ଡିସେମ୍ବର ୨, ୨୦୧୬ ରେ ଯେତେବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅନନ୍ତପୁର ଜିଲ୍ଲା ପେନୁକୋଣ୍ଡା ବ୍ଲକର ଏରାମାଞ୍ଚି ଅଞ୍ଚଳରେ ନବନିର୍ମିତ ଗୋଲାପାଲ୍ଲୀ ଡ୍ୟାମ୍ ଉଦଘାଟନ କଲେ ସେତେବେଳେ ସ୍ଥାନୀୟ କୃଷକମାନେ ବେଶ୍ ଖୁସି ହେଲେ। ନିହାତି ପକ୍ଷେ, ସେମାନଙ୍କ ଚାଷ ଜମି ଜଳସେଚିତ ହୋଇପାରିବ ବୋଲି ସେମାନେ ଭାବିଥିଲେ। 

ଏମାନଙ୍କ ମଧ୍ୟରେ ଥିଲେ ସୁଗଲି (ଅନୁସୂଚିତ ଜନଜାତି) ଚାଷୀ ଏସ୍.ବାଲୁ ନାୟକ। ତାଙ୍କ ଘର ଏରାମାଞ୍ଚିଠାରୁ ୫ କିଲୋମିଟର ଦୂର ଗୁଟୁରୁ ଗାଁର ମକ୍କଜିପାଲ୍ଲୀ ତଣ୍ଡା (ଅନୁସୂଚିତ ଜନଜାତି ପଡ଼ା)ରେ।  ୪୦ ଦଶକର ଶେଷଭାଗରେ, ପ୍ରାୟ ୫୦ ଛୁଇଁବାକୁ ଯାଉଥିବା ବାଲୁ ଭାବିଥିଲେ ତାଙ୍କ ଜମିରେ ବିଫଳ ହୋଇଥିବା ତିନିଟି ନଳକୂଅର ଭରଣା କରିବ ଏହି ଡ୍ୟାମ୍। ହଣ୍ଡ୍ରି ନେଭା ସୁଜଲା ଶ୍ରାବନ୍ତି କେନାଲ ଯୋଜନାର ଅଂଶବିଶେଷ ହେଉଛି ଗୋଲାପାଲ୍ଲୀ ଡ୍ୟାମ୍। ଆଶା କରାଯାଇଥିଲା, ଏହା କ୍ରିଷ୍ଣା ନଦୀର ୧.୬ ଟିଏମ୍ସି (ଥାଉଜାଣ୍ଡ ମିଲିଅନ୍ କ୍ୟୁବିକ୍ ଫିଟ୍) ଜଳ ଧାରଣ କରିବ ଆଉ ପିଇବା ପାଣି ଓ ଚାଷ ଜମିକୁ ପାଣି ଦେବା ସହ ଭୂତଳ ଜଳସ୍ତରକୁ ବୃଦ୍ଧି କରିବ। 

ଗତ ଦୁଇ ଦଶନ୍ଧି ହେବ ଅନନ୍ତପୁର ସ୍ୱଳ୍ପ ବୃଷ୍ଟିପାତ ଦେଖି ଆସୁଛି ଆଉ ଲଗାତାର ଭାବେ ଗତ ୫ ବର୍ଷ ଧରି ଜିଲ୍ଲାର ସମସ୍ତ ୬୩ଟି ମଣ୍ଡଳ ମରୁଡ଼ି ଘୋଷିତ ହେଇଛି। ଅନନ୍ତପୁର ଜିଲ୍ଲାର ଚାଷ ସଂପୂର୍ଣ୍ଣ ଭାବେ ବର୍ଷା ଏବଂ ନଳକୂପ ଉପରେ ନିର୍ଭର କରେ। କିନ୍ତୁ ଭୂତଳ ଜଳସ୍ତର ଏବେ ଭୟଂକର ଭାବେ ତଳକୁ ଖସି ଚାଲିଛି। 

ବାଲୁଙ୍କ ପତ୍ନୀ ଏସ୍. ସଲମ୍ମା କହିଲେ, ‘‘ଆମେ ସମସ୍ତେ ତାଙ୍କ ସହ ଚାରି ପାଞ୍ଚ ଥର ଡ୍ୟାମ ଦେଖିବାକୁ ଯାଇଛୁ।’’ ସେତେବେଳେ କିନ୍ତୁ ଚାଷୀମାନେ ଜାଣି ନଥିଲେ ଯେ, କୋରିଆ ଅନ୍ତର୍ଜାତୀୟ କମ୍ପାନୀ କିଆ ମୋଟର୍ସ ସେହି ଅଞ୍ଚଳରେ ନିର୍ମାଣ କରୁଥିବା କାର୍ ଫ୍ୟାକ୍ଟ୍ରିକୁ ଏହି ନୂଆ ଡ୍ୟାମ ମୁଖ୍ୟତଃ ପାଣି ଯୋଗାଇବ। ଏକ ସ୍ୱତନ୍ତ୍ର ଅର୍ଥନୈତିକ କରିଡ଼ର ପାଇଁ ପ୍ରାୟ ୨,୨୦୦ ଏକର ଜମି ଅଧିଗ୍ରହଣ କରିବା ଉଦ୍ଦେଶ୍ୟରେ ସରକାର ଏହି ଅଞ୍ଚଳରେ ସର୍ବେକ୍ଷଣ କରୁଛନ୍ତି। ଏହି ଜମି ମଧ୍ୟରୁ କିଆ ଫ୍ୟାକ୍ଟ୍ରି ପାଇଁ ପ୍ରାୟ ୬୦୦ ଏକର ଚିହ୍ନଟ ହୋଇ ସାରିଛି। ଏହା ଭିତରେ ବାଲୁ ଜାଣିଥିଲେ ଯେ ତାଙ୍କ ପତ୍ନୀଙ୍କ ନାଁର ଥିବା ତିନି ଏକର ଚାଷ ଜମି ସେ ହରାଇବାକୁ ଯାଉଛନ୍ତି। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିଲା, ତଥାପି ବାକି ତିନି ଏକର ଜମିରେ ସେ ଚାଷ କରିବେ ବୋଲି ଆଶା ବାନ୍ଧିଥିଲେ। 

PHOTO • Rahul M.

ଅନନ୍ତପୁର ଜିଲ୍ଲାର ଏରାମାଞ୍ଚି ଅଞ୍ଚଳରେ ସ୍ପେଶାଲ ଇକୋନୋମିକ୍ ଜୋନ୍ (ଏସ୍ଇଜେଡ୍) ପାଇଁ ଚାଷୀଙ୍କଠାରୁ ଜମି ଅଧିଗ୍ରହଣ ହୋଇଛି 

ଯେତେବେଳେ ଅଧିଗୃହୀତ ଜମିର ମୂଲ୍ୟ ନିର୍ଦ୍ଧାରଣ ପାଇଁ ବୈଠକ ବସିବାକୁ ଘୋଷଣା ହେଲା, ସେତେବେଳେ ବାଲୁ ତାଙ୍କ ସ୍ତ୍ରୀଙ୍କ ଗାଁ ନରସିମ୍ପାଲ୍ଲୀରେ ଥିଲେ। ଏହି ଅଞ୍ଚଳରେ ସରକାରୀ ନିର୍ଦ୍ଦେଶନାମାକୁ ଘୋଷଣା କରିଥିବା ଏଚ୍.ଅଞ୍ଜନାପ୍ପା କହିଲେ, ‘‘ମୁଁ ତାଙ୍କୁ ପରଦିନ ସକାଳେ ଡାକିଲି [ତାଙ୍କ ମୋବାଇଲ ଫୋନ୍ରେ]। ତାଙ୍କୁ ଯେତେବେଳେ କହିଲି ଅଧିକ ଜମି ଅଧିଗ୍ରହଣ ପାଇଁ ବୈଠକ ହେବ, ସେ ପଚାରିଲେ, ‘ସେ ଜମି ବି?’ ମୁଁ ତାଙ୍କୁ ହଁ କହିଲି।’’ ସେତେବେଳେ ପ୍ରଥମ ଥର ପାଇଁ ବାଲୁ ଜାଣିଲେ ଯେ ଏରାମାଞ୍ଚିରେ ଥିବା ବାକି ଜମି ମଧ୍ୟ ତାଙ୍କୁ ହରାଇବାକୁ ପଡ଼ିବ। 

୨୦୧୭, ଫେବ୍ରୁଆରୀ ୨ ତାରିଖ, ସକାଳ ପ୍ରାୟ ୧୦ଟା ବେଳେ ବାଲୁ ତାଙ୍କ ପତ୍ନୀଙ୍କ ସହ ପେନୁକୋଣ୍ଡାସ୍ଥିତ ରାଜସ୍ୱ ଉପଖଣ୍ଡ ଅଧିକାରୀ (ଆରଡିଓ) କାର୍ଯ୍ୟାଳୟରେ ପହଞ୍ଚିଲେ। ବୈଠକରେ ଆରଡିଓ, ସ୍ଥାନୀୟ ସାଂସଦ ଓ ସ୍ଥାନୀୟ ବିଧାୟକ ଉପସ୍ଥିତ ଥିଲେ। ଅଞ୍ଜନାପ୍ପା କହନ୍ତି, ସେ ବାଲୁଙ୍କୁ ସେହି ବୈଠକରେ ଦେଖିଥିଲେ - ଏହା ଥିଲା ଅଭିପ୍ରାୟ ଶେଖରଣା ବା ମତାମତ ସଂଗ୍ରହ। ଏହା ଏକ ବ୍ୟଞ୍ଜନା ଥିଲା, ତେବେ ଚାଷୀଙ୍କ ଜମିର ମୂଲ୍ୟ ଚୂଡ଼ାନ୍ତ  କରିବାକୁ ଡାକିଥିଲେ। ବୈଠରେ ଆଲୋଚନା ଶୁଣିବା ବେଳେ ବାଲୁ ବିଦ୍ରୋହୀ ହୋଇ ଉଠୁଥିଲେ ଆଉ ତାଙ୍କ ପତ୍ନୀ ଅତ୍ୟଧିକ ଭୟଭିତ ହୋଇପଡ଼ିଥିଲେ।  

ଏରାମାଞ୍ଚିର ଅନ୍ୟ କେତେକ କୃଷକଙ୍କ ଭଳି ବାଲୁ ଚାଷ ଠାରୁ ଦୂରେଇ ନଯାଇ ତାଙ୍କ ବାଦାମ ଓ ହରଡ଼ ଚାଷ ଚାଲୁ ରଖିବାକୁ ଚାହୁଁଥିଲେ। ବାସ୍ତବରେ ଜୀବିକା ପାଇଁ ସେ ଗତ ପାଞ୍ଚ ବର୍ଷ ତଳେ ଚାଷ କାମକୁ ଆଦରି ନେଇଥିଲେ। ଏକ ଦୁର୍ଘଟଣା ପରେ ତାଙ୍କ ପରିବାର ବାଲି ପଥର ସଂଗ୍ରହ କରିବା ବନ୍ଦ କରି ଦେଇଥିଲେ - ଗାଁ ସୀମାରେ ମାଟିରୁ ସୁନ୍ନମ୍ (ବାଲିପଥର) ବାହାର କରୁଥିଲେ କିଛି ପରିବାର। ଘରକୁ ଚୂନ ଧଉଳାଇବା ଉଦ୍ଦେଶ୍ୟରେ ଏହାକୁ ବିକ୍ରି କରୁଥିଲେ। ଏହି କାମ ବନ୍ଦ କରିବା ପରେ ବାଲୁ ତାଙ୍କ ସଞ୍ଚୟକୁ ଜମିରେ ବିନିଯୋଗ କରିଥିଲେ।

ମରୁଡ଼ି ସମୟରେ ଯେତେବେଳେ ତାଙ୍କ ଗାଁର ପୁରୁଷ ଲୋକମାନେ ବାହାରକୁ ପଳାଇଗଲେ, ବାଲୁ ସେତେବେଳେ ଘରେ ଥିଲେ। ତାଙ୍କ ବଡ଼ ଭାଇ ଚକ୍ରି ନାୟକ ଓ ନାରାୟଣ ନାୟକ କହନ୍ତି, ‘‘ଆମେ ସେତେବେଳେ କାମ କରିବାକୁ ବେଙ୍ଗାଲୁରୁ ଯାଇଥିଲୁ, କିନ୍ତୁ ବାଲୁ ଘର ଛାଡି ନଥିଲା। ’’

ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ଆନ୍ଧ୍ର ପ୍ରଦେଶ ମାଗାଜିନ୍ ର ଡିସେମ୍ବର, ୨୦୧୬ ସଂଖ୍ୟାରେ ନାମ ପ୍ରକାଶ ନକରି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଥିଲେ, ‘‘ନେଲୋର, ଚିତ୍ତୋର ଓ ଅନନ୍ତପୁରର ଅନେକ ଅଞ୍ଚଳ ପ୍ରସ୍ତାବ ଦିଆଯାଇଥିଲା [କିଆକୁ]’’। ଅନନ୍ତପୁର ଜିଲ୍ଲାରେ ପ୍ରଥମ କାରଖାନା କରିବାକୁ କିଆ ନିଷ୍ପତ୍ତି ନେଇଛି।

ଆଞ୍ଜିନେଇଲୁ ନାଏକ, ବାଲୁଙ୍କ ପୁତୁରା କହିଲେ, ‘‘ଯେତେବେଳେ ମଣ୍ଡଳ ରାଜସ୍ୱ କାର୍ଯ୍ୟାଳୟ (ଏମଆରଓ) ଏବଂ ଆରଡ଼ିଓ ପ୍ରତିନିଧିମାନେ ବାଲୁଙ୍କ ଜାଗା ସର୍ବେକ୍ଷଣ କରିବାକୁ ଆସିଥିଲେ, ସେତେବେଳେ ସେ ଦସ୍ତାବିଜ୍ରେ ଦସ୍ତଖତ କରି ନଥିଲେ କିମ୍ବା ତାଙ୍କୁ ପାସ୍ପୋର୍ଟ ଫଟୋ ମଧ୍ୟ ଦେଇ ନଥିଲେ।’’ ତାଙ୍କ ପରିବାର ଲୋକ କହନ୍ତି, ଏପରିକି ସେ ତିନି ଏକର ଜମି ଦେବାକୁ ରାଜି ହେବା ପରେ ବହୁତ ଚିନ୍ତିତ ହୋଇପଡ଼ିଥିଲେ ଆଉ କେବଳ ନିଜ ଜମି ସଂପର୍କରେ ଗପି ଚାଲିଥିଲେ।

ପେନୁକୋଣ୍ଡା ଆରଡିଓ କାର୍ଯ୍ୟାଳୟରେ ଫେବ୍ରୁଆରୀ ମାସରେ ଯେତେବେଳେ ବୈଠକ ହୋଇଥିଲା ସେତେବେଳେ ବାଲୁ ସର୍ବାଧିକ ମ୍ରିୟମାଣ ହୋଇପଡ଼ିଥିଲେ। ଅଶ୍ୱସ୍ତି ଅନୁଭବ କରିଥିଲେ ଆଉ ତାଙ୍କ ସ୍ତ୍ରୀଙ୍କୁ ଚା’ ଦରକାର ଅଛି କହି ବୈଠକ ବାହାରକୁ ପଳାଇଥିଲେ। ସଲାମ୍ମାଙ୍କର ଠିକ ମନେ ଅଛି, ବାଲୁ ଆରଡ଼ିଓ ଅଫିସ୍କୁ ଫେରିବା ବେଳେ ତାଙ୍କ ହାତ ଧରିବାକୁ କହିଲେ। ‘‘ତାଙ୍କ ଦେହ ଥଣ୍ଡା ଲାଗୁଥିଲା। ସେ ବୁଝି ପାରୁ ନଥିଲେ କ’ଣ ଘଟୁଥିଲା। ତା ପରେ ସେ ହଠାତ୍ ପଡ଼ିଗଲେ।’’

