ପ୍ରହଲ୍ଲାଦ ଧୋକେ ନିଜ ଗାଇମାନଙ୍କୁ ବଞ୍ଚେଇ ରଖିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ତାହା କରିବା ପାଇଁ, ତାଙ୍କୁ ତିନି-ଏକର୍‌ର ପିଜୁଳି ବଗିଚା ମରିବା ପାଇଁ ଛାଡିଦେବାକୁ ହେବ ।

“ଏହା ବିନିମୟର ଏକ ପନ୍ଥା’’, ବୋଲି ୭-୮ ଫୁଟ ଉଚ୍ଚ ପିଜୁଳି ଗଛଗୁଡିକର ଧାଡି ଆଗରେ ଲୁହ ଛଳଛଳ ଆଖିରେ ଠିଆ ହୋଇ, ୪୪ ବର୍ଷ ବୟସ୍କ ସେହି ବ୍ୟକ୍ତି ଜଣଙ୍କ କୁହନ୍ତି । ‘‘ମୁଁ ସର୍ବସ୍ୱ ଖର୍ଚ୍ଚ କରିସାରିଛି, ମୋର ସଞ୍ଚୟ ରାଶି, ସୁନା… କିନ୍ତୁ ବର୍ତ୍ତମାନ ମୋର ଗଛଗୁଡିକୁ ବଞ୍ଚାଇବା ପାଇଁ ଆବଶ୍ୟକ ଜଳ ମୁଁ ଆଉ କିଣିବା ପାଇଁ ସମର୍ଥ ନୁହେଁ । ମୁଁ ମୋର ଗାଇଗୁଡିକ ବଞ୍ଚେଇ ରଖିବା ପାଇଁ ଠିକ୍‌ କରିଛି । ଏହା ଚୟନ କରିବା କଷ୍ଟଦାୟକ ।’’

ଥରେ ବିକ୍ରି କରିବା ପରେ ଗାଇଗୁଡିକ ପୁଣି କିଣିବା କଷ୍ଟଦାୟକ ଓ ଏପ୍ରିଲ୍‌ ମାସର ଆରମ୍ଭରେ ତାଙ୍କ ଗ୍ରାମ ବାହାରେ, ବିଡ୍‌ ଜିଲ୍ଲା ଅନ୍ତର୍ଗତ ଭଦ୍‌ଗାଁଓରେ, ଦୁର୍ଭିକ୍ଷ ରିଲିଫ୍‌ ପଦକ୍ଷେପ ଭାବେ ଗୋମହିଷାଦି ଗୃହପାଳିତ ପଶୁଙ୍କ ପାଇଁ ଏକ କ୍ୟାମ୍ପ ଆୟୋଜନ କରାଯାଇଥିଲା । ପ୍ରହଲ୍ଲାଦଙ୍କ ୧୨ଟି ଗାଇ, ଯେଉଁଥିରେ ଦୁଇଟି ଗିର୍‌ ଗାଇ ମଧ୍ୟ ସାମିଲ୍‌ ଅଛନ୍ତି, ଯାହା ସେ ଏକ ସ୍ଥାନୀୟ ବଜାରରୁ ପ୍ରତ୍ୟେକ ପାଇଁ ୧ଲକ୍ଷ ଟଙ୍କା ବ୍ୟୟ କରି କିଣିଥିଲେ, ସେସବୁକୁ କ୍ୟାମ୍ପକୁ ସ୍ଥାନାନ୍ତରିତ କରାଯାଇଛି । କିନ୍ତୁ ଗଛଗୁଡ଼ିକୁ ଛାଡ଼ିଦେବାର ଅର୍ଥ ମଧ୍ୟ ହେଉଛି ଅପୂରଣୀୟ କ୍ଷତି ।

“ମୋର ବଡ ଭାଇ ଚାରି ବର୍ଷ ପୂର୍ବେ ଲକ୍ଷ୍ନୌ ଯାଇଥିଲେ’’, ବୋଲି ସେ କୁହନ୍ତି, “ସେ ସେଠାରୁ ପିଜୁଳି ଚାରା ଆଣିଥିଲେ”। ବଗିଚାକୁ ଆଜିର ସ୍ଥିତିରେ ପହଞ୍ଚାଇବା ପାଇଁ ପ୍ରହଲ୍ଲାଦ ଓ ତାଙ୍କ ପରିବାରକୁ ଚାରି ବର୍ଷ ସମୟ ଲାଗିଲା । କିନ୍ତୁ ବାରମ୍ବାର ହେଉଥିବା ମରୁଡି ଓ କ୍ରମଶଃ ବୃଦ୍ଧି ପାଉଥିବା ଜଳ ସଙ୍କଟର ସମ୍ମୁଖୀନ ହେଉଥିବା ମରାଠ୍‌ୱାଡାରେ ୨୦୧୮ ମସିହାର ଖରାପ ମୌସୁସୀ ଜନିତ ଆହ୍ୱାନକୁ ସେ ସାମନା କରିବାକୁ ସମର୍ଥ ହୋଇ ପାରିଲେ ନାହିଁ । 

