେମାନେ କୁହନ୍ତି। ଏନ୍‌ଆର୍‌ଇଜିଏରେ, ମୁଁ କେବେଳ ଚାରି ଘଣ୍ଟା ସମୟ ବିତେଇଥାଏ, ୧୦-୨ ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ରହିଥାଏ । ଏହି ପ୍ରକାରେ ମୁଁ ମୋର ଘରର କାମ ମଧ୍ୟ କରିପାରିବି’’।

ଥାନାରେ ସିମେଣ୍ଟ ହୋଇଥିବା ଏକ ବଖରା ବିଶିଷ୍ଟ ଚମ୍ପାଙ୍କ ଘରର ଏକ ଥାକରେ ତାଙ୍କର ଫଟୋ ପରେ ଏକ ପ୍ଲାକାର୍ଡ ରଖାଯାଇଛି, ଯେଉଁଥିରେ ଲେଖାଯାଇଛି: ‘ଥାନା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ – ଚମ୍ପା ଦେବି (ବିଏ, ବି.ଇଡି)’ । “୨୦୧୫ରେ ମୁଁ ସରପଞ୍ଚ ପଦ ପାଇଁ ପାର୍ଥୀ ହୋଇଥିଲି … ମୁଁ ଅଙ୍ଗନ୍‌ୱାଡିରେ କାମ କରିବା ପାଇଁ ମଧ୍ୟ ଆବେଦନ କରିବାକୁ ଚେଷ୍ଟା କରିଥିଲି [୨୦୧୬ ରେ],” ବୋଲି ସେ କୁହନ୍ତି । ସେହି ବଖରାର ଗୋଟିଏ କୋଣରେ ଏକ ସିଲେଇ ମେସିନ୍‌ ମଧ୍ୟ ରଖାଯାଇଛି- ଧୂଳିରେ ଭର୍ତ୍ତି ଓ ଏହା ଉପରେ ଏକ ପୁରୁଣା କପଡା ଘୋଡା ଯାଇଛି । “ମୁଁ ଦର୍ଜୀ କାମ ମଧ୍ୟ କରୁଥିଲି, ବୋଲି” ବୋଲି ଚମ୍ପା କୁହନ୍ତି । “ଗ୍ରାମର ମହିଳାମାନେ ସେମାନଙ୍କ କପଡା ଆଣି ମୋତେ ଦେଉଥିଲେ ଓ ମୁଁ ରାତି ଅନିଦ୍ରା ରହି ସେମାନଙ୍କ ପାଇଁ ବିଭିନ୍ନ ପ୍ରକାରର ପୋଷାକ ସିଲେଇ କରୁଥିଲି । ପ୍ରତିମାସରେ ସେଥିରୁ ମୋର ୪୦୦୦ଟଙ୍କା ଉପାର୍ଜନ ହେଉଥିଲା । କିନ୍ତୁ ତିନି ବର୍ଷ ପୂର୍ବେ ମୋର ଶାଶୁଙ୍କ ମୃତ୍ୟୁ ପରେ, ଘରର ସମସ୍ତ କାମ କରିବାକୁ ମୁଁ ସମର୍ଥ ହେବା ପାଇଁ ମୋର ସ୍ୱାମୀ ମୋତେ ମୋର ସିଲେଇ କାମ ବନ୍ଦ କରିବାକୁ ବାଧ୍ୟ କଲେ ।”

