ମଥୁରା ନିର୍ଗୁଡେ ଅଳ୍ପ ହସିଲେ ଓ ତା’ ପରେ ଉଚ୍ଚ ସ୍ୱରରେ କହିଲେ, “ସେମାନେ ଆମକୁ କିଛି ଶିଖାଇ ନାହାନ୍ତି ।’’ ସେ ନାସିକ ଜିଲ୍ଲାର ତ୍ରିମ୍ବେକେଶ୍ୱର ତାଲୁକାରେ ଟେକ ହର୍ଷ ଗାଁରେ ଥିବା ତାଙ୍କର ଏକ ବଖୁରିଆ ଘର ନିକଟରେ ଏକ ବଳଦଗାଡ଼ି ପାଖରେ ବସିଥିଲେ । ଏହି ଗାଁରେ ପ୍ରାୟ ୧୫୦୦ ଲୋକ ରହୁଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଠକ୍କର ଆଦିବାସୀ ସଂପ୍ରଦାୟର।

ଡିସେମ୍ବର ୨୦୧୭ ମସିହା ଯାଏ ୧୧ ବର୍ଷୀୟ ମଥୁରା ପ୍ରାୟ ୮ କିମି ଦୂରରେ ଦହଲେୱାଡ଼ି ଗାଁରେ ଥିବା ଜିଲ୍ଲା ପରିଷଦ ସ୍କୁଲ(ଜେପି)ରେ ପଞ୍ଚମ ଶ୍ରେଣୀରେ ପଢୁଥିଲେ । ରାଜ୍ୟ ସରକାର ତାକୁ ବନ୍ଦ କରିଦେଲେ । ଏବେ ସେ ଟେକ ହର୍ଷଠାରୁ ପ୍ରାୟ ୪ କିମି ଦୂରରେ ଅଭହତେ ଗାଁରେ ଏକ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ପରିଚାଳିତ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି ।

ତୁମକୁ କେଉଁ ସ୍କୁଲ ଭଲ ଲାଗେ ବୋଲି ପଚାରିବାରୁ ସେ “ପ୍ରଥମଟି ଭଲ’’ ବୋଲି କହିଲେ ।

ସମାନ ତାଲୁକାରେ ଥିବା ଆଉ ଏକ ଗାଁ ଭାଭି ହର୍ଷର ବାସିନ୍ଦା ଶିକ୍ଷାବିତ୍ ଭଗବାନ୍ ମାଧେ କହିଲେ, ଯେତେବେଳେ ଦହଲେୱାଡ଼ିରେ ଥିବା ଜିଲ୍ଲା ପରିଷଦ ସ୍କୁଲ ବନ୍ଦ ହୋଇଗଲା, ଅଭହତେରେ ଥିବା ସ୍କୁଲକୁ ସେଠାରେ ପଢୁଥିବା ପିଲା ପଳାଇଗଲେ। “ ଅଭହତେର ସ୍କୁଲକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଅନୁଦାନ ମିଳୁନାହିଁ ଏବଂ ସେମାନେ ଏହାକୁ ଗୁରୁତ୍ୱର ସହ ଚଳାଉନାହାନ୍ତି ।’’ ଦ ଅଭହେତ ସ୍କୁଲ-ଶ୍ରୀ ଗଜାନନ ମହାରାଜ ବିଦ୍ୟାଳୟରେ ସପ୍ତାହକୁ ମାତ୍ର ୨ ଥର କ୍ଲାସ୍ ହୋଇଥାଏ ।

କିନ୍ତୁ ମଥୁରା ଦହଲେୱାଡ଼ିସ୍ଥିତ ଜିଲ୍ଲା ପରିଷଦ ସ୍କୁଲକୁ ଯାଇ ନ ପାରିବା କିଛି ନୂଆ କଥା ନୁହେଁ ।  ମହାରାଷ୍ଟ୍ରର ହଜାର ହଜାର ପିଲା ଗତ କିଛି ବର୍ଷ ହେଲା ସେମାନଙ୍କର ସ୍କୁଲ ବନ୍ଦ ହୋଇଯିବା ଦେଖିଛନ୍ତି ।

School Corridor
PHOTO • Mayur Bargaje

ଟେକ ହର୍ଷ ଗାଁରେ ଥିବା ଜିଲ୍ଲା ପରିଷଦ ସ୍କୁଲରେ ମାତ୍ର ୪ ର୍ଥ ଶ୍ରେଣୀ ଯାଏ  ପାଠ ପଢିବାର ସୁବିଧା ରହିଛି । ପିଲାମାନେ ଦହଲେୱାଡ଼ି ଗାଁରେ ଥିବା ଜିଲ୍ଲା ପରିଷଦ ସ୍କୁଲକୁ ପଢିବାକୁ ଯାଉଥିଲେ ଯାହାକି ଡିସେମ୍ବର ୨୦୧୭ରେ ବନ୍ଦ ହୋଇଯାଇଛି ।

