କିଛି ମାସ ପୂର୍ବର କଥା, ସନ୍ଧ୍ୟା ଯାଇ ରାତିର ଅନ୍ଧକାର ଛାଇ ଆସୁଥିବା ସମୟରେ, ଛୋଟ ଶକ୍ତିଭେଲ ନିଜ ଘର ବାହାରେ ମାଟି ଚଟାଣରେ ବସି ମୂଷା ଛୁଆ ସହିତ ଖେଳୁଥିଲା। ସେ ସେହି ପ୍ରାଣୀର ପେଟକୁ ଖୁବ ଧୀରେ ଆଙ୍ଗୁଠିରେ ଚାପି ଦେଉଥିଲା ଯାହାଫଳରେ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିବ, ଏହାପରେ ତା’ର ଲାଞ୍ଜକୁ ଧରି ପୁଣି ତା’କୁ ନିଜ ଆଡ଼କୁ ଟାଣି ନେଉଥିଲା। ବର୍ଷକର ପିଲା ଶକ୍ତିଭେଲ ପାଇଁ ଏହି ମୂଷା ହିଁ ଏକମାତ୍ର ଖେଳନା ଥିଲା।

ଏହି ପିଲା ଓ ତା’ର ମା’-ବାପା, ୧୯ ବର୍ଷୀୟା ଆର. ବନଜା ଏବଂ ୨୨ ବର୍ଷୀୟ ଆର. ଜନସନ, ବଙ୍ଗଳାମେଡ଼ୁ ବସ୍ତିରେ ଏକ ମାଟି ଘରେ ରହୁଥିଲେ। “ଆମେ ଖେଳନା କିଣିନଥାଉ। ନବଜାତ ଶିଶୁଙ୍କ ପାଇଁ (ବେଳେ ବେଳେ) ଝୁମୁକା କିଣି ଦେଇଥାଉ। “ମୁଁ ଭାବୁନାହିଁ ଯେ ଗାଁରେ କାହା ପାଖରେ ଖୁବ ଅଧିକ ଖେଳନା ଥିବ”, ବନଜା କୁହନ୍ତି, ଯିଏକି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ମନରେଗା କ୍ଷେତ୍ରରେ କାମ କରିଥାନ୍ତି। ଅନ୍ୟପଟେ ଜନସନ ନିର୍ମାଣ ସ୍ଥଳୀ, ଇଟାଭାଟିରେ କାମ କରିଥାନ୍ତି କିମ୍ବା ତାମିଲନାଡ଼ୁର ତିରୁତ୍ତାନି ବ୍ଲକରେ ଥିବା ନିଜ ପଞ୍ଚାୟତ, ଚେରୁକ୍କନୁର ଗ୍ରାମରେ ଗଛ କାଟିଥାନ୍ତି।

“ଆମର ପିଲାମାନେ ପାଳିତ ପଶୁଙ୍କ ସହିତ ଖେଳିଥାନ୍ତି। ଆମେ ଘରେ ଠେକୁଆ, ମୂଷା, ଗୁଣ୍ଡୁଚି ମୂଷା ପାଳିଥାଉ। ଅଧିକାଂଶ ପିଲା ମୂଷା ପାଳିବାକୁ ପସନ୍ଦ କରିଥାନ୍ତି। ସେମାନଙ୍କୁ ଖୋଜିବା ମଧ୍ୟ ସହଜ। ମୋର ଠେକୁଆ ପସନ୍ଦ । ସେମାନଙ୍କର ଶରୀର କୋମଳ, କିନ୍ତୁ ଆପଣ ଠେକୁଆ ଛୁଆମାନଙ୍କୁ ଏତେ ସହଜରେ ରଖିପାରିବେ ନାହିଁ”, ବୋଲି କୁହନ୍ତି ୨୮ ବର୍ଷୀୟା ଏସ. ସୁମତୀ। ସେ ଏହି ପଡ଼ାରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କୁ ପଢ଼ାଇଥାନ୍ତି, ସେ ମଧ୍ୟ ମନରେଗା ସ୍ଥଳୀ ଏବଂ ଇଟା ଭାଟିରେ କାମ କରିଥାନ୍ତି।

ରାଜ୍ୟର ତିରୁଭଲ୍ଲୁର ଜିଲ୍ଲାରେ ୩୫ଟି ଇରୁଲା ଆଦିବାସୀ ପରିବାରକୁ ନେଇ ଗଢ଼ି ଉଠିଥିବା ଏହି ପଡ଼ାର ପିଲାମାନଙ୍କ ମଧ୍ୟରେ ମୂଷା ଛୁଆ ବିଶେଷ ଭାବେ ଲୋକପ୍ରିୟ। (ଦେଖନ୍ତୁ, ବଙ୍ଗଲାମେଡ଼ୁରେ ପୋତି ହୋଇଥିବା ସମ୍ପତ୍ତିର ଖନନ)। ଏହି ଛୋଟ ଜୀବ କାମୁଡ଼ି ନଥାନ୍ତି ଏବଂ ଅନ୍ୟ ପାଳିତ ପଶୁଙ୍କ ଭଳି ପରିବାର ସହିତ ରହିଥାନ୍ତି। (ଏକ ଯାତ୍ରା ସମୟରେ, ମୁଁ ସେହି ମହିଳାଙ୍କୁ ଭେଟିଲି, ଯିଏକି ନିଜ ପାଳିତ ମୂଷାକୁ ତାର ଝୁଡ଼ିରେ ରଖି ବୈଠକକୁ ଆଣିଥିଲେ)

