“ଗାନ୍ଧିଙ୍କ ଡାଏରୀରୁ ଆମେ ଆପଣଙ୍କ ନମ୍ବର ପାଇଲୁ । ରାଜପଥ ପାଖରେ ତାଙ୍କୁ ଗୋଟିଏ କାର୍‌ ଧକ୍କା ଦେଲା ଏବଂ ସେ ପ୍ରାଣ ହରାଇଲେ।” ଡିସେମ୍ବର ୯ ତାରିଖ ରବିବାର ସନ୍ଧ୍ୟା ପ୍ରାୟ ୭:୩୦ ସମୟରେ ଫୋନ୍‌ରେ ମତେ ଏହା କହିଲେ ଜଣେ ଖାଉଟି ସାମଗ୍ରୀ ଦୋକାନ ମାଲିକ ଏବଂ ରାଜନୈତିକ କର୍ମୀ ବି.କ୍ରିଷ୍ଣାୟା ।

ଶେଷ ଥର ପାଇଁ ମୁଁ ନଭେମ୍ବର ୨୪ରେ ସେଇ ବାଙ୍ଗାଲୋର-ହାଇଦ୍ରାବାଦ ରାଜପଥରେ ଚାଲି ଚାଲି ଯାଉଥିବା ଗଙ୍ଗାପ୍ପା- ବା ‘ଗାନ୍ଧି’-ଙ୍କୁ ଭେଟିଥିଲି । ସେତେବେଳକୁ ଦିନ ପ୍ରାୟ ୧୦: ୩୦। ଗାନ୍ଧିଙ୍କ ପରିଧାନରେ ତାଙ୍କ ନିତିଦିନିଆ କାମ ଆରମ୍ଭ କରିବାକୁ ସେ ଅନନ୍ତପୁର ସହର ଅଭିମୁଖେ ଯାଉଥିଲେ । ଅନନ୍ତପୁରରୁ ପାଖାପାଖି ଆଠ କିଲୋମିଟର ଦୂର ରାପ୍‌ଟାଡୁ ଗାଁ ପାଖ ଏକ ରାସ୍ତାକଡ଼ ଭୋଜନାଳୟରେ ସେ ରହୁଥିଲେ । ଭୋଜନାଳୟର ମାଲିକ ଭେଙ୍କଟରାମି ରେଡ୍ଡି କହନ୍ତି “ପ୍ରାୟ ଦୁଇ ମାସ ତଳେ, କେହି ଜଣେ ମତେ କହିଲେ ଯେ, ଜଣେ ବୁଢ଼ା ଲୋକ ରହିବା ପାଇଁ ଟିକେ ଜାଗା ଦରକାର କରୁଛନ୍ତି । ତେଣୁ ମୁଁ ତାଙ୍କୁ ଏଠାରେ ରହିବାକୁ ଦେଲି। ବେଳେବେଳେ ମୁଁ ତାଙ୍କୁ ଖାଇବାକୁ ମଧ୍ୟ ଦେଉଥିଲି ।” ମତେ ଫୋନ୍‌ କରିଥିବା କ୍ରିଷ୍ଣାୟା, ପ୍ରାୟତଃ ଏଠାରେ ଚା’ ପିଅନ୍ତି ଏବଂ କେବେ କେମିତି ଗଙ୍ଗାପ୍ପାଙ୍କ ସହ ଗପସପ କରନ୍ତି ।

୨୦୧୭ ମେ ମାସରେ ଗଙ୍ଗାପ୍ପାଙ୍କ ସମ୍ପର୍କରେ PARI ପାଇଁ ମୁଁ ଏକ ଲେଖା ଲେଖିଥିଲି । ସେତେବେଳେ ତାଙ୍କୁ ପ୍ରାୟ ୮୩ ବର୍ଷ ହୋଇଥିଲା । ୭୦ ବର୍ଷ କାଳ କୃଷି ଶ୍ରମିକ ଭାବେ କାର୍ଯ୍ୟ କରିବା ପରେ, ସେ ନିଜକୁ ମହାତ୍ମାଙ୍କ ରୂପରେ ସଜାଇ ଥିଲେ। ଗାନ୍ଧିଙ୍କ ଭଳି ଲୁଗାପଟା ପିନ୍ଧି ପଶ୍ଚିମ ଆନ୍ଧ୍ରପ୍ରଦେଶର ଅନନ୍ତପୁର ସହରର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ସେ ନିଜର ସ୍ଥାନନିଅନ୍ତି। ଭିକ୍ଷା ରୂପରେ ସେ ଯାହା ରୋଜଗାର କରନ୍ତି ତାହା କୃଷି ଶ୍ରମିକ ଭାବେ ସେ କରୁଥିବା ରୋଜଗାର ତୁଳନାରେ ବେଶ୍‌ ଭଲ ।

