ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ୍ ଏବଂ ତୱାଙ୍ଗ ଜିଲ୍ଲାର ମୋନ୍‌ପା ଜନଜାତି ଅନ୍ତର୍ଭୁକ୍ତ ଏକ ନିର୍ଜନତାପ୍ରିୟ ପଶୁପାଳକ ସଂପ୍ରଦାୟ ହେଉଛି ବ୍ରୋକ୍‌ପା। ସେମାନେ ଯାଯାବର ସଂପ୍ରଦାୟର ଏବଂ ଏକ ନିର୍ଦ୍ଦିଷ୍ଟ ଧାରାରେ ଏଠାରୁ ସେଠାକୁ ଘୂରି ବୁଲନ୍ତି ଏବଂ ୯,୦୦୦ରୁ ୧୫,୦୦୦ ଫୁଟ ଉଚ୍ଚ ପାର୍ବତ୍ୟାଞ୍ଚଳରେ ବସବାସ କରନ୍ତି। ଅକ୍ଟୋବରରୁ ଏପ୍ରିଲ୍‌ ପର୍ଯ୍ୟନ୍ତ ସୁଦୀର୍ଘ ଶୀତ ଋତୁରେ ସେମାନେ ତଳିଆ ଅଞ୍ଚଳକୁ ଏବଂ ମେ’ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଗ୍ରୀଷ୍ମ ଓ ବର୍ଷା ଋତୁରେ ଉଚ୍ଚ ସ୍ଥାନକୁ ଚାଲି ଯାଆନ୍ତି ।

ନଭେମ୍ବର ୨୦୧୬ରେ, ଦିନେ ସକାଳେ ମୁଁ ପଶ୍ଚିମ କାମେଙ୍ଗର ଥେମ୍‌ବାଙ୍ଗ୍‌ ଗାଁରୁ ଯାତ୍ରା ଆରମ୍ଭ କଲି। ଥେମ୍‌ବାଙ୍ଗ ପ୍ରାୟ ୭,୫୦୦ ଫୁଟ୍‌ ଉଚ୍ଚତାରେ ଅବସ୍ଥିତ। ଏହା ସଂପୂର୍ଣ୍ଣ ଭାବେ ଏକ ମୋନ୍‌ପା ଗାଁ, ଯେଉଁଠି ପ୍ରାୟ ୬୦ଟି ଘରେ ଲୋକେ ରହନ୍ତି । ନିକଟତମ ସହର ଦିରାଙ୍ଗ୍‌, ସେଠାରୁ ୨୬ କିଲୋମିଟର ଦୂର ।

