ସେ ନିଜ ସଂପ୍ରଦାୟ ପାଇଁ ଲଢେଇ କରୁଛନ୍ତି – କିନ୍ତୁ ଅଧିକାଂଶ ସମୟରେ ସେମାନଙ୍କର ଚିନ୍ତାଧାରା ବିରୋଧରେ ସ୍ୱର ଉତ୍ତୋଳନ କରିଥାନ୍ତି। ସେ ସେମାନଙ୍କର ସମ୍ମାନ ପାଇଁ ଲଢେଇ କରନ୍ତି, କିନ୍ତୁ ସେମାନେ ପ୍ରତିଦିନ କରୁଥିବା କାମକୁ ବିରୋଧ କରନ୍ତି। ସେହି କାମକୁ ସେ ବନ୍ଦ କରିବାକୁ ଚାହାନ୍ତି। ସେ ମନେ କରନ୍ତି ଯେ ହୁଏତ ସେ ତାଙ୍କ ସଂପ୍ରଦାୟର ପୁରୁଖା ପିଢିକୁ ବିମୁଖ ବା ଅସନ୍ତୁଷ୍ଟ କରିଦେଇଛନ୍ତି, ତେଣୁ ଯୁବବର୍ଗଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି। ସେ ହେଉଛନ୍ତି କଳ୍ପନା*, ବୟସ ମାତ୍ର ୩୩ ବର୍ଷ। କିନ୍ତୁ ସେ ଗୋମାସପଳାୟମରେ ପିଲାମାନଙ୍କ ପାଇଁ ଏକ ମାଗଣା ଟ୍ୟୁସନ୍ ସେଣ୍ଟର ଚଳାଉଛନ୍ତି। ତାହା ବୋଧହୁଏ ତାମିଲନାଡୁର ମଦୁରାଇର ସବୁଠୁ ପୁରୁଣା ବସ୍ତି। ସେଠାକାର ୨୩୦ଟି ଘରେ ପ୍ରାୟ ୭୦୦ ପରିବାର ରହୁଛନ୍ତି। ପର୍ଯ୍ୟଟନସ୍ଥଳୀ ପାଇଁ ପ୍ରସିଦ୍ଧ ମଦୁରାଇର କେନ୍ଦ୍ରସ୍ଥଳରେ ସେହି ବସ୍ତି ଅବସ୍ଥିତ।

 ଏହି ପରିବାର ସବୁ ହେଉଛି ହାତରେ ମଇଳା ସଫା କରୁଥିବା ଲୋକ, ସଫେଇ କର୍ମୀ ବା ଘରୋଇ ଶ୍ରମିକ ଏବଂ କେୟାରଟେକରମାନଙ୍କର। ସେମାନଙ୍କ ମଧ୍ୟରୁ ସମସ୍ତେ ହେଉଛନ୍ତି ସମାଜର ସବୁଠୁ ତଳେ ଥିବା ଦଳିତ ସଂପ୍ରଦାୟ ଅରୁନ୍ଧତୀୟାରର ସଦସ୍ୟ। ଏଠାକାର ଅନେକ ଲୋକ ବିଶେଷ କରି ବୟସ୍କ ଲୋକମାନେ ଚିନ୍ତା କରନ୍ତି ଯେ ସେମାନଙ୍କ ଜୀବନରୁ ହାତରେ ମଇଳା ସଫା କରିବା କାମକୁ ବାଦ୍ ଦେବା କଷ୍ଟକର। କଳ୍ପନା କହନ୍ତି, "ଏହା ବଦଳିବା କଷ୍ଟକର ବୋଲି ମୋର ଲୋକମାନେ ଚିନ୍ତା କରନ୍ତି। ଯେତେବେଳେ ମୁଁ ଏ ସଂପର୍କରେ ଅଭିଯାନ ଆରମ୍ଭ କଲି ସେମାନେ ଏହାକୁ ଘୃଣା କଲେ। ସେମାନେ ଅନ୍ୟ କାହାକୁ ଦୋଷ ଦେବାକୁ ଚାହୁଁନଥିଲେ।"

