ପୂର୍ବାହ୍ନ ୮ଟା ହେବ, ରାସ୍ତା ତଥାପି ଶୂନ୍‌ଶାନ୍‌ ଥିବା ବେଳେ, ରାସ୍ତାର ଏକ କୋଣରୁ ଜୋର୍‌ରେ ଠୁକ୍‌ – ଠୁକ୍‌ ଶବ୍ଦ ବାହାରୁଛି । ବାଲପ୍ପା ଚନ୍ଦର ଧୋତ୍ରେ ବାରଣ୍ଡା ଉପରେ ବଡ ବଡ ପଥର ମଝିରେ ବସି, ସେଗୁଡିକୁ ହାତୁଡିରେ ବାଡଉଛନ୍ତି । ତାଙ୍କର ସେହି ଅସ୍ଥାୟୀ ‘କର୍ମଶାଳା’ ପଛରେ ରହିଥିବା ରିକ୍ସା ଓ ସ୍କୁଟର୍‌ଗୁଡିକ ଅଳ୍ପ କିଛି ସମୟ ମଧ୍ୟରେ ତାଙ୍କ କାମରେ ବାହାରି ଯିବେ । ଧୋତ୍ରେ ନିଜେ ମଧ୍ୟ କିଛି ସମୟ ମଧ୍ୟରେ ଏଠାରୁ ଯିବାକୁ ବାହାରିବେ – ଉତ୍ତର ମୁମ୍ବାଇର ଏକ ସହରତଳି ଅଞ୍ଚଳ, କାନ୍ଦିବଲି ପୂର୍ବର ସେହି ବାରଣ୍ଡା ଉପରେ ବସି ସେ ତିଆରି କରିଥିବା ପଥର ପେଷଣାଗୁଡିକ ସହିତ ।

ନିହଣ ସାହାଯ୍ୟରେ ଗୋଟିଏ ପେଷଣା ତିଆରି କରିବା ପାଇଁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଥାଏ – ବା ଖଲ ଓ ଦସ୍ତା – ଯାହା ଚଟଣୀ ଓ ମସଲା ବାଟିବା ପାଇଁ ବ୍ୟବହାର କରାଯାଏ । ସେ ଏହାକୁ କଲ୍ଲୁ ରୁବ୍‌ବୁ କୁହନ୍ତି, ଯାହାକୁ କନ୍ନଡରେ ପଥର ପେଷଣା  ବା ମରାଠିରେ ଖଲ୍‌ବଟ୍ଟା ବୋଲି କୁହାଯାଏ । ଏଗୁଡିକ ତିଆରି ହୋଇ ସାରିବା ପରେ, ସେ ଏଗୁଡିକୁ ଏକ ଶକ୍ତ ରେଜିନ୍‌ ବ୍ୟାଗ୍‌ରେ ରଖନ୍ତି – ପ୍ରାୟତଃ, ୨ରୁ ୩ଟି ପେଷଣା, ପ୍ରତ୍ୟେକର ଓଜନ ୧ ଓ ୪ କେଜି ହେବ – ତାପରେ ସେ ବାରଣ୍ଡାରୁ ଉଠି ପାଖ ଅଞ୍ଚଳରେ ଥିବା ତାଙ୍କ ‘କର୍ମଶାଳା’ ଆଡାକୁ ଚାଲି ଚାଲି ଯାଆନ୍ତି । ସେଠାରେ, ବ୍ୟସ୍ତବହୁଳ ରାସ୍ତାର ଏକ କୋଣରେ, ନିଜର ଦୋକାନ ପକାନ୍ତି । ସେ ନିଜ ପାଖରେ ବେଳେବେଳେ କିଛି କଳା ପଥର (କଳା ପଥର) ମଧ୍ୟ ରଖିଥାନ୍ତି । ପେଷଣା ନେବା ପାଇଁ ଅଧିକ ଗ୍ରାହକ ଆସିଲେ, ସେ ସେହି ସ୍ଥାନରେ ପଥର କାଟି ପେଷଣା ତିଆରି କରନ୍ତି ।