ସୂଚନା ଅଧିକାର ଆଇନ ଅନୁସାରେ ମିଳିଥିବା ଏକ ତଥ୍ୟ ଅନୁଯାୟୀ (ଜୁନ୍ ୨୦୧୮ରେ ମୁଁ ଏହି ତଥ୍ୟ ପାଇଁ ଆବେଦନ କରିଥିଲି)୨୦୧୪-୧୫ ଏବଂ ୨୦୧୭-୧୮ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାର ୬୫୪ ଜିଲ୍ଲା ପରିଷଦ ସ୍କୁଲକୁ ବନ୍ଦ କରିଦେଇଛନ୍ତି । ମହାରାଷ୍ଟ୍ର ପ୍ରାଥମିକ ଶିକ୍ଷଣ ପରିଷଦ ପକ୍ଷରୁ ଏହାର ଉତ୍ତରରେ କୁହାଗଲା ଯେ ରାଜ୍ୟର ୩୬ଟି ଜିଲ୍ଲାରେ ୨୦୧୪-୧୫ରେ ୬୨,୩୧୩ ଜିଲ୍ଲା ପରିଷଦ ସ୍କୁଲ ଥିବାବେଳେ ୨୦୧୭-୧୮ରେ ଏହି ସଂଖ୍ୟା କମିଯାଇ ୬୧,୬୫୯ ହୋଇଯାଇଛି।

ଏଥିସହିତ ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ମଧ୍ୟ କମିଛି । ୨୦୦୭-୦୮ରେ ପ୍ରାୟ ୬ ନିୟୁତ ଛାତ୍ରଛାତ୍ରୀ ଥିବା ବେଳେ ୨୦୧୪-୧୫ରେ ସେମାନଙ୍କର ସଂଖ୍ୟା ୫.୧ ନିୟୁତରେ ପହଞ୍ଚିଥିଲା । ସେହିପରି ୨୦୧୭-୧୮ରେ ଏହି ସଂଖ୍ୟା ୪.୬ ନିୟୁତକୁ ହ୍ରାସ ପାଇଛି ।

୨୦୧୮ ମସିହା ଏପ୍ରିଲ ମାସରେ ଶିକ୍ଷାମନ୍ତ୍ରୀ ବିନୋଦ ତାୱଡେ କହିଲେ ଯେ ରାଜ୍ୟ ସରକାର ଯେଉଁ ସ୍କୁଲଗୁଡ଼ିକରେ ୧୦ ବା ତା’ଠାରୁ କମ୍ ଛାତ୍ରଛାତ୍ରୀ ଥିଲେ କେବଳ ସେହି ସ୍କୁଲଗୁଡ଼ିକୁ ବନ୍ଦ କରିଦେଇଛନ୍ତି । କାରଣ ସେଗୁଡ଼ିକ ଚଳାଇବା ସମ୍ଭବପର ନଥିଲା। ସେହି ସବୁ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନିକଟବର୍ତ୍ତୀ ଜିଲ୍ଲା ପରିଷଦ ସ୍କୁଲରେ ଭର୍ତ୍ତି କରାଯାଇଛି ବୋଲି ସେ କହିଲେ । ଜାନୁଆରୀ ୨୦୧୮ରେ ରାଜ୍ୟ ସରକାର ଆହୁରି ଅଧିକ ୧୩୦୦ ସ୍କୁଲକୁ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଶିକ୍ଷାବିତମାନେ ଏହି ପଦକ୍ଷେପକୁ ଦୃଢ ବିରୋଧ କରୁଛନ୍ତି ।

ମଥୁରା ଓ ତାଙ୍କ ଗାଁର ଅନ୍ୟ ଛାତ୍ରଛାତ୍ରୀମାନେ ଏହି ଜିଲ୍ଲା ପରିଷଦ ସ୍କୁଲ ବଦଳାଇବାରୁ ବାଦ୍ ପଡ଼ିଛନ୍ତି । ତାଙ୍କ ମା’ ଭୀମା କହିଲେ ଯେ ନିକଟବର୍ତ୍ତୀ ଅଞ୍ଚଳରେ ଏବେ ମଧ୍ୟ ଚାଲୁଥିବା ଜିଲ୍ଲା ପରିଷଦ ସ୍କୁଲ ଅଭହତେ ଠାରୁ ବି ଦୂର । ତାହା ତାଙ୍କ ଘରପାଖରୁ ପ୍ରାୟ ୧୦ କିମି ଦୂରତାରେ ଅବସ୍ଥିତ । ତାଙ୍କର କୁନି ଝିଅକୁ କୋଳରେ ଧରି ସେ କହିଲେ, “ଝିଅମାନେ ବଡ଼ ହେବା ସହ ସେମାନଙ୍କର ସୁରକ୍ଷା ନେଇ ଚିନ୍ତା ସୃଷ୍ଟି ହୋଇଥାଏ ।’’

