ଗଣେଶ ୱାଦାନ୍ଦ୍ରେଙ୍କ ଛନଛନିଆ କପାଗଛରେ ଥିବା ସବୁଜ ରଙ୍ଗର କପା ଫୁଲ ଗୁଡ଼ିକର ବାହ୍ୟ ଅଂଶରେ କଳାଗାର ଏବଂ ବିନ୍ଦୁ ଦେଖାଯାଉଛି। ଏହି କପାକ୍ଷେତ ଧଳା ସୁନା କୁହାଯାଉଥିବା ଏହି ଫସଲ ଉପରେ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନଙ୍କ ପାଇଁ ଏକ ସନ୍ଦେଶ ଦେଉଛି - ପୁଣି ଏକ ନୂଆ କୀଟନାଶକ ଖୋଜ।

ୱାର୍ଦ୍ଧା ଜିଲ୍ଲାର ଆମଗାଓଁ (କେଏଚ୍) ଗାଁର ଗଣେଶ ୱାଦାନ୍ଦ୍ରେ ଜଣେ ନାମୀ ଚାଷୀ। ତାଙ୍କର ୫ ଏକର କପା କ୍ଷେତ ରହିଛି। ସେ କୁହନ୍ତି, “ଏଇଟା ଆରମ୍ଭ ମାତ୍ର। ଏହି ପୋକ ଏସବୁ ସ୍ଥାନଦେଇ କପା ଫୁଲାର କଢ଼ ଭିତରକୁ ପ୍ରବେଶ କରିଥିବ। ”

ସେ କହିଲେ, “ଆମେ ଯଦି ଏହି ଫୁଲକୁ ଖୋଲିଦେବା, ତା’ହେଲେ ଦେଖିବା ଗୋଟିଏ ଗୋଲାପୀ ପୋକ ଏହା ମଧ୍ୟରେ ବୁଲୁଛି। ” ଏହା କହିବା ବେଳେ ହତାଶ ଏବଂ କ୍ରୋଧ ତାଙ୍କ ଭିତରେ ଦେଖିବାକୁ ମିଳୁଥିଲା। ଯେତେବେଳେ ସେ ଏହି କପାଫୁଲଟିକୁ ଫଟାଇଦେଲେ ସେତେବେଳେ ଗୋଟିଏ ଛୋଟ ଗୋଲାପୀ ରଙ୍ଗର ପୋକ ମୁଣ୍ଡ ଟେକିଲା। ସତେ ଯେମିତି ଏହା ଆମକୁ ସ୍ୱାଗତ କରୁଥିଲା। ଏହି ପୋକ କପାର ଧଳାତନ୍ତୁଗୁଡ଼ିକ ସୃଷ୍ଟି ହେବା ଆଗରୁ କପା କଢ଼ ଭିତରେ ନିଜର ସ୍ଥିତି ଜମେଇ ନେଇ ଏହାକୁ ମୂଲ୍ୟହୀନ କରିଦେଇଥିଲା।

୪୨ ବର୍ଷ ବୟସ୍କ ୱାଦାନ୍ଦ୍ରେ କହିଲେ, “ଗୋଟିଏ ପୋକ! ଏହା କେଇ ଦିନ ମଧ୍ୟରେ ହଜାର ହଜାର ଅଣ୍ଡାଦେବ ଏବଂ ଏହା ଭିତରୁ ଅୟୁତ ଅୟୁତ ପୋକ ବାହାରିବେ। ” ଗତ ୨୦୧୭ ନଭେମ୍ବରରେ ଯେତେବେଳେ ମୁଁ ତାଙ୍କୁ ଭେଟିଲି ସେତେବେଳେ ଏକଥା ମୋତେ କହିଥିଲେ।

ଯେହେତୁ ଏହି ପୋକ କପା କଢ଼ ଭିତରେ ଥାଏ, ଚାଷୀମାନେ ଫୁଲ ନଫୁଟିବା ପର୍ଯ୍ୟନ୍ତ ଗୋପନ ଥିବା ଏହି କ୍ଷୟକ୍ଷତି ବିଷୟରେ କୌଣସି ଅନ୍ଦାଜା କରିପାରି ନଥାନ୍ତି। ଅମଳ ସମୟରେ କିମ୍ବା ବଜାର ପରିସରରେ ହଠାତ୍ ସେମାନଙ୍କ ମୁଣ୍ଡ ଉପରେ ବଜ୍ର ପଡ଼େ  ଯେତେବେଳେ ଏହି ପୋକ ଦ୍ୱାରା ନଷ୍ଟ ହୋଇଥିବା କପା ଖୁବ୍ କମ୍ ଦାମରେ ବିକ୍ରି ହୁଏ।

ୱାଦାନ୍ଦ୍ରେଙ୍କ ଅଭିବ୍ୟକ୍ତି ମହାରାଷ୍ଟ୍ରର ସମସ୍ତ କପାଚାଷୀମାନଙ୍କର ଅବସ୍ଥା। ବିଶେଷକରି ପଶ୍ଚିମ ବିଦର୍ଭର କପାଚାଷ ଅଞ୍ଚଳରେ, କପା ଅମଳ ସମୟ ୨୦୧୭-୧୮ ଶୀତଦିନର। ଏହି ଅଞ୍ଚଳରେ କପା ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ରୋପଣ କରାଯାଏ ଏବଂ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଅମଳ କରାଯାଏ।

ଅନେକ ହେକ୍ଟର କପାକ୍ଷେତ ଏହି ଗୋଲାପୀ ପୋକର ବିଶାଳ ସେନା ଦ୍ୱାରା ନଷ୍ଟଭ୍ରଷ୍ଟ ହୋଇଯାଇଥିଲା। ସେମାନେ ଏତେ କ୍ଷତି କରିଥିଲେ ଯାହା ଗତ ତିରିଶ ବର୍ଷ ମଧ୍ୟରେ କେବେ ଦେଖାଯାଇନଥିଲା। ୱାଦାନ୍ଦ୍ରେଙ୍କ କ୍ଷେତରେ ଗୋଲାପୀ ପୋକ ଆକ୍ରମଣର ସମସ୍ତ ସୂଚନା ଦେଖିବାକୁ ମିଳିଥିଲା; କଳା କପାକଢ଼, ଫାଟିଯାଇଥିବା ଏବଂ ଖେଳେଇ ହୋଇଯାଇଥିବା କପାକଢ଼, କଳା ପଡ଼ିଯାଇଥିବା କପାତନ୍ତୁ, କମ୍ ମାନ ଏବଂ କମ୍ ମୂଲ୍ୟର ଫସଲ।

ଏହି କୀଟଯୋଗୁ ୨୦୧୭ ଜୁଲାଇରୁ ନଭେମ୍ବର ମାସ ପର୍ଯ୍ୟନ୍ତ ମହାରାଷ୍ଟ୍ରର ବ୍ୟତିବ୍ୟସ୍ତ ଚାଷୀମାନେ ସେମାନଙ୍କର କପା ଫସଲକୁ ରକ୍ଷା କରିବା ପାଇଁ ପ୍ରଚୁର ପରିମାଣରେ ଏବଂ ବିଷାକ୍ତ କୀଟନାଶକ ବ୍ୟବହାର କରିଥିଲେ, କିନ୍ତୁ ସେମାନେ ଗୋଲାପୀ ପୋକକୁ ପ୍ରତିହତ କରିପାରିଲେ ନାହିଁ। ( ଦେଖନ୍ତୁ : Lethal pests, deadly sprays )

ୱାଦାନ୍ଦ୍ରେ କୁହନ୍ତି, “କୌଣସି କୀଟନାଶକ ଏଥିପାଇଁ ଫଳପ୍ରଦ ହେଲାନାହିଁ। ଏହି ପୋକ ଭୀଷଣ ଘାତକ। ଏବେ ବିଟି-କପା ବ୍ୟବହାର କରିବାର ଉପଯୋଗିତା କ’ଣ?”
A man in cotton farm
PHOTO • Jaideep Hardikar
a man showing pest-infested boll of cotton
PHOTO • Jaideep Hardikar

ଆମଗାଁଓ (କେଏଚ୍)ର ଗଣେଶ ୱାଦାନ୍ଦ୍ରେ ନିଜର କୀଟ ସଂକ୍ରମିତ କ୍ଷେତକୁ ଦେଖୁଛନ୍ତି ; କୌଣସି କୀଟନାଶକ ଏଥିପାଇଁ ଫଳପ୍ରଦ ନୁହେଁ, ଏହା ସେତିକି ଘାତକ। ଏବେ ବିଟି-କପା ବ୍ୟବହାର କରିବାର ଉପଯୋଗିତା କ’ଣ?