“ସେମାନେ ମୋତେ କେବଳ ପଥରୱାଲା ବୋଲି ଡାକନ୍ତି ” କୁହନ୍ତି ଧୋତ୍ରେ ।

ସେ ଛୋଟ ଆକାରର ପଥର ପେଷଣାକୁ ୨୦୦ ଟଙ୍କାରେ ଓ ବଡ ଆକାରର ପେଷଣାକୁ ୩୫୦- ୪୦୦ଟଙ୍କାରେ ବିକ୍ରି କରିଥାନ୍ତି । “କେତେକ ସପ୍ତାହରେ ମୋର ଉପାର୍ଜନ ୧୦୦୦-୨୦୦୦ ଟଙ୍କା ହୋଇଯାଏ । ଆଉ ବେଳେବେଳେ ମୋତେ କିଛି ମିଳେନାହିଁ ”। ଏହାର କ୍ରେତାମାନେ ହେଉଛନ୍ତି ସେହି ବର୍ଗର ଲୋକ ଯେଉଁମାନେ ଏକ ବୈଦ୍ୟୁତିକ ପେଷଣା କିଣିବାକୁ ଅସମର୍ଥ ବା ଯେଉଁମାନେ ଏହାକୁ ନିଜ ବୈଠକ ଘରେ ସାଜସଜ୍ଜା ସାମଗ୍ରୀ ଭାବେ ରଖିବାକୁ ଚାହାନ୍ତି ବା ବାଲପ୍ପାଙ୍କ ସ୍ତ୍ରୀ ନାଗୁବାଇଙ୍କ ପରି, ଯେଉଁମାନେ ପଥର ପେଷଣାକୁ ବ୍ୟବହାର କରିବାକୁ ଅଧିକ ପସନ୍ଦ କରିଥାନ୍ତି । “ମୋତେ ମିକ୍ସି ଭଲ ଲାଗେନାହିଁ [ବୈଦ୍ୟୁତିକ ମିକ୍ସର୍‌]”, ସେ କୁହନ୍ତି, “ସେଥିରେ ଖାଦ୍ୟ ସୁସ୍ୱାଦୁ ହୁଏନାହିଁ । ଏହି [ କାଲ୍ଲୁ] ଯୋଗୁ ଖାଦ୍ୟ ସୁସ୍ୱାଦୁ ହୋଇଥାଏ, ଏହା ତାଜା ମଧ୍ୟ ।”

Women buying stone pestle on the road
PHOTO • Aakanksha
Women grinding on stone pestle
PHOTO • Aakanksha

ତଳି ଅଞ୍ଚଳର ବ୍ୟସ୍ତବହୁଳ ରାସ୍ତାର ଏକ କୋଣରେ, ଧୋତ୍ରେ ନିଜ ଦୋକାନ ପକାନ୍ତି; ତାଙ୍କ ଗ୍ରାହକମାନେ ମୁଖ୍ୟତଃ ସେହି ବର୍ଗର ଲୋକମାନେ ଯେଉଁମାନେ ଏକ ବୈଦ୍ୟୁତିକ ପେଷଣା କିଣିବାକୁ ସମର୍ଥ ନୁହନ୍ତି ବା ସେହି ଲୋକମାନେ ଯେଉଁମାନେ ପୂରାତନ-ଶୈଳୀରେ ନିର୍ମିତ ଏହି ପେଷଣାଗୁଡାକୁ ସେମାନଙ୍କ ଘରେ ସାଜସଜ୍ଜା ସାମଗ୍ରୀ ଭାବେ ରଖିବାକୁ ଚାହାନ୍ତି ବା ଯେଉଁମାନେ ପଥର ଯୋଗୁଁ ଖାଦ୍ୟରେ ଯେଉଁ ସ୍ୱାଦ ମିଳିଥାଏ ତାହା ପସନ୍ଦ କରିଥାନ୍ତି ।

