୨୦୧୫ ମସିହା ନଭେମ୍ବର ମାସରେ ଶିଖା ମଣ୍ଡଳ ତାଙ୍କର ସ୍ୱାମୀ ଅସିତଙ୍କୁ ହରାଇଲେ । ଶିଖା କହନ୍ତି, ‘‘ ସେ ଅନ୍ୟ ଦୁଇଜଣଙ୍କ ସହ ବାଗନବାରି ଜଙ୍ଗଲରେ ଥିବା ଗରଲ ନଦୀକୁ କଙ୍କଡ଼ା ଧରିବାକୁ ଯାଇଥିଲେ । ଅନ୍ୟ ଦୁଇଜଣଯାକ ଫେରିଆସି ମୋତେ ବାଘ ମୋ ସ୍ୱାମୀକୁ ନେଇଯାଇଥିବା କଥା ଜଣାଇଲେ ।’’ ମୃତ୍ୟୁ ବେଳକୁ ଅସିତ ମଣ୍ଡଳଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା । ସେ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ତାଙ୍କର ଦୁଇ ପୁଅ ସ୍କୁଲ ଯାଉଛନ୍ତି ।

କ୍ଷତିପୂରଣ ଦାବିରିବାକୁ ବଦ୍ଧପରିକର ଥିବା ପଶ୍ଚିମବଙ୍ଗର ଗୋସାବା ବ୍ଲକର ଜହର କଲୋନି ଗାଁର ବାସିନ୍ଦା ଶିଖା ତାଙ୍କୁ ସାହାଯ୍ୟ କରିବାକୁ ଜଣେ ଓକିଲକୁ ୧୦ ହଜାର ଟଙ୍କା ଦେଲେ ।  ‘‘ ଅନେକଗୁଡ଼ିଏ କାଗଜପତ୍ର ଏକତ୍ରିତ କରିବାକୁ ଥିଲା । ପୁଲିସ ଏବଂ ଜଙ୍ଗଲ ବିଭାଗଠାରୁ ନୋ ଅବଜେକ୍ସନ୍ ସାର୍ଟିଫିକେଟ୍(ଏନ୍ଓସି), ଇନ୍ସ୍ୟୁରାନ୍ସ କାର୍ଡ , ଗାଁର ପ୍ରଧାନଙ୍କଠାରୁ ଏକ ଚିଠି ଏବଂ ଏକ ମୃତ୍ୟୁ ସାର୍ଟିଫିକେଟ୍ ଯୋଗାଡ଼ କରିବାକୁ ଥିଲା ।’’

ଓକିଲ ଜଣକ ଇନ୍ସ୍ୟୁରାନ୍ସ କଂପାନିଠାରୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଆଦାୟ କରିବାରେ ସଫଳ ହେଲେ । କିନ୍ତୁ ଜଙ୍ଗଲ ବିଭାଗ ପକ୍ଷରୁ ଶିଖାଙ୍କୁ ଏନ୍ଓସି ଦେବାକୁ ମନା କରାଗଲା । କାରଣ ତାଙ୍କର ସ୍ୱାମୀ ଜଙ୍ଗଲର କୋର ଅଞ୍ଚଳ(ଅଭ୍ୟନ୍ତର ବା ଗଭୀର ଜଙ୍ଗଲ)ରେ ପ୍ରାଣ ହରାଇଥିଲେ । ଇନ୍ସ୍ୟୁରାନ୍ସ କଂପାନି ଏ ପର୍ଯ୍ୟନ୍ତ ତାଙ୍କର କାଗଜପତ୍ର ଫେରାଇ ନାହିଁ ।

ଶିଖା ଏବେ କଙ୍କଡ଼ା ଓ ଚିଙ୍ଗୁଡ଼ି ଧରୁଛନ୍ତି, କୃଷି ଶ୍ରମିକ ପରି କିଛି ଛୋଟମୋଟ କାମ କରୁଛନ୍ତି । କୌଣସି ମତେ ସେ ନିଜ ପୁଅମାନଙ୍କୁ  ସ୍କୁଲ୍  ପଠାଇବାରେ ସଫଳ ହେଉଛନ୍ତି । ତେବେ ଅର୍ଥାଭାବରୁ ସେ ଏବଂ ତାଙ୍କର ପିଲାମାନେ ଏବେ ତାଙ୍କର ଜଣେ ମାମୁଁଙ୍କ ଘରେ ରହୁଛନ୍ତି ।