ତାଙ୍କ ସ୍ୱାମୀ ତାଙ୍କ ଉପରେ ଲଗାଇଥିବା ପ୍ରତିବନ୍ଧକଗୁଡିକର ଅର୍ଥ ହେଉଛି ଯେ ଚମ୍ପାଙ୍କ ପାଖରେ କେବଳ ଗୋଟିଏ ବିକଳ୍ପ ବାକି ରହିଛି ଯାହା ହେଉଛି ଏମ୍‌ଜିଏନ୍‌ଆର୍‌ଇଜିଏ କାମ । “ସେ ଏଠାରେ ରହୁନାହାନ୍ତି ଓ ବର୍ତ୍ତମାନ ସେ କହୁଛନ୍ତି ଯେ ଘରର ଯତ୍ନ ନେବା ସହିତ ମୁଁ ଯଦି ଅନ୍ୟ କିଛି କାମ କରିବାକୁ ଚାହୁଁଛି, ତେବେ ତାହା କରିପାରିବି’’ । ଚମ୍ପାଙ୍କ ସ୍ୱାମୀ, ୩୦ବର୍ଷ-ବୟସ୍କ ହୁକ୍କମ୍‌ ରାୱତ୍‌, ଗୁଜୁରାଟରେ ଟ୍ୟାକ୍ସି ଡ୍ରାଇଭର୍‌ ଭାବେ କାମ କରନ୍ତି । ସେ ମାସକୁ ପ୍ରାୟ ୧୦,୦୦୦ଟଙ୍କା ଉପାର୍ଜନ କରନ୍ତି ଓ ପ୍ରତି ଦୁଇ ମାସରେ ଥରେ ଯେତେବେଳେ ତାଙ୍କ ଗ୍ରାମକୁ ଆସନ୍ତି, ସେତେବେଳେ ଚମ୍ପା ଓ ତାଙ୍କର ଦୁଇ ପୁଅ-୧୨ ବର୍ଷର ଲାଭି ଓ ସାତ ବର୍ଷର ଜିଗର ପାଇଁ କିଛି ପଇସା ଦିଅନ୍ତି ।

Champa and her 7 year old son Jigar.
PHOTO • Nioshi Shah
Champa's husband returns to Thana every two months when he leaves some money for her and their two sons, Jigar (left) and Lavi (right)
PHOTO • Nioshi Shah

ଚମ୍ପାଙ୍କ ସ୍ୱାମୀ ପ୍ରତି ଦୁଇ ମାସରେ ଥରେ ଥାନାଙ୍କୁ ଆସନ୍ତି ଯେତେବେଳେ ସେ ତାଙ୍କ ପାଇଁ ଓ ତାଙ୍କ ଦୁଇ ପୁଅ, ଜିଗର (ବାମ) ଓ ଲାଭି (ଡାହାଣ) ପାଇଁ କିଛି ପଇସା ଦିଅନ୍ତି ।

ଚମ୍ପା, ଗମ୍ଭୀରତା ସହିତ ତାଙ୍କର କାମ କରନ୍ତି, ଯାହା ବର୍ତ୍ତମାନ ତାଙ୍କ ପାଇଁ ଉପଲବ୍ଧ ଏକମାତ୍ର ସାଧନ ଅଟେ। ଜଣେ ମେଟ୍‌ ଭାବେ, ତାଙ୍କର ଦାୟିତ୍ୱ ହେଉଛି ମଷ୍ଟର ରୋଲ୍‌ରେ ଶ୍ରମିକମାନଙ୍କ ଉପସ୍ଥିତି ଚିହ୍ନିତ କରିବା, ନିର୍ମାଣ ହୋଇଥିବା ଟ୍ରେଞ୍ଚ ବା ଗଭୀର ଖାତଗୁଡିକୁ ମାପିବା ଓ ସେମାନଙ୍କୁ ଦିଆଯାଇଥିବା କାର୍ଯ୍ୟ ସେମାନେ ସମ୍ପୂର୍ଣ୍ଣ କରୁଛନ୍ତି କି ନାହିଁ ତାହା ନିଶ୍ଚିତ କରିବା । ମେଟ୍‌ଙ୍କ ଅନ୍ୟ ଦାୟିତ୍ୱ ମଧ୍ୟରେ ରହିଛି ‘‘ଶ୍ରମିକମାନେ ସେମାନଙ୍କ ସମ୍ପୂର୍ଣ୍ଣ ପ୍ରାପ୍ୟ ପାଉଛନ୍ତି କି ନାହିଁ, ସେ ଉପରେ ଦୃଷ୍ଟି ରଖିବା ଓ ମଜୁରି ଦେବାରେ କୌଣସି ପ୍ରକାରର ପକ୍ଷପାତିତା ରହିଥିଲେ ତାହା ସମାଧାନ କରିବା[ଚେଷ୍ଟା କରିବା] ପାଇଁ ଗ୍ରାମପଞ୍ଚାୟତ ସହିତ ସମ୍ପର୍କ କରିବା ।” ଚମ୍ପା କୁହନ୍ତି ଯେ ତାଙ୍କ କାର୍ଯ୍ୟକ୍ଷେତ୍ରରେ କାମ କରୁଥିବା ପ୍ରତ୍ୟେକ ଶ୍ରମିକ ତାଙ୍କୁ ଦିଆଯାଇଥିବା କାମ ସମ୍ପୂର୍ଣ୍ଣ କରିବା ପରେ ସେମାନଙ୍କ ସମ୍ପୂର୍ଣ୍ଣ ଦିନର ମଜୁରି ପାଉଛନ୍ତି କି ନାହିଁ ତାହା ନିଶ୍ଚିତ କରିବାକୁ ଚେଷ୍ଟା କରନ୍ତି । “ପୂର୍ବେ ଶ୍ରମିକମାନେ କେବେ କେମିତି ଦିନକୁ ୫୦-୬୦ ଟଙ୍କା ମଜୁରି ପାଉଥିଲେ। ଏହି ମୂଲ୍ୟ ପଞ୍ଚାୟତ ନିର୍ଦ୍ଧାରଣ କରୁଥିଲା। ଏନେଇ କେହି ମଧ୍ୟ ପ୍ରଶ୍ନ କରିପାରିବେ ନାହିଁ ।”