ଭୀମା ଓ ତାଙ୍କର ସ୍ୱାମୀ ମାଧବ ହେଉଛନ୍ତି କୃଷିଶ୍ରମିକ । ସେମାନେ କାମ ମିଳୁଥିବା ସମୟରେ ଦିନକୁ ୧୫୦ ଟଙ୍କା ଲେଖାଏଁ ଦିନମଜୁରୀ କରି ରୋଜଗାର କରିଥାନ୍ତି । ଭୀମା କହିଲେ, “ଆମ ପାଖରେ ଜମି ନାହିଁ । ରୋଜଗାରର ଅନ୍ୟ ଉତ୍ସ ନାହିଁ । ସବୁଦିନ ସକାଳୁ ମୋତେ ଘର ଛାଡ଼ି କାମକୁ ଯିବାକୁ ପଡେ ଯେପରିକି ସନ୍ଧ୍ୟାରେ ମୁଁ ରାନ୍ଧିବା ପାଇଁ କିଛି ଯୋଗାଡ଼ କରିପାରିବି ।’’ ତଥାପି ଭୀମାଙ୍କ ନିକଟରେ କିଛି ବଳକା ଟଙ୍କା ଅଛି । ପ୍ରତିଦିନ ସେ ମଥୁରାଙ୍କୁ ସ୍କୁଲ ଯିବାକୁ ଗାଁରୁ ଯାଉଥିବା କୌଣସି ଯାତ୍ରୀବାହୀ ଟେମ୍ପୋ ବା ଜିପରେ ଯିବା ପାଇଁ ୨୦ ଟଙ୍କା ଦେଇଥାନ୍ତି । ନହେଲେ ଝିଅମାନଙ୍କୁ ତ୍ରିମ୍ବକେଶ୍ୱରର ରାସ୍ତାରେ ୪୦ ମିନିଟ୍ ଧରି ଚାଲିବାକୁ ପଡ଼ିଥାଏ । ଟେକ ହର୍ଷ ଗାଁ ବୈତରଣ ନଦୀ ଉପରେ ନିର୍ମିତ ହୋଇଥିବା ଡ୍ୟାମ୍ ପାଖରେ ଅବସ୍ଥିତ । ସେ ଘରୋଇ ହେଉ ବା ରାଜ୍ୟ ସରକାରଙ୍କ ପରିଚାଳିତ ସ୍କୁଲ ମଥୁରାଙ୍କୁ ସ୍କୁଲ ଯିବାକୁ ହେଲେ ସେହି ଡ୍ୟାମକୁ ଅତିକ୍ରମ କରିବାକୁ ପଡ଼ିଥାଏ । ଭୀମା କହିଲେ, “ବର୍ଷ। ଦିନରେ ସେହି ପୋଲ ପାଣିରେ ବୁଡ଼ିଯାଏ''। "ସମୟ ସମୟରେ ଆମେ ଗାଁରେ କିଛି ଦିନ ଧରି ଜଳବନ୍ଦୀ ହୋଇ ରହିଯାଉ ।’’

Mother and children sitting
PHOTO • Parth M.N.

ଟେକ ହର୍ଷର ବାସିନ୍ଦାଙ୍କ ପାଇଁ ନିକଟବର୍ତ୍ତୀ ଅଞ୍ଚଳରେ ଏବେ ମଧ୍ୟ ଖୋଲାଥିବା ଜିଲ୍ଲା ପରିଷଦ ସ୍କୁଲ ଅଭହତେରେ ଥିବା ଏକ ଘରୋଇ ସ୍କୁଲଠାରୁ ବି ଦୂର । ଅଭହତେରେ ଥିବା ସ୍କୁଲ ମଧ୍ୟ ପ୍ରାୟ ୪ କିମି ଦୂରତାରେ ରହିଛି । ଏହି ଦୂରତା ଝିଅମାନଙ୍କୁ ଅଧିକ ପ୍ରଭାବିତ କରୁଛି। ଜଣେ ଅଭିଭାବକ କହିଲେ, “ସେମାନେ ବଢିବା ସହିତ ଆମେ ସେମାନଙ୍କର ସୁରକ୍ଷାକୁ ନେଇ ଚିନ୍ତିତ ହେଉଛୁ।’’

ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇବା ଲାଗି ଶିଶୁମାନଙ୍କ ଅଧିକାର ଆଇନ, ୨୦୦୯ରେ ଅନୁସାରେ  ପଞ୍ଚମ ଶ୍ରେଣୀ ଯାଏ ପାଠ ପଢୁଥିବା ପିଲାମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲ ୧ କିମି ଦୂରତାରେ ରହିବା ଆବଶ୍ୟକ । ସେହିପରି ଅଷ୍ଟମ ଶ୍ରେଣୀ ମଧ୍ୟରେ ପଢୁଥିବା ପିଲାଙ୍କ ପାଇଁ ୩ କିମି ମଧ୍ୟରେ ସ୍କୁଲ ଥିବା ଉଚିତ୍ । ମାଧେ କହିଲେ, “ସେହି ନିୟମକୁ କିନ୍ତୁ ଅଧିକାଂଶ ସ୍ଥାନରେ ପାଳନ କରାଯାଉନାହିଁ ।’’

