ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ବିମୁଦ୍ରୀକରଣ ସଂପର୍କରେ ଘୋଷଣା କରିବାର ସପ୍ତାହେ ପୂର୍ବରୁ, ତେଲେଙ୍ଗାନା ସିଦ୍ଦିପେଟ ଜିଲ୍ଲା ଧର୍ମାରମ ଗାଁର ୪୨ ବର୍ଷୀୟ ଚାଷୀ ଭର୍ଦା ବାଲାୟା, ତାଙ୍କର ଏକ ଏକର ଚାଷ ଜମି ବିକ୍ରି କରିବାକୁ ବସିଥିଲେ । ସିଦ୍ଦିପେଟ ଓ ରାମୟାପେଟକୁ ସଂଯୋଗକାରୀ ରାଜପଥ କଡ଼ରେ ଥିଲା ଏହି ଜମି ।  

ଅକ୍ଟୋବର ମାସର ଅଦିନିଆ ବର୍ଷା ଯୋଗୁଁ ତାଙ୍କର ମକା ଚାଷ କ୍ଷତିଗ୍ରସ୍ଥ ହୋଇ ଯାଇଥିଲା । ଆନ୍ଧ୍ର ବ୍ୟାଙ୍କ ଓ ଅନ୍ୟ ମହାଜନଙ୍କଠାରୁ ସେ ନେଇଥିବା ଋଣର ସୁଧ ବଢ଼ି ବଢ଼ି ୮-୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।  ଅର୍ଥ ବିନା ସେ ତାଙ୍କୁ ଧାର ଦେଇଥିବା ଲୋକମାନଙ୍କୁ ମୁହଁ ଦେଖାଇବାକୁ ଚାହୁଁନଥିଲେ। ତେଣୁ ସେ ନିଜର ଅମଳକ୍ଷମ ୪ ଏକର ଜମିରୁ ଏକ ଏକର ବିକ୍ରି କରିବାକୁ ଚାହୁଁଥିଲେ। ତେଣୁ ସେ ସମ୍ଭାବ୍ୟ କ୍ରେତାଙ୍କୁ ଖୋଜୁଥିଲେ।

‘ଜଣେ ଏହି ଜମିକୁ କିଣିବା ଲାଗି ଆଗ୍ରହୀ ଅଛନ୍ତି’- ବିମୁଦ୍ରୀକରଣ ପୂର୍ବରୁ ଏକଥା ସେ ତାଙ୍କ ବଡ଼ ଝିଅ ଶୀରିଷାକୁ କହିଥିଲେ।

୨୦୧୨ରେ ନିଜ ଝିଅ ଶୀରିଷାର ବାହାଘର ଲାଗି ବାଲାୟା ୪ ଲକ୍ଷ ଟଙ୍କା କରଜ କରିଥିଲେ, ଆଉ ଏଥିଯୋଗୁଁ ସେ ପ୍ରବଳ ଆର୍ଥିକ ଚାପରେ ଥିଲେ। ତାପରେ ୪ଟି ବୋରୱେଲ ଖୋଳିବା ଲାଗି ସେ ୨ ଲକ୍ଷ ଟଙ୍କା ଋଣ ବି କରିଥିଲେ, ଯାହା ତାଙ୍କ ଋଣ ଭାର ବଢ଼ାଇ ଦେଇଥିଲା।  ଆଉ ଏସବୁ ବୋରୱେଲ ମଧ୍ୟରୁ ୩ଟି ବିଫଳ ହୋଇଥିଲା। ଏସବୁ ଫଳରେ ତାଙ୍କ ଋଣ ଭାର ଆହୁରି ବଢ଼ି ଯାଇଥିଲା । 

କିଛି ମାସ ଆଗରୁ ବାଲାୟାଙ୍କ ସାନ ଝିଅ, ୧୭ ବର୍ଷ ବୟସର ଅଖିଳା ମାଧ୍ୟମିକ ସ୍ତର ବା ଦ୍ୱାଦଶ ଶ୍ରେଣୀରେ ପହଞ୍ଚି ଯାଇଥିଲା। ସମାନ ବୟସ ବେଳକୁ ତା ବଡ଼ ଭଉଣୀ ବାହା ହୋଇ ସାରିଥିଲା। ଅଖିଳାର ବାହାଘରକୁ ନେଇ ବାଲାୟା ବେଶ ଚିନ୍ତିତ ଥିଲା। ତା’ଛଡ଼ା ମୁଣ୍ଡ ଉପରେ ଥିବା ସମସ୍ତ ଋଣକୁ ଶୁଝିବା ଲାଗି ମଧ୍ୟ ସେ ଚାହୁଁଥିଲା। 

PHOTO • Rahul M.

