2014ରେ, ଓଡିଶାର ବିଷମକଟକ ବ୍ଲକ୍‌ ବନ ବିଭାଗର ଜଣେ କର୍ମଚାରୀ, ଦୀର୍ଘଦିନ ଧରି ବନ ବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ରହିଥିବା ମତଭେଦ ବିଷୟରେ ଆଲୋଚନା କରିବା ପାଇଁ କନ୍ଧୁଗୁଡା ଗ୍ରାମ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ତାଙ୍କ ବିଭାଗକୁ ବିରୋଧ କରୁଥିବା ଗୋଷ୍ଠୀର ସଦସ୍ୟ କେବଳ ମହିଳା, ଆଉ ଗାଁର ବୟସ୍କ ମହିଳା ଏହି ଦଳର ନେତୃତ୍ୱ ନେଉଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ । ଭାରତର ଅନ୍ୟ ଗ୍ରାମଗୁଡିକରେ, ସେ ହୁଏତ କେବଳ ପୁରୁଷମାନଙ୍କ ଦ୍ୱାରା ନିୟନ୍ତ୍ରିତ ଦଳର ଜଣେ ପୁରୁଷ ସରପଞ୍ଚଙ୍କ ସମ୍ମୁଖୀନ ହୋଇଥାନ୍ତେ ।

କିନ୍ତୁ ଏଠାରେ, କନ୍ଧମାନଙ୍କ ମଧ୍ୟରେ, ରାୟଗଡା ଜିଲ୍ଲାର ସମତଳ ଅଞ୍ଚଳରେ ବାସ କରୁଥିବା ସଂଖ୍ୟା ଗରିଷ୍ଠ ଜନଜାତି (ଜନସଂଖ୍ୟା : 9,67,911, ଯାହା ମଧ୍ୟରୁ 5,41,905 ବିଭିନ୍ନ ଜନଜାତି ସଂମ୍ପ୍ରଦାୟ ଅନ୍ତର୍ଭୁକ୍ତ), ମହିଳାମାନେ ବିଭିନ୍ନ ଜରୁରୀ ନିଷ୍ପତି ଗ୍ରହଣ କରିଥାନ୍ତି । ଯଦିଓ ଏହା  ପୁରୁଷ ପ୍ରଧାନ. ତଥାପି ଏହି ସମାଜରେ ଉଭୟ ମହିଳା ଓ ପୁରୁଷ ସମାନ ଅଧିକାର ସହ ବଞ୍ଚିଥାନ୍ତି । ଯେପରି ନିୟମଗିରିର କିରଣଦିଗୁଡା ଗ୍ରାମର ଲୋକନାଥ ନାଉରୀ, 65, କହନ୍ତି “ପାହାଡ ଉପରେ ବସିଥିବା ନିୟମ ରାଜା  (ନିୟମଗିରିର ଭଗବାନ) ହେଉଛନ୍ତି ଜଣେ ପୁରୁଷ ଓ ଆମର ଗ୍ରାମ ଦେବତୀ ହେଉଛନ୍ତି ଜଣେ ନାରୀ (ଏକ ଟୋଟେମ୍‌ ପରି କାଠର ଆକୃତି ଯାହା ଗ୍ରାମର ପ୍ରବେଶ ପଥରେ ରଖାଯାଇଛି) । ଆମେ ଏହି ଦୁହିଁଙ୍କ ଉପସ୍ଥିତି ଯୋଗୁ ଉନ୍ନତି କରୁଛୁ । ଏହି ଦୁଇଜଣଙ୍କ ମଧ୍ୟରୁ କେହି ଜଣେ ବି ଅସୁବିଧାରେ ରହିଲେ, ଆମେ ବଞ୍ଚିପାରିବୁ ନାହିଁ ।