ରାଜ୍ୟର କେତେକ ତହସିଲ୍‌ରେ ପ୍ରତିବର୍ଷ ମରୁଡି ଓ ଜଳ ସଙ୍କଟ ଦେଖା ଯାଉଥିବା ବେଳେ, ୨୦୧୨-୧୩ର କୃଷି ଋତୁରେ ସମଗ୍ର ମରାଠ୍‌ୱାଡା ଅଞ୍ଚଳରେ ଉତ୍କଟ ଜଳ ସଙ୍କଟ ଆରମ୍ଭ ହୋଇଥିଲା (୨୦୧୨ର ନିଷ୍କ୍ରିୟ ମୌସୁମୀ ପ୍ରଭାବରେ ୨୦୧୩ ଗ୍ରୀଷ୍ମ ଋତୁରେ ସଙ୍କଟ ଆରମ୍ଭ ହୋଇଥିଲା), ଯାହା ୨୦୧୪-୧୫ରେ ମଧ୍ୟ ଜାରି ରହିଥିଲା ଓ ବର୍ତ୍ତମାନ ୨୦୧୮-୧୯ରେ ମଧ୍ୟ ଜାରି ରହିଛି । ପ୍ରତ୍ୟେକ ଗ୍ରୀଷ୍ମ ଋତୁରେ ଜଳ ସଙ୍କଟ ଦେଖା ଯାଉଥିବା ବେଳେ, ୨୦୧୨ମସିହାରୁ ମରାଠ୍‌ୱାଡାରେ ପାଣିପାଗ ଜନିତ ମରୁଡି (ନିଷ୍କ୍ରିୟ ମୌସୁମୀ), କୃଷି ମରୁଡି (ଖରିଫ୍‌ ଓ ରବି ଫସଲ ନଷ୍ଟ ହେବା), ହାଇଡ୍ରୋଲୋଜିକାଲ୍‌ ମରୁଡି (ଭୂତଳଜଳ ସ୍ତର ଖସିବା) ଆଦି  କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।

ଜିଓରାଇ ତହସିଲ୍‌ ଅନ୍ତର୍ଗତ ଭଦ୍‌ଗାଁଓ ଧୋକ୍‌ ଗ୍ରାମ ହେଉଛି ୨୦୧୮ମସିହାରେ ମହାରାଷ୍ଟ୍ର ସରକାର ମରୁଡି ପୀଡ଼ିତ ଅଞ୍ଚଳ ବୋଲି ଘୋଷଣା କରୁଥିବା ସ୍ଥାନଗୁଡିକ ମଧ୍ୟରୁ ଗୋଟିଏ । ଜିଓରାଇରେ ୨୦୧୮ ମସିହା ଜୁନ୍‌ ମାସରୁ ସପ୍ଟେମ୍ବର୍‌ ମାସ ମଧ୍ୟରେ ୫୦ ପ୍ରତିଶତ ବର୍ଷା ହୋଇଥିବା ରେକର୍ଡ କରାଯାଇଛି – ମାତ୍ର ୨୮୮ମିମି, ଯେତେବେଳେକି ସେହି ପିରିୟଡ୍‌ରେ ଦୀର୍ଘକାଳୀନ ହାରାହାରି ବର୍ଷାର ପରିମାଣ ୬୨୮ମିମି ରେକର୍ଡ କରାଯାଇଥିଲା- ଭାରତୀୟ ଜଳବାୟୁ ବିଭାଗର ତଥ୍ୟ ମୁତାବକ । ସେପ୍ଟେମ୍ବର୍‌ରେ, ଯାହା ଫସଲ ଦୃଷ୍ଟିରୁ ଏକ ମହତ୍ତ୍ୱପୂର୍ଣ୍ଣ ମାସ, କେବଳ ୧୪.୨ମିମି ବର୍ଷା ହୋଇଥିବା ବେଳେ ସେହି ପିରିୟଡ୍‌ରେ ହାରାହାରି ବର୍ଷାର ପରିମାଣ ୧୭୦ମିମି ଥିଲା । 

Prahlad Dhoke at his ten-acre farm; in one corner he has a cattle shed and a water tank for the cattle
PHOTO • Jaideep Hardikar
Prahlad with his ailing Gir cow at his cattle-shed in the cattle camp.
PHOTO • Jaideep Hardikar

ଗୋମହିଷାଦି ଗୃହପାଳିତ ପଶୁମାନଙ୍କ ପାଇଁ ପହଲାଦ୍‌ ଧୋକେଙ୍କ ଫାର୍ମରେ ଥିବା ପାଣି ଟାଙ୍କି ସମ୍ପୂର୍ଣ୍ଣ ଭାବେ ଶୁଖି ଯାଇଛି (ବାମ) ; ସେ ନିଜର ୧୨ଟି ଯାକ ପଶୁଙ୍କୁ ଜିଓରାଇ ତହସିଲ୍‌ରେ ଚାଲିଥିବା ଗୋମହିଷାଦି ଗୃହପାଳିତ ପଶୁଙ୍କ ପାଇଁ ଖୋଲିଥିବା କ୍ୟାମ୍ପକୁ ପଠାଇ ଦେଇଛନ୍ତି (ଡାହାଣ) ।