ସଲାମ୍ମା ସହାୟତା ପାଇଁ ବ୍ୟାକୁଳ ହେଲେ ଏବଂ ଗୋଟିଏ ଅଟୋରିକ୍ସାରେ ପେନୁକୋଣ୍ଡା ସରକାରୀ ଡାକ୍ତରଖାନାକୁ ନେଇଗଲେ। ହସ୍ପିଟାଲରେ ଡାକ୍ତର ସଲମ୍ମାଙ୍କୁ କହିଲେ, ତାଙ୍କ ସ୍ୱାମୀଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ସେ କହନ୍ତି, ‘‘ମୋ ଅଜାଣତରେ ସେମାନେ ଡାକ୍ତରଖାନା ବାହରକୁ ମୃତଦେହ ନେଇଗଲେ।’’

Balu Nayak, Naditha, Salamma, a family photograph
PHOTO • Rahul M.
Salamma outside her house
PHOTO • Rahul M.

ବାମ : ନାୟକ ପରିବାରର ଏକ ପୁରୁଣା ଫଟୋ : ସଲାମ୍ମା, ନଦିତା (ତାଙ୍କ ସାନ ଝିଅ, ଏବେ ଦ୍ୱାଦଶ ଶ୍ରେଣୀରେ) ଓ ବାଲୁ। ଡାହଣ: ଖବରକାଗରେ ବାଲୁଙ୍କ ମୃତ୍ୟୁ ଖବର ଏବଂ ଟିଡିପି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ ପୀଡିତ ପରିବାର ଜମି ଓ ଜାଗା ଦେବାକୁ, କିନ୍ତୁ ସଲାମ୍ମା କହନ୍ତି ସେ ଏପର୍ଯ୍ୟନ୍ତ ବି କୌଣସି କ୍ଷତିପୂରଣ ପାଇ ନାହାନ୍ତି

ବାମପନ୍ଥୀ କର୍ମୀ (ସର୍ବ ଭାରତୀୟ କୃଷି ଶ୍ରମିକ ସଂଗଠନ ସହ ଜଡ଼ିତ) ଏସ. ପେଦାନ୍ନା କହନ୍ତି, ‘‘ସରକାରୀ ଦଳ ସହ ଥିବା ଲୋକମାନେ ହସ୍ପିଟାଲରେ ମୃତଦେହ ନିକଟରୁ ଖସି ପଳାଇଗଲେ’’। କାରଣ ଏହା ଏକ ବଡ଼ ପ୍ରସଙ୍ଗ ହେବ ବୋଲି ସେମାନେ ଗନ୍ଧ ବାରିଥିଲେ। ବାଲୁଙ୍କ ମୃତ୍ୟୁ ଖବର ଶୁଣି ହସ୍ପିଟାଲକୁ ଯାଇଥିଲେ ଏସ୍. ପେଦାନ୍ନା। ସେ କହନ୍ତି, ‘‘ଏକର ପିଛା [ଅଧିଗ୍ରହଣ ହୋଇଥିବା ଜମି ପାଇଁ] କ୍ଷତିପୂରଣ ୭.୫ ଲକ୍ଷ ଟଙ୍କା ଥିବାବେଳେ ବାଲୁଙ୍କ ମୃତ୍ୟୁପରେ ତତ୍କ୍ଷଣାତ ଏହି ପରମାଣକୁ ୧୦.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଦିଆଗଲା।’’