Baby rats are especially popular as pets among the Irula Adivasis in Bangalamedu hamlet – Dhaman, S. Amaladevi and Sakthivel (left to right) with their pets
PHOTO • Smitha Tumuluru
Baby rats are especially popular as pets among the Irula Adivasis in Bangalamedu hamlet – Dhaman, S. Amaladevi and Sakthivel (left to right) with their pets
PHOTO • Smitha Tumuluru
Baby rats are especially popular as pets among the Irula Adivasis in Bangalamedu hamlet – Dhaman, S. Amaladevi and Sakthivel (left to right) with their pets
PHOTO • Smitha Tumuluru

ବଙ୍ଗଲାମେଡ଼ୁ ବସ୍ତିରୁ ଇରୁଲା ଆଦିବାସୀଙ୍କ ମଧ୍ୟରେ ମୂଷା ଛୁଆ ଖୁବ ଲୋକପ୍ରିୟ ପାଳିତ ପ୍ରାଣୀ ଭାବେ ଗ୍ରହଣୀୟ ହୋଇଛନ୍ତି-ଧମନ, ଏସ. ଅମଲାଦେବୀ ଏବଂ ଶକ୍ତିଭେଲ (ବାମରୁ ଡାହାଣ) ସେମାନଙ୍କ ପାଳିତ ପ୍ରାଣୀଙ୍କ ସହିତ।

ଇରୁଲା-ତାମିଲନାଡ଼ୁର ଛଅଟି ବିଶେଷ ଭାବେ ଦୁର୍ବଳ ଆଦିବାସୀ ସମୁଦାୟ (ପିଭିଟିଜି) ମାନଙ୍କ ମଧ୍ୟରୁ ଅନ୍ୟତମ। ସେମାନେ ମୂଷା ମାଂସ ଖାଇଥାନ୍ତି। ଧାନ କ୍ଷେତରୁ ମୂଷାମାନଙ୍କୁ ଧରିବା ପରେ ସେଗୁଡ଼ିକୁ ଗରମ ଗରମ ରାନ୍ଧି ଖାଇଥାନ୍ତି। ସେମାନେ ସପ୍ତାହକୁ ଅତି କମ୍‌ରେ ୨-୩ ଥର ଖାଦ୍ୟ ପାଇଁ ଶିକାର କରିଥାନ୍ତି। ବେଳେ ବେଳେ ସେମାନଙ୍କର କୌଣସି କାମ ନଥିଲେ, ପ୍ରତ୍ୟେକ ଦିନ ଶିକାର କରିଥାନ୍ତି। ସେମାନଙ୍କ ଭୋଜନରେ ଠେକୁଆ, ମୂଷା, ଗୁଣ୍ଡୁଚି ମୂଷା, ଗେଣ୍ଡା, କଙ୍କଡ଼ା ଓ ବିଭିନ୍ନ ପ୍ରକାର ପକ୍ଷୀ ସାମିଲ-ଏ ସମସ୍ତ ଜୀବଙ୍କୁ ସେମାନେ ବଙ୍ଗଲାମେଡ଼ୁ ନିକଟବର୍ତ୍ତୀ ବୁଦାଳିଆ ଜଙ୍ଗଲ କିମ୍ବା ଚାଷ ଜମିରୁ ଧରିଥାନ୍ତି।

“ଆମେ ପ୍ରାୟତଃ ପ୍ରତ୍ୟେକ ଦିନ ମାଂସ ଖାଇଥାଉ,” ୩୫ ବର୍ଷୀୟ ଜି.ମଣିଗନ୍ଧନ କୁହନ୍ତି। ସେ ବନଜାଙ୍କ କକା, ଏବଂ ଆଦିବାସୀ ବସ୍ତିର ମାଧ୍ୟମିକ ବିଦ୍ୟାଳୟର ପିଲାମାନଙ୍କୁ ସ୍କୁଲ ପରେ ପାଠ ପଢ଼ାଇଥାନ୍ତି। ସେ ବେଳେ ବେଳେ ଦୁଇ ଚକିଆ ‘ଟ୍ୟାକ୍ସି’ ଚଳାଇଥାନ୍ତି, ଏବଂ ନିକଟସ୍ଥ ନିର୍ମାଣ ସ୍ଥଳରେ ବିଦ୍ୟୁତ କାର୍ଯ୍ୟ କରିଥାନ୍ତି। ବସ୍ତିରେ ମଣିଗନ୍ଧନ ଓ ଅନ୍ୟମାନଙ୍କର କହିବା କଥା ହେଉଛି ପ୍ରତ୍ୟେକ ପଶୁଙ୍କର ଏକ ବିଶେଷ ଔଷଧୀୟ ଗୁଣ ରହିଛି। ସେ କୁହନ୍ତି, “ବିଲେଇ ମାଂସ ଶ୍ୱାସ ରୋଗ ପାଇଁ ଭଲ, ଥଣ୍ଡା ପାଇଁ କଙ୍କଡ଼ା ଭଲ। ସେଥିପାଇଁ ଆମର ଲୋକମାନେ ଅଧିକାଂଶ ସମୟରେ ରୋଗରେ ପଡ଼ନ୍ତି ନାହିଁ।’’

