ସମା ବ୍ରହ୍ମା ମନେ ପକାଇଲେ, “ସବୁ ବୋଡୋ  ଝିଅମାନଙ୍କ ଭଳି ମୁଁ ମଧ୍ୟ ମୋ ମା’ଙ୍କୁ ବୁଣାବୁଣି କରୁଥିବାର ଦେଖି ବଡ଼  ହୋଇଛି।’’ ଲୋୟର ଆସାମର ବୋଡୋଲାଣ୍ଡର ଚିରାଙ୍ଗ ଜିଲ୍ଲାରେ ଆଜି ନଦୀ କୂଳରେ ସବୁଜ ଧାନ କ୍ଷେତ ମଧ୍ୟରେ ଥିବା ଏକ ଛୋଟ ଗାଁ ଖୁଜ୍ରାବଗୁଡ଼ି ନଂ-୨ରେ ଥିବା ତାଙ୍କ ଘରର ବାରଣ୍ଡାରେ ବାଉଁଶରେ ତିଆରି ତନ୍ତରେ ସେ ବସିଛନ୍ତି ।

ନିକଟବର୍ତ୍ତୀ ସହର ବୋଙ୍ଗାଇଗାଓଁ ପ୍ରାୟ ୨୦ କିମି ଦୂରରେ ରହିଛି । ୮୭ଟି ପରିବାର ରହୁଥିବା ତାଙ୍କ ଗାଁକୁ ଯିବା ରାସ୍ତାରେ କିଛି ସ୍ଥାନରେ ବାଲୁକାପୂର୍ଣ୍ଣ ନଦୀ ଶଯ୍ୟା ରାସ୍ତା ଭଳି କାମ କରିଥାଏ; ଗୋଟିଏ ସ୍ଥାନରେ ଏକ ଭଙ୍ଗା ବାଉଁଶପୋଲକୁ ପାଦରେ ଅତିକ୍ରମ କରିବା ସମୟରେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ ।

ଆସାମର ଗାଁମାନଙ୍କରେ ପ୍ରତି ବୋଡୋ ସଂପ୍ରଦାୟର ଘରେ ଏକ ତନ୍ତ ରହିଛି । ଏହି ସଂପ୍ରଦାୟ( ଆସାମରେ ‘ବୋରୋ’ ଭାବେ ପରିଚିତ) ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ ହୋଇଛନ୍ତି । ମହିଳାମାନଙ୍କ ନିକଟରେ ବିଶେଷ କରି ଭାବି କନ୍ୟାଙ୍କ କ୍ଷେତ୍ରରେ ବୁଣାବୁଣିକୁ ଖୁବ୍ ପ୍ରଶଂସନୀୟ ଦକ୍ଷତା ଭାବେ ଦେଖାଯାଇଥାଏ । ଅବଶ୍ୟ ସମାଙ୍କ ଭଳି ଅଳ୍ପ କିଛି ମହିଳା ଏହି ପାରମ୍ପରିକ ଦକ୍ଷତାକୁ ରୋଜଗାର ପାଇଁ ବ୍ୟବହାର କରିଛନ୍ତି । ଏବେ ୪୨ ବର୍ଷରେ ଉପନୀତ ସମା କହିଲେ, “ମୋତେ ୧୫ ବର୍ଷ ହେବା ପୂର୍ବରୁ ମୁଁ ବୁଣାବୁଣି ଆରମ୍ଭ କରିଥିଲି । ସାଲା ମାତା କପଡ଼ା (ସାଧାରଣ ଫେବ୍ରିକ୍ ) ବୁଣି ମୁଁ ଏହି କଳାକୁ ଭଲ ଭାବେ ଆୟତ୍ତ କଲି।’’ “ ଅଧିକ ଆତ୍ମବିଶ୍ୱାସୀ ହେବା ପରେ ମୁଁ ଗୋମୋସା (ସାଲ ପରି କପଡ଼ା) ଭଳି ପାରମ୍ପରିକ ଜିନିଷ ବୁଣିଲି, ତା’ ସହିତ ବେଡସିଟ୍‌ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବୁଣାବୁଣି କଲି । କିନ୍ତୁ ଦୋଖୋନା (ଶାଢି ଭଳି କପଡ଼ା) ବୁଣିବାକୁ ବିଶେଷ କରି ଜଟିଳ ଫ୍ଲାୱାର ମୋଟିଫ୍ ଥିବା ଦୋଖୋନାକୁ ମୁଁ ସବୁଠୁ ଅଧିକ ଉପଭୋଗ କଲି ।’’

