‘ବାଉଲ’ ଶବ୍ଦ ସଂସ୍କୃତ ଶବ୍ଦ ବାତୁଳରୁ ଉଦ୍ଧୃତ ହୋଇଛି। ଏହାର ଅର୍ଥ ନିର୍ବୋଧ, ବିଶୃଙ୍ଖଳିତ ବା ଅଧିକୃତ। ‘ବାଉଲ’ ମଧ୍ୟ ଏକ ସ୍ୱତନ୍ତ୍ର ପ୍ରକାରର ସଂଗୀତ। ବେଙ୍ଗଲରୁ ଏହାର ସୃଷ୍ଟି ହୋଇଛି। 

ସାଧାରଣତଃ ବାଉଲ ଏକ ଯାଯାବର ସଂପ୍ରଦାୟ। ବାଉଲ ଦର୍ଶନରେ ଇସଲାମ, ହିନ୍ଦୁ ଏବଂ ବୌଦ୍ଧ ଧର୍ମର ସମନ୍ୱୟ ଦେଖିବାକୁ ମିଳେ। ସବୁ ପ୍ରକାର ଲୋକଙ୍କ ସହ ସେମାନେ ବସବାସ କରନ୍ତି। ସାମାଜର ପାରଂପରିକ ମାନଦଣ୍ଡକୁ ସେମାନେ ଅସ୍ୱୀକାର କରନ୍ତି। ସେମାନଙ୍କ ପାଇଁ ସଙ୍ଗୀତ ହି ଶକ୍ତିର ସ୍ୱରୂପ। ବାଉଲମାନଙ୍କ ସଂଗୀତରେ ଥିବା ଜୀବନ ଦର୍ଶନ ଖୁବ ସ୍ୱଛ। ବାଉଲମାନେ କୌଣସି ସଂପ୍ରଦାୟରେ ଜନ୍ମ ହୋଇ ନଥାନ୍ତି। ଜଣେ ଗୁରୁଙ୍କ ଦ୍ୱାରା ଦୀକ୍ଷିତ ହୋଇ ଏମାନେ ଏହି ମାର୍ଗକୁ ଆପଣାଇଥାନ୍ତି।

ବାଉଲ ସଂପ୍ରଦାୟର ଉଭୟ ପୁରୁଷ ଏବଂ ନାରୀଙ୍କର ସ୍ୱତନ୍ତ୍ର ବେଶଭୂଷା। ଏମାନେ କେଶ କାଟନ୍ତି ନାହିଁ। ସମସ୍ତେ ଜଟା ଧାରଣ କରନ୍ତି। ଉଭୟ ନାରୀ ଏବଂ ପୁରୁଷ ଗେରୁଆ ବସ୍ତ୍ର ପିନ୍ଧିଥାନ୍ତି। ବେକରେ ରୁଦ୍ରାକ୍ଷ ମାଳା ଏବଂ ହାତରେ ଗୋଟିଏ ତାର ବିଶିଷ୍ଟ ଏକତାରା ଧାରଣ କରିଥାନ୍ତି। ଆଜି ପର୍ଯ୍ୟନ୍ତ ସେମାନଙ୍କ ସଂଗୀତ ପାରମ୍ପାରିକ ଭାବେ ଶ୍ରୁତିରେ ବଞ୍ଚି ରହିଛି। ସେମାନେ ଗୀତ ଗାଇ ଭିକ୍ଷା କରନ୍ତି ଏବଂ ସେଥିରେ ଜୀବନ ନିର୍ବାହ କରନ୍ତି। ଜଣେ ଭଲ ବାଉଲ ଗାୟକ ୨୦୦ରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରନ୍ତି।

PHOTO • Sinchita Maaji

ସଂଗୀତ ପରିବେଷଣ ମାଧ୍ୟମରେ ବାଉଲମାନେ ସେମାନଙ୍କ ଜୀବନ ଦର୍ଶନ କହିଥାନ୍ତିସଂଗୀତ ପରିବେଷଣ ପାଇଁ ସେମାନେ ବ୍ୟବହାର କରୁଥିବା ବିଭିନ୍ନ ବାଦ୍ୟଯନ୍ତ୍ର ମଧ୍ୟରେ ଦୋତାରା ଏବଂ ଖାମକ ଅନ୍ୟତମ

ବାଉଲ ସଂଗୀତରେ ବଂଶୀ, ଢୋଲ, ଖାମକ, କରତାଳ, ଦୋତାରା, ତବଲା, ଘୁଙ୍ଗୁର, ଖଂଜଣି ଆଦି ବାଦ୍ୟଯନ୍ତ୍ର ବ୍ୟବହୃତ ହୋଇଥାଏ। ତେବେ ବାଉଲ ସଂଗୀତର ମୁଖ୍ୟ ବାଦ୍ୟଯନ୍ତ୍ର ହେଉଛି ଏକତାରା। ବାଉଲ ସଂଗୀତ ମୁଖ୍ୟତଃ ଜୀବନର ଦୁଇଟି ଦିଗ ଉପରେ କେନ୍ଦ୍ରୀତ ହୋଇଥାଏ। ଦେହ ସାଧନା(ଶରୀର ପରିପ୍ରକାଶ) ଏବଂ ମନ  ସାଧନା (ମନର ପରିପ୍ରକାଶ)।