ଜିଲ୍ଲା ପରିଷଦଗୁଡ଼ିକ ହେଲା ଜିଲ୍ଲା କାଉନସିଲ । ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହୋଇଥିବା ଜିଲ୍ଲାପାଳ ଏହାର ପ୍ରଶାସନିକ କଥା ବୁଝିଥାନ୍ତି । ମହାରାଷ୍ଟ୍ରରେ ୧୯୬୧-୧୯୬୨ରେ  ଜିଲ୍ଲା ବୋର୍ଡ ନିକଟରୁ ଜିଲ୍ଲା ପରିଷଦ ସ୍କୁଲଗୁଡ଼ିକର ପରିଚାଳନାକୁ ଗ୍ରହଣ କଲା । ସେବେଠାରୁ ଜିଲ୍ଲା ପରିଷଦ ସ୍କୁଲଗୁଡ଼ିକର ପରିଚାଳନା କରିଆସୁଛି । ଏହି ସ୍କୁଲ ଗୁଡ଼ିକ ମଧ୍ୟରୁ ଅଧିକାଂଶ ପ୍ରାଇମେରୀ ବା ପ୍ରାଥମିକ ସ୍କୁଲ ଯେଉଁଠାରେ ପ୍ରଥମରୁ ସପ୍ତମ ବା ଅଷ୍ଟମ ଯାଏ ଶିକ୍ଷାଦାନ କରାଯାଉଛି । କିଛି ସ୍କୁଲରେ ନବମ ଓ ଦଶମ ଶ୍ରେଣୀ ଭଳି ମାଧ୍ୟମିକ ଶିକ୍ଷାଦାନ କରାଯାଉଛି । ଖୁବ୍ କମ୍ ସ୍କୁଲରେ  ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ବ୍ୟବସ୍ଥା ରହିଛି ।

ଜିଲ୍ଲା ପରିଷଦ ସ୍କୁଲରେ ମାଗଣା ଶିକ୍ଷାଦାନ କରାଯାଇଥାଏ । ଅଧିକାଂଶ ପିଲା ଚାଷୀ, କୃଷି ଶ୍ରମିକ ଏବଂ ଅନ୍ୟାନ୍ୟ ପରିବାରରୁ ଆସିଥାନ୍ତି ଯେଉଁମାନେ କି ଘରୋଇ ସ୍କୁଲରେ ପାଠପଢାର ଖର୍ଚ୍ଚ ବହନ କରିପାରିବେ ନାହିଁ । ସେମାନଙ୍କ ମଧ୍ୟରେ ଆଦିବାସୀ ଓ ଦଳିତମାନେ ମଧ୍ୟ ଅଛନ୍ତି । (୨୦୧୧ର ଜନଗଣନା ଅନୁସାରେ) ରାଜ୍ୟର ଜନସଂଖ୍ୟାର ୯.୪ % ହେଉଛନ୍ତି ଅନୁସୂଚୀତ ଜନଜାତି ଏବଂ ୧୧.୮% ହେଉଛନ୍ତି ଅନୁସୂଚୀତ ଜାତିର ବାସିନ୍ଦା ।

କିନ୍ତୁ ସମସ୍ତ ପିଲାଙ୍କୁ  ସମାନ ଶିକ୍ଷା ଦାନର ବ୍ୟବସ୍ଥା କରିବା ପରିବର୍ତ୍ତେ ମହାରାଷ୍ଟ୍ରର ସରକାରମାନେ  ନିରନ୍ତର ଭାବେ ରାଜ୍ୟରେ ଜନଶିକ୍ଷାକୁ ଅବହେଳା କରିଆସୁଛନ୍ତି ।

ମହାରାଷ୍ଟ୍ରର ଅର୍ଥନୈତିକ ସର୍ଭେ ଅନୁସାରେ ୨୦୦୭-୦୮ ସମୟରେ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ବ୍ୟୟ ୧୧,୪୨୧ କୋଟି ଥିଲା । ଏହା ଗ୍ରସ ଷ୍ଟେଟ ଡୋମେଷ୍ଟିକ୍ ପ୍ରଡକ୍ଟ(ଜିଏସଡିପି)ର ୧.୯୦ % ଥିଲା । ୧୦ ବର୍ଷ ପରେ ୨୦୧୮-୧୯ରେ ସ୍କୁଲ ଶିକ୍ଷା (ଏବଂ କ୍ରୀଡ଼ା) ପାଇଁ ଅର୍ଥ ଆବଣ୍ଟନ ୫୧,୫୬୫ କୋଟିକୁ ବୃଦ୍ଧି ପାଇଛି । କିନ୍ତୁ ତାହା ମୋଟ ବଜେଟ୍ର ମାତ୍ର ୧.୮୪% । ଏହା ସ୍କୁଲଗୁଡ଼ିକ ପ୍ରତି ରାଜ୍ୟସରକାରଙ୍କ ଅନାଗ୍ରହକୁ ଦର୍ଶାଉଛି ।