ବାଲାୟାର ସାନ ଝିଅ ଅଖିଳା ଓ ତାର ଜେଜେମା- ଏ ଦୁଇ ଜଣ ତରକାରୀ ଖାଇନାହାନ୍ତି, ତେଣୁ ବଞ୍ଚିଛନ୍ତି ।

ଧର୍ମାରମ ଗାଁ ଲୋକଙ୍କ କହିବା କଥା, ଯେଉଁ ଜମିକୁ ବାଲାୟା ବିକ୍ରି କରିବାକୁ ଚାହୁଁଥିଲେ, ତାହା ଥିଲା ରାଜପଥ କଡ଼ରେ। ତେଣୁ ଏହାକୁ ଏକର ପିଛା ଯେ କେହି ୧୫ ଲକ୍ଷ ଟଙ୍କା ଦେଇଥାନ୍ତା। ଯାହା ତାଙ୍କର ଅନେକ ସମସ୍ୟାକୁ ସମାଧାନ କରିପାରିଥାନ୍ତା। ଏସବୁ ମଧ୍ୟରେ ଥିଲା ମକା ଚାଷରେ ହୋଇଥିବା କ୍ଷତି ଜନିତ ଋଣର ସୁଧ ପାଇଁ ତା’ ପଛରେ ପଡ଼ିଥିବା ମହାଜନଙ୍କ ଦୌରାତ୍ମ୍ୟ ଏବଂ ଅଖିଳାର ବାହାଘରକୁ ନେଇ ତାଙ୍କର ଚିନ୍ତା...

କିନ୍ତୁ ସେତେବେଳେ ବାଲାୟାଙ୍କ ସମସ୍ତ ଯୋଜନାରେ ପାଣି ପଶିଗଲା, ଯେତେବେଳେ ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଦେଲେ। ଯେଉଁମାନେ ଜମି କିଣିବାକୁ ଆଗ୍ରହୀ ଥିଲେ, ସେମାନେ ପଛକୁ ହଟିଗଲେ। “ପ୍ରଥମେ ମୋ ବାପା ଠିକ୍ ଥିଲେ। କିନ୍ତୁ ପରିସ୍ଥିତିକୁ ଅନୁଧ୍ୟାନ କରି ସେ ଅନୁଭବ କଲେ, ଯେ ତା’ଙ୍କୁ କେହି ବି ଅର୍ଥ ଦେବେ ନାହିଁ (ତାଙ୍କ ଜମି ପାଇଁ)। ସେ ବହୁତ ଦୁଃଖି ହୋଇଯାଇଥିଲେ,’’ ଅଖିଳା ମନେ ପକାଇ କହୁଥିଲେ। 

ଏ ସବୁ ସତ୍ତ୍ୱେ ବାଲାୟା, ହାର ମାନିନଥିଲେ ଏବଂ ସେ ଜମି ପାଇଁ ଗ୍ରାହକ ଖୋଜିବାରେ ଲାଗିଥିଲେ। କିନ୍ତୁ ଅନେକଙ୍କ ଦୃଷ୍ଟିରେ ସେମାନଙ୍କ ସଞ୍ଚୟ ରାତାରାତି ମୂଲ୍ୟହୀନ ହୋଇଗଲା। ସେମିତିରେ ଏହି ଅଞ୍ଚଳରେ ଅନେକ ଲୋକଙ୍କର ସଚଳ ବ୍ୟାଙ୍କ ଖାତା ବି ନଥିଲା। 

