ଏ ବର୍ଷ ମୌସୁମୀ ଭଲ ଥିଲା, ଜଳବାୟୁ ଠିକ୍‌ ଥିଲା ଏବଂ ଅମଳ ଖୁବ୍‌ ଅଧିକ। ୨୮ବର୍ଷ ବୟସ୍କ ସନ୍ଦୀପ ଥାବକର ଚିନ୍ତା କଲେ ତାଙ୍କ ଟମାଟୋ ତାଙ୍କୁ ଭଲ ଆୟ ଦେବ।

ପାରମ୍ପରିକ ଭାବରେ ସୋୟାବିନ୍‌ କିମ୍ବା କପା ଚାଷରେ ଅଭ୍ୟସ୍ତ ସେ ଗତବର୍ଷ ନାଗପୁରରୁ ୬୫ କିଲୋମିଟର ଦୂରରେ ଥିବା ଭୀରଖାନ୍ଦିରେ ତାଙ୍କ ପଡ଼ୋଶୀମାନଙ୍କର ଟମାଟୋରୁ ଭଲ ଲାଭ ଦେଖି ଚାରି ଏକର ଚାଷ ଜମି ମଧ୍ୟରୁ ଦେଢ଼ ଏକର ଜମିରେ ଟମାଟୋ ଚାଷ କରିଥିଲେ।

କିନ୍ତୁ ଡିସେମ୍ବର ମାସର ମଧ୍ୟ ଭାଗରେ ସେ ନିଜର ସ୍ଥାନୀୟ ପ୍ରଜାତିର ଟମାଟୋ ଅମଳ ଆରମ୍ଭ କରିବା ପୂର୍ବରୁ ଦର ଖସିଥିଲା। ଜାନୁଆରୀ ମାସର ପ୍ରଥମ ସପ୍ତାହରେ ତାଙ୍କର ୨୫ କ୍ରେଟ୍‌ ଟମାଟୋ, ଯେଉଁଥିରେ କି ୨୫ କେଜି ଲେଖାଏଁ ପରିବା ଥିଲା, କେଜି ପିଛା ମାତ୍ର ଟ. ୧.୨୦ ଦେଇଥିଲା।

ସେ କୁହନ୍ତି, ସେହି ଦରରେ ସେ ଶ୍ରମିକ ପାଉଣା ମଧ୍ୟ ଫେରିପାଇବେ ନାହିଁ, ଏହାଛଡ଼ା ପରିବହନ ଏବଂ ବୋଝେଇ ଓ ବଜାର ଦଲାଲଙ୍କ କମିଶନ ଅଛି। ସେ ତାଙ୍କର ଚାଷର ଖର୍ଚ୍ଚ ଏବଂ ପରିବାରର ଶ୍ରମ ବିଷୟରେ ଉଲ୍ଲେଖ କରିନାହାଁନ୍ତି।

ଡିସେମ୍ବର ୨୭ ତାରିଖରେ ଘରକୁ ଫେରିବା ପରେ ସନ୍ଦିପ ତାଙ୍କ ସମ୍ପର୍କୀୟ ଭାଇ ସଚ୍ଚିନଙ୍କ ଟ୍ରାକ୍ଟର ଭଡ଼ାରେ ଆଣିଲେ। ସେ ଏହାକୁ ତାଙ୍କ କ୍ଷେତରେ ଥିବା ଟମାଟୋ ଫସଲ ଉପରେ ମଡ଼ାଇ ଦେଲେ। ଏହି ଫସଲ ପାଇଁ ସେ ସାରାଦିନ ତାଙ୍କ ପତ୍ନୀ, ଜଣେ ବଡ଼ ଭଉଣୀ ଏବଂ ଜଣେ ଖୁଡ଼ୀଙ୍କ ସହ ଚାରିମାସ ଝାଳ ବୁହାଇଥିଲେ - ଗଛ ଲଗାଇବା, ଅନାବନା ବାଛିବା, ପାଣି ମଡ଼ାଇବା ଏବଂ ପୋକଜୋକ ବାଛିବା ଆଦି ପାଇଁ।

PHOTO • Jaideep Hardikar

ସନ୍ଦୀପ ଥାବକର ତାଙ୍କ ପାରିବାରିକ କ୍ଷେତରେ, ବଡ଼ ଭଉଣୀ ପୁଷ୍ପା ତିଜାରେ, ଖୁଡ଼ୀ ହେମଲାତା ଥାବକର ଏବଂ ତାଙ୍କ ପତ୍ନୀ ମଞ୍ଜୁଷାଙ୍କ ସହ (ବାମରୁ ଡାହାଣ)