କନ୍ଧମାନଙ୍କ ମଧ୍ୟରେ, ଶ୍ରମ ବିଭାଜନ ଏହି ଦର୍ଶନ ଉପରେ ଆଧାରିତ-  ମହିଳାମାନେ ସମାନ ଭାବେ ଅଂଶଗ୍ରହଣ କରିବା ସହ  କୁଟୁମ୍ବରେ, ସେମାନଙ୍କ ଗ୍ରାମ ପରିଚାଳନା କରୁଥିବା କେନ୍ଦ୍ରରେ ସେମାନଙ୍କ ମତାମତ ରଖିଥାନ୍ତି । ପୁରୁଷମାନେ କୃଷି କାମ ଓ ଶିକାର କରିବା ବେଳେ ମହିଳାମାନେ ସେମାନଙ୍କ ସମାଜର ବାକି ସମସ୍ତଙ୍କ ଯତ୍ନ ନେଇଥାନ୍ତି ।

PHOTO • Parul Abrol

କୋସା କୁଙ୍ଗାରୁକା (ବାମ) ଓ ସିଙ୍ଗରି କୁଙ୍ଗାରୁକା (ଡାହାଣ), ବନ ବିଭାଗ ଦ୍ୱାରା ସେମାନଙ୍କ ଭୂମିରେ ନୀଳଗିରି ଗଛ ଲଗାଯିବା ପ୍ରୟାସ ବିରୋଧରେ ହୋଇଥିବା ଆନ୍ଦୋଳନର ନେତୃତ୍ୱ ନେଇଥିଲେ

କନ୍ଧୁଗୁଡାରେ, ମହିଳାମାନେ ତାହା ହିଁ କଲେ । ଗ୍ରାମବାସୀମାନେ ନୀଳଗିରି ଗଛ (1980ର ଅଖ୍ୟାତ ସାମାଜିକ ବନୀକରଣ ସ୍କିମର ଇତିହାସ) ଲଗେଇବାକୁ ବିରୋଧ କରୁଥିଲେ କାରଣ ଏହି ଗଛଗୁଡିକ ସ୍ଥାନୀୟ ପରିବେଶର ଅଂଶ ବିଶେଷ ନଥିଲେ ଓ ଏହା ଦ୍ୱାରା ମନୁଷ୍ୟ ବା ପଶୁମାନେ ଲାଭାନ୍ୱିତ ହେବା ସମ୍ଭାବନା ଖୁବ୍‌ ଅଳ୍ପ । ଗ୍ରାମବାସୀ ବାରମ୍ବାର ସେଠାରେ ଚାରା ରୋପଣ କରିବା ପ୍ରୟାସ ବିଫଳ କରିବା ପରେ କର୍ମଚାରୀମାନେ ସେଠାକୁ ଆସିଲେ । ଏଠାର ମହିଳାମାନଙ୍କ ସ୍ଥିତି ବିଷୟରେ ସଚେତନ ନଥାଇ, ସେ ସେମାନଙ୍କୁ ନୈତିକତା ସମ୍ପର୍କରେ ଭାଷଣ ଦେବାକୁ ଆରମ୍ଭ କଲେ ଓ ଯଦି ଗ୍ରାମବାସୀ ବିରୋଧ ଜାରି ରଖନ୍ତି ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ଦେଲେ ।

ଦୁଇ ଜଣ ବୟସ୍କ, ସିଙ୍ଗରି କୁଙ୍ଗରୁକା ଓ କୋସା କୁଙ୍ଗରୁକା, ଏହା ବୁଝେଇବା ପାଇଁ ଚେଷ୍ଟା କଲେ ଯେ ସେମାନେ ଏହି ବୃକ୍ଷ ରୋପଣକୁ ବିରୋଧ କରୁନାହାନ୍ତି କିନ୍ତୁ ସେମାନଙ୍କ ବିଭାଗକୁ  କେବଳ ଏତିକି ଅନୁରୋଧ ଯେ ସେମାନେ ଏପରି କିଛି ଦେଖାନ୍ତୁ ଯାହା ଦ୍ୱାରା ଗ୍ରାମବାସୀ କିମ୍ବା ଜଙ୍ଗଲର ପଶୁପକ୍ଷୀ ଲାଭାନ୍ୱିତ ହୋଇପାରିବେ । କୋସା କହିଲେ ଯେ, କର୍ମଚାରୀମାନେ ତାଙ୍କ କଥା ଶୁଣିଲେ ନାହିଁ ଓ ତାଙ୍କୁ ଧମକାଇଲେ । ଏଇଠୁ ମହିଳାମାନେ ରାଗିଗଲେ, ସେମାନଙ୍କ ମଧ୍ୟରୁ ଜଣେ କହିଲେ ବାସ୍ ଆଉ ତାପରେ ମାରପିଟ୍ କରିଥିଲେ  ।