A woman and two girls looking at a book.
PHOTO • Mayur Bargaje

ଭୀମା ନିର୍ଗୁଡେ କହିଲେ, ମୌସୁମୀ ସମୟରେ ପୋଲଟି ପାଣିରେ ବୁଡ଼ିଯାଇଥାଏ । ତାଙ୍କ ଝିଅ ମଥୁରା (ମଝି) ଏବଂ ତାଙ୍କର ବନ୍ଧୁ ଜ୍ୟୋତି ହୋଲେଙ୍କୁ ସେମାନଙ୍କର ନୂଆ ସ୍କୁଲରେ ପହଞ୍ଚିବା ପାଇଁ ସେହି ପୋଲକୁ ଚାଲି କରି ଅତିକ୍ରମ କରିବାକୁ ପଡ଼େ ।

ବ୍ରିହନମୁମ୍ବାଇ ମହାନଗରପାଳିକାର ଶିକ୍ଷକ ସଂଘର ସାଧାରଣ ସଂପାଦକ ଏବଂ ଜଣେ ପୂର୍ବତନ କର୍ପୋରେଟର ରମେଶ ଯୋଶୀ ଯିଏକି ପୌରପାଳିକାର  ଶିକ୍ଷା କମିଟିରେ ୧୬ ବର୍ଷ ଧରି ରହିଥିଲେ ସେ କହିଲେ ଯେ,ଏହି ଅର୍ଥରାଶିକୁ ବୃଦ୍ଧି କରାଯିବା ଆବଶ୍ୟକ। “ସାଧାରଣତଃ ଶିକ୍ଷା ବଜେଟ୍ ଜିଏସଡିପିର ୪-୬ % ମଧ୍ୟରେ ରହିବା ଆବଶ୍ୟକ । ଶିକ୍ଷା ସଂପର୍କରେ ସଚେତନତା ବୃଦ୍ଧି ପାଉଥିବାରୁ ସମୟାନୁକ୍ରମେ ଅଧିକରୁ ଅଧିକ ସଂଖ୍ୟକ ପିଲା ନାମ ଲେଖାଉଛନ୍ତି । ଯଦି ଆମେ ବଜେଟ୍ କମାଇଦେବା ତା’ ହେଲେ ଆମେ କିପରି ଶିକ୍ଷା ଅଧିକାର (ରାଇଟ ଟୁ ଏଜୁକେସନ୍)କୁ ସୁନିଶ୍ଚିତ କରିପାରିବା?’’

‘ଶିକ୍ଷକଙ୍କ ନିର୍ବାଚନମଣ୍ଡଳୀ’ (ଶିକ୍ଷକଙ୍କ ଦ୍ୱାରା ମନୋନୀତ)ରୁ ମହାରାଷ୍ଟ୍ର ବିଧାନ ପରିଷଦର ସଦସ୍ୟ ହୋଇଥିବା କପିଲ ପାଟିଲ କହିଲେ, “ସେମାନେ ନିରନ୍ତର ଭାବେ ବଜେଟ୍ କମାଉଛନ୍ତି । ଏହାଦ୍ୱାରା ସମାଜରେ କେତେକଙ୍କ ପାଇଁ ସୁବିଧା ହେଉଥିବାବେଳେ ଅବହେଳିତ ପିଲାଙ୍କ ପାଇଁ କିନ୍ତୁ ଗୁଣାତ୍ମକ ଶିକ୍ଷା  ଅପହଞ୍ଚ ହୋଇପଡୁଛି ।''

ପିଲାଙ୍କୁ ଭଲ ଶିକ୍ଷା ଦେବା ଆଶାରେ କିଛି ଅଭିଭାବକ ସେମାନଙ୍କ ପିଲାଙ୍କୁ ଘରୋଇ ସ୍କୁଲକୁ ନେଇଯାଉଛନ୍ତି । ଅଧିକାଂଶ ସମୟରେ ଏହାଯୋଗୁ ସେମାନଙ୍କ ପରିବାରକୁ ବହୁ କଷ୍ଟ ସହ୍ୟ କରିବାକୁ ପଡ଼ୁଛି । ଜିଲ୍ଲା ପରିଷଦ ସ୍କୁଲ ଶିକ୍ଷକ ପରମେଶ୍ୱର ସୁର୍ଭାଷ କହିଲେ ସୋଲାପୁର ଜିଲ୍ଲାର ମାଧ ତାଲୁକାର ମୋଡନିମ୍ବ ଗାଁରେ ୪୦ ଜଣ ଛାତ୍ରଛାତ୍ରୀ ସରକାରୀ ସ୍କୁଲ ଛାଡ଼ି ୨୦୧୭ରେ ଏକ ଘରୋଇ ସ୍କୁଲରେ ଯୋଗ ଦେଲେ ।

