ଆପ୍ପାସାହେବ କୋଠୁଲେ, ୪୫ ନିଜ ବଳଦ ଦୁଇଟି ବିକ୍ରି କରିବାକୁ ଚାହାଁନ୍ତି। କିନ୍ତୁ ସେ ତାହା କରିପାରୁନାହାନ୍ତି। କଲିମ କ୍ୟୁରେସି, ୨୮, ବଳଦ କିଣିବାକୁ ଚାହାଁନ୍ତି। କିନ୍ତୁ ସେ ମଧ୍ୟ ତାହା କରିପାରୁନାହାଁନ୍ତି।

ଏକ ମାସରୁ ଊର୍ଦ୍ଧ୍ୱ ହେବ କୋଠୁଲେ ବିଭିନ୍ନ ବଜାର ବୁଲୁଛନ୍ତି। ମହାରାଷ୍ଟ୍ରର ମରାଠାୱାଡ଼ା କ୍ଷେତ୍ର ଅନ୍ତର୍ଗତ ଔରଙ୍ଗାବାଦ ସହରଠାରୁ ୪୦ କିମି ଦୂର ନିଜ ଗ୍ରାମ ଦେବଗାଁଓ, ତାଙ୍କ ଗାଁର ଚାରି ପାଖରେ ଥିବା ପ୍ରାୟତଃ ସବୁ ସାପ୍ତାହିକ ବଜାର ସେ ବୁଲିସାରିଲେଣି । ଆଜି, ସେ ଅଦୁଲରେ ଆସି ପହଁଞ୍ଚିଛନ୍ତି, ଯେଉଁଠି ପ୍ରତି ମଙ୍ଗଳବାର ଗ୍ରାମବାସୀଙ୍କ ଭିଡ଼ ଜମିଥାଏ । ମୁଣ୍ଡରେ ଏକ ଧଳା ରୁମାଲ ଗୁଡ଼ାଇ ସେ କୁହନ୍ତି, "ମୋ ପୁଅ ବାହାଘର ହେଉଛି ଓ ମୁଁ କିଛି ଟଙ୍କା ଚାହେଁ,’’ କିନ୍ତୁ ‘‘ଏହି ଯୋଡ଼ା ପାଇଁ କେହି ୧୦, ୦୦୦ ଟଙ୍କା ସୁଦ୍ଧା ଦେବାକୁ ରାଜି ହେଉନାହାଁନ୍ତି। ମୁଁ ଏ ଦୁଇଟିକୁ ଅତିକମରେ ୧୫ହଜାର ଟଙ୍କାରେ ବିକ୍ରି କରିବାକୁ ଚାହେଁ ।”

ଇତିମଧ୍ୟରେ, କଲିମ କ୍ୟୁରେଶି, ଔରଙ୍ଗାବାଦର ସିଲ୍ଲାଖାନା ଅଞ୍ଚଳରେ ଥିବା ନିଜର ଗୋମାଂସ ଦୋକାନରେ ହାତବାନ୍ଧି ବସିଛନ୍ତି, ଭାବୁଛନ୍ତି ସେ କେମିତି ତାଙ୍କର ବୁଡ଼ିଯାଉଥିବା ବେପାରକୁ ପୁନର୍ଜୀବିତ କରିବେ। "ମୁଁ ଦିନକୁ ପ୍ରାୟ ୨୦ ହଜାର ଟଙ୍କାର କାରବାର କରିଥାଏ (ଏଥିରୁ ମୋର ମାସିକ ଆୟ ୭୦ରୁ ୮୦ ହଜାର ଟଙ୍କା ହୋଇଥାଏ)”, ବୋଲି ସେ କୁହନ୍ତି। "ମାତ୍ର ଗତ ଦୁଇ ବର୍ଷ ହେବ ବେପାର ଏହାର ଚାରିଭାଗକୁ ଖସିଆସିଛି।”

Appasaheb Kothule at the cattle market, Cows being transported in a small truck
PHOTO • Parth M.N.