ତେଣୁ କଳ୍ପନା ଯୁବପିଢିଙ୍କ ମନରେ ବିଭିନ୍ନ୍ନ ପ୍ରକାର ବିଚାରଧାରା ଭର୍ତ୍ତି କରିବାକୁ ଉଦ୍ୟମ କରୁଛନ୍ତି।  ନିଜ ଉଦ୍ୟମରେ ସେ ଏକ ଟ୍ୟୁସନ୍ ସେଣ୍ଟର ପରିଚାଳନା କରୁଛନ୍ତି। ୪୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସପ୍ତାହକୁ ତାହା ୫ ଦିନ ଧରି ଚାଲୁଛି। ସମୟ ସମୟରେ ଶନିବାରରେ ମଧ୍ୟ ଏଠାରେ କ୍ଲାସ ହୋଇଥାଏ। ଗୋମାସପଳାୟମଠାରେ ଥିବା କମ୍ୟୁନିଟି ହଲରେ ଏହି ଟ୍ୟୁସନ୍ ସେଣ୍ଟର ସନ୍ଧ୍ୟା ୫.୩୦ରୁ ୮.୩୦ ମିନିଟ୍ ପର୍ଯ୍ୟନ୍ତ ଚାଲେ। ଏଠାରେ ସେ ନିୟମିତ ଭାବେ ଛାତ୍ରଛାତ୍ରୀମାନଙ୍କୁ "ସେମାନଙ୍କର ବାପା ମା’ କରୁଥିବା କାମକୁ" ନ କରିବା ଲାଗି ପ୍ରେରିତ କରିଥାନ୍ତି। ଏବଂ ସେମାନଙ୍କର ପାଠପଢାରେ ସେମାନଙ୍କୁ ସାହାଯ୍ୟ କରନ୍ତି। ସେ କହନ୍ତି, "ମୁଁ  ୩ ବର୍ଷ ହେଲା ଏହି କାମ କରିଆସୁଛି। ଯେତେଦିନ ଯାଏ ମୁଁ ଏଠାରେ ଅଛି ଏହି କାମ ଜାରି ରଖିବି। ୫୦ ବର୍ଷ ପୁରୁଣା ଏହି ବସ୍ତିବାସିନ୍ଦାଙ୍କ ପାଇଁ ଗତ ୩ ବର୍ଷ ତଳେ ପ୍ରଥମେ କଂକ୍ରିଟ୍ ଘର ତିଆରି ହେଲା। ସେହି ତଥାକଥିତ ମରାମତି ପରେ ମୁଁ ଏହି କମ୍ୟୁନିଟି ହଲକୁ (ସେହି ସମୟରେ ତିଆରି ହୋଇଥିଲା) ପିଲାଙ୍କୁ ପଢାଇବା ପାଇଁ ବ୍ୟବହାର କରୁଛି।"

PHOTO • Krithika Srinivasan

କଳ୍ପନା କହନ୍ତି ଏଠାକାର ଅନେକ ଲୋକ ଚିନ୍ତା କରନ୍ତି ଯେ ସଫେଇ କାମକୁ ଛାଡ଼ିବା କଷ୍ଟକର। କଳ୍ପନା ସେହି ସୀମାରେଖା ଡେଇଁଛନ୍ତି ଏବଂ ଅନ୍ୟମାନଙ୍କୁ ଏମିତି କରିବାକୁ ସାହାଯ୍ୟ କରୁଛନ୍ତି।

