“ପ୍ଲେଗ୍‌ (୧୯୯୪ର) ସମୟରେ ନୁହେଁ, ଚିକୁନଗୁନିୟା ପ୍ରାଦୁର୍ଭାବ (୨୦୦୬ର) ସମୟରେ ନୁହେଁ, ଏମିତି କି ଭୂମିକମ୍ପ (୧୯୯୩ର) ସମୟରେ ବି ନୁହେଁ, କୌଣସି ସମୟରେ ଏହି ମନ୍ଦିର ବନ୍ଦ ହୋଇନଥିଲା । ଇତିହାସରେ ପ୍ରଥମ ଥର ପାଇଁ ଆମେ ଏହି ସ୍ଥିତି ଦେଖୁଛୁ ।” ସ୍ପଷ୍ଟ ଭାବେ ଚିନ୍ତିତ ସ୍ଵରରେ ଏହା କହନ୍ତି ସଞ୍ଜୟ ପେଣ୍ଡେ । ମହାରାଷ୍ଟ୍ରର ତୁଲଜାପୁର ସହରରେ ଥିବା ତୁଲଜା ଭବାନୀ ଦେବୀଙ୍କ ମନ୍ଦିରର ମୁଖ୍ୟ ସେବକଙ୍କ ମଧ୍ୟରୁ ସେ ଜଣେ ।

କୋଭିଡ୍‌-୧୯ର ବ୍ୟାପ୍ତିକୁ ରୋକିବା ଲାଗି ମାର୍ଚ୍ଚ ୧୭ ତାରିଖରେ ସରକାର ଲକ୍‌ଡାଉନ୍‌ ଘୋଷଣା କରିବା ସହିତ ଭକ୍ତମାନଙ୍କ ପାଇଁ ମନ୍ଦିରର ଦ୍ଵାର ବନ୍ଦ ହୋଇଯାଇଥିଲା । ଏଠାକାର ଲୋକେ ଏହାକୁ ବିଶ୍ଵାସ କରିପାରୁନାହାନ୍ତି । ୩୮ ବର୍ଷ ବୟସ୍କ ପେଣ୍ଡେ କହନ୍ତି, “ଏଇଟା ପୁଣି କି ପ୍ରକାରର ରୋଗ ? ବାହାର ରାଜ୍ୟରୁ ଏଠାକୁ ଭକ୍ତମାନେ ଆସୁଛନ୍ତି । କିନ୍ତୁ ସେମାନଙ୍କୁ ମନ୍ଦିର ବାହାରେ ରହି ଦର୍ଶନରେ ସନ୍ତୁଷ୍ଟ ହେବାକୁ ପଡୁଛି । ତାହା ବି ପୋଲିସ ସହ ଝଗଡ଼ା କଲା ପରେ ।” ତାଙ୍କ ଉଦ୍‌ବେଗର ଏକ ବଡ଼ କାରଣ ହେଲା ଯେ ପ୍ରତି ଦିନ ସେ ୧୦-୧୫ଟି ସ୍ଵତନ୍ତ୍ର ପୂଜା କରି ଯାହା ରୋଜଗାର କରୁଥିଲେ ତାହା ବନ୍ଦ ହୋଇଯାଇଛି । ପେଣ୍ଡେଙ୍କ ଆକଳନ ଅନୁସାରେ, ତୁଲଜାପୁରରେ ମନ୍ଦିର ସଂପର୍କିତ କାର୍ଯ୍ୟକ୍ରମରୁ ଆୟ ଉପରେ ନିର୍ଭର କରି ଚଳୁଥିବା ୫,୦୦୦ରୁ ଅଧିକ ସେବାୟତ ଅଛନ୍ତି ।