ପରଦିନ ମୁଁ ଦଳେ ବ୍ରୋକ୍‌ପାଙ୍କର ଏକ ଶୀତଦିନିଆ ବସତି ଲାଗାମ୍‌କୁ ଗଲି । ୮,୧୦୦ ଫୁଟ୍‌ ଉଚ୍ଚତାରେ ଅବସ୍ଥିତ ଲାଗାମ୍‌ରେ ପହଞ୍ଚିବାକୁ ମୁଁ ୮ଘଣ୍ଟାରୁ ଅଧିକ କାଳ ଘଞ୍ଚ ଜଙ୍ଗଲ ଭିତର ଦେଇ ପ୍ରାୟ ୧୧ କିଲୋମିଟର ଚାଲିଲି। ସନ୍ଧ୍ୟା ୬ଟାରେ ଯେତେବେଳେ ମୁଁ ସେଠାରେ ପହଞ୍ଚିଲି, ହସହସ ମୁହଁରେ ମୋତେ ଉତ୍ସାହପୂର୍ଣ୍ଣ ଭାବେ ସ୍ୱାଗତ କଲେ ଜଣେ ବ୍ରୋକ୍‌ପା ପଶୁପାଳକ,୨୭ ବର୍ଷ ବୟସ୍କ ପେମ୍‌ ସେରିଂ। ପରଦିନ ସକାଳେ ମୁଁ ଦେଖିଲି ଯେ, ପ୍ରକୃତରେ ଲାଗାମ୍‌ ହେଉଛି ବ୍ରୋକ୍‌ପା ପଶୁଚରାଳିମାନଙ୍କର ଶୀତକାଳୀନ ଛୋଟିଆ ଗାଁଟିଏ। ଏଠାରେ ଏକ କ୍ଷୁଦ୍ର ବୌଦ୍ଧମଠ ରହିଛି । ଏଠାରେ ପଥର ଓ ବାଉଁଶରେ ଗଢ଼ା ଏବଂ ଟିଣର ଛାତ ଥିବା ୮ରୁ ୧୦ଟି ଘରେ ପ୍ରାୟ ୪୦-୪୫ ଜଣ ଲୋକ ରହନ୍ତି। ନଭେମ୍ବରରେ ପଶୁଚରାଳିମାନେ ଏହି ତଳିଆ ଚାରଣଭୂମି ଅଞ୍ଚଳକୁ ଓହ୍ଲାଇ ଆସୁଥିବାରୁ ଛୋଟ ଗାଁଟି ଲୋକରେ ଭରି ଯାଏ। ମେ’ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଲାଗାମ୍‌ ଗାଁଟି ପ୍ରାୟ ଖାଲି ପଡ଼ିଥାଏ।

କାରଣ ଯୁବ ପଶୁପାଳକମାନେ ସେମାନଙ୍କର ଚମରୀ ଗାଈ ଓ ଘୋଡ଼ା ପଲଙ୍କୁ ନେଇ, ମାଗୋ ଗାଁ ଭଳି ଉଚ୍ଚ ଅଞ୍ଚଳକୁ ଚାଲି ଯାଆନ୍ତି । ସାଧାରଣତଃ ବୟସ୍କମାନେ ଘରେ ରହିଯାଆନ୍ତି ।

ସେରିଂ ଓ ଅନ୍ୟ ବ୍ରୋକ୍‌ପାମାନଙ୍କ ସହ ମୁଁ କିଛି ଦିନ କାଟିଲି। ପେମ୍‌ କହନ୍ତି, “ସବୁବେଳେ ଆମକୁ ବହୁ ଦୂର ଚାଲିବାକୁ ହୁଏ । ଖରାଦିନିଆ ଚାରଣଭୂମି ପାଇଁ ପ୍ରତି ବର୍ଷ ଆମେ ଜଙ୍ଗଲ ଭିତର ଦେଇ ମାଗୋ ଗାଁକୁ ଯାଉ । ଏଥିପାଇଁ ୪-୫ ଦିନ କାଳ ଲଗାତର ଚାଲିବାକୁ ପଡ଼େ। କେବଳ ରାତିରେ ଯାହା ଆମେ ଏକ ବିରତି ନେଉ ।”

ତିବ୍ବତ ଓ ଉତ୍ତର-ପୂର୍ବ ଭାରତର ସୀମା ସୂଚାଉଥିବା ବିବାଦୀୟ ମ୍ୟାକ୍‌ମୋହନ ଲାଇନ୍‌ ନିକଟ ମାଗୋଗାଁ,୧୧,୮୦୦ଫୁଟ୍‌ ଉଚ୍ଚରେ ଅବସ୍ଥିତ। ଖରାଦିନେ ମାଗୋରେ ପହଞ୍ଚିବାକୁ ବ୍ରୋକ୍‌ପାମାନେ ଆହୁରି ଉଚ୍ଚ ସ୍ଥାନରେ ଥିବା ପାହାଡ଼ିଆ ଓ ଘାଟି ରାସ୍ତା ଦେଇ ଯାଆନ୍ତି। ସେମାନଙ୍କ ଯାତ୍ରାପଥରେ ରହିଛି ଲାଗାମ୍‌, ଥୁଙ୍ଗରି, ଚାଙ୍ଗ୍‌ ଲା, ନ୍ୟାଙ୍ଗ, ପୋଟୋକ୍‌, ଲୁର୍‌ଥିମ୍‌ ଏବଂ ତା’ପରେ ମାଗୋ।

