ଅମୋଡା ଓ ରାଜେଶ ମାର୍ଚ୍ଚ ୨୩ରେ ଯେତେବେଳେ ଦକ୍ଷିଣ ବାଙ୍ଗାଲୁରୁର କୋଠା ନିର୍ମାଣ ସ୍ଥଳରେ ସେମାନଙ୍କ ନୂଆ କାମରେ ଯୋଗ ଦେବା ପାଇଁ ପହଞ୍ଚିଲେ ସେତେବେଳେ ସେମାନଙ୍କ ଭାଗ୍ୟରେ କ’ଣ ଭୋଗିବାକୁ ଲେଖାହୋଇଛି ତାହା ସେମାନେ ଜାଣିନଥିଲେ ।  

ଜେ.ପି ନଗର ପାଖ ଅଞ୍ଚଳରେ ଥିବା ନିର୍ମାଣ ସ୍ଥଳରେ ସେମାନଙ୍କ କାମ ଆରମ୍ଭ କରିବା ଯୋଜନା କୋଭିଡ୍‌-୧୯ ତାଲାବନ୍ଦ ଘୋଷଣା ହେବା ସହିତ ପଣ୍ଡ ହୋଇଗଲା । ସେମାନେ କରୋନା ଭୂତାଣୁ ବିଷୟରେ କିଛି ଜାଣନ୍ତି ନାହିଁ, ବର୍ତ୍ତମାନ ମଧ୍ୟ ନୁହେଁ । “କେହି ଜଣେ ଆମକୁ ସାବଧାନ ରହିବାକୁ କହିଲେ, ହେଲେ କେଉଁ ଜିନିଷ ପ୍ରତି ସାବଧାନ ରହିବୁ ତାହା ମଧ୍ୟ ଆମକୁ ଜଣା ନାହିଁ । ଆମକୁ କେବଳ ଏତିକି ଜଣା ଯେ ଆମ ପାଖରେ କିଛି କାମ ନାହିଁ,” ବୋଲି ଏପ୍ରିଲ ଆରମ୍ଭରେ ଅମୋଡାଙ୍କ ସହିତ ଆମେ ସାକ୍ଷାତ କରିବା ବେଳେ ସେ ଆମକୁ କହିଥିଲେ ।

ଅମୋଡା ଓ ରାଜେଶ, ଯେଉଁମାନେ ସେମାନଙ୍କର କେବଳ ପ୍ରଥମ ନାମ ବ୍ୟବହାର କରିବାକୁ ପସନ୍ଦ କରନ୍ତି। ଉଭୟଙ୍କ ବୟସ ହେଉଛି ୨୩ ବର୍ଷ । ସେମାନେ ସାଧାରଣତଃ ସେମାନଙ୍କ ଦୁଇ ସନ୍ତାନ –  ତିନି ବର୍ଷର ରକ୍ଷିତା ଓ ଏକ ବର୍ଷର ରକ୍ଷିତଙ୍କ ସହିତ  ବାଙ୍ଗାଲୁରୁରେ ଗୋଟିଏ ନିର୍ମାଣ ସ୍ଥଳରୁ ଅନ୍ୟ ନିର୍ମାଣସ୍ଥଳକୁ ଯାଇଥାନ୍ତି – ଅର୍ଥ ଉପାର୍ଜନ କରିବା ପାଇଁ ।

ମାର୍ଚ୍ଚ ୨୩ ଠାରୁ, ଏହି ପରିବାର ଜେ.ପି ନଗର ନିର୍ମାଣ ସ୍ଥଳରେ ରହି ଆସୁଛନ୍ତି, ସେମାନଙ୍କ ପାଖରେ କରିବାକୁ କୌଣସି କାମ ନାହିଁ, ମଜୁରି ମଧ୍ୟ ମିଳୁନି ଓ ସେମାନଙ୍କ ପାଖରେ ଅଳ୍ପ ପରିମାଣର ଖାଦ୍ୟ ମହଜୁଦ ଅଛି । ବିଦ୍ୟୁତ୍‌ ଓ ପାଣି ଯୋଗାଣ ନେଇ ମଧ୍ୟ ଅନିୟମିତତା ରହିଛି । “ଠିକାଦାର ଆମକୁ ସବୁବେଳେ ଏହା କହୁଛନ୍ତି ଯେ ସେ ପୁଣି ଆସିବେ। ସେ ଆସନ୍ତା କାଲି ଆସିବେ । ସେ ଆସୁଛନ୍ତି ଓ ଚାଲି ଯାଉଛନ୍ତି । ଆମେ ତାଙ୍କ ବିଷୟରେ ବିଶେଷ କିଛି ଜାଣିନୁ, ସେ କିଏ, କଣ କରନ୍ତି , କିଛି ଜାଣିନୁ । “ଆମକୁ ତାଙ୍କ ନାମ ମଧ୍ୟ ଜଣା ନାହିଁ” ବୋଲି ଅମୋଡା କହିଥିଲେ ।
Amoda, Rajesh and their kids Rakshit and Rakshita have stayed in a small shed on the construction site during the lockdown
PHOTO • Asba Zainab Shareef
Amoda, Rajesh and their kids Rakshit and Rakshita have stayed in a small shed on the construction site during the lockdown
PHOTO • Asba Zainab Shareef