ଧୋତ୍ରେ ଏବେ ଆଉ ନିଜ ବୟସ ମନେପକାଇ ପାରୁନାହାନ୍ତି, କିନ୍ତୁ ତାଙ୍କ ପୁଅ, ଯାହାର ବୟସ ୩୦ ରୁ ୪୦ ମଧ୍ୟରେ ହେବ, ତାଙ୍କ ବାପାଙ୍କ ବୟସ ୬୬ ବର୍ଷ ହେବ ବୋଲି କୁହନ୍ତି । ଯଦିଓ ଧୋତ୍ରେ, ଜଣେ ଝାଡୁଦାର ଭାବେ ବ୍ରିହାନ୍‌ମୁମ୍ବାଇ ମ୍ୟୁନିସିପାଲ୍‌ କର୍ପୋରେସନ୍‌ (ବିଏମ୍‌ସି)ରୁ ୨୦୧୧ରେ ଅବସର ନେଇଛନ୍ତି, ତଥାପି ସେ ନିଜକୁ ଜଣେ ‘କାରିଗର’, ଶିଳ୍ପୀ ବୋଲି କହିବାକୁ ପସନ୍ଦ କରନ୍ତି । ଦୀର୍ଘ ସମୟ ହେବ ଏହା ତାଙ୍କ ପରିବାରର କୌଳିକ ବୃତ୍ତି ହୋଇ ରହିଛି । ତାଙ୍କ ବାପା ଓ ଜେଜେବାପା ସମସ୍ତେ କର୍ଣ୍ଣାଟକର ବିଦାର ଜିଲ୍ଲାର ହୋମ୍‌ନାବାଦ୍‌ ତାଲୁକା ଅନ୍ତର୍ଗତ ମାନ୍ନେଖାଲ୍ଲି ଗ୍ରାମରେ ପଥର କାମ କରୁଥିଲେ । ଏହି ପରିବାର କଲ୍ଲୁ ବିଦ୍‌ଦାର ସମ୍ପ୍ରଦାୟର । ( କର୍ଣ୍ଣାଟକର ପଛୁଆ ଜାତି ବା ଓବିସି ତାଲିକାଭୁକ୍ତ, ପଥର କାମ କରୁଥିବା ବଦ୍‌ଦାର ସମ୍ପ୍ରଦାୟର ଏକ ଉପଦଳ)।

୧୯୪୦ ଓ ୧୯୫୦ରେ, ଅନେକ ଘରେ ଖଲ –  ଦସ୍ତା ବ୍ୟବହାର କରାଯାଉଥିଲା ଓ ବାଲପ୍ପାଙ୍କ ବାପା ଓ ଜେଜେବାପା ଏହି କାମ କରି ସେମାନଙ୍କ ଜୀବିକା ନିର୍ବାହ ପାଇଁ ଆବଶ୍ୟକ ଅର୍ଥ ଉପାର୍ଜନ କରିପାରୁଥିଲେ – ସେ ସମୟରେ, ଗୋଟିଏ ପେଷଣାକୁ ୫ ରୁ ୧୫ ପଇସାରେ ବିକ୍ରି କରାଯାଉଥିବା କଥା ସେ ମନେପକାଇ କୁହନ୍ତି । ନଚେତ୍‌ ସେମାନେ ଏହାକୁ ଅନ୍ୟ ଜିନିଷ ବଦଳରେ ମଧ୍ୟ ଦେଉଥିଲେ । “ଏହି ଜିନିଷ [କାଲ୍ଲୁ] ବଦଳରେ ଆମେ ସବୁକିଛି ପାଇପାରୁଥିଲୁ – ଗହମ, ଜଅ, ଚାଉଳ ସବୁକିଛି”।