ତାଙ୍କ ମା’ ସକାଳ ଓ ସଂଧ୍ୟାରେ ରାସ୍ତା ସଫା କରନ୍ତି। "ମୁଁ ଖିୁବ୍ଛୋଟ ହୋଇଥିଲି ଯେତେବେଳେ ମୋ ବାପାଙ୍କର ମୃତ୍ୟୁ ହେଲା। ଏହି କାମ ଆଉ ନ କରିବାକୁ ମୁଁ ମୋ ମା’କୁ କହିଲେ, ସେ ଦୁଃଖୀ ହୋଇଯାଏ। ସେ ଭାବେ ଯେ କେବଳ ଏହି କାମ କରି ହିଁ ଆମ ପରିବାର ବଞ୍ଚିପାରିବ। ସେ ବୁଝେ ନାହିଁ ଯେ ଏହା ଅନ୍ତରକୁ କଷ୍ଟ ଦେବା ଭଳି। ଆମେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଜାତିରେ ଜନ୍ମ ହୋଇଛୁ ବୋଲି ହିଁ ଏହି କାମ କରୁଛୁ।" 

୧୪ ବର୍ଷୀୟା କୌଶଲ୍ୟା ଭଳି ଛାତ୍ରୀଙ୍କ ପାଇଁ କଳ୍ପନାଙ୍କ ଟ୍ୟୁସନ୍କେନ୍ଦ୍ର ଖୁବ୍ ସୁବିଧା ଜନକ ହୋଇଛି। କାରଣ ତାଙ୍କ ଛୋଟ ଓ ଗହଳିପୂର୍ଣ୍ଣ ଘରେ କୌଶଲ୍ୟା ପକ୍ଷରେ ହୋମ୍ ୱାର୍କ କରିବା କଷ୍ଟକର ହୋଇପଡ଼େ। କୌଶଲ୍ୟା କହେ, "ସେଠାରେ କ୍ଲାସ୍କୁ ଯିବା ପରେ, ମୁଁ ସ୍କୁଲରେ ପ୍ରଥମ ୧୦ ରାଙ୍କ ମଧ୍ୟରେ ରହୁଛି। କୌଶଲ୍ୟାର ବାପା ରମେଶ ମଦୁରାଇରେ ଜଣେ ଝାଡୁଦାର ଭାବେ କାମ କରନ୍ତି। କୌଶଲ୍ୟା କହେ, 'ମୁଁ ଏଥିପାଇଁ ମୁଁ ମନ ଲଗାଇ ପାଠ ପଢୁଛି କାରଣ ଏମିତି ନ କଲେ ମୁଁ ବି ମୋ ବାପାଙ୍କ ଭଳି ମାତ୍ର ୬ ହଜାର ଟଙ୍କା ପାଇଁ ନିଜ ଆତ୍ମସମ୍ମାନକୁ ବଳି ପକାଇବି। ମୁଁ ମୋ ବାପାଙ୍କୁ ସମ୍ମାନ ଦିଏ, ସେ ମୋତେ ସବୁ କିଛି ଦିଅନ୍ତି। କିନ୍ତୁ ମୁଁ ଚାହୁଁଛି ସେ ଏହି ପତିତ କାମରୁ ଉଦ୍ଧାର ପାଆନ୍ତୁ।"

ନିଜ ଲକ୍ଷ୍ୟ ହାସଲ ପାଇଁ ଅଧିକାଂଶ ସମୟରେ କଳ୍ପନା ନିଜ ପକେଟ୍ରୁ ଖର୍ଚ୍ଚ କରନ୍ତି। ମଦୁରାଇ ମ୍ୟୁନିସିପାଲ୍କର୍ପୋରେସନ୍ଅଫିସ୍ର ମହିଳା ବିଭାଗରେ ଜଣେ କମ୍ୟୁନିଟି ଅରଗାଇନାଇଜର ଭାବେ କାମ କରି ସେ ଦିନକୁ 250 ଟଙ୍କା ଆୟ କରନ୍ତି। କଳ୍ପନା କହନ୍ତି, ‘’ଏହା ଗୋଟିଏ ନିୟମିତ ଚାକିରି ନୁହେଁ, ଏଥିପାଇଁ ମୁଁ ଲୋୟୋଲା ଇନଷ୍ଟିଚ୍ୟୁଟ୍ରେ ମୁଁ ମହିଳାଙ୍କୁ ଟେଲରିଂ ଶିକ୍ଷା ଦିଏ, ସେଥିରୁ ମାସକୁ 3 ହଜାର ଟଙ୍କା ମିଳେ।"