ଅମୋଡା, ରାଜେଶ ଓ ସେମାନଙ୍କ ପିଲାମାନେ, ରକ୍ଷିତ ଓ ରକ୍ଷିତା ତାଲାବନ୍ଦ ସମୟରେ ନିର୍ମାଣ ସ୍ଥଳରେ ଏକ ଛୋଟ ଆଶ୍ରୟ ସ୍ଥଳରେ ରୁହୁଛନ୍ତି

୨୦୧୫ ରେ ସେ ଓ ରାଜେଶ ପରସ୍ପରକୁ ବିବାହ କରିବା ପରେ ବହୁବାର ନିଜର ସ୍ଥାନ ପରିବର୍ତ୍ତନ କରିଛନ୍ତି । ଅମୋଡା ସେହି ବର୍ଷ ୨୦୧୦ରେ ବାଙ୍ଗାଲୁରୁର ନିର୍ମାଣ ସ୍ଥଳରେ ପ୍ରବାସୀ ନିର୍ମାଣ ଶ୍ରମିକ ଭାବେ କାମ କରିବାକୁ ଆସିଥିବା ତାଙ୍କ ସ୍ୱାମୀଙ୍କ ସହିତ ମିଶି ରହିବାକୁ ଆସିଥିଲେ । ସେ ତାମିଲନାଡୁର କୃଷ୍ଣଗିରି ଜିଲ୍ଲାର ବର୍‌ଗୁର୍‌ ବ୍ଲକ୍‌ ଅନ୍ତର୍ଗତ ଓପାଥବଡି ପଞ୍ଚାୟତର ଏକ ଛୋଟ ପଲ୍ଲୀରୁ ଆସିଛନ୍ତି, ଯେଉଁଠାରେ ଉଭୟ ଜନ୍ମ ଗ୍ରହଣ କରିଥିଲେ। ଉଭୟ ବାଲ୍ମିକି ଜାତିର ଯାହା ତାମିଲନାଡୁର ଓବିସି ତାଲିକାଭୁକ୍ତ ଅଟେ ।

ମାତ୍ର ୧୩ ବର୍ଷ ବୟସରେ ରାଜେଶ ତାଙ୍କ ବାପାମା’ଙ୍କ ସହିତ ବାଙ୍ଗାଲୁରୁ ଆସିଥିଲେ – ସେମାନେ ଏହି ସହରରେ କ୍ରମଶଃ ବୃଦ୍ଧି ପାଉଥିବା ନିର୍ମାଣ ଶିଳ୍ପରେ ନିଜ ପାଇଁ କାମ ଖୋଜିବା ପାଇଁ ଆସିଥିଲେ । “ସହରରେ ଅଧିକ ଉପାର୍ଜନ କରିହେବ ବୋଲି ଲୋକମାନେ ଜାଣନ୍ତି, ଏଣୁ ସମସ୍ତେ ଏଠାକୁ ଆସନ୍ତି,” ବୋଲି ସେ କହିଲେ ।

ଏହି ସହରରେ ଦଶ ବର୍ଷରୁ ଅଧିକ ସମୟ ବିତେଇବା ପରେ ମଧ୍ୟ ସେ ରାଜ୍ୟ ଦ୍ୱାରା ଜାରି କରାଯାଇଥିବା କୌଣସି ପରିଚୟ ପତ୍ର ପାଇବାକୁ ଆଜି ପର୍ଯ୍ୟନ୍ତ ସମର୍ଥ ହୋଇପାରିନାହାନ୍ତି ଯାହା ତାଲାବନ୍ଦ ସମୟରେ ରାସନ୍‌ ଓ ଅନ୍ୟ ରିଲିଫ୍‌ ସାମଗ୍ରୀ ପାଇବାରେ ସହାୟକ ହୋଇପାରନ୍ତା ।