Father and son checking a plant
PHOTO • Dattaray Surve

ଜିଲ୍ଲା ପରିଷଦ ସ୍କୁଲ ଛାଡ଼ି ଦତ୍ତାତ୍ରେୟ ସୁରଭି ତାଙ୍କର ପୁଅ ବିବେକଙ୍କୁ ଏକ ଘରୋଇ ସ୍କୁଲରେ ନାମ ଲେଖାଇଛନ୍ତି ।

ସେମାନଙ୍କ ମଧ୍ୟରେ ଦତ୍ତାତ୍ରେୟ ସୁରଭିଙ୍କର ୧୧ ବର୍ଷୀୟ ପୁଅ ବିବେକ ଯିଏକି ଷଷ୍ଠ ଶ୍ରେଣୀରେ ପଢୁଛନ୍ତି ସିଏ ସାମିଲ। ଦତ୍ତାତ୍ରେୟ କହିଲେ, “ଖୁବ୍ କମ୍ ସମୟରେ ଶିକ୍ଷକମାନେ ଶ୍ରେଣୀ ଗୃହରେ ଉପସ୍ଥିତ ହୋଇଥାନ୍ତି’’ । "ଅନ୍ୟ ଜିଲ୍ଲାରେ ଥିବା ଅଧିକାଂଶ ସ୍କୁଲରେ ବଜେଟ୍‌କୁ ଦୃଷ୍ଟିରେ ରଖି ବିଜୁଳି କାଟ କରାଯାଇଥାଏ । ଏହା ଦର୍ଶାଉଛି ଯେ ଜିଲ୍ଲା ପରିଷଦ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ କୌଣସି ଦରଦ ନାହିଁ ।’’

ସୁରଭି ଜଣେ ଚାଷୀ ହୋଇଥିବା ବେଳେ ସେ ତାଙ୍କ ପୁଅକୁ ଯଥାସାଧ୍ୟ ଶିକ୍ଷା ଦେବାକୁ ଚାହାନ୍ତି । ସେ କହିଲେ, “ଚାଷ କରିବାରେ ଆଉ କୌଣସି ଭବିଷ୍ୟତ ନାହିଁ।’’ ସେ ଏବେ ସ୍କୁଲ ଫି’ ବାବଦରେ ବର୍ଷକୁ ୩୦୦୦ ଟଙ୍କା ଦେଉଛନ୍ତି । “ମୁଁ ତାକୁ ସେଠାରୁ ଘରୋଇ ସ୍କୁଲକୁ ନେଇଆସିଲି କାରଣ ମୁଁ ତାର ଭବିଷ୍ୟତ ସହିତ ବୁଝାମଣା କରିବାକୁ ଚାହୁଁନାହିଁ ।’’

ଅହମ୍ମଦନଗରସ୍ଥିତ ଶିକ୍ଷାବିତ୍ ହେରମ୍ଭ କୁଲକର୍ଣ୍ଣୀ କହିଲେ, ବହୁ ପରିବାର ସେମାନଙ୍କ ପିଲା ଇଂରାଜୀ ଭାଷାକୁ ଭଲ ଭାବେ ଶିକ୍ଷା କରୁ ବୋଲି ଚାହୁଁଛନ୍ତି । ସେଥିପାଇଁ ଅଭିଭାବକମାନେ ଜିଲ୍ଲା ପରିଷଦ ସ୍କୁଲ ବଦଳରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ପସନ୍ଦ କରୁଛନ୍ତି । ମହାରାଷ୍ଟ୍ରର ଜିଲ୍ଲା ପରିଷଦ ସ୍କୁଲରେ ମରାଠୀ ଭାଷାରେ ଶିକ୍ଷା ଦିଆଯାଉଛି ।

ସୂଚନା ଅଧିକାର ଆଇନ ଅନୁସାରେ ମିଳିଥିବା ତଥ୍ୟ ଅନୁସାରେ ୨୦୦୭-୦୮ରେ ମହାରାଷ୍ଟ୍ରର ଜିଲ୍ଲା ପରିଷଦ ସ୍କୁଲରେ ପ୍ରଥମ ଶ୍ରେଣୀରେ ୧.୨ ନିୟୁତରୁ ଅଧିକ ପିଲା ନାମ ଲେଖାଇଥଲେ । ୧୦ ବର୍ଷ ପରେ ୨୦୧୭-୧୮ରେ ଏହି ସବୁ ସ୍କୁଲରୁ ମାତ୍ର ୩୦, ୨୪୮ ଜଣ ପିଲା-କିମ୍ବା ୨.୫% ପିଲା ଦଶମ ଶ୍ରେଶୀ ଶିକ୍ଷା ଶେଷ କଲେ ।