ସମଗ୍ର ଅଉରଙ୍ଗାବାଦ୍‌ ଡିଭିଜନ୍‌, ଯାହା ମଧ୍ୟରେ ମରାଠ୍‌ୱାଡା ମଧ୍ୟ ରହିଛି, ୨୦୧୮ ଜୁନ୍‌ ମାସଠାରୁ ସେପ୍ଟେମ୍ବର୍‌ ମାସ ମଧ୍ୟରେ ଦୀର୍ଘ-କାଳୀନ ହାରାହାରି ବର୍ଷା ପ୍ରାୟ ୭୨୧ ମିମି ରେକର୍ଡ ହୋଇଥିବା ବେଳେ, ସେଠାରେ ମାତ୍ର ୪୮୮ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେପ୍ଟେମ୍ବରରେ, ସେହି ଅଞ୍ଚଳରେ ମାତ୍ର ୨୪ମିମି (ବା ୧୪ ପ୍ରତିଶତ) ବର୍ଷା ହୋଇଥିବା ବେଳେ ସେହି ମାସରେ ଦୀର୍ଘ-କାଳୀନ ହାରାହାରି ବର୍ଷାର ପରିମାଣ ୧୭୭ ମିମି ହୋଇଛି।

୨୦୧୮ରେ ମୌସୁମୀ ଦୁର୍ବଳ ହେବା ଅର୍ଥ ହେଉଛି ଅକ୍ଟୋବର୍‌-ଡିସେମ୍ବର୍‌ରେ କମ୍‌ ଖରିଫ୍‌ ଫସଲ ଅମଳ ହେବା ଓ ଫେବୃଆରୀ ଓ ମାର୍ଚ୍ଚ ମାସରେ ରବି ଫସଲ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବା । ଯଦିଓ ଧୋକେ ଡ୍ରିପ୍‌-ୱାଟର୍‌ ପ୍ରଣାଳୀ ଓ ତାଙ୍କର ଚାରିଟି କୂଅକୁ ଆହୁରି ଗଭୀର କରିବା ପାଇଁ ପ୍ରାୟ ୫ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି (କିଛି ତାଙ୍କର ସଞ୍ଚିତ ଅର୍ଥ ହୋଇଥିବା ବେଳେ କିଛି ଅର୍ଥ ସେ ସ୍ଥାନୀୟ କୃଷି ସମବାୟ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କରୁ ଋଣ କରିଥିଲେ), ତେବେ କିଛି କାମ କଲା ନାହିଁ ।

ପ୍ରହଲ୍ଲାଦ, ତାଙ୍କର ଦୁଇ ଭାଇ ଓ ବାପାଙ୍କ ପାଖରେ ମିଳିତ ଭାବେ ୪୪ ଏକର୍‌ ଜମି ଅଛି; ଯାହା ମଧ୍ୟରୁ ୧୦ ତାଙ୍କ ନାମରେ ଅଛି। ପରିବାରର ସମୁଦାୟ ଜମି ଶୁଷ୍କ ଜମି ଅଟେ । ଗୋଟିଏ ଏକର୍‌ରେ, ତିନି ବର୍ଷ ପୂର୍ବେ, ପ୍ରହଲ୍ଲାଦ ମୋଗ୍ରା – ଏକ ସୁଗନ୍ଧଯୁକ୍ତ ଗ୍ରୀଷ୍ମକାଳୀନ ଫୁଲ ଗଛ ଲଗାଇଥିଲେ । “ଆମେ ସେଥିରୁ ଭଲ ଲାଭ ପାଇଲୁ” ବୋଲି ସେ କୁହନ୍ତି, “କିନ୍ତୁ ସେହି ସବୁ ଲାଭାଂଶ ଆମ ଫାର୍ମରେ ବ୍ୟୟ ହୋଇଗଲା  ଓ ବର୍ତ୍ତମାନ ମୋଗ୍ରା ମଧ୍ୟ ଶୁଖି ଯାଇଛି ।’’

ଗତ ୧୫ ବର୍ଷରେ, ଏହି ଅଞ୍ଚଳରେ ଜଳ ସଂକଟ ଗମ୍ଭୀର ହେବା ସହିତ, ଏହା ଜନିତ ସମସ୍ୟାର ପ୍ରତିରୋଧ କରିବା ପାଇଁ ଧୋକେ ମଧ୍ୟ ବହୁ ପ୍ରୟାସ କରୁଛନ୍ତି । ସେ ବିଭିନ୍ନ ପ୍ରକାରର ଫସଲ କରିବା ପାଇଁ ଚେଷ୍ଟା କରିଛନ୍ତି, ବିଭିନ୍ନ କୌଶଳ ଆପଣେଇଛନ୍ତି, ଆଖୁଗଛ ଲଗାଇବା ବନ୍ଦ କରିଦେଇଛନ୍ତି, ଜଳସେଚନରେ ନିବେଶ କରିଛନ୍ତି । କିନ୍ତୁ, ସେ କୁହନ୍ତି, ପ୍ରତି ବର୍ଷ, ଅଧିକରୁ ଅଧିକ ଗମ୍ଭୀର ହେଉଥିବା ଜଳ ସଂକଟ ତାଙ୍କ ସାମର୍ଥ୍ୟକୁ ପରୀକ୍ଷା କରିବାରେ ଲାଗିଛି । 

