ବାଙ୍ଗନି ସହରରେ ତାଙ୍କ ଦୁଇ ବଖରା ଘରର ଗାଧୁଆଘରେ ଲୁଗା ଧୋଉଛନ୍ତି ବିମଲ ଠାକ୍‌ରେ । ଗଦାଏ ଶାଢ଼ି, ଶାର୍ଟ ଓ ଅନ୍ୟ ପୋଷାକପତ୍ରରେ ସାବୁନ ଲଗାଇବା ବେଳେ ଦୁର୍ବଳ ହାତ ଦୁଇଟି ଥରି ଉଠୁଛି, ଗୋଟିଏ ଶାଗୁଆ ରଙ୍ଗର ପ୍ଳାଷ୍ଟିକ୍‌ ମଗ୍‌ରୁ ସେଇ ଲୁଗାପଟା ଉପରେ ପାଣି ଢାଳୁଛନ୍ତି ।

ତା’ପରେ, ଧୁଆ ହୋଇଥିବା ଲୁଗାପଟା ସବୁ ସଫା ହୋଇଛି ବୋଲି ନିଶ୍ଚିତ କରିବା ଲାଗି ସେଗୁଡ଼ିକୁ ସେ ଗୋଟି ଗୋଟି କରି ନାକ ପାଖକୁ ନେଇ ବାରମ୍ବାର ଶୁଂଘନ୍ତି । ଏଥର ସେ କାନ୍ଥ ଧରି ଧରି ଉଠନ୍ତି, ଦୁଆରର ଚଉକାଠ ଛୁଇଁ ଦିଗ ବାରନ୍ତି ଏବଂ ଗାଧୁଆଘରୁ ବାହାରି ଆସନ୍ତି, ହେଲେ ଏ ଘରର ଏରୁଣ୍ଡିବନ୍ଧରେ ଝୁଣ୍ଟି ପଡ଼ନ୍ତି । ଏବଂ ମୋ ସହିତ କଥାବାର୍ତ୍ତା କରିବା ଲାଗି ଘର ଭିତରେ ପଡ଼ିଥିବା ଶେଯ ଉପରେ ବସି ପଡନ୍ତି ।

“ହାତରେ ଛୁଇଁ ଆମେ ସାରା ଦୁନିଆକୁ ଦେଖୁ ଏବଂ ଛୁଇଁବା ଜରିଆରେ ହିଁ ଆମ ଆଖପାଖର ହାଲଚାଲ ଜାଣିପାରୁ,”୬୨ ବର୍ଷୀୟା ବିମଲ କହନ୍ତି । ସେ ଓ ତାଙ୍କ ସ୍ଵାମୀ ନରେଶ, ଉଭୟ ଦୃଷ୍ଟିଶକ୍ତିହୀନ । ପଶ୍ଚିମ ରେଳବାଇ କ୍ଷେତ୍ରର ମୁମ୍ବାଇରେ, ଚର୍ଚ୍ଚଗେଟ୍‌ରୁ ବୋରିଭଲି ଷ୍ଟେସନ ପର୍ଯ୍ୟନ୍ତ ସେମାନେ ଲୋକାଲ ଟ୍ରେନ୍‌ରେ ରୁମାଲ ବିକ୍ରି କରନ୍ତି । ଦେଶବ୍ୟାପୀ କୋଭିଡ୍‌-୧୯ ଲକ୍‌ଡାଉନ୍‌ ଲାଗୁ ହେବା ଅବସରରେସମସ୍ତ ଲୋକାଲ ଟ୍ରେନ୍‌ ଚଳାଚଳ ବାତିଲ ହୋଇଯିବାରୁ, ମାର୍ଚ୍ଚ ୨୫ ତାରିଖରୁ ସେମାନଙ୍କର କାମ ବନ୍ଦ ହୋଇଯାଇଛି ।

ଲକ୍‌ଡାଉନ୍‌ ପୂର୍ବରୁ, ମୁମ୍ବାଇର ଲୋକାଲ ଟ୍ରେନ୍‌ଗୁଡ଼ିକରେ ଲାଗି ରହିଥିବା ଲୋକଙ୍କ ପ୍ରବଳ ଭିଡ଼ରେ କଷ୍ଟେମଷ୍ଟେ ପଶି ସେମାନେ ଦିନକୁ ଅତି ବେଶୀରେ ୨୫୦ ଟଙ୍କା ରୋଜଗାର କରୁଥିଲେ । କିଛିଟା ବିଶ୍ରାମ ପାଇଁ ରବିବାର ଦିନ କାମରୁ ବିରତି ନେଉଥିଲେ । ଦକ୍ଷିଣ ମୁମ୍ବାଇର ମସଜିଦ ବନ୍ଦରରେ ଥିବା ପାଇକାରୀ ବଜାରରୁ ସେମାନେ ଥରକରେ ୧,୦୦୦ଟି ରୁମାଲ କିଣୁଥିଲେ । ଲକ୍‌ଡାଉନ୍‌ ପୂର୍ବରୁ, ସେମାନେ କୌଣସି ପ୍ରକାରେ ପ୍ରତିଦିନ୨୦-୨୫ଟି ରୁମାଲ ବିକ୍ରି କରୁଥିଲେ। ରୁମାଲ ଗୋଟିକୁ ୧୦ ଟଙ୍କା ହିସାବରେ ବିକୁଥିଲେ ।