"ମୁଁ ବିଭିନ୍ନ ବଜାରକୁ ଏହି ବଳଦଗୁଡ଼ିକୁ ବୋହି ନେବା ଲାଗି ହଜାର ହଜାର ଟଙ୍କା ଖର୍ଚ୍ଚ କରିସାରିଲିଣି”, ବୋଲି କୁହନ୍ତି ଦେବଗାଓଁର ଆପ୍ପାସାହେବ କୋଠୁଲେ। ଅନ୍ୟ ଚାଷୀମାନେ ମଧ୍ୟ ସେମାନଙ୍କ ଆୟଠାରୁ ଅଧିକ ଟଙ୍କା ବ୍ୟୟ କରିଚାଲିଛନ୍ତି

ଦୁଇ ବର୍ଷରୁ କିଛି ଅଧିକ ସମୟ ହେବ ରାଜ୍ୟରେ ଗୋମାଂସକୁ ନିଷିଦ୍ଧ କରାଯାଇଛି। ୨୦୧୪ରେ ଭାରତୀୟ ଜନତା ପାର୍ଟିର ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ କଂଗ୍ରେସ ଓ ନାସନାଲିଷ୍ଟ କଂଗ୍ରେସ ପାର୍ଟିର ସରକାରଙ୍କ ଅମଳରେ କୃଷି ସଂକଟ ଗୁରୁତର ଆକାର ଧାରଣ କରିସାରିଥିଲା। କ୍ରମବର୍ଦ୍ଧନଶୀଳ କୃଷି ଖର୍ଚ୍ଚ, ଫସଲର ଅସ୍ଥିର ମୂଲ୍ୟ, ଜଳସେଚନରେ ଅବ୍ୟବସ୍ଥା ଓ ଅନ୍ୟାନ୍ୟ କାରଣଗୁଡ଼ିକର ଘାତକ ସଂଯୋଗ କୃଷି ସଂକଟକୁ ଅଧିକ ବ୍ୟାପକ କରିଥିଲା। ଫଳରେ ରାଜ୍ୟରେ ୧୦ ହଜାରରୁ ଊର୍ଦ୍ଧ୍ୱ କୃଷକ ଆତ୍ମହତ୍ୟା କରିଥିଲେ। ମାର୍ଚ୍ଚ ୨୦୧୫ରେ ଫଡନାଭିସ ଗୋହତ୍ୟା କଟକଣାରେ ବଳଦ ଓ ଷଣ୍ଢଙ୍କୁ ସାମିଲ କରି ଏହି ସଂକଟକୁ ଆହୁରି ବଢ଼ାଇ ଦେଲେ।

ଗୋପାଳନ ଗ୍ରାମୀଣ ଅର୍ଥବ୍ୟବସ୍ଥାର ଆଧାର ହୋଇଥିବାରୁ ଏହି ନିଷିଦ୍ଧାଦେଶ ଗୋରୁ ଉପରେ ନିର୍ଭରଶୀଳ ବ୍ୟବସାୟକୁ ସିଧାସଳଖ ପ୍ରଭାବିତ କଲା। ଏହା ଅନୁରୂପ ଭାବେ କୃଷକମାନଙ୍କୁ ପ୍ରଭାବିତ କଲା, ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି ସେମାନଙ୍କ ଗୋରୁ ବିକ୍ରି କରି ବାହାଘର, ଔଷଧ ଓ ପରବର୍ତ୍ତୀ ଫସଲ ଋତୁ ପାଇଁ ତୁରନ୍ତ ଟଙ୍କା ଯୋଗାଡ଼ କରିପାରୁଥିଲେ।

