୨୦୧୭ରେ ଉଡ଼ାନ୍ଦରାୟୁନିପାଲେମ୍ ଗାଁର ବାସିନ୍ଦା ଚାଷୀ ଗିଞ୍ଜୁପାଲ୍ଲି ଶଙ୍କର ରାଓ ନୂଆ ରାଜଧାନୀ ଅମରାବତୀରେ ତାଙ୍କୁ ଆବଣ୍ଟିତ ହୋଇଥିବା ୧୦୦୦ ବର୍ଗ ୟାର୍ଡର ଏକ ଆବାସିକ ଜମିକୁ ବିଜୟୱାଡ଼ାର ଜଣଙ୍କୁ ବିକ୍ରି କରିଥିଲେ । ସେଥିପାଇଁ ତାଙ୍କୁ ୨ କୋଟି ଟଙ୍କା ମିଳିଲା । ସେଥିମଧ୍ୟରୁ ୮୦ ଲକ୍ଷ ଟଙ୍କାକୁ ସେ ତାଙ୍କର ୯୦ ବର୍ଷର ପୁରୁଣା ଘରକୁ ଦୁଇ ତାଲା କରିବା ଲାଗି ବ୍ୟବହାର କଲେ । ସେ ଖୁବ୍ ଖୁସି ମନରେ କହିଲେ “ମୁଁ ଟଙ୍କାକୁ ଏହି ଘରକୁ ମରାମତି କରିବା ଲାଗି ବ୍ୟବହାର କଲି, ଏକ ସେଭ୍ରୋଲୋଟ୍ କାର ଓ ମୋଟର ବାଇକ୍ କିଣିଲି । ଝିଅକୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ପଠାଇଲି । ତାର ବିବାହ ପାଇଁ କିଛି ଅର୍ଥ ମଧ୍ୟ ସଞ୍ଚୟ କଲି ।’’

ଉଡ଼ାନ୍ଦରାୟୁନିପାଲେମ୍ ଗୁଣ୍ଟୁର ଜିଲ୍ଲାର ୨୯ଟି ଗାଁ ମଧ୍ୟରୁ ଅନ୍ୟତମ ଯେଉଁଗୁଡ଼ିକ କୃଷ୍ଣା ନଦୀର ଉତ୍ତର କୂଳରେ ରହିଛି । ସେଠାରେ ଆନ୍ଧ୍ରପ୍ରଦେଶର ନୂଆ ‘ସବୁଜ’ ରାଜଧାନୀ ଅମରାବତୀ ନିର୍ମାଣ ହେଉଛି । ଏକ ଲ୍ୟାଣ୍ଡ ପୁଲିଂ ସିଷ୍ଟମ (ଏଲପିଏସ) ଅଧୀନରେ ଅମରାବତୀ ସଷ୍ଟେନେବଲ କ୍ୟାପିଟାଲ ସିଟି ଡେଭଲପମେଣ୍ଟ ପ୍ରୋଜେଣ୍ଟ ପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩୩ ହଜାର ଏକରରୁ ଅଧିକ ଜମି ଅଧିଗ୍ରହଣ ହୋଇଛି ।

ସେହି ୨୯ଟି ଗାଁରେ ଏବେ ନୂଆ ବିଲ୍ଡିଂ ଦେଖିବାକୁ ମିଳୁଛି । ସେଥିମଧ୍ୟରୁ କିଛି ବିଲ୍ଡିଂର ନିର୍ମାଣ ଶେଷ ହୋଇଯାଇଥିବା ବେଳେ ଅନ୍ୟଗୁଡ଼ିକର ନିର୍ମାଣ ଚାଲିଛି । ୨୦୧୪ରେ ନୂଆ ରାଜଧାନୀ ନିର୍ମାଣ ପାଇଁ ଘୋଷଣା ହେବା ପରେ ଏହି ଗାଁଗୁଡ଼ିକରେ ରିଅଲ ଇଷ୍ଟେଟ୍ ଏଜେନ୍ସିଗୁଡ଼ିକର ପ୍ରାବଲ୍ୟ ଦେଖିବାକୁ ମିଳୁଛି। ଏହାଦ୍ୱାରା ଉଚ୍ଚ ଜାତିର ଜମିଦାର ବିଶେଷ କରି କମା ସଂପ୍ରଦାୟର ଲୋକମାନେ ସବୁଠୁ ଅଧିକ ଲାଭବାନ୍ ହୋଇଛନ୍ତି । ଶଙ୍କର ରାଓ (ଡାହାଣରେ ଉପରେ ଥିବା କଭର ଫଟୋରେ ପଡ଼ୋଶୀ  ନାରିନା ସୁବା ରାଓଙ୍କ ସହ) କହିଲେ, “ମୋ’ ପରି ୯୦ ପ୍ରତିଶତ ଚାଷୀ ସେମାନଙ୍କୁ ଆବଣ୍ଟିତ ହୋଇଥିବା  ଜମିର କିଛି ଅଂଶକୁ ବିକ୍ରି କରିଛନ୍ତି ଏବଂ ଘର ତିଆରି କରିଛନ୍ତି ।’’
Ginjupalli Sankara Rao in front of his house.
PHOTO • Rahul Maganti
Ginjupalli Sankara Rao’s newly constructed house
PHOTO • Rahul Maganti

ଉଡ଼ାନ୍ଦରାୟୁନିପାଲେମ୍ ଗାଁର ଚାଷୀ ଶଙ୍କର ରାଓ ତାଙ୍କର ଜମି ବିକ୍ରି କରି ୨ କୋଟି ଟଙ୍କା ପାଇଛନ୍ତି । ତା’ ଦ୍ୱାରା ସେ ତାଙ୍କର ପୁରୁଣା ଘରକୁ ଦ୍ୱିତଳ ପ୍ରାସାଦରେ ପରିଣତ କରିଛନ୍ତି

ଶଙ୍କର ରାଓଙ୍କ ନିକଟରେ ଥିବା ୨୦ ଏକର ଜମି ପାଇଁ ଆନ୍ଧ୍ରପ୍ରଦେଶ କ୍ୟାପିଟାଲ ରିଜନ୍ ଡେଭଲପମେଣ୍ଟ ଅଥରିଟି(ଏପିସିଆରଡିଏ) ଏଲପିଏସ୍ ଅଧୀନରେ ତାଙ୍କୁ ନୂଆ ରାଜଧାନୀରେ ୧୦୦୦ ବର୍ଗ ୟାର୍ଡର ୨୦ଟି ଆବାସିକ ପ୍ଲଟ୍ ଓ ୪୫୦ ବର୍ଗ ଫୁଟର ୨୦ଟି ବ୍ୟାବସାୟିକ ପ୍ଲଟ୍ ଆବଣ୍ଟନ କରିଛି। ଏହି ସବୁ ‘ପୁନଃନିର୍ମିତ ତଥା ବିକଶିତ’ ପ୍ଲଟକୁ ଚାଷୀମାନଙ୍କୁ ଆଗାମୀ ୧୦ ବର୍ଷ ମଧ୍ୟରେ ପ୍ରଦାନ କରାଯିବ ।  ଆଗାମୀ ୧୦ ବର୍ଷ ଯାଏ ଚାଷୀମାନଙ୍କୁ ସେମାନଙ୍କର ଜମିର କିସମ ଅନୁସାରେ ଏକର ପିଛା ବାର୍ଷିକ ୩୦-୫୦ ହଜାର ଟଙ୍କା ମିଳିବ । ବାକି ଜମିକୁ ଏପିସିଆରଡିଏ ରାସ୍ତା, ସରକାରୀ ବିଲ୍ଡିଂ, ଶିଳ୍ପ ଏବଂ ସର୍ବସାଧାରଣ ଆବଶ୍ୟକତା ପାଇଁ ରଖିବ । 

ଶଙ୍କର ରାଓଙ୍କ ଭଳି ଅନ୍ୟମାନେ ମଧ୍ୟ ସେମାନଙ୍କୁ ‘ଆବଣ୍ଟିତ ହୋଇଥିବା’ (ବାସ୍ତବ ଜମି ଏବେ ମଧ୍ୟ ସେମାନଙ୍କ ଦଖଲକୁ ଆସିନାହିଁ) ପ୍ଲଟକୁ ବିକ୍ରି କରୁଛନ୍ତି । ତେଣୁ ରିଅଲ ଇଷ୍ଟେଟ୍ ବ୍ୟବସାୟ ଏବେ ସେଠାରେ ଖୁବ୍ ସୁଦୃଢ ହୋଇଯାଇଛି । ୨୦୧୪ରେ ଯେତେବେଳେ ରାଜଧାନୀର କାମ ଆରମ୍ଭ ହେଲା ସେତେବେଳେ ଏକର ପିଛା ଜମିର ମୂଲ୍ୟ ଏଠାରେ ମାତ୍ର ୭୦ ଲକ୍ଷ ଥିଲା (୧୯୯୬ରେ ଏକର ଥିଲା ୩ ଲକ୍ଷ)। ବର୍ତ୍ତମାନ ଏଠାରେ ଏକ ଏକର ଜମିର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ଚାଷୀମାନେ କହୁଛନ୍ତି । ଅବଶ୍ୟ ଏତେ ଅଧିକ ମୂଲ୍ୟ ସଂପର୍କରେ କାଗଜପତ୍ର ନାହିଁ ।

କିନ୍ତୁ ରିଅଲ ଇଷ୍ଟେଟ୍‌ର ଅଭିବୃଦ୍ଧି ମଧ୍ୟ କିଛି ନିର୍ଦ୍ଦିଷ୍ଟ ବର୍ଗଙ୍କ ପାଇଁ। ଏଠାକାର ଅଧିକାଂଶ ଦଳିତ (କିଛି ଓବିସି) ଚାଷୀମାନଙ୍କ ନିକଟରେ ଅଳ୍ପ ଜମି ରହିଛି। ସେମାନଙ୍କ ନିକଟରେ ମାତ୍ର ଏକ ଏକର ଜମି ରହିଛି ଯାହାକୁ କି ସେମାନଙ୍କୁ ଆନ୍ଧ୍ରପ୍ରଦେଶ ଭୂସଂସ୍କାର (ସିଲିଙ୍ଗସ ଅନ୍ ଅଗ୍ରିକଲଚରାଲ ହୋଲଡିଙ୍ଗ୍ସ) ଆଇନ, ୧୯୭୩ ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା । ମାଲା ସଂପ୍ରଦାୟର ୩୮ ବର୍ଷୀୟ ଦଳିତ ଚାଷୀ ପୁଲି ମଟ୍ଟାୟା କହିଲେ, “ପଟ୍ଟା ଜମିଥିବା ମାଲିକମାନଙ୍କୁ (ଜମିର ମାଲିକାନା ଥିବା) ‘ଆସାଇନଡ’ ଜମି ମାଲିକଙ୍କ ଅପେକ୍ଷା ଅଧିକ ଭଲ କ୍ଷତିପୂରଣ (ପୁନଃନିର୍ମିତ ବିକଶିତ ପ୍ଲଟ) ଦିଆଯାଉଛି । ଆମେ ଦାବି କରୁଛି ଯେ ଆମକୁ ମଧ୍ୟ ସେମାନଙ୍କ ଭଳି ପ୍ୟାକେଜ୍ ମିଳୁ।’’ ପୁଲିଙ୍କର ଉଡାନ୍ଦରାୟପୁନିପାଲେମ୍‌ରେ ଏକ ଏକର ‘ଆସାଇନଡ  ଜମି’ ରହିଛି ଯାହାକି ସେ ଅଧିଗ୍ରହଣ ପାଇଁ ଦେଇନାହାନ୍ତି ।

Puli Yona
PHOTO • Rahul Maganti
Ramakrishna Housing Private Limited is building a huge gated community with hundreds of apartment plots and office spaces on the Kolkata-Madras National Highway on the southern boundary of Amaravati
PHOTO • Rahul Maganti

ରାଜଧାନୀର ଅଧିକାଂଶ ଗାଁମାନଙ୍କର ଲୋକମାନେ ସେମାନଙ୍କର କିଛି ଜମିକୁ ବିକ୍ରି କରି ସାରିଥିବାବେଳେ ପୁଲି ଯୋନା(ବାମ)ଙ୍କ ଭଳି କିଛି ଚାଷୀ ଜମି ଅଧିଗ୍ରହଣ ପାଇଁ ସହମତି ଦେଇନାହାନ୍ତି। ସେମାନଙ୍କର ଜମିରେ ବଡ଼ ବିଲ୍ଡିଂ, ଏହି କଂପ୍ଲେକ୍ସ ଭଳି ବହୁତାଲାବିଶିଷ୍ଟ ଆପାର୍ଟମେଣ୍ଟ ତିଆରି ହେବ । ତାହା ଅମରାବତୀ (ଡାହାଣ)ର ଦକ୍ଷିଣ ପାଶ୍ୱର୍ର ପ୍ରାଚୀର ନିକଟରେ ରହିବ ।

ବର୍ତ୍ତମାନ ଏକ ଏକର ଆସାଇନଡ ଜମି ପାଇଁ ଲୋକମାନଙ୍କୁ ପଟ୍ଟାଜମିମାଲିକଙ୍କ ଭଳି ସମାନ କ୍ଷତିପୂରଣ (୩୦ ହଜାରରୁ ୫୦ ହଜାର ଟଙ୍କା) ମିଳିବ, କିନ୍ତୁ ବିକଶିତ ହୋଇସାରିବା ପରେ ରାଜଧାନୀରେ ସେମାନଙ୍କ ପାଇଁ ଏପିସିଆରଆଡିଏ ପକ୍ଷରୁ ୮୦୦ ବର୍ଗ ୟାର୍ଡର ଆବାସିକ ପ୍ଲଟ୍ ଏବଂ ୨୫୦ ବର୍ଗୟାଡର ବ୍ୟାବସାୟିକ ପ୍ଲଟର ବ୍ୟବସ୍ଥା କରାଯାଇଛି। ସେହିପରି କୃଷ୍ଣା ନଦୀର ଟାପୁରେ ଥିବା ଆସାଇନଡ ଜମି ପାଇଁ ଏହି କ୍ଷତିପୂରଣ ଆହୁରି କମ୍ । ସେଠାରେ ଥିବା ଏକ ଏକର ଆସାଇନଡ ଜମି ପାଇଁ ନୂଆ ରାଜଧାନୀରେ ୫୦୦ ବର୍ଗ ୟାର୍ଡର ଆବାସିକ ପ୍ଲଟ୍ ଏବଂ ୧୦୦ ବର୍ଗ ୟାର୍ଡର ବ୍ୟାବସାୟିକ ପ୍ଲଟର ବ୍ୟବସ୍ଥା କରାଯାଇଛି ।

ରାଜଧାନୀର ଗାଁମାନଙ୍କରେ ଅଧିକାଂଶ ଜମି ମାଲିକ ସେମାନଙ୍କ ଜମିର କିଛି ଅଂଶ ଦେଇସାରିଥିବା ବେଳେ ୪୦୬୦ ଜଣ ଚାଷୀ ଏବେ ମଧ୍ୟ ଜମି ଅଧିଗ୍ରହଣ ପାଇଁ ସହମତି ଦେଇନାହାନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୬୨ ବର୍ଷୀୟ ପୁଲି ଯୋନା । ସେ ଉଡାନ୍ଦରାୟୁନିପାଲେମ୍ କୋଅପରେଟିଭ୍ ଜଏଣ୍ଟ ଆସାଇନଡ ଫାର୍ମର୍ସ ସୋସାଇଟିର ଉପସଭାପତି ଅଛନ୍ତି । ଏହି ସଂଗଠନ ୫୦୦ ଦଳିତ ଚାଷୀଙ୍କୁ ନେଇ ଗଠିତ ଯେଉଁମାନଙ୍କର ମିଳିତ ଭାବେ ପ୍ରାୟ ୬୦୦ ଏକର ‘ଆସାଇନଡ’ ଜମି ରହିଛି ।

ସେମାନଙ୍କ ଅନୁସାରେ କୃଷ୍ଣା-ଗୋଦାବରୀ ନଦୀର ତ୍ରିକୋଣଭୂମିରେ ୨୯ଟି ଗାଁ ଅବସ୍ଥିତ ଯାହାକି ଖୁବ୍ ଉର୍ବର। ସେଠାରେ ବର୍ଷସାରା ବିଭିନ୍ନ ପ୍ରକାର ଫସଲ ହୋଇଥାଏ । ମାଟ୍ଟୟା କହିଲେ, “ଆମ ପାଖରେ ମାତ୍ର ୧୫-୨୦ ଫୁଟ ତଳେ ପାଣି ଅଛି ଏବଂ ପ୍ରାୟ ୨୦ଟି ଉଠା ଜଳସେଚନ ଯୋଜନା ରହିଛି ।’’ “ଏହା ବହୁମୁଖୀ ଫସଲ ଚାଷ ହେଉଥିବା ଜମି ଯାହାକି ବଜାର ସୁହାଇଲେ ଭଲ ଲାଭ ଦେଇଥାଏ । କିନ୍ତୁ ୨୦୧୫ରେ ସାର ଦୋକାନଗୁଡ଼ିକୁ ଏପିସିଆରଡିଏ ପକ୍ଷରୁ ବାଧ୍ୟତାମୂଳକ ଭାବେ ବନ୍ଦ କରି ଦିଆଗଲା । ବର୍ତ୍ତମାନ ଆମକୁ ସାର ଓ କୀଟନାଶକ ପାଇଁ ବିଜୟୱାଡ଼ା ଓ ଗୁଣ୍ଟୁରକୁ ଯିବାକୁ ପଡୁଛି । ଚାଷୀମାନେ  ରହି ନ ପାରିବା ଓ ଚାଷ  ହୋଇ ନ ପାରିବା ଭଳି ପରିସ୍ଥିତି ସୃଷ୍ଟି କରିବା ଲାଗି ସରକାର ଖୁବ୍ ଉଦ୍ୟମ କରୁଛନ୍ତି ଯେପରିକି ସେମାନେ ଆମକୁ ବାଧ୍ୟତାମୂଳକ ଭାବେ ଏଠାରୁ ବାହାର କରିଦେବେ ।’’ 

ଚାଷରେ କ୍ଷତି  ହେବା ଯୋଗୁ ମଧ୍ୟ ଅନେକ କ୍ଷୁଦ୍ର ଚାଷୀ ଆର୍ଥିକ ସମସ୍ୟାର ସାମ୍ନା କରୁଛନ୍ତି । ମେ ୨୦୧୮ରେ ଝଡ଼ ଯୋଗୁ ଯୋନା ତାଙ୍କର ଏକ ଏକର ଜମିରେ କରିଥିବା କଦଳୀ ଫସଲକୁ ହରାଇଲେ । ଏହା ଯୋଗୁ ତାଙ୍କର ୪ ଲକ୍ଷ ଟଙ୍କା କ୍ଷତି ହେଲା । ତାଙ୍କର ଏବେ ବ୍ୟାଙ୍କ୍ ଓ ଘରୋଇ ଋଣଦାତାଙ୍କଠାରୁ ପ୍ରାୟ ୬ ଲକ୍ଷ ଟଙ୍କାର କରଜ ରହିଛି । ଚାଷୀମାନଙ୍କ ଆକଳନ ଅନୁସାରେ ଝଡ଼ ଯୋଗୁ ଉଡାନ୍ଦରାୟୁନିପାଲେମର ପ୍ରାୟ ୩୦୦ ଏକର ଜମିରେ ଥିବା ଫସଲ ନଷ୍ଟ ହେଲା । ଏହାଯୋଗୁ ପ୍ରାୟ ୧୦ଟି ପରିବାରର ଖୁବ୍ କ୍ଷତି ହେଲା । ଫଳସ୍ୱରୁପ ତାଙ୍କ ଗାଁର ଅଧିକାଂଶ ଲୋକଙ୍କ ଭଳି ଯୋନା ତାଙ୍କ ଜମିରେ ଜୁଲାଇରୁ ଅକ୍ଟୋବର ୨୦୧୮ କୃଷି ଋତୁରେ ଚାଷ କରିପାରଲେ ନାହିଁ। ସେ କହିଲେ, “ବ୍ୟାଙ୍କଗୁଡ଼ିକ ୨୦୧୪ରୁ ଋଣ ପ୍ରଦାନ କରିବା ବନ୍ଦ କରିଦେଇଛନ୍ତି । ବ୍ୟାଙ୍କ ଅଧିକାରୀମାନେ କହୁଛନ୍ତି ଯେ ସେମାନଙ୍କୁ ଅମରାବତୀ ରାଜଧାନୀ ଅଞ୍ଚଳରେ ଥିବା ଗାଁଗୁଡ଼ିକର ଲୋକଙ୍କୁ କୌଣସି ଋଣ ଦେବାପାଇଁ ସରକାରଙ୍କ ପକ୍ଷରୁ ମନା କରାଯାଇଛି ।’’

Nagamalleswara Rao’s house. He brought a car recently
PHOTO • Rahul Maganti
Nagamalleswara Rao’s front yard, where he grows 12 to 15 crops including ladies finger, mango, chikoo and ivy gourd. His love for farming has led him to grow more crops in his front yard.
PHOTO • Rahul Maganti
Nagamalleswara Rao with his US returned son, Tirupathi Rao.
PHOTO • Rahul Maganti

ଏପିସିଆରଆଡିଏ ପକ୍ଷରୁ ଚାଷୀମାନଙ୍କୁ ‘ପ୍ଲଟର ବିକାଶ ସଂପର୍କରେ ବୁଝିବା ପାଇଁ’ ସିଙ୍ଗାପୁରକୁ ଟ୍ରିପ୍‌ରେ ନିଆଯାଇଛି । ଯେଉଁମାନେ ଯାଇଛନ୍ତି ଏବଂ ଜମି ଅଧିଗ୍ରହଣ ପାଇଁ ସହମତି ଦେଇଛନ୍ତି ସେମାନଙ୍କ ମଧ୍ୟ ନାଗାମଲେଶ୍ୱର ରାଓ ଅଛନ୍ତି । ଜମି ଦେଇସାରିବା ପରେ ସେ ଏକ କାର୍ (ବାମ) କିଣିଛନ୍ତି, ଚାଷକୁ ଝୁରୁଛନ୍ତି ଏବଂ ନିଜ ଘର ପାଖରେ ବଗିଚାରେ (ମଝି)ରେ ପରିବା ଚାଷ କରୁଛନ୍ତି । ତାଙ୍କ ପୁଅ ତିରୁପତି (ଡାହାଣ) ଅମରାବତୀ ସଂପର୍କରେ ସନ୍ଦିହାନ ଅଛନ୍ତି ।

ଇତିମଧ୍ୟରେ ତେଲଗୁ ଦେଶମ୍ ପାର୍ଟିର ଦୃଢ ସମର୍ଥକ ଶଙ୍କର ରାଓ ତାଙ୍କର ୨ ଏକର ଜମିକୁ ବିକ୍ରି କରିସାରିବା ପରେ କାମ କରିବା ବନ୍ଦ କରିଦେଇଛନ୍ତି । ସେ ହସିକରି କହିଲେ, “ମୁଁ ଜଣେ ସେଠଙ୍କର ଜୀବନ ବଞ୍ଚୁଛି। ମୁଁ ଏହାକୁ ଉପଭୋଗ କରୁଛି। କୌଣସି ସରକାରୀ ଚାକିରିଆ ଚାକିରିରୁ ଅବସର ନେବାର ୧୦ ବର୍ଷ ପୂର୍ବରୁ ମୁଁ ଚାଷରୁ ଅବସର ନେଇଯାଇଛି।’’ “ଏହି ଅଞ୍ଚଳରେ ଯେଉଁ ବିକାଶ ହେଉଛି ତାହା ଚକିତ କରିଦେବା ଭଳି ।’’

“ପ୍ଲଟର ବିକାଶ ସଂପର୍କରେ ବୁଝିବା ଲାଗି’’ କିଛି ଚାଷୀ ଯେଉଁମାନେ କି ରାଜଧାନୀ ପାଇଁ ସେମାନଙ୍କର ଜମି ଦେଇଥିଲେ ସେମାନଙ୍କୁ ଏପିସିଆରଡିଏ ପକ୍ଷରୁ କେତେ ଥର ସିଙ୍ଗାପୁର ନିଆଯାଇଥିବା କଥା ଏକ ସ୍ଥାନୀୟ ଖବରକାଗଜରେ ପ୍ରକାଶିତ ହୋଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୫୯ ବର୍ଷୀୟ ବାଟ୍ଟୁଲା ନାଗାମଲେଶ୍ୱର ରାଓ । କମା ଚାଷୀ ରାଓଙ୍କ ନିକଟରେ ଉଡାନ୍ଦରାୟୁନିପାଲେମରେ ୧୫ ଏକର ଜମି ରହିଛି । ସେ ସେପ୍ଟେମ୍ବର ୨୦୧୭ରେ ସିଙ୍ଗାପୁରକୁ ୬ ଦିନ ପାଇଁ ଯାଇଥିଲେ । ସେ କହିଲେ, “ଅମରାବତୀର ବିକାଶ ନେଇ ସନ୍ଦିହାନ ଥିଲି, କିନ୍ତୁ ସିଙ୍ଗାପୁର କିଭଳି ବିକଶିତ ହୋଇଛି ତାହା ଦେଖିବା ପରେ ଅମରାବତୀ ସେହିଭଳି ଭାବେ ବିକଶିତ ହେବ ବୋଲି ମୁଁ ନିଶ୍ଚିତ ଅଛି ।’’ ତାଙ୍କ ପୁଅ ୩୫ ବର୍ଷୀୟ ବାଟୁଲା ତିରୁପତି ରାଓ ଯିଏକି ଜଣେ ଆଇଟି ପ୍ରଫେସନାଲ ଏବଂ ସେ ଦଶବର୍ଷ ପରେ ଆମେରିକାରୁ ଫେରିଛନ୍ତି ସିଏ କିନ୍ତୁ ସେତେ ଆଶାବାଦୀ ନୁହନ୍ତି। ସେ ପଚାରିଲେ, “ମେ ୨୦୧୭ରେ ମୁଁ ଅମରାବତୀରେ କିଛି ବ୍ୟବସାୟ କରିବା ଲାଗି ଫେରିଆସିଲି। କିନ୍ତୁ ୪ ବର୍ଷ ଧରି ନିର୍ମାଣ ଆରମ୍ଭ ହେବା ପରେ ମଧ୍ୟ ସେଠାରେ କୌଣସି ଭଲ ଭିତ୍ତିଭୂମି ନାହିଁ। ଯଦି ଏହି ଅଞ୍ଚଳରେ ରାସ୍ତା ଖରାପ ରହିବ, ବିଦ୍ୟୁତ ଯୋଗାଣ ଠିକ୍ ଭାବେ ନ ହେବ ଏବଂ ମୋବାଇଲ ସେବା ଠିକ୍ ଭାବେ ନ ମିଳିବ ତା’ ହେଲେ କ’ଣ ପାଇଁ ବିଶ୍ୱସ୍ତରୀୟ କଂପାନିଗୁଡ଼ିକ ଏଠାରେ ସେମାନଙ୍କର ଶାଖା ଖୋଲିବେ’’? ବର୍ତ୍ତମାନ ଯାଏ ବିଶ୍ୱସ୍ତରୀୟ ଅମରାବତୀ କେବଳ କାଗଜକଲମ ଓ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍‌ରେ ସୀମିତ । ଆମେ ସେଠାରେ ରହିବାକୁ ଯିବା ପୂର୍ବରୁ ଅନେକ କିଛି କରାଯିବାର ଅଛି। ଯଦି ଆପଣ ସ୍ଥାନୀୟ ବାତାବରଣ ପ୍ରତି ଦୃଷ୍ଟି ନ ଦେଇ ଅମରାବତୀକୁ ସିଙ୍ଗାପୁର ଭଳି କରିବାକୁ ଚାହିଁବେ ତା’ ହେଲେ ତାହା କେବଳ ମୁର୍ଖାମୀ ହେବ ।’’

୨୦୧୪ ଡିସେମ୍ବର ମାସରେ ନ୍ୟାସନାଲ ଆଲାଏନ୍ସର ଅଫ୍ ପିପୁଲ୍ସ ମୁଭମେଣ୍ଟର କିଛି ସଦସ୍ୟ ରାଜଧାନୀ ଅଞ୍ଚଳର ଗାଁଗୁଡ଼ିକୁ ପରିଦର୍ଶନ କଲେ । ଜଣେ ପୂର୍ବତନ ପ୍ରଶାସନିକ ଅଧକାରୀ ଏମ.ଜି ଦେବସହାୟମ୍ ଯିଏକି ୧୯୬୦ ମସିହାରେ ଚଣ୍ଡୀଗଡ଼ କ୍ୟାପିଟାଲ ସିଟି ପ୍ରକଳ୍ପର ପ୍ରଶାସକ ଥିଲେ ସେ ଏହି ଟିମର ନେତୃତ୍ୱ ନେଇଥିଲେ । ସେ କହିଲେ, “ରିଅଲ ଇଷ୍ଟେଟ୍ ଅର୍ଥନୀତି ପାଇଁ ଚାଷୀମାନଙ୍କର ଅର୍ଥନୀତିକୁ ଏଭଳି ଧ୍ୱଂସ କରିବା ମୋତେ ୧୭୭୦ ମସିହାର ଓଲିଭର ଗୋଲ୍ଡସ୍ମିଥଙ୍କର କବିତା ଦ ଡେଜଟେର୍ଡ ଭିଲେଜ୍ କଥା ମନେ ପକାଇ ଦେଉଛି । ସେହି କବିତାର କିଛି ଧାଡ଼ି, “ଲୋଭୀ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ଲାଗି ଜମିକୁ ବଳି ପକାଯାଉଛି, ଧନ ସମ୍ପତ୍ତି ତ ଏକାଠି ହେଉଛି, କିନ୍ତୁ ଲୋକମାନଙ୍କର ବିନାଶ ହେଉଛି ।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul Maganti

ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ ରହୁଥିବା ରାହୁଲ ମାଗାନ୍ତି ଜଣେ ସ୍ୱାବଲମ୍ବୀ ସାମ୍ବାଦିକ ଏବଂ 2017ର PARI ଫେଲୋ।

Other stories by Rahul Maganti