ସେମାନଙ୍କ ସହ ରହୁଥିବା ସେମାନଙ୍କର ୩୧ ବର୍ଷୀୟ ପୁଅ ସାଗର ୧୦ମ ଶ୍ରେଣୀ ଯାଏ ପଢ଼ିଛନ୍ତି ଏବଂ ଲକ୍‌ଡାଉନ୍‌ ଆରମ୍ଭ ହେବା ବେଳକୁ ସେ ଥାନେରେ ଥିବା ଏକ ଅନ୍‌ଲାଇନ୍‌ କମ୍ପାନୀର ପଣ୍ୟାଗାରରେ କାମ କରୁଥିଲେ । ସେ ଓ ଘରୋଇ ସହାୟିକା ଭାବେ କାମ କରୁଥିବା ତାଙ୍କ ସ୍ତ୍ରୀ ମଞ୍ଜୁ ମିଶି ପରିବାରର ମାସିକ ଆୟରେ ୫,୦୦୦-୬,୦୦୦ ଟଙ୍କା ଯୋଡ଼ି ପାରୁଥିଲେ । ସେମାନଙ୍କର ପାଞ୍ଚ ବର୍ଷର ଝିଅ ସାକ୍ଷୀକୁ ମିଶାଇ ଠାକ୍‌ରେ ପରିବାରର ପାଞ୍ଚ ଜଣ ସଦସ୍ୟ ସେଇ ଛୋଟ ଦୁଇ ବଖରା ଘରେ ମିଳିମିଶି ରହୁଥିଲେ । ନରେଶ କହନ୍ତି, “ଏବେ ୩,୦୦୦ଟଙ୍କା ଘରଭଡ଼ା, ତା ସାଙ୍ଗକୁ ଖାଇବା ପିଇବା ଜିନିଷ, ଔଷଧପତ୍ର ଏବଂ କେବେ କେମିତି ଡାକ୍ତରଙ୍କ ଫି’ ଦେବା କଷ୍ଟକର ହୋଇପଡ଼ିଛି ।”

The lockdown left Naresh and Vimal Thackeray, their son Sagar, his daughter Sakshi (left to right), and wife Manju, with no income
PHOTO • Jyoti Shinoli

ଲକ୍‌ଡାଉନ୍‌ ଯୋଗୁଁ ରୋଜଗାର ପନ୍ଥା ହରାଇଛନ୍ତି ନରେଶ ଓ ବିମଲ ଠାକ୍‌ରେ, ସେମାନଙ୍କ ପୁଅ ସାଗର, ତାଙ୍କ ଝିଅ ସାକ୍ଷୀ (ବାମରୁ ଡାହାଣକୁ) ଏବଂ ସ୍ତ୍ରୀ ମଞ୍ଜୁ

ଲକ୍‌ଡାଉନ୍‌ ସହିତ ପୂରା ପରିବାରର ସମସ୍ତ ରୋଜଗାର ବନ୍ଦ ହୋଇଯାଇଥିଲେ ବି ଶେଷରେ କାମ କରିବା ଲାଗି ଡାକରା ପାଇବେ ବୋଲି ସାଗର ଓ ମଞ୍ଜୁ ଆଶା ରଖିଛନ୍ତି–ହେଲେ, ପୁଣି କେବେ କାମ ଆରମ୍ଭ କରିବେ କି ଆଦୌ କରିବେ ନାହିଁ ବୋଲି ବିମଲ ଏବଂ ନରେଶ ଜାଣିନାହାନ୍ତି । ବିମଲ ପଚାରନ୍ତି, “ଏବେ ଆଉ କ’ଣ ଆମେ ଆଗ ଭଳି ଟ୍ରେନ୍‌ରେ ରୁମାଲ ବିକି ପାରିବୁ ? ଆଉ କ’ଣ ଲୋକେ ଆମ ପାଖରୁ ରୁମାଲ କିଣିବେ ?”

ଗୋଟିଏ ପ୍ଲାଷ୍ଟିକ୍‌ ଚଉକି ଉପରେ ବସି ୬୫ ବର୍ଷୀୟ ନରେଶ କହନ୍ତି, “ଆମକୁ ସବୁକିଛି ଦିନକୁ ହଜାର ଥର ଛୁଇଁବାକୁ ପଡ଼େ- ଜିନିଷପତ୍ର, ବସ୍ତୁର ତଳଉପର, ଟଙ୍କାପଇସା, ସାଧାରଣ ଲୋକଙ୍କ ପାଇଁ ଥିବା ଶୌଚାଳୟର କାନ୍ଥ, ଦୁଆର । ଏମିତି କେତେ କ’ଣ ଜିନିଷ ଆମେ ଛୁଇଁଥାଉ । ଆମେ ଆର ପଟରୁ ଆସୁଥିବା ଲୋକଙ୍କୁ ଦେଖିପାରୁନାହିଁ । ସେମାନଙ୍କ ସହ ଆମର ଧକ୍କା ହୋଇଯାଏ । ଏସବୁ କଥା ଆମେ କେମିତି ଏଡ଼ାଇ ଦେଇପାରିବୁ, କେମିତି ଦରକାର ମୁତାବକ ଦୂରତା ବଜାୟ ରଖିପାରିବୁ ?” ସେ ବିକୁଥିବା ରୁମାଲ ମଧ୍ୟରୁ ହାଲୁକା ଗୋଲାପି ରଙ୍ଗର ଗୋଟିଏ ରୁମାଲ ମାସ୍କ ଭାବରେ ତାଙ୍କ ମୁହଁରେ ବନ୍ଧା ହୋଇଥାଏ ।