(କେତେକ ବିବରଣୀରେ ଉଲ୍ଲେଖ କରାଯାଇଛି ଯେ ଇରୁଲାମାନେ ସାପ ଧରିଥାନ୍ତି, କିନ୍ତୁ ବଙ୍ଗଲାମେଡ଼ୁରେ ରହୁଥିବା ପରିବାରର ଲୋକମାନେ କହିଥାନ୍ତି ଯେ ସେମାନଙ୍କ ସମୁଦାୟରେ କେହି ସାପ ଧରିନଥାନ୍ତି। ମଣିଗନ୍ଧନ ମନେ ପକାଇ କୁହନ୍ତି ଯେ ତାଙ୍କ ପିତାଙ୍କ ଅମଳରେ, ପାଖାପାଖି ଚାରି ଦଶନ୍ଧି ପୂର୍ବରୁ, କିଛି ଲୋକ ବିକ୍ରି କରିବା ଲାଗି ସାପ ଧରୁଥିଲେ। ଏହି ପ୍ରଥା ଦିନଗଡ଼ିବା ସହିତ ଅଦୃଶ୍ୟ ହୋଇଯାଇଥିଲା। ଏବେ, ଏହି ବସ୍ତିର ନିବାସୀ ସାପଙ୍କୁ ନେଇ ସେତିକି ଚିନ୍ତିତ ଯେତିକି ଅନ୍ୟମାନେ, ସେମାନେ କୁହନ୍ତି)

ମୁଖ୍ୟତଃ ଆଖପାଖ ଗ୍ରାମର ଜମି ମାଲିକମାନେ ଟଙ୍କା ଦେଇ ବଙ୍ଗଲାମେଡ଼ୁବାସୀଙ୍କୁ ସେମାନଙ୍କ କ୍ଷେତରୁ ମୂଷା ଧରିବାକୁ ଡାକିଥାନ୍ତି, ଯାହାଫଳରେ ସେମାନେ ନିଜ କ୍ଷେତକୁ ମୂଷାଙ୍କ ଉପଦ୍ରବରୁ ସୁରକ୍ଷିତ ରଖିପାରିବେ। ଏହି ସମୟରେ ହିଁ ବଙ୍ଗଲାମେଡ଼ୁ ନିବାସୀ ନିଜ ଖାଦ୍ୟ ପାଇଁ ମୂଷାମାନଙ୍କୁ ଏକତ୍ରିତ କରିଥାନ୍ତି। ମୂଷାମାନେ ଜମିରୁ ଧାନ, ମାଣ୍ଡିଆ (ଯାହାକୁ ସ୍ଥାନୀୟ ଅଞ୍ଚଳରେ କେଲବରଗୁ କୁହନ୍ତି) କିମ୍ବା ଚିନାବାଦାମ ଚୋରାଇ ନେଇ ସେଗୁଡ଼ିକ ଗାତରେ ଜମା କରି ନେଇଥାନ୍ତି।

“ସତର୍କତା ପୂର୍ବକ ଖୋଳିଲେ ଆମକୁ ଗାତରୁ ୬-୭ ପାଡୀ (ପାଖାପାଖି ୮ରୁ ୧୦କିଗ୍ରା) ଧାନ ମିଳିପାରିବ”, ମଣିଗନ୍ଧନ କୁହନ୍ତି। “ସେଥିମଧ୍ୟରୁ ଆମକୁ ପାଖାପାଖି ୩ କିଗ୍ରା ଚାଉଳ ମିଳିଯାଇଥାଏ। ଜମି ମାଲିକ ଆମକୁ ଧାନ ନେଇଯିବା ପାଇଁ ଅନୁମତି ଦେଇଥାନ୍ତି। ଆମେ ‘କୋଝାମ୍ବୁ’ରେ ମୂଷା ମାଂସର ଉପଯୋଗ କରିଥାଉ।” ଏହା ତେନ୍ତୁଳି ରସରେ ପ୍ରସ୍ତୁତ ରାଗ ମାଂସ ଝୋଳ ଯାହାକୁ ଭାତ ସହିତ ଖାଇଥାନ୍ତି।

Once the rats are caught, K. Krishnan (left) and his cousin G. Manigandan dig through the rat tunnels to carefully extract the stored paddy
PHOTO • Smitha Tumuluru
Once the rats are caught, K. Krishnan (left) and his cousin G. Manigandan dig through the rat tunnels to carefully extract the stored paddy
PHOTO • Smitha Tumuluru

ମୂଷା ଧରିସାରିବା ପରେ, କେ କୃଷ୍ଣନ (ବାମ) ଏବଂ ତାଙ୍କ ସମ୍ପର୍କୀୟ ଭାଇ ଜି. ମଣିଗନ୍ଧନ ଧାନ ବାହାର କରିବା ଲାଗି ସତର୍କତାପୂର୍ବକ ଗାତ ଖୋଳୁଛନ୍ତି।

ଜମି ମାଲିକମାନେ ଇରୁଲାମାନଙ୍କୁ ଗଛ ଝାଡ଼ିବା, ନାଳ ଖୋଳିବା କିମ୍ବା ନିଜ ଚାଷ ଜମିରେ ହଳ କରିବା ପାଇଁ ମଧ୍ୟ ଡାକିଥାନ୍ତି। ଏହି କାମରେ ସେମାନେ ଦିନକୁ ୩୫୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି। ମୂଷା ଧରିବା ଲାଗି, ଜମି ମାଲିକ ସେମାନଙ୍କୁ ୫୦ରୁ ୧୦୦ ଟଙ୍କା ଭିତରେ ଦେଇଥାନ୍ତି। “ଏଥିପାଇଁ କୌଣସି ଧାର୍ଯ୍ୟ ଦର ନାହିଁ,” ମଣିଗନ୍ଧନ କୁହନ୍ତି। “ଏହା ପ୍ରତ୍ୟେକ ମାଲିକଙ୍କ ଉପରେ ନିର୍ଭର କରିଥାଏ ଯେ ସେ କେତେ ଟଙ୍କା ଦେବେ। କିଛି ଲୋକ ତ’ ଆଦୌ ଟଙ୍କା ଦେଇନଥାନ୍ତି ଏବଂ କହିଥାନ୍ତି “ମୁଁ କାହିଁକି ଦେବି, ତୁମର ଚାଉଳ ଏବଂ ମାଂସ ପାଇ ନାହଁ କି?’’