ଏମାନଙ୍କୁ ବିପଦପୂର୍ଣ୍ଣ କହି ଏଥର ଅଧିକାରୀମାନେ ସେଠାରୁ ପଳାୟନ କଲେ। ତା ପରଦିନ ଗୋଟିଏ ଭ୍ୟାନ ଭର୍ତ୍ତି ପୋଲିସ ସେଠାକୁ ଆସିଲେ । କନ୍ଧୁଗୁଡା ଗ୍ରାମର ପୁରୁଷ  ଓ ଆଖପାଖ ଗ୍ରାମର ଗ୍ରାମବାସୀ ଉଭୟ ମହିଳା ଓ ପୁରୁଷ ଆସି ଆଗରେ ଠିଆହେଲେ । ସେମାନଙ୍କ ଏହିପରି ଜିଦ୍‌ ଦେଖି, ପୋଲିସ୍‌ ପଛଘୁଞ୍ଚା ଦେଲା; ଯାହାଫଳରେ ବିଗତ କିଛି ବର୍ଷ ହେବ ସେଠାରେ ପରିସ୍ଥିତ ଶାନ୍ତି ଅଛି ।

PHOTO • Parul Abrol

ଇନ୍ଦିରା ଆବାସ ଯୋଜନା ଅଧୀନରେ ବିଷମକଟକ ବ୍ଲକ୍‌ରେ ନିର୍ମାଣ କରାଯାଉଥିବା ଘର କିନ୍ତୁ ପାରମ୍ପରିକ ଶୈଳୀରେ, ଯେପରି କନ୍ଧ ମହିଳାମାନେ ଚାହାନ୍ତି

ସାଧାରଣତଃ, ଏଠାରେ ଗୋଟିଏ ଗ୍ରାମରେ 20-25 ପରିବାର ବା ଗୋଟିଏ କୁଟୁମ୍ବ ରୁହନ୍ତି । ନିଷ୍ପତି ଗ୍ରହଣ କରିବାରେ ସମସ୍ତଙ୍କର ଅବଦାନ ରହେ ଓ କିଛି କହିବାକୁ ଚାହିଁଲେ ସେମାନେ ତାଙ୍କ ମତାମତ ରଖନ୍ତି । ସେଠାରେ କେହି ନେତା ନାହାନ୍ତି ଓ ଯୋଗ୍ୟତା ଓ ସଂଖ୍ୟା ଗରିଷ୍ଠତା ଆଧାରରେ କୌଣସି ବିଷୟ ଗ୍ରହଣ କରାଯାଏ ।

ରାଜିନୀତିରେ ଭାଗ ନେବାଠାରୁ ଆରମ୍ଭ କରି ଜୀବନ ଯାତ୍ରା ଯାଏ, ରାୟଗଡାର ମହିଳାମାନେ ସବୁ ବେଳେ କେନ୍ଦ୍ରରେ ରହିଥାନ୍ତି। ସେମାନେ ନିଜ ମନ ମୁତାବକ ଜୀବନସାଥୀ ବାଛିପାରିବେ ଓ ଯଦି ସ୍ୱାମୀ ସ୍ତ୍ରୀକୁ ଖରାପ ବ୍ୟବହାର ପ୍ରଦର୍ଶନ କରେ ବା ସ୍ତ୍ରୀ ଅନ୍ୟ କାହାକୁ ଭଲପାଏ, ତେବେ କୌଣସି ପ୍ରକାରର ଅପବାଦକୁ ନଡରି ସ୍ତ୍ରୀ ସ୍ୱାମୀକୁ ଛାଡି ଚାଲିଯାଇ ପାରିବ । ପାରିବାରିକ ହିଂସା ବା ଯୁକ୍ତିତର୍କ ହେଲେ କୁଟୁମ୍ବ ହସ୍ତକ୍ଷେପ କରି ସମାଧାନ କରିବାକୁ ଚେଷ୍ଟା କରେ। ତେବେ ଛାଡି ଚାଲିଯିବ ବା ସାଥିରେ ରହିବ, ଏହି ନିଷ୍ପତି ମହିଳାମାନେ ନେଇଥାନ୍ତି ।