ନିଜର ୫ ଏକ ଚାଷ ଜମିରେ କପା ଓ ଗହମ ଚାଷ କରୁଥିବା କୋଠୁଲେ କୁହନ୍ତି ଯେ ଏହି ନିଷିଦ୍ଧାଦେଶ ଯୋଗୁଁ ତାଙ୍କର ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଛି। ବଳଦ ଦୁଇଟିର କପାଳରେ ହାତ ମାରି ସେ କୁହନ୍ତି, “ଏ ଦୁଇଟି ବଳଦକୁ ମାତ୍ର ୪ ବର୍ଷ। କିଛି ବର୍ଷ ପୂର୍ବେ ଯେ କେହି ଚାଷୀ ଏହାକୁ ଅତି ସହଜରେ ୨୫ ହଜାର ଟଙ୍କାରେ କିଣି ନେଇଥା’ନ୍ତେ। ୧୦ ବର୍ଷ ହେବା ପର୍ଯ୍ୟନ୍ତ ବଳଦକୁ ନେଇ ଚାଷ ଜମିରେ ହଳ କରାଯାଇପାରେ”।

ଭିଡ଼ିଓ ଦେଖନ୍ତୁ : ମରାଠାୱାଡ଼ାର କୃଷକମାନେ ବିବ୍ରତ ହୋଇ ଗ୍ରାହକମାନଙ୍କୁ ଖୋଜୁଛନ୍ତି

କିନ୍ତୁ ଏବେ କୃଷକମାନେ ଦର କମିବା ସତ୍ତ୍ୱେ ଗୋରୁ କିଣିବା ଲାଗି କୁଣ୍ଠାବୋଧ କରୁଛନ୍ତି, କାରଣ ସେମାନେ ଜାଣନ୍ତି ଯେ ପରବର୍ତ୍ତୀ ସମୟରେ ଏମାନଙ୍କୁ ବିକ୍ରି କରିବା କଷ୍ଟକର ହୋଇଯିବ । କୋଠୁଲେ କୁହନ୍ତି, “ମୁଁ ମୋ ଘରୁ ଏ ବଳଦ ଯୋଡ଼ିକୁ ବିଭିନ୍ନ ବଜାରକୁ ନେବା ଲାଗି ହଜାର ହଜାର ଟଙ୍କା ଖର୍ଚ୍ଚ କରିସାରିଲିଣି”। “ଅଦୁଲ ଏଠାରୁ ୪ କିମି ଦୂର, ତେଣୁ ମୁଁ ବଳଦ ଦୁଇଟିକୁ ଧରି ଚାଲି ଚାଲି ଏଠାକୁ ଆସିଛି । ଅନ୍ୟ ସାପ୍ତାହିକ ବଜାରଗୁଡ଼ିକ ୨୫ କିମି ଦୂରରେ ଅଛି, ତେଣୁ ମୋତେ ବଳଦ ବୋହିବା ଗାଡ଼ି ଭଡ଼ାରେ ଆଣିବାକୁ ପଡ଼ିଥାଏ । ମୋ ଉପରେ ଏବେ ବି ଋଣ ବୋଝ ରହିଛି । ମୁଁ ଏହି ବଳଦ ଦୁଇଟିକୁ ବିକ୍ରି କରିବା ଲାଗି ଚାହୁଁଛି”।

ଆମେ ଆଗକୁ ବଢ଼ିବା ସହିତ, କୋଠୁଲେ ଅତି ବିବ୍ରତ ହୋଇ ଗ୍ରାହକ ସନ୍ଧାନରେ ଥାଆନ୍ତି । ସେ ସକାଳ ୯ଟାରେ ବଜାରରେ ପହଞ୍ଚିଛନ୍ତି । ଏବେ ଦ୍ୱିପ୍ରହର ଗୋଟାଏ ବାଜିଲାଣି, ଓ ଭାରି ଗରମ ହେଉଛି । “ମୁଁ ପହଞ୍ଚିବା ପରଠାରୁ ପାଣି ଟୋପାଏ ପାଇନାହିଁ”, ବୋଲି ସେ କୁହନ୍ତି । “ମୁଁ ବଳଦ ଦୁଇଟିକୁ ୫ମିନିଟ ସୁଦ୍ଧା ଛାଡ଼ି ଯାଇପାରିବି ନାହିଁ, କାରଣ ଗ୍ରାହକଙ୍କୁ ହରାଇ ଦେଇପାରେ” ।