୨୦୧୬ରେ କ୍ଷେତରେ କାମ କରୁଥିବା ବେଳେ ଅଚେତ ହୋଇପଡ଼ିବା ପରେ ଗଙ୍ଗାପ୍ପା ଶ୍ରମିକ କାର୍ଯ୍ୟରୁ ଅବ୍ୟାହତି ନେଇଥିଲେ । ତା ପରେ ସେ ଅର୍ଥ ଉପାର୍ଜନ ପାଇଁ ଦଉଡ଼ି ବଳିବା କାମ କଲେ, କିନ୍ତୁ ତାଙ୍କ ବୁଢ଼ା ବୟସର ନିପୁଣତାରୁ ବେଶି କିଛି ରୋଜଗାର ହେଲା ନାହିଁ । ସେତେବେଳେ ସେ ସ୍ଥିର କଲେ ଯେ ଗାନ୍ଧିଙ୍କ ଭଳି ବେଶ ଧାରଣ କରିବେ ।

ନିତିଦିନିଆ କାମରେ ଲାଗୁଥିବା ବସ୍ତୁଗୁଡ଼ିକୁ ଉପଯୋଗ କରିହିଁ ସେ ନିଜେ ନିଜେ ତାଙ୍କ ପରିଧାନ ପ୍ରସ୍ତୁତ କଲେ। ୧୦ ଟଙ୍କିଆ ପ୍ଲାଷ୍ଟିକ୍‌ ବାକ୍‌ସରେ ଥିବା ପଣ୍ଡସ ପାଉଡର ବ୍ୟବହାର କରି ସେ ନିଜକୁ ମହାତ୍ମାଙ୍କ ଭଳି ‘ଚମକ’ ପ୍ରଦାନ କଲେ । ରାସ୍ତାକଡ଼ ଦୋକାନରୁ କିଣାଯାଇଥିବା ଶସ୍ତା ଚଷମାରୁ ତିଆରି ହେଲା ଗାନ୍ଧିଙ୍କ ଚଷମା । ସ୍ଥାନୀୟ ବଜାରରୁ କିଣାଯାଇଥିବା ୧୦ ଟଙ୍କିଆ ବେତବାଡ଼ିହେଲା ତାଙ୍କହାତବାଡ଼ି । ପଛକୁ ଦେଖିବା ଲାଗି ମୋଟର ସାଇକେଲରେ ଲାଗୁଥିବା ଦର୍ପଣଟିଏ ସେ କୌଣସି ସ୍ଥାନରୁ ପାଇଥିଲେ, ଯାହାକୁ କି ସେ ତାଙ୍କ ବେଶ ପୋଷାକ ପରଖିବା ଲାଗି ବ୍ୟବହାର କରୁଥିଲେ ।

M. Anjanamma and family
PHOTO • Rahul M.

ବାମ:୨୦୧୭ରେ ମୁଁ ଯେତେବେଳେ ତାଙ୍କୁ ଭେଟିଲି ‘ଗାନ୍ଧି’ ସାଜିବା ପାଇଁ ଟାଲକମ୍‌ ପାଉଡର ଲଗାଇ ପ୍ରସ୍ତୁତ ହେଉଥିଲେ ଗଙ୍ଗାପ୍ପା ।ଡାହାଣ:ସେମାନଙ୍କ ଗାଁରେ ତାଙ୍କ ସ୍ତ୍ରୀ ଅଞ୍ଜନାମ୍ମା (ବାମରୁ ତୃତୀୟ)