Dried up mogra plants on an acre of his farm
PHOTO • Jaideep Hardikar
The guava plants that have burnt in the absence of water on Prahlad’s three acre orchard that he raised four years ago
PHOTO • Jaideep Hardikar

ଏକ ଏକର୍‌ ଜମିରେ ଧୋକେ ଚାଷ କରିଥିବା ମୋଗ୍ରା ଗଛଗୁଡିକ ଶୁଖିଯାଇଛି (ବାମ) ତାଙ୍କର ତିନି-ଏକର୍‌ର ପିଜୁଳି ବଗିଚା ମଧ୍ୟ (ଡାହାଣ) ଯାହା ସେ ଚାରି ବର୍ଷ ପୂର୍ବେ ଆରମ୍ଭ କରିଥିଲେ ।

୨୦୧୮ ନଭେମ୍ବରରେ ପ୍ରହଲ୍ଲାଦ ଖୋଳିଥିବା ଚାରିଟି କୂଅ ଶୁଖିଗଲା । ଏହି ବର୍ଷ ଜାନୁଆରୀରୁ ଏପ୍ରିଲ୍‌ ମଧ୍ୟରେ, ସେ ଅତିକମ୍‌ରେ ସପ୍ତାହରେ ଦୁଇଥର ପାଣି କିଣିଛନ୍ତି – କିନ୍ତୁ ଏକ ୫,୦୦୦ ଲିଟର୍‌ ଟାଙ୍କି ଯାହାର ମୂଲ୍ୟ ୫୦୦ଟଙ୍କା ଥିଲା, ତାହା ବୃଦ୍ଧି ପାଇଁ ବର୍ତ୍ତମାନ ୮୦୦ଟଙ୍କା ହୋଇଯାଇଛି (ଓ ମଇ ମାସ ସୁଦ୍ଧା ଏହାର ମୂଲ୍ୟ ବୃଦ୍ଧି ପାଇ ୧୦୦୦ଟଙ୍କାରେ ପହଞ୍ଚିବା ସମ୍ଭାବନା ଅଛି)।

ବର୍ଷ ସାରା ଏଠାରେ ପାଣି ଟାଙ୍କିଗୁଡିକ ଦେଖାଯିବା ଏକ ସାଧାରଣ କଥା ଓ ସବୁଠାରୁ ଅଧିକ ଗ୍ରୀଷ୍ମ ଋତୁରେ । ମରାଠ୍‌ୱାଡା ହେଉଛି ଡେକାନ୍‌ ଅଞ୍ଚଳର ଏକ ଅଂଶ ବିଶେଷ ଯାହା ଶକ୍ତ ବାସାଲ୍ଟ ପାହାଡ ଉପରେ ଅବସ୍ଥିତ । ଏହାର ଅର୍ଥ ହେଉଛି ଭୂମି ମଧ୍ୟକୁ ପର୍ଯ୍ୟାପ୍ତ ପରିମାଣର ଜଳ ପରିସ୍ରବଣ ପ୍ରକ୍ରିୟାରେ ପ୍ରବେଶ କରିପାରେ ନାହିଁ ଓ ଭୂତଳଜଳ ଆକ୍ୱିଫର୍‌ଗୁଡିକ ପର୍ଯ୍ୟାପ୍ତ ପରିମାଣରେ ପୁଣି ଚାର୍ଜିତ ହୋଇପାରେ ନାହିଁ । ଏହି ଅଞ୍ଚଳ ‘ଜଳ-ଛାୟା’ ଜୋନ୍‌ ଅନ୍ତର୍ଭୁକ୍ତ ମଧ୍ୟ, ଯେଉଁଠାରେ ସାଧାରଣତଃ କେବେ ମଧ୍ୟ ୬୦୦ମିମିରୁ ଅଧିକ ପରିମାଣର ବର୍ଷା ହୁଏନାହିଁ । 