ଅନ୍ୟମାନେ କେବଳ ତୱାଙ୍ଗରୁ ସଡ଼କ ପଥରେ ଏହି ଅଞ୍ଚଳରେ ପହଞ୍ଚିପାରିବେ। ଭାରତୀୟ ସେନା ନିକଟରୁ ସ୍ୱତନ୍ତ୍ର ଅନୁମତି ନେଇ ଏହି ଅଞ୍ଚଳ ବାହାରୁ ଆସିଥିବା ଭାରତୀୟ ନାଗରିକମାନେ ଏଠାରେ କେବଳ ଗୋଟିଏ ରାତି ପାଇଁ ରହିପାରିବେ। ସୀମା ବିବାଦ କାରଣରୁ, ମାଗୋରେ ରହିବାକୁ ଆସୁଥିବା ବ୍ରୋକ୍‌ପାମାନଙ୍କୁ ବି ସରକାର ଦେଇଥିବା ପରିଚୟ ପତ୍ର ସାଙ୍ଗରେ ଆଣିବାକୁ ପଡ଼େ।

ବ୍ରୋକ୍‌ପାମାନଙ୍କର ନିତିଦିନିଆ ଜୀବନ ସରଳ ଲୟରେ ପରିବେଷ୍ଟିତ। ଚମରୀ ଗାଈ ସେମାନଙ୍କ ରୋଜଗାରର ମୁଖ୍ୟ ସ୍ରୋତ। ସେମାନେ ଏହାର କ୍ଷୀର ସଂଗ୍ରହ କରି ଛେନା ଓ ଲହୁଣୀ ପ୍ରସ୍ତୁତ କରନ୍ତି, ଏବଂ ଏହି ଜିନିଷଗୁଡ଼ିକୁ ସ୍ଥାନୀୟ ବଜାରରେ ବିକ୍ରି କରନ୍ତି। ସଂପ୍ରଦାୟ ଭିତରେ ସାମଗ୍ରୀ ବିନିମୟ ପଦ୍ଧତି ବି ଚାଲୁ ରହିଛି। “କୃଷି ଯେଉଁଠିକାର ମୁଖ୍ୟ ଜୀବିକା, ସେଭଳି ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସହ ସେମାନେ ଚମରୀ ଗାଈ ଏବଂ କ୍ଷୀରରୁ ତିଆରି ସାମଗ୍ରୀ ଅଦଳବଦଳ କରନ୍ତି।” ଥେମ୍‌ବାଙ୍ଗ ଗାଁର ଜଣେ ମୋନ୍‌ପା ଏବଂ ‘ଡବ୍ଲୁଡବ୍ଲୁଏଫ୍‌-ଇଣ୍ଡିଆ’ସ୍‌ ୱେଷ୍ଟର୍ଣ୍ଣ ଅରୁଣାଚଳ ଲ୍ୟାଣ୍ଡସ୍କେପ୍‌ ପ୍ରୋଗ୍ରାମ୍‌’ର ପ୍ରକଳ୍ପ ଅଧିକାରୀ ବାପୁ ପେମା ୱାଙ୍ଗେ କହନ୍ତି, “ଆମେ (ତାଙ୍କ ବଂଶ, ବାପୁ) ସେମାନଙ୍କ ସହ ସାମଗ୍ରୀ ବିନିମୟର ବ୍ୟବସାୟ କରୁ । ଆମେ ଆମର ମକା, ବାର୍ଲି, ବାଜରା ଏବଂ ଶୁଖିଲା ଲାଲ ଲଙ୍କା ବଦଳରେ ସେମାନଙ୍କର ଲହୁଣୀ, ଛୁର୍ପି ଏବଂ ଚମରୀ ଗାଈ ମାଂସ ନେଇଥାଉ । ମୂଳକଥା ହେଲା ସେମାନେ ଖାଦ୍ୟ ପାଇଁ ଆମ ଉପରେ ନିର୍ଭର କରନ୍ତି ଏବଂ ଆମେ ଖାଦ୍ୟ ପାଇଁ ସେମାନଙ୍କ ଉପରେ ନିର୍ଭର କରୁ ।”

ରାଜକୀୟ ବାପୁ ବଂଶ ପାଖରେ ଉତ୍ତରାଧିକାରୀ ଭାବେ ବଡ଼ ବଡ଼ ଜମି ରହିଛି ଏବଂ ଏଥିରେ ପଶୁ ଚରାଇବା ଅଧିକାର ପାଇଁ ସେମାନେ ଅନ୍ୟ ବଂଶର ଲୋକଙ୍କଠାରୁ ଏକ ଟିକସ (ସାଧାରଣତଃ ସାମଗ୍ରୀ ଆକାରରେ, ଯେମିତି କି ମେଣ୍ଢା କିମ୍ବା ଲହୁଣୀ) ଅସୁଲ କରନ୍ତି। ୱାଙ୍ଗେ କହନ୍ତି, କିନ୍ତୁ ଲାଗାମ୍‌ର ବ୍ରୋକ୍‌ପାମାନଙ୍କୁ ଏହି ଟିକସ ଛାଡ଼ କରାଯାଇଛି, କାରଣ “ସେମାନେ ଆମ ଦେବତା, ଲାଗାମ୍‌ ଲାମା (ପ୍ରାକୃତିକ ପଥରର ଏକ ମୂର୍ତ୍ତି)ଙ୍କର ଯତ୍ନ ନିଅନ୍ତି ।”

ଏ ବର୍ଷ ଶେଷ ଭାଗରେ, ଅକ୍ଟୋବରର ମଧ୍ୟଭାଗ ସୁଦ୍ଧା, ବ୍ରୋକ୍‌ପାମାନେ ସେମାନଙ୍କ ଖରାଦିନିଆ ତୃଣଭୂମିରୁ ତଳକୁ ଓହ୍ଲାଇ ଆସିବେ। “ଆମେ ଜଙ୍ଗଲ ଭିତର ଦେଇ ଚାଲିଚାଲି ଯାଉ, ପଶୁ ଚରାଇବା ପାଇଁ ସାଧନ ଏବଂ ଜାଳେଣି କାଠ ପାଉ।” ପେମ୍‌ କହନ୍ତି, ଏହି ଜଙ୍ଗଲ ହିଁ ଆମର ମାଆ ।”

PHOTO • Ritayan Mukherjee

ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାରେ ଥେମ୍‌ବାଙ୍ଗ ଗାଁର ଜଣେ ମୋନ୍‌ପା, ଜାଙ୍ଗମୁ ଲୋପା ଛୋଟ ମକା ମଞ୍ଜି ଶୁଖାଉଛନ୍ତି । ଏହି ଚାଷ ଏହି ଜନଜାତି ପାଇଁ ରୋଜଗାରର ଏକ ପ୍ରମୁଖ ଉତ୍ସ

PHOTO • Ritayan Mukherjee

ପଶ୍ଚିମ କାମେଙ୍ଗ ଜିଲ୍ଲାର ସୁଉଚ୍ଚ ପାହାଡ଼ିଆ ସ୍ଥାନର ଏକ ଜଙ୍ଗଲରେ ଗୋଟିଏ ଚମରୀ ଗାଈ ଦୁହୁଁଛନ୍ତି ପେମ୍‌ ସେରିଂ ବାସ୍ତବରେ ଏହି ପଶୁଗୁଡ଼ିକ ଚମରୀ ଗାଈ ଓ ଅନ୍ୟ ପ୍ରଜାତିର ଗୃହପାଳିତ ପଶୁରୁ ଜନ୍ମିତ ସଙ୍କରଜାତୀୟ ପ୍ରାଣୀ ଏବଂ ଏମାନଙ୍କୁ ଜୋ ବୋଲି କୁହାଯାଏ । ବ୍ରୋକ୍‌ପାମାନେ ସେମାନଙ୍କୁ ଦିନକୁ ଦୁଇଥର ଦୁହଁନ୍ତି 