ନଳକୂପ ଦ୍ୱାରା ଜଳସେଚିତ ତାଙ୍କର ଗୋଟିଏ ଏକର କପାକ୍ଷେତରୁ ୱାଦାନ୍ଦ୍ରେ ଏବର୍ଷ ହାରାହାରି ୧୫ କ୍ୱିଣ୍ଟାଲ କପା ଅମଳ କରିପାରିଥାନ୍ତେ। କିନ୍ତୁ ତାଙ୍କ ଅମଳ ୫ କ୍ୱିଣ୍ଟାଲକୁ ଖସି ଆସିଲା। ୱାଦାନ୍ଦ୍ରେଙ୍କ ଆକଳନ ଅନୁଯାୟୀ ସେ ଏକର ପିଛା ଅତି କମରେ ୫୦ ହଜାର ଟଙ୍କା ହରାଇଲେ - ଏହା ତାଙ୍କ ପାଇଁ ଏକ ବଡ଼ ପରିମାଣର ଅର୍ଥ।

ଗାଁର ବର୍ଷାନିର୍ଭରଶୀଳ ଚାଷ ଜମିଗୁଡ଼ିକ, ଯାହା ଉପଯୁକ୍ତ ଭାବରେ ଜଳସେଚିତ ହୋଇପାରେ ନାହିଁ, ସେହି ଚାଷୀମାନେ ଏ ଋତୁରେ ଏକର ପିଛା ତିନି କ୍ୱିଣ୍ଟାଲ କପା ମଧ୍ୟ ଆଦାୟ କରିପାରି ନାହାନ୍ତି। ରାଜ୍ୟ ସରକାର କିଛି କ୍ଷତିପୂରଣ ଘୋଷଣା କରିଛନ୍ତି - ହେକ୍ଟର ପିଛା ୧୦ ହଜାର ଲେଖାଏଁ ଏବଂ ସର୍ବାଧିକ ଦୁଇ ହେକ୍ଟର ନିମନ୍ତେ। ଯଦି ୱାଦାନ୍ଦ୍ରେ ଏଥିପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି, ତେବେ ସେ ସାମାନ୍ୟ ଆଶ୍ୱସ୍ତ ହେବେ।

ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ କୃଷି ବିଭାଗର ଗ୍ରାମ ତଲାଖି ଏବଂ କୃଷିସେବକ ମାନଙ୍କ ଦ୍ୱାରା ନଭେମ୍ବର ମାସରେ ଏବଂ ପୁଣି ଫେବୃଆରୀ-ମାର୍ଚ୍ଚ ମାସରେ ହୋଇଥିବା ଆକଳନ ଆଧାରିତ ଅଧ୍ୟୟନ ଅନୁଯାୟୀ, ରାଜ୍ୟର ୪୨ ଲକ୍ଷ ହେକ୍ଟର କପାକ୍ଷେତ ମଧ୍ୟରୁ ୮୦ ପ୍ରତିଶତ ଗୋଲାପୀ ପୋକ ସଂକ୍ରମଣରେ ପ୍ରଭାବିତ ହୋଇଛି। ପ୍ରତ୍ୟେକ ଚାଷୀ ପ୍ରାୟ କ୍ଷେତରେ ଥିବା ୫୦ ପ୍ରତିଶତ ଫସଲ ମଧ୍ୟରୁ ୩୩ ପ୍ରତିଶତ ହରାଇସାରିଛନ୍ତି।

୨୦୧୮ ଜାନୁଆରୀ ମାସରେ ମହାରାଷ୍ଟ୍ରର କୃଷିବିଭାଗ କପା ଉତ୍ପାଦନ ହ୍ରାସ ସଂପର୍କରେ ଆଗୁଆ ସୂଚନା ଦେଇଥିଲା ଏବଂ ଏହା ୪୦ ପ୍ରତିଶତ କମ୍ ବୋଲି କହିଥିଲା। ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି କୀଟଦ୍ୱାରା ହୋଇଥିବା ଏହି ବିଶାଳ ପରିମାଣର ନଷ୍ଟକୁ ସରକାର ସ୍ୱୀକାର କରିସାରିଛନ୍ତି। ଏହି ରାଜ୍ୟ ପ୍ରତ୍ୟେକ ବର୍ଷ ହାରାହାରି ୯୦ ଲକ୍ଷ କପା ଗାଣ୍ଠି (୧୭୨ କିଲୋ କପା ତନ୍ତୁ  ଗୋଟିଏ ଗାଣ୍ଠି) ଉତ୍ପାଦନ କରେ। ଏକ କ୍ୱିଣ୍ଟାଲ କପାରୁ ୩୪ କେ.ଜି. ତନ୍ତୁ, ୬୫ କିଲୋ କପା ମଞ୍ଜି (ତେଲ ବାହାର କରିବା ପାଇଁ ଏବଂ ପିଡ଼ିଆ ଗୋଖାଦ୍ୟ ଭାବରେ) ବ୍ୟବହାର ହୁଏ ଏବଂ କିଛି ପରିମାଣର ଧୂଳି ବା ବର୍ଜ୍ୟ ମିଳିଥାଏ। ୨୦୧୮ ମାର୍ଚ୍ଚ ମାସରେ ବିଦର୍ଭର କପା ବଜାରରେ ଚାଷୀମାନେ ଗୋଟିଏ କ୍ୱିଣ୍ଟାଲ କପା ପିଛା ୪୮୦୦-୫୦୦୦ ଟଙ୍କା ପାଇପାରିଥିଲେ।

୨୦୧୭-୧୮ ବର୍ଷରେ ଭାରତରେ ପ୍ରାୟ ୧୩୦ ଲକ୍ଷ ହେକ୍ଟର ଜମିରେ କପା ଚାଷ ହୋଇଥିଲା। ବିଭିନ୍ନ କପା ଚାଷ ହେଉଥିବା ରାଜ୍ୟମାନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗୋଲାପୀ ପୋକର ଆତଙ୍କ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା ପର୍ଯ୍ୟନ୍ତ ବ୍ୟାପୀ ଯାଇଥିଲା। ଦୁଇ ବର୍ଷ ପୂର୍ବେ ଏହି ପୋକର ଆକ୍ରମଣରେ ଆକ୍ରାନ୍ତ ହୋଇଥିବା ଗୁଜରାଟ ଚଳିତ ବର୍ଷ ସଅଳ ପ୍ରଜାତିର କପା ରୋପଣ କରି ଏହି ସମସ୍ୟାକୁ କିଛି ପରିମାଣରେ ସମାଧାନ କରିପାରିଥିଲା। ଏହି ସଅଳ ପ୍ରଜାତି ଦ୍ୱାରା ଶୀତ ଦିନ ପୂର୍ବରୁ କପା ଅମଳ ହୋଇଯାଉଥିଲା। ସୂଚନାଯୋଗ୍ୟ ଯେ, ଶୀତଦିନ ହିଁ ଏହି ଗୋଲାପୀ ପୋକ ଖୁବ୍ ଦ୍ରୁତ ଭାବରେ ବଂଶ ବିସ୍ତାର କରନ୍ତି।

ଭାରତ ସରକାରଙ୍କ କୃଷିମନ୍ତ୍ରଣାଳୟ ଏହି ସମସ୍ୟାକୁ ସ୍ୱୀକାର କରିଛନ୍ତି। କିନ୍ତୁ ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟଗୁଡ଼ିକର ବିଟି-କପା ନାମ ପ୍ରତ୍ୟାହାର କରିବା ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଚାଷୀମାନଙ୍କର ଦାବି, ଏହି କପାର ବିଟି ସାମର୍ଥ୍ୟ ନଥିବାରୁ ଏହାକୁ ସାଧାରଣ କପା ଭାବରେ ଘୋଷଣା କରାଯାଉ (ଏହାଦ୍ୱାରା କପା ବୀଜର ଦାମ୍ ଏବଂ ବୀଜ କଂପାନୀମାନଙ୍କର ରୟାଲଟି ଏବଂ ଦାମ ଆଦି ପ୍ରଭାବିତ ହେବ ଏବଂ ଏହା ପରିର ଅନ୍ୟ ଏକ ନିବନ୍ଧରେ ସ୍ଥାନ ପାଇବ)। ରାଜ୍ୟମାନଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି କେନ୍ଦ୍ର ସରକାର ସମସ୍ତ କପା ଉତ୍ପାଦନ କରୁଥିବା ରାଜ୍ୟମାନଙ୍କୁ ଅଂଶୀଦାରମାନଙ୍କ ସହଯୋଗ ନେଇ ଏହି ସମସ୍ୟା ନିଜେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ।

ଗୋଲାପୀ ପୋକ ଫେରୁଛି

୨୦୧୫ ମସିହାରେ ପ୍ରଥମଥର ପାଇଁ ଗୋଲାପୀ ପୋକ ଫେରିବାର ସତର୍କ ଘଣ୍ଟି ବାଜିଥିଲା। ସେହିବର୍ଷ ଭାରତୀୟ କପା ଗବେଷଣା ପ୍ରତିଷ୍ଠାନ  ଜିନ୍ ପରିବର୍ତ୍ତିତ ବିଟି-କପା କୌଶଳ ଅସଫଳ ହେବା ନେଇ ଭୀଷଣ ଚିନ୍ତାବ୍ୟକ୍ତ କରିଥିଲେ। ଗୁଜରାଟ ଏବଂ ମହାରାଷ୍ଟ୍ର ସମେତ ସମସ୍ତ ଅଧିକ କପା ଚାଷ କାର୍ଯ୍ୟ କରୁଥିବା ଚାଷୀମାନଙ୍କ ଠାରୁ ଫସଲରେ ଗୋଲାପୀ ପୋକ ଫେରିବା ସଂପର୍କରେ ସୂଚନା ମିଳିଥିଲା।