“କିଛି ବର୍ଷ ପୂର୍ବରୁ ଆମକୁ କେବଳ ମୂଷା ଧରିବା ପାଇଁ ଡକାଯାଉଥିଲା,” ସୁମତିଙ୍କ ସ୍ୱାମୀ, ୩୬ ବର୍ଷୀୟ କେ. ଶ୍ରୀରାମୁଲୁ କୁହନ୍ତି, ଯିଏକି ଧାନ କ୍ଷେତରେ କାମ କରିବା ସମୟରେ ନିୟମିତ ମୂଷା ଶିକାର କରିଥାନ୍ତି। “ଆଜିକାଲି, ଯେତେବେଳେ ଆମେ ଜମିରେ ହଳ କରିବାକୁ କିମ୍ବା ନାଳ ଖୋଳିବା ଲାଗି କାମ କରିବାକୁ ଯାଇଥାଉ, ସେମାନେ ଆମକୁ ମୂଷା ଗାତ ସଫା କରିବା ଲାଗି କୁହନ୍ତି। ମାଲିକ ନ କହିଲେ ମଧ୍ୟ, ଆମେ ଭଲଇ (ଗାତ) ଦେଖିବା ମାତ୍ରେ ମୂଷା ଧରି ନେଇଥାଉ।”

ତେବେ, ଏହି ସମ୍ପ୍ରଦାୟର ଯୁବକମାନଙ୍କୁ ମୂଷା ଧରିବା କାମକୁ ପସନ୍ଦ କରୁନାହାନ୍ତି, ସେ କୁହନ୍ତି। “କେହି କେହି ସେମାନଙ୍କୁ ଭେଟି କହିଥାନ୍ତି ଯେ ‘ଆପଣମାନେ ଏବେ ବି ନିଜ ପୁରୁଣା ରାସ୍ତାରେ କାହିଁକି ଚାଲୁଛନ୍ତି, ଏବେ ମଧ୍ୟ ମୂଷା କାହିଁକି ଧରୁଛନ୍ତି’। ସେମାନେ ଲଜ୍ଜା ଅନୁଭବ କରିଥାନ୍ତି।”

ସମ୍ପ୍ରଦାୟ ବାହାରର କିଛି ଲୋକଙ୍କ ପାଇଁ ଭୋଜନ ଆକାରରେ ମୂଷା ମାଂସ ଖାଇବାର ବିଚାର ହୁଏତ ଭଲ ହୋଇନପାରେ, କିମ୍ବା ଏହା ସେମାନଙ୍କ ପାଇଁ ଘୃଣ୍ୟ ହୋଇପାରେ। ମାତ୍ର ଇରୁଲା ଆଦିବାସୀଙ୍କ ପାଇଁ ମୂଷା ଦୁର୍ଗନ୍ଧଯୁକ୍ତ କୃନ୍ତକ ଠାରୁ ଅଧିକ-ସେମାନେ ଦୃଢ଼ ଏବଂ ସଫା ଜମିର ପଶୁ। “ସେଗୁଡ଼ିକ ସୁସ୍ଥ ମୂଷା”, ସୁମତି କୁହନ୍ତି। “ସେଗୁଡ଼ିକ କେବଳ ଧାନ ଖାଇଥାନ୍ତି ଆଉ କିଛି ନୁହେଁ। ସେମାନେ ସଫା ହୋଇଥାନ୍ତି। ନଚେତ ଆମେ ସେଗୁଡ଼ିକୁ ଖାଇନଥାନ୍ତୁ।”

ଜମିରେ ମୂଷା ଗାତ ନଖୋଳି ମଧ୍ୟ ଇରୁଲାମାନେ ସପ୍ତାହରେ ଅନେକ ସମୟରେ ମୂଷା ଓ ଗେଣ୍ଡା ଧରିଥାନ୍ତି। ଅପରାହ୍ଣରେ, ମଜୁରି କାମରୁ ଫେରିବା ବେଳେ ସେମାନେ ଜମିରେ କାମ କରିବା ଲାଗି ଯେଉଁ ଧାରୁଆ ସରଞ୍ଜାମ ସାଥୀରେ ନେଇଥାନ୍ତି ତାହା କାମରେ ଲାଗିଥାଏ। ସେମାନେ ସାଧାରଣତଃ ଚାଷ କାର୍ଯ୍ୟ ପାଇଁ ବହନ କରୁଥିବା କ୍ରେବାର୍ ସାହାଯ୍ୟ କରେ। “ଆମେ ବେଶୀ ପନିପରିବା ଖାଇନଥାଉ”, ମଣିଗନ୍ଧନ କୁହନ୍ତି। “ଆମ ଖାଇବା ଲାଗି ମାଂସ ଜରୁରି। ସେଥିପାଇଁ ଆମେ ପ୍ରତି ଦିନ ଶିକାର କରିଥାଉ। ଭାଗ୍ୟରେ ଥିଲେ ଆମକୁ ୧୦ଟି ମୂଷା ମିଳିଯାଇଥାନ୍ତି। ବେଳେବେଳେ ଆମକୁ ମାତ୍ର ୪ଟି ମୂଷାରେ କାମ ଚଳାଇବାକୁ ପଡ଼ିଥାଏ। ଆମେ ସେଦିନ ସେହି ମୂଷାଗୁଡ଼ିକୁ ରାନ୍ଧି ଖାଇଥାଉ। ଆମେ ସେମାନଙ୍କୁ ପରଦିନ ପର୍ଯ୍ୟନ୍ତ ମଧ୍ୟ ସାଇତି ରଖିଥାଉ।

