ବର୍ଷା ହେଉଥିଲା। ଚିନ୍ନା ମୋ ଘର ବାହାରେ କଳା ରଙ୍ଗର ଛତା ତଳେ ରହି ବିଡ଼ି ଟାଣୁଥିଲା। ଛତାରୁ ବର୍ଷା ଜଳ ଝରଣା ଭଳି ମାଟି ଉପରେ ଝରି ପଡ଼ୁଥିଲା। ତା’ ମୁହଁ ସ୍ପଷ୍ଟ ଭାବେ ଦେଖାଯାଉନଥିଲା।

“ଏଠାକୁ ଚାଲି ଆସ ଚିନ୍ନା, କାହିଁକି ତୁମେ ବର୍ଷାରେ ଛିଡ଼ା ହୋଇଛ?”

ସେ ଖୁବଜୋରରେ ତିନି ଥର ବିଡ଼ି ଶୋଷି ନେବା ପରେ ଫୋପାଡ଼ି ଦେଲା ଓ ଛତାକୁ ମୋଡ଼ି ଦେଇ ମୋ ବାରଣ୍ଡାରେ ବସିପଡ଼ିଲା। ତା’ ଆଖି ନାଲି ଦେଖାଯାଉଥିଲା, ବୋଧହୁଏ ଧୂମପାନ କରିବା ଯୋଗୁଁ। ସେ କାଶିଲା, ମୋ ଆଖିକୁ ଚାହିଁ ପଚାରିଲା, “ସେମାନେ ଲୋକମାନଙ୍କୁ ନିଜ ଘରକୁ ଫେରିବା ପାଇଁ ଅନୁମତି ଦେଉଛନ୍ତି କି?”

“ନା, ଚିନ୍ନା, ଆମକୁ ଫେରିବା ଲାଗି ଜିଲ୍ଲାପାଳଙ୍କଠାରୁ ସ୍ୱତନ୍ତ୍ର ପାସ୍ ଆଣିବାକୁ ପଡ଼ିବ।”

“ଏପରି କି?” ସେ ମୋତେ ପଚାରିଲା ଓ ପୁଣି କାଶିଲା।

“ହଁ, ଅନ୍ୟ ଦିନ, ୧୬ ଜଣ ପ୍ରବାସୀ ଶ୍ରମିକଙ୍କ ଉପରେ ଟ୍ରେନ ମାଡ଼ିଗଲା”।

ଚିନ୍ନା ମୋ ଆଖିକୁ ଖୁବ ଗମ୍ଭୀର ଭାବେ ଚାହିଁଲା ଯେମିତି ମୁଁ ଏମିତି କିଛି କଥା କହିଦେଇଥିଲି ଯାହା ମୋତେ କହିବାର ନଥିଲା।

ସେ ତଳକୁ ଚାହିଁଲା ଓ କହିଲା, “ମୋ ଜେଜେ ମା’ଙ୍କ ଠାରୁ ଶୁଣିଥିବା କଥା ମୋର ମନେ ଅଛି, କେମିତି ୬୫ ବର୍ଷ ପୂର୍ବେ ସେ ମୋ ବାପାଙ୍କ ସହିତ କାମ ସନ୍ଧାନରେ ଥୁଠୁକୁଡ଼ିରୁ ତ୍ରିଭେନ୍ଦ୍ରମକୁ ଚାଲିଆସିଥିଲେ ।”

“ସେ ଗାଁରୁ ବାହାରକୁ ଯିବା ଲାଗି ଡରୁଥିଲେ, କିନ୍ତୁ କେମିତି କ’ଣ ଏଠାକୁ ଚାଲିଆସିଲେ। ସେ ଆମକୁ ସବୁବେଳେ ସୁଖଦ କାହାଣୀ କିମ୍ବା ମଜାଳିଆ ଘଟଣା ବିଷୟରେ କହୁଥିଲେ, କିନ୍ତୁ ଏବେ ମୁଁ ଜାଣିପାରୁଛି ସେ କେଉଁ ପରିସ୍ଥିତି ଦେଇ ଗତି କରିଥିବେ। ସେ ସବୁବେଳେ ହସ ହସ ମୁହଁରେ ରହିବାର କଳା ଭଲ ଭାବେ ଜାଣିଥିଲେ।”

ବର୍ଷାର ପରିମାଣ ଆହୁରି ବଢ଼ିଯାଇଥିଲା; ଏତିକି ବେଳେ ଜଳାର୍ଣ୍ଣବ ରାସ୍ତାରେ ଏକ ଆମ୍ବୁଲାନ୍ସ ଅତିକ୍ରମ କଲା। “ସବୁ ଶ୍ରମିକ ନିରାପଦରେ ଘରେ ପହଞ୍ଚି ଯାଆନ୍ତୁ,” ଚିନ୍ନା କହିଲା।