ତାଙ୍କୁ ଯେତେବେଳେ ପ୍ରାୟ ୧୮  ବର୍ଷ ବୟସ ହୋଇଥିଲା, ସେତେବେଳେ ସେ ନାଗୁବାଇଙ୍କ ସହିତ ମିଶି ମହାରାଷ୍ଟ୍ରର ବିଭିନ୍ନ ଗ୍ରାମ ବୁଲି ବୁଲି ପେଷଣା ବିକ୍ରି କାମ କରିବା ପରେ ଶେଷରେ ମୁମ୍ବାଇକୁ ଆସିଥିଲେ । “ମୁଁ ମୋର ଜେଜେବାପା ଓ ବାପାଙ୍କ ସହିତ ମିଶି ବିଡ୍‌ ଓ ଅଉରଙ୍ଗାବାଦ୍‌ ଜିଲ୍ଲା ଯାଉଥିଲି,” ବୋଲି ସେ ମନେପକାଇ କୁହନ୍ତି । “ଆମ ସହିତ ଗୋଟିଏ ଗଧ ମଧ୍ୟ ଥିଲା । ଏହାର ପିଠିରେ ଆମେ ଆମ ଜିନିଷ ସବୁ ଲଦି ଦେଉଥିଲୁ ଓ ତାପରେ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଯାଇ କଲ୍ଲୁ  ବିକ୍ରି କରୁଥିଲୁ”।

On left A man sitting on a sofa, on right side - man is hammering stone
PHOTO • Aakanksha

“ସେମାନେ ମୋତେ କେବଳ ପଥର୍‌ୱାଲା ବୋଲି ଡାକନ୍ତି” ବୋଲି ୬୬-ବର୍ଷ ବୟସ୍କ ଧୋତ୍ରେ କୁହନ୍ତି

ମରୁଡି ଯୋଗୁଁ ତାଙ୍କୁ ମୁମ୍ବାଇ ଆସିବାକୁ ପଡିଲା । “ଆମ ଗ୍ରାମ ଦୁଃସ୍କାଳ  ଦେଇ ଗତି କରୁଥିଲା,” ବୋଲି ବାଲପ୍ପା ୧୯ ୭୦ରେ ସେଠାରେ ପଡିଥିବା ମରୁଡି ବିଷୟ ମନେପକାଇ କୁହନ୍ତି । ଫସଲ ସବୁ ଝାଉଁଳି ଗଲା ଓ ଆମକୁ ଖାଇବାକୁ ମିଳିଲାନି । “ ଜଙ୍ଗଲ ସବୁ ପଡିଆ ହୋଇଗଲା, ଘାସ ମିଳିଲାନି । ଗାଇଗୋରୁ କଣ ଖାଇବେ? ଜଳ ନଥିଲା, ଖାଦ୍ୟ ନଥିଲା, ପଇସା ନଥିଲା ( ଆୟର ଉତ୍ସ ନଥିଲା) –କିଛି ନଥିଲା ବୋଲି ସେ କୁହନ୍ତି । ଲୋକମାନେ ବାହାରକୁ ଯିବା ଆରମ୍ଭ କଲେ । କିଛି ସେମାନଙ୍କ ଭୂମି ବିକ୍ରି କରିଦେଲେ ଓ ସହରକୁ ସ୍ଥାନାନ୍ତରିତ ହୋଇଗଲେ । ଏହାର ଅର୍ଥ ହେଉଛି ପଥର ପେଷଣା କିଣିବା ପାଇଁ ଏଠାରେ ଆଉ ଅଳ୍ପ କିଛି ଲୋକ ରହିଛନ୍ତି । ତାଙ୍କ ପରିବାର ପାଖରେ ନିଜସ୍ୱ ଜମି କିଛି ନଥିଲା, କେବଳ ଗୋଟିଏ କୁଡିଆ ଘର ଥିଲା, ଯେଉଁଥିରେ ସେ ନିଜର ଶୈଶବ ସମୟ ବିତାଇଥିଲେ । ( ଏହା ଆଜି ମଧ୍ୟ ସେଠାରେ ଅଛି ଓ ଅନ୍ୟ ଏକ ପରିବାରକୁ ଭଡାରେ ଦିଆଯାଇଛି ।)

ବାଲପ୍ପା ନିଜ ସହିତ ତାଙ୍କ ବାପା ଓ ଜେଜେବାପାଙ୍କ ଅଉଜାର ( ଉପକରଣଗୁଡିକ) ଆଣିଥିଲେ – ହାତୁଡି, ନିହଣ ଓ ଏକ ଫାଉଡା – ପେଷଣା ତିଆରି କରିବା ପାଇଁ ।

ସେମାନେ ପ୍ରଥମେ ଯେତେବେଳେ ମୁମ୍ବାଇରେ ପହଞ୍ଚିଲେ, ବାଲପ୍ପା ଓ ନାଗୁବାଇ ଦାଦର ରେଳ ଷ୍ଟେସନ୍‌ ନିକଟରେ ସିଟ୍‌ରେ ନିର୍ମିତ ଏକ ଆଶ୍ରୟ ସ୍ଥଳିରେ ରହିଥିଲେ । ପରବର୍ତ୍ତୀ ବର୍ଷଗୁଡିକରେ, ସେମାନେ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ରହିଛନ୍ତି – ଲୋୟର୍‌ ପାରେଲ୍‌, ବାନ୍ଦ୍ରା, ଅନ୍ଧେରୀ- ଯାହା ସେମାନଙ୍କ କାମର ଚାହିଦା ଉପରେ ନିର୍ଭର କରୁଥିଲା, ଯେଉଁଠାରେ ଟିକିଏ ଖାଲି ସ୍ଥାନ ପାଉଥିଲେ, ସେଠାରେ ନିଜପାଇଁ ଏକ କୁଡିଆ ତିଆରି କରୁଥିଲେ ।

ଖଲ-ଦସ୍ତା ବିକିବା ପାଇଁ ନାଗୁବାଇ ତାଙ୍କ ସହିତ ମିଶି ବିଭିନ୍ନ ସ୍ଥାନକୁ ଯାଉଥିଲେ ।  “ମୋର ବାପା ମଧ୍ୟ କଲ୍ଲୁ  ତିଆରି କରୁଥିଲେ,’’ ବୋଲି ସେ କୁହନ୍ତି ।  “ମୋର ମା ଓ ମୁଁ ଏଗୁଡିକୁ ବିକ୍ରି କରୁଥିଲୁ । ବାହାହେବା ପରେ, ମୁଁ ତାଙ୍କ [ବାଲପ୍ପା] ସହିତ ମିଶି ବିକ୍ରି କରୁଥିଲି । ବର୍ତ୍ତମାନ ମୋର ପିଠିରେ ଯନ୍ତ୍ରଣା ହେଉଛି ଓ ମୁଁ ଏହା ଆଉ କରିପାରିବିନି ।

Balappa Chandar Dhotre's family members sitting together in their house
PHOTO • Aakanksha
PHOTO • Aakanksha

ସେମାନେ ଯେତେବେଳେ ପ୍ରଥମଥର ମୁମ୍ବାଇରେ ଆସି ପହଞ୍ଚିଥିଲେ, ବାଲପ୍ପାଙ୍କ ସ୍ତ୍ରୀ ନାଗୁବାଇ (ବାମ, ସେମାନଙ୍କ ପୁଅ ଅଶୋକ, ତାଙ୍କ ସ୍ତ୍ରୀ କାଜଲ ଓ ସେମାନଙ୍କ ସନ୍ତାନ), ସେମାନଙ୍କ ସହିତ ଖଲ- ଦସ୍ତା  ବିକିବାକୁ ଯାଉଥିଲେ

କିନ୍ତୁ କାଳକ୍ରମେ, ବୈଦ୍ୟୁତିକ ମିକ୍ସର-ପେଷଣାଗୁଡିକର ଜନପ୍ରିୟତା ବୃଦ୍ଧି ପାଇବା ସହିତ, ପଥର ପେଷଣାର ଚାହିଦା ଧିରେ ଧିରେ କମିବାକୁ ଲାଗିଲା । ମାନ୍ନେଖାଲ୍ଲିକୁ ପୁଣି ଫେରିବା – ଯେଉଁଠାରେ ସେମାନଙ୍କ ଯୋଗ୍ୟ କିଛି କାମ ନାହିଁ –  ବାଟ ବନ୍ଦ ହୋଇଯାଇଥିବ । ଏଣୁ ବାଲପ୍ପା ଧୋତ୍ରେ, ନାଗୁବାଇଙ୍କ ସହିତ ମୁମ୍ବାଇରେ ରହିଗଲେ (ସମୟ କ୍ରମେ, ତାଙ୍କର ସାତଟି ସନ୍ତାନ ହେଲେ – ତିନି ପୁଅ ଓ ଚାରି ଝିଅ) । ସେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର କାମ କରିବାକୁ ଆରମ୍ଭ କଲେ, ବେଳେବେଳେ ମୁମ୍ବାଇରେ ଫିଲ୍ମ ସୁଟିଂ ହେଉଥିବା ବେଳେ ମଧ୍ୟ । “ସେତେବେଳେ ସେମାନେ ଦିନକୁ ୧୫ଟଙ୍କା ଦେଉଥିଲେ, “ ଉପକରଣ ବୋହିବା ପାଇଁ ଓ ସେଟ୍‌ ପରିଷ୍କାର କରିବା ପାଇଁ,’’ ବୋଲି ସେ ମନେପକାନ୍ତି ।

ଦିନେ ଦ୍ୱିପହରରେ, ଯେତେବେଲେ ସେମାନେ ଅନ୍ଧେରୀ ରେଳ ଷ୍ଟସନ୍‌ ନିକଟରେ ରହୁଥିଲେ, ସେତେବେଳେ ବିଏମ୍‌ସି ତାଙ୍କୁ ଓ ଅନ୍ୟ କିଛି ଲୋକଙ୍କୁ ବୋରିଭଲିରେ ସଫେଇ କାମ କରିବା ପାଇଁ ମନୋନୀତ କରିଥିଲା। “ଅସ୍ଥାୟୀ କର୍ମଚାରୀ ଭାବେ ସେମାନଙ୍କୁ ରାସ୍ତା ସଫା କରିବା ପାଇଁ ଗ୍ରହଣ କରାଯାଇଥିଲା । ପରବର୍ତ୍ତୀ ସମୟରେ, ନିଯୁକ୍ତିଦାତାମାନେ ସେମାନଙ୍କୁ ସ୍ଥାୟୀ କରିବା ପାଇଁ ଚିନ୍ତା କଲେ,’’ ବୋଲି ଧୋତ୍ରେଙ୍କ ବଡ ପୁଅ ତୁଲ୍‌ସୀରାମ କୁହନ୍ତି, ଯାହାର ବୟସ ୩୦ ପାଖାପାଖି ହେବ ।

ବିଏମ୍‌ସି କର୍ମଚାରୀ କାର୍ଡ ପାଇବା ପରେ, ଧୋତ୍ରେଙ୍କୁ କାନ୍ଦିବଲି ପୂର୍ବ ଅଞ୍ଚଳରେ ସଫେଇ କାମ କରିବାକୁ କୁହାଗଲା । ସେ ନିଜ ପରିବାର ସହିତ ବୋରିବଲି ପୂର୍ବ ନିକଟରେ ଦେବୀପଡାରେ ଯାଇ ରହିଲେ, ସେତେବେଳେ ଏଠାରେ ବାଉଁଶ ଖମ୍ବ ଓ ପ୍ଲାଷ୍ଟିକ୍‌ ସିଟ୍‌ରେ ନିର୍ମିତ କଚ୍ଚା ଘରଗୁଡିକର କଲୋନୀ ଥିଲା । ଜଣେ ବିଏମ୍‌ସି କର୍ମଚାରୀ ଭାବେ ତାଙ୍କୁ ପ୍ରଥମେ ମାସିକ ୫୦୦ଟଙ୍କା ବେତନ ମିଳୁଥିଲା ।

ଏସବୁ ସହିତ, ସେ ପଥର ପେଷଣା ତିଆରି କରିବା ଓ ସେଗୁଡିକୁ ବିକ୍ରି କରିବା କାମ ମଧ୍ୟ ଜାରି ରଖିଥିଲେ । “ପୂର୍ବାହ୍ନ ଛଅଟା ବେଳେ ସେ କାମକୁ [ବିଏମ୍‌ସି] ବାହାରି ଯାଉଥିଲେ,” ବୋଲି ତୁଳସୀରାମ ମନେପକାଇ କୁହନ୍ତି ।  “ପ୍ରାୟ ଅପରାହ୍ନ ୧.୩୦ ରେ ମା ତାଙ୍କ ପାଇଁ ଡବ୍‌ବା  ଆଣୁଥିଲେ’’ । ଡବ୍‌ବାରେ ତାଙ୍କର  ଦ୍ୱିପର ଭୋଜନ ସହିତ ଥିବା ବ୍ୟାଗ୍‌ରେ ଉପକରଣଗୁଡିକ ମଧ୍ୟ ରହୁଥିଲା – ହାତୁଡି ଓ ବିଭିନ୍ନ ସାଇଜ୍‌ର ଏକାଧିକ ନିହଣ । ତାଙ୍କ ସିଫ୍ଟ ସରିବା ପରେ, ପଥର ପାଖରେ ବସି କାମ କରୁଥିଲେ ଓ ପ୍ରାୟ ସନ୍ଧ୍ୟା ୫ ବା ୬ଟାରେ ଘରକୁ ଫେରୁଥିଲେ ।

Stone hammering tools
PHOTO • Aakanksha

ବାଲପ୍ପା ନିଜ ସହିତ ତାଙ୍କ ବାପା ଓ ଜେଜେବାପାଙ୍କ  ଅଉଜାର୍‌ (ଉପକରଣଗୁଡିକ ) ପେଷଣା ତିଆରି କରିବା ପାଇଁ ଆଣିଥିଲେ

ସେ ଆବଶ୍ୟକ କରୁଥିବା ସେହି ଗୋଟିଏ ମାତ୍ର କଞ୍ଚାମାଲ୍‌ ହେଉଛି କାଲା ପଥର୍‌ । “ଆପଣ ମାଟି ଖୋଳି [ଏକ ଫାଉଡା ଓ ଏକ ବଡ ହାତୁଡି ବ୍ୟବହାର କରି] ଏହା ଭିତରୁ ପାଇପାରିବେ [ ଅତୀତରେ],” ବୋଲି ଧୋତ୍ରେ କୁହନ୍ତି । ବର୍ତ୍ତମାନ ସେ ସହରର ନିର୍ମାଣାଧୀନ ସ୍ଥାନଗୁଡିକରୁ ଏହା ପାଇ ଯାଉଛନ୍ତି ।

ବିଏମ୍‌ସିରେ ପ୍ରାୟ ତିନି ଦଶନ୍ଧିରୁ ଅଧିକ ସମୟ କାମ କରିବା ପରେ, ଧୋତ୍ରେ ୨୦୧୧ରେ ଜଣେ ଝାଡୁଦାର ଭାବେ ଏଠାରୁ ଅବସର ଗ୍ରହଣ କଲେ । ତାଙ୍କ ପୁଅ ଅଶୋକ କୁହନ୍ତି, ତାଙ୍କ ବାପା ଅବସର ନେବା ବେଳକୁ ତାଙ୍କର ଆୟ ପ୍ରାୟ ୧୮,୦୦୦ – ୨୦,୦୦୦ଟଙ୍କା ଥିଲା । ବର୍ତ୍ତମାନ ତାଙ୍କୁ ମାସିକ ୮, ୦୦୦ଟଙ୍କା ପେନ୍‌ସନ୍‌ ମିଳୁଛି  ।

ଅଶୋକ ତାଙ୍କ ବାପାଙ୍କ ଭଳି ଝାଡୁଦାର କାମ କରୁଛନ୍ତି । ସମ୍ଭବ ହେଲେ, ସେ ଦିନ ମଜୁରିଆ ଭାବେ ମଧ୍ୟ କାମ କରନ୍ତି, ଧୋତ୍ରେଙ୍କ ତୃତୀୟ ପୁଅ ମଧ୍ୟ । ତାଙ୍କର ଓ ନାଗୁବାଇଙ୍କ ଚାରି ଝିଅ ବାହା ହୋଇଯାଇଛନ୍ତି ଓ ମୁମ୍ବାଇରେ ବିଭିନ୍ନ ସ୍ଥାନରେ ରହୁଛନ୍ତି । ମୋର ସନ୍ତାନମାନଙ୍କ ମଧ୍ୟରୁ କେହି ମଧ୍ୟ ପରିବାରର ପାରମ୍ପରିକ ପଥର କାମ କରୁନାହାନ୍ତି । “ମୁଁ ଏହା ପସନ୍ଦ କରୁନି, କିନ୍ତୁ କଣ କରିବା? ସେମାନେ ଯଦି ଏହା କରିବାକୁ ଇଚ୍ଛା କରୁନାହାନ୍ତି, ତେବେ ସେମାନେ ଏହା କରିବେ ନାହିଁ,” ବୋଲି ଧୋତ୍ରେ ନିଜ ପୁଅମାନଙ୍କ ବିଷୟରେ ଉଲ୍ଲେଖ କରି କୁହନ୍ତି ।

ତିନି ବର୍ଷ ପୂର୍ବେ, ଜଣେ ବିଲ୍ଡର୍‌ ଧୋତ୍ରେ ଓ ନାଗୁବାଇଙ୍କୁ ସେ ନିର୍ମାଣ କରୁଥିବା କୋଠା ନିର୍ମିତ ହୋଇଯିବା ପରେ ସେଠାରେ ତାଙ୍କୁ ଏକ ଫ୍ଲାଟ୍‌ ଦେବ ବୋଲି ପ୍ରତିଶୃତି ଦେବାରୁ, ସେମାନେ ବାଧ୍ୟହୋଇ ଦେବୀପଡ଼ା ଛାଡିଥିଲେ । ଇତିମଧ୍ୟରେ, ସେମାନେ ଏହା ନିକଟରେ ଥିବା ଏକ ଚଲ୍‌ରେ ରହୁଛନ୍ତି ।

ଧୋତ୍ରେ ଏବେ ମଧ୍ୟ ପଥରର ପେଷଣା ତିଆରି କରିବା ଜାରି ରଖିଛନ୍ତି, ଯଦିଓ ଦିନକୁ ଦିନ ଏହାର କ୍ରେତାମାନଙ୍କ ସଂଖ୍ୟା କମ୍‌ ହେବାରେ ଲାଗିଛି । “ମୋର ବାପା ଓ ଜେଜେବାପା ଏହି କାମ କରୁଥିଲେ; ମୁଁ ମଧ୍ୟ ଜଣେ କାରିଗର, ଏହା ହେଉଛି ମୋ ପରିଚୟ,’’  ବୋଲି ସେ କୁହନ୍ତି । ଏଥିରେ ନାଗୁବାଇ କୁହନ୍ତି ଯେ “ସେ ଏହା କରିବାକୁ ଭଲ ପାଆନ୍ତି ଓ ଏବେ ମଧ୍ୟ ବୁଢା [ବୃଦ୍ଧ ଲୋକ] କିଛି କାମ କରୁଥିବା ଦେଖିଲେ ମୋତେ ମଧ୍ୟ ଭଲ ଲାଗେ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Aakanksha

ଆକାଂକ୍ଷା (ସେ କେବଳ ତାଙ୍କର ପ୍ରଥମ ନାମ ବ୍ୟବହାର କରିବାକୁ ପସନ୍ଦ କରନ୍ତି) ପରୀରେ ଆସିଷ୍ଟାଣ୍ଟ କଣ୍ଟେଣ୍ଟ କୋର୍ଡିନେଟର୍‌ ଭାବେ କାମ କରନ୍ତି ।

Other stories by Aakanksha