Sama seated at her bamboo pedal loom
PHOTO • Anne Pinto-Rodrigues
Sama seated at her bamboo pedal loom
PHOTO • Anne Pinto-Rodrigues

ବୋଡୋଲ୍ୟାଣ୍ଡର ଖୁଜ୍ରାବଗୁଡ଼ି ନଂ-୨ ଗାଁରେ ସମା ବ୍ରହ୍ମା ତାଙ୍କର ବାଉଁଶଚାଳିତ ପେଡାଲ ତନ୍ତରେ ପ୍ରତିଦିନ ୬-୮ ଘଣ୍ଟା  ଧରି ବୁଣିଥାନ୍ତି ଏବଂ କ୍ୱଚିତ ବିରତି ନିଅନ୍ତି ।

ମୁଁ ଯେତେବେଳେ ତାଙ୍କ ଘରକୁ ଗଲି ସେତେବେଳେ ସମାଙ୍କ ନିକଟରେ କଥା ହେବାକୁ କିଛି ସମୟ ଥିଲା । ତାଙ୍କ ଘର ବାଉଁଶ ପାତିଆରେ ତିଆରି ହୋଇଥିବା ବେଳେ ତା’ ଉପରେ କାଦୁଅ ଲେପନ କରାଯାଇଛି । ଉପରେ ଟିଣ ଛିଆଯାଇଛି । ସେଦିନ ତାଙ୍କର ଛୁଟି ଦିନ ଥିଲା, ନିକଟବର୍ତ୍ତୀ  ନିମ୍ନ ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟାହ୍ନଭୋଜନ ରାନ୍ଧିବା ପାଇଁ ତାଙ୍କର ସେଦିନ ଯିବାର ନଥିଲା । ସେ ସୋମବାରରୁ ଶୁକ୍ରବାର ଯାଏ ସକାଳ ୧୦ଟାରୁ ୧ଟା ଯାଏ ସେଠାରେ ରାନ୍ଧିଥାନ୍ତି । ସେଥିପାଇଁ ମାସିକ ୧୦୦୦ ଟଙ୍କା ପାଇଥାନ୍ତି। ପୂର୍ବରୁ କ୍ୱଚିତ୍ ସେ ହାଣ୍ଡିଆ ତିଆରି କରୁଥିଲେ ଏବଂ ତାକୁ ବିକ୍ରି କରୁଥିଲେ । ସେ ଯାହା ବୁଣୁଥିଲେ ତାହା ତାଙ୍କର ଏବଂ ତାଙ୍କ ପରିବାରର କାମରେ ଆସୁଥିଲା ।