PHOTO • Krithika Srinivasan
PHOTO • Krithika Srinivasan

ଗୋମାସପାଲାୟମ୍କଲୋନୀ (ଡାହାଣ) ରେ କଳ୍ପନାଙ୍କ କ୍ଲାସ୍(ବାମ)ରେ ପଢ଼ିସାରିବା ପରେ ଗ୍ରେଡ୍ରେ ଭଲ ଉନ୍ନତି ହୋଇଥିବା ଜଣେ 15 ବର୍ଷୀୟା ଛାତ୍ରୀ କହିଲେ, 'ସେ ଆମକୁ ଅନେକ ଜିନିଷ ଶିଖାନ୍ତି, ଯାହା ଆମକୁ ଜୀବନରେ ସାହାଯ୍ୟ କରିବ।'

ଏହି ସବୁ କାମ ଛଡ଼ା କଳ୍ପନା ଗୋଟିଏ ସ୍କୁଲ ଭ୍ୟାନ୍ରେ ହେଲ୍ପର ଭାବେ ମଧ୍ୟ କାମ କରନ୍ତି, ଏଥିରୁ ସେ ମାସକୁ 3 ହଜାର ଟଙ୍କା ରୋଜଗାର କରନ୍ତି। ଏହି ଭ୍ୟାନ୍ସକାଳେ ଓ ସଂଧ୍ୟାରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରେ। ଏଥିରୁ 500 ଟଙ୍କା ସେ ପ୍ରତି ଦୁଇ ମାସରେ ଥରେ କମ୍ୟୁନିଟି ହଲ୍ର ବିଦ୍ୟୁତ୍ବିଲ୍ବାବଦକୁ ପଇଠ କରନ୍ତି। "ମୁଁ କାମ କରୁଥିବା ଇନଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ ମୋତେ ମାସକୁ 1000 ଟଙ୍କା ଦିଅନ୍ତି। ଏଥିରେ ଆଉ କିଛି ଟଙ୍କା ମିଶାଇ ମୁଁ ପିଲାମାନଙ୍କ ପାଇଁ ଶିକ୍ଷଣ ଉପକରଣ କିଣିଆଣେ। ବେଳେ ବେଳେ ମୁଁ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ବୁଲାଇବାକୁ ନେଇଯାଏ। ସେମାନଙ୍କର ବାପା ମା’ ବସ୍ଭଡ଼ା ଦିଅନ୍ତି। ମୁଁ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଏ, ଯେମିତିକି, ଖାଇବା, ଖେଳଣା, କୌଣସି ପାର୍କ ବା ଚିଡ଼ିଆଖାନାକୁ ପ୍ରବେଶ ଫି ଏବଂ ଇତ୍ୟାଦି।"

ସମ୍ଭବତଃ ଏହି କାରଣ ପାଇଁ ତାଙ୍କ ଟ୍ୟୁସନ୍ସେଣ୍ଟରର 40 ଜଣ ପିଲା ଅଧିକ ପଢ଼ିବା ପାଇଁ ଆସନ୍ତି। 15 ବର୍ଷୀୟା ଅକ୍ଷୟଶ୍ରୀ କହନ୍ତି, "ମୁଁ ଦିନେ କଳ୍ପନା ଆକ୍କା (ବଡ଼ ଭଉଣୀ) ଙ୍କ ଭଳି ଶିକ୍ଷକ ହେବି", ଅକ୍ଷୟଶ୍ରୀଙ୍କ ବାପା ଆଲାଗିରି ମଦୁରାଇର ଏକ ହୋଟେଲ୍ରେ ସଫେଇ କର୍ମୀ ଭାବେ କାମ କରନ୍ତି। ଅକ୍ଷୟଶ୍ରୀ ଆହୁରି କହନ୍ତି, "ସେ ଆମକୁ ପାଠ୍ୟପୁସ୍ତକ ପଢ଼ାନ୍ତି, କିନ୍ତୁ କେବଳ ସେତିକି ନୁହେଁ ସେ ଆମକୁ ଅନେକ କିଛି ଶିଖାନ୍ତି ଯାହା ଆମକୁ ଜୀବନରେ ସାହାଯ୍ୟ କରିବ। ମୁଁ ଏହି ଟ୍ୟୁସନ୍ସେଣ୍ଟରକୁ ଆସିବା ପରଠାରୁ ସ୍କୁଲରେ ସବୁବେଳେ ପ୍ରଥମ ବା ଦ୍ଵିତୀୟ eýûuþରେ ରହୁଛି।"