ଯଦି ୨୦୧୦ ମସିହାରେ ବିଟି-କପାରେ ଗୋଲାପୀ ପୋକ ପ୍ରଥମଥର ପାଇଁ ଦେଖାଯାଇଥିଲା, ତଥାପି ୨୦୧୫ ନଭେମ୍ବର ମାସରେ ଗୁଜରାଟର ଚାଷୀମାନେ ସେମାନଙ୍କ କପା ଫସଲ ଏସବୁ ପୋକ ଦ୍ୱାରା ବହୁଳ ପରିମାଣରେ ସଂକ୍ରମଣ ହୋଇଥିବା ସୂଚନା ଦେଇଥିଲେ। ଏହି ଇଞ୍ଚେ ଲମ୍ବା ପୋକ କପାକୁ ଭିତରୁ ଖାଇଦେଉଥିଲା, ଏହାର ଗୋଲାପୀ ରଙ୍ଗ ଏବଂ ସ୍ୱାସ୍ଥ୍ୟ , ଜିନ୍ ପରିବର୍ତ୍ତିତ ଏହି ଦୃଢ଼ ଏବଂ ଦାମୀ କପା ପ୍ରଜାତିର ଅସଫଳତାକୁ ପ୍ରମାଣିତ କରୁଥିଲା। ସୂଚନାଯୋଗ୍ୟ ଯେ, ସେହି ପୋକକୁ ଦମନ କରିବା ଉଦ୍ଦେଶ୍ୟରେ ହିଁ ଜିନରେ ପରିବର୍ତ୍ତିତ କରାଯାଇ ଏହି କପା ପ୍ରଜାତି ପ୍ରସ୍ତୁତ କରାଯାଇଥିଲା।

୨୦୧୫ ନଭେମ୍ବର ମାସର ଶେଷ ସପ୍ତାହରେ ଗୁଜରାଟର ଭାବନଗର ଜିଲ୍ଲାର ଜଣେ ଚାଷୀ ନିଜ କ୍ଷେତର ଗୋଟିଏ ଗଛରୁ କେତେଗୁଡ଼ିଏ କପାକଢ଼ ତୋଳିଆଣିଲେ ଏବଂ ଯାଞ୍ଚ ପାଇଁ ଆସିଥିବା କପା ବିଶେଷଜ୍ଞମାନଙ୍କ ଆଗରେ ଏହାକୁ ଫଟାଇ ଦେଲେ। ଏହି ଯାଞ୍ଚ ଦଳର ନେତୃତ୍ୱ ନେଇଥିବା ପ୍ରମୁଖ ବୈଜ୍ଞାନିକ ଡଃ କେଶବ କ୍ରାନ୍ତି ୨୦୧୬ ଫେବୃଆରୀ ମାସରେ ତାଙ୍କ ସହିତ ନିଆଯାଇଥିବା ଏକ ସାକ୍ଷାତକାର ସମୟରେ କହିଥିଲେ, “ଉକ୍ତ ମହିଳା ଚାଷୀ ଖୁବ୍ ଜୋରରେ କ୍ରୋଧିତ ଥିଲେ। ଡଃ କ୍ରାନ୍ତି ସେ ସମୟରେ ଦେଶର ସର୍ବୋଚ୍ଚ କେନ୍ଦ୍ରୀୟ କପା ଗବେଷଣା ଅନୁଷ୍ଠାନ (ସିଆଇସିଆର), ନାଗପୁରର ନିର୍ଦ୍ଦେଶକ ଥିଲେ। ବର୍ତ୍ତମାନ ସେ ୱାଶିଂଟନସ୍ଥିତ ଅନ୍ତରାଷ୍ଟ୍ରୀୟ କପା ଉପଦେଷ୍ଟା କମିଟିର ଟେକ୍ନିକାଲ ନିର୍ଦ୍ଦେଶକ ଭାବରେ ଅବସ୍ଥାପିତ।

ଉକ୍ତ ଚାଷୀଙ୍କ କ୍ରୋଧ ତାଙ୍କର ବିପୁଳ କ୍ଷତିରୁ ହିଁ ସୃଷ୍ଟି ହୋଇଥିଲା। ଏହି କ୍ଷୁଦ୍ର ଏବଂ ଘାତକ ପୋକ ତାଙ୍କ କପା ଫସଲକୁ ଖାଇ ଯାଇଥିଲା ଏବଂ ତା’ର ମାନ ମଧ୍ୟ ନଷ୍ଟ କରିଦେଇଥିଲା। କିନ୍ତୁ ବୈଜ୍ଞାନିକମାନେ ସବୁଜ ରଙ୍ଗର କପାକଢ଼ ଗୁଡ଼ିକୁ ଗୋଲାପୀ ପୋକ ଭିତରୁ ନଷ୍ଟ କରିଦେଇଥିବା ଦେଖି ଚକିତ ହେଉଥିଲେ, ସେମାନେ ଏହା ପଛର କାରଣ ପାଇଁ ଚିନ୍ତିତ ଥିଲେ।

Farmer spraying pesticide in the cotton farm
PHOTO • Jaideep Hardikar
The worm on the cotton ball
PHOTO • Jaideep Hardikar

ଗତବର୍ଷ କପାକ୍ଷେତକୁ ଏହି କଢ଼ପୋକ ଫେରିବା ଯୋଗୁ କୀଟନାଶକ ସିଞ୍ଚନ ମଧ୍ୟ ଜୀବନ ଘାତକ ହୋଇଥିଲା। ଡାହାଣ : ପୋକଗୁଡ଼ିକ କପାକଢ଼ ଉପରେ ଗାର ପକାଇ ଦେଉଥିଲେ।

ଏହି ଗୋଲାପି ପୋକ ଭାବରେ ଜଣାଶୁଣା ଏହି କୀଟର ବୈଜ୍ଞାନିକ ନାମ ପେକ୍ଟିନୋଫୋରା ଗୋସିପିଏଲା (ସୌଣ୍ଡର୍ସ)। ଏହା ଭାରତକୁ ତିନି ଦଶକ ପରେ ଫେରିଛି ଏବଂ ମନରେ ପ୍ରତିହିଂସା ନେଇ ଆସିଛି। ଏହା ବଲଗାର୍ଡ - ୨  ବିଟି-କପା ଫସଲରେ ମୌଜ କରୁଛି। ଏହି କପା ପ୍ରଜାତି ଜିନ୍ ପରିବର୍ତ୍ତିତ ସଂକର କପା ପ୍ରଜାତିର ସବୁଠାରୁ ଶକ୍ତିଶାଳୀ ଦ୍ୱିତୀୟ ପିଢ଼ିର କପା। ଏହା କୀଟ ପ୍ରତିରୋଧକ ଭାବରେ ପ୍ରସ୍ତୁତ କରାଯାଇଥିଲା।ଡଃ କ୍ରାନ୍ତିଙ୍କ ଭୟ ଏହା ଏକ ସୂଚନା ଯେ, ଆମେରିକାନ ବଲୱାର୍ମ ପୁଣିଥରେ ଫେରିପାରେ। ଆମେରିକାରୁ ଆରମ୍ଭ ହୋଇଥିବା ଏହି ପୋକ କିନ୍ତୁ ଏ ପର୍ଯ୍ୟନ୍ତ ଦେଖାଦେଇ ନାହିଁ।

ସିଆଇସିଆର୍ ଏବଂ କପା ଗବେଷକମାନେ ମନେ କରନ୍ତି,  ଭାରତ-ପାକିସ୍ତାନରୁ ଉଦ୍ଭବ ଏହି ଗୋଲାପୀ ପୋକ ଏବଂ ଆମେରିକୀୟ ପୋକ ୧୯୭୦ ଓ ୮୦ ଦଶକରେ ଭାରତର କପାଚାଷୀମାନଙ୍କୁ ସବୁଠାରୁ ଅଧିକ କ୍ଷତିରେ ପକାଇଥିବା ଘାତକ ପୋକମାନଙ୍କ ମଧ୍ୟରେ ଅନ୍ୟତମ। ୧୯୯୦ ଦଶକ ବେଳକୁ ଏହି ପୋକମାନଙ୍କ ଯୋଗୁ ଅଧିକ ଅମଳକ୍ଷମ ସଂକର ପ୍ରଜାତି ନିମନ୍ତେ ନୂତନ କୀଟନାଶକ ପ୍ରସ୍ତୁତ କରାଯାଇଥିଲା। ୧୯୯୦ ଦଶକର ଶେଷ ଭାଗରେ ଯେତେବେଳେ ସଂକର ବୀଜରେ ବିଟି ଜିନ୍ ସଂଯୁକ୍ତ ହୋଇ ବିଟି-କପା ଭାରତରେ ପ୍ରଚଳନ ଆରମ୍ଭ ହେଲା, ଏହା ଉପରୋକ୍ତ ଦୁଇ ପ୍ରକାର ପୋକଙ୍କୁ ଉତ୍ତର ଦେବା ପାଇଁ ଉଦ୍ଦିଷ୍ଟ ଥିଲା।