ସୁଧନ୍ଵା ଦେଶପାଣ୍ଡେଙ୍କ ଆବୃତ୍ତ କବିତା ଶୁଣନ୍ତୁ

Illustration: Labani Jangi, originally from a small town of West Bengal's Nadia district, is working towards a PhD degree on Bengali labour migration at the Centre for Studies in Social Sciences, Kolkata. She is a self-taught painter and loves to travel.
PHOTO • Labani Jangi

ଦୃଷ୍ଟାନ୍ତ:: ଲାବଣୀ ଜାଙ୍ଗୀ, ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ଏକ ଛୋଟ ସହରର ମୂଳ ବାସିନ୍ଦା। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ ଇନ ସୋସିଆଲ ସାଇନ୍ସେସରେ ବଙ୍ଗୀୟ ପ୍ରବାସୀ ଶ୍ରମିକଙ୍କ ବିଷୟରେ ପିଏଚଡି ଗବେଷଣା କରୁଛନ୍ତି। ସେ ଜଣେ ଚିତ୍ରକର ଓ ଭ୍ରମଣ କରିବାକୁ ପସନ୍ଦ କରିଥାନ୍ତି।

ଗତିଶୀଳ ପ୍ରାଣ

ବନ୍ଧୁର ରେଳ ଧାରଣା ଦେଇ 

ଯାତ୍ରା କରିଚାଲିଛନ୍ତି,

ଭୋକିଲା ପ୍ରାଣର ଏକ ପଂକ୍ତି।

ଜଣେ ଅନ୍ୟ ଜଣଙ୍କ ପଛରେ,

ଧାତୁର ଛଡ଼ ଭିତରେ ଭରି ହୋଇ ।


ସେମାନଙ୍କ ଗନ୍ତବ୍ୟ ଏଠାରୁ ବହୁଦୂର,

ତଥାପି ସେମାନେ ଚାଲିଛନ୍ତି,

ପ୍ରତ୍ୟେକ ପାଦ,

ସେମାନଙ୍କୁ ଘର ଆଡ଼କୁ ନେଇଯାଉଛି।

ଅସ୍ଥି ପୁରୁଷ,

ପତଳା ମହିଳା,

ସମସ୍ତେ ଟ୍ରେନ ବଗି ଭଳି,

ଦୃଢ଼ତାର ସହ ଚାଲିଛନ୍ତି

ଧାତୁର ଧାରଣା ଉପରେ।


ଶାଢ଼ୀରେ କିଛି ରୁଟି ବନ୍ଧା ହୋଇଛି,

ଗୋଟିଏ ବୋତଲ ପାଣି,

ଏବଂ ଦୃଢ଼ ପାଦ ଯୋଡ଼ାକ

ଚାଲିଛି

ସାହସୀ ପ୍ରାଣର ଏକ ପଂକ୍ତି।


ସୂର୍ଯ୍ୟ ବୁଡ଼ିଯିବା ପରେ,

ତାରାବିହୀନ ରାତି ମାଡ଼ି ଆସେ।

ପ୍ରାଣଗୁଡ଼ିକ,

କ୍ଳାନ୍ତ ଓ ନିସ୍ତେଜ,

ସେମାନଙ୍କ ଆଖି ବୁଜି ଦେଇଛନ୍ତି,

ଚିକ୍କଣ ଧାରଣା ଉପରେ।

ସେତିକି ବେଳେ ରେଳ ମାଡ଼ି ଆସୁଛି

ମାଡ଼ି ଆସୁଛି,

ଧାତବ ଚକ,

ଲୁହା ଏବଂ ମାଂସ ଉପରେ


ନିକାଞ୍ଚନ ରେଳ ଧାରଣା ଉପରେ

ପଡ଼ି ରହିଛି

ନିର୍ଜୀବ ପ୍ରାଣର ଏକ ଧାଡ଼ି,

ଜଣେ ଅନ୍ୟ ଜଣଙ୍କ ପରେ,

ଘର ଠାରୁ ଆଉ କେଇ ପାଦ ଦୂରରେ।

ଆବୃତ୍ତି : ସୁଧନ୍ଵା ଦେଶପାଣ୍ଡେ ଜନନାଟ୍ୟ ମଞ୍ଚରେ କାର୍ଯ୍ୟ କରୁଥିବା ଅଭିନେତ୍ରୀ ଓ ନିର୍ଦ୍ଦେଶିକା ଏବଂ ସେ ଲେଫ୍ଟୱାର୍ଡ ବୁକ୍ସର ସମ୍ପାଦକ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Gokul G. K.

ଗୋକୁଳ ଜି.କେ. ଚେନ୍ନାଇର ଏସିଆନ୍‌ କଲେଜ ଅଫ୍‌ ଜର୍ଣ୍ଣାଲିଜ୍‌ମର ଜଣେ ଛାତ୍ର । ତାଙ୍କ ଘର କେରଳର ତିରୁବନନ୍ତପୁରମ୍‌ରେ ।

Other stories by Gokul G. K.