ଏଣୁ ଚମ୍ପା ସବୁବେଳେ ତାଙ୍କ କାର୍ଯ୍ୟକ୍ଷେତ୍ରରେ ଥିବା ମହିଳାମାନଙ୍କୁ ଏହା କହିଥାନ୍ତି ଯେ “ମଷ୍ଟର ରୋଲ୍‌ରେ କଣ ଲେଖାଯାଉଛି ତାହା ଜାଣିବା ହେଉଛି ତୁମର ଅଧିକାର । ତୁମ ନାମ ବିପକ୍ଷରେ ଛକି ଚିହ୍ନ ରହିବା ଅର୍ଥ ହେଉଛି ତୁମର ମେଟ୍‌ ତୁମର ଉପସ୍ଥିତି ଦର୍ଶାଇନି, ତାହା ତୁମେ ଯାଞ୍ଚ କରିବା ଉଚିତ । ଯଦି ମେଟ୍‌, ପଞ୍ଚାୟତ  ବା ଅନ୍ୟ କୌଣସି ଅଧିକାରୀ ତୁମକୁ ଠକିବାକୁ ଚେଷ୍ଟା କରନ୍ତି ତେବେ ତାହା ଖୋଜି ବାହାର କରିବା ତୁମର ଅଧିକାର ଅଟେ’’।