ଏହା ସେ ଦୁଇଟି କାରଣରୁ କରିଥିଲେ, ହତାଶାରୁ ଏବଂ ନିଜର କ୍ଷତି କମ୍‌ କରିବା ପାଇଁ। ସନ୍ଦୀପ କହିଥିଲେ, ‘‘ଟମାଟୋ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅମଳ ହୁଏ। ମୁଁ ଏଥିପାଇଁ ଟ. ୫୦,୦୦୦ ଖର୍ଚ୍ଚ କରିସାରିଛି ଏବଂ ବଳକା ଫସଲର ରକ୍ଷଣାବେକ୍ଷଣ ପାଇଁ କୀଟନାଶକ ଏବଂ ଶ୍ରମିକଙ୍କ ପାଇଁ ଆଉ ଟ. ୨୦,୦୦୦ ଆବଶ୍ୟକ କରୁଥିଲି।’’

ସେ କହିଲେ, ‘‘ଏହାର ଅର୍ଥ ଆହୁରି ଅଧିକ କ୍ଷତି। ମୁଁ ଦେଖିପାରୁଛି ଦାମ୍‌ ବଢ଼ିବ ନାହିଁ। ଏହାଠାରୁ ଭଲ ମୁଁ ଆଜି ଅନ୍ୟ ଫସଲ ଚେଷ୍ଟା କରିବି ଏବଂ ମୋର କିଛି କ୍ଷତିଭରଣା କରିବାକୁ ମାର୍ଚ୍ଚ-ଏପ୍ରିଲ୍‌ ସୁଦ୍ଧା ଏହାକୁ ଅମଳ କରିବି।

ସନ୍ଦୀପ କୁହନ୍ତି, କିଲୋପିଛା ଟ. ୧୦ ତାଙ୍କର ସବୁ ଖର୍ଚ୍ଚ ପୂରଣ କରିଥାନ୍ତା। ସେ ଜୋର୍‌ ଦେଇ କହିଥିଲେ ଯେ, ନଭେମ୍ବର ୮ରେ ସରକାରଙ୍କ ବିମୁଦ୍ରୀକରଣ ଘୋଷଣା ପରେ ଦର କମିବାକୁ ଲାଗିଲା।

କିନ୍ତୁ ଭୀରଖାଣ୍ଡି ଗ୍ରାମଠାରୁ ୨୦ କିଲୋମିଟର ଦୂରରେ ଉଭୟ ପାର୍ଶ୍ୱରେ ଥିବା ଭିଓ୍ୱାପୁର ଏବଂ ଉମ୍ରେଡ ସହରର ସ୍ଥାନୀୟ ଚାଷୀମାନେ ବିମୂଦ୍ରୀକରଣକୁ ସମ୍ପୂର୍ଣ୍ଣ ଦୋଷ ଦିଅନ୍ତି ନାହିଁ।

ଉମ୍ରେଦ ମଣ୍ଡିର ୩୮ବର୍ଷ ବୟସ୍କ ବଣ୍ଟି ଚାକୋଲେ କୁହନ୍ତି, ‘‘ଅତ୍ୟଧିକ ଭଲ ଫସଲ ଦାମ୍‌ କମ୍‌ କରିଦେଲା।’’ 

ପ୍ରତିବର୍ଷ ନଭେମ୍ବର-ଡିସେମ୍ବର-ଜାନୁଆରୀରେ ପନିପରିବା ଦର କମ୍‌ ହୁଏ,ଏବଂ ଏ ବର୍ଷ ଟମାଟୋ ପ୍ରଚୁର ପରିମାଣରେ ଥିଲା।’’

କିନ୍ତୁ ସେ ଏକଥା ମଧ୍ୟ କହିଥିଲେ ଯେ ନଭେମ୍ବର ୮ ତାରିଖରେ ପରେ ଦାମ୍‌ ସମ୍ପୂର୍ଣ୍ଣ ଖସିଗଲା। ‘‘ମୁଁ ମୋର ୨୦ବର୍ଷର କ୍ୟାରିଅର୍‌ ଭିତରେ କେବେ ମଧ୍ୟ ଏଭଳି ଖରାପ ପରିସ୍ଥିତି ଦେଖିନଥିଲି।’’