ଅମୋଡା ବା ସେ, କାହା ପାଖରେ ମଧ୍ୟ ରାସନ୍‌ କାର୍ଡ, ଆଧାର କାର୍ଡ ବା ଜନ୍ମ ପ୍ରମାଣ ପତ୍ର ନାହିଁ ଓ ସେମାନଙ୍କର କୌଣସି ସ୍ଥାୟୀ ଠିକଣା ମଧ୍ୟ ନାହିଁ । ଦରିଦ୍ର ସୀମା ରେଖା (ବିପିଏଲ୍‌) ତଳେ ଥିବା ପରିବାରଗୁଡିକ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆବଶ୍ୟକ ପରିଚୟ ପତ୍ର ସେମାନେ ସଂଗ୍ରହ କରିପାରିବେ ବୋଲି ସେମାନେ ଆଶା କରିଥିଲେ । “ଆମେ ଭାବିଥିଲୁ ଯେ ସହରରେ କେହି ନା କେହି ରାସନ୍‌ କାର୍ଡ ବା ବିପିଏଲ୍‌ କାର୍ଡ ହାସଲ କରିବା ପାଇଁ ଆମର ସହାୟତା କରିବେ, ହେଲେ ଆଜି ପର୍ଯ୍ୟନ୍ତ ଏହା ସମ୍ଭବ ହୋଇ ପାରିନାହିଁ । ସେଠାକୁ ଯିବାକୁ ଓ ଗୋଟିଏ ଆଣିବାକୁ ମୋ ପାଖରେ ସମୟ ମଧ୍ୟ ନାହିଁ । ଆମେ ସପ୍ତାହର ପ୍ରତ୍ୟେକ ଦିନ କାର୍ଯ୍ୟରେ ବ୍ୟସ୍ତ ରହୁଛୁ [ ତାଲାବନ୍ଦ ପୂର୍ବରୁ] । ଦିନକର ମଜୁରି ହରାଇବା ଆମ ପାଇଁ ମହଙ୍ଗା ପ୍ରମାଣିତ ହେବ,” ବୋଲି ରାଜେଶ କହିଥିଲେ ।

Three-year-old Rakshita is growing up moving from one building site to another
PHOTO • Asba Zainab Shareef

ତିନି ବର୍ଷର ରକ୍ଷିତା ଗୋଟିଏ କୋଠାରୁ ଅନ୍ୟ କୋଠାକୁ ବୁଲି ବୁଲି ବଢୁଛନ୍ତି

ରାଜେଶଙ୍କ ସହିତ ବାହା ହେବା ପୂର୍ବରୁ ଅମୋଡା ବର୍‌ଗୁର୍‌ଠାରେ ଥିବା ଏକ ଟେକ୍ସଟାଇଲ୍‌ ବୟନ କଳରେ କାମ କରୁଥିଲେ । ବର୍‌ଗୁର ଟାଉନ୍‌ରେ ପହଞ୍ଚିବା ପାଇଁ ସେୟାର୍ଡ ଅଟୋରେ ଗଲେ କନ୍ନାମୁର୍‌ରୁ ଅଧା ଘଣ୍ଟା ସମୟ ଲାଗିଥାଏ । ସେ ବର୍‌ଗୁର ତାମିଲ-ମାଧ୍ୟମ ସରକାରୀ ବିଦ୍ୟାଳୟରେ ୧୦ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି, ତା‘ପରେ ଆଉ ବିଦ୍ୟାଳୟକୁ ଯାଇନାହାନ୍ତି । ସେ ସେଠାରେ ଗଣିତ ଓ ବିଜ୍ଞାନ ପଢିବା କଥା ମନେ ପକାନ୍ତି । ସେ ଓ ରାଜେଶ, ଯିଏ କେବେ ମଧ୍ୟ ବିଦ୍ୟାଳୟ ଯାଇନାହାନ୍ତି, ଉଭୟ ଏକାଧିକ ଭାଷା ଜାଣନ୍ତି, ଉଭୟ ତାମିଲ ଓ କନ୍ନଡ ଭାଷା କହିପାରନ୍ତି ଓ ବର୍‌ଗୁର୍‌ ଆନ୍ଧ୍ର ସୀମାରେ ଅବସ୍ଥିତ ହୋଇଥିବାରୁ ତେଲୁଗୁ ମଧ୍ୟ କହିପାରନ୍ତି । ରାଜେଶ ଦକ୍ଷିଣି ମଧ୍ୟ କହିପାରନ୍ତି. ଯାହା ବେଙ୍ଗାଲୁରୁର ଏକ ବହୁ ପ୍ରଚଳିତ ଭାଷା ଅଟେ । 