ନଭେମ୍ବର ୧୬, ବିମୁଦ୍ରୀକରଣର ସପ୍ତାହେ ପରେ, କିଛି ସମୟ ପାଇଁ ବାଲାୟା ହୃଦବୋଧ କଲା ଯେ, ଏବେ ତାର ଜମି କିଣିବା ଲାଗି କେହି ଆଗେଇ ଆସିବେ ନାହିଁ। ସେ ସକାଳୁ ତାଙ୍କ ଜମିକୁ ଗଲା, ମକା ଫସଲ ଉଜୁଡ଼ି ଯିବା ପରେ କରିଥିବା ସୋୟାବିନ ଫସଲରେ କୀଟନାଶକ ପ୍ରୟୋଗ କଲା। ସଂଧ୍ୟାରେ ସେ ନିଜ ଜମିରେ ଦେବୀ ମୈସମ୍ମାଙ୍କ ଉଦ୍ଦେଶ୍ୟରେ ତା କ୍ଷେତରେ ଗୋଟିଏ କୁକୁଡ଼ା ବଳି ଦେଲା, ଆଉ ଏହାକୁ ରାତି ଭୋଜନ କରିବା ଲାଗି ଘରକୁ ଆଣି ଆସିଲା। 

ବାଲାୟାଙ୍କ ଘରେ କେବଳ ପର୍ବପର୍ବାଣୀରେ କୁକୁଡ଼ା ରନ୍ଧାଯାଏ କିମ୍ବା ସେତେବେଳେ ରନ୍ଧାଯାଏ, ଯେତେବେଳେ ଶୀରିଷା ତାର ସ୍ୱାମୀଘରୁ ବାପଘରକୁ ଆସିଥାଏ।  ଗତ ବୁଧବାର, ବୋଧହୁଏ ସେ ଚାହୁଁଥିଲେ ତାଙ୍କ ଶେଷ ଖାଦ୍ୟ ଟିକେ ଆଭିଜାତ୍ୟପୂର୍ଣ୍ଣ ହେଉ, ବୋଧହୁଏ ସେ ଚାହୁଁଥିଲେ ଏଭଳି ଏକ ରାତ୍ର ଭୋଜନ, ଯାହା ଗତ ସପ୍ତାହର ଦୁଃଖକୁ ଭୁଲାଇ ଦେବ। ଏହା ଥିଲା ଏପରି ଏକ ସପ୍ତାହ, ଯାହା ତାଙ୍କର ସବୁଠୁ ଭଲ ସଂପତ୍ତିକୁ ତାଙ୍କର ସବୁଠୁ ବଡ଼ ଦୁଃଖରେ ପରିଣତ କରି ଦେଇଥିଲା। ବାଲାୟା ମାଂସ ତରକାରୀରେ କୀଟନାଶକ ଔଷଧ ମିଶାଇଲା। ପରିବାରର କୌଣସି ସଦସ୍ୟ ତା’ର ଏହି କାର୍ଯ୍ୟ ପ୍ରତି ଅବଗତ ନଥିଲେ। “ସେ ତା’ର ପରିବାରର ସଦସ୍ୟମାନଙ୍କୁ ଏଭଳି ଏକ ବୃହତ୍ (ଅର୍ଥନୈତିକ) ସଙ୍କଟ ଭିତରେ ଛାଡ଼ି କରି ଯିବାପାଇଁ ଚାହୁଁ ନଥିଲା। ତେଣୁ ସେ ତା’ର ପୁରା ପରିବାରକୁ ସାଙ୍ଗରେ ନେଇ ମରିବା ପାଇଁ ନିଷ୍ପତି ନେଇଥିଲା।” ଏ କଥା ତାଙ୍କର ଜଣେ ସମ୍ପର୍କୀୟଙ୍କ ମୁହଁରୁ ଶୁଣିବାକୁ ମିଳିଲା। 

ରାତ୍ରି ଭୋଜନ ସମୟରେ, ବାଲାୟା ପଦେ ହେଲେ କଥା କହିନଥିଲେ । କିନ୍ତୁ ଯେତେବେଳେ  ତାଙ୍କର ୧୯ ବର୍ଷର ପୁଅ ପ୍ରଶାନ୍ତ ତା’ଙ୍କୁ ତରକାରିରୁ ବାହାରୁଥିବା ଅଜବ ଗନ୍ଧ ସଂପର୍କରେ ପଚାରିଥିଲା, ସେ କହିଥିଲେ, “ସକାଳୁ ସଂଧ୍ୟା ଯାଏ ସେ ଜମିରେ କୀଟନାଶକ ସିଞ୍ଚୁଥିଲେ, ବୋଧହୁଏ ଏହା ହେଉଛି ସେହି ଗନ୍ଧ”- ବାପାଙ୍କ ସହ କରିଥିବା ଶେଷ ଭୋଜନର ଏହି କେତେ ପଦ କଥାକୁ ମନେ ପକାଉଥିଲେ ଅଖିଳା।   

ପରିବାରର ୬ ଜଣଙ୍କ ମଧ୍ୟରୁ ୪ ଜଣ କୁକୁଡ଼ା ତରକାରି ଖାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ନିଜେ ବାଲାୟା, ତାଙ୍କର ପତ୍ନୀ ବାଲଲକ୍ଷ୍ମୀ, ପ୍ରଶାନ୍ତ, ଯେ କି ବି-ଟେକ ପଢୁଥିଲେ ଓ ବାଲାୟାଙ୍କର ୭୦ ବର୍ଷ ବୟସର ବୁଢ଼ା ବାପା ଗାଲାୟା। ଯେହେତୁ ଅଖିଳା ଓ ତାର ଜେଜେମା ମାଂସ ଖାଆନ୍ତି ନାହିଁ, ସେମାନେ ସେହି ମରଣାନ୍ତକ ରାତ୍ରି ଭୋଜନରୁ ରକ୍ଷା ପାଇଗଲେ । 

PHOTO • Rahul M.

ପଡ଼ୋଶୀଙ୍କ ସହ କାନ୍ଦୁଥିବା ଜଣେ ମାଆ ଓ ବିଧବା- ସେ ଏକାଥରକେ ନିଜ ପୁଅ ବାଲାୟା ଓ ପତି ଗାଲାୟାଙ୍କୁ ହରାଇଥିଲେ।

“ରାତ୍ର ଭୋଜନ ପରେ ଜେଜେବାପାଙ୍କୁ ନିଦ ଆସିଲା, ଆଉ ସେ ଶୋଇ ପଡ଼ିଲେ। ତା ପରେ ତାଙ୍କ ପାଟିରୁ ଲାଳ ବାହାରିଲା” ଅଖିଳା ସେ କଥା ମନେ ପକାଉଥିଲା।  “ଆମେ ଭାବିଲୁ ବୋଧହୁଏ ତାଙ୍କୁ ପକ୍ଷାଘାତ ହୋଇଛି ଏବଂ ଆମେ ତାଙ୍କ ହାତ ଓ ଗୋଡ଼ ଘଷିବାରେ ଲାଗିଲୁ”। କିଛି ସମୟ ପରେ ଗାଲାୟାଙ୍କର ମୃତ୍ୟୁ ହେଲା।  

ବାଲାୟା ମଧ୍ୟ ବାନ୍ତି କରିବାକୁ ଆରମ୍ଭ କଲେ ଓ ତଳେ ଶୋଇ ପଡ଼ିଲେ । ସନ୍ଦେହ ଓ ଭୟଭୀତ ଅବସ୍ଥାରେ ଅଖିଳା ଓ ପ୍ରଶାନ୍ତ ସାହାଯ୍ୟ ପାଇଁ ପଡ଼ୋଶୀମାନଙ୍କ ପାଖକୁ ଦୌଡ଼ିଲେ । ଯେତେବେଳେ ସେମାନେ ଅନୁଭବ କଲେ ଯେ କୁକୁଡ଼ା ତରକାରିରେ କୀଟନାଶକ ମିଶିଛି, ସେମାନେ ବାଲାୟା, ବାଲଲକ୍ଷ୍ମୀ ଓ ପ୍ରଶାନ୍ତକୁ ଡାକ୍ତରଖାନା ନେବା ଲାଗି ଆମ୍ବୁଲାନସ ଡାକିଲେ। ଅଖିଳା ଜେଜେବାପାଙ୍କ ଶବକୁ ଜଗି, ତା’ ଜେଜେମାଙ୍କ ସହ ଘରେ ରହିଲା।