ନିକଟରେ ବିମୂଦ୍ରୀକରଣ ଉପରେ ଏକ ଅଧ୍ୟୟନ ରିପୋର୍ଟ ଲେଖିଥିବା ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଡକ୍ଟର ଅଶୋକ କୁମାର ଲାହିରି ଲେଖିଛନ୍ତି ‘‘ଋତୁକାଳୀନତା କାରଣରୁ ପ୍ରତିବର୍ଷ ଏହି ସମୟରେ ପନିପରିବା ଦାମ୍‌ କମ୍‌ ହୁଏ, କିନ୍ତୁ ନଗଦ ଅର୍ଥର ଅଭାବ ଅତିରିକ୍ତ କାରଣ ହୋଇଯାଇଛି।’’ ଏହି ଶୃଙ୍ଖଳର ଗୋଟିଏ ଅଂଶ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ଫାଇନାନ୍ସ ଆଣ୍ଡ୍‌ ପଲିସି ଦ୍ୱାରା ପ୍ରକାଶିତ ହୋଇଛି।

ନାଗପୁରର କୃଷି ଉତ୍ପାଦ ବିପଣନ କମିଟିର ତଥ୍ୟ ବିମୁଦ୍ରୀକରଣ ପରେ ଏବଂ ପୂର୍ବ ଦାମ୍‌ରେ ଏକ ବ୍ୟାପକ ବ୍ୟବଧାନ ଦର୍ଶାଉଛି।

ନଭେମ୍ବର ୮ ପୂର୍ବରୁ ନାଗପୁରଠାରୁ ୫୦ କିଲୋମିଟର ଦୂରରେ ଥିବା ଚିଚୋଲିର ବାନ୍ଦୁ ଘୋରମେଡ୍‌ ଟିକେ କମ୍‌ ଦାମ୍‌ରେ କିଲୋ ପିଛା ଟ. ୮ରେ ତାଙ୍କର ଟମାଟୋ ବିକ୍ରି କରିଥିଲେ। ଆଜି ଏହି ଦର କିଲୋପିଛା ଟ. ୧ ରହିଛି।

PHOTO • Jaideep Hardikar

ଭିରଖାଣ୍ଡି ଗ୍ରାମର ଆଉ ଜଣେ ଟମାଟୋ ଚାଷୀ ପଣ୍ଡିତ ଥାବକର, ତାଙ୍କ ପତ୍ନୀ ସାନ୍ତାବାଈ ଏବଂ ତାଙ୍କ କ୍ଷେତରେ ସେମାନଙ୍କର ସଦ୍ୟ ଅମଳ ଏବଂ ପ୍ୟାକେଟ୍‌ ହୋଇଥିବା ଟମାଟୋ ସହ। ପଣ୍ଡିତ କୁହନ୍ତି, ‘‘ସେ ଚଳିତବର୍ଷ ଏହି ଫସଲରୁ କୌଣସି ଅର୍ଥ ଆଦାୟ କରିପାରିବେ ନାହିଁ କାରଣ ନିକଟସ୍ଥ ଭିଓ୍ୱାପୁର ସହର ମଣ୍ଡିରେ ହୋଲସେଲ ଦର କିଲୋପିଛା ଟ.୧ରୁ କମ୍‌କୁ ଖସି ଯାଇଛି’’

୨୦୧୫ ମସିହା ଡିସେମ୍ବର-ଜାନୁଆରୀ ମାସରେ ଦେଶି ପ୍ରଜାତିର ଟମାଟୋର ହରାହାରି ଦର ଥିଲା କିଲୋପିଛା ଟ. ୧୫ ଏବଂ ରପ୍ତାନୀ (ହାଇବ୍ରିଡ୍‌) ପ୍ରଜାତି ପାଇଁ ଟ. ୩୭.୫। କିନ୍ତୁ ଜାତୀୟ ଉଦ୍ୟାନ କୃଷି ବୋର୍ଡର ତଥ୍ୟ ଅନୁଯାୟୀ, ଗତବର୍ଷ ନଭେମ୍ବର ୧ ଏବଂ ଡିସେମ୍ବର ୨୫ ମଧ୍ୟରେ ସାରା ଭାରତର ୨୯ଟି ବୃହତ୍ ବଜାରରେ ହାଇବ୍ରିଡ୍‌ର ଦର ହାରାହାରି କିଲୋପିଛା ଟ. ୨୯ରୁ ଟ. ୫.୫୦କୁ ଖସି ଆସିଥିଲା।