୨୦୦୦ ମସିହାର ଆରମ୍ଭ ବେଳକୁ ସମା ଏକ ସ୍ଥାନୀୟ ବୟନଗ୍ରୁପ୍ ଆଗୋର ଡାଗ୍ରା ଆଫାଦ୍ (ବୋଡୋ ଭାଷାରେ ଏହିସବୁ ଶଦ୍ଦର ଅର୍ଥ ହେଲା ‘ଡିଜାଇନ୍’, ‘ ବୁଣାଳୀ’ ଏବଂ ‘ ସଂଗଠନ’)ରେ ଯୋଗ ଦେଇଥିଲେ । ଏହା ବୁଣାଳୀମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ପାରମ୍ପରିକ ବୟନ ଜ୍ଞାନ ଦ୍ୱାରା ସ୍ଥାନୀୟ ମହିଳାମାନଙ୍କୁ ରୋଜଗାରକ୍ଷମ କରାଇବା ଲାଗି ତାହା ଆରମ୍ଭ ହୋଇଥିଲା । ସମା ଆଗୋରରୁ ଡାଇ ହୋଇଥିବା ସୂତା ନେଇଥାନ୍ତି ଯାହାକୁ କି ସେ ଫେବ୍ରିକ୍ ଭାବେ ବୁଣିଥାନ୍ତି । ହାତରେ ବୁଣା ହୋଇଥିବା ସେହି ଫେବ୍ରିକ୍‌କୁ ସଂସ୍ଥା ଦ୍ୱାରା ସଂଗ୍ରହ କରାଯାଇଥାଏ ଏବଂ ପରେ ସେଥିରେ ପୋଷାକ ତିଆରି କରାଯାଏ । ସେହି ପୋଷାକଗୁଡ଼ିକୁ ପ୍ରଦର୍ଶନୀମାନଙ୍କରେ ଓ ଭାରତରେ କିଛି ଷ୍ଟୋରରେ ବିକ୍ରି କରାଯାଏ ।

ଏହି କାମ ଯୋଗୁ ସମା ପ୍ରତି ମିଟର କପଡ଼ା ପିଛା ୭୫ ଟଙ୍କା ପାଇଥାନ୍ତି । ଯେଉଁମାସରେ ସେ ୪୫-୫୦ ମିଟର ବୁଣି ଦିଅନ୍ତି ତାଙ୍କୁ ପ୍ରାୟ ୪୦୦୦ ଟଙ୍କା ମିଳିଯାଏ । ସେ ବୁଝାଇଲେ, “ଯେହେତୁ ଆଗୋର ତାଙ୍କୁ କେବଳ ସାଧା କପଡ଼ା(ବିନା ମୋଟିଫ୍‌ରେ) ବୁଣିବାକୁ କହିଥାଏ ତେଣୁ ସେ ତାକୁ ଖୁବ୍ ଶୀଘ୍ର କରିଦେଇଥାନ୍ତି ।’’

ନିଜର ପ୍ରାୟ ୮୦ ଜଣିଆ ବୟନଗ୍ରୁପ୍ ମଧ୍ୟରେ ସମା ଶୀର୍ଷ ସ୍ଥାନରେ ଅଛନ୍ତି । ୨୦୧୪ରୁ ସଂଗଠନ ଆରମ୍ଭ ହେବା ପରେ ୩ ବର୍ଷ ଧରି  ସେ ସବୁଠୁ ଅଧିକ ଫେବ୍ରିକ୍ ବୁଣିଛନ୍ତି । ତାଙ୍କର ପ୍ରେରଣା ପୂରା ସ୍ପଷ୍ଟ । ସେ ତାଙ୍କର ପିଲାଙ୍କ ପାଇଁ ଶିକ୍ଷାର ବ୍ୟବସ୍ଥା କରିବାକୁ ଚାହୁଁଛନ୍ତି । ଲୁହଭର୍ତ୍ତି ଆଖିରେ ସେ କହିଲେ, “ମୋର ବଡ଼ ଝିଅ ମେନୁକା (୨୧) କଥା ଭାବି ମୋତେ ଖୁବ୍ ଦୁଃଖ ଲାଗେ । ତାକୁ ଷଷ୍ଠ ଶ୍ରେଣୀରୁ ସ୍କୁଲ ଛାଡ଼ିବାକୁ ପଡ଼ିଲା ।’’ “ ସେତେବେଳେ ତାର ପାଠପଢା ପାଇଁ ଆମ ପାଖରେ ଟଙ୍କା ନଥିଲା । କିନ୍ତୁ ମୋର ଅନ୍ୟ ପିଲାମାନଙ୍କର ସମାନ ଭାଗ୍ୟ ହେବାକୁ ମୁଁ ଦେବିନାହିଁ ।’’

Sama tinkering with the warping drum that has recently been installed at her home. The warping drum is used to prepare the vertical yarn known as ‘warp’, which is later loaded on the loom
PHOTO • Anne Pinto-Rodrigues
Sama shares a joke with her daughter Sulekha
PHOTO • Anne Pinto-Rodrigues