PHOTO • Ritayan Mukherjee

ବ୍ରୋକ୍‌ପାମାନେ ମୁଖ୍ୟତଃ ଭାତ (ତଳିଆ ଅଞ୍ଚଳର ବଜାରରୁ କିଣିଥିବା ଚାଉଳରୁ ପ୍ରସ୍ତୁତ) ଏବଂ ଚମରୀ ଗାଈ ମାଂସ ଖାଆନ୍ତି । ସେମାନେ ଆଳୁ ଭଳି ଅଳ୍ପ କିଛି ପରିବା ଖାଆନ୍ତି, କାରଣ, ଏଠାକାର ଜମି ପରିବା ଚାଷ କରିବା ଭଳି ଉର୍ବର ନୁହେଁ

PHOTO • Ritayan Mukherjee

ବ୍ରୋକ୍‌ପାଙ୍କ ରନ୍ଧାଘରେ ସବୁବେଳେ ନିଆଁ ଜଳୁଥାଏ । କଠିନଶୀତ ଋତୁରେ ଉଷୁମ ରହିବା ପାଇଁ ଏହା ସେମାନଙ୍କୁ ସାହାଯ୍ୟ କରେ

PHOTO • Ritayan Mukherjee

ଲାଗାମ୍ରୁ ପ୍ରାୟ ୧୨ କିଲୋମିଟର ଦୂର ଚାନ୍ଦେର ଗାଁକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ବ୍ରୋକ୍‌ପା

PHOTO • Ritayan Mukherjee

ବ୍ରୋକ୍‌ପା ପଶୁଚରାଳିମାନେ ପ୍ରାୟତଃ ଉଚ୍ଚ ସ୍ଥାନରୁ ତଳିଆ ଅଞ୍ଚଳକୁ ଏବଂ ତଳିଆ ଅଞ୍ଚଳରୁ ପାର୍ବତ୍ୟାଞ୍ଚଳକୁ ଯାଆସ କରିଥାଆନ୍ତି । ସେମାନେ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷପତ୍ର ସାଙ୍ଗରେ ନିଅନ୍ତି । ସଂପ୍ରଦାୟ ଦ୍ୱାରା ସ୍ଥିରୀକୃତ ସେମାନଙ୍କ ସ୍ଥାୟୀ ବସତିଗୁଡ଼ିକ ଭିତରେ ରହିବାକୁ ଯିବାଆସିବା କରିବା ଏକ ନିରନ୍ତର ପ୍ରକ୍ରିୟା 

PHOTO • Ritayan Mukherjee

ଲାଗାମ୍‌ରେ ସେମାନଙ୍କ ଶୀତକାଳୀନ ବସତିରେ ଜଣେ ବ୍ରୋକ୍‌ପା ପଶୁଚରାଳି ଲହୁଣୀ ଓ ଛୁର୍ପି (ପାରମ୍ପରିକ ଛେନା) ତିଆରି କରୁଛନ୍ତି । ଉଭୟ ଜିନିଷରୁ ବ୍ରୋକ୍‌ପା ପରିବାର କିଛି ରୋଜଗାର କରନ୍ତି