ଏହି ଯୋଜନା ଅଧିନରେ ମିଳିବାକୁ ଥିବା ବିଭିନ୍ନ ସୁବିଧାଗୁଡିକ ବିଷୟରେ ମଧ୍ୟ ଚମ୍ପା କୁହନ୍ତି । “ସେମାନେ କହିଛନ୍ତି ଯେ ସେମାନେ ଟେଣ୍ଟ ଓ ସ୍ୱାସ୍ଥ୍ୟ ସେବା ଯୋଗାଇବେ, କିନ୍ତୁ ମୁଁ ଏ ପର୍ଯ୍ୟନ୍ତ ଏପରି କିଛି ଦେଖିନାହିଁ । ଯେତେବେଳେ କୌଣସି ଶ୍ରମିକ ଆଘାତ ପ୍ରାପ୍ତ ହୁଅନ୍ତି, ସେତେବେଳେ ମହିଳାମାନେ ସେମାନଙ୍କ ଦୁପଟ୍ଟା ଚିରନ୍ତି ଓ ଆଘାତ ପ୍ରାପ୍ତ ସ୍ଥାନ ଚାରିପାଖରେ ବାନ୍ଧି ଦିଅନ୍ତି। ଇନ୍ଦ୍ରାବତୀ [ତାଙ୍କ ସାଇଟ୍‌ରେ କାମ କରୁଥିବା ଜଣେ ଶ୍ରମିକ]  ଥରେ ପ୍ରାୟ ବେହୋସ ହୋଇଯାଇଥିଲା । ତାର ପାଦରେ ଗୋଟିଏ ଉପକରଣ ଫୋଡି ହୋଇଯାଇଥିଲା… ଆମ ପାଖରେ କୌଣସି ଡାକ୍ତରୀ ସାହାଯ୍ୟ ଉପଲବ୍ଧ ନଥିଲା । ଚିକିତ୍ସା ପାଇଁ ଏହି ଡାକ୍ତରୀ କିଟ୍‌, କାଲ୍‌କୁଲେଟର୍‌ ମୁଁ ପଞ୍ଚାୟତରୁ ପାଇଛି । ମୁଁ ସେମାନଙ୍କୁ ଅନେକ ଥର କହିବା ପରେ, ଶେଷରେ ସେମାନେ ମୋତେ ଏହା ଦେଇଛନ୍ତି….”

୧,୧୭୨ଜନସଂଖ୍ୟା ବିଶିଷ୍ଟ ତାଙ୍କ ଗ୍ରାମରେ ଚାଲିଥିବା ଏମ୍‌ଏନ୍‌ଆର୍‌ଇଜିଏ କାର୍ଯ୍ୟ ବ୍ୟବସ୍ଥାକୁ ସୁଧାରିବା ପାଇଁ ସେ କରୁଥିବା ଚେଷ୍ଟା ଯୋଗୁଁ ତାଙ୍କୁ ଥାନାର ଅନେକ ଲୋକଙ୍କ ଠାରୁ ଧମକ ମଧ୍ୟ ମିଳୁଛି । “ସେମାନେ ଗ୍ରାମରେ ନିଜର କ୍ଷମତା ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି,” ବୋଲି ସେ କୁହନ୍ତି ।

At MGNREGA work sites: 'I've never been put on water duty, because I belong to a lower caste', says Gita Khatik
PHOTO • Nioshi Shah
At MGNREGA work sites: 'I've never been put on water duty, because I belong to a lower caste', says Gita Khatik
PHOTO • Nioshi Shah

ଏମ୍‌ଜିଏନ୍‌ଆର୍‌ଇଜିଏ କାର୍ଯ୍ୟ ସ୍ଥଳି: ‘ମୁଁ ନୀଚ ଜାତିର ହୋଇଥିବାରୁ ମୋତେ କେବେ ମଧ୍ୟ ପାଣି ଦାୟିତ୍ୱ ଦିଆଯାଇନି’ ବୋଲି ଗୀତା ଖାତିକ କୁହନ୍ତି

ଗ୍ରାମର ଅନ୍ୟସ୍ତରରେ ମଧ୍ୟ କ୍ଷମତାର ଖେଳ ଚାଲିଛି ଓ ଏଥିପାଇଁ ବୋଧହୁଏ ଏହାର ଏମ୍‌ଜିଏନ୍‌ଆର୍‌ଇଜିଏ ମଧ୍ୟ । ଚମ୍ପା, ଯିଏ ରାଜସ୍ଥାନରେ ଓବିସି ଶ୍ରେଣୀ ଅନ୍ତର୍ଭୁକ୍ତ ରାୱତ ଜାତିର, କୁହନ୍ତି ଯେ “ନୀଚ ଜାତିର ମହିଳାମାନଙ୍କୁ ମଟ୍‌କି [ମାଟି ପାତ୍ର] ଛୁଇଁବା ବା ସେଥିରୁ ପାଣି ପିଇବା ମନା ହୋଇଥିବାରୁ  ସେମାନେ ନିଜ ପାଇଁ ଅଲଗା ପାଣି ବୋତଲ୍‌ ଆଣନ୍ତି। ପାଣି ଦାୟିତ୍ୱରେ ଥିବା ମହିଳାଙ୍କ ଜାତିର ଯଦି ମୁଁ ହୋଇଥିବି ତେବେ ମୁଁ ମଧ୍ୟ ମଟ୍‌କି  ଛୁଇଁ ପାରିବି ଓ ସେଥିରୁ ପାଣି ପିଇପାରିବି। କିନ୍ତୁ ଭିଲ୍‌ମାନେ (ରାଜସ୍ଥାନର ଏକ ଅନୁସୂଚିତ ଜାତି), ଉଦାହରଣସ୍ୱରୂପ, ନୁହେଁ ।”