ଜିଓରାଇ ତାଲୁକାରେ ତଥାପି ବିସ୍ତୃତ ଅନୁର୍ବର ଜମିରେ ଠାଏ ଠାଏ ଆଖୁ ଚାଷ ହୋଇଥିବା ଦେଖିବାକୁ ମିଳିଥାଏ (କେତେକ ଜମି ମାଲିକଙ୍କ ପାଖରେ ବର୍ତ୍ତମାନ ମଧ୍ୟ କାର୍ଯ୍ୟକ୍ଷମ ଥିବା କୂଅ ରହିଛି, ଅନ୍ୟମାନେ ପାଣି ଟ୍ୟାଙ୍କର୍‌ କିଣୁଛନ୍ତି । ଏହି ଅଞ୍ଚଳରେ ଗୋଦାବରୀ ନଦୀ କୂଳରେ ଥିବା ଜମିଗୁଡିକରେ ଅଙ୍ଗୁର ଓ ଅନ୍ୟ ଫଳ ବଗିଚାଗୁଡିକ ରହିଛି, ଏହା ସହିତ ଗୋମହିଷାଦିଙ୍କ ଖାଦ୍ୟ ଭାବେ ବ୍ୟବହାର ହେଉଥିବା ସବୁଜ ଫସଲ ମଧ୍ୟ ହୋଇଛି । କିନ୍ତୁ ନଦୀଠାରୁ ଦୂରରେ, ଡେକାନ୍‌ର ଉପର ଭାଗରେ ଥିବା ସମତଳ ଅଞ୍ଚଳରେ,  ବିସ୍ତୃତ ଶୁଷ୍କ ଚାଦରରେ ସବୁଜ ଜୀବନର କୌଣସି ସତ୍ତା ଦେଖିବାକୁ ମିଳେନାହିଁ ।

“ମୁଁ ତିନି ମାସ ପର୍ଯ୍ୟନ୍ତ ପାଣି କିଣିଲି,” ପ୍ରହଲ୍ଲାଦ କୁହନ୍ତି, “କିନ୍ତୁ ତାପରେ ମୋ ପାଖରେ ପଇସା ସରିଗଲା” । ସେ ନିଜର ଝାଉଁଳି ପଡିଥିବା ପିଜୁଳି ବଗିଚାକୁ ବଞ୍ଚେଇବା ପାଇଁ ଘରୋଇ ଋଣଦାତାଙ୍କ ଠାରୁ ଉଚ୍ଚ ସୁଧରେ ଋଣ ଆଣିବ ନାହିଁ ବୋଲି ନିଷ୍ପତ୍ତି ନେଲେ । (ଯେହେତୁ ସେ ପାଣି କିଣିବା ପାଇଁ ବ୍ୟାଙ୍କରୁ ଋଣ ପାଇପାରିବେ ନାହିଁ)। “ମାତ୍ର ୫,୦୦୦ଲିଟର୍‌ ପାଇଁ ୮୦୦ଟଙ୍କା ! ଏହା କଦାପି ସମ୍ଭବ । ଏହିପରି ଭାବେ ଖର୍ଚ୍ଚ କରିବା ପାଇଁ ଆମ ଗ୍ରାମରେ କାହା ପାଖରେ ମଧ୍ୟ ପଇସା ନାହିଁ,” ସେ କୁହନ୍ତି । “ମୁଁ ଋଣରେ ବୁଡିଯିବି ଓ ମୋ ଗଛଗୁଡିକ ପରି ମୁଁ ମଧ୍ୟ ଦିନେ ମରିଯିବି ।“

Prahlad Dhoke (right) and Walmik Bargaje (left) of the Vadgaon Dhok village in Georai tehsil of Beed district, at a cattle camp at their village
PHOTO • Jaideep Hardikar
A view of the cattle camp in Vadgaon Dhok village, one of the 925 such camps that have been opened up in Beed as a drought relief initiative funded by the Maharashtra government.
PHOTO • Jaideep Hardikar

ସମଦୁଃଖୀ : ଭଦ୍‌ଗାଁଓର ୱାଲ୍‌ମିକ୍‌ ବାର୍ଗଜେ ଓ ପ୍ରହଲ୍ଲାଦ ଧୋକେ (ଡାହାଣ) ସେମାନଙ୍କ ଗ୍ରାମ ନିକଟରେ ଗୋମହିଷାଦି ଗୃହପାଳିତ ପଶୁଙ୍କ ପାଇଁ ହୋଇଥିବା ଏକ କ୍ୟାମ୍ପରେ

ଏପ୍ରିଲ୍‌ରେ, ତାଙ୍କର ପିଜୁଳି ବଗିଚାକୁ ଶୁଖିବାଠାରୁ ବଞ୍ଚେଇବା ପାଇଁ ବାରମ୍ବାର ଚେଷ୍ଟା କରିବା ପରେ ଧୋକେ ହାରିଗଲେ । ସେ ବର୍ତ୍ତମାନ ବର୍ଷାକୁ ଅପେକ୍ଷା କରିଛନ୍ତି । କିନ୍ତୁ ଜୁନ୍‌ରେ ବର୍ଷା ହେବା ବେଳକୁ, ଗ୍ରୀଷ୍ମର ତାତି ସମ୍ଭାଳି ନପାରି ବଗିଚା ପୂରା ଝାଉଁଳି ଯାଇଥିବ । 

ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇଥିବା ପ୍ରହଲ୍ଲାଦଙ୍କ ୧,୧୦୦ ପିଜୁଳି ଗଛରୁ ଆସନ୍ତା ଶୀତ ଋତୁରେ ତାଙ୍କୁ ୧୦ ଲକ୍ଷ ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିଥାନ୍ତା- ପିଜୁଳି ଗଛ ଲଗାଇବାର ୪ ରୁ ୫ ବର୍ଷ ପରେ ଏଥିରେ ଫଳ ଫଳିଥାଏ । ସମସ୍ତ ପ୍ରକାରର ବ୍ୟୟକୁ ବାଦ ଦେବା ପରେ ତାଙ୍କୁ ବହୁତ ଅଧିକ ଲାଭ ମିଳିଥାନ୍ତା। କେତେକ ଗଛରେ କଷି ଧରିଥିଲା କିନ୍ତୁ ତାତି ଯୋଗୁ ସେଗୁଡିକ ଅଙ୍ଗାର ପରି କଳା ହୋଇଗଲେ । “ଏଗୁଡିକୁ ଦେଖନ୍ତୁ’’, ସେ ଶୁଖିଲା ଫଳ ଧାରଣ କରିଥିବା ଏକ ଶାଖାକୁ ହାତରେ ଧରି ତଳେ ପଡିଥିବା ଶୁଖିଲା ପତ୍ର ମଧ୍ୟରେ ଚାଲି ଚାଲି ଯିବା ବେଳେ “ସେଗୁଡିକ ବଞ୍ଚି ପାରିଲେ ନାହିଁ” ବୋଲି କୁହନ୍ତି ।’’

ଧୋକେଙ୍କ ପରି, ମରାଠ୍‌ୱାଡାରେ ଅଧିକାଂଶ ଲୋକ ଦିନକୁ ଦିନ ସଂଗୀନ ହେଉଥିବା ଜଳ ସଙ୍କଟ ଭଳି ପରିସ୍ଥିତିର ମୁକାବିଲା କରୁଛନ୍ତି । “ସମଗ୍ର ବିଡ୍‌ ଓ ନିର୍ଦ୍ଦିଷ୍ଟ ଭାବେ ଏହି ତହସିଲ୍‌ରେ,  ଖରିଫ୍‌ ଚାଷ ହୋଇପାରିଲା ନାହିଁ ଓ ରବି ମଧ୍ୟ ହୋଇପାରିବ ନାହିଁ ବୋଲି, “୫୫ ବର୍ଷ ବୟସ୍କ ୱାଲ୍ମିକ୍‌ ବାର୍ଗାଜେ କୁହନ୍ତି, ଜଣେ ସମଦୁଃଖୀ, ଧୋକେଙ୍କ ଭାଷାରେ । ବାର୍ଗାଜେଙ୍କ ୫ ଏକର୍‌ ଜମି ଅଛି ଓ ସେ ଅଧା ଏକର୍‌ ଜମିରେ ନଡିଆ ଗଛ ଲଗାଇଛନ୍ତି । ସେହିସବୁ ଗଛଗୁଡିକ ଶୁଖିଗଲା । ଜଳ ସଙ୍କଟ ଯୋଗୁଁ କିଛି ଦିନ ପୂର୍ବେ ସେ ଆଖୁଚାଷ କରିବା ପାଇଁ ଆଉ ଚେଷ୍ଟା କଲେ ନାହିଁ । ୨୦୧୮ ଜୁନ୍‌- ଜୁଲାଇରେ, ସେ ସୋୟାବିନ୍‌ ଗଛ ଲଗାଇଥିଲେ, ଯେଉଁଥିରୁ ତାଙ୍କୁ କିଛି ଲାଭ ମିଳିଲା ନାହିଁ ବୋଲି ସେ କୁହନ୍ତି । ଓ ରବି ଫସଲ ପାଇଁ ବୁଣାବୁଣି କାମ ନହେବାରୁ, ସେ ଜବାର ଓ ବାଜରା ଫସଲ କରିପାରିଲେ ନାହିଁ, ଯାହା ସାଧାରଣତଃ ସେ ଗୋଖାଦ୍ୟ ପାଇଁ ଚାଷ କରିଥାନ୍ତି ।