ଡାକ୍ତରଖାନା ଯିବା ବାଟରେ ହିଁ ବାଲାୟା ପ୍ରାଣ ହରାଇଲେ।  ତାଙ୍କ ସ୍ତ୍ରୀ ଓ ପୁଅ, ଗାଁଠାରୁ ୨୦ କିଲୋମିଟର ଦୂର ସିଦ୍ଦିପେଟର ଗୋଟିଏ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଲେ। ଶୀରିଷା ଓ ତାଙ୍କ ସ୍ୱାମୀ ରମେଶ ଡାକ୍ତରଖାନାରେ ମା-ପୁଅଙ୍କର ଯତ୍ନ ନେବା ସହ ଡାକ୍ତରଖାନା ବିଲ୍ ଦେବାକୁ ଉଦ୍ୟମ ଚଳାଇଲେ। ରମେଶ କହିଲେ “ପ୍ରଶାନ୍ତ ଜରୁରୀକାଳୀନ ୱାର୍ଡରେ ଆରୋଗ୍ୟଶ୍ରୀ ସ୍ୱାସ୍ଥ୍ୟ ଯୋଜନା ଅଧୀନରେ ଚିକିତ୍ସିତ ହେଲେ। ରମେଶ କହିଲେ , “(ଗାଁ ଲୋକଙ୍କଠାରୁ) ଧାର କରଜ କରି ଓ ଆମ ସଞ୍ଚୟରୁ ଆମେ ମାଆଙ୍କ ଚିକିତ୍ସା ଲାଗି ଖର୍ଚ୍ଚ କରୁଛୁ”। ରମେଶ ହସପିଟାଲର ସମସ୍ତ ବିଲ୍କୁ ଯତ୍ନର ସହ ରଖୁଥିଲେ। କାରଣ ବାଲାୟାଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ତାଙ୍କ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ କରିବା ଲାଗି ଘୋଷଣା କରିଥିଲେ। 

ସେପଟେ ଘରେ, ପଡ଼ୋଶୀଙ୍କଠାରୁ ଧାର କରଜ କରି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ୧୫,୦୦୦ ଟଙ୍କାର ଅନୁକମ୍ପା ରାଶିର ସହାୟତାରେ ଅଖିଳା ତାର ବାପା ଓ ଜେଜେବାପାଙ୍କ ଶୁଦ୍ଧି କ୍ରିୟା କଲା।  

ଦୁଃଖ ପ୍ରତି ଉଦାସୀନ ଥିବା ଅଖିଳା ନିଜ ଭବିଷ୍ୟତକୁ ନେଇ ସନ୍ଦିହାନ ଥିଲେ: “ମୁଁ ପଢ଼ିବା ଲାଗି ବେଶ ଆଗ୍ରହୀ। ମୋତେ ଗଣିତ ବହୁତ ଭଲ ଲାଗେ। ମୁଁ EAMCET( ମେଡିକାଲ ଓ ଇଂଜିନିୟରିଂ ପଢ଼ିବା ଲାଗି ପ୍ରବେଶିକା ପରୀକ୍ଷା) ଦେବାକୁ ଚାହୁଁଛି ”, ବୋଲି ସେ କହିଲେ । “କିନ୍ତୁ ବର୍ତ୍ତମାନ, ମୁଁ ଜାଣିନି...”


ଅନୁବାଦ: ଓଡ଼ିଶାଲାଇଭ୍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul M.

ରାହୁଲ ଏମ, ଆନ୍ଧ୍ର ପ୍ରଦେଶ ଅନନ୍ତପୁରର ଜଣେ ନିରପେକ୍ଷ ସାମ୍ବାଦିକ ଏବଂ ଜଣେ ୨୦୧୭ ପରୀ ଫେଲୋ ।

Other stories by Rahul M.