ଇତି ମଧ୍ୟରେ କିଆ କାରଖାନା ପାଇଁ ଜମି ଅଧିଗ୍ରହଣ ଜାରି ରହିଲା। କିନ୍ତୁ ସରକାରୀ ଅଧିକାରୀମାନେ ଜମି ଅଧିଗ୍ରହଣ ଓ ବାଲୁଙ୍କ ମୃତ୍ୟୁକୁ ନଯୋଡ଼ିବା ପାଇଁ ନିଜର ବାଟ କାଢିଲେ। ଆରଡିଓ କହନ୍ତି, ‘‘ସେ ଆମ ବୈଠକକୁ ଆସି ନଥିଲେ। ସେ ଗାଁରୁ ଆସିବା ବେଳେ ଯନ୍ତ୍ରଣା ହେଉଛି ବୋଲି ତାଙ୍କ ସ୍ତ୍ରୀଙ୍କୁ କହିଥିଲେ। ସେମାନେ ହସ୍ପିଟାଲ ପାଖରେ ଓହ୍ଲାଇଥିଲେ [ବସ୍ ରୁ]। ହସ୍ପିଟାଲ ଆମ ଅଫିସ ସମ୍ନାରେ।’’

ବାଲୁଙ୍କ ମୃତ୍ୟୁ ଖବର ଜିଲ୍ଲା ସମ୍ବାଦପତ୍ରଗୁଡ଼ିକରେ ପ୍ରକାଶ ପାଇଲା। ଶାସକ ତେଲୁଗୁଦେଶମ ପାର୍ଟିର ବିଧାୟକ ବି.କେ ପାର୍ଥସାରଥୀ ମଧ୍ୟ ପୀଡ଼ିତ ପରିବାରକୁ ଟଙ୍କା ଓ ଜାଗା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ୨୦୧୭ ଫେବ୍ରୁଆରୀ ୩ ତାରିଖରେ ଆନ୍ଧ୍ରଜ୍ୟୋତି ଖବରକାଗଜର ଏକ ଜିଲ୍ଲା ସଂସ୍କରଣରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ‘‘... [ସେହି] ବିଧାୟକ ରିପୋର୍ଟରଙ୍କୁ କହିଥିଲେ, ଜାଗା ବାବଦକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଘର ପାଇଁ ଜମି ମଞ୍ଜୁର ହୋଇଛି’’। ବାଲୁଙ୍କ ପରିବାର ପାଇଁ ସରକାର ମଞ୍ଜୁର କରିଛନ୍ତି। 

ସଲାମ୍ମା କହନ୍ତି ସେମାନେ କାହାଠାରୁ କ୍ଷତିପୂରଣ କଥା ଶୁଣି ନାହାନ୍ତି। ଯଦି ସେ କିଛି ପାଆନ୍ତି ତାଙ୍କ ଦୁଇ ଝିଅରୁ ସାନ ଝିଅ ନଦିତା ବାଇଙ୍କ ପଢା ପାଇଁ ଖର୍ଚ୍ଚ କରିବେ।

ସଲାମ୍ମା କହିଲେ, ‘‘ମୁଁ ଜାଣିନି ଏବେ କ’ଣ କରିବାକୁ ହେବ। ସେ ମୋତେ ବସି ରହି ଅପେକ୍ଷା କରିବାକୁ କହି ପଳାଇଛନ୍ତି। କୁଆଡ଼େ ଯିବାକୁ ପଡ଼ିବନି।’’ କିଛି ସମୟ ପାଇଁ ସଲାମ୍ମା କୁର୍ଣ୍ଣଲ ସ୍ଥିତ ତାଙ୍କ ବଡ଼ ଝିଅ ଘରକୁ ଯାଇଥିଲେ ସ୍ୱାମୀଙ୍କ ସ୍ମୃତିରୁ ମନକୁ ହାଲ୍କା କରିବା ପାଇଁ। କିନ୍ତୁ କିଛି ଲାଭ ହେଲାନି। ମୋତେ ଗାଁକୁ ଫେରିବାକୁ ପଡ଼ିଲା।’’ କହୁ କହୁ ସଲାମ୍ମା କାନ୍ଦରେ ଫାଟି ପଡ଼ିଲେ।

