ଏକ ଛୋଟ ସହର ହୋଇଥିଲେ ମଧ୍ୟ ଏହାର ଇତିହାସ ଅତି ସମୃଦ୍ଧ। ତେଲେଙ୍ଗାନାର ଆଦିଲାବାଦ୍‌ରେ ଅବସ୍ଥିତ ନିର୍ମଳ ସହରର ନାମକରଣ ୧୭ ଶ ଶତାବ୍ଦୀର ଜଣେ ଶାସକ, ନିମ୍ମା ନାଇଡୁଙ୍କ ନାମାନୁସାରେ କରାଯାଇଛି, ଯାହାର ରୁଚି କଳା ଓ ଖେଳନା ତିଆରିରେ ରହିଥିଲା। ସେହି ସମୟରେ ସେ ପ୍ରାୟ ୮୦ ଜଣ କଳାକାରଙ୍କୁ ଏକତ୍ର କରିଥିଲେ ଓ ଏକ ଖେଳନା ତିଆରି କାରଖାନା ଆରମ୍ଭ କରିଥିଲେ ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ସହରକୁ ସାସ୍କୃତିକ ମାନ୍ୟତା ପ୍ରଦାନ କରିଥିଲା ।

ଏବେ ବର୍ତ୍ତମାନର ସ୍ଥିତି ଉପରେ ଟିକିଏ ନଜର ପକାଇବା। ବର୍ତ୍ତମାନ ଅଧିକାଂଶ ଲୋକ ଆଦିଲାବାଦ ସହରକୁ ଯାତ୍ରା କରିବା ବେଳେ ବା ସେ ପାଖରେ ଥିବା କୁନ୍ତଳା ଜଳପ୍ରପାତ ଦେଖିବାକୁ ଯିବାବେଳେ ଏଠାରେ ବେଳେବେଳେ ରହିଥାନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ କିନ୍ତୁ ଏହା ଜାଣନ୍ତିନି ଯେ ୧ଲକ୍ଷ ବାସିନ୍ଦା ଥିବା ଏହି ଟାଉନ୍‌ରେ ଆଜି ମଧ୍ୟ ନରମ କାଠରୁ ଖେଳନା ପ୍ରସ୍ତୁତ କରାଯିବା କଳା ବଞ୍ଚି ରହଛି, ତେବେ ମାତ୍ର ୪୦ଟି ପରିବାର ଏବେ ଏହି କାମ କରୁଛନ୍ତି । 

ନିର୍ମଳର ଖେଳନା-ନିର୍ମାଣକାରୀମାନେ ନିଜର ଉତ୍ପାଦଗୁଡିକର ରୂପରେଖ ବିଭିନ୍ନ ଉଦ୍ଭିଦ ଓ ପ୍ରାଣୀଙ୍କ ଛବି ଅନୁସାରେ ପ୍ରସ୍ତୁତ କରିଥାନ୍ତି ଯାହା ଏହି କଳାର ସ୍ୱତନ୍ତ୍ରତା ଅଟେ। ସେମାନେ ପ୍ରାକୃତିକ କାଠ ବ୍ୟବହାର କରିବା ସହିତ ଯେଉଁ ଫଳ ବା ପଶୁକୁ ନକଲ କରନ୍ତି, ଖେଳନାଟି ତାହାପରି ଅବିକଳ ଦେଖାଯିବା ପାଇଁ ତାହାର ପ୍ରତ୍ୟେକ କୋଣକୁ ଧ୍ୟାନପୂର୍ବକ ଅଧ୍ୟୟନ କରିଥାନ୍ତି ।

PHOTO • Bhavana Murali

 ନିର୍ମଳର ଖେଳନା ନିର୍ମାଣକାରୀମାନେ ବାସ କରୁଥିବା କଲୋନୀର ଠିକ୍‌ ସମ୍ମୁଖରେ ଅବସ୍ଥିତ କର୍ମଶାଳାରେ 

ଏହି ସହରର ସମସ୍ତ ଖେଳନା ନିର୍ମାଣକାରୀ ଏକ କଲୋନୀରେ ରହନ୍ତି ଯାହାକୁ ଯଥାର୍ଥରେ କଳାନଗର ବୋଲି କୁହାଯାଏ । ଏହି ବସତି ଖେଳନା ନିର୍ମାଣ କରାଯାଉଥିବା କର୍ମଶାଳାର ଠିକ୍‌ ପଛରେ ଅବସ୍ଥିତ । ଏହି କର୍ମଶାଳାରେ କାମ କରୁଥିବା ଜଣେ ଉଚ୍ଚକୋଟୀର କଳାକାର ହେଉଛନ୍ତି ନାମପଲ୍ଲୀ ଲିମ୍ବିହା। ସେ ଗର୍ବର ସହିତ କିଭଳି ଭାବେ ତାଙ୍କ ବାପାଙ୍କଠାରୁ ଏହି କଳା ଶିକ୍ଷା କରିଛନ୍ତି ତାହା କୁହନ୍ତି । ଯିଏକି ନିଜେ ଜଣେ କୁଶଳୀ କାରିଗର ଥିଲେ। “ମୁଁ ଜନ୍ମ ହେବା ଠାରୁ ଏହି କଳାକୁ ଦେଖିଆସୁଛି, ଏହି କଳା ସହିତ ବଞ୍ଚିଛି ଓ ଏହା ଶିଖିଆସୁଛି ! ମୁଁ ସହଜରେ ଏହା ଶିଖିପାରିଲି। କିନ୍ତୁ ଏବେ ଏହି କଳାର କୌଶଳମାନ ଶିଖିବା କଷ୍ଟକର ହୋଇପାରେ । ଧରାଯାଉ, ବର୍ତ୍ତମାନ ଆପଣ ଏହା ଶିଖିବାକୁ ଚାହୁଁଛନ୍ତି … ଆପଣ ଶିଖିପାରିବେ ନାହିଁ । ଆପଣଙ୍କୁ ଏହି କଳା ସହିତ ବଞ୍ଚିବାକୁ ହେବ,” ବୋଲି ସେ କୁହନ୍ତି ।

ଲିମ୍ବିହା କ୍ଲାନ୍ତ ଦେଖାଯାଉଛନ୍ତି କିନ୍ତୁ ତାଙ୍କ ହାତ ଦ୍ୱୟ ଅବିରତ ପଲିସ୍‌ କାମ କରିଚାଲିଛନ୍ତି। ଏହି ଖେଳନା ତିଆରି କରିବା ପାଇଁ ଏକ ସ୍ୱତନ୍ତ୍ର କିଷମର କାଠ ବ୍ୟବହାର କରାଯାଏ ଯାହାକୁ ‘ପୋନିକି ଚେକ୍କା’ ବୋଲି କୁହାଯାଏ (ପୋନିକି  ଗଛର କାଠ) । ଏହି ଖେଳନା କେବେ ମଧ୍ୟ ନଷ୍ଟ ହେବନାହିଁ ବା ଭାଙ୍ଗିବ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରନ୍ତି । ତା’ପରେ ସେ ଏକ ପଦାର୍ଥ ବାହାର କରନ୍ତି ଯାହାକୁ ସେ ‘ଲାପ୍ପମ୍‌’ ବୋଲି କୁହନ୍ତି । ଏହା ଦେଖିବାକୁ ଅଠା ଭଳି ଓ ଏହି ମଞ୍ଜି ବଟାକୁ ଖେଳନା ପଲିସ୍‌ କରିବା ପାଇଁ ଓ ଟାଣୁଆ କରିବା ପାଇଁ ବ୍ୟବହାର କରାଯାଏ ବୋଲି ସେ ବର୍ଣ୍ଣନା କରି କୁହନ୍ତି । ‘ଲାପ୍ପମ୍‌’ ପ୍ରସ୍ତୁତ କରିବା ପାଇଁ ତେନ୍ତୁଳି ମଞ୍ଜିକୁ ବଟାଯାଇଥାଏ ।

ଅନେକ ଦଶନ୍ଧି ପୂର୍ବେ ନିର୍ମଳର କିଛି ଶ୍ରମିକ ଏକତ୍ର ହୋଇ ଏକ ସୋସାଇଟି ଗଠନ କରିଥିଲେ ଓ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ଜମିରେ ଏହି କର୍ମଶାଳା ଖୋଲିଥିଲେ । ଏହି କର୍ମଶାଳାରେ କାରିଗର ଭାବେ କାମ କରି ଲାମ୍ବିହା ମାସକୁ ୬୦୦୦  ରୁ ୭୦୦୦ଟଙ୍କା ରୋଜଗାର କରନ୍ତି ଯାହା ସେ କେତ ସଂଖ୍ୟକ ଖେଳନା ତିଆରି କରିଛନ୍ତି ଓ କେଉଁ କେଉଁ କିଷମର ଖେଳନା ତିଆରି କରିଛନ୍ତି , ସେ ଉପରେ ନିର୍ଭର କରିଥାଏ ।

PHOTO • Bhavana Murali
PHOTO • Bhavana Murali

କଳାକାର ନାମପଲ୍ଲୀ ଲାମ୍ବିହା ‘ଲାପ୍ପମ୍‌’ ନାମକ ଏକ ଦେଶୀୟ ଅଠା ପ୍ରୟୋଗ କରି ଏକ ଖେଳନା ପଲିସ୍‌ କରୁଛ୍ତି । ନିମ୍ନ : କର୍ମଶାଳାରେ କର୍ମ ବିରତି ସମୟରେ । ଡାହାଣ : କଳାକାର ବୋସାନୀ ଲକ୍ଷ୍ମୀ ତାଙ୍କ ଘରେ ଅଛନ୍ତି

ସେ ଯେଉଁ ଖେଳନା ହରିଣ ତିଆରି କରୁଥିଲେ ତାହା ଗୋଟିଏ ପାଖରେ ରଖିଦେଲେ ଓ ନିଶ୍ୱାସ ମାରିଲେ: ଦିନକୁ ଦିନ ଏହା କଷ୍ଟକର ହେବାରେ ଲାଗିଛି । ଏଥିପାଇଁ ଆବଶ୍ୟକ ସମଗ୍ରୀ ଏବେ ସହଜରେ ଉପଲବ୍ଧ ହୋଇ ପାରୁନାହିଁ । କାଠ ପାଇବା ପାଇଁ ଜଣଙ୍କୁ ଜଙ୍ଗଲରେ ବହୁ ଭିତରକୁ ଯିବାକୁ ହୋଇଥାଏ । ଏଥିପାଇଁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡୁଥିବାରୁ ଯଦି ଆମେ ଖେଳନାର ମୂଲ୍ୟ ବୃଦ୍ଧି କରିବୁ ତେବେ କେହି ମଧ୍ୟ ତାହା କିଣିବେ ନାହିଁ । ଏହା ଆମ ପାଇଁ ଆମ ପୈତୃକ ସମ୍ପତ୍ତି ପରି ହୋଇଥିବାରୁ ମୁଁ ନିଶ୍ଚିତ ଭାବେ ମୋ ପିଲାମାନଙ୍କୁ ଏହି କଳା ଶିଖେଇବି କିନ୍ତୁ ଏହାକୁ ସେମାନେ ନିଜର ପେଶା ଭାବେ ଗ୍ରହଣ କରନ୍ତୁ, ତାହା ମୁଁ ଚାହିଁବିନି । ମୁଁ ଆଶା କରୁଛି ଯେ ସେମାନେ ପାଠ ପଢନ୍ତୁ ଓ ଚାକିରି କରିବାକୁ ସହରକୁ ଯାଆନ୍ତୁ । ମୁଁ ସେମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ଅଛି। 

ପୋନିକି  ଗଛ ହେଉଛି ଏକ ପ୍ରକାରର ନରମ କାଠ ଯୁକ୍ତ ଗଛ ଓ ଏହା ନିର୍ମଳର ଚତୁଃପାର୍ଶ୍ୱରେ ଥିବା ଜଙ୍ଗଲେ ମିଳିଥାଏ । ପୂର୍ବେ ଏହି ଗଛଗୁଡିକ ଜଙ୍ଗଲରେ ପ୍ରଚୁର ଭାବେ ଉପଲବ୍ଧ ହେଉଥିବାରୁ ଏହାର କାଠ ପାଇଁ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଗଛ ଲଗେଇବାକୁ ପଡୁନଥିଲା । କିନ୍ତୁ ବର୍ତ୍ତମାନ ଏହି ଗଛ ପୂର୍ବଭଳି ଆଉ ସହଜରେ ମିଳୁନଥିବାରୁ ଓ ଜଙ୍ଗଲରୁ ଏହାକୁ ଆଣିବାରେ ପ୍ରତିବନ୍ଧକ ବୃଦ୍ଧି ପାଉଥିବାରୁ ଭବିଷ୍ୟତରେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ ବୋଲି ଭାବି ଅଧିକାଂଶ କଳାକାର ଏହି ପେଶାକୁ ଛାଡିବାକୁ ଆରମ୍ଭ କଲେଣି । 

PHOTO • Bhavana Murali

କର୍ମଶାଳାର ଏକ କୋଣରେ ପେଣ୍ଟ କରାଯିବା ପାଇଁ ହରିଣଗୁଡ଼ିକୁ ଧାଡ଼ିରେ ରଖାଯାଇଛି

ଏଠାରେ କାମ କରୁଥିବା ଅନ୍ୟ ଜଣେ ଶ୍ରମିକ କୁହନ୍ତି ଯେ ଏହି କଲୋନୀରେ ବାସ କରୁଥିବା ସେହି ବୃଦ୍ଧାମାନେ ଯେଉଁମାନେ ନିଜର ଜୀବିକାନିର୍ବାହ କରିବା ପାଇଁ ଏହି କାମ ଉପରେ ନିର୍ଭର କରନ୍ତି ସେମାନଙ୍କୁ ପ୍ରକୃତରେ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । କର୍ମଶାଳାରେ କାମ କରୁଥିବା ପୁରୁଷମାନେ ସେମାନଙ୍କ ପାଇଁ କାଠ ସଂଗ୍ରହ କରିଥାନ୍ତି ଓ ମହିଳାମାନେ କୌଣସି ପ୍ରକାରର ଆଧୁନିକ ଯନ୍ତ୍ରପାତି ବା ମେସିନ ବ୍ୟବହାର ନକରି ତାହା କାଟିଥାନ୍ତି ଓ ସେଥିରେ ଖୋଦେଇ କରି ଖେଳନା ତିଆରି କରିଥାନ୍ତି ।

ଏହି କଲୋନୀରେ ବାସ କରୁଥିବା ବୁସାନୀ ଲକ୍ଷ୍ମୀ କୁହନ୍ତି ଯେ କିଛି ବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା ଓ ତାଙ୍କର କୌଣସ ସନ୍ତାନ ମଧ୍ୟ ନାହାନ୍ତି । ଯେହେତୁ ତାଙ୍କୁ କାମରେ ସହାୟତା କରିବା ପାଇଁ କେହି ମଧ୍ୟ ନାହାନ୍ତି, ତାଙ୍କ ପାଖରେ ଅଧିକ ବିକଳ୍ପ ମଧ୍ୟ ନାହିଁ । ବାହାହେବା ପରଠାରୁ ସେ ନିଜ ସ୍ୱାମୀଙ୍କୁ ଏହି ଖେଳନାଗୁଡ଼ିକ ତିଆରି କରିବାରେ ସାହାଯ୍ୟ କରୁଥିଲେ । ଏହା ହେଉଛି ସେ ଜାଣିଥିବା ଏକମାତ୍ର କାମ ।

“ବେଳେବେଳେ ଏହା ଅତ୍ୟନ୍ତ କଷ୍ଟକର ମନେହୁଏ । ପର୍ଯ୍ୟାପ୍ତ କାଠ ଉପଲବ୍ଧ ହେଉନଥିବାରୁ, କର୍ମଶାଳା ପ୍ରଥମେ ନିଜର ଆବଶ୍ୟକତା ପୂରଣ କରିଥାଏ ଓ ତାପରେ ବଳକା କାଠ ଆମ ପାଖକୁ ଖେଳନା ତିଆରି କରିବା ପାଇଁ ପଠାଇଥାଏ । ମୁଁ ଗୋଟିଏ ଖେଳନା ବାବଦକୁ କୋଡ଼ିଏ ଟଙ୍କା ରୋଜଗାର କରିଥାଏ ଓ ସେଥିରେ ମୋର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟାକରେ,” ବୋଲି ସେ ନିଜେ ତିଆରି କରିଥିବା ଆତଫଳ ଆକୃତିର ଖେଳନାଗୁଡ଼ିକୁ ଶୁଖେଇବା ପାଇଁ ଘର ବାହାରକୁ ଆସୁଥିବା ବେଳେ କୁହନ୍ତି । ଯେହେତୁ ସେ ସପ୍ତାହରେ କେବଳ ୫୦ଟି ଖେଳନା ତିଆରି କରିପାରନ୍ତି, ତେଣୁ ସେ ମାସକୁ କେବଳ ୪୦୦୦ଟଙ୍କା ରୋଜଗାର କରିପାରନ୍ତି ।

PHOTO • Bhavana Murali

ବୁସାନୀ ଲକ୍ଷ୍ମୀ ତାଙ୍କର ଆତଫଳ ଖେଳନା ଗଦା ଶୁଖିବା ପାଇଁ ଅପେକ୍ଷା କରି ରହିଛନ୍ତି

ଲକ୍ଷ୍ମୀର କେବଳ ଏକମାତ୍ର ଆବଶ୍ୟକତା ହେଉଛି କାଠ । ସେ କୁହନ୍ତି ଯେ କାଠ ମିଳିବା ପର୍ଯ୍ୟନ୍ତ ସେ ଏହି କାମ କରିପାରିବେ । “ଯେତେବେଳେ ତାହା ବନ୍ଦ ହୋଇଯିବ, ସେ ମଧ୍ୟ ରହିଯିବେ,” ସେ ହସନ୍ତି । 

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Bhavana Murali

ଭାବନା ମୁରଲୀ ହାଇଦ୍ରାବାଦର ଲୋୟଲା ଏକାଡେମୀରୁ ମାସ୍‌କମ୍ୟୁନିକେସନ୍‌ରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ସେ ବିକାଶ ଅଧ୍ୟୟନ ଓ ଗ୍ରାମୀଣ ସମ୍ବାଦିକତା ପାଇଁ ଆଗ୍ରହୀ ଅଛନ୍ତି । ଜାନୁଆରୀ ୨୦୧୬ରେ ପରୀରେ ଇଣ୍ଟର୍ଣ୍ଣନ୍‌ସିପ୍‌ କରିବା ବେଳେ ଏହି ଆଲେଖ୍ୟଟି ଲେଖାଯାଇଛି ।

Other stories by Bhavana Murali