୨୦୧୬ ଅଗଷ୍ଟରୁ ପ୍ରତିଦିନ ଗଙ୍ଗାପ୍ପା ଏହିଭଳି ଗାନ୍ଧି ଭାବରେ ରୂପାନ୍ତରିତ ହେଉଥିଲେ ଏବଂ ଅନନ୍ତପୁରର ବିଭିନ୍ନ ରାସ୍ତାରେ ଠିଆ ହେଉଥିଲେ କିମ୍ବା ଆଖପାଖ ଗାଁ ଓ ସହରରେ ବସୁଥିବା ମେଳା ଓ ମାସିକ ବଜାରକୁ ଚାଲିଚାଲି ଯାଉଥିଲେ । ଦିନକୁ ସେ ୧୫୦-୬୦୦ ଟଙ୍କା ଭିତରେ ରୋଜଗାର କରୁଥିଲେ । ଗର୍ବର ସହ ଥରେ ସେ ମୋତେ କହିଥିଲେ, “ନିକଟରେ ମୁଁ ଏକ ପାର୍ଶ (ଗାଁ ମେଳା)ରୁ ଦିନକରେ୧,୦୦୦ ଟଙ୍କା ପାଇଲି ।”

ଗାନ୍ଧିଙ୍କ ଭଳି ଜଣେ କ୍ଷୀଣ ଶରୀରର ମଣିଷ ଯେ ଏକ ସାମ୍ରାଜ୍ୟକୁ ଦୋହଲାଇ ଦେଇପାରନ୍ତି ଏବଂ ଏହାର ପତନ ଘଟାଇ ପାରନ୍ତି, ଏହି କଥାହିଁ ପିଲାଦିନେ ଗଙ୍ଗାପ୍ପାଙ୍କୁ ଅନୁପ୍ରାଣିତ କରିଥିଲା ବୋଲି ସେ କହିଥିଲେ । ତାଙ୍କର ବିଶ୍ୱାସ ଥିଲା ଯେ ଗାନ୍ଧି ହେବା ପାଇଁ ଯାତ୍ରା କରିବା ଏବଂ ଧୈର୍ଯ୍ୟ ଧରିବା ଆବଶ୍ୟକ । ନିରବଚ୍ଛିନ୍ନ ଭାବେ ବିଭିନ୍ନ ସ୍ଥାନକୁ ଯାତ୍ରା କରି ଏବଂ ନୂଆ ନୂଆ ଲୋକଙ୍କୁ ଭେଟି ସାରା ଜୀବନ ତାଙ୍କର ପିଛା କରିଆସିଥିବା ଯେଉଁ ବାସ୍ତବିକତାଠାରୁ ନିଜକୁ ଦୂରେଇ ରଖିବାକୁ ଗଙ୍ଗାପ୍ପା ପ୍ରୟାସ କରିଥିଲେ ତାହା ହେଲା ତାଙ୍କର ଦଳିତ (ମାଡ଼ିଗା) ଜାତି ।

ମୁଁ ଯେତେବେଳେ ତାଙ୍କୁ ପ୍ରଥମ ଥର ପାଇଁ ଭେଟିଲି, ସେ ମତେ ତାଙ୍କ ଜାତି ସଂପର୍କରେ ନ ଲେଖିବା ପାଇଁ କହିଥିଲେ । କାରଣ, ରାତିରେ ସେ ଅନନ୍ତପୁରର ଏକ ମନ୍ଦିରରେ ଶୋଉଥିଲେ, ଯେଉଁଠାରେ କି ସେ ଦଳିତ ସଂପ୍ରଦାୟର ବୋଲି କାହାରିକୁ କହି ନ ଥିଲେ। ଗାନ୍ଧିଙ୍କ ଭଳି ବେଶ ଧାରଣ କରିବା ବେଳେ ବି ‘ପୁରୋହିତ’ ଭଳି ଦିଶିବା ଲାଗି ସେ ପଇତା ପକାଇବା ଏବଂ କୁଙ୍କୁମ ଲଗାଇବା ଭଳି ଧାର୍ମିକ ସଂକେତ ବ୍ୟବହାର କରୁଥିଲେ ।

ରୂପଭେକ ପରିବର୍ତ୍ତନ ସତ୍ତ୍ୱେ, ଗଙ୍ଗାପ୍ପାଙ୍କ ଜାତି ଓ ଦାରିଦ୍ର୍ୟ ତାଙ୍କ ପିଛା ଛାଡୁ ନଥିଲା । ୨୦୧୭ରେ ଯେତେବେଳେ ମୁଁ ଏକାକି ରହୁଥିବା ତାଙ୍କ ପତ୍ନୀ ଏମ୍‌. ଅଞ୍ଜାନାମ୍ମାଙ୍କୁ ଭେଟିଲି ଏବଂ ତାଙ୍କ ପରିବାରର ଫଟୋ ଉଠାଇଲି, ସେମାନଙ୍କ ଗାଁ ଘରେ ଖେଳୁଥିବା ପିଲାମାନଙ୍କ ମଧ୍ୟରୁ ଜଣେ ଦଳିତମାନଙ୍କ ସହ ଫଟୋରେ ରହିବାକୁ ଚାହୁଁ ନ ଥିଲା ।