ସୁନ୍ଦରବନରେ ଏହିପରି ହଜାର ହଜାର ମହିଳା ବାଘ ଆକ୍ରମଣରେ ସେମାନଙ୍କର ସ୍ୱାମୀଙ୍କୁ ହରାଇଛନ୍ତି । ପୂର୍ବ ଭାରତରେ ପ୍ରାୟ ୪,୨୦୦ ବର୍ଗ କିମି ଅଞ୍ଚଳରେ ଏହି ତ୍ରିକୋଣଭୂମି ଅଞ୍ଚଳ ପରିବ୍ୟାପ୍ତ । ଏହା ବିଶ୍ୱର ସବୁଠୁ ବଡ଼ ହେନ୍ତାଳ ଜଙ୍ଗଲ ଯାହାକି ବାଘ ପାଇଁ ମଧ୍ୟ ପ୍ରସିଦ୍ଧ ।

ପରିସ୍ଥିତି ଆହୁରି ଖରାପ ହୋଇଯାଏ ଯେତେବେଳେ ଲୋକମାନେ କୋର୍ ଅଞ୍ଚଳ(ଗଭୀର ଜଙ୍ଗଲ)ରେ ପ୍ରାଣ ହରାନ୍ତି । ସେ ଅନୁମତି ନେଇ ହେଉ ବା ବିନା ଅନୁମତିରେ ସେଠାକୁ ଗ୍ରାମବାସୀମାନଙ୍କର ପ୍ରବେଶକୁ ବିଲକୁଲ ନିଷେଧ କରାଯାଇଥାଏ । 

ଭିଡିଓ ଦେଖନ୍ତୁ: ୨୦୧୫ରେ ସ୍ୱାମୀ ପ୍ରାଣ ହରାଇବା ପରେ କ୍ଷତିପୂରଣ ପାଇବା ପାଇଁ ତାଙ୍କର ସଂଘର୍ଷକୁ ଶିଖା ମଣ୍ଡଳ ବର୍ଣ୍ଣନା କରୁଛନ୍ତି ।

ହିଙ୍ଗଳାଗଞ୍ଜ, ଗୋସାବା, କୁଲଟାଲି, ପଥରପ୍ରତିମା ଏବଂ ବସନ୍ତୀ ବ୍ଲକ୍‌ର ଜଙ୍ଗଲରେ ଥିବା ବାଘମାନେ ସେଠାକାର ଗ୍ରାମବାସୀମାନଙ୍କ ପ୍ରତି ଖୁବ୍ ବିପଦ ଯେଉଁମାନେ କି ଦୈନନ୍ଦିନର ଆବଶ୍ୟକତା ପୂରଣ ତଥା ଜୀବିକାର୍ଜନ ପାଇଁ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି । ଏହି ସବୁ ବ୍ଲକ୍ ସୁନ୍ଦରବନ ଜାତୀୟ ପାର୍କ (ଏବଂ ବାଘ ଉଦ୍ୟାନ)ର ନିକଟରେ ରହିଛି । ସୁନ୍ଦରବନ ନ୍ୟାସନାଲ ପାର୍କରେ ୧୭୦୦ ବର୍ଗ କିମିର କୋର ଏରିଆ (ଗଭୀର ଜଙ୍ଗଲ) ଏବଂ ୯୦୦ ବର୍ଗ କିମିର ବଫର ଏରିଆ ରହିଛି । ବଫର ଏରିଆରେ ପ୍ରବେଶ ପାଇଁ ଲୋକମାନଙ୍କୁ କିଛି ପରିମାଣରେ ଅନୁମତି ଦିଆଯାଇଥାଏ । ସାଧାରଣତଃ ଏହି ସବୁ ଗାଁର ପୁରୁଷମାନେ ମାଛ ଏବଂ କଙ୍କଡ଼ା ଧରିବା କିମ୍ବା ମହୁ ଓ କାଠ ସଂଗ୍ରହ କରିବା ଲାଗି ଜଙ୍ଗଲକୁ ଯାଇଥାନ୍ତି । ବାଘ ସହିତ ମୁହାଁମୁହିଁ ହେଲେ ଅଧିକାଂଶ ସମୟରେ ସେମାନେ ପ୍ରାଣ ହରାଇଥାନ୍ତି ।

ସୁନ୍ଦରବନରେ ଏହିଭଳି ଭାବେ ବିଧବା ହୋଇଥିବା ମହିଳାଙ୍କ ସଂପର୍କରେ ନିର୍ଦ୍ଦିଷ୍ଟ ପରିସଂଖ୍ୟାନ ନାହିଁ । କିନ୍ତୁ ସ୍ଥାନୀୟ ଲୋକେ, ଅଣ ସରକାରୀ ସଂସ୍ଥା ଏବଂ ଅନ୍ୟମାନଙ୍କର ଆକଳନ ଅନୁସାରେ ତାହା ୩ ଦଶନ୍ଧିରେ ଅତି କମ୍‌ରେ ୩୦୦୦ ହେବ- ବା ବର୍ଷକୁ ପ୍ରାୟ ୧୦୦ ଜଣ ।

ସ୍ୱେଚ୍ଛାସେବୀ ସଂଗଠନ ସୁନ୍ଦରବନ ରୁରାଲ ଡେଭଲପମେଣ୍ଟ ସୋସାଇଟିର ପରିଚାଳନା କରୁଥିବା ଅର୍ଜ୍ଜୁନ ମଣ୍ଡଳ କହନ୍ତି, ‘‘ ୨୦୧୧ ମସିହାରୁ ଗୋସାବାର ଲାହିରପୁର ଗ୍ରାମ ପଞ୍ଚାୟତ ଅଞ୍ଚଳ(୨୨ଟି ଗାଁକୁ ନେଇ ଗଠିତ)ରେ ପ୍ରାୟ ୨୫୦ ଜଣ ମହିଳା ବାଘ ଆକ୍ରମଣରେ ସେମାନଙ୍କର ସ୍ୱାମୀଙ୍କୁ ହରାଇଛନ୍ତି ।’’ ଅର୍ଜ୍ଜୁନଙ୍କର ସଂଗଠନ ‘‘ବାଘ ଆକ୍ରମଣରେ ବିଧବା ହୋଇଥିବା’’ ମହିଳାମାନଙ୍କର ମଙ୍ଗଳ ପାଇଁ କାମ କରୁଛି । ସେ ଆହୁରି କହନ୍ତି, ‘‘ କାହାକୁ ଜଣକୁ ବି କ୍ଷତିପୂରଣ ମିଳିନାହିଁ ।’’

ଏହି ମହିଳାମାନେ ପଶ୍ଚିମବଙ୍ଗ ସରକାରଙ୍କ ଜଙ୍ଗଲ ବିଭାଗ, ମତ୍ସ୍ୟ ବିଭାଗ ଏବଂ ରାଜ୍ୟର ଗ୍ରୁପ୍ ପର୍ସନାଲ ଆକ୍ସିଡେଣ୍ଟ ଇନସ୍ୟୁରାନ୍ସ ସ୍କିମ୍‌ରୁ ମୋଟ ୪-୫ ଲକ୍ଷ ଟଙ୍କା କ୍ଷତିପୂରଣ ପାଇବା କଥା । କିନ୍ତୁ ସେ ନେଇ ଅନେକ ସର୍ତ୍ତାବଳୀ ରହିଛି । ସେଥିମଧ୍ୟରୁ କିଛି ସର୍ତ୍ତାବଳୀ ସଂପର୍କରେ ଅର୍ଜୁନ କହନ୍ତି, ‘‘ଏଥିପାଇଁ ମହିଳାଙ୍କର ସ୍ୱାମୀ ଜଙ୍ଗଲର କୋର ଅଞ୍ଚଳରେ ମରିନଥିବା ଆବଶ୍ୟକ, ତାଙ୍କ ନିକଟରେ ବୋଟ୍ ଲାଇସେନ୍ସ ସାର୍ଟିଫିକେଟ୍ (ବିଏଲସି) ଏବଂ ଜଙ୍ଗଲ ବିଭାଗ ନିକଟରୁ ଏକ ଅନୁମତିପତ୍ର ଥିବା ଆବଶ୍ୟକ । ଏହାକୁ ବାଦ୍ ଦେଲେ ମହିଳା ଜଣକୁ କ୍ଷତିପୂରଣ ପାଇଁ ବିଭିନ୍ନ ବିଭାଗରେ ଅନେକ କାଗଜପତ୍ର ଦାଖଲ କରିବାକୁ ପଡ଼ିଥାଏ ।’’

ଅଜାଣତରେ ଗାଁର  ଲୋକମାନେ ଜଙ୍ଗଲର କୋର ଅଞ୍ଚଳକୁ ପଳାଇଥାନ୍ତି । ନିଜେ ଜଣେ ମତ୍ସ୍ୟଜୀବୀ ହୋଇଥିବା ଅର୍ଜୁନ କହନ୍ତି, ‘‘କେଉଁଠାରେ ବରଫ ଅଞ୍ଚଳ ଶେଷ ହେଉଛି ଏବଂ କୋର ଅଞ୍ଚଳ ଆରମ୍ଭ ହେଉଛି ତାହା ଆମେ ଜାଣିପାରୁନା । ସରକାର ଖୁବ୍ କମ୍ ବିଏଲସି ଜାରି କରନ୍ତି ଏବଂ ସମସ୍ତେ ଏହାକୁ ପାଇପାରନ୍ତି ନାହିଁ । ସେହିପରି ଅନୁମତି ପାଇବା ମଧ୍ୟ ଜଙ୍ଗଲ ବିଭାଗର ଇଚ୍ଛା ଉପରେ ନିର୍ଭର କରିଥାଏ ।’’

ତେଣୁ ଯେଉଁ ଲୋକମାନେ ବିଏଲସି ବା ଅନୁମତି ପାଇନଥାନ୍ତି ସେମାନଙ୍କର ପତ୍ନୀମାନଙ୍କ ସାମ୍ନାରେ ପ୍ରତିବନ୍ଧକ ଆସିଥାଏ । ପରିସ୍ଥିତି ଆହୁରି ଜଟିଳ ହୋଇଯାଏ ଯେତେବେଳେ ଲୋକମାନେ କୋର ଅଞ୍ଚଳରେ ପ୍ରାଣ ହରାଇଥାନ୍ତି । ସେ ଅନୁମତି ନେଇ ହେଉ ବା ବିନା ଅନୁମତିରେ କୋର ଅଞ୍ଚଳକୁ ଗ୍ରାମବାସୀଙ୍କ ପ୍ରବେଶ ନିଷେଧ ହୋଇଥାଏ ।

ଗୋସାବା ବ୍ଲକ୍‌ର ପଥରପଡ଼ା ଗାଁର ୪୦ ବର୍ଷୀୟ ନମିତା ବିଶ୍ୱାସଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି । ତାଙ୍କର ସ୍ୱାମୀ ମନୋରଞ୍ଜନ ଜଣେ ମତ୍ସ୍ୟଜୀବୀ ହୋଇଥିବାବେଳେ ଫେବ୍ରୃଆରୀ ୨୦୧୫ରେ ଜଙ୍ଗଲର କୋର୍ ଅଞ୍ଚଳରେ ବାଘ ଆକ୍ରମଣର ଶିକାର ହୋଇଥିଲେ ।  ସେ ବର୍ତ୍ତିଗଲେ ଏବଂ ଏକ ହସ୍ପିଟାଲରେ ଭର୍ତ୍ତି ହେଲେ । କିନ୍ତୁ ଡିସଚାର୍ଜ ହେବାର କିଛି ଦିନ ପରେ ତାଙ୍କର ମୃତ୍ୟୁ ହେଲା । ନମିତା କହନ୍ତି, ‘‘ ତାଙ୍କର ମୁଣ୍ଡରେ ହୋଇଥିବା କ୍ଷତରୁ ସଂକ୍ରମଣ ଶୁଖିଲା ନାହିଁ । ମୋର ସ୍ୱାମୀଙ୍କ ନିକଟରେ ଏକ ବିଏଲସି ଥିଲା । କିନ୍ତୁ ପୁଲିସ ମୋର ବୟାନ ଗ୍ରହଣ କରିବାକୁ ମନା କଲା । କ୍ଷତିପୂରଣ ପାଇବା ଲାଗି ଆମେ ଆମର ସମସ୍ତ କାଗଜପତ୍ର ଏବଂ ମେଡିକାଲ ବିଲ୍‌କୁ ଜଙ୍ଗଲ ବିଭାଗକୁ ଦେଲୁ । ବର୍ତ୍ତମାନ ଯାଏ କିନ୍ତୁ ଟଙ୍କା ଆସିନାହିଁ । ମୋ ପରି ଏଭଳି ଆହୁରି ଅନେକ ବିଧବା ଅଛନ୍ତି । ସରକାର ଆମକୁ ଅତି କମ୍‌ରେ ମାସକୁ ପେନସନ୍ ଦେବା କଥା ।’’

Purmila Burman’s documents have been taken away by a middleman who has disappeared
PHOTO • Urvashi Sarkar

ସ୍ୱାମୀଙ୍କ ମୃତ୍ୟୁ ପାଇଁ କ୍ଷତିପୂରଣ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣେ ଏଜେଣ୍ଟଙ୍କ ଦ୍ୱାରା ପୂର୍ମିଳା ବର୍ମନ ଠକେଇର ଶିକାର ହୋଇଥିଲେ

ଶିଖା ଓ ନମିତା  ଏବେ ମଧ୍ୟ କ୍ଷତିପୂରଣ ପାଇଁ ଅପେକ୍ଷା କରିଥିବାବେଳେ ପଥରପଡ଼ାର ୫୫ ବର୍ଷୀୟା ପୂର୍ମିଳା ବର୍ମନଙ୍କର କିନ୍ତୁ ସେଭଳି ଆଶା ନାହିଁ । ୨୦୧୬ ମସିହା ମାର୍ଚ୍ଚ ମାସରେ ତାଙ୍କର ମତ୍ସ୍ୟଜୀବୀ ସ୍ୱାମୀ ଶୁଭେନ୍ଦୁ କୋର ଅଞ୍ଚଳରେ ବାଘ ଆକ୍ରମଣରେ ପ୍ରାଣ ହରାଇଥିଲେ । ପୂର୍ମିଳା କହନ୍ତି, ‘‘ଶୁଭେନ୍ଦୁଙ୍କର ମୃତ୍ୟୁ ପରେ ଜଣେ ଦଲାଲ ମୋତେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଲେ । ସେ ସାହାଯ୍ୟ କରିବେ ବୋଲି ବିଶ୍ୱାସ କରି ମୁଁ ମୋର ସମସ୍ତ କାଗଜପତ୍ର ଏକତ୍ରିତ କରି ତାଙ୍କୁ ଦେଲି ।’’ ସେବେଠାରୁ ଏଜେଣ୍ଟ ଜଣକ ସମସ୍ତ କାଗଜପତ୍ର ଧରି ଫେରାର ହୋଇଯାଇଛନ୍ତି ଏବଂ ତାଙ୍କୁ କୌଣସି କ୍ଷତିପୂରଣ ମିଳିନାହିଁ ।

ଏଭଳି କାହାଣୀରେ ସୁନ୍ଦରବନ ପରିପୂର୍ଣ୍ଣ । କିଛି ପରିବାରରେ କେଇ ପିଢିର ମହିଳାମାନେ ବାଘ ଆକ୍ରମଣରେ ସେମାନଙ୍କର ସ୍ୱାମୀଙ୍କୁ ହରାଇଛନ୍ତି । ଯେଉଁ ସବୁ ଗାଁରେ ଏହା ଘଟିଛି ସେଥିମଧ୍ୟରୁ ଅଧିକାଂଶରେ ‘ବିଧବା ପଡ଼ା’ ରହିଛି । ସେଠାକାର ଅଧିକାଂଶ ଘରେ ମହିଳାମାନଙ୍କ ଜୀବନ ଦୁଃଖ ଓ ଗରିବି ମଧ୍ୟରେ କଟୁଛି । ସେମାନଙ୍କ ପାଇଁ ଆଉ ଥରେ ବାହା ହେବା କଷ୍ଟକର ।

୨୦୧୬ ମସିହା ଜୁଲାଇ ମାସରେ ଏହି ଲେଖକ ୩ଟି ଭିନ୍ନ ଭିନ୍ନ ଆରଟିଆଇ ଆବେଦନ କରିଥିଲା । ସେଥିରେ ପଶ୍ଚିମବଙ୍ଗ ସରକାରଙ୍କ ମତ୍ସ୍ୟ ବିଭାଗ, ଜଙ୍ଗଲ ବିଭାଗ ଏବଂ ସୁନ୍ଦରବନ ବ୍ୟାପାର ବିଭାଗ ପକ୍ଷରୁ ବାଘ ଆକ୍ରମଣ ଯୋଗୁ ବିଧବା ହୋଇଥିବା ମହିଳାଙ୍କୁ ମିଳିବାକୁ ଥିବା କ୍ଷତିପୂରଣ ବାବଦରେ ତଥ୍ୟ ମଗାଯାଇଥିଲା ।

କେବଳ ମତ୍ସ୍ୟ ବିଭାଗ ହିଁ ତାର ଉତ୍ତର ଦେଲା । ବିଭାଗ ଅନୁସାରେ ଗତ ୬ ବର୍ଷ ମଧ୍ୟରେ ମାତ୍ର ୫ ଜଣ ମହିଳା ବିଭାଗ ନିକଟରେ କ୍ଷତିପୂରଣ ପାଇଁ ଆବେଦନ କରିଛନ୍ତି । ଆକଳନ ଅନୁସାରେ ବାଘ ଆକ୍ରମଣରେ ପ୍ରତିବର୍ଷ ପ୍ରାୟ ୧୦୦ ଜଣ ବିଧବା ହେଉଥିବାବେଳେ ଏହା ତାହାର ଏକ କ୍ଷୁଦ୍ର ଅଂଶ ।  କ୍ଷତିପୂରଣ ଦାଖଲ କରିଥିବା ମହିଳାଙ୍କ ମଧ୍ୟରୁ ମାତ୍ର ୩ ଜଣ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପାଇଛନ୍ତି । ଅନ୍ୟ ଦୁଇଜଣଙ୍କର ସ୍ୱାମୀଙ୍କର ପୋଷ୍ଟମର୍ଟମ ରିପୋର୍ଟ ନ ମିଳିବାରୁ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ମନା କରାଯାଇଛି ।

ମତ୍ସ୍ୟ ବିଭାଗର ତଥ୍ୟକୁ କିନ୍ତୁ ମୁଁ ଭେଟିଥିବା ମହିଳାମାନେ ଖଣ୍ଡନ କରିଥିଲେ । ସେମାନେ କ୍ଷତିପୂରଣ ପାଇଁ ଆବେଦନ କରିଥିବାର ଦର୍ଶାଇଥିଲେ । ଅର୍ଥାତ୍ ସେମାନଙ୍କର ଆବେଦନକୁ ଅସଂପୂର୍ଣ୍ଣ କାଗଜପତ୍ର ଯୋଗୁ ଗ୍ରହଣ କରାଯାଇନାହିଁ କିମ୍ବା ସେମାନେ ଅନ୍ୟାନ୍ୟ ସର୍ତ୍ତାବଳୀ ପୂରଣ କରିନାହାନ୍ତି ।

ଦକ୍ଷିଣବଙ୍ଗ ମତ୍ସ୍ୟଜୀବୀ ଫୋରମ୍ (ଦକ୍ଷିଣ ପଶ୍ଚିମବଙ୍ଗର ମତ୍ସ୍ୟଜୀବୀମାଙ୍କର ଏହି ଫୋରମ୍ ‘ବାଘ ଆକ୍ରମଣରେ ବିଧବା ହେଉଥିବା ମହିଳା’ଙ୍କୁ  କ୍ଷତିପୂରଣ ପାଇଁ ଦାବି କରିବା ଏବଂ କାମ ପାଇବାରେ ସହାୟତା କରିଥାଏ)ର ପ୍ରଦୀପ ଚାଟାର୍ଜୀ କହନ୍ତି, ‘‘କ୍ଷତିପୂରଣର ସଂପୂର୍ଣ୍ଣ ପ୍ରକ୍ରିୟା ଜଟିଳ । ଏଥିପାଇଁ ଅନେକ କାଗଜପତ୍ର ଦାଖଲ କରିବାକୁ ପଡ଼ିଥାଏ ଏବଂ ଅନେକ ଦୌଡ଼ାଦୌଡ଼ି କରିବାକୁ ହୁଏ । ମହିଳାମାନଙ୍କୁ ହୁଏତ ଭ୍ରମିତ କରାଯାଇଥାଏ କିମ୍ବା ସେମାନେ ଏହି ପ୍ରକ୍ରିୟା ସଂପର୍କରେ ଜାଣିନଥାନ୍ତି । ଇତିମଧ୍ୟରେ ପ୍ରତିବର୍ଷ ବାଘ ଆକ୍ରମଣରେ ପ୍ରତିବର୍ଷ ଲୋକଙ୍କ ପ୍ରାଣହାନି ଘଟୁଛି, ଯାହାଦ୍ୱାରାକି ବିଧବା ମହିଳାଙ୍କ ସଂଖ୍ୟା ବଢୁଛି ।’’

ଚାଟାର୍ଜୀ ଆହୁରି କହନ୍ତି, ‘‘ କିଛି ମହିଳା ଜଙ୍ଗଲ ବିଭାଗ ଦ୍ୱାରା ପଚରାଯିବା ପରେ ଭୟଭୀତ ହୋଇଯାନ୍ତି । ବିଶେଷକରି ଯଦି ସେମାନଙ୍କର ସ୍ୱାମୀ କୋର ଅଞ୍ଚଳରେ ମରିଥାନ୍ତି ତା’ ହେଲେ ସେମାନେ ତାଙ୍କ ମୃତ୍ୟୁକୁ ଚପାଇ ଦେଇଥାନ୍ତି । ଏପରିକି ସେମାନେ ଅଧିକାରୀମାନଙ୍କ ନିକଟରେ ଏ ସଂପର୍କରେ ପଞ୍ଜିକରଣ କରାନ୍ତି ନାହିଁ କିମ୍ବା କ୍ଷତିପୂରଣ ମାଗନ୍ତି ନାହିଁ ।’’

କିନ୍ତୁ ପଥରପଡ଼ା ଗାଁର ରାଣୀବାଳା ମଣ୍ଡଳ କ୍ଷତିପୂରଣ ପାଇବାକୁ ଉଦ୍ୟମ କଲେ । ତାଙ୍କର ସ୍ୱାମୀ ଅନେକ ବର୍ଷ ତଳେ ବାଘ ଆକ୍ରମଣରେ ପ୍ରାଣ ହରାଇଥିଲେ । ସେ କହିଲେ, ‘‘ ଏତେବର୍ଷ ହେଲା ସରକାର ମୋତେ କିଛି ଦେଇନାହାନ୍ତି । ତୁମେ କିଛି କରିପାରିବ କି? ” 


ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Urvashi Sarkar

Urvashi Sarkar is an independent journalist and a 2016 PARI Fellow.

Other stories by Urvashi Sarkar