ଏହି ପରିବାର ଗୋଣ୍ଡ ଗୋୱାରୀ ସଂପ୍ରଦାୟ ଅନ୍ତର୍ଭୁକ୍ତ, ଯାହାକି ଏକ ଅଧିସୂଚିତ ଜନଜାତି । ସେମାନଙ୍କ ପାଖରେ ବିପିଏଲ୍‌ ବା ଦାରିଦ୍ର୍ୟ ସୀମାରେଖା ତଳ ବର୍ଗ ପାଇଁ ଉଦ୍ଦିଷ୍ଟ ଖାଉଟି କାର୍ଡ ଅଛି ଏବଂ ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ସ୍ଵେଚ୍ଛାସେବୀ ଗୋଷ୍ଠୀ ପକ୍ଷରୁ ସେମାନଙ୍କୁ ଅତିରିକ୍ତ ଖାଦ୍ୟସାମଗ୍ରୀ ମିଳିଛି । ବିମଲ କହନ୍ତି, “ଅନେକ ବେସରକାରୀ ସଂଗଠନ ଚାଉଳ, ଡାଲି, ତେଲ, ଗୁଣ୍ଡ ଚା’, ଚିନି (ଆମ କଲୋନିରେ)ବାଣ୍ଟିଛନ୍ତି । କିନ୍ତୁ ଆମ ଘରଭଡ଼ା ଓ ବିଦ୍ୟୁତ ବିଲ୍‌ ଦେବାକୁ କେହି ଅଛି କି ? ଆଉ ଆମ ଗ୍ୟାସ୍‌ ସିଲିଣ୍ଡର କଥା କ’ଣ ହେବ ?” ମାର୍ଚ୍ଚ ମାସରୁ ସେମାନେ ଘରଭଡ଼ା ଦେଇନାହାନ୍ତି ।

ବିମଲଙ୍କୁ ସାତ ବର୍ଷ ବୟସ ହୋଇଥିବା ବେଳେ ଆଖି ଡୋଳାରେ ଅଲ୍‌ସର ଯୋଗୁଁ ସେ ଦୃଷ୍ଟିଶକ୍ତି ହରାଇଥିଲେ । ଏବଂ ଏକ ରୋଗ ଜୀବାଣୁର ଉଗ୍ର ସଂକ୍ରମଣ ସମୟରେ ଉପଯୁକ୍ତ ଚିକିତ୍ସା ଅଭାବରୁ ଚାରି ବର୍ଷ ବୟସରେ ନରେଶ ଦୃଷ୍ଟିହୀନ ହୋଇଗଲେ ବୋଲି ତାଙ୍କ ଡାକ୍ତରୀ ରିପୋର୍ଟରୁ ଜଣାଯାଏ । ସେ କହନ୍ତି, “ମୋ ଆଖିରେ ଘା’ ହୋଇଥିଲା । ମତେ ଚିକିତ୍ସା କରିବା ଲାଗି ଗାଁର ବୈଦ୍ୟ (ପାରମ୍ପରିକ ଚିକିତ୍ସକ) ମୋ ଆଖିରେ କିଛି ପକାଇଦେଲେ, କିନ୍ତୁ ଆଖି ଭଲହେବା ବଦଳରେ ମୁଁ ଦୃଷ୍ଟିଶକ୍ତି ହରାଇଲି ।”

ଭାରତର ୫୦ ଲକ୍ଷରୁ ଅଧିକ ଦୃଷ୍ଟିହୀନ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ବିମଲ ଓ ନରେଶ । ୨୦୧୧ର ଜନଗଣନା ଅନୁସାରେ, ଏମାନଙ୍କ ମଧ୍ୟରୁ ୫୪୫,୧୩୧ ଜଣ ନାମକୁ ମାତ୍ର ଶ୍ରମିକ-ଅର୍ଥାତ୍‌, ଯେଉଁ ବ୍ୟକ୍ତିମାନେ ପୂର୍ବବର୍ତ୍ତୀ ୧୨ ମାସରେ ବର୍ଷକୁ ଅତି କମ୍‌ରେ ୧୮୩ ଦିନ କାମ କରି ନଥିଲେ । ବିମଲ ଓ ନରେଶଙ୍କ ଭଳି ଅନେକ ଲୋକ ବୁଲାବିକାଳି ଭାବେ ଛୋଟ ଛୋଟ ଜିନିଷ ବିକି ଜୀବିକା ଅର୍ଜନ କରନ୍ତି ।

'It is through touch that we sense our surroundings', says Vimal Thackeray (left); she and her husband Naresh are both visually impaired
PHOTO • Jyoti Shinoli
'It is through touch that we sense our surroundings', says Vimal Thackeray (left); she and her husband Naresh are both visually impaired
PHOTO • Jyoti Shinoli

ବିମଲ ଠାକ୍‌ରେ କହନ୍ତି (ବାମ)‘ହାତରେ ଛୁଇଁ କରି ହିଁ ଆମେ ଆମ ଚାରିପାଖର ହାଲଚାଲ ଜାଣିପାରୁ’, ସେ ଓ ତାଙ୍କ ସ୍ଵାମୀ ନରେଶ, ଉଭୟ ଦୃଷ୍ଟିଶକ୍ତିହୀନ