କାମ ମିଳିଲେ, ଅମୋଡା ଓ ରାଜେଶ ଉଭୟ ଦିନକୁ ୩୫୦ ଟଙ୍କା ରୋଜଗାର କରନ୍ତି । ପ୍ରତି ସପ୍ତାହ ଶେଷରେ ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିଥାଏ । “ଗ୍ରାମରେ ସହଜରେ କାମ ମିଳୁନି । ଯାହାସବୁ କାମ ଉପଲବ୍ଧ ହୋଇଥାଏ – ପେଣ୍ଟିଂ, ନିର୍ମାଣ – ତାହା ବର୍‌ଗୁର୍‌ରେ ମିଳିଥାଏ । କନ୍ନାମୁରରୁ ଟାଉନ୍‌କୁ ଯିବା ଆସିବା କରିବା ପାଇଁ ୩୦ଟଙ୍କା ଖର୍ଚ୍ଚ ହୋଇଥାଏ । ଆମ ଗ୍ରାମର ଅଧିକାଂଶ ଲୋକ କାମ କରିବା ପାଇଁ ଗ୍ରାମ ଛାଡି ବେଙ୍ଗାଲୁରୁ ସହରକୁ ଯାଉଛନ୍ତି,” ବୋଲି ଅମୋଡା କହିଲେ ।

ସେ ବେଙ୍ଗାଲୁରୁ ଆସିବା ପରେ, ତାଙ୍କର ବାପା ମା, ଯାହାର ଗ୍ରାମରେ ନିଜସ୍ୱ କୌଣସି ଜମି ନାହିଁ, ମଧ୍ୟ ନିର୍ମାଣ ସ୍ଥଳରେ କାମ କରିବା ପାଇଁ ଏଠାକୁ ଆସିଥିଲେ । ହେଲେ, ସେମାନେ ସମସ୍ତେ ଗୋଟିଏ ସହରରେ ରହୁଥିଲେ ମଧ୍ୟ ପରସ୍ପର ସହିତ କେବେ କେମିତି ଦେଖା ହୁଏ । "ଆମ ପାଖରେ ଫୋନ୍‌ ନାହିଁ । ଆମ ପାଖରେ କେବେ ମଧ୍ୟ ନଥିଲା,"ରାଜେଶ କହିଲେ ।

ଏପ୍ରିଲ ୨୭ରେ ଯେତେବେଳେ ଠିକାଦାର ଜେ.ପି ନଗର ସାଇଟ୍‌ ଦେଖାଇଥିଲେ, ସେତେବେଳେ ସେମାନେ ତାଙ୍କୁ କାମ କେତେବେଳେ ଆରମ୍ଭ ହେବ ବୋଲି ପଚାରି ଥିଲେ । “ସେ କହିଥିଲେ ଯେ ଆମକୁ ସବୁକିଛି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ, ତାପରେ ଯାଇ କାମ ଆରମ୍ଭ ହେବ । ଏଣୁ ଏହି ଦମ୍ପତି କାର୍ଯ୍ୟସ୍ଥଳିରେ ଯାହାକିଛି କାମ ମିଳିଲା ସେହିସବୁ କାମ କରିବାକୁ ଲାଗିଲେ – କିଛି ସିମେଣ୍ଟ, କାଠ ଓ ଇଟା ସହାୟତାରେ । “ଏଠାରେ ଆମ ପାଖରେ ଯାହା କିଛି ସାମଗ୍ରୀ ଉପଲବ୍ଧ ଅଛି ସେଥିରେ କିଛି କାମ ହୋଇଯିବ, କିଛି ନ କରି ବସି ରହିବା ବଦଳରେ ବରଂ ଏହା କରିବା ଭଲ, ଯଦିଓ ଆମକୁ ଏଥିପାଇଁ କୌଣସି ପାରିଶ୍ରମିକ ମିଳୁନାହିଁ,” ବୋଲି ଅମୋଡା କାନ୍ଥରେ ଥିବା ଫାଟ ଉପରେ ସିମେଣ୍ଟ ପ୍ଲାଷ୍ଟରିଂ କରୁକରୁ କହିଲେ ।