ସମା ନିଜ ଝିଅ ସୁଲେଖା (ବାମ)ଙ୍କ ସହ ନିକଟରେ ଲଗାଯାଇଥିବା  ରାପିଙ୍ଗ ଡ୍ରମ୍ (ବାମ) ଯାହାକୁକି ସୂତା ବଣ୍ଡଲକୁ ସିଧା କରିବା ପାଇଁ ବ୍ୟବହାର କରାଯାଇଥାଏ ତାକୁ ଏପଟ ସେପଟ କରୁଛନ୍ତି । ପରେ ସେହି ସୂତାକୁ ତନ୍ତରେ ଭର୍ତ୍ତି କରାଯାଇଥାଏ ।

ତାଙ୍କର ୧୫ ବର୍ଷୀୟ ପୁଅ ସ୍ୱରାଙ୍ଗ ଏବଂ ୧୨ ବର୍ଷୀୟ ଝିଅ ଲକ୍ଷ୍ମୀ ଏବେ ମଧ୍ୟ ସ୍କୁଲରେ ପାଠପଢୁଛନ୍ତି । ୧୮ ବର୍ଷୀୟ ଝିଅ ସୁଲେଖା ଏକ ଆର୍ଟସ କଲେଜରେ ଯୁକ୍ତ ଦୁଇ ପଢୁଛନ୍ତି । ସମା କହିଲେ, “ସୁଲେଖା ସ୍ନାତକ ଶିକ୍ଷା ଶେଷ କରିବାକୁ ବଦ୍ଧପରିକର ।’’ “ଏବଂ ସେ ଯେପରି ତାହା କରିପାରିବ ସେଥିପାଇଁ ମୁଁ ମୋର ସାଧ୍ୟ ମୁତାବକ ସବୁକିଛି କରିବାକୁ ଚାହୁଁଛି । ତା’ ପାଇଁ ମୁଁ ଅଧିକ ବୁଣୁଛି । ତାର ଲକ୍ଷ୍ୟ ଆଗରେ  ମୁଁ ମୋର ଯନ୍ତ୍ରଣାକୁ ଆସିବାକୁ ଦେବିନାହିଁ ।’’

ସମା ନିଜେ କେବଳ ଦ୍ୱିତୀୟ ଶ୍ରେଣୀ ଯାଏ ପଢିଛନ୍ତି (ଏକ ବୋଡୋ ମାଧ୍ୟମ ସ୍କୁଲରେ) ଏବଂ ତାଙ୍କର ପରିବାରରେ କାହା ନିକଟରେ କଲେଜ ଡିଗ୍ରୀ ନାହିଁ । ତାଙ୍କ ଗାଁରେ ସାଧାରଣତଃ କେବଳ ପୁଅମାନେ ସ୍ନାତକ ଶିକ୍ଷା ଶେଷ କରିଛନ୍ତି । ତେଣୁ ତାଙ୍କର ଝିଅ ଯେପରି ବିଏ ଡିଗ୍ରୀ ହାସଲ କରିବ ସେଥିପାଇଁ ସେ ଆଗ୍ରହର ସହ ଅପେକ୍ଷା କରିଛନ୍ତି । “ ମୁଁ ଅଧିକ ବୁଣୁଛି ଯେପରିକି ମୋ ଝିଅ ଆମର ଗାଁର ପ୍ରଥମ ଝିଅ ଭାବେ ସ୍ନାତକ ଶିକ୍ଷା ଶେଷ କରିବ ।’’