ମରାଠୱାଡ଼ା ଅଞ୍ଚଳର ଓସମାନାବାଦ ଜିଲ୍ଲାରେ ଅବସ୍ଥିତ ୩୪,୦୦୦ ଲୋକଙ୍କର (୨୦୧୧ ଜନଗଣନା ଅନୁସାରେ) ଏହି ସହରର ଅର୍ଥବ୍ୟବସ୍ଥା ଏକ ପାହାଡ଼ ଉପରେ ଥିବା ଏହି ମନ୍ଦିର ଉପରେ ନିର୍ଭର କରେ । ୧୨ଶ ଶତାବ୍ଦୀରେ ଏହି ମନ୍ଦିର ନିର୍ମିତ ହୋଇଥିଲା ବୋଲି ବିଶ୍ଵାସ କରାଯାଏ । ମହାରାଷ୍ଟ୍ର ଏବଂ ଅନ୍ୟାନ୍ୟ ରାଜ୍ୟର ବହୁ ଲୋକଙ୍କ ପାଇଁ ଦେବୀ ତୁଲଜା ଭବାନୀ ସେମାନଙ୍କ ପରିବାରର ଇଷ୍ଟଦେବୀ ଏବଂ ରାଜ୍ୟ ଭିତରର ଏକ ତୀର୍ଥଯାତ୍ରା ପଥରେ ଅବସ୍ଥିତ ଏହି ମନ୍ଦିରଟି ଦେବୀଙ୍କର ଅନ୍ୟତମ ମୁଖ୍ୟ ମନ୍ଦିର ।

'It is first time in the history that we are witnessing this', says Sanjay Pende (left), a priest at the Tulja Bhavani temple, which usually sees a throng of devotees (right)
PHOTO • Medha Kale
'It is first time in the history that we are witnessing this', says Sanjay Pende (left), a priest at the Tulja Bhavani temple, which usually sees a throng of devotees (right)
PHOTO • Medha Kale

ଇତିହାସରେ ପ୍ରଥମ ଥର ପାଇଁ ଆମେ ଏହି ସ୍ଥିତି ଦେଖୁଛୁ’, ଏହା କହନ୍ତି ସଞ୍ଜୟ ପେଣ୍ଡେ (ବାମ), ତୁଲଜା ଭବାନୀ ମନ୍ଦିରର ଜଣେ ପୂଜାରୀ । ମନ୍ଦିରରେ ସାଧାରଣତଃ ଲୋକଙ୍କ ପ୍ରବଳ ଭିଡ଼ ଲାଗି ରହିଥାଏ (ଡାହାଣ)

ହେଲେ, ମାର୍ଚ୍ଚ ୧୭ ତାରିଖ ଦିନରୁ ଏହି ସହରର ଗତିବିଧି ପ୍ରାୟ ଥମିଯାଇଛି । ମନ୍ଦିରକୁ ଯାଇଥିବା ସମସ୍ତ ଅଣଓସାରିଆ ଗଳି ରାସ୍ତା ଶୂନ୍‌ଶାନ୍‌ ହୋଇଯାଇଛି । ରାସ୍ତା ଆରପଟେ ଥିବା ମନ୍ଦିରର ଜୋତା ଷ୍ଟାଣ୍ଡ୍‌ ଏବଂ ଜିନିଷପତ୍ର ରଖିବା ଘର ଖାଲି ପଡ଼ିଛି ।

ସାଧାରଣତଃ ମହାରାଷ୍ଟ୍ର ଓ ଅନ୍ୟାନ୍ୟ ରାଜ୍ୟରୁ ଭକ୍ତମାନଙ୍କୁ ନେଇ ଯାତାୟାତ କରୁଥିବା ବ୍ୟକ୍ତିଗତ କାର୍‌, ଭଡ଼ା ଟ୍ୟାକ୍‌ସି, ‘କୁଲଜର୍‌ସ’ (ଲ୍ୟାଣ୍ଡ କ୍ରୁଇଜର୍‌ସ), ଏବଂ ଅଟୋରିକ୍‌ସାର ଗହଳଚହଳ ବଦଳରେ ଏକ ଭୟଙ୍କର ନିରବତା ଲାଗି ରହିଛି ।

ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ବସ୍‌ ଷ୍ଟାଣ୍ଡ୍‌ ବି ନିରବ ହୋଇଯାଇଛି- ଯେଉଁଠି କି ଅନ୍ୟ ସମୟରେ, ଭକ୍ତ ଓ ଯାତ୍ରୀମାନଙ୍କୁ ଛାଡ଼ିବା ପାଇଁ କିମ୍ବା ନେବା ପାଇଁ ପ୍ରତି ଅଳ୍ପ କେଇ ମିନିଟ୍‌ ବ୍ୟବଧାନରେ ଭିତରେ ପ୍ରବେଶ କରୁଥିବା କିମ୍ବା ବାହାରକୁ ବାହାରୁଥିବା ବସ୍‌ଗୁଡ଼ିକର ଶବ୍ଦରେ ସାରା ଅଞ୍ଚଳ କୋଳାହଳରେ ଭରିଉଠୁଥିଲା । ରାଜ୍ୟ ପରିବହନ ସଂସ୍ଥାର ବସ୍‌ଗୁଡ଼ିକ ପାଇଁ ତୁଲଜାପୁର ଏକ ମଧ୍ୟବର୍ତ୍ତୀ ରହଣି ସ୍ଥଳ ଏବଂ ଏଠାରୁ ରାଜ୍ୟର ସବୁ ବଡ଼ ବଡ଼ ନଗର ଏବଂ ସହର ସମେତ ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶକୁ ବସ୍‌ ଚଳାଚଳ କରିଥାଏ ।