ଦାନ କରାଯାଇଛି, ଯାହା ମଧ୍ୟରେ କେବଳ ୬୦୩ଟି କାର୍ଯ୍ୟକ୍ଷମ ଅଛି, ଯେଉଁଥିରେ ୪,୦୪,୧୯୭ ଟି ପଶୁ ଅଛନ୍ତି ବୋଲି ଅଉରଙ୍ଗାବାଦ୍‌ ଡିଭିଜନ୍‌ ସ୍ତରୀୟ କମିସନେରେଟ୍‌ ସୂତ୍ରରୁ ଜଣାପଡିଛି । ଅଉରଙ୍ଗାବାଦ୍‌ ଡିଭିଜନ୍‌ ଅନ୍ତର୍ଗତ ଆଠଟି ଜିଲ୍ଲାରେ ସମୁଦାୟ ୧,୧୪୦ଟି କ୍ୟାମ୍ପ ପାଇଁ ଅନୁମୋଦନ ପ୍ରଦାନ କରାଯାଇଥିବା ବେଳେ ସେଠାରେ କେବଳ ୭୫୦ଟି କ୍ୟାମ୍ପ ସକ୍ରିୟ ଥିବା ଡାଟାରୁ ଜଣାପଡିଛି । ପର୍‌ଭାନି, ନାନ୍‌ଦେଦ୍‌ ଓ ଲାଟୁର୍‌ ଜିଲ୍ଲାରେ ଗୋମହିଷାଦି ଗୃହପାଳିତ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ଅନୁମୋଦିତ କିମ୍ବା ପରିଚାଳିତ ହେଉଥିବା ଗୋଟିଏବି କ୍ୟାମ୍ପ ନାହିଁ । 

ରାଜ୍ୟ ରେଭେନ୍ୟୁ ବିଭାଗରୁ ପ୍ରାପ୍ତ ହୋଇଥିବା ତଥ୍ୟ ମୁତାବକ, ସମଗ୍ର ମହାରାଷ୍ଟ୍ରରେ ଗମ୍ଭୀର ଭାବେ ମରୁଡି ଦ୍ୱାରା ପ୍ରଭାବିତ ହୋଇଥିବା ୧୦ଟି ଜିଲ୍ଲାରେ ଗୋମହିଷାଦି ଗୃହପାଳିତ ପଶୁଙ୍କ ପାଇଁ ହୋଇଥିବା ୧,୫୪୦ଟି କ୍ୟାମ୍ପରେ ଲକ୍ଷାଧିକ ଗୋମହିଷାଦି ପ୍ରାଣୀଙ୍କୁ ଜଳ ଓ ଗୋଖାଦ୍ୟ ପ୍ରଦାନ କରାଯାଇଛି ।

Prahlad with his youngest son Vijay, a seventh grader, at the cattle camp
PHOTO • Jaideep Hardikar

ପ୍ରହଲ୍ଲାଦ ତାଙ୍କ ଛୋଟ ପୁଅ ବିଜୟ ସହିତ, ଯାହାର ସ୍କୁଲ୍‌ ଫି ବର୍ତ୍ତମାନ ପର୍ଯ୍ୟନ୍ତ ପଇଠ କରାଯାଇ ପାରିନାହିଁ, କାରଣ ସେମାନଙ୍କ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ପରିବାର ସଂଘର୍ଷ କରୁଛି

ଧୋକେ ଅନେକ ବିଷୟ ପାଇଁ  ମହାରାଷ୍ଟ୍ରର ବିଜେପି ଶାସନାଧୀନ ସରକାରଙ୍କୁ ଦାୟୀ କରନ୍ତି, କିନ୍ତୁ ଏ ସବୁର କାରଣ ରାଜ୍ୟ ସରକାର ନିଜ ସମର୍ଥକ ଓ ସମାଲୋଚକଙ୍କ ମଧ୍ୟରେ କରୁଥିବା ପକ୍ଷପାତିତା ବୋଲି ସେ କୁହନ୍ତି । “ଯେଉଁ ଗ୍ରାମବାସୀମାନେ ବିଜେପିର ନିକଟତର ଅଟନ୍ତି ସେମାନଙ୍କ ପାଇଁ ଋଣ ଛାଡ କରାଯାଏ ଓ ନୂଆ ଋଣ ଯୋଗାଇ ଦିଆଯାଏ” ବୋଲି ସେ ଆରୋପ କରନ୍ତି । "ମୁଁ ବିପକ୍ଷ ଦଳର ସମର୍ଥକ ହୋଇଥିବାରୁ ମୋତେ କିଛି ମିଳିଲା ନାହିଁ । ମରୁଡି ପାଇଁ ରିଲିଫ୍‌ ବଣ୍ଟା ହେବା ବେଳେ ମଧ୍ୟ ମୁଁ ଏହି କଥା ଲକ୍ଷ୍ୟ କରିଛି ।''