ରବିବାର ଦିନ କ୍ରିଷ୍ଣାୟା ମତେ କଲ୍‌ କରିବା ପରେ ମୁଁ ତାଙ୍କୁ ମୋ ଲେଖାରେ ଥିବା କେତେକ ତଥ୍ୟର ବିବରଣୀ ଦେଇଥିଲି ଏବଂ ଗଙ୍ଗାପ୍ପାଙ୍କ ପରିବାରର ଫଟୋ ପଠାଇଥିଲି । ଯେତେବେଳେ ମୁଁ ଅଞ୍ଜାନାମ୍ମାଙ୍କ ସଠିକ୍‌ ଠିକଣା ଦେବାରେ ଅସମର୍ଥ ହେଲି, ଗଙ୍ଗାପ୍ପାଙ୍କ ଜାତି ଭିତ୍ତିରେ (ଜାତି ଭିତ୍ତିରେ ଅବସ୍ଥିତ ଗାଁର ବସତିକୁ ଲକ୍ଷ୍ୟରେ ରଖି) ତାଙ୍କ ଗାଁଘର ଖୋଜିବାକୁ କ୍ରିଷ୍ଣାୟା ପ୍ରସ୍ତାବ ଦେଲେ । “ହୁଏତ ଆମେ ତାଙ୍କ ଜାତି ଭିତ୍ତିରେ ଗୋରାନ୍ତଲା ଗାଁରେ ତାଙ୍କ ଘର ଖୋଜିବାକୁ ଚେଷ୍ଟା କରିବା । ସେ କେଉଁ ଜାତିର ବୋଲି କେବେହେଲେ ଆପଣଙ୍କୁ କହିଥିଲେ କି ?”

କ୍ରିଷ୍ଣାୟାଙ୍କର ଜଣେ ସଂପର୍କୀୟ ଅଛନ୍ତି ଯେ କି ଗୋରାନ୍ତଲାର ସର୍କଲ ଇନ୍‌ସପେକ୍ଟରଙ୍କୁ ଜାଣନ୍ତି । ଅନନ୍ତପୁରରୁ ପ୍ରାୟ ୧୦୦ କିଲୋମିଟର ଦୂର ଏହି ଗାଁରେ ଅଞ୍ଜନାମ୍ମା ତାଙ୍କ ସାନ ଝିଅ ସହ ରହନ୍ତି । ତାଙ୍କର ଏକମାତ୍ର ଅନ୍ୟସନ୍ତାନ, ତାଙ୍କ ବଡ଼ ଝିଅ, ପ୍ରାୟ ଦଶ ବର୍ଷ ତଳେ ଆତ୍ମହତ୍ୟା କରିଥିଲେ । ଗୋରାନ୍ତଲା ଗାଁର ଜଣେ କନେଷ୍ଟବଳ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ସଂପର୍କରେ ଅଞ୍ଜନାମ୍ମାଙ୍କୁ ଜଣାଇ ଥିଲେ । ଡିସେମ୍ବର ୧୦ ତାରିଖ ସୋମବାର ଦିନ ସେ ଗଙ୍ଗାପ୍ପାଙ୍କ ମୃତଦେହ ନେଇଥିଲେ ।

ଏହି କ୍ଷୀଣକାୟ ବୃଦ୍ଧଙ୍କୁ ଧକ୍କା ଦେଇଥିବା କାର୍‌କୁ କେହି ଚିହ୍ନଟ କରିପାରି ନଥିଲେ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul M.

ଲେଖକଙ୍କ ପରିଚୟ: ରାହୁଲ ଏମ୍. ଆନ୍ଧପ୍ରଦେଶର ଅନନ୍ତପୁର ସ୍ଥିତ ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଏବଂ ୨୦୧୭ର ପରୀ ବ୍ୟକ୍ତିବିଶେଷ।

Other stories by Rahul M.