ଏହି ସହରର ‘ମନ୍ଦିର ଅର୍ଥବ୍ୟବସ୍ଥା’ର ଆଧାର ହେଉଛି, ଭକ୍ତ, ପର୍ଯ୍ୟଟକ, ପରିବହନ ସଂସ୍ଥା, ଲଜ୍‌, ଏବଂ ପୂଜା ସାମଗ୍ରୀ, ପ୍ରସାଦ, ଦେବୀଙ୍କୁ ସମର୍ପଣ କରାଯାଉଥିବା ଶାଢ଼ି, ହଳଦୀ-କୁଙ୍କୁମ, କଉଡ଼ି, ଫଟୋ ଫ୍ରେମ୍‌, ଭକ୍ତିଗୀତର ସିଡି, ଚୁଡ଼ି ଏବଂ ଆହୁରି ଅନେକ ଜିନିଷର ଅଗଣିତ ଦୋକାନ ଏବଂ ଏମାନେ ସମସ୍ତେ ଏହି ଅର୍ଥ ବ୍ୟବସ୍ଥା ଉପରେ ନିର୍ଭର କରନ୍ତି । ଏଠାକାର ଦୋକାନୀମାନଙ୍କ ଆକଳନ ଅନୁସାରେ ମନ୍ଦିରର ଦୁଇ କିଲୋମିଟର ବ୍ୟାସାର୍ଦ୍ଧରେ ୫୫୦ରୁ ୬୦୦ ଦୋକାନ ରହିଛି । ଏହା ସହିତ ବୁଲା ବିକାଳିମାନେ ବି ଅଛନ୍ତି ଏବଂ ପ୍ରତିଦିନ ଭକ୍ତମାନଙ୍କୁ ସାମଗ୍ରୀ ବିକ୍ରି ଉପରେ ସେମାନଙ୍କ ଜୀବନଧାରଣ ନିର୍ଭର କରେ ।

ମାର୍ଚ୍ଚ ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ପ୍ରାୟ ଅଧା ଦୋକାନୀ ସେମାନଙ୍କ ଦୋକାନ ବନ୍ଦ କରିଦେଇଥିଲେ । ଅନ୍ୟମାନେ ସେଦିନ ପାଇଁ ଦୋକାନ ବନ୍ଦ କରିବାକୁ ଉପକ୍ରମ କରୁଥିଲେ । ସବୁ ବୁଲାବିକାଳି ଚାଲିଯାଇଥିଲେ ।

The chappal stand and cloak room opposite the temple are empty (left), the weekly market is silent (middle) and the narrow lanes leading to the temple are all deserted
PHOTO • Medha Kale
The chappal stand and cloak room opposite the temple are empty (left), the weekly market is silent (middle) and the narrow lanes leading to the temple are all deserted
PHOTO • Medha Kale
The chappal stand and cloak room opposite the temple are empty (left), the weekly market is silent (middle) and the narrow lanes leading to the temple are all deserted
PHOTO • Medha Kale

ମନ୍ଦିର ଆରପଟେ ଥିବା ଚପଲ ଷ୍ଟାଣ୍ଡ ଏବଂ ଜିନିଷପତ୍ର ରଖିବା ଘର ଖାଲି ହୋଇଯାଇଛି (ବାମ), ସାପ୍ତାହିକ ହାଟ ବି ନିରବ (ମଝି) ଏବଂ ମନ୍ଦିରକୁ ଯାଇଥିବା ଅଣଓସାରିଆ ଗଳି ସବୁ ଶୂନ୍‌ଶାନ