ନଦିତା ବେଶୀ ଉଦାସ ରହୁଥିଲେ। ସେ କହିଲେ, ‘‘ମୁଁ କଠିନ ପରିଶ୍ରମ କରିବି ଆଉ ନିଯୁକ୍ତି ପାଇବି’’। ‘‘ମୋ ବାପା ମୋ ପାଇଁ ଏଇଆ ଚାହୁଁଥିଲେ’’। ନଦିତା ବାଲୁଙ୍କର ପ୍ରିୟ ଥିଲେ। ସଲାମ୍ମା କହିଲେ, ‘‘ନଦିତା ଆମ ପାଖରେ ଥିବା ବେଳେ ଆମ ସମସ୍ୟା ସଂପର୍କରେ ଆଲୋଚନା ନକରିବାକୁ ସେ କୁହନ୍ତି।’’ ଜୁନିଅର କଲେଜରେ ନଦିତା ଦ୍ୱିତୀୟ ବର୍ଷର ଛାତ୍ରୀ (ଦ୍ୱାଦଶ ଶ୍ରେଣୀ)। ସେ ପଦାର୍ଥ ବିଜ୍ଞାନକୁ ଭଲ ପାଆନ୍ତି ଆଉ କଠିନ ପରିଶ୍ରମ କରନ୍ତି। ଦଶମ ଶ୍ରେଣୀ ପରେ ସେ ତେଲୁଗୁ ମାଧ୍ୟମରୁ ଇଂରାଜୀ ମାଧ୍ୟମକୁ ପରିବର୍ତ୍ତନ କରିଛନ୍ତି, ‘‘ଜୀବନରେ କିଛି ଅଧିକ କରିବାକୁ।’’ ସେ କହନ୍ତି, ‘‘ପ୍ରଥମରୁ ଏହା ଖୁବ୍ କଷ୍ଟକର ଥିଲା। ସେମାନେ ଇଂରାଜୀରେ ପଢାଇବା ବେଳେ ମୁଁ କିଛି ବୁଝି ପାରୁ ନଥିଲି। ସହପାଠୀଙ୍କୁ ପଚାରି ବୁଝୁଥିଲି।’’

ବାଲୁ ସବୁବେଳେ ନଦିତାଙ୍କୁ କହନ୍ତି, ତାଙ୍କୁ କେବଳ ସେମାନେ ବାହା କରାଇ ଦେବେନି, ସେ ଭଲ ପାଠ ପଢି ଖଣ୍ଡେ ଭଲ ଚାକିରି ପାଇବା ଉଚିତ। ନଦିତା କହନ୍ତି, ‘‘ମୁଁ ଭିଆରଓ କାର୍ଯ୍ୟ କରିବାକୁ ଚାହେଁ।’’

ଭିଆରଓ ହେଉଛି ଭିଲେଜ ରେଭେନ୍ୟୁ ଅଫିସର, ତାଙ୍କ କାମ ଭିତରେ ରହିଛି ଗ୍ରାମର ଭୂ ରାଜସ୍ୱ ପରିଚାଳନା। 


ଅନୁବାଦ: ଓଡ଼ିଶାଲାଇଭ୍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul M.

ରାହୁଲ ଏମ, ଆନ୍ଧ୍ର ପ୍ରଦେଶ ଅନନ୍ତପୁରର ଜଣେ ନିରପେକ୍ଷ ସାମ୍ବାଦିକ ଏବଂ ଜଣେ ୨୦୧୭ ପରୀ ଫେଲୋ ।

Other stories by Rahul M.