୪୫ ଡିଗ୍ରୀ ଗରମରେ ତାଙ୍କ ଚାରିପାଖରେ ବହୁ ସଂଖ୍ୟକ ଚାଷୀ ପଡ଼ିଆରେ ଛିଡ଼ା ହୋଇ ସେମାନଙ୍କ ଗୋରୁ ବିକ୍ରି ଲାଗି ଚେଷ୍ଟା କରୁଛନ୍ତି । ଅଦୁଲଠାରୁ ୧୫ କିମି ଦୂର ୱାକୁଲ୍ନିର ଜନାର୍ଦ୍ଦନ ଗୀତେ, ୬୫, ନିଜ ବଳଦଗୁଡ଼ିକର ଶିଙ୍ଘକୁ ଅଧିକ ମୁନିଆ କରିବାକୁ ଚେଷ୍ଟା କରୁଛନ୍ତି, ଫଳରେ ସେଗୁଡ଼ିକ ଅଧିକ ଆକର୍ଷଣୀୟ ଲାଗିବେ । ଭନ୍ଦାସ ଯାଦବ ଗୋଟିଏ ବଳଦର ଶିଙ୍ଘ ମୁନିଆ କରିବା ଲାଗି ୨୦୦ ଟଙ୍କା ନେଉଛନ୍ତି । “ମୁଁ ଏ ଦୁଇଟିକୁ ୬୫,୦୦୦ ଟଙ୍କାରେ କିଣିଥିଲି’’, ଏବେ ‘‘୪୦,୦୦୦ଟଙ୍କାରେ ବିକ୍ରି ହୋଇଗଲେ ଖୁସି ହେବି”, ବୋଲି ଗୀତେ କୁହନ୍ତି ।

କୋଠୁଲେ କୁହନ୍ତି, ମରାଠାୱାଡ଼ା ଅଞ୍ଚଳରେ ବୃଦ୍ଧି ପାଉଥିବା ଜଳସଂକଟ ଏବଂ ଗୋଖାଦ୍ୟର ମୂଲ୍ୟବୃଦ୍ଧି ଗୋପାଳନକୁ ଆହୁରି କଷ୍ଟକର କରି ଦେଇଛି । ଏହାକୁ ଆହୁରି ଜଟିଳ କରିଛି ରାଜ୍ୟରେ ଗୋଶାଳାର ଅଭାବ। ଗୋମାଂସ ଉପରେ ନିଷିଦ୍ଧାଦେଶ ଜାରି କରିବା ସମୟରେ ଫଡନାଭିସ ରାଜ୍ୟରେ ଗୋଶାଳା ଖୋଲିବା ଲାଗି ପ୍ରତିଶ୍ରୁତି ଦେଇଥିଲେ। ଚାଷୀମାନେ ସେମାନଙ୍କ ଗୋରୁଙ୍କ ରକ୍ଷଣାବେକ୍ଷଣ ଖର୍ଚ୍ଚ ତୁଲାଇ ନପାରିଲେ ସେମାନଙ୍କୁ ଗୋଶାଳାରେ ଛାଡ଼ି ଦେଇଥାନ୍ତେ। ମାତ୍ର ସେପରି କିଛି ହେଲା ନାହିଁ। ଗୋଶାଳା ନିର୍ମାଣ ଘୋଷଣା ବାସ୍ତବ ରୂପ ନନେବା ଫଳରେ ଚାଷୀଙ୍କ ସଂକଟ ଦ୍ୱିଗୁଣିତ ହୋଇପଡ଼ିଲା। ଏବେ ସେମାନେ ନିଜ ଗୋରୁ ବିକ୍ରି କରିପାରୁନାହାନ୍ତି ଏବଂ ଆୟ ଅନୁପଯୋଗୀ ହେବା ପରେ ମଧ୍ୟ ସେଗୁଡ଼ିକୁ ବାଧ୍ୟ ହୋଇ ନିଜ ପାଖରେ ରଖୁଛନ୍ତି।