ସେମାନଙ୍କ ବାସସ୍ଥଳୀ, ଥାନେ ଜିଲ୍ଲାର ବାଙ୍ଗନି ସହରର ଲୋକସଂଖ୍ୟା ୧୨,୬୨୮ ଏବଂ ଏଠାରେ ପ୍ରାୟ ୩୫୦ଟି ପରିବାରରେ ଅତି କମ୍‌ରେ ଜଣେ ଦୃଷ୍ଟିହୀନ ସଦସ୍ୟ ଅଛନ୍ତି । ମୁମ୍ବାଇ ନଗରୀଠାରୁ ୬୪ କିଲୋମିଟର ଦୂର ଏହି ସହରରେ ଘରଭଡ଼ା କମ୍‌ ଏବଂ ବୋଧହୁଏ, ସେହି କାରଣରୁ ହିଁ ୧୯୮୦ ଦଶକରୁ ଅମରାବତୀ, ଔରଙ୍ଗାବାଦ, ଜାଲନା, ନାଗପୁର ଏବଂ ୟବତମାଲ ଭଳି ସହରରୁ ଆସୁଥିବା ଦୃଷ୍ଟିଶକ୍ତିହୀନ ପରିବାର ଏଠାରେ ବସବାସ କରିଆସୁଛନ୍ତି । ବିମଲ କହନ୍ତି, “ଏଠାରେ ଘରଭଡ଼ା ଖୁବ୍‌ ଶସ୍ତା ଏବଂ ଘର ଭିତରେ ହିଁ ଶୌଚାଳୟ ରହିଛି ।”

୧୯୮୫ ମସିହାରେ ନାଗପୁର ଜିଲ୍ଲା ଉମରେଦ ତାଲୁକାର ଉମରି ଗାଁରୁ ସେ ଓ ନରେଶ ଏଠାକୁ ଆସିଥିଲେ । ନରେଶ କହନ୍ତି, “ମୋ ବାପାଙ୍କର ଚାଷଜମି ଥିଲା । କିନ୍ତୁ ମୁଁ ସେଥିରେ କେମିତି କାମ କରିପାରିଥାଆନ୍ତି ? ଆମ ଭଳି ଦୃଷ୍ଟିଶକ୍ତିହୀନ ଲୋକଙ୍କ ପାଇଁ ସେଠାରେ କୌଣସି କାମ ନଥିଲା । ତେଣୁ ଆମେ ମୁମ୍ବାଇକୁ ଚାଲିଆସିଲୁ ।” ସେହି ଦିନରୁ, ଲକ୍‌ଡାଉନ୍‌ ଆରମ୍ଭ ହେଲା ପର୍ଯ୍ୟନ୍ତ, ସେମାନେ ରୁମାଲ ବିକି ଆସୁଥିଲେ । ସେ ଆହୁରି କହନ୍ତି, “ଜୀବନ ଧାରଣ ପାଇଁ ଭିକ ମାଗିବା ତୁଳନାରେ ଏହା ଏକ ଉପଯୁକ୍ତ ପନ୍ଥା ।”

ବାଙ୍ଗନି ବ୍ୟତୀତ ମୁମ୍ବାଇ ଏବଂ ଆଖପାଖ ସହରାଞ୍ଚଳରୁ ଆସିଥିବା ବହୁ ଭିନ୍ନକ୍ଷମ ବ୍ୟକ୍ତି, ପଶ୍ଟିମ, ହାର୍ବର ଏବଂ କେନ୍ଦ୍ର ରେଳବାଇ ପରିସରଭୁକ୍ତ ରେଳପଥରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବିକ୍ରି କରନ୍ତି । ୨୦୧୨ରେ ବାଙ୍ଗନି ସହରର ୨୭୨ ଜଣ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ସର୍ଭେ ଭିତ୍ତିରେ ‘ଡିଜାବିଲିଟି, ସିବିଆର (କମ୍ୟୁନିଟି ବେସ୍‌ଡ ରିହାବିଲିଟେସନ୍‌)’ ଏବଂ ‘ଇନ୍‌କ୍ଲୁଜିଭ୍‌ ଡେଭଲପମେଣ୍ଟ’ ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ନିବନ୍ଧରେ ଉଲ୍ଲେଖ କରାଯାଇଛି, “ପ୍ରାୟ ୪୪% ମୁମ୍ବାଇର ଲୋକାଲ ଟ୍ରେନ୍‌ରେ ତାଲା ଓ ଚାବି, ଚେନ୍‌, କଣ୍ଢେଇ, କାର୍ଡ ହୋଲ୍‌ଡର ଇତ୍ୟାଦି ନିତିଦିନିଆ ଜିନିଷ ବିକ୍ରି କରନ୍ତି;୧୯% ବେକାର ଏବଂ ୧୧% ଭିକ୍ଷାବୃତ୍ତି ସହ ଜଡ଼ିତ ।”

ଏବେ, ଲକ୍‌ଡାଉନ୍‌ ଏବଂ ସର୍ବବ୍ୟାପୀ ମହାମାରୀ କାରଣରୁ,ଏ ପର୍ଯ୍ୟନ୍ତ ଅବହେଳିତ ହୋଇ ରହିଥିବା ସେମାନଙ୍କର ସୁରକ୍ଷା ଚିନ୍ତା ଏବଂ ରୋଜଗାର ଆବଶ୍ୟକତା ଆହୁରି ଉତ୍କଟ ରୂପ ଧାରଣ କରିଛି ।