ଦ୍ୱିପହର ହେବାର ଟିକିଏ ପୂର୍ବରୁ ସେହି ସାଇଟ୍‌ରେ ପହଞ୍ଚିବା ବେଳକୁ, ଯେଉଁଠାରେ ଗୀତା ଖାତିକ ସେତେବେଳେ ତାର ଦିନର କାମ ଶେଷ କରିଥିଲା, ଚମ୍ପା ଏକ ଗଛର ଛାଇରେ ଭୂମି ଉପରେ ବସିଥିଲେ। କ୍ଳାନ୍ତ ହୋଇଯାଇଥିବା ସୀତା ତାଙ୍କ କୋଦାଳକୁ ତଳେ ପକାଇଦେଲେ ଓ ଚମ୍ପାଙ୍କ ପରେ ବସିଗଲେ । ନିଜର ପ୍ଲାଷ୍ଟିକ୍‌ ବୋତଲ୍‌ରୁ ଗୋଟିଏ ଢୋକ ପାଣି ପିଇ, ୪୦ବର୍ଷ ବୟସ୍କ ଗୀତା, ଯିଏ କାଥିକ୍‌ ଜାତିର- ଏକ ଅନୁସୂଚିତ ଜନଜାତିର, କୁହନ୍ତି ଯେ “ଏଠାରେ କାମ କରୁଥିବା ଉଚ୍ଚ ଜାତିର ଶ୍ରମିକମାନେ ନୀଚ ଜାତିର ଶ୍ରମିକମାନଙ୍କ ସହିତ ଭେଦଭାବ କରିଥାନ୍ତି, ବିଶେଷକରି ଦଳିତମାନଙ୍କ ସହିତ । ସେମାନେ ନୀଚ ଜାତିର ମହିଳାଙ୍କୁ ସମସ୍ତଙ୍କ ପାଇଁ ପାଣି ଭର୍ତ୍ତି କରିବାକୁ ଦିଅନ୍ତି ନାହିଁ । ମୁଁ ନୀଚ ଜାତିର ହୋଇଥିବାରୁ ମୋତେ କେବ ମଧ୍ୟ ପାଣି ରଖିବା ଦାୟିତ୍ୱ ଦିଆଯାଇ ନାହିଁ’’।

କ୍ଷଣିକ ମଧ୍ୟରେ, ଚମ୍ପା ନିଜ ଘରକୁ ଫେରିବା ବେଳେ କହିଲେ ଯେ “ଯଦି ଏହି ସବୁ ପରିସ୍ଥିତି ଉପରେ ଦୃଷ୍ଟି ଦେବାକୁ ସରକାର ଟିକିଏ ପ୍ରୟାସ କରନ୍ତେ [ଏମ୍‌ଜିଏନ୍‌ଆର୍‌ଇଜିଏ ଶ୍ରମିକମାନେ] ଓ ମୂଲ୍ୟ ବୃଦ୍ଧି କରନ୍ତେ, ତେବେ ଅତି କମ୍‌ରେ ଲୋକମାନେ ସେମାନଙ୍କ ପେଟ ଭର୍ତ୍ତି କରିପାରନ୍ତେ। ସରକାର ସବୁଆଡେ ଏତେ ପରିମାଣର ଅର୍ଥ ବ୍ୟୟ କରୁଛନ୍ତି, ତେବେ ଏହାର ଶ୍ରମିକମାନଙ୍କ ପିଛା ଆଉ ଟିକିଏ ଅଧିକ ବ୍ୟୟ କାହିଁକି କରିପାରିବେ ନାହିଁ ?