PHOTO • Ritayan Mukherjee

ପେମ୍‌ଙ୍କ ଭଉଣୀ ଟାଶି ଚମରୀ ଗାଈର ଗୋବର ସଂଗ୍ରହ କରୁଛନ୍ତିଗୋବର ରନ୍ଧାଘରେ ଜାଳେଣି ରୂପେ ବ୍ୟବହୃତ ହୁଏକଷ୍ଟଦାୟକ ଶୀତ ଋତୁରେ ଶୂନ ଡିଗ୍ରୀରୁ କମ୍‌ ତାପମାନରେ ଏବଂ ବରଫ ପଡୁଥିବା ବେଳେ ଏହା ହିଁ ଏକମାତ୍ର ଜାଳେଣି

PHOTO • Ritayan Mukherjee

ସମ୍ବଳ ଅଭାବରୁ ଲାଗାମ ଗାଁରେ ଥିବା ସ୍କୁଲ୍‌ ବନ୍ଦ ହୋଇଯାଇଛିତେଣୁ ପ୍ରାଥମିକ ଶିକ୍ଷା ଲାଗି ପିଲାମାନେ ଥେମ୍‌ବାଙ୍ଗ ଗାଁରେ ଥିବା ଏକ ଆବାସିକ ବିଦ୍ୟାଳୟକୁ ଯାଆନ୍ତି; ସେଠାରେ ପହଞ୍ଚିବାକୁ ଜଙ୍ଗଲ ଭିତରେ ପ୍ରାୟ ୧୧ କିଲୋମିଟର ଚାଲିବାକୁ ପଡ଼େ

PHOTO • Ritayan Mukherjee

ବ୍ରୋକ୍‌ପାମାନେ ନୀତିନିଷ୍ଠ ବୌଦ୍ଧ ଧର୍ମାବଲମ୍ବୀ । ଲାଗାମ୍‌ରେ ପ୍ରାର୍ଥନା ପାଇଁ ଏକ ଛୋଟ ବୌଦ୍ଧ ମନ୍ଦିର ରହିଛି

PHOTO • Ritayan Mukherjee

ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ଫେରୁଛନ୍ତି । ବ୍ରୋକ୍‌ପାମାନଙ୍କ ନିତିଦିନିଆ ଜୀବନର କେନ୍ଦ୍ରବିନ୍ଦୁରେ ରହିଛି ବାଉଁଶ, ଯାହାକି ଅସ୍ଥାୟୀ ରନ୍ଧାଘର ଏବଂ ଘରକରଣା ସାମଗ୍ରୀ ତିଆରିରେ ବ୍ୟବହୃତ ହୁଏ

PHOTO • Ritayan Mukherjee

ବ୍ରୋକ୍‌ପାମାନଙ୍କ ମଧ୍ୟରେ ସାଂପ୍ରଦାୟିକ ସଂପର୍କ ବେଶ୍‌ ମଜଭୁତସେମାନଙ୍କ ବନ୍ଧୁ ଓ ସଂପର୍କୀୟମାନଙ୍କୁ ଦେଖା କରିବାକୁ ସେମାନେ ପ୍ରାୟତଃ ବିଭିନ୍ନ ବସତିକୁ ଯାଆନ୍ତି

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Ritayan Mukherjee

କୋଲକାତାରେ ରହୁଥିବା ରୀତାୟନ ମୁଖାର୍ଜୀଙ୍କର ଫଟୋଗ୍ରାଫି ପ୍ରତି ଆଗ୍ରହ ରହିଛି ଏବଂ ସେ ୨୦୧୬ର ପରୀ ବ୍ୟକ୍ତିତ୍ୱ । ସେ ତିବ୍ଦତୀୟ ମାଳଭୂମି ଅଞ୍ଚଳରେ ଯାଯାବର ପଶୁପାଳକ ସଂପ୍ରଦାୟର ଜୀବନ ଉପରେ ତଥ୍ୟ ସଂଗ୍ରହ କରୁଥିବା ଏକ ଦୀର୍ଘକାଳୀନ ପ୍ରକଳ୍ପରେ କାମ କରୁଛନ୍ତି ।

Other stories by Ritayan Mukherjee