ପ୍ରହଲ୍ଲାଦ ଓ ତାଙ୍କ ସ୍ତ୍ରୀ ଦୀପିକା, ଜଣେ ଚାଷୀ ଓ ଗୃହିଣୀ, ତାଙ୍କର ତିନୋଟି ସନ୍ତାନ – ଦ୍ୟାନେଶ୍ୱରୀ ଦ୍ୱାଦଶ ଶ୍ରେଣୀ ସମାପ୍ତ କରିଛନ୍ତି, ନାରାୟଣ ୧୦ମ ଶ୍ରେଣୀରେ ପଢୁଛନ୍ତି, ଯେତେବେଳେକି ଛୋଟ ପୁଅ, ବିଜୟ ସପ୍ତମ ଶ୍ରେଣୀରେ ଅଛନ୍ତି । “ତାନ୍ୟା ଶିକ୍ୱାନର୍‌ ବାଘା ମି (ମୁଁ ସେମାନଙ୍କୁ ଶିକ୍ଷିତ କରିବି),'' ବୋଲି ସେ କୁହନ୍ତି । କିନ୍ତୁ ସେ ବିଜୟର ସ୍କୁଲ ଫି ଦେଇ ପାରିନାହାନ୍ତି (ଯାହାର ପରିମାଣ ଏକ ସ୍ଥାନୀୟ ଘରୋଇ ବିଦ୍ୟାଳୟରେ ପାଠ୍ୟ ବର୍ଷ ୨୦୧୮-୧୯ ପାଇଁ ପ୍ରାୟ ୨୦,୦୦୦ ଟଙ୍କା ହେବ), ଯେଉଁଥିପାଇଁ ତାଙ୍କର ପରୀକ୍ଷା ଫଳାଫଳକୁ ସ୍ଥଗିତ ରଖାଯାଇଛି । “ଏଇ ଗତ ସପ୍ତାହରେ ଗୋଟିଏ ଗାଇର ଦେହ ଖରାପ ହୋଇଯାଇଛି” ବୋଲି ସେ କୁହନ୍ତି । “ତାର ଚିକିତ୍ସା କରିବା ପାଇଁ ମୋତେ ବହୁତଗୁଡିଏ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା” ।

ବିଭିନ୍ନ ବ୍ୟୟ ମଧ୍ୟରେ ତାଳମେଳ ରକ୍ଷା କରିବା ଏକ କ୍ଲାନ୍ତିକର କାମ – ନିଜର ଗୃହପାଳିତ ପଶୁମାନଙ୍କୁ ବଞ୍ଚେଇ ରଖିବା ସହିତ ନିଜ ପରିବାରର ବିଭିନ୍ନ ଆବଶ୍ୟକତାଗୁଡିକ ପୂରଣ କରିବା । “ଏହା କଠିନ ସମୟ ଅଟେ,” ସେ କୁହନ୍ତି, “କିନ୍ତୁ ମୁଁ ଜାଣେ ଏହା ଦିନେ ଚାଲିଯିବ ।''

ଏହି ସମୟରେ, ସମ୍ପୂର୍ଣ୍ଣ ମରାଠ୍‌ୱାଡାରେ, ଟାଙ୍କି, ଗଚ୍ଛିତ ଭୂ-ପୃଷ୍ଠ ଜଳ, କ୍ଷୁଦ୍ର ଓ ମଧ୍ୟମ ଡ୍ୟାମ୍‌ଗୁଡିକ, ଖୋଳାଯାଇଥିବା କୂଅ ଓ ନଳକୂଅ ଆଦି ଧୀରେ ଧୀରେ ଶୁଖିବାରେ ଲାଗିଛି । ଗ୍ରୀଷ୍ମ ତାତି ବଢିବା ସହିତ, ଦୈନିକ ପାଣି ପାଇଁ ହତାଶ ହେବା ଏହି ଅଞ୍ଚଳର ଏକ ସାଧାରଣ ଘଟଣା । କେଉଟମାନେ ମାନସିକ ଚାପ ତଳେ ଦିନ ବିତାଉଥିବା ବେଳେ, ଗୋମହିଷାଦି ପାଳକମାନେ ମଧ୍ୟ ସେମାନଙ୍କ ପଶୁଧନ ସହିତ ମାନସିକ ଚାପ ତଳେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି ।

ପ୍ରହଲ୍ଲାଦ କୁହନ୍ତି, ସେ ବହୁଦିନ ଧରି ଶୋଇ ପାରିନାହାନ୍ତି । ସେ ନିଜ ଘରଠାରୁ ଏକ କିଲୋମିଟର୍‌ ଦୂରରେ ଥିବା ନିଜ ଫଳ ବଗିଚାକୁ ମଧ୍ୟ ବହୁଦିନ ହେବ ଯାଇନାହାନ୍ତି ଓ ସେ କେବଳ ଗୋମହିଷାଦି ପଶୁମାନଙ୍କ ପାଇଁ ଲାଗିଥିବା କ୍ୟାମ୍ପ ଓ ନିଜ ଘର ମଧ୍ୟରେ ରାଜପଥ ଦେଇ ଯିବା ଆସିବା କରୁଛନ୍ତି । “ମୁଁ ଦିନରେ ୧୬ ଘଣ୍ଟା ପରିଶ୍ରମ କରେ, ବୋଲି ଦୟନୀୟ ଅବସ୍ଥାରେ ରହିଥିବା ତାଙ୍କ ଫାର୍ମରେ ବୁଲୁବୁଲୁ ସେ କୁହନ୍ତି । କିନ୍ତୁ ସେତେବେଳେ ଆପଣ କଣ କରିପାରିବେ, ଯେତେବେଳେ ଆପଣଙ୍କ ପାଖରେ ଥିବା ଅର୍ଥ ଓ ପାଣି ସରିଯିବ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Other stories by Jaideep Hardikar