୧୯୯୫ରେ ପ୍ରଣୀତ ହୋଇଥିଲେ ହେଁ କ୍ଵଚିତ୍‌ କାର୍ଯ୍ୟକାରୀ ହୋଇଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ (ସମାନ ସୁଯୋଗ, ଅଧିକାରର ସୁରକ୍ଷା ଏବଂ ସଂପୂର୍ଣ୍ଣ ଅଂଶଗ୍ରହଣ) ଆଇନ ବଦଳରେ ୨୦୧୬ରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ଅଧିକାର ସଂପର୍କରେ ନୂତନ ଆଇନ ପ୍ରଣୟନ କରାଗଲା । ନୂତନ ଆଇନର ଧାରା ୪୦ଅନୁସାରେ. ଭାରତର ୨ କୋଟି ୬୮ ଲକ୍ଷ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସୁଗମ୍ୟ ସାର୍ବଜନୀନ ସ୍ଥାନ ଗଢ଼ିବା ନିମନ୍ତେ ବ୍ୟବସ୍ଥା ରହିଛି ।

୨୦୧୫ରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତୀକରଣ ବିଭାଗ ତରଫରୁ ସୁଗମ୍ୟ ଭାରତ ଅଭିଯାନ ଆରମ୍ଭ କରାଗଲା । ବିନା ବାଧାରେ ପ୍ରବେଶ ଲାଗି ଉତ୍ତମ ରାମ୍ପ୍‌ ଗଠନ, ଏଲିଭେଟର ବା ଯନ୍ତ୍ରଚାଳିତ ସିଡି, ବ୍ରେଲ୍‌ ପଦ୍ଧତିରେ ଲେଖା ଥାଇ ସୂଚନା ଫଳକ ସ୍ଥାପନ ଏବଂ ଆହୁରି ଅନେକ ବ୍ୟବସ୍ଥା ସହିତ ୨୦୧୬ ମସିହା ସୁଦ୍ଧା ସମସ୍ତ ରେଳ ଷ୍ଟେସନକୁ ଭିନ୍ନକ୍ଷମମାନଙ୍କ ପାଇଁ ସୁଗମ୍ୟ କରିବା ଏହାର ଅନ୍ୟତମ ଲକ୍ଷ୍ୟ ଥିଲା । କିନ୍ତୁ ଏହି କାର୍ଯ୍ୟକ୍ରମର ମନ୍ଥର ଗତି ଯୋଗୁଁ ନିର୍ଦ୍ଧାରିତ ସମୟସୀମାକୁ ୨୦୨୦ ମାର୍ଚ୍ଚ ଯାଏ ବୃଦ୍ଧି କରାଯାଇଥିଲା ।

Left: 'Laws are of no use to us', says Alka Jivhare. Right: Dnyaneshwar Jarare notes, 'Getting a job is much more difficult for us...'
PHOTO • Jyoti Shinoli
Left: 'Laws are of no use to us', says Alka Jivhare. Right: Dnyaneshwar Jarare notes, 'Getting a job is much more difficult for us...'
PHOTO • Jyoti Shinoli

ବାମ: ଅଳକା ଜୀଭାରେ କହନ୍ତି, ‘ଆଇନ ଆମର କୌଣସି କାମରେ ଲାଗୁନାହିଁ’ । ଡାହାଣ: ଜ୍ଞାନେଶ୍ଵର ଜରାରେ କହନ୍ତି, ‘ଚାକିରିଟିଏ ପାଇବା ଆମ ପାଇଁ ଖୁବ୍‌ କଷ୍ଟକର କାମ...’

“ଏମିତି ସବୁ ଆଇନ ଆମର କୌଣସି କାମରେ ଲାଗୁନାହିଁ”, ଠାକ୍‌ରେ ପରିବାର ସହ ଗୋଟିଏ ଅଞ୍ଚଳରେ ରହୁଥିବା ୬୮ ବର୍ଷୀୟା ଅଲକା ଜୀଭାରେ କହନ୍ତି । “ଷ୍ଟେସନରେ ସିଡି ପାଖକୁ, ରେଳଡବାର ଦୁଆର ମୁହଁକୁ କିମ୍ବା ସାଧାରଣ ଶୌଚାଳୟକୁ ଯିବା ପାଇଁ ରାସ୍ତା ଚିହ୍ନାଇ ଦେବା ଲାଗି ମୋତେ ଲୋକଙ୍କୁ ଡାକିବାକୁ ପଡ଼େ । କେତେ ଜଣ ସାହାଯ୍ୟ କରନ୍ତି, ଅନ୍ୟ କେତେକ ଆମକୁ ଅଣଦେଖା କରି ଚାଲି ଯାଆନ୍ତି । ଅନେକ ଷ୍ଟେସନରେ ପ୍ଲାଟ୍‌ଫର୍ମ ଓ ଡବା ମଝିରେ ଥିବା ଫାଙ୍କ ଖୁବ୍‌ ଓସାରିଆ ଏବଂ ଅନେକ ଥର ମୋର ଗୋଡ଼ ଏଥିରେ ଫସିଯାଇଛି । ହେଲେ କୌଣସି ମତେ ମୁଁ ଗୋଡ଼ ବାହାର କରି ଆଣିଛି ।”

ମୁମ୍ବାଇ ନଗରୀର ରାସ୍ତାରେ ମଧ୍ୟ ଗୋଟିଏ ହାତରେ ଧଳା ଓ ଲାଲ ରଙ୍ଗର ବେତବାଡ଼ିଟିଏ ଧରି ଏକା ଏକା ଚାଲିବାକୁ ଅଲକାଙ୍କୁ ସଂଘର୍ଷ କରିବାକୁ ପଡ଼େ । ସେ କହନ୍ତି, “ବେଳେବେଳେ ଅଳିଆକୁଣ୍ଡ କିମ୍ବା ରାସ୍ତାରେ ଥିବା ନର୍ଦ୍ଦମା ଗାତ କିମ୍ବା କୁକୁର ମଳ ଉପରେ ମୋର ଗୋଡ଼ ପଡ଼ିଯାଏ । ଅନେକ ଥର ମୁଁ ରାସ୍ତାରେ ଥିବା ଗାଡ଼ିରେ ବାଡ଼େଇ ହୋଇଯାଇଛି ଏବଂ ମୋର ନାକ, ଆଣ୍ଠୁ, ଗୋଡ଼ ଆଙ୍ଗୁଠିରେ ଆଘାତ ଲାଗିଛି । କେହି ଜଣେ ଆମକୁ ସତର୍କ କରାଇ ନଦେଲେ ଆମେ ଆମ ନିଜକୁ ସୁରକ୍ଷିତ ରଖିପାରିବୁ ନାହିଁ ।”

ଜୀଭାରେଙ୍କ ଚିନ୍ତା ଯେ ପଥଚାରୀ ଏବଂ ଅପରିଚିତ ଲୋକଙ୍କଠାରୁ ମିଳୁଥିବା ଏହି ସହାୟତା ଏଣିକି ବନ୍ଦ ହୋଇଯିବ । “ଏଇ ଭୂତାଣୁ ଯୋଗୁଁ ଆମକୁ ସତର୍କ ହେବାକୁ ପଡ଼ିବ । ରାସ୍ତା ପାର ହେବାରେ କିମ୍ବା ଟ୍ରେନ୍‌ରେ ଚଢ଼ିବା କି ଓହ୍ଲାଇବା ବେଳେ ଆମକୁ କେହି କ’ଣ ସାହାଯ୍ୟ କରିବ ?” ସେ ପଚାରନ୍ତି । ଅଲକା, ମତାଙ୍ଗ ସଂପ୍ରଦାୟର, ଯାହାକି ଏକ ଅଧିସୂଚିତ ଜାତି । ୨୦୧୦ରେ ତାଙ୍କ ସ୍ଵାମୀ ଭୀମାଙ୍କ ମୃତ୍ୟୁ ହେବା ପରଠାରୁ ସେ ତାଙ୍କ ସାନଭାଇର ପରିବାର ସହିତ ରହୁଛନ୍ତି । ତାଙ୍କ ସ୍ଵାମୀ ମଧ୍ୟ ଦୃଷ୍ଟିହୀନ ଥିଲେ । ୧୯୮୫ରେ ତେଲଙ୍ଗାନାର ଆଦିଲାବାଦ ଜିଲ୍ଲା ଅନ୍ତର୍ଗତ ରୁପାପୁର ଗାଁରୁ ଆସି ସେମାନେ ବାଙ୍ଗନିରେ ବସବାସ କରିଥିଲେ । ସେମାନଙ୍କର ୨୫ ବର୍ଷୀୟା ଝିଅ ସୁଷମା ବିବାହ କରିସାରିଛି ଏବଂ ସେ ଘରକାମ କରି ଉପାର୍ଜନ କରୁଛି ।

ଅଲକା କହନ୍ତି, “ଆପଣ ଆପଣଙ୍କ ହାତ ଧୋଇବେ କିମ୍ବା ସେଇ ପାଣିଆ ଜିନିଷ (ହ୍ୟାଣ୍ଡ ସାନିଟାଇଜର) ଲଗାଇବେ । ଆମକୁ ବାରମ୍ବାର ଅନେକ ଜିନିଷ ଛୁଇଁବାକୁ ପଡୁଥିବାରୁ ସେଇ ପାଣିଆ ଜିନିଷଟି ତୁରନ୍ତ ସରିଯିବ ଏବଂ ଏହା ୧୦୦ ମିଲିଲିଟରକୁ ୫୦ ଟଙ୍କା ପଡୁଛି । ଆମେ ଏଥିରେ ଖର୍ଚ୍ଚ କରିବୁ ନା ଦିନକୁ ଦୁଇ ବେଳା ଭୋଜନ ଯୋଗାଡ଼ କରିବାକୁ ଚେଷ୍ଟା କରିବୁ ?”

କେନ୍ଦ୍ରୀୟ ରେଳବାଇର ବାଙ୍ଗନି ଓ ମସଜିଦ ବନ୍ଦର ମଧ୍ୟରେ ନେଲ୍‌ କଟର, ସେଫ୍‌ଟି ପିନ୍‌, ହେୟାରପିନ୍‌, ରୁମାଲ ଏବଂ ଅନ୍ୟ ଜିନିଷ ବିକ୍ରି କରି ଅଲକା ମାସକୁ ପ୍ରାୟ ୪୦୦୦ ଟଙ୍କା ରୋଜଗାର କରୁଥିଲେ । ସେ ଆହୁରି କହନ୍ତି, “ମୁଁ ମୋ ଭାଇ ଘରେ ରହୁଛି ଏବଂ ତା ଉପରେ ବୋଝ ହେବାକୁ ଚାହୁଁନାହିଁ । ମତେ ରୋଜଗାର କରିବାକୁ ହିଁ ପଡ଼ିବ ।”

ରେଳବାଇ ଆଇନ,୧୯୮୯ର ୧୪୪ ଧାରା ଅନୁସାରେ ଫେରି କରି ବିକିବାମନା ହୋଇଥିବାରୁ ଅନେକ ସମୟରେ ତାଙ୍କୁ ଜୋରିମାନା ଦେବାକୁ ପଡ଼ିଛି । “ମାସକୁ ଅତି କମ୍‌ରେ ଥରେ ପୋଲିସ ଆମ ଉପରେ ୨,୦୦୦ ଟଙ୍କା ଜୋରିମାନା କରେ । ସେମାନେ କହନ୍ତି ଯେ ଫେରି କରିବା ମନା । ଆମେ ରାସ୍ତାରେ ବିକିବାକୁ ବସିଲେ ଅନ୍ୟ ଫେରିବାଲାମାନେ ଛାଡ଼ନ୍ତି ନାହିଁ । ଆମେ ତା’ହେଲେ କୁଆଡ଼େ ଯିବୁ ? ଅତି କମ୍‌ରେ ଆମକୁ ଘରେ ରହି କରିବା ଭଳି କିଛି କାମ ତ ଦିଅନ୍ତୁ ।”

'It was not even a year since I started earning decently and work stopped [due to the lockdown],' Dnyaneshwar Jarare says; his wife Geeta (left) is partially blind
PHOTO • Jyoti Shinoli
'It was not even a year since I started earning decently and work stopped [due to the lockdown],' Dnyaneshwar Jarare says; his wife Geeta (left) is partially blind
PHOTO • Jyoti Shinoli

‘ମୁଁ କିଛି ଭଲରେ ରୋଜଗାର କରିବାର ବର୍ଷଟିଏ ବି ପୂରିନି ଏବଂ (ଲକ୍‌ଡାଉନ୍‌ ଯୋଗୁଁ) କାମ ବନ୍ଦ ହୋଇଗଲା,’ ଏହା କହନ୍ତି ଜ୍ଞାନେଶ୍ଵର ଜରାରେ; ତାଙ୍କ ସ୍ତ୍ରୀ ଗୀତା (ବାମ) ଆଂଶିକ ଦୃଷ୍ଟିହୀନ

ଅଲକାଙ୍କ ଗୋଟିଏ ବଖୁରିଆ ଘରର ଠିକ୍‌ ପରବର୍ତ୍ତୀ ଘରେ ରହୁଥିବା ଜ୍ଞାନେଶ୍ଵର ଜରାରେ ମଧ୍ୟ ଦୃଷ୍ଟିହୀନ । ସେ ନିଜ ମୋବାଇଲରେ ବ୍ୟସ୍ତ ରହିଥିଲେ ଏବଂ ପ୍ରତି ଥର ମୋବାଇଲକୁ ଛୁଇଁବା ସହିତ ସେ ଆଶ୍ଵସ୍ତି ଲାଭ କରୁଥିଲେ । ତାଙ୍କ ସ୍ତ୍ରୀ ଗୀତା ଜଣେ ଗୃହିଣୀ ଏବଂ ସେ ମଧ୍ୟ ଆଂଶିକ ଦୃଷ୍ଟିହୀନ । ଗୀତା ମଧ୍ୟାହ୍ନ ଭୋଜନ ରାନ୍ଧୁଥିଲେ ।

୨୦୧୯ ସେପ୍ଟେମ୍ବରରେ, ୩୧ ବର୍ଷୀୟ ଜ୍ଞାନେଶ୍ଵର ବାନ୍ଦ୍ରା ୱେଷ୍ଟରେ ଥିବା ଏକ ମସାଜ୍‌ ସେଣ୍ଟର ବା ମାଲିସ କେନ୍ଦ୍ରରେ ମାସକୁ ୧୦,୦୦୦ ଟଙ୍କା ଦରମାରେ କାମ ଆରମ୍ଭ କରିଥିଲେ । ସେ କହନ୍ତି, “ମୁଁ କିଛିଟା ଭଲ ରୋଜଗାର କରିବାର ବର୍ଷଟିଏ ନ ପୂରୁଣୁ (ଲକ୍‌ଡାଉନ୍‌ ଯୋଗୁଁ) କାମ ବନ୍ଦ ହୋଇଗଲା ।” ତା ପୂର୍ବରୁ ସେ ପଶ୍ଚିମ ରେଳବାଇର ବିଭିନ୍ନ ଷ୍ଟେସନରେ ଥିବା ଓଭରବ୍ରିଜ୍‌ ଉପରେ ଫାଇଲ ଏବଂ କାର୍ଡ ହୋଲ୍‌ଡର ବିକ୍ରି କରୁଥିଲେ । ସେ କହନ୍ତି, “ଆମେ ଆମ ପାଟିକୁ ଘୋଡେଇ ରଖିବୁ, ହାତ ସାନିଟାଇଜ୍‌ କରିବୁ,ଗ୍ଲୋଭ୍‌ସ ପିନ୍ଧିବୁ । ହେଲେ କେବଳ ସତର୍କତା ଆମକୁ ଖାଇବାକୁ ଦେଇପାରିବନି । ଆମ ଜୀବିକା ଅର୍ଜନର ପନ୍ଥା ଚାଲୁ ରହିବା ଉଚିତ । ଅନ୍ୟମାନଙ୍କ ତୁଳନାରେ ଆମ ପାଇଁ ଚାକିରିଟିଏ ପାଇବା ଖୁବ କଷ୍ଟକର କାମ ।”