ଅଧିକାଂଶ ଜିଲ୍ଲା ପରିଷଦ ସ୍କୁଲରେ ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ ଯାଏ ପାଠ ପଢିବାର ବ୍ୟବସ୍ଥା ରହିଛି (ଦଶମ ଶ୍ରେଣୀ ଯାଏ ନୁହେଁ) ତଥାପି ମଧ୍ୟ ତାକୁ ଦୃଷ୍ଟିରେ ରଖିଲେ ପାସ୍ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ସନ୍ତୋଷଜନକ ନୁହେଁ । ୨୦୦୯-୧୦ରେ ରାଜ୍ୟର ଜିଲ୍ଲା ପରିଷଦରେ ପ୍ରଥମ ଶ୍ରେଣୀରେ ୧.୧ ନିୟୁତରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ୮ ବର୍ଷ ପରେ ୨୦୧୭-୧୮ ସୁଦ୍ଧା ଅଷ୍ଟମ ଶ୍ରେଣୀରେ ମାତ୍ର ୧୨୩,୭୩୯ ଜଣ ଛାତ୍ରଛାତ୍ରୀ ଥିଲେ । ଅର୍ଥାତ୍ ଏହା ମଧ୍ୟରେ ୮୯ % ଛାତ୍ରଛାତ୍ରୀ ସ୍କୁଲ ଛାଡ଼ି ଦେଇଥିଲେ ।

ତେବେ, ବିସ୍ଥାପନ ଯୋଗୁଁ ମଧ୍ୟ ଜିଲ୍ଲା ପରିଷଦ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମୁଛି । ଯେତେବେଳେ କୃଷକ ଓ ଶ୍ରମିକମାନେ କାମ ପାଇଁ ଋତୁକାଳୀନ ବିସ୍ଥାପିତ ହୁଅନ୍ତି, ସେମାନେ ସାଙ୍ଗରେ ନିଜର ପିଲାମାନଙ୍କୁ ନେଇ ଯାଆନ୍ତି । ଜଣେ ଭେଟେରାନ୍‌ କମ୍ୟୁନିଷ୍ଟ କୃଷକ ନେତା ରାଜନ କାଶୀରସାଗରଙ୍କ ଅନୁସାରେ, ମରାଠୱାଡ଼ାର କୃଷିପ୍ରଧାନ ଜିଲ୍ଲାଗୁଡ଼ିକରୁ ବିସ୍ଥାପିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି-ଏବଂ ଅତି କମ୍‌ରେ ୬ ଲକ୍ଷ କୃଷକ ଏହି ଅଞ୍ଚଳ ଭିତରେ ବା ପଶ୍ଚିମ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକକୁ ନଭେମ୍ବରରୁ ମାର୍ଚ୍ଚ ଭିତରେ ଆଖୁ କାଟିବା କାମ ପାଇଁ ବିସ୍ଥାପିତ ହୁଅନ୍ତି ।

କୈଳାସ ଓ ଶାରଦା ପ୍ରତିବର୍ଷ ପର୍ଭାଣିର ଦେବେଗାଁଓ ଗାଁରୁ ୬୦ କିମି ଦୂର ବିଡରର ତେଲଗାଁଓ କେଏଚ୍‌ରେ ଏକ ଚିନି କଳରେ କାମ କରିବାକୁ ଯାଆନ୍ତି ।  ସେମାନେ ସେମାନଙ୍କର ଶିଶୁ ପୁତ୍ର ହର୍ଷବର୍ଦ୍ଧନ ଓ ଶାରଦାଙ୍କର ୧୨ ବର୍ଷର ଝିଆରୀ ଐଶ୍ୱର୍ଯ୍ୟା ୱାଙ୍ଖଡେଙ୍କୁ ସାଙ୍ଗରେ ନେଇ ଯାଆନ୍ତି । କୈଳାସ କହନ୍ତି, ‘ଦାରିଦ୍ର୍ୟ ତା’ର  ଶିକ୍ଷାକୁ ପ୍ରଭାବିତ କରିଛି ।  ସେ ଓ ଶାରଦା ସେମାନଙ୍କର ୫ ଏକର ଚାଷ ଜମିରେ କପା ଓ ସୋୟାବିନ ଚାଷ କରନ୍ତି, କିନ୍ତୁ ସେତିକି ଲାଭ ହେଲା ନାହିଁ ଯାହାଫଳରେ ସେମାନେ ବର୍ଷ ସାରା ଚଳିପାରିବେ । ‘‘ଦିନ ବେଳା ଆମେ କ୍ଷେତରେ କାମ କରିବା ବେଳେ ସେ ଆମ ପୁଅର ଦେଖାରଖା କରେ।’’ (୨୦୦୦ ଘଣ୍ଟା ଧରି ଆଖୁ କାଟିବା ଦେଖନ୍ତୁ)

Two women in front of a house
PHOTO • Mayur Bargaje

ସୁମନବାଇ ଲାସ୍‌କେ କହନ୍ତି ‘ସେ (ବାମରେ ଥିବା ମଞ୍ଜୁଲା) ସ୍କୁଲ ନ ଯାଉ ବୋଲି ମୁଁ ଚାହେଁ ନାହିଁ । କିନ୍ତୁ ତା’ର ସାନ ଭଉଣୀକୁ ସ୍କୁଲରେ ନାମ ଲେଖାଯାଇଛି । ସେମାନଙ୍କ ମଧ୍ୟରୁ କେବଳ ଜଣେ ହିଁ ପାଠ ପଢ଼ିପାରିବ ।’