ଦ୍ୱିପହରବେଳକୁ ଚମ୍ପା ତାଙ୍କ ଘରେ ପହଞ୍ଚନ୍ତି ଓ ତାଙ୍କ ପିଲାମାନଙ୍କୁ ଡାକନ୍ତି । କବାଟ ଖୋଲୁ ଖୋଲୁ ସେ କୁହନ୍ତି ଯେ, ‘‘ମେଟ୍‌ ଭାବେ ଏ ପର୍ଯ୍ୟନ୍ତ ମୁଁ ମୋର ଉପାର୍ଜନ ପାଇପାରିନି [ ମୁଁ ତାଙ୍କ ସହିତ ଦେଖା କରିବା ବେଳକୁ ପାଞ୍ଚ ମାସ ବିତି ଯାଇଥିଲା] । ସେମାନେ [ପଞ୍ଚାୟତର କେତେକ ସଦସ୍ୟ] ଏହାକୁ ପାସ୍‌ ହେବାକୁ ଦେବେ ନାହିଁ ବୋଲି କହୁଛନ୍ତି, ସେମାନେ ମୁଁ ମେଟ୍‌ ହୋଇ ରହିବାକୁ ଚାହାନ୍ତି ନାହିଁ । ଏଣୁ ମୁଁ କହୁଛି, ତୁମେମାନେ ଏହାକୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ [ପଇସା] ମଧ୍ୟ ପାସ୍‌ ନକଲେ ମଧ୍ୟ ଠିକ୍‌ ଅଛି’’ ।

ସେ ତାଙ୍କ ଘର ଭିତରକୁ ପାଦ ପକାଇବା ବେଳେ ସତର୍କତା ସହିତ ତାଙ୍କର ଘୁଙ୍ଗଟ ଉଠେଇବା ସହିତ, ଅତ୍ୟଧିକ ଉଚ୍ଚ ସ୍ୱରରେ କହିଲେ ଯେ “ସରକାର ପୁରୁଷମାନଙ୍କ ପାଇଁ ଭିନ୍ନ ଏନ୍‌ଆର୍‌ଇଜିଏ କାର୍ଯ୍ୟକ୍ଷେତ୍ର ତିଆରି କରିବା ଉଚିତ । ଯଦି ପୁରୁଷମାନେ ଆମ ଚାରିପାଖରେ ରହିବେ, ତେବେ କାମ କରିବାବେଳେ ମଧ୍ୟ ଆମେ ଆମ ଘୁଙ୍ଗଟ ଉଠେଇ ପାରିବୁନି। ଘୁଙ୍ଗଟ ଭିତରେ ରହି ଆମେ କଥା ହୋଇପାରୁନୁ । ଆମେ ପରିଷ୍କାର ଭାବେ ଦେଖି ମଧ୍ୟ ପାରୁନୁ … ଯଦି କାର୍ଯ୍ୟକ୍ଷେତ୍ରରେ କେବଳ ମହିଳାମାନେ ରହିବେ, ତେବେ ଆମକୁ ଏହି ସବୁ ନିୟମ ପାଳନ କରିବାକୁ ପଡିବନି… ଆମେ କଥା ହେବୁ, ଆମେ ହସିବୁ, ପରସ୍ପରର ସମସ୍ୟାକୁ ବୁଝିବୁ…”

ଅନୁବାଦ: ଓଡ଼ିଶାଲାଇଭ୍‍

Nioshi Shah

Nioshi Shah is a former PARI intern and student of Liberal Arts at FLAME University, Pune. Her research interests include themes of social exclusion and gender.

Other stories by Nioshi Shah
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE