ଧୀରଜ ରେହୁୱାମନସୁର୍ ବନ୍ଧୁପରି ବ୍ୟବହାର କରୁଥିବା ବ୍ୟାଙ୍କ ମ୍ୟାନେଜରଙ୍କୁ ପଚାରିଲେ, "ଆପଣ ମୋ ପାଇଁ ଏଠି ଏହି ନୂଆ ଖାତା ଖୋଲିବେ। ମୁଁ ଏହାକୁ ଦେଶସାରା ଯେ କୌଣସି ସ୍ଥାନରୁ ସଞ୍ଚାଳନ କରିପାରିବି ?”

ସଞ୍ଜୟ ଆସ୍ତୁରକାର ସ୍ମିତ ହାସ୍ୟ କରି କହିଲେ , “ମୁଁ ତୁମକୁ ଏକ ଏଟିଏମ୍ କାର୍ଡ ଦେଇଦେବି। ତୁମେ ନିଜ ରାଜ୍ୟ ଓ ସହରରେ ଯେଉଁଠାରେ ବି ଏଟିଏମ୍ ଥିବ ସେଠାରେ ଏହା ବ୍ୟବହାର କରିପାରିବ।”

ଆହୁରି ବ୍ୟସ୍ତ ହୋଇ ଧୀରଜ ପଚାରିଲେ, “ସେଇଟା ମୋର କି କାମରେ ଲାଗିବ ? ମୁଁ ଜାଣିନି ଏଟିଏମ୍ କାର୍ଡ କେମିତି ବ୍ୟବହାର କରାଯିବ। ଏହା ମୋ ଟିପ ଚିହ୍ନରେ କାମ କରିବ ତ ?”

ଏଥର ବ୍ୟସ୍ତ ହେବା ପାଳି ବ୍ୟାଙ୍କ୍ ମ୍ୟାନେଜରଙ୍କର। ସେ ଜାଣିଥିଲେ ଏହା ଏକ ବୈଧ ପ୍ରଶ୍ନ। ସେ ଜାଣନ୍ତି, ଏହି ଦଳର ଯେଉଁ ତିନିଜଣ ସହ ସେ କଥା ହେଉଛନ୍ତି, ସେମାନେ ନିରକ୍ଷର। ଏ କଥା ସତ ଯେ, ବାୟୋମେଟ୍ରିକ୍ ଦିନେ ସେମାନଙ୍କ ପାଇଁ ଉତ୍ତର ହୋଇପାରିବ ମାତ୍ର ଔରଙ୍ଗାବାଦ୍ ଜିଲ୍ଲାର ଅଦୁଲ ସହରରେ ଏପରି କୌଣସି ମାପକ ବ୍ୟବସ୍ଥା ନାହିଁ। ଯେଉଁଠାରେ ଏ ବ୍ୟବସ୍ଥା ଥିବ ସେଠାରେ ଏହା ଅବ୍ୟବହୃତ କିମ୍ବା ଅଚଳ ଅବସ୍ଥାରେ ଥିବ। ସେ କଥା ମଧ୍ୟ ଜାଣିଥିଲେ ଯେ ଉତ୍ତର ପ୍ରଦେଶର ବାହରାଇଚ୍ ଜିଲ୍ଲାର ନିଜ ଗ୍ରାମରେ କିମ୍ବା ଗ୍ରାମୀଣ ଲକ୍ଷ୍ନୌରେ ଯେଉଁଠାରେ ତାଙ୍କ ପରିବାର ରହୁଛନ୍ତି , ସେଠାରେ ଏଟିଏମ୍ ବ୍ୟବହାରର ସୁଯୋଗ ପାଇବାର ଆଶା ଧୀରଜଙ୍କ ପାଇଁ  ଏକଦମ୍ ନଗଣ୍ୟ। 

“ଯଦି ମୁଁ ଚେକ୍ ବୁକ୍ ପାଇବି ତା' ହେଲେ ମୁଁ ମୋ ଟିପଚିହ୍ନରେ ଏହାକୁ ବ୍ୟବହାର କରିପାରିବି ନା?” ନା, ନା, ପ୍ରକୃତରେ ଏମିତି ବି ହୋଇପାରିବନି। କାରଣ ଏଇଟା ନୋ-ଫ୍ରିଲ୍ସ ବ୍ୟାଙ୍କ ଜମା ଖାତା, ଏଥିରେ ଚେକ୍ ବୁକ୍ ନାହିଁ। 

ଧୀରଜ କାନ୍ଦକାନ୍ଦ ହୋଇଗଲେ। “ ତା' ହେଲେ ମୁଁ ମୋ ପରିବାର ପାଖକୁ ଅର୍ଥ କେମିତି ପଠାଇବି ? ଯଦି ମୁଁ ଏଠି ଟଙ୍କା ଜମା କରିବି ଏବଂ ସେମାନେ ଲକ୍ଷ୍ନୌ ଗଲେ ବି କେମିତି ଏହା ପାଇପାରିବେ ? ମୁଁ ସେମାନଙ୍କ ପାଖରେ କିଛି ଅର୍ଥ ନେଇ ନ ପହଞ୍ଚିବା ପର୍ଯ୍ୟନ୍ତ ସେମାନେ କ'ଣ ଭୋକିଲା ରହିବେ ?”

ପାଞ୍ଚଟି ଭିନ୍ନ ଭିନ୍ନ ରାଜ୍ୟରୁ ଆସି ମହାରାଷ୍ଟ୍ରର ଅଦୁଲରେ କାମ କରୁଥିବା ୧୧ ଜଣ ଶ୍ରମିକଙ୍କ ମଧ୍ୟରୁ ଧୀରଜ ଅନ୍ୟତମ। ତାଙ୍କ ସହ ସମାନ ସାଙ୍ଗିଆ ଥିବା ଅନ୍ୟ ଚାରିଜଣ ମଧ୍ୟ ଉତ୍ତର ପ୍ରଦେଶରୁ ଆସିଛନ୍ତି । ଅନ୍ୟମାନେ ଆସାମ, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର। ସମେସ୍ତ ଦିନକୁ ୩୫୦ ଟଙ୍କା ଲେଖାଏଁ ରୋଜଗାର କରୁଛନ୍ତି। ଏହି କମ୍ ରୋଜଗାର ମଧ୍ୟରୁ ଏହି ପ୍ରବାସୀ ଶ୍ରମିକମାନେ ନିଜର ଖାଇବା, ରହିବା, ଯିବାଆସିବା ଓ ପୋଷାକପତ୍ର ଆଦି ସବୁ ଖର୍ଚ୍ଚ କରିବା ପରେ ମଧ୍ୟ ଘରେ ଥିବା ତାଙ୍କ ପରିବାର ପାଇଁ କିଛି ପଠାନ୍ତି। ନଭେମ୍ବର ୮ ତାରିଖରେ ବିମୁଦ୍ରିକରଣ ଆଦେଶ ସେମାନଙ୍କ ଉପରେ ବଜ୍ରପ୍ରହାର ନ କରିବା ପର୍ଯ୍ୟନ୍ତ ଏମିତି ହିଁ ଚାଲିଥିଲା। 

ଆମେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଅନ୍ୟତମ ସହଯୋଗୀ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ହାଇଦ୍ରାବାଦ(ଏସବିଏଚ୍)ର ଅଦୁଲ୍ ବ୍ରାଞ୍ଚରେ ଥିଲୁ । ମ୍ୟାନେଜରଙ୍କ ସମେତ ଦଳେ ସାହାଯ୍ୟକାରୀ ବ୍ୟାଙ୍କ୍ କର୍ମଚାରୀଏହି ପ୍ରବାସୀମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବା ପାଇଁ ଯଥାସମ୍ଭବ ଚେଷ୍ଟା ଚଳାଇଥିଲେ। ସେତେବେଳକୁ ଅଫିସ୍ ସମୟ ଅତିକ୍ରାନ୍ତ ହୋଇସାରିଥାଏ, କିନ୍ତୁ କର୍ମଚାରୀମାନେ ଅସୁବିଧାରେ ପଡିଥିବା ତଥା ଅସହାୟ ଏହି ଦଳଟିକୁ ସାହାଯ୍ୟ କରିବା ପାଇଁ ସେଠାରେ ଉପସ୍ଥିତ ଥାଆନ୍ତି । ଆଜି ରାତିରେ ସେମାନେ ସେମାନଙ୍କ ନୂଆ ଗ୍ରାହକମାନଙ୍କର ଯାଞ୍ଚ ପ୍ରକ୍ରିଆ ଶେଷ କରିନେବେ। ଆସନ୍ତାକାଲି ଠାରୁ ଏହା ସକ୍ରିୟ ହୋଇଯିବ । ପୂର୍ବ ଦିନ ଆମେ ଓସମାନାବାଦ ସହରର ଏକ ସମବାୟ ବ୍ୟାଙ୍କକୁ ଯାଇଥିଲୁ, ସେଠାରେ ଗରୀବ ଗ୍ରାହକମାନଙ୍କ ପ୍ରତି ବ୍ୟବହାର ଖୁବ୍ କଦର୍ଯ୍ୟ ଥିଲା। କିନ୍ତୁ ଏହି ବ୍ୟାଙ୍କର ମନୋଭାବ ଏକଦମ୍ ଓଲଟା ଥିଲା । ଏବେ ଏସବିଆଇରେ କେବଳ ଏହି ଏଗାର ଜଣ ପ୍ରବାସୀ ଗ୍ରାହକ ଅଛନ୍ତି । ଜଣେ କର୍ମଚାରୀ କହିଲେ,”ଅତ୍ୟଧିକ ଚାପ ଯୋଗୁଁ ସର୍ଭର ଖରାପ ହୋଇଗଲା ଏବଂ ଆଜି ଆମକୁ ନିତିଦିନିଆ କାମ ଶୀଘ୍ର ବନ୍ଦ କରିବାକୁ ହେଲା। “ ଏବେ ସାଙ୍ଗେ ସାଙ୍ଗେ ଗୋଟିଏ ନୂଆ ସର୍ଭର୍ ଆସି ପହଞ୍ଚିଛି ଏବଂ ଯଥାଶୀଘ୍ର ଏହାକୁ ସଂଯୋଗ କରାଯାଉଛି।” 

PHOTO • P. Sainath

ଏସବିଏଚର ଅଦୁଲ୍ ଶାଖାରେ ଯାଞ୍ଚ ପ୍ରକ୍ରିଆ ପାଇଁ ଅପେକ୍ଷା କରିଛନ୍ତି , ବାମରୁ ଡାହାଣ : ରିଙ୍କୁ ରେହୁୱାମନସୁର୍ , ନୋତନ୍ ପଣ୍ଡା, ଉମେଶ ମୁଣ୍ଡା , ବାପି ଦୁଲାଇ ଏବଂ ରଣ ବିଜୟ ସିଂ। ଏହି କାମ ସରିଲେ ସେମାନଙ୍କ ଆକାଉଣ୍ଟ  ତୁରନ୍ତ ସଚଳ ହୋଇଯିବ-କିନ୍ତୁ ଏଠୁ ସେଠିକି ଘୁରିବୁଲୁଥିବା ବେଳେ ସେମାନେ ;ଆକାଉଣ୍ଟ କିପରି ଚଳାଇବେ?

“ମୁଁ ବିହାରରେ ଏହି ଟଙ୍କା କେଉଁଠି ଜମା କରିବି ଓ ଉଠାଇବି?” ଏହା ପଚାରିଥିଲେ ରଣ  ବିଜୟ ସିଂ । ସେ ବିହାରର  ଜାମୁଇ ଜିଲ୍ଲାରୁ ଆସିଛନ୍ତି ଏବଂ ଏହି ଦଳର ସବୁଠାରୁ ଶିକ୍ଷିତ ସଦସ୍ୟ । ସେ ଜାମୁଇସ୍ଥ କେ.କେ.ଏମରୁ ଇତିହାସରେ ବ୍ୟାଚେଲର୍ ଡିଗ୍ରୀ ହାସଲ କରିଛନ୍ତି । ତାଙ୍କୁ କୁହାଯାଇଥିଲା “ ତୁମେ ଯେ କୌଣସି ଜାତୀୟକରଣ ବ୍ୟାଙ୍କରୁ ନିଜ ଆକାଉଣ୍ଟରେ ଅର୍ଥ ଜମା କରି ପାରିବ କିନ୍ତୁ କେବଳ କୌଣସି ଏଟିଏମରୁ ଅର୍ଥ ଉଠାଇ ପାରିବ ଏବଂ ଯେଉଁଠି ଆମର ବ୍ରାଞ୍ଚ ଥିବ ସେଠାରେ ଅନ୍ୟ ଟ୍ରାଞ୍ଜାକସନ୍ କରିପାରିବ।”

ସିଂହ କୁହନ୍ତି, “ ମୁଁ ଜାମୁଇର କୋନାନ୍ ଗାଁରୁ ଆସିଛି। ଯଦି ବିହାରରେ କେଉଁଠି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ହାଇଦ୍ରାବାଦର ଶାଖା ଥିବ ତେବେ ତାହା ପାଟନ।ରେ ଥିବ । ଯେଉଁମାନେ ଅନ୍ୟ କିଛି ଟ୍ରାଞ୍ଜ୍ରାକସନ୍ ଚାହିଁବେ , ସେମାନଙ୍କୁ ଅତି କମରେ ୧୬୦ କିଲୋମିଟର ଯିବାକୁ ହେବ।”

ଏଠାରେ ଥିବା ଉମେଶ ମୁଣ୍ଡା ଆସାମର ଜୋରହାଟରୁ ଆସିଛନ୍ତି। ବାପି କୁମାର ଦୁଲାଇ ଓ ନୋତନ କୁମାର ପଣ୍ଡା, ଉଭୟେ ଆସିଛନ୍ତି ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲାର ଆଲିପୁର ଗ୍ରାମରୁ। ରିଙ୍କୁ, ବିଜୟ, ଦିଲିପ ଓ ସର୍ବେଶ ରେହୁୱାମନସୁର ଆଦି ଧୀରଜଙ୍କ ଗାଁରୁ ଆସିଛନ୍ତି ,  ବାହାରାଇଚ୍ ଜିଲ୍ଲାର ଖଜୁରିଆ ଗାଁରୁ। କିନ୍ତୁ ସେମାନଙ୍କ ପରିବାର ଏବେ ଗ୍ରାମୀଣ ଲକ୍ଷ୍ନୌରେ ରହୁଛନ୍ତି। ରାମ କେବଲ୍ ପ୍ରଜାପତି ଆସିଛନ୍ତି ଲକ୍ଷ୍ନୌରୁ ଏବଂ ସନ୍ଦିପ କୁମାର ଆସିଛନ୍ତି ଉତ୍ତରପ୍ରଦେଶର ଔରେୟା ଜିଲ୍ଲାର ଜୋହରାନପୁର ଗ୍ରାମରୁ। ସେମାନେ ସମସ୍ତେ ଦାରିଦ୍ର୍ୟ ସୀମାରେଖା ତଳ (ବିପିଏଲ୍) ପରିବାରରୁ ଆସିଛନ୍ତି । ଏହି ପ୍ରବାସୀ ବିପିଏଲ୍ ଏକାଦଶ ଅଧିକାଂଶ ଦିନ କାମ ସନ୍ଧାନରେ ବିଭିନ୍ନ ସ୍ଥାନକୁ ଯାଆନ୍ତି। ସେମାନେ କୁହନ୍ତି, “ଆମେ ବର୍ଷକୁ କେତେଦିନ ମଜୁରୀରେ କାମ ପାଉଛୁ ବୋଲି ଆପଣ ଭାବୁଛନ୍ତି?”

ପ୍ରତ୍ୟେକଙ୍କର ଗୋଟିଏ ଗୋଟିଏ କାହାଣୀ ଅଛି। ଅନେକ କାହାଣୀ। ମହାରାଷ୍ଟ୍ରରେ ପହଞ୍ଚିବା ପୂର୍ବରୁ ବାଟରେ ଅନେକ ସ୍ଥାନରେ କାମ କରିଛନ୍ତି ସେମାନେ । ରଣବିଜୟ ସିଂହ ଆନ୍ଧ୍ରପ୍ରଦେଶରେ କାମ କରିଛନ୍ତି। ଦୁଇ ବଙ୍ଗାଳୀ ଶ୍ରମିକ ଦୁଲାଇ ଓ ପଣ୍ଡା ତିନୋଟି ରାଜ୍ୟରେ କାମ କରି କରି ଏଠାରେ ପହଞ୍ଚିଛନ୍ତି। କିନ୍ତୁ ବର୍ତ୍ତମାନ ଏଗୁଡିକ ସେମାନଙ୍କର ଚିନ୍ତାର ବିଷୟ ନୁହେଁ। ବର୍ତ୍ତମାନ ସେମାନେ ନିଜ ନିଜ ପରିବାର ପାଖକୁ କିପରି ଅର୍ଥ ପଠାଇବେ ଏ ନେଇ ଚିନ୍ତିତ। ଆଉ କେତେଜଣ ଘରକୁ ଯିବା ଓ ନିକଟରେ ପାଇଥିବା କାମରେ ରହିବା ନେଇ ଦୁଇ ଖଣ୍ଡ ହୋଇଯାଉଛନ୍ତି।

PHOTO • P. Sainath

ଉତ୍ତରପ୍ରଦେଶର ଔରୋୟାରୁ ଆସିଥିବା ସନ୍ଦିପ କୁମାର (ବାମ) କୁହନ୍ତି ମୋର ବୟସ ୧୯, କିନ୍ତୁ ସେ  ଆହୁରି କମ୍ ବୟସ ପରି ଜଣାପଡନ୍ତି। ବିହାରସ୍ଥ ଜାମୁଇରୁ ଆସିଥିବା ଶ୍ରମିକ ରଣବିଜୟ ସିଂ (ଡାହାଣ) ଇତିହାସରେ ସ୍ନାତକ

ଅଖିଳ ଭାରତ ଷ୍ଟେଟବ୍ୟାଙ୍କ ଅଫ୍ ହାଇଦ୍ରାବାଦ୍ କର୍ମଚାରୀ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ଜଗଦୀଶ ଭାବଥାଙ୍କର ସେମାନଙ୍କ ଆଶଙ୍କାକୁ ବିସ୍ତାରରେ ବୁଝାଇଛନ୍ତି , “ନୋଟ୍ ବଦଳ ଓ ଜମା ଉପରେ ଅତ୍ୟଧିକ ଗୁରୁତ୍ୱ ଦିଆଯିବା କାରଣରୁ  ସାଧାରଣ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଅଚଳ ହୋଇଯାଇଛି । ସାଧାରଣ ଭାବରେ ପୋଷ୍ଟ ଅଫିସ୍ ଜରିଆରେ ହେଉ କିମ୍ବା ବ୍ୟାଙ୍କ ଦ୍ୱାରା  ହେଉ , ସେମାନେ ଯେଉଁପରି ମନି ଟ୍ରାନ୍ସଫର ଦରକାର କରୁଛନ୍ତି, , ତାହା ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। କେବଳ ସେତିକି ନୁହେଁ ବ୍ୟାଙ୍କର ଅନ୍ୟ ସମସ୍ତ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଇଛି। ସମସ୍ତ କର୍ମଚାରୀ ଟଙ୍କା ବଦଳ ଓ ଜମା ପାଇଁ ଚାପଗ୍ରସ୍ତ ଅଛନ୍ତି।”

ଦଳର ସମସ୍ତ ୧୧ଜଣଙ୍କ ପକ୍ଷରୁ ବାପି ଦୁଲାଇ ପଚାରିଲେ, “ ଆମ ପାଖରେ ତ ନଗଦ ଅର୍ଥ ନାହିଁ, ଆମେ ମନି ଅର୍ଡର କିପରି ପଠାଇବୁ। ” ସରକାର ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ  ନୋଟକୁ ଅବୈଧ ଘୋଷଣା କରିବା ପରେ ତାଙ୍କର ଦୁନିଆ ଏକଦମ୍ ଭାଙ୍ଗିଯାଇଛି। ନୂଆ ୨,୦୦୦ ଟଙ୍କିଆକୁ ସମସ୍ତେ ବିଦ୍ରୁପ କରୁଛନ୍ତି। 

ପଣ୍ଡା  କହିଲେ, “କେହି ଏହାକୁ ଚାହୁଁ ନାହାନ୍ତି।” ସିଂହ କହିଲେ, “ଏହା ଅସଲି କି ନକଲି ଜାଣିବା କଷ୍ଟ। ଆପଣଙ୍କୁ ଏହା ଅସଲି ପରି ଲାଗିବନି। ଏହାକୁ କେହି ଗ୍ରହଣ କରୁନାହାନ୍ତି।” ଧୀରଜ କହିଲେ ଗୋଟିଏ ବ୍ୟାଙ୍କରୁ ଯେଉଁ କେଇଖଣ୍ଡ ଶହେ ଟଙ୍କିଆ ନୋଟ୍ ଆଣିଥିଲି ତାକୁ କେହି ଗ୍ରହଣ କରୁନାହାନ୍ତି। ଏଗୁଡିକ ମଇଳା ନୋଟ୍ କିନ୍ତୁ ପୁଣି ଚଳାଇ ଦିଆଯାଇଛି। ମତେ ଦୋକାନମାନଙ୍କରେ କୁହାଯାଉଛି “ସଫା ନୋଟ୍ ନେଇକରି ଆସ।”

ଔରୋୟାର ଖୁବ୍ ନିକଟରେ ଗ୍ରାମୀଣ କାନପୁରରେ ସନ୍ଦିପ କୁମାରଙ୍କ ପରିବାର ରୁହନ୍ତି। ସେମାନଙ୍କର ୩ଏକର ଚାଷଜମି ଅଛି। ଏହା ଉପରେ ପରିବାରର ୧୨ ଜଣ ସଦସ୍ୟ ନିର୍ଭରଶୀଳ। ସେ କୁହନ୍ତି, “ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ଆମେ ଚାଷ ପାଇଁ କମ୍ ପରିମାଣର ଜିନିଷ କିଣୁଛୁ। ବର୍ତ୍ତମାନ କାହା ପାଖରେ ଏଥିପାଇଁ ନଗଦ ଟଙ୍କା ନାହିଁ। କମ୍ ମୂଲ୍ୟରେ ଟଙ୍କା ଆମେ ଆଣିପାରିନୁ। ବଡ଼ ନୋଟ୍ ଆମ ପାଖରେ ନାହିଁ। ଯଦି ବି ଥାଆନ୍ତା ଆମେ ଏହାକୁ ଭଙ୍ଗାଇ ପାରନ୍ତୁନି।”

ଏହି ୧୧ ଜଣ ଯାକ ପାୱାର ଗ୍ରୀଡ୍ କର୍ପୋରେସନର ଏକ ପାୱାର ସବ୍-ଷ୍ଟ୍ରସନ୍ ନିର୍ମାଣ ପାଇଁ ଦିନ ମଜୁରିଆ ଭାବରେ କାମ କରୁଛନ୍ତି । ଏହା ଏକ ରାଷ୍ଟ୍ରାୟତ କ୍ଷେତ୍ର। ଯଦି ପାୱାର ଗ୍ରୀଡ୍ କର୍ପୋରେସନ୍ ସେମାନଙ୍କୁ ପ୍ରତ୍ୟକ୍ଷ ଭାବରେ ନିଯୁକ୍ତି ଦେଇଥାନ୍ତି ତେବେ ସେମାନେ ଏହାଠାରୁ ଖୁବ୍ ଭଲ ଅବସ୍ଥାରେ ଥାଆନ୍ତେ। କିନ୍ତୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗଟି ଜଣେ ଠିକାଦାର ଜରିଆରେ ଏହି ଶ୍ରମିକମାନଙ୍କୁ କାମରେ ଲଗାଇଛି। ଯେ କି ସେମାନେ ପ୍ରତ୍ୟକ୍ଷ ଭାବରେ ଦିନକୁ ଯେତିକି ମଜୁରୀ ପାଇପାରନ୍ତେ ତାହାର ବଡ଼ ଅଂଶ ନେଇ ଯାଉଛି। ବୋଧହୁଏ ଶ୍ରମିକଙ୍କ ମଜୁରୀର ପ୍ରାୟ ୪୦ ପ୍ରତିଶତ ଠିକାଦାର ନେଉଛି। ଏହାଛଡ଼ା ଏବେ ସେମାନଙ୍କୁ ନଗଦ ଟଙ୍କା ନୁହେଁ ବରଂ ଚେକ୍ ଦ୍ୱାରା ମଜୁରୀ ପୈଠ କରାଯିବ ଯାହା ସେମାନଙ୍କ ସମସ୍ୟାକୁ ଆହୁରି ଉତ୍କଟ କରିଦେବ। 

ଏହି ପ୍ରବାସୀମାନେ ରାଜ୍ୟ ବାହାରର ଜଣେ ବ୍ୟକ୍ତିଙ୍କ ତତ୍ତ୍ୱାବଧାନରେ ବ୍ୟାଙ୍କକୁ ଯାଇଥିଲେ। ଶ୍ରମିକଙ୍କ ଠାରୁ ସେ ବେଶ୍ ଶିକ୍ଷିତ ଏବଂ ଭାଗ୍ୟବାନ। ଡାନିଏଲ୍ କାରକେଟ୍ଟା ନାମକ ଏହି ବ୍ୟକ୍ତି ଜଣକ ଝାଡ଼ଖଣ୍ଡର ଜଣେ ଆଦିବାସୀ ଓ ପାୱାର ଗ୍ରୀଡ୍ ଇଞ୍ଜିନିୟର। ସେ ଏହି ବିବ୍ରତ ଓ ଅସୁରକ୍ଷିତ ଶ୍ରମିକମାନଙ୍କ ଭ୍ରାମ୍ୟମାଣ ବିପିଏଲ୍ ଏକାଦଶ ଦଳର କ୍ୟାପ୍ଟେନ୍। ଏକଦମ୍ ଭିନ୍ନ ପୃଷ୍ଠଭୂମିରୁ ଆସିଥିଲେ ମଧ୍ୟ କାରକେଟ୍ଟା ସେମାନଙ୍କ ପରିସ୍ଥିତିକୁ ବୁଝି ପାରିଛନ୍ତି। ସେ ହସି ହସି କହିଲେ, "ମୁଁ ବି ଜଣେ ପ୍ରବାସୀ'।

ସେମାନେ ତାଙ୍କ ତତ୍ତ୍ୱାବଧାନ ପାଇଥିବାରୁ ଏବଂ ବ୍ୟାଙ୍କର ଏହି ଶାଖାରେ ଥିବାରୁ ଭାଗ୍ୟବାନ୍। 

ଯଦି ସେମାନେ ଭାଗ୍ୟବାନ, ଯେଉଁମାନେ ଅଭାଗା ସେମାନଙ୍କ ପରିସ୍ଥିତି କ'ଣ ?

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath