ବେସ୍ କ୍ୟାମ୍ପରେ ଏକ ନୂଆ ଆଶା ଓ ଉତ୍କଣ୍ଠା ଥିଲା ଯେଉଁଠାରେ ସବୁଜ ପୋଷାକ ପିନ୍ଧିଥିବା ପୁରୁଷ ଓ ମହିଳାମାନେ ନିରନ୍ତର ଭାବେ ମେସେଜ୍, ମାନଚିତ୍ର ଓ ଫଟୋକୁ ସେମାନଙ୍କର ସେଲଫୋନ୍‌ରେ ଅନୁଧ୍ୟାନ କରୁଥିଲେ ।

ପୂର୍ବରୁ ସେଦିନ ସକାଳେ ଏକ ଟ୍ରାକ୍ ଟିମ୍ ନିକଟସ୍ଥ ଜଙ୍ଗଲରେ ବାଘର ସଦ୍ୟ ପାଦଚିହ୍ନ ଠାବ କରିଥିଲେ ।

ଜଙ୍ଗଲ ବିଭାଗର ଏକ ସୂତ୍ର ଅନୁସାରେ ଆଉ ଏକ ଟିମ୍ ଜଙ୍ଗଲରେ ଲଗାଯାଇଥିବା ୯୦ଟି କ୍ୟାମେରା ମଧ୍ୟରୁ ଗୋଟିଏରେ ବାଘର ଏକ ଅସ୍ପଷ୍ଟ ଛବି ଦେଖିଲେ । କପା କ୍ଷେତ ଓ ଜଳାଶୟ ସହ ବିକ୍ଷିପ୍ତ ଭାବେ ଥିବା  ପର୍ଣ୍ଣମୋଚି ବୁଦୁବୁଦୁକିଆ ଜଙ୍ଗଲର ୫୦ ବର୍ଗ କିମି ଅଞ୍ଚଳରେ ଏହି କ୍ୟାମେରା ଲାଗିଛି । ସବୁଜ ପୋଷାକ ପିନ୍ଧିଥିବା ଜଣେ ଯୁବ ଫରେଷ୍ଟର କହିଲେ, “ତାର ଦେହରେ ଥିବା ଦାଗରୁ ତାହା ବାଘୁଣୀ ବୋଲି ଜଣାପଡୁଛି ।” ତାଙ୍କର ସ୍ୱର ଖୁବ୍ ଚିନ୍ତାଯୁକ୍ତ ଥିଲା । ତାଙ୍କର ବରିଷ୍ଠ ଅଧିକାରୀ କହିଲେ, “ଚିତ୍ରଟି ସ୍ପଷ୍ଟ ନାହିଁ । ଆମକୁ ସେ ନେଇ ଅଧିକ ସ୍ପଷ୍ଟ ହେବା ଆବଶ୍ୟକ ।’’

ଏହା ସେ ହୋଇପାରେ କି? ସେ ଆଖପାଖରେ ଥାଇପାରେ କି?

ବନରକ୍ଷୀ, ଟ୍ରାକର ଓ ସାର୍ପ ସୁଟରମାନଙ୍କର ଏକ ଟିମ୍ ଆଉ ଏକ କଠିନ ଦିନରେ  ଜଙ୍ଗଲର ବିଭିନ୍ନ ଦିଗରେ ତଲାସୀ କରିବାକୁ ବାହାରିଲେ, ସେମାନେ ଏଭଳି ଏକ ବାଘୁଣୀକୁ ଖୋଜୁଥିଲେ ଯାହାକି ତାର ଦୁଇଟି ଶାବକଙ୍କ ସହ ପ୍ରାୟ ୨ ବର୍ଷ ଧରି ବିଭ୍ରାନ୍ତ କରିଆସୁଥିଲା ।

ଅତି କମ୍‌ରେ ୧୩ ଜଣ ଗ୍ରାମବାସୀ ବାଘ ଦ୍ୱାରା ଆକ୍ରମଣର ଶିକାର ହେବା ସହ ପ୍ରାଣ ହରାଇଥିଲେ । ଏହି ସବୁ ମାମଲାରେ ସେ ସନ୍ଦିଗ୍ଧ ଥିଲା ।

ବନ୍ୟପ୍ରାଣୀ  ୱାର୍ଡେନଙ୍କ ନିର୍ଦ୍ଦେଶ ଅନୁସାରେ ଗତ ୨ ମାସ ହେଲା ବାଘୁଣୀକୁ ‘ଧରିବା ବା ହତ୍ୟା’ କରିବା ପାଇଁ ଏକ ବଡ଼ ଧରଣର ଅଭିଯାନ କରାଯାଉଥିଲା । କିନ୍ତୁ ଦୁଇଟି ଯାକ ବିକଳ୍ପ ମଧ୍ୟରୁ କୌଣସିଟି ସହଜ ନଥିଲା । ଅଗଷ୍ଟ ୨୮, ୨୦୧୮ରୁ ସେ କୌଣସି ସଙ୍କେତ ବି ଛାଡ଼ି ନଥିଲା । କ୍ୟାମେରାରେ ଗୋଟିଏ ଅସ୍ପଷ୍ଟ ଛବି କିମ୍ବା ପାଦଚିହ୍ନ ଦେଖିବା ପରେ ତାକୁ ଧରିବା ପାଇଁ ଗଠିତ ହୋଇଥିବା ଟିମ୍ ମଧ୍ୟରେ ଆଶା ସଞ୍ଚାର ହେଉଥିଲା ।

For over two months, a 'base camp' was set up between Loni and Sarati villages in Vidarbha’s Yavatmal district, involving 200 tiger-trackers mandated to ‘capture or kill’ the tigress
PHOTO • Jaideep Hardikar

ଗତ ଦୁଇମାସରୁ ଅଧିକ ଦିନ ଧରି ବିଦର୍ଭର ୟବତମାଲ ଜିଲ୍ଲାରେ ଥିବା ଲୋନି ଏବଂ ସାରତି ଗାଁରେ ଗୋଟିଏ ‘ବେସକ୍ୟାମ୍ପ’ ପ୍ରତିଷ୍ଠା କରାଯାଇଥିଲା।  ବାଘୁଣୀକୁ ‘ଧରିବା ବା ହତ୍ୟା କରିବା ଲାଗି’ ପ୍ରାୟ ୨୦୦ ବାଘ ଟ୍ରାକର ସେଠାରେ ନିୟୋଜିତ ଥିଲେ ।

* * * * *

ଏହା ଅକ୍ଟୋବର ମାସର ଏକ ରବିବାରିଆ ସକାଳ ଥିଲା, ହାଲୁକା ଶୀତ ଲାଗୁଥିଲା । ଆମେ ଏକ ନିଭୃତ ଜଙ୍ଗଲିଆ ଅଞ୍ଚଳରେ ଥିଲୁ ଯେଉଁଠାରେ ଅଧିକାରୀମାନେ ଏକ ଅସ୍ଥାୟୀ ଟେଣ୍ଟ ତିଆରି କରିଥିଲେ । ତାହା ପଶ୍ଚିମ ବିଦର୍ଭର ୟବତମାଲ ଜିଲ୍ଲାରେ ଥିବାବେଳେ ଅଧିକାରୀମାନେ ତାକୁ  ଲୋନି ଓ ସାରତି ଗାଁ ମଧ୍ୟରେ ଏହି ଅପରେସନ୍‌ର ବେସ୍ ବୋଲି କହୁଥିଲେ । ଏହି ଅଞ୍ଚଳ କପା ଚାଷୀମାନଙ୍କର ଆତ୍ମହତ୍ୟା ପାଇଁ କୁଖ୍ୟାତ ।

ଏହା ହେଉଛି ରାଲେଗାଓଁ ତହସିଲ, ଜାତୀୟ ରାଜପଥ ୪୩ର ଉତ୍ତରରେ ୱାଡକି ଏବଂ ଉମରି ଗାଁ ମଧ୍ୟରେ ଏହା ଅବସ୍ଥିତ । ଏଠାରେ ମୁଖ୍ୟତଃ ଗଣ୍ଡ ଜାତିର ଆଦିବାସୀମାନେ ବସବାସ କରିଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେଉଁମାନେ କି କପା ଓ ଡାଲି ଚାଷ କରିଥାନ୍ତି ।

ବାଘ ଟ୍ରାକରମାନଙ୍କର ଟିମ୍‌ରେ ୨୦୦ ଫରେଷ୍ଟର ସାମିଲ ଥିଲେ । ସେମାନଙ୍କ ମଧ୍ୟରେ ଗାର୍ଡ, ମହାରାଷ୍ଟ୍ର ଜଙ୍ଗଲ ବିଭାଗର ବନ୍ୟପ୍ରାଣୀ ଶାଖାର ରେଞ୍ଜ ଜଙ୍ଗଲ ଅଧିକାରୀ, ରାଜ୍ୟର ଜଙ୍ଗଲ ବିକାଶ ଆୟୋଗ, ଜିଲ୍ଲା ବନ ଅଧିକାରୀ, ମୁଖ୍ୟ ବନସଂରକ୍ଷକ(ବନ୍ୟପ୍ରାଣୀ), ବନ ବିଭାଗର ବରିଷ୍ଠ ଅଧିକାରୀ, ବନ ବିଭାଗର ପ୍ରଧାନ ମୁଖ୍ୟ ସଂରକ୍ଷକ (ପିସିପିଏଫ୍, ବନ୍ୟପ୍ରାଣୀ) ସାମିଲ ଥିଲେ । ସମସ୍ତେ ସବୁବେଳେ ସଜାଗ ରହି ବାଘୁଣୀ ଓ ତାର ଦୁଇ ଶାବକଙ୍କ ସନ୍ଧାନ କରୁଥିଲେ ।

ସେହି ଗ୍ରୁପରେ ହାଇଦ୍ରାବାଦର ସାର୍ପ ସୁଟରମାନଙ୍କର ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ସାମିଲ ଥିଲେ । ତାର ନେତୃତ୍ୱ ନେଉଥିଲେ ନବାବ ଶଫାତ୍ ଅଲ୍ଳୀ ଖାନ୍ । ୬୦ ବର୍ଷୀୟ ଏହି ତାଲିମପ୍ରାପ୍ତ ଶିକାରୀ ଜଣକ ଏକ ଆଭିଜାତ୍ୟସଂପନ୍ନ ପରିବାରରୁ ଆସିଥିଲେ । ନୱାବଙ୍କ ଉପସ୍ଥିତି ଯୋଗୁ ଅଧିକାରୀ ଏବଂ ସ୍ଥାନୀୟ ସଂରକ୍ଷକମାନେ ଭାଗ ଭାଗ ହୋଇଯାଇଥିଲେ । ସେମାନେ ତାଙ୍କର ଭୂମିକାକୁ ସେତେ ପସନ୍ଦ କରୁନଥିଲେ । କିନ୍ତୁ ମତ୍ତ ବନ୍ୟଜୀବମାନଙ୍କୁ  ଟ୍ରାଙ୍କୁଲାଇଜ୍ କରିବା କିମ୍ବା ହତ୍ୟା କରିବା ପାଇଁ ସାରା ଭାରତରେ ବନ ଅଧିକାରୀମାନଙ୍କର ନିକଟରେ ସେ ଏକ ପରିଚିତ ନାମ ଥିଲେ ।

ତାଙ୍କ ଟିମ୍‌ର ସଦସ୍ୟ ସୟଦ ମୋଇନୁଦ୍ଦିନ୍ ଖାନ୍ କହିଲେ, “ସେ ଏପରି ବହୁବାର କରିସାରିଛନ୍ତି ।’’ କିଛି ଦିନ ପୂର୍ବରୁ ସେ ଟାଡୋବା ଜାତୀୟ ଉଦ୍ୟାନ ନିକଟରେ ୨ ଜଣ ଲୋକଙ୍କୁ ଶିକାର କରିସାରିଥିବା ଏକ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି ଧରିଥିଲେ । ଭାରତର ୫୦ଟି ମାନ୍ୟତାପ୍ରାପ୍ତ ବାଘ ଅଭୟାରଣ୍ୟ ମଧ୍ୟରେ ଟାଡୋବା ଜାତୀୟ ଉଦ୍ୟାନ ଅନ୍ୟତମ ।

ବିହାର ଓ ଝାଡ଼ଖଣ୍ଡରେ ୬ ମାସ ମଧ୍ୟରେ ୧୫ ଜଣ ଲୋକଙ୍କୁ ଦଳି ପକାଇଥିବା ଏକ “ମତ୍ତ” ହାତୀକୁ ସେ ଗୁଳି କରିଥିଲେ ଏବଂ ପଶ୍ଚିମ ମହାରାଷ୍ଟ୍ରରେ ୭ ଜଣ ଲୋକଙ୍କ ଶିକାର କରିଥିବା ଏକ ଚିତାବାଘକୁ ଗୁଳି କରିଥିଲେ ।

କିନ୍ତୁ ଏହା ଭିନ୍ନ, ଗୁଳି ବାହାରୁଥିବା ଏକ ସବୁଜ ରଙ୍ଗର ରାଇଫଲକୁ ହଲାଇ ଚଷମା ପରିହିତ  ମିଷ୍ଟଭାଷୀ ଶିକାରୀ ଜଣକ କହିଲେ।

ବେସ କ୍ୟାମ୍ପରେ ଶଫାତ୍ ଅଲ୍ଲୀ  କହିଲେ, “ବାଘୁଣୀ ତାର ଶାବକମାନଙ୍କ ସହ ଅଛି ।’’ ରବିବାର ସକାଳେ ନିଜର ପୁଅ ଏବଂ ସହଯୋଗୀମାନଙ୍କର ଏକ ଟିମ୍‌କୁ ନେଇ ସେ ୟୁନିଫର୍ମ ପିନ୍ଧି ବେସ୍‌କ୍ୟାମ୍ପରେ ପହଞ୍ଚିଥିଲେ । “ଆମେ ପ୍ରଥମେ ତାକୁ ଟ୍ରାଙ୍କୁଲାଇଜ୍ କରିବା ଆବଶ୍ୟକ ଏବଂ ପରେ ତାର ଦୁଇ ଶାବକଙ୍କୁ ମଧ୍ୟ ଧରିବା ଉଚିତ୍।’’

 ଏହି ଅପରେସନ୍‌ରେ ବାପାଙ୍କୁ ସହାୟତା କରୁଥିବା ତାଙ୍କ ପୁଅ ଅସଘର କହିଲେ, “କରିବା ଅପେକ୍ଷା କହିବା ସହଜ।’’ ବାଘୁଣୀକୁ ସ୍ପଷ୍ଟ ଭାବେ ଦେଖିବା ଖୁବ୍ କଷ୍ଟକର ଏବଂ ସେଥିଯୋଗୁ ଏହି କାମରେ ବିଳମ୍ବ ହେଉଛି ।

ସ୍ପେଶାଲ ଟାଇଗର ଫୋର୍ସର ଜଣେ ବ୍ୟକ୍ତି କହିଲେ ସେ ତା’ର ସ୍ଥାନ ଖୁବ୍ ଶୀଘ୍ର ବଦଳାଉଛି । ଏପରିକି କୌଣସି ସ୍ଥାନରେ ୮ ଘଣ୍ଟାରୁ ଅଧିକ ସମୟ ଧରି ରହୁନାହିଁ ।  ଏଠାରୁ ୨୫୦ କିଲୋମିଟର ଦୂର ନାଗପୁର ଜିଲ୍ଲାରେ ଥିବା ପେଞ୍ଚ ବାଘ ଅଭୟାରଣ୍ୟରୁ ଏହି ଅଭିଯାନ ପାଇଁ ତାଙ୍କୁ ମାସକ ତଳେ ଅଣାଯାଇଛି ।

ଟିମ୍‌ର କିଛି ସଦସ୍ୟ ହତାଶ ଥିବା ଭଳି ଲାଗୁଥିଲେ । ଏଥିପାଇଁ ଧେର୍ଯ୍ୟ ଆବଶ୍ୟକ ଥିବାବେଳେ ସେମାନଙ୍କ ନିକଟରେ ତାହା କମ୍ ଥିବାଭଳି ଜଣାପଡୁଥିଲା ।

The road between Loni and Sarati where T1 was sighted many times by villagers.
PHOTO • Jaideep Hardikar
A hoarding in Loni listing the 'do's and don'ts' for villagers living in T1's shadow
PHOTO • Jaideep Hardikar

ବାମ: ଲୋନି ଓ ସାରତି ମଧ୍ୟରେ ରାସ୍ତା ଯେଉଁଠାରେ ଗ୍ରାମବାସୀ ଅନେକ ଥର ଟି୧କୁ ଦେଖିସାରିଛନ୍ତି । ଡାହାଣ:ଟି୧ର ଆତଙ୍କରେ ରହୁଥିବା ଗ୍ରାମବାସୀମାନଙ୍କୁ “କଣ କରିବା’’ ଓ “କ’ଣ ନକରିବା ଉଚିତ୍’’ ସେ ବିଷୟରେ ଚେତାଇ ଏକ ହୋର୍ଡିଂ ମରାଯାଇଛି ।

ସ୍ଥାନୀୟ ଲୋକଙ୍କ ମଧ୍ୟରେ ଟି୧- ବା ଅବନି ଭାବେ କୁଖ୍ୟାତ ଏହି ବାଘୁଣୀ ରାଲେଗାଓଁରେ ଗତ ୨ ବର୍ଷ ମଧ୍ୟରେ ୧୩-୧୫ ଜଣ ଗ୍ରାମବାସୀଙ୍କୁ ଶିକାର କରିଥିବା ନେଇ ବିଶ୍ୱାସ କରାଯାଏ । ସେ ଏଠାରେ ଅଛି, ତହସିଲର ଘଞ୍ଚ ଜଙ୍ଗଲ ମଧ୍ୟରେ ସବୁଜ ଗଛଲତାର ଆଢୁଆଳରେ କେଉଁଠାରେ ଲୁଚି ରହିଛି ।

ଗତ ୨ ବର୍ଷ ମଧ୍ୟରେ ସେ  ୫୦ ବର୍ଗ କିମି ଅଞ୍ଚଳ ମଧ୍ୟରେ ରହୁଥିବା ଅନେକଗୁଡ଼ିଏ ଗାଁର ଲୋକମାନଙ୍କୁ ଭୟଭୀତ ଓ ଉତ୍କଣ୍ଠିତ କରି ରଖିଛି । ଏହା ଫସଲ ଅମଳ ସମୟ ହୋଇଥିଲେ ମଧ୍ୟ ଗ୍ରାମବାସୀମାନେ ଭୟଭୀତ ହୋଇ ସେମାନଙ୍କର ଜମିକୁ କପା ତୋଳିବାକୁ ଯିବାକୁ କୁଣ୍ଠାବୋଧ କରୁଛନ୍ତି । କଲାବାଇ ଶିନ୍ଦ୍ରେ କହିଲେ, “ମୁଁ ଆଜିକୁ ବର୍ଷେ ହେଲା ମୋର ଚାଷଜମି ଦେଖିନାହିଁ ।’’ ତାଙ୍କର ସ୍ୱାମୀ ଲୋନି ଗାଁର ବାସିନ୍ଦା ହୋଇଥିବାବେଳେ ତାଙ୍କୁ ଟି୧ ଶିକାର କରିଥିଲା ।

ଟି୧ ଯେକୌଣସି ଲୋକ ଉପରେ ଆକ୍ରମଣ କରିଥାଏ । ଯଦିଓ ବେସକ୍ୟାମ୍ପ ହୋଇଥିବା ସ୍ଥାନର ଉତ୍ତରରେ ପିମ୍ପାଲଶେନ୍ଦ୍ର ଗାଁରେ ଅଗଷ୍ଟ ୨୮ ତାରିଖରେ ଜଣେ ଲୋକଙ୍କୁ ଶିକାର କରିବା ପରେ ସେ ଆଉ ମଣିଷଙ୍କ ଉପରେ ଆକ୍ରମଣ କରିନାହିଁ । ସେ ଆକ୍ରମକ ଓ ତାର ସ୍ୱଭାବ ବିଷୟରେ ପୂର୍ବାନୁମାନ କରିହେବ ନାହିଁ ବୋଲି ତାକୁ ଦେଖିଥିବା ଲୋକେ କହନ୍ତି ।

ଜଙ୍ଗଲ ଅଧିକାରୀମାନେ ନିରାଶ ଅଛନ୍ତି, ଆଉ ଜଣେ ମଣିଷକୁ ତାହା ଆକ୍ରମଣ କଲେ ସ୍ଥାନୀୟ ଲୋକଙ୍କ ରାଗ ବଢିଯିବ । ଅନ୍ୟପଟେ ବାଘପ୍ରେମୀ ଓ ସଂରକ୍ଷକମାନେ ଟି୧କୁ ହତ୍ୟା କରିବା ଲାଗି ଦିଆଯାଇଥିବା ରାୟ ଉପରେ ପ୍ରଶ୍ନ ଉଠାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଏକେ.ମିଶ୍ରା  ଯିଏକି ନିକଟସ୍ଥ ପାନ୍ଧରକୱାଡାରେ ତାଙ୍କର ସହାୟକଙ୍କ ସହ ଏହି ଅପରେସନ୍ ପାଇଁ ରହୁଛନ୍ତି ସେ ଆଗାମୀ ୪ ମାସ ମଧ୍ୟରେ ଅବସର ନେବେ ।  ତାଙ୍କର ଜଣେ ଯୁବ ଅଧିକାରୀ ଉପହାସ କରି କହିଲେ, “ସାର୍ ବୋଧେ ଏଠାରେ ଅବସର ନେବେ।’’

* * * * *

ବନ୍ୟପ୍ରାଣୀ କର୍ମକର୍ତ୍ତାମାନଙ୍କ ଅନୁସାରେ  ସମସ୍ୟା ଟି୧ ଠାରୁ ଆରମ୍ଭ ହୋଇନାହିଁ, କିମ୍ବା ତା’ ର ଅନ୍ତ ଯୋଗୁ ସରିଯିବ ନାହିଁ । ପରିସ୍ଥିତି ଆହୁରି ଖରାପ ହେବାକୁ ଯାଉଛି ଓ ଭାରତରେ ଏହାକୁ କିଭଳି ସମାଧାନ କରାଯିବ ସେଥିପାଇଁ କିଛି ରାସ୍ତା ନାହିଁ ।

ଭାରତର ବନ୍ୟପ୍ରାଣୀ ସୁରକ୍ଷା ସମିତି(ଡବ୍ଲ୍ୟୁପିଏସଆଇ)ର କେନ୍ଦ୍ରୀୟ ଭାରତ ନିର୍ଦ୍ଦେଶକ ନାଗପୁରର ନୀତୀନ ଦେଶାଇ କହିଲେ, “ଏହା ହେଉଛି ଠିକ୍ ସମୟ । ଏବେ ଆମକୁ ବସି ଆମର ସଂରକ୍ଷଣ ରଣନୀତିକୁ ପୁନଃ ପ୍ରସ୍ତୁତ କରିବା ଆବଶ୍ୟକ ।  ଆମକୁ ଏକ ବାଘ ସଂଖ୍ୟା ସହିତ ମୁକାବିଲା କରିବାକୁ ପଡ଼ିବ ଯାହାକି ଦେଖାଯାଉନାହିଁ ବା ନିକଟବର୍ତ୍ତୀ ଜଙ୍ଗଲରେ ସେମାନେ ରହୁନାହାନ୍ତି । ଆମେ ଆମ ଚାରିପାଖରେ ରହୁଥିବା ବଣୁଆ ବାଘଗୁଡ଼ିକୁ ଦେଖୁଛୁ ।’’

ଟି୧ର ଅଞ୍ଚଳଠାରୁ ପ୍ରାୟ୧୫୦ କିମି ଦୂରରେ ଦେଶାଇଙ୍କ କଥାର ସତ୍ୟତାର ପ୍ରତିଫଳନ ହୋଇଛି । ଅମରାବତୀ ଜିଲ୍ଲାର ଧମାଗାଓଁ ରେଲୱେ ତହସିଲରେ ମାଙ୍ଗ୍ରୁଲ ଦସ୍ତଗୀର ଗାଁରେ ଏକ କିଶୋର ବାଘ ଜଣେ ଲୋକଙ୍କୁ ତାଙ୍କର ଚାଷଜମିରେ ଅକ୍ଟୋବର ୧୯ ତାରିଖରେ ହତ୍ୟା କରିଥିଲା । ତାର ୩ ଦିନ ପରେ ଅମରାବତୀ ସହର ନିକଟରେ ଜଣେ ମହିଳାଙ୍କୁ ଶିକାର କରିଥିଲା । ସେହି ବାଘଟି ତାର ମା’ଠାରୁ ବିଚ୍ଛିନ୍ନ ହୋଇପଡ଼ିଥିବାର ବିଶ୍ୱାସ କରାଯାଏ ।

ଜଙ୍ଗଲ ଅଧିକାରୀମାନଙ୍କ ଅନୁସାରେ ବାଘଟି ଚନ୍ଦ୍ରପୁର ଜିଲ୍ଲାରୁ ପ୍ରାୟ ୨୦୦ କିଲୋମିଟର ଯାତ୍ରା କରି ସେଠାରେ ପହଞ୍ଚିଥିଲା । ଏହି ସମୟ ମଧ୍ୟରେ ସେ ପ୍ରାୟ ଅଣଜଙ୍ଗଲ ଅଞ୍ଚଳ ଦେଇ ଆସିଥିଲା । ଏକ ନୂଆ ସମସ୍ୟା ସୃଷ୍ଟି ହୋଇଥିବାର ସେମାନେ ବିଶ୍ୱାସ କରୁଛନ୍ତି । ସେତେବେଳେ ସେହି ବାଘ ଉପରେ ନଜର ରଖୁଥିବା ଅଧିକାରୀମାନେ କହିଲେ ଏହା ଚନ୍ଦ୍ରପୁରରୁ ପ୍ରାୟ ୩୫୦ କିଲୋମିଟର ଅତିକ୍ରମ କରି ମଧ୍ୟପ୍ରଦେଶରେ ପ୍ରବେଶ କରିଥିଲା ।

 ୟବତମାଲ ଜିଲ୍ଲାର ପଶ୍ଚିମରେ ପ୍ରାୟ ୫୦ କିମି ଦୂରରେ ଥିବା ଟିପେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟରୁ ଟି୧ ବୋଧହୁଏ ଏହି ଅଞ୍ଚଳକୁ ଆସିଛି । ସେ ତା’ ମାର ଦୁଇ ଶାବକଙ୍କ ମଧ୍ୟରୁ ଅନ୍ୟତମ ବୋଲି ଜିଲ୍ଲା ବନ୍ୟପ୍ରାଣୀ ୱାର୍ଡେନ୍ ଓ ବାଘପ୍ରେମୀ ରମଜାନ୍ ବିରାନୀ କହିଲେ । ତାର ଦୁଇ ଶାବକଙ୍କ ପିତା ପୁରୁଷ ବାଘ ଟି୨ ତାର ଅଞ୍ଚଳରେ ରହୁଛି ।

Shafath Ali (left, with the green dart gun) and his team leaving in their patrolling jeep from the base camp in Loni to look for T1, a hunt that finally ended on November 2, after two months of daily tracking, and two years of the tigress remaining elusive
PHOTO • Jaideep Hardikar

team leaving in their patrolling jeep from the base camp in Loni to look for T1, a hunt that finally ended on November 2, after two months of daily tracking, and two years of the tigress remaining elusive

ଟି୧ର ସନ୍ଧାନରେ ଶଫାତ୍ ଅଲ୍ଲୀ(ବାମ, ସବୁଜ ରଙ୍ଗର ବନ୍ଧୁକ ଧରିଥିବା) ଏବଂ ତାଙ୍କର ଟିମ୍ ସେମାନଙ୍କର ପାଟ୍ରୋଲିଂ ଜିପ୍‌ରେ ଲୋନିସ୍ଥିତ ବେସକ୍ୟାମ୍ପ ଛାଡୁଛନ୍ତି । ୨ ମାସ ଧରି ପ୍ରତିଦିନ ଟ୍ରାକ୍ କରାଯିବା ଓ ୨ ବର୍ଷ ଧରି ବାଘୁଣୀ ଚକ୍‌ମା ଦେବା ପରେ ଶେଷରେ ସେହି ସନ୍ଧାନ ନଭେମ୍ବର ୨ ତାରିଖରେ ଅନ୍ତ ହେଲା ।

ବିରାନୀ କହିଲେ, “ସେ ପ୍ରାୟ ୨୦୧୪ ମସିହାରେ ଏହି ବେଲ୍ଟକୁ ଆସିଥିଲା ଏବଂ ଏଇଠି ରହିଗଲା ।’’ ପାନ୍ଧରକୱାଡାରେ ଏକ କଲେଜରେ ଅଧ୍ୟାପକ ଥିବା ବିରାନୀ ଆହୁରି କହିଲେ, “ସେବେଠାରୁ ଆମେ ତାର ଗତିବିଧିକୁ ଟ୍ରାକ୍ କରୁଛୁ; ଗତ ଦଶନ୍ଧି ମଧ୍ୟରେ ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ଏକ ବାଘକୁ ଦେଖିବାକୁ ମିଳିଲା ।’’

ନିକଟସ୍ଥ ଗାଁରେ ରହୁଥିବା ଲୋକମାନେ ତାଙ୍କ କଥାରେ ସମ୍ମତି ପ୍ରକାଶ କଲେ । ସାରତି ଗାଁର ୬୩ ବର୍ଷୀୟ ମୋହନ ଥେପଲେ କହିଲେ, “ମୁଁ କେବେହେଲେ ଏହି ଅଞ୍ଚଳରେ ଏକ ବାଘର ଉପସ୍ଥିତି ସଂପର୍କରେ ଶୁଣିନାହିଁ।’’ ଏବେ ବାଘୁଣୀ ଓ ତାର ଦୁଇ ଶାବକଙ୍କ କାହାଣୀ ସବୁଆଡ଼େ ଶୁଣିବାକୁ ମିଳୁଛି ।

ଏହି ଅଞ୍ଚଳ ବିଦର୍ଭର ଅନ୍ୟ ପ୍ରାକୃତିକ ଦୃଶ୍ୟ ପରି ଚାଷଜମି , ଭିତ୍ତିଭୂମିମୂଳକ ପ୍ରକଳ୍ପ ମଧ୍ୟରେ ଛୋଟ ଜଙ୍ଗଲର ସମାହାର । ନୂଆ ବା ପ୍ରଶସ୍ତ ହୋଇଥିବା ରାସ୍ତା, ବେମ୍ବଲା ଜଳସେଚନ ପ୍ରକଳ୍ପର ଏକ କେନାଲ ଜଙ୍ଗଲ ଅଞ୍ଚଳକୁ ଉଲ୍ଲେଖନୀୟ ଭାବେ ଧ୍ୱଂସ କରିଦେଇଛି ।

ଟି୧ ପ୍ରଥମେ ଜୁନ୍ ୨୦୧୬ରେ ବୋରାତି ଗାଁର ୬୦ ବର୍ଷୀୟା ସୋନାବାଇ ଘୋସଲେ (ବାଘ ଟି୧ର ଆକ୍ରମଣ ଓ ଆତଙ୍କର କାହାଣୀ ଦେଖନ୍ତୁ)ଙ୍କୁ ହତ୍ୟା କରିଥିଲା । ସେତେବେଳେ ତାର ଶାବକ ନଥିଲେ । ୨୦୧୭ର ଶେଷବେଳକୁ ସେ ସେମାନଙ୍କୁ ଜନ୍ମ ଦେଲା । ଅଗଷ୍ଟ ୨୦୧୮ରେ ଟି୧ ୩ ଜଣ ଲୋକଙ୍କୁ ହତ୍ୟା କରିବା ପରେ ବିବାଦ ତୀବ୍ର ହେଲା । ଶେଷଥର ପାଇଁ ଅଗଷ୍ଟ ୨୮ ତାରିଖରେ ପିମ୍ପାଲଶେନ୍ଦ ଗାଁରେ ସେ ଜଣେ ମେଷପାଳକ ଓ ଜଣେ ଚାଷୀ ନାଗୋରାଓ ଜଙ୍ଗହରେ(୫୫)ଙ୍କୁ ହତ୍ୟା କରିଥିଲା ।

ସେତେବେଳକୁ ମୁଖ୍ୟ ସଂରକ୍ଷକ ବାଘୁଣୀକୁ ହତ୍ୟା କରିବା ଲାଗି ନିର୍ଦ୍ଦେଶ ଜାରି କରିସାରିଥିଲେ । ସେହି ନିର୍ଦ୍ଦେଶକୁ ପ୍ରଥମେ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଗଲା। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ସେହି ରାୟକୁ ବଳବତ୍ତର ରଖିଲେ ଯେଉଁଥିରେ ବାଘୁଣୀକୁ ଜିଅନ୍ତା ଧରା ନ ଗଲେ ତାକୁ ‘ନିପାତ’ କରିବାକୁ କୁହାଯାଇଥିଲା ।

ଏହାପରେ କିଛି ସଂରକ୍ଷକ ବାଘୁଣୀ ପାଇଁ ରାଷ୍ଟ୍ରପତିଙ୍କଠାରୁ ରାଜକ୍ଷମା ଆବେଦନ କଲେ ।

ଇତିମଧ୍ୟରେ ବନ ଅଧିକାରୀମାନେ ସୁଟର ଶଫାତ୍ ଅଲ୍ଳୀ ଖାନ୍‌ଙ୍କୁ ନିମନ୍ତ୍ରଣ କରିସାରିଥିଲେ। କିନ୍ତୁ ସଂରକ୍ଷକମାନଙ୍କର ବିକ୍ଷୋଭ ଏବଂ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀଙ୍କ ହସ୍ତକ୍ଷେପ ଯୋଗୁ ତାଙ୍କୁ ଫେରାଇ ଦେଲେ ।

ସେପ୍ଟେମ୍ବର ମାସରେ ମଧ୍ୟପ୍ରଦେଶର ଏକ ବିଶେଷଜ୍ଞ ଟିମ୍‌କୁ ସମନ କରାଗଲା । ସେହି ଟିମ୍ ୪ଟି ହାତୀ ନେଇ ଆସିଲା ଏବଂ ୫ମ ହାତୀକୁ ଚନ୍ଦ୍ରପୁରର ଟାଡୋବା ଅନ୍ଧାରୀ ବାଘ ଅଭୟାରଣ୍ୟରୁ ଅଣାଗଲା ।

ଚନ୍ଦ୍ରପୁରରୁ ଅଣାଯାଇଥିବା ହାତୀ ପଥଭ୍ରଷ୍ଟ ହୋଇ ଏକ ରାତିରେ କେନ୍ଦ୍ରୀୟ ରାଲେଗାଓଁରେ ବେସକ୍ୟାମ୍ପ ସ୍ଥଳ ପାଖରୁ  ପ୍ରାୟ ୩୦ କିମି ଦୂର ଚାହାନ୍ଦ ଓ ପୋହନା ଗାଁର୨ ଜଣ ଲୋକଙ୍କୁ ମାରିଦେବାପରେ ଏହି ଅପରେସନକୁ ବଡ଼ ଧରଣର ଝଟ୍‌କା ଲାଗିଲା । ସେହି ହାତୀଟି ମଧ୍ୟରାତ୍ରିରେ ଚେନ୍‌ରୁ ନିଜକୁ ମୁକୁଳାଇ ନେଇ ଏହି କାଣ୍ଡ କରିଥିଲା ।

ମହାରାଷ୍ଟ୍ରର ଜଙ୍ଗଲ ମନ୍ତ୍ରୀ ସୁଧୀର ମୁଙ୍ଗାନ୍ତିୱର  ମାମଲାରେ ହସ୍ତକ୍ଷେପ କଲେ; ସେ ପୁଣି ଶଫାତ୍ ଅଲ୍ଲୀ ଖାନ୍‌ଙ୍କୁ ଡକାଇଲେ ଓ ବନ୍ୟଶାଖାର ମୁଖ୍ୟ ଏ.କେ ମିଶ୍ରାଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ଡକାଇ ବାଘୁଣୀ ଧରା ପଡ଼ିବା ବା ନ ମରିବା ଯାଏ ପାନ୍ଧରକୱାଡ଼ାରେ ରହିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେଲେ । ଏହାଯୋଗୁ ନାଗପୁରରେ ସଂରକ୍ଷକମାନେ ଆହୁରି ବିକ୍ଷୋଭ କଲେ ।

Forest guards and teams of villagers before starting a foot patrol from the base camp.
PHOTO • Jaideep Hardikar
 A forest trooper of the Special Task Force taking a break before another gruelling day to find T1 at the base camp near Loni village; behind him are the nets and other material that were to be used in the capture
PHOTO • Jaideep Hardikar

ବାମ: ବେସ କ୍ୟାମ୍ପରୁ ପାଦରେ ପାଟ୍ରୋଲିଂ ଆରମ୍ଭ କରିବା ପୂର୍ବରୁ ଜଙ୍ଗଲ ଗାର୍ଡ ଓ ଗ୍ରାମବାସୀମାନଙ୍କର ଟିମ୍ । ଡାହାଣ: ଟି୧ର ସନ୍ଧାନରେ ଆଉ ଏକ କଷ୍ଟକର ଦିନ ଆରମ୍ଭ ହେବା ପୂର୍ବରୁ ସ୍ପେଶାଲ ଟାସ୍କ ଫୋର୍ସର ଜଣେ କର୍ମଚାରୀ ଲୋନି ଗାଁରେ ଥିବା ବେସ୍ କ୍ୟାମ୍ପରେ ବିରତି ନେଉଛନ୍ତି; ତାଙ୍କ ପଛରେ ବାଘୁଣୀକୁ ଧରିବା ପାଇଁ ଥିବା ଜାଲ  ଓ ଅନ୍ୟାନ୍ୟ ଜିନିଷପତ୍ର ରହିଛି ।

ନବାବ ପୁଣିଥରେ କାମରେ ଲାଗିବା ପରେ ତାଙ୍କୁ ବିରୋଧ କରି ସ୍ଥାନୀୟ ବାଘ ସଂରକ୍ଷକ ଓ କିଛି ଜଙ୍ଗଲ ଅଧିକାରୀ ଘଟଣାସ୍ଥଳରୁ ପଳାଇଗଲେ । ସେମାନେ ମଧ୍ୟ ଶଫାତ୍ ଅଲ୍ଲୀଙ୍କର କାର୍ଯ୍ୟପନ୍ଥାକୁ ବିରୋଧ କଲେ । ସେ ବାଘକୁ ଜୀଅନ୍ତା ଧରିହେବନାହିଁ, ତାକୁ ହତ୍ୟା କରିବା ସର୍ବୋତ୍କୃଷ୍ଟ ବିକଳ୍ପ ବୋଲି ବିଶ୍ୱାସ କରିବା ନେଇ ଜଣାଣୁଣା ।

ନବାବ ଏହାପରେ ଗଲ୍ଫଖେଳାଳୀ ଓ କୁକୁର ପାଳନକାରୀ ଜ୍ୟୋତି ରାନ୍ଧୱାଙ୍କୁ ହରିଆନାରୁ ଡକାଇ ପଠାଇଲେ । ସେ ବାଘୁଣୀକୁ ଶୁଘିଂ ବାହାର କରିବା ଲାଗି ତାଙ୍କର ଦୁଇଟି ଇଟାଲିଆନ୍ କେନ୍ କୋର୍ସୋ ପ୍ରଜାତିର କୁକୁରଙ୍କୁ ନେଇ ଆସିଲେ  ।

ପାରା ଗ୍ଲାଇଡରମାନଙ୍କର ଏକ ଟିମ୍, ଡ୍ରୋନ୍ ଅପରେସନ୍ ଏବଂ ଟ୍ରାକରମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଗଲା। କିନ୍ତୁ ସବୁ ବ୍ୟର୍ଥ ହେଲା । ଡ୍ରୋନ୍ ଯୋଗୁ ବହୁତ ଶବ୍ଦ ହେଲା । ସେହି ଅଞ୍ଚଳର ଭୌଗୋଳିକ ସ୍ଥିତି ଏବଂ  ମାଟିରେ ଗଛର ବୃଦ୍ଧି ଯୋଗୁ ପାରାଗ୍ଲାଇଡରମାନେ କୌଣସି ଭାବେ ବ୍ୟବହୃତ ହୋଇପାରିଲେ ନାହିଁ ।

ଅନ୍ୟ ଉପାୟ ଜାଲ, କୁକୁରଙ୍କୁ ନିୟୋଜିତ କରିବା, ପାଦରେ ପାଟ୍ରୋଲିଂ କରିବା ମଧ୍ୟ ଫେଲ୍ ମାରିଲା ।

ଟି୧ ଚକ୍‌ମା ଦେଇ ଚାଲିଲା, ଗ୍ରାମବାସୀମାନେ ଭୟରେ ବ୍ୟତିବ୍ୟସ୍ତ ହେଲେ । ସାରା ସେପ୍ଟେମ୍ବର ମାସ ଏବଂ ଅକ୍ଟୋବର ମାସର ପ୍ରଥମାର୍ଦ୍ଧ ଯାଏ କିଛି ହେଲା ନାହିଁ ।

* * * * *

ତା’ ପରେ ଏକ ସୂଚନା ମିଳିଲା । ସେ ଆଖପାଖରେ ଅଛି ।

ଅକ୍ଟୋବର ୧୭ ତାରିଖରେ ଏକ ଟ୍ରାକିଂ ଟିମ୍ ଉତ୍କଣ୍ଠିତ ହୋଇ ଫେରିଲେ; ଟି୧ ବେସ୍ କ୍ୟାମ୍ପର ଆଖପାଖରେ ବୁଲୁଥିଲା । ସେମାନେ ତାକୁ ବେସ୍ କ୍ୟାମ୍ପଠାରୁ ୩ କିମି ଦୂର ସାରତି ଗାଁରେ ଯେଉଁଠାରେ ଟି୧ ଅଗଷ୍ଟ ୨୦୧୭ରେ ଜଣେ ଯୁବ ଚାଷୀଙ୍କୁ ମାରିଥିଲା ସେଠାରେ ଦେଖିଥିବାର କହିଲେ ।

ଉତ୍କଣ୍ଠାର ସହ ଟିମ୍ କାମରେ ଲାଗିପଡ଼ିଲା ଏବଂ ସେମାନେ ଘଟଣାସ୍ଥଳକୁ ଗଲେ । ସେ ସେଠାରେ ଥିଲା ।  ଘେରାଉ କରାଯିବା ପରେ କ୍ରୋଧିତ ବାଘୁଣୀ ଟିମ୍‌ର ଜଣେ ସଦସ୍ୟଙ୍କ ଉପରେ ଆକ୍ରମଣ କଲା । ସାର୍ପସୁଟରମାନେ ଟ୍ରାଙ୍କୁଲାଇଜର ବ୍ୟବହାର କରିବାର ଚିନ୍ତାଧାରାକୁ ଛାଡ଼ିଲେ ଏବଂ ବେସ୍‌କ୍ୟାମ୍ପକୁ ଫେରିଲେ । ଯେତେବେଳେ ବାଘୁଣୀ ତୁମ ଆଡକୁ ଆକ୍ରମଣ କରିବାକୁ ଆସୁଥିବ ସେତେବେଳେ ତୁମେ ତା’କୁ ଗୁଳି କରିପାରିବ ନାହିଁ ।

କିନ୍ତୁ ତାହା ଭଲ ଖବର । ପ୍ରାୟ ୪୫ ଦିନ ପରେ ଟି୧ ଲୁଚିବା ଛାଡ଼ି ବାହାରକୁ ଆସିଲା । ଏବେ ତାର ଗତିବିଧିକୁ ଟ୍ରାକ୍ କରିବା ସହଜ ହେବ । କିନ୍ତୁ ତାକୁ ଧରିବା ଏବେ ମଧ୍ୟ କଷ୍ଟକର ଓ ବିପଦପୂର୍ଣ୍ଣ ।

* * * * *

ଶଫାତ ଅଲ୍ଲୀ କହିଲେ, “ଏହା ଏକ କଷ୍ଟକର ଅପରେସନ୍ ।’’ “ତାର ଶାବକମାନେ ଆଉ ଛୁଆ ହୋଇନାହାନ୍ତି । ସେମାନେ ବର୍ଷକର ହୋଇଯାଇଥିବା ବେଳେ ଏକାଥରକେ ୬-୭ ଜଣ ଲୋକଙ୍କର ମୁକାବିଲା କରିବାକୁ ସେମାନେ ସମର୍ଥ ।’’ ତେଣୁ ଟ୍ରାକରମାନେ ଗୋଟିଏ ବାଘୁଣୀ ନୁହେଁ ୩ଟି ବାଘକୁ ଟ୍ରାକ୍ କରୁଥିଲେ ।

ମହାରାଷ୍ଟ୍ରର ଜଙ୍ଗଲ ଅଧିକାରୀମାନେ ସାମ୍ବାଦିକମାନଙ୍କୁ ଏ ସଂପର୍କରେ କିଛି କହିବାକୁ ମନା କରିବା ପରେ ଶଫାତ ଅଲ୍ଲୀ ଏବଂ ହାଇଦ୍ରାବାଦରୁ ଆସିଥିବା ତାଙ୍କ ଟିମ୍ ଏହି ଅପରେସନ୍ ସଂପର୍କରେ ଟିକିନିଖି ସୂଚନା ଦେଉଥିଲେ ।

ଜଣେ ଚଷମାଧାରୀ ଯୁବ ରେଞ୍ଜ ଜଙ୍ଗଲ ଅଧିକାରୀ ଏକ ମରାଠୀ ନ୍ୟୁଜ ଚ୍ୟାନେଲର ଟିଭି କ୍ର୍ରୁ ସଂପର୍କରେ କହିଲେ, “ଏହା ଖୁବ୍ ହସ୍ତକ୍ଷେପ ହୋଇଯାଉଛି ।’’ ଶଫାତ ଅଲ୍ଲୀ ସାମ୍ବାଦିକମାନଙ୍କ ସହ କଥା ହେବାକୁ ସେ ପସନ୍ଦ କରୁନଥିଲେ ।

ଜଙ୍ଗଲ ଅଧିକାରୀମାନେ ଜନତାଙ୍କ ଚାପ ଓ ରାଜନୈତିକ  ଉପହାସର ଶିକାର ହେଉଥିଲେ । ଶଫାତ ଅଲ୍ଳୀ ଅଭିଯାନର ନେତୃତ୍ୱ ନେବାପରେ ଅପରେସନ୍‌ରୁ ବାହାରି ଆସିଥିବା ପାନ୍ଧରକୱାଡାର ଜଣେ ସ୍ଥାନୀୟ ବନ୍ୟପ୍ରାଣୀ ସଂରକ୍ଷକ କହିଲେ, “ସେମାନଙ୍କୁ ହିଁ ଏଥିପାଇଁ ଦାୟୀ କରାଯିବା କଥା । ସେମାନେ ପରିସ୍ଥିତିକୁ ସେମାନଙ୍କ ହାତରୁ ଖସିଯିବାକୁ ସୁଯୋଗ ଦେଲେ ।’’

ବେସ୍ କ୍ୟାମ୍ପରେ ଏକ କାଠ ଖୁଣ୍ଟରେ  ଟଙ୍ଗା ହୋଇଥିବା ସେହି ଅଞ୍ଚଳର ଏକ ବଡ଼ ମାନଚିତ୍ରରେ ଏକ ଅଞ୍ଚଳକୁ ନାଲି ଗାର ଦ୍ୱାରା ଚିହ୍ନିତ କରାଯାଇଥିଲା । ତାହା ଗତ ୨ ବର୍ଷ ହେଲା ଟି୧ର ଗତିବିଧିର ସୂଚନା ଦେଉଥିଲା । 

ପାହାଡଚଢାରୁ ଫେରି ନିଜକୁ ଥଣ୍ଡା କରୁଥିବା ଜଣେ ଯୁବ ଗାର୍ଡ ବୁଝାଇଲେ, “ଏହା ଯେମିତି ଦେଖାଯାଉଛି ସେମିତି ସମତଳ ନୁହେଁ ।’’ “ଏଠାରେ ଅସମାନ ପାହାଡ଼, ଅନେକ ଚାଷଜମି, ବଣୁଆ ଗଛ, ଠାଏଁ ଠାଏଁ ବୁଦୁବୁଦୁକିଆ ଜଙ୍ଗଲ, ଘନ ଜଙ୍ଗଲ, ଛୋଟ ନଦୀର ଶାଖା ଓ ଟ୍ୟାଙ୍କ ରହିଛି- ଏହା ଜଟିଳ ।’’

ପ୍ରତି ୮ଘଣ୍ଟାରେ ସେ ସ୍ଥାନ ପରିବର୍ତ୍ତନ କରୁଛି । କେବଳ ରାତିରେ ହିଁ ସେ ତାର ଗତିବିଧି ଜାରି ରଖୁଛି ।

ଅକ୍ଟୋବର ୨୧ ତାରିଖରେ ସାରତି ଗାଁର ଜଣେ ଗ୍ରାମବାସୀ ବାଘୁଣୀ ଓ ତାର ଶାବକମାନଙ୍କୁ ବିଳମ୍ବିତ ସନ୍ଧ୍ୟାରେ ଦେଖିଲେ। ସେ ଭୟରେ ଦୌଡ଼ି ଘରକୁ ପଳାଇ ଆସିଲେ । ଏକ ଟ୍ରାକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଲା। ସେତେବେଳକୁ ବାଘୁଣୀ ଓ ତାର ଦୁଇ ଶାବକ ଅନ୍ଧାରରେ ଲୁଚି ଯାଇଥିଲେ ।

ଅକ୍ଟୋବର ମାସର ଦ୍ୱିତୀୟାର୍ଦ୍ଧ ଯାଏ ଅନେକ ଟିମ୍ ଅତି ପାଖରୁ ଟି୧ ଓ ତାର ଦୁଇ ଶାବକଙ୍କ ଉପରେ ନଜର ରଖିଥିଲେ । ଅକ୍ଟୋବର ୨୫-୩୧ ତାରିଖ ମଧ୍ୟରେ ଦୁଇଜଣ ଗ୍ରାମବାସୀ ସେମାନଙ୍କ କବଳରୁ ଅଳ୍ପକେ ରକ୍ଷା ପାଇଗଲେ। ଜଣେ ବୋରାତି ଅନ୍ୟଜଣେ ଆଟମୁରୁଡ଼ି ଗାଁରେ ବାଘର ସାମ୍ନା କରିଥିଲେ ।(ଦେଖନ୍ତୁ ‘ଯେତେବେଳେ ମୁଁ ତାଙ୍କୁ ଘରେ ଦେଖିଲି, ମୁଁ ବାଘକୁ ଧନ୍ୟବାଦ ଦେଲି’)

Even two dogs of an Italian breed were summoned for the tiger-tracking.
PHOTO • Jaideep Hardikar
T1’s corpse was sent to Gorewada zoo in Nagpur  for a postmortem

ବାମ: ଏପରିକି ଇଟାଲିଆନ୍ ପ୍ରଜାତିର ଦୁଇଟି କୁକୁରକୁ ବାଘକୁ ଟ୍ରାକ୍ କରିବାକୁ ଅଣାଯାଇଥିଲା । ଡାହାଣ: ଟି୧ର ମୃତଦେହକୁ ନାଗପୁରର ଗୋରେୱାଡା ଜଙ୍ଗଲକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ।

ଇତିମଧ୍ୟରେ ଏକ ବୈଠକରେ ଯୋଗ ଦେବା ପାଇଁ ଶଫାତ ଅଲ୍ଲୀଙ୍କୁ ବିହାରକୁ ଆସିବାକୁ ପଡ଼ିଲା । ତାଙ୍କର ପୁଅ ଅସଗର ଅଲ୍ଲୀ ତାଙ୍କର ସାର୍ପସୁଟରମାନଙ୍କ ଟିମ୍‌ର ନେତୃତ୍ୱ ନେଲେ । ସାରା ଭାରତର ବନ୍ୟପ୍ରାଣୀ ସାମାଜିକ କର୍ମୀମାନେ ଟି୧କୁ ରକ୍ଷା କରିବା ଲାଗି ପିଟିସନ୍ ପକାଇବା ଜାରି ରଖିଥିଲେ । ଘଟଣାସ୍ଥଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲା । କପା ଫସଲ ଅମଳ ପାଇଁ ପ୍ରସ୍ତୁତ ହୋଇଯାଇଥିଲା, କିନ୍ତୁ ରାଲେଗାଓଁ ତହସିଲରେ ଚାଷୀମାନେ ଭୟଭୀତ ରହିଥିଲେ ।

ନଭେମ୍ବର ୨ ତାରିଖରେ ଅନେକ ଗ୍ରାମବାସୀ ରାଲେଗାଓଁ ଆଡକୁ ଯାଉଥିବା ରାସ୍ତାରେ ଟି୧କୁ ବୋରାତି ଆଖପାଖରେ ବୁଲୁଥିବାର ଦେଖିଲେ । ସେ ତାର ଶାବକମାନଙ୍କ ସହିତ ଥିଲା। ଅସଘର ଓ ତାଙ୍କ ସହଯୋଗୀମାନଙ୍କୁ ନେଇ ଏକ ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳକୁ ଗଲା । ନଭେମ୍ବର  ୩ ତାରିଖରେ ଶଫାତ୍ ଅଲ୍ଲୀ ବେସ୍ କ୍ୟାମ୍ପକୁ ଫେରିଆସିଲେ ।

ନଭେମ୍ବର ୩ ତାରିଖରେ ମହାରାଷ୍ଟ୍ରର ଜଙ୍ଗଲ ବିଭାଗ ଦ୍ୱାରା ଜାରି ଏକ ବୟାନରେ ଟି୧କୁ ପୂର୍ବଦିନ ରାତି ପ୍ରାୟ ୧୧ଟା ସମୟରେ ହତ୍ୟା କରାଯାଇଥିବା ନେଇ ସୂଚନା ଦିଆଗଲା । ଏହା ଦେଶରେ ଦୀର୍ଘଦିନ ଧରି ଚାଲିଥିବା ଅପରେସନ୍ ମଧ୍ୟରୁ ଅନ୍ୟତମ ଏହି ଅପରେସନ୍ ଉପରେ ପର୍ଦ୍ଦା ପକାଇଲା ।

ସରକାରୀ ସୂଚନା ଅନୁସାରେ ଯେତେବେଳେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବାର ଉଦ୍ୟମ ବିଫଳ ହେଲା ଏବଂ ସେ ପାଟ୍ରୋଲିଂ ଟିମ୍‌କୁ ଆକ୍ରମଣ କରିବାକୁ ଉଦ୍ୟତ ହେଲା, ଖୋଲା ଜିପ୍‌ରେ ଥିବା ଅସଘର ଆତ୍ମରକ୍ଷା ପାଇଁ ତାଙ୍କ ରାଇଫଲର ଟ୍ରିଗର ଦବାଇଦେଲେ। ଗୋଟିଏ ଗୁଳିଲେ ବାଘୁଣୀ ନିପାତ ହେଲା ।

ଟି୧ର ଶବକୁ ନାଗପୁରର ଗୋରେୱାଡା ଚିଡ଼ିଆଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ପିସିସିଏଫ୍ (ବନ୍ୟପ୍ରାଣୀ) ଏ.କେ ମିଶ୍ରା ସାମ୍ବାଦିକମାନଙ୍କୁ କହିଲେ ଯେ, ସେମାନେ ଟି୧ର ଦୁଇଟି ଶାବକକୁ ଧରିବା ପାଇଁ ସାନି ଯୋଜନା କରୁଛନ୍ତି ।

ରାଲେଗାଓଁରେ ଗ୍ରାମବାସୀମାନେ ଆଶ୍ୱସ୍ତ ଅଛନ୍ତି, କିନ୍ତୁ ବନ୍ୟପ୍ରାଣୀ ସାମାଜିକ କର୍ମୀମାନେ କ’ଣ ପାଇଁ ଟି୧ କୁ ଗିରଫ କରାଗଲା ଏବଂ ଆଇନକୁ ଉଲ୍ଲଂଘନ କରାଗଲା ସେଥିନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରୁଛନ୍ତି ।

ଗୋଟିଏ ବାଘୁଣୀର ମୃତ୍ୟୁ ହେଲା । କିନ୍ତୁ ମଣିଷ-ବାଘ ଲଢେଇ ଏବେ ବି ଜାରି ରହିଛି ।

ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jaideep Hardikar

Jaideep Hardikar is a Nagpur-based journalist and writer, and a PARI core team member.

Other stories by Jaideep Hardikar