ସକାଳ ୫ଟା ବେଳକୁ ଉଠିବା  ଏବଂ ବହୁ ସମୟ ଧରି ଘର କାମ କରିବା ପରେ ସମା ଦିନକୁ ୬-୮ ଘଣ୍ଟା ଧରି ବୁଣିଥାନ୍ତି । ପ୍ରତିଦିନ ସେ ନିଜ ତନ୍ତରେ ବୁଣିଥାନ୍ତି, କ୍ୱଚିତ୍ ସେ ଦିନଟିଏ ପାଇଁ  ବିରତି ନେଇଥାନ୍ତି । ସେ ଯେଉଁ ବାଉଁଶ ତନ୍ତ ବ୍ୟବହାର କରୁଛନ୍ତି ତାକୁ ତାଙ୍କର ସ୍ୱାମୀ ଧନେଶ୍ୱର ବ୍ରହ୍ମା ତିଆରି କରିଛନ୍ତି । ସେ ସେମାନଙ୍କର ଗାଁ ବା ନିକଟବର୍ତ୍ତୀ ଗାଁମାନଙ୍କରେ ଦିନମଜୁରୀ କାମ କରି ୩୦୦ ଟଙ୍କା ଲେଖାଏଁ ରୋଜଗାର କରିଥାନ୍ତି । ତାଙ୍କ ରୋଜଗାରରେ ଘରଖର୍ଚ୍ଚ ଚଳିଥାଏ । ସମାଙ୍କର ଅଧିକାଂଶ ରୋଜଗାର ସେମାନଙ୍କର ପିଲାମାନଙ୍କର ପାଠପଢାରେ ଖର୍ଚ୍ଚ ହୁଏ । ସେ କହିଲେ, “ମୋତେ ସୁଲେଖାକୁ ଏକ ସାଇକେଲ କିଣି ଦେବାକୁ ପଡ଼ିଲା ଯେପରିକି ସେ କଲେଜ ଯାଇପାରିବ ।’’ ତାଙ୍କ ଗାଁ ପାଖରୁ ବିଜନି ସହରରେ ଥିବା ନିକଟବର୍ତ୍ତୀ କଲେଜ ପ୍ରାୟ ୨୫ କିମି ଦୂର । ସୁଲେଖା ପ୍ରଥମେ ୫ କିମି ସାଇକେଲ ଚଳାଇ ମଙ୍ଗୋଲିଆନ୍ ବଜାରରେ ପହଞ୍ଚିଥାନ୍ତି । ସେଠାରୁ ସେ ଅନ୍ୟଜଣକ ସହ ମିଶି ରିକ୍ସା ଭଡ଼ା କରି ବିଜନି ଯାଇଥାନ୍ତି ।

Doing the household chores forms a big part of Sama’s day
PHOTO • Anne Pinto-Rodrigues
Sama heads to the market on her bicycle
PHOTO • Anne Pinto-Rodrigues

ଘର କାମ ପାଇଁ ସମୟ ଲାଗିବା ଯୋଗୁ ତନ୍ତରେ ସମାଙ୍କର ସମୟ କମିଯାଉଛି; ବଜାର ଯିବା ଏବଂ ପ୍ରତିଦିନର ଅନ୍ୟାନ୍ୟ କାମ କରିବା ଲାଗି ସେ ତାଙ୍କର ସାଇକେଲ ବ୍ୟବହାର କରିଥାନ୍ତି ।

କିନ୍ତୁ ଯୁବପିଢି ଯେତେ ଶିକ୍ଷିତ ହୋଇ ଚାକିରି ପାଉଛନ୍ତି ବୋଡୋ ବୟନ ଦକ୍ଷତା ଧୀରେ ଧୀରେ ଲୋପ ପାଉଛି । ସମା ଆଶା ପ୍ରକାଶ କରି କହିଲେ, “ମୁଁ ପରମ୍ପରାକୁ ବଞ୍ଚାଇ ରଖିବା ଲାଗି ମୋ ଭାଗର କର୍ତ୍ତବ୍ୟ କରୁଛି ।’’ “ ମୁଁ ମୋର ବଡ଼ ଦୁଇ ଝିଅଙ୍କୁ ବୁଣିବା ଶିଖାଇ ଦେଇଛି । ମେନୁକା ଏବେ ଜଟିଳ ମୋଟିଫ୍ ବୁଣିପାରୁଛି, ଯେତେବେଳେ କି ସୁଲେଖା ବୁଣାବୁଣି ଶିଖିବାକୁ ଉଦ୍ୟମ କରୁଛି, ସେ ସହଜ  ଫେବ୍ରିକ୍ ତିଆରି କରୁଛି ।’’