କୋଠୁଲେ ପ୍ରଶ୍ନ କରନ୍ତି, “ଆମ ପିଲାମାନଙ୍କୁ ଠିକ୍‌ ଭାବେ ଖାଇବାକୁ ଦେଇପାରୁନଥିବା ସମୟରେ ପୁରୁଣା ଗୋରୁ କିଭଳି ପାଳିବୁ? ଆମକୁ ପ୍ରତି ସପ୍ତାହରେ ଗୋରୁଙ୍କୁ ପାଣି ଓ ଗୋଖାଦ୍ୟ ଦେବା ଲାଗି ୧ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି” ।

ଆଇନରେ ଗୋଟିଏ ସଂଶୋଧନ ଅଣାଯାଇ ଗୋମାଂସ ନିଷିଦ୍ଧ ହେବା ପରେ ଗ୍ରାମୀଣ ଅର୍ଥନୀତି ଉପରେ ନିର୍ଭରଶୀଳ ବହୁସଂଖ୍ୟକ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଦଳିତ ଚମଡ଼ା କାରିଗର, ପରିବହନକାରୀ, ମାଂସ ବ୍ୟବସାୟୀ, ହାଡ଼ରୁ ଔଷଧ ପ୍ରସ୍ତୁତକାରୀ, ଏ ସମସ୍ତେ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି ।

ଭିଡ଼ିଓ ଦେଖନ୍ତୁ: ନିଷେଧ ପରେ ଆୟ ବ୍ୟାପକ ଭାବେ ହ୍ରାସ ପାଇଛି, ବୋଲି କୁହନ୍ତି କଂସେଇ ଓ ଲୋଡର ଅନୀସ କ୍ୟୁରେଶୀ ଏବଂ ଔରଙ୍ଗାବାଦର ସିଲ୍ଲାଖାନାରେ ଏକ ଗୋମାଂସ ଦୋକାନ କରିଥିବା କଲିମ କ୍ୟୁରେଶୀ କୁହନ୍ତି 

ନିଷେଧ ପୂର୍ବରୁ ମହାରାଷ୍ଟ୍ରରେ ବାର୍ଷିକ ପ୍ରାୟ ତିନି ଲକ୍ଷ ବଳଦଙ୍କୁ କଟାଯାଉଥିଲା । ବର୍ତ୍ତମାନ କଂସେଇଖାନାଗୁଡ଼ିକ ବନ୍ଦ ହୋଇପଡ଼ିଛି ଏବଂ ସମ୍ପୂର୍ଣ୍ଣ ସମୁଦାୟ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି। ସିଲ୍ଲାଖାନାରେ ପାଖାପାଖି ୧୦ ହଜାର କ୍ୟୁରେଶୀ ସମୁଦାୟ ପ୍ରଭାବିତ ହୋଇଛନ୍ତି, ଯେଉଁମାନେ ଗୋମାଂସ କାଟିବା ଏବଂ ଗୋରୁ ବିକ୍ରି କରିବା କାର୍ଯ୍ୟରେ ନିୟୋଜିତ ଥିଲେ। କଲିମଙ୍କୁ ତାଙ୍କର କେତେଜଣ କର୍ମଚାରୀଙ୍କୁ ଛଟେଇ କରିବାକୁ ପଡ଼ିଛି। “ମୋତେ ମଧ୍ୟ ମୋ ପରିବାରକୁ ଖାଇବାକୁ ଦେବାର ଅଛି। ‘‘କ’ଣ ଆଉ କରିପାରିବି”, ବୋଲି ସେ କୁହନ୍ତି ।