ପ୍ରତିବର୍ଷ ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲାରେ ଦୁଇଥର ବାଉଲ ସଂଗୀତ ମେଳା ହୋଇଥାଏ। ଜାନୁଆରୀ ମଝି ଆଡକୁ କେନ୍ଦୁଜୟଦେବ-କେନ୍ଦୁଲି ଗାଁରେ କେନ୍ଦୁଲି ମେଳା ଏବଂ ଡିସେମ୍ବର ଶେଷ ଆଡକୁ ବୋଲପୁର ଜିଲ୍ଲାର ଶାନ୍ତିନିକେତନ ଅଞ୍ଚଳରେ ପୌଷ ମେଳା ହୋଇଥାଏ। ଏହି ମେଳାକୁ ଦୂରଦୂରାନ୍ତରୁ ବାଉଲମାନେ ଆସିଥାନ୍ତି। ଏହା ବ୍ୟତୀତ ଅନେକ ଛୋଟଛୋଟ ସମାରୋହରେ ମଧ୍ୟ ବାଉଲମାନେ ସଂଗୀତ ପରିବେଷଣ କରିଥାନ୍ତି। 

PHOTO • Sinchita Maaji

ବାଉଲ ଜୀବନକୁ କେମିତି ଆସିଲେ, ସେ ସଂପର୍କରେ କହନ୍ତି ବୋଲପୁରର ବାସୁଦେବ ଦାସ

ପଶ୍ଚିମବଙ୍ଗ ବୋଲପୁର ଜିଲ୍ଲାର ବାସୁଦେବ ଦାସ, ବୟସ ୪୦। ସେ ଜଣେ ଗାୟକ ଏବଂ ବହୁ ଛାତ୍ରଙ୍କ ଶିକ୍ଷକ। ସେ ସମସ୍ତଙ୍କୁ ନିଜ ଘରକୁ ସ୍ୱାଗତ କରନ୍ତି ଏବଂ ପରିବାର ସଦସ୍ୟ ଭଳି ବ୍ୟବହାର କରନ୍ତି। ତାଙ୍କ ସହ ରହିବାବେଳେ ବାଉଲ ଜୀବନ କଣ ସେ ସଂପର୍କରେ ଛାତ୍ରମାନେ ଶିକ୍ଷାଲାଭ କରନ୍ତି।

ଏହି ସିନେମାରେ ସେ ଦୁଇଟି ଗୀତ ଗାଇଛନ୍ତି। ପ୍ରଥମ ଗୀତଟି ସର୍ବଶକ୍ତିମାନ ଈଶ୍ୱରଙ୍କ ସନ୍ଧାନ ସଂପର୍କିତ। ଏହି ଗୀତରେ କୁହାଯାଇଛି ଯେ, ଭଗବାନ ମୋ ପାଖରେ ଅଛନ୍ତି, କିନ୍ତୁ ମୁଁ ତାଙ୍କୁ ଦେଖିବାକୁ ଅକ୍ଷମ। ମୁଁ ସାରା ଜୀବନ ଭଗବାନଙ୍କୁ ଖୋଜିଲି। ମୋତେ ସେହି ବାଟ ଦେଖାନ୍ତୁ, ଯେଉଁ ବାଟରେ ଗଲେ ମୁଁ ତାଙ୍କୁ ପାଇପାରିବି।  

ଦ୍ୱିତୀୟ ଗୀତଟି ଜଣେ ଗୁରୁଙ୍କ ସଂପର୍କରେ। ଏହି ଗୀତରେ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ଗୀତରେ କୁହାଯାଇଛି, ତାଙ୍କୁ ଭକ୍ତି କର, ଯିଏ ତୁମକୁ ଜ୍ଞାନ ବିତରଣ କରନ୍ତି। କୌଣସି ଭୌତିକ ବସ୍ତୁ ଚିରଦିନ ପାଇଁ ତୁମସହ ରହିବ ନାହିଁ। କିନ୍ତୁ ଉପାର୍ଜନ କରିଥିବା ଜ୍ଞାନ ସାରା ଜୀବନ ସାଙ୍ଗରେ ରହିବ। ତେଣୁ ଗୁରୁଙ୍କୁ  କୃତଜ୍ଞତା ଜଣାଇବାକୁ ଭୁଲ ନାହିଁ। ଘର, ଜମି ଏସବୁ ତମେ ପଛରେ ଛାଡିଯିବ, ତମେ ସାଙ୍ଗରେ କିଛି ନେବ ନାହିଁ ... ତେଣୁ ଗୁରୁଙ୍କୁ ଅନୁସରଣ କର। 

ଏହି ଭିଡିଓ ଏବଂ ଲେଖା ସିଞ୍ଚିତା ମାଜିଙ୍କର ପରି ଫେଲୋସିପ୍ ୨୦୧୫-୧୬ର ଅଂଶ ଭାବରେ କରାଯାଇଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sinchita Maji

ଲେଖକ ପରିଚୟ: ସିଞ୍ଚିତା ମାଜି ହେଉଛନ୍ତି ପିପଲ୍ସ ଆରକାଇଭ ଅଫ ରୁରାଲ ଇଣ୍ଡିଆର ଭିଡିଓ କୋର୍ଡିନେଟର ଏବଂ ମୁକ୍ତବୃତ୍ତ ଫଟୋଗ୍ରାଫର ଏବଂ ଡକୁମେଣ୍ଟାରି ଫିଲ୍ମ ନିର୍ମାତା। ୨୦୧୫-୧୬ରେ ତାଙ୍କ PARI ଫେଲୋସିପ୍ ସମୟରେ ଏହି କାହାଣୀଟି ପ୍ରସ୍ତୁତ ହୋଇଥିଲା।

Other stories by Sinchita Maji