“ଏଇଟା କି ପ୍ରକାରର ରୋଗ ?” ଗୋଟିଏ ବନ୍ଦ ଦୋକାନ ଆଗରେ ବସିଥିବା ଜଣେ ମହିଳା ପଚାରିଲେ, ତାଙ୍କ ବୟସ ସମ୍ଭବତଃ ୬୦ରୁ ଅଧିକ ହେବ । “ସବୁ ବନ୍ଦ ହୋଇଯାଇଛି । ମଙ୍ଗଳବାରରୁ ଏଠାରେ ବହୁତ କମ୍‌ ଲୋକ ପହଞ୍ଚିଛନ୍ତି । ଏମିତି କି ସେମାନେ (ମନ୍ଦିର ଟ୍ରଷ୍ଟର କର୍ମକର୍ତ୍ତା ଏବଂ ପୋଲିସ) ଆମକୁ ଏଠାରେ ବସିବାକୁ ଦେଉନାହାନ୍ତି । କିନ୍ତୁ ଆମ ପେଟ ପାଇଁ ଆମର କିଛି ଦରକାର ନାହିଁ କି ?” (ସେ ଏତେ ଉତ୍ତ୍ୟକ୍ତ ହୋଇଯାଇଥିଲେ ଯେ ମୋତେ ତାଙ୍କ ନାଁ କହିବାକୁ ମନା କଲେ ଏବଂ ଫଟୋ ନେବାକୁ ଅନୁମତି ଦେଲେନାହିଁ । ମୁଁ ତାଙ୍କଠାରୁ ଡଜନେ କାଚ ଚୁଡ଼ି କିଣିଥିଲି । ମଧ୍ୟାହ୍ନରେ ଘରକୁ ଯିବା ଲାଗି ସ୍ଥିର କରିବା ପୂର୍ବରୁ ସେ ଦିନକ ପାଇଁ ସେହି ୨୦ ଟଙ୍କା ହିଁ ଥିଲା ତାଙ୍କର ରୋଜଗାର ।)

ତାଙ୍କ ବସିବା ସ୍ଥାନରୁ ଅନତି ଦୂରରେ ୬୦ ବର୍ଷର ସୁରେଶ ସୂର୍ଯ୍ୟବଂଶୀ କହନ୍ତି, “ଆମେ ମାର୍ଚ୍ଚରୁ ମେ ମାସ ଯାଏଁ ଖରା କେଇ ମାସ ଉପରେ ନଜର ରଖିଥିଲୁ । ପଡୱା (ଗୁଡ଼ି ପଡ଼ୱା, ହିନ୍ଦୁମାନଙ୍କର ଚନ୍ଦ୍ରମାସ କ୍ୟାଲେଣ୍ଡରର ପ୍ରଥମ ଦିନ) ଏବଂ ଚୈତ୍ରି ପୂର୍ଣ୍ଣିମା (ଏପ୍ରିଲ ୮) ଦିନ ଚୈତ୍ରି ଯାତ୍ରା ଆରମ୍ଭ ହେବା ପରେ ଏଠାକୁ ଦୈନିକ ହାରାହାରି ୩୦,୦୦୦ରୁ ୪୦,୦୦୦ ଭକ୍ତ ଆସନ୍ତି ।” ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ଵାରକୁ ଲାଗି ସୂର୍ଯ୍ୟବଂଶୀଙ୍କ ଦୋକାନ ରହିଛି ଏବଂ ସେ ପେଡ଼ା ଓ ମୁଢ଼ି ଏବଂ ବୁଟ ଭଜା ଭଳି ଅନ୍ୟ ପ୍ରସାଦ ସାମଗ୍ରୀ ବିକ୍ରି କରନ୍ତି । ସେ କହନ୍ତି, “ସପ୍ତାହର ଶେଷ ଦିନରେ ଏହି ସଂଖ୍ୟା (ଭକ୍ତ ଓ ଯାତ୍ରୀଙ୍କର) ଏକ ଲକ୍ଷରେ ପହଞ୍ଚେ । ଏବେ ଆମେ ଶୁଣୁଛୁ ଯେ ଯାତ୍ରା ବାତିଲ ହୋଇଗଲା । ଇତିହାସରେ ପ୍ରଥମ ଥର ପାଇଁ ।”