ଯେତେବେଳେ ଗୋଟିଏ ଛାତ୍ରକୁ ସ୍କୁଲ ଯିବାକୁ ବନ୍ଦ କରାଯାଏ, ଅଧିକାଂଶ ସମୟରେ ପରିବାରର ଝିଅଟିକୁ ହିଁ ପାଠ ଛାଡ଼ିବାକୁ ହୋଇଥାଏ । ମହାରାଷ୍ଟ୍ରରେ ୧୫ ରୁ ୪୯ ବର୍ଷ ବୟସର ମାତ୍ର ଚାରି ଭାଗରୁ ଭାଗେ ମହିଳା ଦ୍ୱାଦଶ ଶ୍ରେଣୀ ବା ତା’ଠାରୁ ଅଧିକ ପାଠ ପଢ଼ିଛନ୍ତି । ଯେତେବେଳେକି ପୁରୁଷମାନଙ୍କ କ୍ଷେତ୍ରରେ ଏହି ହାର ୩୪ ପ୍ରତିଶତ ବୋଲି ନ୍ୟାସନାଲ୍‌ ଫ୍ୟାମିଲି ହେଲ୍‌ଥ ସର୍ଭେ ୨୦୧୫-୧୬ରେ ଦର୍ଶାଯାଇଛି ।

ଆଦିବାସୀ ଗାଁ ଭାଭି ହର୍ଷର ୧୩ ବର୍ଷର ଝିଅ ମଞ୍ଜୁଲା ଲାସ୍‌କେ ୨୦୧୭ରେ ସ୍କୁଲ ଯିବା ବନ୍ଦ କରିଦେଲା କାରଣ ତା’ର ମା’ ସୁମନବାଇ ଘରେ ସାହାଯ୍ୟ ଆବଶ୍ୟକ କରୁଥିଲା । ସେ କହନ୍ତି ‘‘ମୋ ସ୍ୱାମୀ ଜଣେ ମଦୁଆ, ସେ କାମ କରନ୍ତି ନାହିଁ, ଯେତେବେଳେ ମୁଁ ମଜୁରୀ ପାଇଁ ଘରୁ ବାହାରି ଯାଏ, ସେତେବେଳେ ଘରେ ଦେଖାଶୁଣା କରିବା ପାଇଁ କେହି ରହିବା ଦରକାର ।’’

ସୁମନବାଇ ମଞ୍ଜୁଲାର ବିବାହ ବାବଦରେ ଚିନ୍ତା କରିବା କଥା ଅସ୍ୱୀକାର କରନ୍ତି । ସେ କହନ୍ତି, ‘‘ସେ ଏବେ ଖୁବ୍‌ ସାନ ଅଛି’’ । ‘‘ସେ ସ୍କୁଲ ନ ଯାଉ ବୋଲି ମୁଁ ଚାହେଁ ନାହିଁ । କିନ୍ତୁ ତା ସାନ ଭଉଣୀ ସ୍କୁଲ ଯାଉଛି । ଦୁଇ ଜଣଙ୍କ ଭିତରୁ କେବଳ ଜଣେ ପାଠ ପଢ଼ିପାରିବ ।’’

ତାଙ୍କର ପଡ଼ୋଶୀ କହିଲେ ତାଙ୍କ ଗାଁର ଅଧିକାଂଶ ଝିଅ ୧୫ ବା ୧୬ ବର୍ଷ ସୁଦ୍ଧା ବିବାହ କରିଯାଇଥାଆନ୍ତି । ମଞ୍ଜୁଳା ଗୁହାଳରେ ବଳଦଙ୍କୁ ବାନ୍ଧିଲା ଏବଂ ଅପରାହ୍ନରେ ବାହାରିବାକୁ ପ୍ରସ୍ତୁତ ହେଲା । ସେ କହିଲା, ‘‘ମୁଁ ସ୍କୁଲ ଯିବାକୁ ଭଲ ପାଉଥିଲି ।’’

ଭାଭି ହର୍ଷା ଓ ଟେକ୍‌ ହର୍ଷା ଭଳି ଛୋଟ ଗାଁ ଓ ବସ୍ତିରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଜିଲ୍ଲା ପରିଷଦ ସ୍କୁଲଗୁଡ଼ିକ ବହୁ ସଂଖ୍ୟାରେ ବନ୍ଦ ହୋଇଯାଉଛି, ଯାହା ଫଳରେ ଗ୍ରାମୀଣ ମହାରାଷ୍ଟ୍ରରେ ପିଲାମାନଙ୍କର ଶିକ୍ଷା ଲାଭ କରିବାର ସାମାନ୍ୟତମ ସୁଯୋଗ ବି ଶେଷ ହୋଇଯାଉଛି ।  

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Other stories by Parth M.N.