“ପ୍ରତ୍ୟେକ ନିର୍ମାଣ ସ୍ଥଳରେ ଆମେ ରହିବାକୁ ଏକ ଅସ୍ଥାୟୀ ବଖରା ନିର୍ମାଣ କରିଥାଉ। ତାହା ଆମର ଘର ଅଟେ,” ବୋଲି ସେ ମୁଖ୍ୟ ନିର୍ମାଣ ସ୍ଥଳ ପାର୍ଶ୍ୱରେ ଥିବା ଏକ ଛୋଟ ବଖରା ଆଡକୁ ଇଂଗିତ କରି କହିଲେ, ଯେଉଁଠାରେ ସେମାନେ କେବଳ ରୁହନ୍ତି । ସେମାନଙ୍କ ୬ ଗୁଣନ ୧୦ ଫୁଟର ‘ଘର’ ସିମେଣ୍ଟ ଇଟା ଓ ଏକ ଟିଣ-ସିଟ୍‌ ଛାତରେ ନିର୍ମିତ ହୋଇଛି (ଭାର ଦେଇ ସଠିକ୍‌ ସ୍ଥାନରେ ରଖାଯାଇଛି)। ଭିତରେ ଛାତରୁ ଓହଳିଥିବା ଗୋଟିଏ ବଲ୍ବରୁ ଚାରିଆଡେ କ୍ଷୀଣ ଆଲୁଅ ବିଚ୍ଛୁରିତ ହେଉଥିଲା ।
The couple worked with whatever was available. 'We might as well get some work done... even if we aren't getting paid'
PHOTO • Asba Zainab Shareef
The couple worked with whatever was available. 'We might as well get some work done... even if we aren't getting paid'
PHOTO • Asba Zainab Shareef

ଯାହା କିଛି ଉପଲବ୍ଧ ହେଲା, ଏହି ଦମ୍ପତି ସେହି ସବୁ କାମ କରିବାକୁ ଲାଗିଲେ। ‘ଆମର ମଧ୍ୟ କିଛି କାମ ହୋଇଯିବ …. ଯଦିଓ ଏଥିପାଇଁ ଆମକୁ କୌଣସି ପାରିଶ୍ରମିକ ମିଳୁନି

ଅମୋଡା ଓ ରାଜେଶ ତାଲାବନ୍ଦ ସମୟରେ ନିଜକୁ ସମ୍ପୂର୍ଣ୍ଣ ବ୍ୟସ୍ତ ରଖିଛନ୍ତି । ଅମୋଡା ରାନ୍ଧିଲେ, ଘର ସଫା କଲେ ଓ ତାଙ୍କ ଘରର ସମସ୍ତ କାମ ସାରିଲେ । ସେ କାମ କରିବା ବେଳେ ରାଜେଶ ପିଲାମାନଙ୍କ ଯତ୍ନ ନିଅନ୍ତି । “ଆଜି ସକାଳେ ଆମେ ସାଦା ଭାତ ଖାଇଥିଲୁ ଓ ଏବେ ଆମେ ଏହାକୁ ଲଙ୍କା ସହିତ ବା ସାଦା ଖାଇବୁ,” ବୋଲି ସିମେଣ୍ଟ ଇଟାରେ ନିର୍ମିତ ଏକ ଅସ୍ଥାୟୀ ଚୁଲ୍ଲାରେ ଜଳୁଥିବା କାଠର ନିଆଁରେ ଚପାତି  ଓଲଟାଉଥିବା ବେଳେ ଆମକୁ କହିଲେ ।

“ପୂର୍ବ କାମରୁ ମିଳିଥିବା ପଇସାରୁ ଆମେ କିଛି ସଞ୍ଚୟ କରିଥିଲୁ, ହେଲେ ସେଥିରେ କେବଳ ସପ୍ତାହକ ପାଇଁ ଖାଦ୍ୟ କିଣି ପାରିଲୁ । ତାହା ସରିଯିବା ପରେ ଆମକୁ ରାସ୍ତାରେ ଯାଉଥିବା ଲୋକମାନେ ଦେଉଥିବା ପଇସା ଓ ପଡିଶା ଘରୁ ମିଳୁଥିବା ଖାଦ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଏପରିକି ଆମକୁ କିଛି ଦିନ ବିନା ଖାଦ୍ୟରେ ମଧ୍ୟ ରହିବାକୁ ପଡିଲା” ବୋଲି ଅମୋଡା କୁହନ୍ତି । ହେଲେ ଆଖପାଖରେ ରହୁଥିବା କିଛି ଲୋକ ଆମକୁ ଖାଇବାକୁ ଖାଦ୍ୟ ଓ କିଛି ପଇସା ଦେବା ପରେ ଯାଇ ଆମର ସ୍ଥିତି ସୁଧୁରିବା ଆରମ୍ଭ ହେଲା । 

ଯଦିଓ ପ୍ରଥମ ପର୍ଯ୍ୟାୟରେ କର୍ଣ୍ଣାଟକ ସରକାର ପ୍ରବାସୀ ଶ୍ରମିକମାନଙ୍କୁ ସେଠାରେ ରହିବାକୁ ଅନୁରୋଧ କରିଥିଲେ ଓ ତାପରେ ସେମାନଙ୍କୁ ସେଠାରେ ରଖିବା ପାଇଁ ମେ ୫ରେ ଶ୍ରମିକ ଟ୍ରେନ ବାତିଲ୍‌ କରିଦେଇଥିଲେ, ପରବର୍ତ୍ତୀ ସମୟରେ ଅନେକ ଶ୍ରମିକ ଜୀବନ ଧାରଣର ନିମ୍ନ ମାନ ଓ ମଜୁରି ନମିଳିବା କାରଣରୁ ସେହି ସ୍ଥାନ ଛାଡି ଚାଲିଯାଉଥିବା କଥା ଗଣମାଧ୍ୟମକୁ ଜଣାଇଛନ୍ତି । ଦୁଇ ଦିନ ପରେ ଟ୍ରେନ୍‌ଗୁଡିକ ବାତିଲ କରିବା ନିଷ୍ପତ୍ତି ବଦଳାଯାଇଥିଲା । ହେଲେ, ମେ ୧୮ ପର୍ଯ୍ୟନ୍ତ ରାଜେଶ ଓ ଅମୋଡାଙ୍କ ପାଖରେ ନିର୍ମାଣ ସ୍ଥଳଗୁଡିକରେ କେବେ କାମ ଆରମ୍ଭ ହେବ ସେ ବିଷୟରେ କୌଣସି ସୂଚନା ନଥିଲା ।

କନ୍ନାମୁର୍‌କୁ ଫେରିଯିବା ଏହି ଦମ୍ପତିଙ୍କ ପାଇଁ ଉଚିତ ବିକଳ୍ପ ନୁହେଁ ।  “ଘରକୁ ଚାଲିଯାଅ? ପ୍ରତ୍ୟାବର୍ତ୍ତନର କୌଣସି ଅର୍ଥ ନାହିଁ! ଆମର ନିଜସ୍ୱ ଜମି ନାହିଁ [ ଗ୍ରାମରେ] । ସେଠାରେ କରିବାକୁ କିଛି କାମ ନାହିଁ ଓ ସେଠାରେ ଆମର ଅଳ୍ପ ରୋଜଗାର ହୋଇଥାଏ” ବୋଲି ଅମୋଡା କହିଲେ । “ ସେଠାରେ ଆମପାଇଁ କେଉଁଠି ମଧ୍ୟ କିଛି କାମ ନାହିଁ । ଆମେ ଏଠାରେ ରହିବୁ ଓ କିଛି କରିବୁ ନାହିଁ ବା ସେଠାକୁ ଚାଲିଯିବୁ ଓ କିଛି କରିବୁ ନାହିଁ । ଏହି ଦୁଇ ବକଳ୍ପ ମଧ୍ୟରେ ବିଶେଷ ପାର୍ଥକ୍ୟ ନାହିଁ ।

ଅନୁବାଦ: ଓଡ଼ିଶାଲାଇଭ୍‍


ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Asba Zainab Shareef and Sidh Kavedia

ଅସ୍‌ବା ଜୈନାବ୍‌ ସରିଫ୍‌ ଓ ସିଧ୍‌ କାବେଡିଆ, ଉଭୟଙ୍କ ବୟସ ହେଉଛି ୧୭ ବର୍ଷ ଓ ସେମାନେ ବେଙ୍ଗାଲୁରୁ ସ୍ଥିତ ଶିବୁମି ବିଦ୍ୟାଳୟର ୧୨ ଗ୍ରେଡ୍‌ର ଶିକ୍ଷାର୍ଥୀ । ଏହା ହେଉଛି ପରୀ ପାଇଁ ସିଧ୍‌ଙ୍କ ଦ୍ୱିତୀୟ କାହାଣୀ ।

Other stories by Asba Zainab Shareef and Sidh Kavedia