ଜଗନ୍ନାଥ ମାଞ୍ଝି, ଏହି ଅଞ୍ଚଳର ଜଣେ ଭାଷ୍ୟକାର, ପୂର୍ବର ଏକ  ଘଟଣା ବିଷୟ ମନେପକାନ୍ତି, ଯେତେବେଳେ, ଜଣେ କିଶୋର ଭାବେ ସେ ନିଜ ଜମିରେ ରାତିରେ ଜଗିବାପାଇଁ କରିଥିବା ମଞ୍ଚାର ମରାମତି ପାଇଁ ପତ୍ର ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ । ସେ ଯାହା କରୁଛନ୍ତି ତାହା ବେଆଇନ ବୋଲି କହି ବନ ବିଭାଗର ଗାର୍ଡମାନେ ତାଙ୍କୁ ଧରି ପକେଇଲେ ଓ ପୋଲିସ୍‌ ଷ୍ଟେସନ୍‌ ନେଇଗଲେ । ମାଞ୍ଝିର ମା' ଖୁବ୍ ରାଗିଗଲେ ଓ ପୋଲିସ୍‌ ଷ୍ଟେସନ୍‌ ଆଗରେ ଧାରଣାରେ ବସିବା ପାଇଁ ଗ୍ରାମବାସୀଙ୍କୁ  ଏକାଠି କଲେ । ତାଙ୍କ ପୁଅକୁ ପୋଲିସ ଛାଡିବା ପର୍ଯ୍ୟନ୍ତ ସେ ଯୁକ୍ତିରେ ଅଟଳ ରହିଲେ ।

PHOTO • Parul Abrol

କନ୍ଧମାନଙ୍କ ଘରେ ଗଚ୍ଛିତ କରି ରଖାଯାଇଥିବା ଶସ୍ୟ : ଏଠାରେ ସବୁଠାରୁ ମୂଲ୍ୟବାନ ପଦାର୍ଥ ହେଉଛି ମଞ୍ଜି

ଗ୍ରାମର ପ୍ରଗତି ଦୀର୍ଘସ୍ଥାୟୀ କରିବାରେ  ମହିଳାମାନଙ୍କ ଉଲ୍ଲେଖନୀୟ ଭୂମିକା ସମାଜରେ ସେମାନଙ୍କ ସ୍ଥିତି ପ୍ରତିଫଳିତ କରିଥାଏ । ଗ୍ରାମର ନିର୍ମାଣ ଏପରି ଭାବେ କରାଯାଇଛି ଯେଉଁଠି ପରିବାର ପରିବାର ମଧ୍ୟରେ ପାରସ୍ପରିକ ଆଲୋଚନା କରିବା ଓ ସାମାଜିକ ଜୀବନଯାପନକୁ ଉତ୍ସାହିତ କରିବା ସମ୍ଭବ । କିଛି ବର୍ଷ ତଳେ, ସରକାର ଇନ୍ଦିରା ଆବାସ ଯୋଜନା ଅନ୍ତର୍ଗତ ପକ୍କା (ସ୍ଥାୟୀ) ଘର ନିର୍ମାଣ ସ୍କିମ୍‌ ଆଣିଲେ । ସରକାରୀ ସ୍ଥପତିଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଯୋଜନା ମୁତାବକ, ଘରଗୁଡିକ ସ୍ୱାଧୀନ ଭାବେ ରହିବ ଓ ପରସ୍ପର ମୁହାଁମୁହିଁ ହୋଇ ରହିପାରିବ ନାହିଁ । ମହିଳାମାନେ ଏହାର ବିରୋଧ କଲେ, ସେମାନଙ୍କ କହିବା ଅନୁସାରେ ଏହା ତାଙ୍କର ପାରମ୍ପରିକ ଗ୍ରାମ ଯୋଜନାକୁ ଭାଙ୍ଗିଦେବ । ସରକାର ଯେତେବେଳେ ସେମାନଙ୍କ ପାରମ୍ପରିକ ଶୈଳୀରେ ଘର ତିଆରି କରିବାପାଇଁ ସେମାନଙ୍କ ଦାବି ମାନିଲେ, ସେତେବେଳେ ନିର୍ମାଣ କାମ ଆରମ୍ଭ ହୋଇପାରିଲା ।