ଭିନ୍ନକ୍ଷମମାନଙ୍କୁ ନିଯୁକ୍ତି ଦେବା ସକାଶେ, ୧୯୯୭ ମସିହାରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଭିନ୍ନକ୍ଷମ ଅର୍ଥ ଏବଂ ଉନ୍ନୟନ ନିଗମ ସ୍ଥାପନ କରାଯାଇଥିଲା । ୨୦୧୮-୧୯ରେ ନିଗମ ଦ୍ଵାରା ୧୫,୭୮୬ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ହାତ ଏମ୍ବ୍ରଡରି ବା ଛୁଞ୍ଚିକାମ କରିବା, ସିଲେଇ ମେସିନ୍‌ ଚାଳକ, ଡାଟା ଏଣ୍ଟ୍ରି ଅପରେଟର, ଟେଲିଭିଜନ ମରାମତି ଟେକ୍‌ନିସିଆନ୍‌ ଏବଂ ଅନ୍ୟ କୌଶଳ ହାସଲରେ ତାଲିମ ଦିଆଯାଇଥିଲା ଏବଂ ୧୬୫,୩୩୭ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିବାକୁ ରିହାତି ସହିତ ଋଣ ଦିଆଯାଇଥିଲା ।

କିନ୍ତୁ, ମୁମ୍ବାଇର ଏକ ବେସରକାରୀ ଅନୁଷ୍ଠାନ ‘ଦୃଷ୍ଟି’ରେ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ କିଶୋର ଗୋହିଲ କହନ୍ତି, “ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ତାଲିମ ଦେଇଦେବା ଏବଂ କେତେ ଜଣ ତାଲିମ ପାଇଲେ ବୋଲି ଘୋଷଣା କରିଦେବା ଯଥେଷ୍ଟ ନୁହେଁ । ଏହି ଯୋଜନାରେ ଦୃଷ୍ଟିହୀନ, ଅକ୍ଷମ, ବଧିର ବ୍ୟକ୍ତିମାନେ ଭିନ୍ନ ଭିନ୍ନ ତାଲିମ ନେଇ ଦକ୍ଷତା ହାସଲ କରନ୍ତି, କିନ୍ତୁ ସେମାନେ ଚାକିରି ପାଆନ୍ତି ନାହିଁ । ଫଳରେ, ଭିନ୍ନକ୍ଷମମାନେ ଭିକ ମାଗିବାକୁ କିମ୍ବା ଟ୍ରେନ୍‌ରେ ଏବଂ ପ୍ଲାଟ୍‌ଫର୍ମରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି ।” ଗୋହିଲ ନିଜେ ଜଣେ ଦୃଷ୍ଟିଶକ୍ତିହୀନ ବ୍ୟକ୍ତି ଏବଂ ମୁମ୍ବାଇରେ ଭିନ୍ନକ୍ଷମାନଙ୍କ ସୁରକ୍ଷା, ସୁଗମ୍ୟତା ଏବଂ ନିଯୁକ୍ତିପ୍ରଦାନ କ୍ଷେତ୍ରରେ ତାଙ୍କ ସଂଗଠନ କାର୍ଯ୍ୟରତ ।

କୋଭିଡ୍‌-୧୯ ସଂପର୍କିତ ସମସ୍ତ ସୂଚନା ଏବଂ ବ୍ରେଲ୍‌ ପଦ୍ଧତିରେ ଲେଖା ସାମଗ୍ରୀ, ଅଡିଓ ଟେପ୍‌ ଏବଂ ସବ୍‌ଟାଇଟ୍‌ଲ ବା ଅନୁବାଦିତ ଲେଖା ରହିଥିବା ଭିଡିଓଗ୍ରାଫ ସମେତ ବିଭିନ୍ନ ସୁଗମ୍ୟ ମାଧ୍ୟମରେ, ବିଶ୍ଵ ମହାମାରୀ ସମୟରେ ନିଆଯିବାକୁ ଥିବା ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ସଂପର୍କିତ ସୂଚନା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଉପଲବ୍‌ଧ କରାଇବା ପାଇଁ ତୁରନ୍ତ ପଦକ୍ଷେପ ନେବା ଲାଗି ମାର୍ଚ୍ଚ ୨୪ ତାରିଖରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବିମଲ କହନ୍ତି, “ଆମକୁ କିଭଳି ସାବଧାନ ରହିବାକୁ ହେବ, ସେ ସଂପର୍କରେ କହିବାକୁ କେହି ହେଲେ ଆସିନାହାନ୍ତି । ଆମେ ଖବର ଶୁଣି ଏବଂ ଟେଲିଭିଜନ ଦେଖି ଏ ସଂପର୍କରେ ଜାଣିଲୁ ।” ଖରା ମୁଣ୍ଡ ଉପରକୁ ଆସିଯାଇଥିଲା ଏବଂ ସକାଳର ଘରକାମ ସାରି ସେ ମଧ୍ୟାହ୍ନ ଭୋଜନ ରାନ୍ଧୁଥିଲେ । ଅଳ୍ପ ହସି ସେ କହନ୍ତି, “କେବେ କେମିତି ଖାଦ୍ୟ ବେଶୀ ଲୁଣିଆ ହୋଇଯାଏ ଏବଂ ଆଉ କେବେ ଖୁବ ବେଶୀ ମସଲା ପଡ଼ିଯାଏ । ଆପଣଙ୍କ ଘରେ ବି ଏମିତି ହେଉଥିବନା ।”

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jyoti Shinoli

Jyoti Shinoli is a reporter at the People’s Archive of Rural India; she has previously worked with news channels like ‘Mi Marathi’ and ‘Maharashtra1’.

Other stories by Jyoti Shinoli