ଅନୀଶ କ୍ୟୁରେଶୀ, ୪୧, ସିଲ୍ଲାଖାନାର ଜଣେ ଲୋଡର କୁହନ୍ତି, “ମୁଁ ଦିନକୁ ୫୦୦ ଟଙ୍କା ରୋଜଗାର କରୁଥିଲି । ବର୍ତ୍ତମାନ ମୋତେ ଅନ୍ୟ କାମ କରିବାକୁ ପଡ଼ୁଛି । ଆୟକୁ ନେଇ କୌଣସି ଗ୍ୟାରେଣ୍ଟି ନାହିଁ । ଏମିତି ଦିନ ଆସୁଛି ଯେତେବେଳେ ମୋତେ କିଛି କାମ ମିଳୁନାହିଁ”।

ଗୋମାଂସ ବିକ୍ରି ପୂର୍ବରୁ କୃଷି ସଂକଟ କାରଣରୁ ବ୍ୟବସାୟ ପ୍ରଭାବିତ ହୋଇଥିଲା-ବହୁସଂଖ୍ୟକ ଲୋକ କାମ ସନ୍ଧାନରେ ଅନ୍ୟ ଆଡ଼କୁ ଯିବା ଲାଗି ବାଧ୍ୟ ହେଉଛନ୍ତି । ଏହାର ଅର୍ଥ ହେଉଛି ସ୍ଥାନୀୟ ଅଞ୍ଚଳରେ ଗୋମାଂସ ବ୍ୟବହାର ବ୍ୟାପକ ଭାବେ ହ୍ରାସ ପାଇଛି। କଲିମଙ୍କ ଅଣଜେଜେବାପାଙ୍କ ଅମଳରୁ ଚାଲିଆସିଥିବା ଦୋକାନ ତାଙ୍କ ପାଖରେ ଅଛି । “ଆମ ସମୁଦାୟ ସେତେ ଶିକ୍ଷିତ ନୁହେଁ (ଏବଂ ସହଜରେ ଅନ୍ୟ କାର୍ଯ୍ୟ କରିପାରିବେ ନାହିଁ) । ‘‘ଆମେ ଏବେ ମଈଁଷି ମାଂସ ବିକ୍ରି କରୁଛୁ । କିନ୍ତୁ ଲୋକମାନେ ଅନ୍ୟ ମାଂସ ଭଳି ଏହାକୁ ସେତେଟା ପସନ୍ଦ କରୁନାହାନ୍ତି”। 

କ୍ୟୁରେଶୀମାନେ ଖାଦ୍ୟରେ ଗୋମାଂସର ଅଧିକ ଉପଯୋଗ କରିଥାନ୍ତି । ଏହା ଅନ୍ୟ ଦଳିତମାନଙ୍କର ମଧ୍ୟ ପ୍ରିୟ ଖାଦ୍ୟ-କାରଣ ଏହା ଅପେକ୍ଷାକୃତ ଶସ୍ତା ପୁଷ୍ଟିସାର ଉତ୍ସ । “ଗୋମାଂସ ସ୍ଥାନରେ କୁକୁଡ଼ା କିମ୍ବା ଛେଳି ମାଂସ ଖାଇବାର ଅର୍ଥ ଏହାଠାରୁ ତିନି ଗୁଣା ଅଧିକ ଖର୍ଚ୍ଚ କରିବା”, କଲିମ କୁହନ୍ତି ।

Two cows at Adul cattle market, Gore with his bull he wants to sell at the market
PHOTO • Parth M.N.

ଦ୍ୟାନଦେଓ ଗୋରେ (ଡାହାଣ) ଦୟଗାଭାନ ଗ୍ରାମରେ ଥିବା ନିଜ ଘରକୁ ଫେରିବା ପୂର୍ବରୁ ନିଜର ୭ଟି ବଳଦ ମଧ୍ୟରୁ ଅବଶିଷ୍ଟ ଗୋଟିଏ ବଳଦ ବିକ୍ରି କରିବା ଲାଗି ଆଶା ରଖିଛନ୍ତି 