କନ୍ଧମାନଙ୍କ ଘରେ ସବୁଠାରୁ ଅମୂଲ୍ୟ ସମ୍ପଦ ହେଉଛି ମଞ୍ଜି । ଏହା ହେଉଛି କେବଳ ନାରୀମାନଙ୍କ ଦ୍ୱାରା ନିୟନ୍ତ୍ରିତ ପରିସର । ମଞ୍ଜିଗୁଡିକୁ ବାଛିବା, ସେଗୁଡିକ ପରବର୍ତ୍ତୀ ବର୍ଷ ପର୍ଯ୍ୟନ୍ତ ସାଇତି ରଖିବା ଦାୟିତ୍ୱ ହେଉଛି ମହିଳାମାନଙ୍କର । ମଞ୍ଜି ଓ ମହିଳାମାନଙ୍କ ମଧ୍ୟରେ ରହିଥିବା ନିବିଡ ସମ୍ପର୍କ ସମାଜରେ ଜଣେ ମହିଳାର ସମ୍ମାନ ଓ ଖ୍ୟାତିର ସୂଚକ ।

ମୁନିଗୁଡା ବ୍ଲକ୍‌, ଦୁଲାରି ଗ୍ରାମର ଶ୍ରୀମତୀ ଡାକୁଆ, 55, କୁହନ୍ତି, “ମଞ୍ଜି ହେଉଛି ତାହା ଯାହା ଆମକୁ ଧରଣୀ ମାଆ ନିୟମିତ ସମୟ ବ୍ୟବଧାନରେ ଦେଇଥାଏ- ଏହା ତାଙ୍କର ଫଳ, ଆମ ପାଇଁ ତାଙ୍କର ଦାନ । ଆମେ ପଡିଶା ଗ୍ରାମର ମଞ୍ଜି ପୂଜା କରିବୁ ନାହିଁ – ଏହା ଆମ ନିଜ ଜମିରୁ ଆସିଛି । ଏହିପରି ଭାବେ ଆମର ଜମି ନିଜର ଶୋଧନ କରିଥାଏ ଓ ଭବିଷ୍ୟତରେ ଅଧିକ ଦେବାପାଇଁ ପ୍ରସ୍ତୁତ ହୋଇଥାଏ । ଆମେ ତାହାର ଅସମ୍ମାନ କରି ପାରିବୁନାହିଁ ।

PHOTO • Parul Abrol

ମୁନିଗୁଡା ବ୍ଲକ୍ଅନ୍ତର୍ଗତ ଦୁଲାରୀ ଗ୍ରାମର ଶ୍ରୀମତୀ ଡାକୁଆ: ମଞ୍ଜି ଓ ଖାଦ୍ୟ ଜରିଆରେ, ମହିଳାମାନେ କନ୍ଧ ସଂସ୍କୃତି ଓ ପରିବେଶର ରକ୍ଷକ ହୋଇ ପାରିଛନ୍ତି ।