ହାତ ବୁଣା ଫେବ୍ରିକ୍ ପାଇଁ ଚାହିଦା ମଧ୍ୟ ବଢୁଛି । “ କିଛି ବର୍ଷ ତଳୁ ପଶ୍ଚିମବଙ୍ଗରୁ ଆସୁଥିବା ମେସିନ୍ ତିଆରି ଦୋଖୋନା ବଜାର ସାରା ଦେଖିବାକୁ ମିଳୁଥିଲା । ସେଗୁଡ଼ିକ ଖଣ୍ଡ ପିଛା ୨୫୦-୩୦୦ ଟଙ୍କା ପଡୁଥିବା ବେଳେ ତାହା କିଣିବା ସହଜସାଧ୍ୟ ଥିଲା, କିନ୍ତୁ ତାର ଗୁଣବତ୍ତା ଭଲ ନଥିଲା । ବର୍ତ୍ତମାନ ହାତତିଆରି ଦେଖୋନୋର ଯୁଗ ପୁଣି ଫେରିଛି ଏବଂ ଗୋଟିଏ ଦୋଖୋନା ତିଆରି କରିବା ପାଇଁ କେତେ ପରିଶ୍ରମ ଆବଶ୍ୟକ ହୋଇଥାଏ ଲୋକମାନେ ସେହି ଉଦ୍ୟମକୁ ସ୍ୱୀକାର କରୁଛନ୍ତି । ସେମାନେ ଗୋଟିଏ ଦୋଖୋନା ପାଇଁ ପ୍ରାୟ ୬୦୦ ଟଙ୍କା, ସମୟ ସମୟରେ ତା’ଠାରୁ ଅଧିକ ଦେବାକୁ ରାଜି ହେଉଛନ୍ତି ।’’

ଆମେ ସମାଙ୍କର ସାଇକେଲ ଆଡକୁ ଅଗ୍ରସର ହେଲୁ- ସେ ଏହାକୁ ବଜାର ଯିବା ଏବଂ ପ୍ରତିଦିନର ଅନ୍ୟ କାମ କରିବା ପାଇଁ ବ୍ୟବହାର କରିଥାନ୍ତି । ତା’ ପରେ ମୁଁ ତାଙ୍କୁ ବିଦାୟ ଜଣାଇଲି । ତାଙ୍କ ପରିବାର ପାଇଁ ଅର୍ଥ ଏକ ସମସ୍ୟା ହୋଇଥିବାବେଳେ ରୋଜଗାର କରିବା ପାଇଁ ସୁଯୋଗ ମିଳିବା ଏବଂ ନିଜ ପିଲାମାନଙ୍କର ପାଠପଢା ପାଇଁ ସହାୟତା କରୁଥିବା ଯୋଗୁ ସମା ଖୁସି ଅଛନ୍ତି । ସେ ଦୃଢଭାବେ ବିଶ୍ୱାସ କରୁଛନ୍ତି ଯେ ସୁଲେଖାଙ୍କ ପିଢିର ଏକ ଉଜ୍ଜ୍ୱଳ ଭବିଷ୍ୟତ ଅଛି ।

ଏହି ଆଲେଖ୍ୟ ପାଇଁ ଆଗୋର ଡାଗ୍ରା ଆଫାଦ୍ର ମ୍ୟାନେଜର ରହିମୋଲ ନାରଜାରିଙ୍କୁ ଧନ୍ୟବାଦ ଜଣାଉଛି । ସେ ଏହି ସାକ୍ଷାତକାର ପାଇଁ ସହାୟତା କରିଥିଲେ ଏବଂ ବୋଡୋ ଭାଷାରୁ ଅନୁବାଦ କରିଥିଲେ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Anne Pinto-Rodrigues

Anne Pinto-Rodrigues is a Netherlands-based writer and photographer. Her work can be viewed at www.annepintorodrigues.com

Other stories by Anne Pinto-Rodrigues