ଅଦୁଲ ବଜାରରେ ନିଜ ବଳଦର ଶିଙ୍ଘକୁ ମୁନିଆ କରୁଥିବା ଗୀତେ ଖୁସିରେ ଘରକୁ ଫେରିବା ଲାଗି ବାହାରୁଛନ୍ତି, କାରଣ ଜଣେ ଚାଷୀ ତାଙ୍କ ବଳଦ କିଣିବା ଲାଗି ରାଜି ହୋଇଯାଇଛନ୍ତି । ଦ୍ୟାନଦେଓ ଗୋରେ ତାଙ୍କ ଆଡ଼କୁ ଈର୍ଷାରେ ଚାହୁଁଛନ୍ତି ।

ଗୋରେଙ୍କୁ ନିଜ ବଳଦମାନଙ୍କୁ ଧରି ୭ କିମି ଚାଲିଚାଲି ଅଦୁଲରେ ପହଞ୍ଚିବାକୁ ପଡ଼ିଛି । ବର୍ଷସାରା ବିଭିନ୍ନ ସମୟରେ ସେ ନିଜର ୭ ଗୋରୁମାନଙ୍କୁ ବିକ୍ରି କରିବା ପରେ ସେଥିରୁ ଗୋଟିଏ ବଳିପଡ଼ିଛି । ତାଙ୍କ ମୁଣ୍ଡ ଉପରେ ଗତ ୫ ବର୍ଷ ହେଲାଣି ଋଣ ଭାର ବଢ଼ି ବଢ଼ି ୬ ଲକ୍ଷ ଟଙ୍କାରେ ପହଞ୍ଚିଲାଣି । ଶେଷ ବଳଦ ବିକ୍ରି କରି ସେ ଆସନ୍ତା ଫସଲ ଋତୁ ପାଇଁ ଟଙ୍କା ଯୋଗାଡ଼ କରିବା ଆଶାରେ ଅଛନ୍ତି। “ପ୍ରକୃତି ଆମକୁ ସହାୟକ ହେଉନାହିଁ। ସରକାର ସାହାଯ୍ୟ କରୁନାହାନ୍ତି”, ବୋଲି ସେ କୁହନ୍ତି । “ଧନୀ ବ୍ୟବସାୟୀମାନେ ଆତ୍ମହତ୍ୟା କରନ୍ତି ନାହିଁ । ମୋ ଭଳି ଋଣବୋଝରେ ପଡ଼ିଥିବା କୃଷକ ଆତ୍ମହତ୍ୟା କରିଥାନ୍ତି । ଏହା ଆମର ନିତିଦିନିଆ ଦୁଃଖ । ମୁଁ ଏମିତି ଜଣେ କୃଷକଙ୍କୁ ଜାଣେ ନାହିଁ, ଯିଏ ଚାହେଁ ତା’ର ପୁଅ ମଧ୍ୟ ଜଣେ କୃଷକ ହେଉ” ।

୬୦ ବର୍ଷ ବୟସରେ ଗୋରେଙ୍କୁ ଟାଣ ଖରାରେ ନିଜ ବଳଦକୁ ଧରି ପାଦରେ ଚାଲି ଚାଲି ଏ ବଜାରୁ ସେ ବଜାର ବୁଲିବାକୁ ପଡ଼ୁଛି, କାରଣ ସେ କୌଣସି ପରିବହନ ଖର୍ଚ୍ଚ ଉଠାଇପାରିବେ ନାହିଁ । “ଯଦି ମୁଁ ଏହାକୁ ଆଜି ବିକ୍ରି କରିପାରିବି ନାହିଁ, ଗୁରୁବାର ମୋତେ ଆଉ ଏକ ବଜାରକୁ ଯିବାକୁ ପଡ଼ିବ”, ସେ କୁହନ୍ତି । “ତାହା କେତେ ଦୂର?” ମୁଁ ତାଙ୍କୁ ପଚାରିଲି । “ତିରିଶ କିଲୋମିଟର”, ସେ କୁହନ୍ତି ।

the weekly cattle market at Adul
PHOTO • Parth M.N.

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Other stories by Parth M.N.