ତାଙ୍କ ଦୋକାନ ପରେ ରହିଛି ଅନିଲ ସୋଲାପୁରେଙ୍କ ଦୋକାନ, ଯେଉଁଠି ଧାତବ ମୂର୍ତ୍ତି, ଫ୍ରେମ୍‌ ଏବଂ ଅନ୍ୟ ଘରସଜା ସାମଗ୍ରୀ ରହିଛି ଏବଂ ରାତି ସାରା ଓ ଦିନ ସାରା ମନ୍ଦିରକୁ ଆସୁଥିବା ଗ୍ରାହକଙ୍କୁ ସେ ଏହାକୁ ବିକ୍ରି କରି ମାସକୁ ୩୦,୦୦୦-୪୦,୦୦୦ ଟଙ୍କା ରୋଜଗାର କରନ୍ତି । କିନ୍ତୁ ସେଦିନ ମଧ୍ୟାହ୍ନ ସୁଦ୍ଧା, ସେ ଗୋଟିଏ ହେଲେ ଜିନିଷ ବିକି ନଥିଲେ । ଲୁହଭରା ଆଖିରେ ସେ କହନ୍ତି, “୩୮ ବର୍ଷ ହେଲା ମୁଁ ଏଇ ଦୋକାନରେ କାମ କରୁଛି । ମୁଁ ଏଠାକୁ ସବୁଦିନ ଆସେ । କେମିତି ମୁଁ ଘରେ ଖାଲି ବସି ରହିପାରିବି ?

Left: Suresh Suryavanshi says the temple has been closed for the first time in history. Right: 'How can I just sit at home?' asks Anil Solapure, in tears
PHOTO • Medha Kale
Left: Suresh Suryavanshi says the temple has been closed for the first time in history. Right: 'How can I just sit at home?' asks Anil Solapure, in tears
PHOTO • Medha Kale

ବାମ: ସୁରେଶ ସୂର୍ଯ୍ୟବଂଶୀ କହନ୍ତି ଯେ ଇତିହାସରେ ପ୍ରଥମ ଥର ପାଇଁ ମନ୍ଦିର ବନ୍ଦ ହେଲା । ଡାହାଣ: 'କେମିତି ମୁଁ ଘରେ ବସି ରହିପାରିବି ?’, ଲୁହଭରା ଆଖିରେ ପଚାରନ୍ତି ଅନିଲ ସୋଲାପୁରେ

ଲକ୍‌ଡାଉନ୍‌ ଯୋଗୁଁ  ପ୍ରାୟ ୬୦ ବର୍ଷ ବୟସର ନାଗୁରବାଇ ଗାଏକୱାଡ଼ ବି ପ୍ରଭାବିତ ହୋଇଛନ୍ତି । ତଥାପି ସେ ଯୋଗୱା (ଭକ୍ତମାନଙ୍କର, ପ୍ରାୟତଃ ମହିଳା ଭକ୍ତମାନଙ୍କର ଏକ ପରମ୍ପରା, ଯେଉଁଥିରେ ସେମାନେ ପ୍ରତି ମଙ୍ଗଳବାର ଓ ଗୁରୁବାର ଦିନ ଭିକ୍ଷା ମାଗନ୍ତି ଏବଂ ଯାହା ପାଆନ୍ତି ସେଥିରେ ହିଁ ଚଳନ୍ତି-ସେମାନେ ଅଟା ଓ ଲୁଣ ଏବଂ ପଇସା ବି ମାଗିଥାଆନ୍ତି) ମାଗି କିଛି ରୋଜଗାର କରିବାକୁ ଚେଷ୍ଟା କରୁଛନ୍ତି । କିଛି ବର୍ଷ ତଳେ ଇଲେକ୍‌ଟ୍ରିକ୍‌ କରେଣ୍ଟ ଲାଗି ତାଙ୍କର ବାମ ହାତର ପାପୁଲି ଅଚଳ ହୋଇଗଲା ଏବଂ ଏବେ ସେ ଦିନ ମଜୁରିଆ ଭାବରେ କାମ କରିବାରେ ଅକ୍ଷମ । ସେ କହନ୍ତି, “ଚୈତ୍ରି ଯାତ୍ରାରେ ମୁଁ ଚଳି ଯାଇଥାଆନ୍ତି । କିନ୍ତୁ ଏବେ ମୋତ କିଏ ଚା’ କପେ ଦେଲେ ବି ମତେ ଲାଗୁଛି ମୋର ସୌଭାଗ୍ୟ ।”

ମନ୍ଦିରରୁ ଅନତି ଦୂରରେ ତୁଲଜାପୁର ସହରର ମଙ୍ଗଳବାର ସାପ୍ତାହିକ ହାଟ ବସେ ଏବଂ ଆଖପାଖ ଗାଁଗୁଡ଼ିକର ୪୫୦-୫୦୦ରୁ ଅଧିକ ଚାଷୀଙ୍କ ପାଇଁ ଏହା ହିଁ ଜୀବିକାର ଉତ୍ସ । ହାଟ ଏବେ ବନ୍ଦ ହୋଇଯାଇଛି ଏବଂ ଅଧିକାଂଶ ମହିଳାଙ୍କ ସମେତ ଚାଷୀମାନେ, ସେମାନଙ୍କର ତାଜା ଓ ଶୀଘ୍ର ନଷ୍ଟ ହୋଇଯିବା ଭଳି ଜିନିଷକୁ ବିକ୍ରି କରିବାରେ ଆକ୍ଷମ । ହୁଏତ ସେମାନେ ଏଥିରୁ କିଛିଟା ନିଜ ନିଜ ଗାଁରେ ବିକିଦେବେ, କିନ୍ତୁ ଏତିକିରେ ଚଳିବା ସମ୍ଭବ ହେବନାହିଁ ।

ଜଣେ ଚାଷୀ ଏବଂ ଏକ ଶିକ୍ଷାନୁଷ୍ଠାନରେ ଡ୍ରାଇଭର ରୂପେ କାର୍ଯ୍ୟରତ ସୁରେଶ ରୋକାଡ଼େ କହନ୍ତି ଯେ ମରାଠୱାଡ଼ାରେ ଏବେ ଅଙ୍ଗୁର ଅମଳ ଋତୁ । କିନ୍ତୁ ସବୁ ବଜାର ବନ୍ଦ ଥିବାରୁ ଦୁଇ ଦିନ ହେଲା ଅଙ୍ଗୁର ତୋଳିବା ବନ୍ଦ ରହିଛି । ସେ କହନ୍ତି, “ମୁଁ ଆଶା କରୁଛି ସେମାନେ ସୋମବାର (୨୩ ମାର୍ଚ୍ଚ) ଦିନ ଖୋଲିବେ ।” (ହେଲେ ସେଦିନ ରାଜ୍ୟ ସରକାରଙ୍କ ଦ୍ଵାରା ଅଧିକ କଟକଣା ଜାରି କରାଗଲା ।) କଲମ୍ବ ଭଳି କେତେକ ପଡ଼ୋଶୀ ବ୍ଲକ୍‌ରେ ଏବଂ ମରାଠୱାଡ଼ାର ଅନ୍ୟାନ୍ୟ ଜିଲ୍ଲାରେ ମାର୍ଚ୍ଚ ୧୭-୧୮ ତାରିଖରେ ହୋଇଥିବା କୁଆପଥର ବର୍ଷା ସେମାନଙ୍କ ଦୁର୍ଦ୍ଦଶାକୁ ବହୁଗୁଣିତ କରିଛି ।

ତୁଲଜାପୁରରେ ଏ ପର୍ଯ୍ୟନ୍ତ କୌଣସି କୋଭିଡ୍‌-୧୯ ପରୀକ୍ଷଣ କେନ୍ଦ୍ର ନାହିଁ । ତେଣୁ ଏଠାରେ ସଂକ୍ରମଣ ବ୍ୟକ୍ତି ଅଛନ୍ତି କି ନାହିଁ ଏବଂ ସଂକ୍ରମଣର ସମ୍ଭାବ୍ୟ ସ୍ଥିତି ସଂପର୍କରେ ବେଶୀ କିଛି ଜଣାପଡ଼ିନାହିଁ । ଖବର ଅନୁସାରେ, ରାଜ୍ୟ ସାମାଜିକ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଏକ ହଷ୍ଟେଲକୁ ୮୦ଟି କୋଠରି ବିଶିଷ୍ଟ ପୃଥକବାସ କେନ୍ଦ୍ରରେ ପରିଣତ କରାଯାଇଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

Medha Kale

ମେଧା କାଲେ ପୁନେରେ ରହନ୍ତି ଏବଂ ମହିଳା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ କାମ କରିଛନ୍ତି । ସେ ମଧ୍ୟ PARIର ଜଣେ ଅନୁବାଦକ ।

Other stories by Medha Kale