ମଞ୍ଜି ଓ ଖାଦ୍ୟ ମାଧ୍ୟମରେ, ମହିଳାମାନେ ସଂସ୍କୃତିର ରକ୍ଷକ ହୋଇ ପାରିଛନ୍ତି । ଲିଭିଙ୍ଗ୍‌ ଫାର୍ମ, ଏକ ବେସରକାରୀ ସଂଗଠନ, ଯାହା ଏହି ଅଞ୍ଚଳର ସ୍ଥାନୀୟ ଖାଦ୍ୟର ସୁରକ୍ଷା ଓ ପ୍ରଚାର ପ୍ରସାର କରିଥାଏ, । ଦେବଜୀତ ଷଡ଼ଙ୍ଗୀ କହନ୍ତି, “ନିୟମିତ ଭାବେ ରାନ୍ଧି ଓ ସେଗୁଡିକୁ ନିଜ ସନ୍ତାନଙ୍କୁ ଖାଇବାକୁ ଦେଇ, ସେମାନଙ୍କୁ ଶସ୍ୟର ଗୁରୁତ୍ୱ ବିଷୟରେ ବୁଝାଇ ଓ ସେଗୁଡିକୁ ପରବର୍ତ୍ତୀ କୃଷି ଚକ୍ର ପର୍ଯ୍ୟନ୍ତ ନଷ୍ଟ ହେବାକୁ ନଦେଇ ସୁରକ୍ଷିତ ରଖି ମହିଳାମାନେ ଅନେକ ସଂଖ୍ୟକ ବିଲୁପ୍ତପ୍ରାୟ ଓ ମୂଲ୍ୟବାନ କିସମ ବଞ୍ଚାଇ ରଖିଛନ୍ତି”। ଏହାଫଳରେ ସେମାନେ ଏକ ନିର୍ଦ୍ଦିଷ୍ଟ କିସମର ଶସ୍ୟ, ଯାହା ସେମାନଙ୍କ ପରିବେଶ ଉପଯୋଗୀ ହୋଇପାରିବ ଓ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିବ ତାହା ସୁରକ୍ଷିତ କରି ରିଖି ପାରିଛନ୍ତି ।

କୁଟୁମ୍ବର ତିନି ମୁଖ୍ୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରୁ –ଜାନି, ଦିଶାରି ଓ ବେଜୁନି – ବେଜୁନି ପ୍ରାୟତଃ ଜଣେ ମହିଳା ହୋଇଥାନ୍ତି । ଜାନି, ପର୍ବପର୍ବାଣୀ ଓ ଅନୁଷ୍ଠାନ ଗୁଡିକରେ ବିଧିବିଧାନ କରୁଥିବା ଜଣେ ବ୍ୟକ୍ତି; ଦିଶାରି ହେଉଛି ସ୍ଥାନୀୟ ଔଷଧ ଓ ଜଳବାୟୁ ସମ୍ବନ୍ଧୀୟ ଜ୍ଞାନ ଥିବା ଜଣେ ବ୍ୟକ୍ତି । ବେଜୁନି ହେଉଛି ଗ୍ରାମ ଶମନ ( ଏହି କାହାଣୀର ସବୁଠାରୁ ଉପରେ ଥିବା ଛବିରେ ବାମରେ ଦେଖାଯାଇଛି) । ତାଙ୍କୁ ସମୟ ବ୍ୟବଧାନରେ ଗ୍ରହଣ କରାଯଏ, ସେ ବିଭିନ୍ନ ଭଗବାନଙ୍କର ସନ୍ଦେଶ ସମ୍ପ୍ରଦାୟକୁ ଜଣାଇଥାନ୍ତି, ସମ୍ଭାବ୍ୟ ବିପଦ ଓ ମହାମାରୀ ବିଷୟରେ ସଚେତନ କରିଥାନ୍ତି ଓ ପୁରୁଷମାନେ ଶିକାରକୁ ଯିବା ପୂର୍ବରୁ ସେମାନଙ୍କୁ ନିର୍ଦ୍ଦେଶ ଦେଇଥାନ୍ତି ।

ଏହା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ ଯେ, ଯେତେବେଳେ କି ପୁରୁଷ ପ୍ରଧାନ ସମାଜରେ ମହିଳାମାନଙ୍କୁ ପ୍ରାୟତଃ ଧାର୍ମିକ ଅନୁଷ୍ଠାନ ଠାରୁ ଦୂରେଇ ରଖାଯାଉଛି, ସେଠାରେ କନ୍ଧମାନଙ୍କ ମଧ୍ୟରେ, ମହିଳାମାନେ ଭଗବାନଙ୍କ ଦୂତର ଭୂମିକା ଗ୍ରହଣ କରୁଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parul Abrol

Parul Abrol is an independent journalist based in New Delhi. She has worked with the Hindustan Times and IANS, among other organisations. She writes on conflict and development issues, and is working on a book on Kashmir's political history.

Other stories by Parul Abrol