କିନ୍ତୁ ୨୦୧୫-୧୬ ଋତୁରେ ଏକର ଏକର କପାକ୍ଷେତ ପୁନର୍ବାର ଗୋଲାପୀ ପୋକ ଦ୍ୱାରା ଆକ୍ରାନ୍ତ ହେବା ଦ୍ୱାରା ଅମଳ କ୍ଷମତା ୭-୮ ପ୍ରତିଶତ ହ୍ରାସ ପାଇଥିଲା ବୋଲି ସିଆଇସିଆରର କ୍ଷେତ୍ର ଅଧ୍ୟୟନ ପ୍ରକାଶ କରିଥିଲା।

ଏହି ଗୋଲାପୀ ପୋକର ଲାର୍ଭା ଅଳ୍ପ କେଇଟି ଫସଲ ଯଥା କପା, ଭେଣ୍ଡି, ମନ୍ଦାର ଏବଂ ଝୋଟ ଫସଲ ଖାଇଦେଇଥାଏ ଏବଂ ଏହା ଫୁଲ, କପାକଢ଼, ଫୁଲର ବୃନ୍ତ, ନାଡ଼ ଏବଂ କଅଁଳ ପତ୍ରର ତଳ ପାଶ୍ୱର୍ରେ ଅଣ୍ଡା ଦେଇଥାଏ। ଅଣ୍ଡାରୁ ଲାର୍ଭା ବାହାରିବାର ଦୁଇଦିନ ଭିତରେ ଏଗୁଡ଼ିକ ଫୁଲର ଗର୍ଭାଶୟ ଏବଂ କଢ଼ ମଧ୍ୟକୁ ପ୍ରବେଶ କରିଥାଏ। ତିନିରୁ ଚାରି ଦିନରେ ଏହି ଲାର୍ଭା ଗୋଲାପୀ ରଙ୍ଗ ଧାରଣ କରେ ଏବଂ ସେମାନଙ୍କ ଖାଦ୍ୟ ଉପରେ ରଙ୍ଗ ନିର୍ଭର କରିଥାଏ। ପାକଳ ହୋଇଥିବା ମଞ୍ଜି ଖାଇଲେ ସେମାନଙ୍କ ରଙ୍ଗ ଗାଢ଼ ଗୋଲାପୀ ପାଲଟିଯାଏ। ଏହି ପୋକ ସଂକ୍ରମଣ ପରେ କପା କଢ଼ ଗୁଡ଼ିକ ପାକଳ ହେବା ପୂର୍ବରୁ ଖୋଲି ଯାଇଥାଏ କିମ୍ବା ସଢ଼ିଯାଏ। ତନ୍ତୁର ଲମ୍ବା ଏବଂ ଦୃଢ଼ତା ମଧ୍ୟ କମ ହୋଇଯାଏ। ସଂକ୍ରମିତ କପା କଢ଼ ଗୁଡ଼ିକର ତନ୍ତୁ ଗୁଡ଼ିକ ଫିମ୍ପି ମଧ୍ୟ ମାରିଯାଏ।

ଏହି ପୋକ ବଜାର ପରିସରକୁ ପଠାଯାଉଥିବା କପାମଞ୍ଜିରୁ ବ୍ୟାପୀଥାଏ। ଏହି ଗୋଲାପୀ ପୋକ ସାଧାରଣତଃ ଶୀତଦିନ ଆରମ୍ଭ ସହ ସୃଷ୍ଟି ହୁଏ ଏବଂ ଯେପର୍ଯ୍ୟନ୍ତ ଫସଲରେ ଫୁଲ ଏବଂ କଢ଼ ଥାଏ, ସେ ପର୍ଯ୍ୟନ୍ତ ରହେ। ଦୀର୍ଘ ଅବଧି କପା ଗୁଡ଼ିକରେ ଏହି ପୋକ ଅଧିକ ଦିନ ପର୍ଯ୍ୟନ୍ତ ପରିପୁଷ୍ଟ ହୁଏ ଏବଂ ଏଠାରେ ଏକାଧିକ ପିଢ଼ିର ପୋକ ଜନ୍ମ ନିଅନ୍ତି। ତେଣୁ ଏହା ପରିବର୍ତ୍ତୀ ଫସଲକୁ ମଧ୍ୟ ପ୍ରଭାବିତ କରେ। ଧାରକ ଫସଲର ଅନୁପସ୍ଥିତି ଯୋଗୁ ଏହି ପୋକ ଲୁକ୍କାୟିତ ଭାବରେ ରହିବା ପାଇଁ ଆନୁବଂଶିକ ବୈଶିଷ୍ଟ୍ୟ ଧାରଣ କରିଥାଏ। ଫଳରେ ପରିବର୍ତ୍ତୀ ଋତୁ ପର୍ଯ୍ୟନ୍ତ ପ୍ରାୟ ୬-୮ ମାସ ପର୍ଯ୍ୟନ୍ତ ଏହା ସୁପ୍ତ ଭାବରେ ରହିପାରେ।

ଉଦବେଗ ଏବଂ ବିକଳ୍ପ ହୀନତା :

୨୦୧୬ ମେ ମାସ ବେଳକୁ ଏହି ବଲୱାର୍ମ ପୁଣି ଫେରୁଛି ବୋଲି ସିଆଇସିଆର୍ ରିପୋର୍ଟ ପରେ ଭାରତୀୟ କୃଷିଗବେଷଣା ପରିଷଦ ଏବଂ ଭାରତୀୟ ବୈଜ୍ଞାନିକ ପରିଷଦ ପକ୍ଷରୁ ନୂଆଦିଲ୍ଲୀରେ ଅନୁଷ୍ଠିତ ଦୁଇଟି ଉଚ୍ଚସ୍ତରୀୟ ବୈଠକରେ ଉଦବେଗ ପ୍ରକାଶ କରାଯାଇଥିଲା। ଏହି ଦୁଇଟି ଦେଶର ମୁଖ୍ୟ କୃଷି ଏବଂ ବୈଜ୍ଞାନିକ ଗବେଷଣା ଅନୁଷ୍ଠାନ। ତୁରନ୍ତ କୌଣସି ରାଷ୍ଟ୍ରାୟତ୍ତ କ୍ଷେତ୍ର ଜିନ୍ ପରିବର୍ତ୍ତିତ ଫସଲ ଉପରେ ନୂତନ ବିକଳ୍ପ ପ୍ରକଳ୍ପ ଯୋଗାଇପାରିବ କି ବୋଲି ଏହି ବୈଠକରେ ଆଲୋଚନା ହୋଇଥିଲା।

୨୦୧୬ ମସିହାରେ ଭାରତୀୟ କପା ସଂଘର ଏକ ପ୍ରକାଶନ କଟନ ଷ୍ଟାଟିଷ୍ଟିକ୍ସ ଆଣ୍ଡ ନ୍ୟୁଜରେ ପ୍ରକାଶିତ ଏକ ପ୍ରବନ୍ଧରେ ଡଃ କ୍ରାନ୍ତି ଉଲ୍ଲେଖ କରିଥିଲେ, “ବଲୱାର୍ମ ଫେରିଛି ଏଥିରେ କୌଣସି ସନ୍ଦେହ ନାହିଁ। ଆମେ କେତେ ସଫଳ ଭାବରେ ୨୦୨୦ ମସିହା ସୁଦ୍ଧା ବିଟି-କପାର ବଲୱାର୍ମ ନିୟନ୍ତ୍ରଣ ଦକ୍ଷତାକୁ ଅତୁଟ ରଖିପାରିବୁ ତାହା ମୁଖ୍ୟ ଚିନ୍ତାର ପ୍ରସଙ୍ଗ। ”

୨୦୨୦ ମସିହା ପର୍ଯ୍ୟନ୍ତ ଭାରତୀୟ ରାଷ୍ଟ୍ରାୟତ କ୍ଷେତ୍ର କିମ୍ବା ଘରୋଇ କ୍ଷେତ୍ରରୁ କୌଣସି ନୂତନ ଜିନ୍ ପରିବର୍ତ୍ତିତ କପା ଟେକ୍ନୋଲୋଜି ବ୍ୟବସାୟିକ ଅନୁମୋଦନ ପରୀକ୍ଷଣ ଲାଭ କରିପାରିବ ନାହିଁ। ଜିନ୍ ପରିବର୍ତ୍ତିତ ବୀଜ ବଜାରରେ କୌଣସି ରାଷ୍ଟ୍ରାୟତ କ୍ଷେତ୍ରର ଉପସ୍ଥିତ ନାହିଁ। ଯଦିଓ କେତେକ କୃଷି ଅନୁଷ୍ଠାନ ଅନ୍ୟାନ୍ୟ ଫସଲ କପା, ସୋୟାବିନ୍, ବାଇଗଣ ଏବଂ ଧାନର ଜିନ୍ ପରିବର୍ତ୍ତନ ଗବେଷଣା ଦିଗରେ କାର୍ଯ୍ୟ କରୁଛି, କିନ୍ତୁ କପା କ୍ଷେତ୍ରରେ କୌଣସି ଅନୁଷ୍ଠାନ କାର୍ଯ୍ୟ କରୁନାହିଁ।

ଆଇସିଏଆର୍ (ଆଇସିଏସ୍ଆର୍) ବୈଠକରେ ବୈଜ୍ଞାନିକମାନେ ବଲ୍ୱାର୍ମକୁ ନିୟନ୍ତ୍ରଣ କରିବା ନିମନ୍ତେ ଅନେକ ବିକଳ୍ପ ପ୍ରଦାନ କରିଥିଲେ। ଏ ମଧ୍ୟରୁ ଭାରତ ପାଇଁ ଶ୍ରେଷ୍ଠ ଦୀର୍ଘକାଳୀନ ରଣନୀତି ଥିଲା କ୍ଷୁଦ୍ର ଅବଧି ବିଟି-କପା ସଂକର ବା ପ୍ରଜାତି ସୃଷ୍ଟି କରିବା, ଯାହାକି ଜାନୁଆରୀ ପୂର୍ବରୁ ଅମଳ ହୋଇପାରିବ। ଏହା ବଲ୍ୱାର୍ମକୁ ପ୍ରତିହତ କରିପାରିବ, କାରଣ ସେମାନେ ମୁଖ୍ୟତଃ ଶୀତଦିନେ ହିଁ କପା ଫସଲ ଉପରେ ଆକ୍ରମଣ କରନ୍ତି। ଅଧିକାଂଶ ଭାରତୀୟ ବିହନ କଂପାନୀ ଦୀର୍ଘ ଅବଧିରେ ଭଲ ଅମଳ ଦେଉଥିବା ବିଟି ସଂକର ବିହନ ପ୍ରସ୍ତୁତ କରନ୍ତି ଏବଂ ସେହିବର୍ଷ ୨୦୧୭-୧୮ ବର୍ଷ ତୁଳନାରେ ଫସଲ ଉପରେ କୀଟ ସଂକ୍ରମଣ ଖୁବ୍ କମ୍ ଥିଲା।

Rotten cotton on the tree
PHOTO • Jaideep Hardikar

୨୦୧୭-୧୮ ଶୀତଦିନେ କପା ଅମଳ ଋତୁରେ ୱାଦାନ୍ଦ୍ରେ ବିପୁଳ କପା ଅମଳ ଆଶା କରୁଥିଲେ। କିନ୍ତୁ ଯାହା ଗୋଲାପୀ ପୋକଙ୍କ ଦ୍ୱାରା ନଷ୍ଟ ହୋଇଯାଇଥିଲା।

ବିଟି-କପା ଅସଫଳ ହୋଇଗଲା। ୨୦୧୬ ମସିହାରେ ଡଃ କ୍ରାନ୍ତି ମୋତେ କହିଥିଲେ, “ଖୁବ୍ ଆଲୋଚନା ହେଉଥିବା କୌଶଳ - ବିଟି-କପା ବା ବିଜି-୧ ଏବଂ ଏହାର ଦ୍ୱିତୀୟ ପିଢ଼ୀ ପିଜି-୨ ଅସଫଳ ହୋଇଯାଇଛି। ଏହାର ଅର୍ଥ ଚାଷୀମାନଙ୍କୁ ଏବେ କମ୍ ପ୍ରତିରୋଧୀ ବିଜି-୧ ଏବଂ ବିଜି-୨ କୌଶଳ ସହ ଖାପ ଖୁଆଇବାକୁ ପଡ଼ିବ ଏବଂ ସେମାନଙ୍କୁ ବଲୱାର୍ମ ଓ ଅନ୍ୟାନ୍ୟ କୀଟ ରୋଗପୋକ ନିୟନ୍ତ୍ରଣ କରିବା ପାଇଁ କୀଟନାଶକ ବ୍ୟବହାରକୁ ଫେରିଯିବାକୁ ହେବ। ମାଟିରେ ରହୁଥିବା ବାସିଲସ୍ ଥୁରିଙ୍ଗିଏନ୍ସିସ୍ ବ୍ୟାଟେରିଆରୁ ବିଟି-କପାର ନାମ ଆସିଛି। ଏହି ବ୍ୟାଟେରିଆରୁ କ୍ରିଷ୍ଟଲ ଜିନ୍ ସଂଗ୍ରହ କରାଯାଇ ବିଟି ବିହନରେ ସଂଯୁକ୍ତ କରାଯାଇଛି ଏବଂ ଏହାକୁ କପା ଗଛର ଆନୁବଂଶିକତାରେ ସାମିଲ୍ କରାଯାଇଛି, ଯାହାକି ବଲୱାର୍ମ ଠାରୁ କପା ଫସଲକୁ ସୁରକ୍ଷା ଦେବ।

ବଲୱାର୍ମକୁ ନିୟନ୍ତ୍ରଣ କରିବା ବିଟି-କପାର ଉଦ୍ଦେଶ୍ୟ। କିନ୍ତୁ ବର୍ତ୍ତମାନ ଚାଷୀମାନେ ଦେଖୁଛନ୍ତି ବିଟି-କପା କ୍ଷେତରେ ମଧ୍ୟ ଏହି ପୋକର ରାଜୁତି। ନିଜର ସିଆଇସିଆର ବ୍ଲଗ୍ ଏବଂ କେତେକ ଉଦ୍ୟୋଗ ପତ୍ରିକାରେ ଡଃ କ୍ରାନ୍ତି ଏ ସଂପର୍କରେ ଲେଖିସାରିଛନ୍ତି। କିନ୍ତୁ ଆଇସିଏଆର୍ କିମ୍ବା କେନ୍ଦ୍ର କୃଷି ମନ୍ତ୍ରାଳୟ ସେ ସମୟରେ ଏହାର ବିନାଶକାରୀ କ୍ଷମତା ସଂପର୍କରେ ସତର୍କ ହୋଇନଥିଲେ। ବର୍ତ୍ତମାନ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଗୋଲାପୀ ପୋକ କେତେ ଧ୍ୱଂସଲୀଳା ସୃଷ୍ଟି କରିପାରେ ସେ ସଂପର୍କରେ ସଚେତନ ହେଲେଣି। କିନ୍ତୁ କୌଣସି ସମାଧାନର ସୂତ୍ର ବାହାର କରିପାରି ନାହାନ୍ତି।

ଆମେରିକାର ବହୁରାଷ୍ଟ୍ରୀୟ ବାୟୋଟେକ୍ କଂପାନୀ ମୋନସାଣ୍ଟୋର ବିହନ ଭାରତର ବିଟି-କପା ବିହନ ବଜାର ଉପରେ ଆଧିପତ୍ୟ ରହିଛି। ଭାରତ ସରକାର ୨୦୦୨-୨୦୦୩ ମସିହାରେ ବିଟି-କପାକୁ ଅନୁମୋଦନ କରିଥିଲେ। ଏହି କୌଶଳ ଯୋଗାଣକାରୀ କଂପାନୀ ମୋନସାଣ୍ଟୋ ଭାରତୀୟ ବିହନ କଂପାନୀ ଗୁଡ଼ିକୁ ଗୋଟିଏ ବିହନ ବ୍ୟାଗ ପିଛା ୨୦ ପ୍ରତିଶତ ରୟାଲଟି ସର୍ତ୍ତରେ ଏହି କୌଶଳ ହସ୍ତାନ୍ତର କରିଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୀଟନାଶକର ବ୍ୟବହାର ହ୍ରାସ କରିବା ଏବଂ କପା ଅମଳ ବୃଦ୍ଧି କରିବା। ମାତ୍ର ଜିଏମ୍ କୌଶଳ ଉଭୟ କ୍ଷେତ୍ର ପାଇଁ ଏକ ଆତଙ୍କ ସୃଷ୍ଟି କରିଛି।

ପ୍ରଥମ ବର୍ଷରେ ସଂକର ବିଟି-କପା ବିହନର ୪ଶହ ଗ୍ରାମ ଓଜନ ବିଶିଷ୍ଟ ବ୍ୟାଗର ଦାମ୍ ଥିଲା ୧୮ଶହ ଟଙ୍କା। ଏହା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରୟାଲଟି ଏବଂ ଲାଭ ଉଭୟ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଲେ ଏବଂ ବିଟି-କପା ବିହନର ଦାମ ନିୟନ୍ତ୍ରଣ ହେଲା। ତଥାପି ପ୍ରାଥମିକ ବର୍ଷ ଗୁଡ଼ିକରେ ୪ଶହ ଗ୍ରାମ ବିହନ ପ୍ୟାକେଟର ଦାମ ପ୍ରାୟ ହଜାରେ ଟଙ୍କା ଥିଲାମୋନସାଣ୍ଟୋର ରୟାଲଟି ପାଇକାରୀ ଦାମର ୨୦ ପ୍ରତିଶତ ଥିଲା ବୋଲି ବିହନ ମାର୍କେଟ ସମୀକ୍ଷକଙ୍କ ଠାରୁ ଜଣାପଡ଼ିଛି। ଡଃ କ୍ରାନ୍ତି ୨୦୧୬ ମସିହାରେ ଲେଖିଥିବା ନିବନ୍ଧରୁ ଜଣାପଡ଼ିଛି ଭାରତୀୟ ବିଟି-କପା ବିହନ ବଜାର ପ୍ରାୟ ୪୮୦୦ କୋଟି ଟଙ୍କା ମୂଲ୍ୟର।

ସାରା ବିଶ୍ୱରେ ବିଟି-କପାର ବ୍ୟବସାୟ ୨୨୬ଲକ୍ଷ ହେକ୍ଟର ପରିବ୍ୟାପ୍ତ। ସେ ମଧ୍ୟରୁ ୧୬୦ ହେକ୍ଟର ଘରୋଇ କୌଶଳ ପ୍ରଦାନକାରୀଙ୍କ ପାଇଁ ଉନ୍ମୁକ୍ତ ୨୦୧୪-୧୫ ମସିହାରେ ବିଟି-କପା ଭାରତର ୧୧୫ ଲକ୍ଷ ହେକ୍ଟର ଅକ୍ତିଆର କରିଥିଲା। ୨୦୦୬-୭ରେ ମୋନସାଣ୍ଟୋ ବିଜି-୨ ସଂକର ବିହନ ବଜାରକୁ ଛାଡ଼ିଲା, କୁହାଗଲା ଏହି ନୂତନ କୌଶଳ ଅଧିକ ସମର୍ଥ ଏବଂ ଦୀର୍ଘସ୍ଥାୟୀ ହେବ। ଏହା କ୍ରମଶଃ ବିଜି-୧ର ସ୍ଥାନ ନେଲା ବର୍ତ୍ତମାନ ସରକାରୀ ଆକଳନ ଅନୁଯାୟୀ ଦେଶରେ କପାଚାଷ ହେଉଥିବା ୧୩୦ ହେକ୍ଟର ମଧ୍ୟରୁ ୯୦ ପ୍ରତିଶତ କପାକ୍ଷେତରେ ବିଜି-୨ ସଂକର ବିହନ ଉପଯୋଗ ହେଉଛି।

ବଲୱାର୍ମ ପ୍ରତିରୋଧୀ ବିଜି-୨ କୌଶଳ ବାସିଲସ୍ ଥୁରିଙ୍ଗିଏନ୍ସିସ ଠାରୁ କ୍ରିଷ୍ଟାଲ - ୧ ଏସି ଏବଂ କ୍ରିଷ୍ଟାଲ -୨ ଏବି ଜିନ୍ କପା ଗଛରେ ସଂଯୁକ୍ତ କରାଯାଇଛି। ଏହି ନୂତନ ଜିନ୍ ପରିବର୍ତ୍ତିତ ବିହନ ତିନୋଟି ପୋକ ଯଥା ଆମେରିକା ବଲୱାର୍ମ (ହେଲିକୋଭେର୍ପା ଆର୍ମିଗେରା), ଗୋଲାପୀ ପୋକ ଏବଂ ଚିତା ପୋକ(ଏରିଆସ୍ ଭିଟେଲା)କୁ ପ୍ରତିରୋଧ କରିବ ବୋଲି ଦାବି କରାଯାଇଥିଲା। ପ୍ରଥମ ପିଢ଼ିର ସଂକର ବା ବିଟି-କପା କେବଳ କ୍ରିଷ୍ଟାଲ-୧ ଏସି ଜିନ୍ ବିହନରେ ସଂଯୁକ୍ତ କରିଥିଲା।

ଡଃ କ୍ରାନ୍ତି ଅନ୍ୟ ଏକ ନିବନ୍ଧରେ ଲେଖିଥିଲେ ଭାରତରେ ବିଟି କୌଶଳ ବ୍ୟବହାର ପାଇଁ ପରିସଂସ୍ଥାନ ଏବଂ ପରିବେଶକୁ ଏକତ୍ର କରି କୌଣସି ଦୃଢ଼ ନକ୍ସା ପ୍ରସ୍ତୁତ କରାଯାଇ ନାହିଁ। ପରିବେଶ ମନ୍ତ୍ରଣାଳୟର ଜେନେଟିକ୍ ଇଂଜିନିୟରିଂ କମିଟି ସଫଳ ହେବା ପରି କୌଣସି ନିର୍ଦ୍ଦିଷ୍ଟ ଯୋଜନା ନଥାଇ ଅତି କମରେ ଛଅଟି ବିଟି ଇଭେଣ୍ଟକୁ ମଞ୍ଜୁରୀ ପ୍ରଦାନ କରିଥିଲେ।

ବ୍ୟାସିଲସ୍ ଥୁରିଙ୍ଗଏନ୍ସିସର ଗୋଟିଏ ଜିନ୍ ଏକ ପ୍ରକାର ପ୍ରୋଟିନ୍ ଉତ୍ପାଦନ କରେ, ଯାହା ବଲୱାର୍ମ ପ୍ରତିରୋଧୀ ବିଷାକ୍ତତା ସୃଷ୍ଟି କରେ। ବୈଜ୍ଞାନିକମାନେ ଏହି ଜିନ୍ ସୃଷ୍ଟି କରି ଏହାକୁ କପା ମଞ୍ଜିକୁ ସ୍ଥାନାନ୍ତରିତ କରିଥିଲେ, ଯଦ୍ୱାରା ଏଥିରୁ ଉତ୍ପାଦିତ ଗଛ ବଲୱାର୍ମକୁ ପ୍ରତିରୋଧ କରିପାରିବ। ଏହାହିଁ  ଜିନ୍ ପରିବର୍ତ୍ତିତ କପା ବା ଜିଏମ୍ କପା। ଯେତେବେଳେ ଏହି ଜିନ୍ କପା ଗଛର କ୍ରୋମୋଜୋମରେ ସ୍ଥାନ ନେଇଥାଏ, ସେତେବେଳେ ଏହାକୁ ଇଭେଣ୍ଟ କୁହାଯାଏ।

କିନ୍ତୁ ଏଥିପାଇଁ ସତର୍କତାକୁ କେବେ ଗୁରୁତର ସହ ବିଚାର କରାଯାଇନଥିଲା। ଏପରିକି ଯେତେବେଳେ ଏହାର ପ୍ରତିରୋଧକ ଶକ୍ତି ବିଷୟରେ ପ୍ରଶ୍ନ ଉଠିଥିଲା ବୋଲି ଡଃ କ୍ରାନ୍ତି ଲେଖିଥିଲେ। ପ୍ରତିରୋଧ କରିବା ଏକ ବିବର୍ତ୍ତନୀୟ କ୍ରମ। କୃଷିରେ ଯେତେବେଳେ ପୂର୍ବରୁ ବ୍ୟବହୃତ ହେଉଥିବା କୌଶଳ ଗୁଡ଼ିକ କୀଟ ନିୟନ୍ତ୍ରଣ ପାଇଁ ଆଉ ସମର୍ଥ ହୁଏ ନାହିଁ, ସେତେବେଳେ କୀଟ ପ୍ରତିରୋଧକ ବିକାଶ କରାଯାଏ। କିନ୍ତୁ ଭାରତରେ ଘରୋଇ କଂପାନୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ହେଉଥିବା ହଜାର ହଜାର ସଂକର ବିଟି-କପା ବିହନ ପ୍ରକାରକୁ ଗତ ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ଅନୁମୋଦନ କରାଯାଇଛି। ଯାହାକି କୃଷି ବିଜ୍ଞାନ ଏବଂ କୀଟ ପରିଚାଳନାରେ ବିଶୃଙ୍ଖଳା ସୃଷ୍ଟିକରିଛି। ପରିଣାମ ସ୍ୱରୂପ ଭାରତୀୟ କପା ଚାଷୀମାନଙ୍କର କୀଟ ପରିଚାଳନା ଅକ୍ଷମତା ଦିନକୁ ଦିନ ବୃଦ୍ଧି ପାଇବ।

Women working in cotton farm
PHOTO • Jaideep Hardikar
A man with cotton in hand
PHOTO • Jaideep Hardikar

ୱାଦାନ୍ଦ୍ରେଙ୍କ ବଡ କପାକ୍ଷେତରେ କାମ କରୁଥିବା ଶ୍ରମିକମାନେ କହିଥିଲେ, ଗୋଲାପୀ ପୋକ ସଂକ୍ରମଣ କପାଫୁଲରୁ ତନ୍ତୁ ବାହାର କରିବା କଷ୍ଟକର କରିଦେଉଛି ଏବଂ ମାନ ମଧ୍ୟ ଖୁବ୍ ଖରାପ ହୋଇଯାଛି।

୨୦୧୭ ମସିହାରେ ଭାରତରେ ବୃହତ୍ ପରିଣାମରେ ହର୍ବିସାଇଟ୍ ଟଲରେଣ୍ଟ (ଏଚ.ଟି ) କପାମଞ୍ଜି ରୋପଣ କରାଯାଇଥିଲା। ଏଚ.ଟି କପା ମୋନସାଣ୍ଟୋର ନୂତନ କପା ବିହନ। ସରକାର ଏ ପର୍ଯ୍ୟନ୍ତ ଏହାକୁ ବ୍ୟବସାୟିକ ବିକ୍ରି ପାଇଁ ଅନୁମୋଦିତ ଦେଇନାହାନ୍ତି। କିନ୍ତୁ ବିହନ କମ୍ପାନୀ ଏବଂ ଅଣପଞ୍ଜିକୃତ ସଂସ୍ଥାମାନେ ଏହି ମଞ୍ଜି ଏ ମଧ୍ୟରେ ଚାଷୀମାନଙ୍କୁ ବିକ୍ରି କରିସାରିଲେଣି। କିନ୍ତୁ ଏଚ.ଟି କପା ମଞ୍ଜି ବଲୱାର୍ମ କିମ୍ବା ଅନ୍ୟ କୀଟଙ୍କ ପାଇଁ ପ୍ରତିଷେଧକ ନୁହେଁ। ଏହି ମଞ୍ଜିରୁ ଉତ୍ପନ୍ନ ହେଉଥିବା କପା ଗଛ ଗୁଡ଼ିକ ଅନାବନା ଏବଂ ବାଳୁଙ୍ଗା ଗଛ ନଷ୍ଟ କରିବା ପାଇଁ ବ୍ୟବହୃତ ହେଉଥିବା ରସାୟନିକ ଦ୍ରବ୍ୟକୁ ସହ୍ୟ କରିପାରିବ।

ବର୍ତ୍ତମାନ ୨୦୧୮ରେ ଡଃ କ୍ରାନ୍ତିଙ୍କ ଆଗୁଆ ସତର୍କ ସତ ହୋଇଛି। ୨୦୧୦ ମସିହାରେ ଗୁଜରାଟରେ ଯେତେବେଳେ ଗୋଲାପୀ ବଲୱାର୍ମ ସଂକ୍ରମଣର ପ୍ରଥମ ରିପୋର୍ଟ ଆସିଲା, ସେତେବେଳେ ଏହା ଖୁବ୍ ଅଞ୍ଚଳରେ ହୋଇଥିଲା ଏବଂ ବିଜି-୧ କପା ପ୍ରଜାତିରେ ହୋଇଥିଲା। ୨୦୧୨ରୁ ୧୪ ମଧ୍ୟରେ ବିଜି-୨ କପା ଚାଷ ହୋଇଥିବା ବହୁ ଅଞ୍ଚଳକୁ ବ୍ୟାପୀ ଯାଇଥିଲା। ୨୦୧୫-୧୬ ଋତୁରେ ସିଆଇସିଆର୍ ଦ୍ୱାରା ହୋଇଥିବା ଅଧ୍ୟୟନରେ ଦେଖାଦେଇଥିଲା ବିଜି-୨ରେ ଗୋଲାପୀ ବଲୱାର୍ମ ଲାର୍ଭା ବଞ୍ଚିରହିବା ଗୁଜରାଟରେ ଉଲ୍ଲେଖନୀୟ ଭାବରେ ଅଧିକ ଏବଂ ଏହି ପୋକ କ୍ରିଷ୍ଟାଲ ୧ ଏସି, କ୍ରିଷ୍ଟାଲ ୨ ଏବି ଏବଂ କ୍ରିଷ୍ଟାଲ ୧ ଏସି + କ୍ରିଷ୍ଟାଲ ୨ ଏବି (ତିନୋଟି ଭିନ୍ନ ଭିନ୍ନ ପ୍ରକାର) ପ୍ରତି ସହନଶୀଳତା ବିକଶିତ କରିଥିଲା। ବିଶେଷ ଭାବରେ ଗୁଜରାଟର ଆମରେଲି ଏବଂ ଭାବନଗର ଜିଲ୍ଲାରେ ଏହା ଦେଖାଦେଇଥିଲା।

ଚାଷୀମାନେ ଗୋଲାପୀ ପୋକ ସହ ଅନ୍ୟ ପୋକ ଯଥା କାଣ୍ଡବିନ୍ଧା ପୋକକୁ ପ୍ରତିହତ କରିବା ପାଇଁ କୀଟନାଶକ ବ୍ୟବହାର କରୁଥିଲେ। ୨୦୧୫ ଡିସେମ୍ବରରେ ସିଆଇସିଆର୍ ଦ୍ୱାରା ବାରମ୍ବାର କରାଯାଇଥିବା କ୍ଷେତ୍ର ଅଧ୍ୟୟନ ଅନୁଯାୟୀ ଦ୍ୱିତୀୟ ଏବଂ ତୃତୀୟ ଅମଳ ବେଳକୁ ସବୁଜ କପା କଢ଼ ଗୁଡ଼ିକ ଅଧିକ ନଷ୍ଟ ହୋଇଥିଲା। ସୂଚନା ଯୋଗ୍ୟ ଅକ୍ଟୋବରରୁ ମାର୍ଚ୍ଚ ମାସ ପାଞ୍ଚ ମାସ ମଧ୍ୟରେ ଚାରିଥର କପାଫୁଲ ତୋଳାଯାଏ। ଫୁଲ ଫୁଟି ଆସିଲେ ଚାଷୀମାନେ ଏହାକୁ ତୋଳିଦିଅନ୍ତି।

ସିଆଇସିଆର୍ ଅଧ୍ୟୟନରେ ଗୋଲାପୀ ବଲୱାର୍ମର ପୁନଃ ପ୍ରତ୍ୟାବର୍ତ୍ତନ ବିଜି-୨ର ଅସଫଳତାର ଅନେକ କାରଣ ମିଳିଥିଲା। ଏ ମଧ୍ୟରେ ଗୋଟିଏ ଦୀର୍ଘ ଅବଧି ସଂକର ପ୍ରଜାତିର ଚାଷ, ଯାହାକି ଗୋଲାପୀ ବଲୱାର୍ମ ପାଇଁ ଏକ ନିରନ୍ତର ପୁଷ୍ଟପୋଷକ ଭାବରେ କାର୍ଯ୍ୟ କରେ।

ଡଃ କ୍ରାନ୍ତିଙ୍କ କହିବାନୁଯାୟୀ ଭାରତରେ ବିଟି-କପା ମୁକ୍ତ ପରାଗ ସଂଗମ ପ୍ରଜାତି (କହିବାକୁ ଗଲେ ଦେଶୀ କପା) ପାଇଁ କରାଯିବା ଉଚିତ୍। କିନ୍ତୁ ସଂକର ପ୍ରଜାତି ପାଇଁ ନୁହେଁ। ଭାରତ ଏକ ମାତ୍ର ଦେଶ ଯାହାକି ଦେଶୀ ପ୍ରଜାତି ବଦଳରେ ହାଇବ୍ରିଡ୍ ପ୍ରଜାତିରେ ବିଟି ଜିନକୁ ସଂଯୁକ୍ତ କରିବା ପାଇଁ ଅନୁମତି ଦେଇଛି। ଯଦି କୃଷକମାନେ ଦେଶ ପ୍ରଜାତି ଚାଷ କରିବେ, ତେବେ ସେମାନଙ୍କୁ ବାରମ୍ବାର ବଜାରରୁ ବିହନ କିଣିବାକୁ ପଡ଼ିବ ନାହିଁ, କିନ୍ତୁ ସଂକର ପ୍ରଜାତି ଚାଷ କଲେ, ସେମାନଙ୍କୁ ପ୍ରତିବର୍ଷ ବିହନ କିଣିବାକୁ ପଡ଼ିବ।

ସେ କହିଥିଲେ, “ବିଜି-୨ ଦୀର୍ଘ ଅବଧି ସଂକର ବିହନ ନିମନ୍ତେ ଅନୁମୋଦନ କରାଯିବା ଉଚିତ୍ ନୁହେଁ, କିନ୍ତୁ ଆମେ ଓଲଟା କରିଛୁ। ”

ବିଗତ ତିନିବର୍ଷରେ ଗୋଲାପୀ ବଲୱାର୍ମର ପ୍ରତ୍ୟାବର୍ତ୍ତନ ଏବଂ ଏହା ଚାଷୀମାନଙ୍କର କରିଥିବା କ୍ଷୟକ୍ଷତି ଯୋଗୁ ପ୍ରାୟ ୫୦ଟି ଭାରତୀୟଟି କପା ବିହନ କଂପାନୀ ମୋନସାଣ୍ଟୋ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ଏହି କମ୍ପାନୀଠାରୁ ହିଁ ସେମାନେ ବିଜି-୧ ଓ ବିଜି-୨ କପା କୌଶଳ ହାସଲ କରିଥିଲେ। ଅତି କମରେ ୪୬ଟି କଂପାନୀ ୨୦୧୬-୧୭ରେ ମୋନସାଣ୍ଟୋକୁ ରୟାଲଟି ଦେବାକୁ ମନା କରିଦେଇଥିଲେ - ଏହା ଏକ ଭିନ୍ନ କାହାଣୀ।

କିନ୍ତୁ ବର୍ତ୍ତମାନ କିମ୍ବା ନିକଟ ଭବିଷ୍ୟରେ କୌଣସି ନୂତନ ଜିଏମ୍ ଟେକ୍ନୋଲୋଜି ଦୃଷ୍ଟିଗୋଚର ହେଉନାହିଁ, ଯାହାକି ବିଜି-୨ର ସ୍ଥାନ ନେଇପାରିବ। ଏହାଛଡ଼ା ଅଧିକ ପ୍ରଭାବଶାଳୀ କୀଟନାଶକ ନିମନ୍ତେ ମଧ୍ୟ କୌଣସି କୌଶଳ ଉପଲବ୍ଧ ହୋଇନାହିଁ। ଭାରତ ନିଜ କପାକ୍ଷେତ୍ରରେ ଭୀଷଣ ସମସ୍ୟା ସହ ଯୁଝୁଛି। ଏହା ଏକ ଫସଲ ଯାହାର କ୍ଷେତ ଦିଗନ୍ତ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥାଏ ଏବଂ ଗ୍ରାମୀଣ ଭାରତରେ ବହୁ ଅୟୁତ କର୍ମଦିବସ ସୃଷ୍ଟି କରେ।

A man walking through cotton trees
PHOTO • Jaideep Hardikar

ୱାଦାନ୍ଦ୍ରେ ୨୦୧୮ ଜାନୁଆରୀରେ ପ୍ରଥମେ ଖୁବ୍ ଲାଭଜନକ ମନେ ହେଉଥିବା ନିଜର ଫସଲକୁ ପରିତ୍ୟାଗ କରିଥିଲେ। ସେ କହିଥିଲେ ଏହି ବର୍ଷ ଭୀଷଣ ଧ୍ୱଂସକାରକ।

ମୁଁ ମୋ କ୍ଷେତ ଖୁବ୍ ଶୀଘ୍ର ହଳ କରିଦେଇପାରେ।

ଆମଗାଁଓ ଗ୍ରାମର ହତାଶ କପାଚାଷୀ ୱାଦାନ୍ଦ୍ରେ ୨୦୧୮ ଜାନୁଆରୀରେ ନିଜ ଫସଲ ପରିତ୍ୟାଗ କରିଦେଲେ। ସେ ମୋତେ କହିଲେ,  ଫସଲ ଅମଳରେ ଯେତିକି ଖର୍ଚ୍ଚ ହେବ, ତାହା ଏହି ନଷ୍ଟ ହୋଇଯାଇଥିବା କପା ମୂଲ୍ୟ ଠାରୁ ବଳକା ହୋଇଯିବ। ନିଜ କ୍ଷେତର ଡେଙ୍ଗା ଏବଂ ହୃଷ୍ଟପୁଷ୍ଟ ଗଛ ଗୁଡ଼ିକ ଯାହାକି ସିଧା ରଖିବା ପାଇଁ ସେ ବାଉଁଶଭାରା ଦେଇଥିଲେ, ସେ ମଧ୍ୟରେ ଚାଲି ଚାଲି ଯିବା ସମୟରେ ସେ କହିଲେ, “ଆପଣ ଏ ଗଛଗୁଡ଼ିକୁ ଦେଖନ୍ତୁ - ଏମିତି ଦେଖାଯାଉଛି, ଯେମିତି ସେମାନେ ମୋତେ ପ୍ରଚୁର ଅମଳ ଦେବେ। କିନ୍ତୁ ଚଳିତ ବର୍ଷ ଖୁବ୍ ହତାଶଜନକ। ”

ମହାରାଷ୍ଟ୍ରର ଅନେକ କପା ଚାଷୀ ପୁଣି ଆଉ ଏକ ବିପତ୍ତିମୟ ଅମଳ ଋତୁ ପରେ ଯେତେବେଳେ ସେମାନଙ୍କ ଫସଲ ଅମଳଯୋଗ୍ୟ ହୋଇନଥିବା ଦେଖିଲେ ନିଜ ନିଜର କ୍ଷେତକୁ ହଳ କରିନେଇଛନ୍ତି। ଯବତ୍ମାଲ୍ ଜିଲ୍ଲାର ଅନେକ ଚାଷୀ ସେମାନଙ୍କର କପାକ୍ଷେତ ଉପରେ ବୁଲ ଡୋଜର୍ ମଡାଇଦେଇଛନ୍ତି, ଅନ୍ୟମାନେ ହତାଶ ଏବଂ ଅସହାୟତା ମଧ୍ୟରେ କପା ଫସଲକୁ କ୍ଷେତରେ ଛାଡ଼ିଯାଇଛନ୍ତି। କାରଣ ସେମାନଙ୍କ ତୁଷାର ପରି ଧଳା କପା କ୍ଷେତକୁ ପୋକମାନେ ସଂପୂର୍ଣ୍ଣ ଭାବେ ଖାଇ ଯାଇଛନ୍ତି।

ପଶ୍ଚିମ ବିଦର୍ଭର ପ୍ରାୟ ୫୦ ଜଣ ଚାଷୀ ଦୁର୍ଘଟଣାବଶତଃ କୀଟନାଶକର ବିଷାକ୍ତ ପ୍ରଭାବରେ ପ୍ରାଣ ହରାଇବା, ହଜାର ହଜାର ଚାଷୀ ଅସୁସ୍ଥ ହେବା, କେତେଜଣ ୨୦୧୭ ଜୁଲାଇ - ନଭେମ୍ବରରେ ଦୃଷ୍ଟିଶକ୍ତି ହରାଇବା ଆଦି ଦୁର୍ଘଟଣାର ଅଧିକ ଦିନ ପରେ ଏହି କପା ଅମଳ ଋତୁ ଆସିନାହିଁ।

ଯେତେବେଳେ ଜାନୁଆରୀ ମାସରେ ଶୀତ ଆସେ ଯେଉଁ ସମୟରେ ଗୋଲାପୀ ପୋକମାନେ ଆନନ୍ଦରେ ଭୋଜି କରନ୍ତି, କପାଚାଷୀମାନେ ନିଜ ପାଇଁ ଆଗକୁ ଆସୁଥିବା କ୍ଷତିରେ ହତାଶ ହୋଇପଡ଼ିଥାନ୍ତି।

ଯେତେବେଳେ ଜାନୁଆରୀ ମାସରେ ମୁଁ ୱାଦାନ୍ଦ୍ରେଙ୍କୁ ଭେଟିଲି ସେତେବେଳେ ସେ ମୋତେ ଏହି କ୍ଷୁଦ୍ର କିନ୍ତୁ ଘାତକ କୀଟ ଦ୍ୱାରା ନଷ୍ଟ ହୋଇଥିବା ତାଙ୍କ କପାକ୍ଷେତକୁ ଦେଖାଇ କହିଲେ, “ମୁଁ ମଧ୍ୟ ଶୀଘ୍ର ମୋ କ୍ଷେତରେ ହଳ କରିନେବି।” ଏହା ପୂର୍ବରୁ ମୁଁ ତାଙ୍କୁ ଦୁଇଥର ଭେଟିସାରିଥିଲି। କିନ୍ତୁ ପୂର୍ବ ସମୟ ତୁଳନାରେ ଏଥର କପା ଫୁଲ ଗୁଡ଼ିକ ଗୋଲାପୀ ପୋକ ଦ୍ୱାରା ସଂପୂର୍ଣ୍ଣ ନଷ୍ଟ ହୋଇଥିବା ଦେଖିଥିଲି। ଯେତେ ଅଧିକ କୀଟନାଶକ ମଧ୍ୟ ଏମାନଙ୍କୁ ନିୟନ୍ତ୍ରଣ କରିପାରିବ ନାହିଁ, କାରଣ ଏଗୁଡ଼ିକ କପାଫୁଲ ମଧ୍ୟକୁ ପଶିଯାନ୍ତି ଏବଂ ନିଜକୁ ରାସାୟନିକ ସ୍ପ୍ରେରୁ ସୁରକ୍ଷିତ ରଖନ୍ତି। ସବୁଠାରୁ ବଡ଼କଥା ଏଗୁଡ଼ିକ ଖୁବ୍ ଜଲଦି ବହୁଗୁଣିତ ହୋଇଯାନ୍ତି ବୋଲି କହିଥିଲେ।

ୱାଦାନ୍ଦ୍ରେଙ୍କ ଚିନ୍ତା ଭାରତର କପା କ୍ଷେତରେ ସୃଷ୍ଟି ହେଉଥିବା ଏକ ଝଡ଼ ଆଡ଼କୁ ନିର୍ଦ୍ଦେଶ କରୁଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jaideep Hardikar

Jaideep Hardikar is a Nagpur-based journalist and writer, and a PARI core team member.

Other stories by Jaideep Hardikar