ରାୟପୁରରେ ହାଇବ୍ରିଡ୍‌ ଟମାଟୋ ଦର କିଲୋ ପିଛା ଟ. ୪କୁ ଖସି ଆସିଥିଲା। ଛତିଶଗଡ଼ର ଯଶପୁର ଜିଲ୍ଲାରେ ଦେଶୀ ପ୍ରଜାତି କିଲୋପିଛା ୫୦ ପଇସାରେ ବିକ୍ରି ହୋଇଥିଲା। ଏହା କୃଷକମାନଙ୍କୁ ବାଧ୍ୟ କରିଥିଲା ହତାଶା ମଧ୍ୟରେ  ରାଜପଥରେ କେଇ ଟନ୍‌ ଟମାଟୋ ଜମା କରିବାକୁ।

ନାଗପୁରଠାରୁ ୮୦ କିଲୋମିଟର ଦୂର ଓ୍ୱାର୍ଦ୍ଦା ସହରରେ କୃଷକ ପ୍ରମୋନ ରନୀତ ଡିସେମ୍ବର ୨୭ ତାରିଖରେ ଗୋଟିଏ ବ୍ୟସ୍ତ ବହୁଳ ଛକର ମଝିରେ ତାଙ୍କର ଟେମ୍ପୋ ରଖିଲେ ଏବଂ ତାଙ୍କର ୪୦୦ କେଜି ଟମାଟୋ ୪ଘଣ୍ଟାରେ ମାଗଣାରେ ବାଣ୍ଟିଦେଲେ।

ନଅ ଏକର ଥିବା ଏହି କୃଷକ ତିନି ଏକରରେ ଟମାଟୋ ଲଗାଇଥିଲେ, ଆଶା କରିଥିଲେ ଯେ ତାଙ୍କର ଟ. ୧ଲକ୍ଷ ପୁଞ୍ଜି ନିବେଶ ଦୁଇଗୁଣ ହୋଇଯିବ । କିନ୍ତୁ ଯେତେବେଳେ ବ୍ୟବସାୟୀମାନେ କିଲୋପିଛା ଟ. ୧ ଦେଲେ ସେ ଏହା ବଦଳରେ ଦାନ ମାଧ୍ୟମରେ ଶୁଭେଚ୍ଛା ଅର୍ଜନ କରିବାକୁ ନିଷ୍ପତ୍ତି ନେଲେ।

ଜାନୁଆରୀ ୨ରେ ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ରିପୋର୍ଟ କରିଥିଲା ଯେ, ଯୁବ ପ୍ରଗତିଶୀଳ କିଷାନ ସଂଘର ସଦସ୍ୟ ଥିବା ଦଳେ କୃଷକ ଟମାଟୋ ସମେତ ୧ଲକ୍ଷ କିଲୋ ପରିବା ବିମୂଦ୍ରୀକରଣର ପ୍ରତିବାଦ ଭାବରେ ରାୟପୁରରେ ମାଗଣାରେ ଦେଇଥିଲେ।

ଭୀରଖଣ୍ଡିରେ ସନ୍ଦୀପ ଚିନ୍ତା କରୁଛନ୍ତି ତାଙ୍କର ଏହି ଜମିରେ କ’ଣ ଲଗାଇବାକୁ ହେବ, ଯାହାକୁ ସେ ନିକଟରେ ଟ୍ରାକ୍ଟର ସାହାଯ୍ୟରେ ସମାନ କରିଛନ୍ତି। ସେ ଗୁଆଁର (ଏକ ପ୍ରକାର ବିନ୍‌), ଲାଉ (ହିନ୍ଦୀରେ ଟିଣ୍ଡା) କିମ୍ବା ଭେଣ୍ଡି ଲଗାଇବେ କି? ସେ ଯାହା ବି ଲଗାନ୍ତୁନା କାହିଁକି ଏହା କ’ଣ ଗ୍ୟାରେଣ୍ଟି ଦେବ ଯେ, ଏହା ଭଲ ଲାଭ ଦେବ ?

ସେ ଅନିଚ୍ଛା ସତ୍ତ୍ୱେ ସ୍ମିତ ହାସ୍ୟ କରି କୁହନ୍ତି, ‘‘ମୁଁ ବଜାର ଦର ଯାଞ୍ଚ କରିବି ଏବଂ ଗୋଟିଏ ଜୁଆ ଖେଳିବି’’।

ଏହି ପ୍ରବନ୍ଧଟି (ଏଠାରେ ସାମାନ୍ୟ ପରିବର୍ତ୍ତିତ ହୋଇଛି) ମୌଳିକ ଭାବରେ ଦି ଟେଲିଗ୍ରାଫ, କୋଲକାତାରେ ୨୦୧୭ ଜାନୁଆରୀ ୭ ତାରିଖରେ ପ୍ରକାଶିତ ହୋଇଥିଲା।

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Other stories by Jaideep Hardikar