PHOTO • Smitha Tumuluru

କୃଷ୍ଣନ (ଉପର ଧାଡ଼ି)  ଏବଂ ଅନ୍ୟମାନେ ମୂଷା ଶିକାର କରିବା ଲାଗି ଗାତ ମୁହଁର ସନ୍ଧାନ କରିଥାନ୍ତି। ତଳେ ବାମ : ମୂଷାଧରାଳିମାନେ ବେଳେ ବେଳେ ଜାଲ ଉପଯୋଗ କରିଥାନ୍ତି। ତଳେ ଡାହାଣ : ଏ. ସୁମତୀ ତାଙ୍କ ସ୍ୱାମୀ କେ. ଶ୍ରୀରାମୁଲଙ୍କ ସହିତ ଯିଏ ଧାନ କ୍ଷେତ୍ରରେ କାମ କରିବା ସମୟରେ ନିୟମିତ ଭାବରେ ମୂଷା ଶିକାର କରିଥାନ୍ତି।

ସାଧାରଣତଃ ଦୁଇ ଜଣ ବ୍ୟକ୍ତି ମୂଷା ଧରିବା କାମ କରିଥାନ୍ତି-ତେବେ ଅନେକ ଥର, ଜଣେ ବ୍ୟକ୍ତି ମଧ୍ୟ ମୂଷା ଶିକାର କରିପାରିବ, ଏବଂ ବେଳେ ବେଳେ ତିନି ଜଣ ଲୋକଙ୍କୁ ନେଇ ଗଠିତ ଟିମ ଏହି କାର୍ଯ୍ୟ କରିଥାନ୍ତି। ଏକ ଅପରାହ୍ଣରେ ଏହି କାମ ପାଇଁ ଡକାଯିବା ପରେ ମଣିଗନ୍ଧନ ଏବଂ ତାଙ୍କ କକାପୁଅ ଭାଇ କେ. କୃଷ୍ଣନ ସଭୁକ୍କୁ (କେସୁରାଇନା) ଜଙ୍ଗଲକୁ ଲାଗି ରହିଥିବା ଧାନ କ୍ଷେତ ଆଡ଼କୁ ଚାଲିଯାଇଥାନ୍ତି। ୪୫ ବର୍ଷ ବୟସ୍କ କୃଷ୍ଣନ ଜମି କଡ଼ରେ ଥିବା ଗାତ ଆଡ଼କୁ ଇସାରା କରନ୍ତି। “ଆପଣ କ’ଣ ସେ ଗାତଗୁଡ଼ିକୁ ଦେଖିପାରୁଛନ୍ତି? ଏଗୁଡ଼ିକ ମୂଷା ଗାତ ମଧ୍ୟକୁ ପ୍ରବେଶ ଦ୍ୱାର । ଆମେ ଏଗୁଡ଼ିକୁ ଦେଖିଥାଉ ଏବଂ ମୂଷା ଧରିବା ଲାଗି ଯୋଜନା କରିଥାଉ ।” କୃଷ୍ଣନ ଦିନେ ଛଡ଼ା ଦିନେ ଶିକାର କରିବାକୁ ଯାଇଥାନ୍ତି, ସେ କୁହନ୍ତି, “ଆମେ ଯାହା କିଛି ପାଉ ଘରକୁ ନେଇ ଆସିଥାଉ। ମୂଷା ଧରିବା ସବୁଠୁ ସହଜ। ସେଥିପାଇଁ ଆମେ ସପ୍ତାହକୁ ଅତିକମରେ ଦୁଇରୁ ତିନି ଦିନ ମୂଷା ମାଂସ ରାନ୍ଧି ଖାଇଥାଉ।”

“ମୂଷା ଗାତ ଖୁବ ଜଟିଳ ହୋଇଥାଏ, ଯେପରି ସହରର ସଡ଼କଗୁଡ଼ିକ ଭିନ୍ନ ଭିନ୍ନ ଦିଗରେ ବ୍ୟାପିଥାଏ, ଭୂମି ଉପରେ ଓ ତଳେ ମଧ୍ୟ,” ମଣିଗନ୍ଧନ କୁହନ୍ତି। “ସେମାନେ ଖୁବ ଚାଲାକ ହୋଇଥାନ୍ତି। ସେମାନେ କାଦୁଅରେ ସେମାନଙ୍କର ଭଲଇ କୁ ବନ୍ଦ କରି ଦେଇଥାନ୍ତି। ସେମାନଙ୍କୁ ଖୋଜିବା ସହଜ ନୁହେଁ। ଆପଣଙ୍କୁ ଧ୍ୟାନର ସହ ଦେଖିବାକୁ ପଡ଼ିବ। ଥରେ ଦେଖିଦେବା ମାତ୍ରେ ଆମେ ପଥରରେ ପ୍ରବେଶ ଦ୍ୱାରକୁ ବନ୍ଦ କରି ଦେଇଥାଉ ଏବଂ ଅନ୍ୟ ଦିଗରୁ ଖୋଳିବା ଆରମ୍ଭ କରି ଦେଇଥାଉ। ମୂଷାଗୁଡ଼ିକ ପଳାଇବା ପାଇଁ କୌଣସି ରାସ୍ତା ପାଇନଥାନ୍ତି ଏବଂ ଆମେ ସେମାନଙ୍କୁ ଧରି ନେଇଥାଉ। ଯଦି ମାଟି ଶୁଖି ଟାଣ ହୋଇଯାଇଛି ଏବଂ ଖୋଳି ହେଉନାହିଁ ତା’ହେଲେ ଆମେ ଗୋବର ଘସି ଜଳାଇଥାଉ ଏବଂ ଗାତ ଭିତରେ ଧୂଆଁ କରିଥାଉ। ଏହାଫଳରେ ମୂଷା ଅଣନିଃଶ୍ୱାସୀ ହୋଇଯାଆନ୍ତି ଏବଂ ସେଗୁଡ଼ିକ ମରିଯାଇଥାନ୍ତି।”

ବସ୍ତିରେ ମଣିଗନ୍ଧନ, କୃଷ୍ଣନ ଏବଂ ଅନ୍ୟ ଲୋକମାନେ ମୂଷା ଧରିବା ନିମନ୍ତେ ଜାଲର ପ୍ରୟୋଗ କରିଥାନ୍ତି। “ବେଳେ ବେଳେ, ଯେତେବେଳେ ଆମକୁ ଭଲଇ ର ପ୍ରବେଶ ଦ୍ୱାର ମିଳିନଥାଏ, ଆମେ ସେହି ସ୍ଥାନ ଚାରି ପଟେ ଜାଲ ବିଛାଇ ଦେଇଥାଉ”, ମଣିଗନ୍ଧନ କୁହନ୍ତି। “ଧୂଆଁ ଗାତ ମାଧ୍ୟମରେ ଗୋଟିଏ ପଟୁ ଅନ୍ୟ ପଟକୁ ଯାଇଥାଏ। ଯଦି କୌଣସି ମୂଷା ଧୂଆଁରୁ ସୁରକ୍ଷିତ ରହିବା ଲାଗି ଗାତରୁ ବାହାରକୁ ବାହାରି ପଳାଇବା ନିମନ୍ତେ ପ୍ରୟାସ କରିଥାଏ, ତା’ହେଲେ ସେ ଆମ ଜାଲରେ ଆସି ଫସିଯାଇଥାଏ।” ଏଥିପାଇଁ, ବଙ୍ଗଲାମେଡ଼ୁର କେତେକ ଇରୁଲା ପରିବାର ଦୃଢ଼ ସୂତାରେ ବୁଣି ଜାଲ ପ୍ରସ୍ତୁତ କରିଥାନ୍ତି, ଅନ୍ୟମାନେ ଆଖପାଖର ବଜାରରୁ କିଣିଥାନ୍ତି।

ଅନ୍ୟପଟେ ଧାନ କ୍ଷେତରେ, କୃଷ୍ଣନ ଯେମିତି ଗାତର ଗୋଟିଏ ପାଖରୁ ଖୋଳିବା ଆରମ୍ଭ କରୁଛନ୍ତି, ସେହି ସ୍ଥାନ ଦେଇ ଯାଉଥିବା ୨୦ ବର୍ଷୀୟ ଜି. ସୁରେଶ ତାଙ୍କ ସହିତ ସାମିଲ ହୋଇଯାଇଥାନ୍ତି। ସେ ଓ ତାଙ୍କର ମାତା-ପିତା ଜୀବିକା ନିର୍ବାହ ନିମନ୍ତେ କାଠ କୋଇଲା ପ୍ରସ୍ତୁତ କରିଥାନ୍ତି। ସେ କୃଷ୍ଣନଙ୍କୁ ସତର୍କ କରାଇ ଦିଅନ୍ତି ଯେ ସେଠାରେ ଗୋଟିଏ ମୂଷା ଅଛି । ଭ୍ରମିତ ମୂଷା ପଳାଇବା ଲାଗି ଚେଷ୍ଟା କରିବା ମାତ୍ରେ, କୃଷ୍ଣନ ଖୁବ ଦ୍ରୁତଗତିରେ ତାଙ୍କୁ ଧରି ନେଇଥାନ୍ତି। ସେ ତା’ର ସବୁ ଦାନ୍ତ ଓ ଅଙ୍ଗକୁ ଭାଙ୍ଗି ଦେଇଥାନ୍ତି, ଯାହାର ଶବ୍ଦ ଶୁଭିଥାଏ। “ଏହା ଜରୁରି ଅଟେ, ଅନ୍ୟଥା ସେଗୁଡ଼ିକ କାମୁଡ଼ି ଦେଇପାରନ୍ତି କିମ୍ବା ଖସିଯାଇପାରନ୍ତି। ସେମାନେ ଖୁବ ଚଞ୍ଚଳ ହୋଇଥାନ୍ତି”, ସେ କୁହନ୍ତି। ମୂଷାକୁ ଧରିନେବା ପରେ, କୃଷ୍ଣନ ଓ ତାଙ୍କ ଟିମ ସତର୍କତାର ସହିତ ଧାନ ବାହାର କରିବା ଲାଗି ସମ୍ପୂର୍ଣ୍ଣ ଗାତକୁ ଖୋଳିଥାନ୍ତି।

The Irula families of Bangalamedu depend on hunting for their meals. Left: M. Radha waits to trap a rabbit. Right: G. Subramani, catapult in hand, looks for birds
PHOTO • Smitha Tumuluru
The Irula families of Bangalamedu depend on hunting for their meals. Left: M. Radha waits to trap a rabbit. Right: G. Subramani, catapult in hand, looks for birds
PHOTO • Smitha Tumuluru

ବଙ୍ଗଲାମେଡ଼ୁର ଇରୁଲା ପରିବାର ଭୋଜନ ପାଇଁ ଶିକାର ଉପରେ ନିର୍ଭରଶୀଳ। ବାମ : ଏମ ରାଧା ଠେକୁଆକୁ ଫାଶରେ ପକାଇବା ଲାଗି ଅପେକ୍ଷା କରି ରହିଛନ୍ତି। ଡାହାଣ : ଜି. ସୁବ୍ରମଣି, ହାତରେ ବାଟୁଳି ଧରି ପକ୍ଷୀ ଖୋଜୁଛନ୍ତି।

ବେଳେ ବେଳେ, ଗାତରେ ସେମାନଙ୍କୁ ମୂଷା ଛୁଆ ମିଳିଯାଇଥାନ୍ତି। ବଙ୍ଗଲାମେଡ଼ୁରେ ବହୁ ଇରୁଲା ପରିବାର ସେଗୁଡ଼ିକୁ ପାଳିତ ଏବଂ ଖେଳିବା ପ୍ରାଣୀ ଭାବେ ଆପଣାଇ ନେଇଥାନ୍ତି। ସପ୍ତମ ଶ୍ରେଣୀରେ ପଢ଼ୁଥିବା ୧୫ ବର୍ଷୀୟ ଆର. ଧନଲକ୍ଷ୍ମୀ, ଯିଏକି ସ୍କୁଲ ପାଠପଢ଼ା ସରିବା ପରେ ମଣିଗନ୍ଧନଙ୍କର ଶ୍ରେଣୀରେ ସାମିଲ ହୋଇଥାନ୍ତି, ଏବେ ବି ନିଜ ପାଳିତ ମୂଷା, ଗୀତାକୁ ମନେ ପକାଉଛନ୍ତି, ମାତ୍ର ୧୦ ବର୍ଷ ବୟସ ହୋଇଥିବା ସମୟରେ ସେ ତା’କୁ ଆଣି ପାଳିଥିଲେ। “ମୁଁ ମୋ ମୂଷାକୁ ଖୁବ ଭଲ ପାଉଥିଲି”, ସେ କୁହନ୍ତି। “ସେ ଖେଳିବା ଲାଗି ଛୋଟ ଏବଂ ଭଲ ଥିଲା।”

ମୂଷା ଧରିବା ଏକ ନିୟମିତ ଗତିବିଧି ଅଟେ, କିନ୍ତୁ ବଙ୍ଗଲାମେଡ଼ୁର ଅନେକ ବାସିନ୍ଦା ଏବେ ଗାତରେ ଏକତ୍ରିତ ହୋଇଥିବା ଧାନକୁ ଭୋଜନ ଭାବେ ଗ୍ରହଣ କରିବା ଲାଗି ପସନ୍ଦ କରୁନାହାନ୍ତି। “ଆମ ଲୋକମାନଙ୍କୁ ରାସନରୁ ମିଳୁଥିବା ଚାଉଳର ସ୍ୱାଦ ପସନ୍ଦ ଆସିଯାଇଛି”, ମଣିଗନ୍ଧନ କୁହନ୍ତି। “ସେ ଏବେ ଭଲଇ ର ଧାନ ବଦଳରେ ଏହାକୁ ପସନ୍ଦ କରୁଛନ୍ତି। ମୁଁ ଦେଖିଛି ଯେ ଅନେକ ଲୋକ ମୂଷା ଧରିଥାନ୍ତି, କିନ୍ତୁ ଧାନକୁ ଗାତରେ ହିଁ ଛାଡ଼ି ଚାଲିଯାଇଥାନ୍ତି କିମ୍ବା ସେମାନଙ୍କ କୁକୁଡ଼ାକୁ ଖାଇବାକୁ ଦେଇଥାନ୍ତି।

କୃଷ୍ଣନ ମଧ୍ୟ ଏକଥାରେ ସହମତ ଯେ ତାଙ୍କ ବସ୍ତିର ଲୋକମାନେ ମୂଷା ଗାତର ଧାନ ଅପେକ୍ଷା ରାସନ ଦୋକାନରୁ ମିଳୁଥିବା ଚାଉଳକୁ ଅଧିକ ଉପଯୋଗ କରୁଛନ୍ତି। “ମୂଷା ଗାତରୁ ଆମକୁ ଆଉ ସେତେ ଧାନ ମିଳୁନାହିଁ, ଯେତିକି ପୂର୍ବରୁ ମିଳୁଥିଲା”, ସେ କୁହନ୍ତି। “ଆଜିକାଲି କମ୍ ବର୍ଷା ହେଉଛି, ସେଥିପାଇଁ ଧାନ ଚାଷ ହ୍ରାସ ପାଇଛି। ଆହୁରି ସେମାନେ ଏବେ ଜମିରେ ଘର ତିଆରି କଲେଣି, ସେଥିପାଇଁ ଅନେକ ଲୋକ ଆଉ ପୂର୍ବ ଭଳି ଚାଷ କରୁନାହାନ୍ତି।”

ଏବେ ଦୈନିକ ଭୋଜନ ପ୍ରସ୍ତୁତ କରିବା ଲାଗି ରାସନ ଚାଉଳ ଉପଯୋଗ କରାଯାଉଛି, ସେ କୁହନ୍ତି। “କିନ୍ତୁ ଆମେ ମୂଷା ଗାତରୁ ମିଳୁଥିବା ଚାଉଳକୁ ମିଠା ପ୍ରସ୍ତୁତ କରିବାରେ ଉପଯୋଗ କରିଥାଉ। ସେହି ଚାଉଳର ଏକ ଭିନ୍ନ ବାସ୍ନା ରହିଛି। କିଛି ଲୋକ ହୁଏତ’ ଏହାକୁ ପସନ୍ଦ କରିନପାରନ୍ତି, କିନ୍ତୁ ଆମେ ଏହାକୁ ଖୁବ ପସନ୍ଦ କରୁ…”

Irula Adivasis relish rat meat, which they cook fresh after catching the rodents. Right: A tomato broth getting ready for the meat to be added
PHOTO • Smitha Tumuluru
Irula Adivasis relish rat meat, which they cook fresh after catching the rodents. Right: A tomato broth getting ready for the meat to be added
PHOTO • Smitha Tumuluru

ଇରୁଲା ଆଦିବାସୀ ମୂଷା ମାଂସ ଖାଇଥାନ୍ତି, ଯାହାକୁ ସେମାନେ ଧରିବା ପରେ ସତେଜ ରାନ୍ଧିଥାନ୍ତି। ଡାହାଣ : ମାଂସରେ ପକାଇବା ପାଇଁ ଟମାଟୋ ରସ ତିଆରି କରାଯାଇଥାଏ।

କିନ୍ତୁ ମୂଷା ଗାତରୁ ମିଳୁଥିବା ଚିନାବାଦାମର ଚାହିଦା ଏବେ ବି ରହିଛି। “ମୂଷାମାନେ ଲୁଚିବା ଲାଗି ବଡ଼ ଚିନାବାଦାମର ଉପଯୋଗ କରିଥାନ୍ତି। ଏହାର ସ୍ୱାଦ ବେଶ ମିଠା ହୋଇଥାଏ। ଆମେ ସେଥିରୁ ତେଲ ମଧ୍ୟ ବାହାର କରିପାରିବା। ଆମକୁ ଧାନ ନମିଳିଲେ ନାହିଁ ଯଦି ଜମିରେ ଚିନାବାଦାମ ଚାଷ ହୋଇଛି, ତା’ହେଲେ ଆମେ ସେଗୁଡ଼ିକୁ ଏକାଠି କରି ଆଣିବା ପାଇଁ ନିଶ୍ଚିତ ଭାବେ ମୂଷା ଶିକାର କରିବାକୁ ଯାଇଥାଉ’’, ମଣିଗନ୍ଧନ କୁହନ୍ତି। ସୁମତି ଓ କୃଷ୍ଣନ ମଧ୍ୟ ଏଥିରେ ସମ୍ପୂର୍ଣ୍ଣ ସହମତି ପ୍ରକାଶ କରିଥାନ୍ତି।

ବର୍ଷକ ତଳେ, ବର୍ଷା ଦିନ କଥା ମଣିଗନ୍ଧନ ମନେ ପକାଇଥାନ୍ତି, ଘରେ ଖାଇବା ପାଇଁ କିଛିନଥିଲା। ତାଙ୍କ ମା’ ୬୦ ବର୍ଷୀୟା ୟେଲମ୍ମା ନିଜ ପିଲାମାନଙ୍କୁ ଖାଇବାକୁ ଦେବା ଲାଗି କିଛି ନା କିଛି ଖୋଜି ଆଣିବାକୁ ପଣ କଲେ। ସେ ମୂଷା ଗାତରୁ ଖୋଳି ବାହାର କରାଯାଇଥିବା ଚିନାବାଦାମ ଭର୍ତ୍ତି ଅନ୍ନକୁଡ଼ଇ (ବଡ଼ ଆଲୁମିନିୟମ ପାତ୍ର) ସହ ଘରକୁ ଫେରିଲେ।

ସୁମତୀ ଏବେ ମଧ୍ୟ ଗାତରୁ ଧାନ ଏକତ୍ର କରିଥାନ୍ତି। “ମୂଷା ଗାତରୁ ବାହାରୁଥିବା ଚାଉଳରୁ ମାଟିର ବାସ୍ନା ଆସିଥାଏ। ଏହାର ସ୍ୱାଦ ମିଠା ହୋଇଥାଏ। ମୋର ବନ୍ଧୁମାନେ ନିକଟରେ କୋଝୁକଟ୍ଟଇ (ସତେଜ ଚାଉଳ ଅଟାରେ ପ୍ରସ୍ତୁତ ଏକ ମିଠା ବ୍ୟଞ୍ଜନ, ଯାହା ଗୁଡ଼ ଏବଂ ନଡ଼ିଆରେ ପରିପୂର୍ଣ୍ଣ ହୋଇଥାଏ) ତିଆରି କରିବା ଲାଗି ଏହାର ଉପଯୋଗ କରିଥାନ୍ତି।”

ସେ ଆହୁରି କୁହନ୍ତି, “ଘରେ (ଖାଇବାକୁ) କିଛି ନଥାଉ ପଛେ, ଆମେ ସବୁବେଳେ ସହଜରେ ମୂଷା ପାଇ ଯାଇଥାଉ। ଆମେ ସେଗୁଡ଼ିକୁ ନିଆଁରେ ପୋଡ଼ିଥାଉ ଏବଂ ବାଇଗଣ, ଟମାଟୋ ଓ ପିଆଜ କାଟି ପକାଇ ମାଂସର କୋଝାମ୍ବୁ ପ୍ରସ୍ତୁତ କରିଥାଉ। ଏହାକୁ ଆମେ ଭାତ ସହିତ ଖାଇଥାଉ। ଏହା ସ୍ୱାଦିଷ୍ଟ ଏବଂ ତୃପ୍ତିକର ହୋଇଥାଏ’’।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Smitha Tumuluru

ସ୍ମିତା ଟୁମୁଲୁରୁ ବେଙ୍ଗାଲୁରୁର ଜଣେ ବୃତ୍ତଚିତ୍ର ଫଟୋଗ୍ରାଫର । ପୂର୍ବରୁ ସେ ତାମିଲନାଡୁର ଉନ୍ନୟନ ପ୍ରକଳ୍ପ ସଂପର୍କରେ କରିଥିବା କାମରୁ ହିଁ ଗ୍ରାମୀଣ ଜୀବନ ସଂପର୍କରେ ତାଙ୍କ ଖବର ଏବଂ ତଥ୍ୟ ଏକତ୍ରୀକରଣ ଦକ୍ଷତା ପ୍ରତିଫଳିତ ।

Other stories by Smitha Tumuluru