ମଦୁରାଇ ଭିତ୍ତିକ ବେସରକାରୀ ସଂସ୍ଥା ମହାଲିର ଶକ୍ତି (ମହିଳା ଶକ୍ତି) ର ପ୍ରତିଷ୍ଠାତା ଗୁନା ଭିନସେଣ୍ଟ, କଳ୍ପନାଙ୍କୁ ତାଙ୍କ ସଂପ୍ରଦାୟର ପାରମ୍ପରିକ ବୃତ୍ତିରୁ ବାହାରି ଆସିବାକୁ ସାହାଯ୍ୟ କରିଥିଲେ। ସେ କହନ୍ତି, "ଉଦ୍ଦେଶ୍ୟ ହେଲା ଅଧିକ ସଂଖ୍ୟାରେ କଳ୍ପନାଙ୍କୁ ଚେରିସ୍ (ବସ୍ତି) ଓ ଜାତିରୁ ମୁକ୍ତ କରିବା। ଅନେକ ଲୋକ ସମାଜ ଓ ସେମାନଙ୍କ ସଂପ୍ରଦାୟ ସେମାନଙ୍କ ପାଇଁ ସ୍ଥିର କରିଥିବା ସୀମା ଡେଇଁବାକୁ ଇଚ୍ଛା କରନ୍ତି ନାହିଁ। କଳ୍ପନା ତାହା କରିବାକୁ ସାହସ କଲେ। ସେ କେବଳ ସେତିକିରେ ରହିଗଲେ ନାହିଁ, ସେ ଚାହୁଁଛନ୍ତି ତାଙ୍କ ଭଳି ଆହୁରି ଅନେକ ସେହି ସୀମା ଅତିକ୍ରମ କରନ୍ତୁ।"

କଳ୍ପନା ଆଶା କରନ୍ତି, ହାତରେ ଝାଡୁ ଓ ବାଲଟି ଧରାଇ ଦିଆଗଲେ ଦିନେ ଏହି ପିଲାଙ୍କ ଭିତରୁ ଜଣେ ଛିଡ଼ା ହେବ ଏବଂ ନା କହିବ। 

ଏଠାରେ କଳ୍ପନାଙ୍କର ପ୍ରକୃତ ନାମ ବ୍ୟବହାର ହୋଇନାହିଁ ଏବଂ ତାଙ୍କ ଅନୁରୋଧ କ୍ରମେ ତାଙ୍କ ଫଟୋକୁ ବ୍ଲର୍କରାଯାଇଛି। 

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Krithika Srinivasan

କ୍ରିତିକା ଶ୍ରୀନିବାସନ୍ ହେଉଛନ୍ତି ଜଣେ ଚେନ୍ନାଇ-ଭିତ୍ତିକ ମୁକ୍ତବୃତ୍ତି ସାମ୍ବାଦିକ ଏହା ସହିତ ସେ ସମାଜବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି। ସେ ହେଉଛନ୍ତି ଜଣେ ତାଲିମପ୍ରାପ୍ତ କଣ୍ଢେଇନଚାଳି।

Other stories by Krithika Srinivasan