ତାଙ୍କ କେଶ ଖୁବ୍ ପରିଷ୍କାର ଭାବରେ କୁଣ୍ଡା ଯାଇଥିଲା – ତେଲ ଲଗାଇ ବେଣୀ କରାଯାଇଥିଲା। ବହୁ ପରିମାଣରେ କୁଞ୍ଚନ ସାରା ଚେହେରାକୁ ପରିପୂର୍ଣ୍ଣ କରିଥିଲେ। ପାଦରେ ହାୱାଇ ଚପଲ୍ ଏବଂ ଦେହରେ ଗୋଇଠି ଠାରୁ ସାମାନ୍ୟ ଉପରେ ପଡ଼ୁଥିବା ଖଦି ଶାଢ଼ି। ସେ କାମକୁ ଯିବା ପାଇଁ ପ୍ରସ୍ତୁତ ହୋଇଥିବା ପରି ଦେଖାଯାଉଥିଲେ। କିନ୍ତୁ ସେ ଆମକୁ ପିନ୍ନାଥ ପର୍ବତ ଶ୍ରେଣୀରେ ଥିବା ରୁଦ୍ରହାରୀ ଜଳପ୍ରପାତକୁ ନେବା ପାଇଁ ଏଠାରେ ଥିଲେ। ଏହି ରୁଦ୍ରହାରୀ ଜଳପ୍ରପାତ କୁମାଉଁ ଅଞ୍ଚଳରେ କୋଶି ନଦୀର ଉତ୍ସ। 

ଉତ୍ତରାଖଣ୍ଡର ବାଗେଶ୍ୱର ଓ ଆଲମୋଡ଼ା ଜିଲ୍ଲାର ସୀମାରେ ଅବସ୍ଥିତ କୌସାନି ଗାଁରେ ମାର୍ଚ୍ଚ-ଏପ୍ରିଲ୍ ମାସରେ ଅନୁଷ୍ଠିତ ହେଉଥିବା ଏକ ବାର୍ଷିକ ସାମୁହିକ ଉତ୍ସବରେ ଯୋଗ ଦେବାପାଇଁ ଆମେ ସେଠାରେ ଥିଲୁ। ଏହି କୌସାନି ଗାଁର ଜନସଂଖ୍ୟା ପ୍ରାୟ ୨,୪୦୦। ଏହି କାର୍ଯ୍ୟକ୍ରମର ଜଣେ ବକ୍ତା ଥିଲେ ୬୦ ବର୍ଷ ବୟସ୍କା ବାସନ୍ତୀ ସାମନ୍ତ ଯେ କି ସେଠାରେ ବାସନ୍ତି ବେହେନ୍ ଭାବରେ ଅଧିକ ପରିଚିତା। ତେବେ ଆମ ଦଳର ନେତୃତ୍ୱ ନେବାପାଇଁ ତାଙ୍କୁ ମନଇଚ୍ଛା ଚୟନ କରାଯାଇନାହିଁ। 

କିଛିବର୍ଷ ତଳେ ସେ ଗୋଟିଏ ଅଭିଯାନର ନେତୃତ୍ୱ ନେଇଥିଲେ। କୌସାନି ଓ ଏହାର ଆଖପାଖରେ ୧୫-୨୦ ଜଣ ଲେଖାଏଁ ମହିଳାଙ୍କୁ ନେଇ ୨୦୦ଟି ଦଳ ଗଢ଼ିଥିଲେ , ଉଦ୍ଦେଶ୍ୟ- କୋଶିକୁ ରକ୍ଷା କରିବା। ସେ ୨୦୦୨ ମସିହାରେ କୋଶି ନଦୀର ଜଳପ୍ରବାହ ସେକେଣ୍ଡ ପିଛା ୮୦ ଲିଟରକୁ ହ୍ରାସ ପାଇଥିଲା, ୧୯୯୨ ମସିହରେ ଏହି ପରିମାଣ ଥିଲା ୮୦୦ ଲିଟର, ସେବେଠାରୁ ଶ୍ରୀମତି ସାମନ୍ତ ଓ ଅନ୍ୟ ମହିଳାମାନେ କୋଶିକୁ ରକ୍ଷା କରିବା ପାଇଁ କଠିନ ପରିଶ୍ରମ କରି ଆସୁଛନ୍ତି। 

୨୦୦୨ ମସିହା ବେଳକୁ ଶ୍ରୀମତି ସାମନ୍ତ ଜୀବନ୍ତ ଗଛ କାଟିବା ବନ୍ଦ କରିବା ପାଇଁ ଓ ବଞ୍ଜ ଓକ୍ ପରି ସ୍ଥାନୀୟ ବଡ଼ ପତ୍ର ବିଶିଷ୍ଠ ଗଛ ଅଧିକରୁ ଅଧିକ ରୋପଣ ପାଇଁ ମହିଲାମାନଙ୍କୁ ପ୍ରେରଣା ଦେଇଥିଲେ। ଜଳକୁ ଦେଖିଚାହିଁ ବ୍ୟବହାର କରିବା ସହ ଜଙ୍ଗଲ ଅଗ୍ନିକୁ ପ୍ରତିରୋଧ କରିବା ଓ ଲିଭାଇବା ପାଇଁ ସେ ସେମାନଙ୍କୁ ନିବେଦନ କରିଥିଲେ।  ସେ ମହିଳାମାନଙ୍କୁ ଭଗିନୀତ୍ୱର ଏକ ବନ୍ଧନରେ ବାନ୍ଧି ଥିଲେ, ଯେଉଁମାନେ କି ବର୍ଷ ବର୍ଷ ଧରି ଏକତ୍ର ହୋଇ ପରିବେଶ ସଂରକ୍ଷଣରେ  ଲାଗି ରହିଥିଲେ। ସେମାନେ ପରିବାର ମଧ୍ୟରେ ସାମ୍ନା କରୁଥିବା ଯୁଦ୍ଧକୁ ଲଢ଼ିବା ପାଇଁ ପରସ୍ପରର ସାହାରା ହୋଇଥିଲେ। 

କିନ୍ତୁ ପ୍ରଥମେ , ସାମନ୍ତଙ୍କୁ ନିଜ ଯୁଦ୍ଧ ନିଜକୁ ଲଢ଼ିବାକୁ ହୋଇଥିଲା। 

ସେ କୁହନ୍ତି , "ମୋ ଜୀବନ ପର୍ବତ ପରି – କଷ୍ଟକର ଏବଂ ଦୁଃସାଧ୍ୟ।" ଯେତେବେଳେ ବାସନ୍ତିଙ୍କୁ ୧୨ ବର୍ଷ ବୟସ ଓ ୫ମ ଶ୍ରେଣୀ ପାଠ ପଢ଼ା ସରିଲା ସେତେବେଳେ ତାଙ୍କର ବିବାହ ହୋଇଗଲା। ସେ ପିଥୋରଗଡ଼ ଜିଲ୍ଲାର ଥାରକୋଟ ଗାଁରେ ଥିବା ନିଜ ସ୍ୱାମୀଙ୍କ ଘରକୁ ଚାଲିଗଲେ। ତାଙ୍କୁ ୧୫ ବର୍ଷ ହେବା ବେଳକୁ ସ୍କୁଲ୍ ଶିକ୍ଷକ ଥିବା ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଲା  ସେ କୁହନ୍ତି, "ମୋ ଶାଶୁ କହିଲେ ମୁଁ ମୋ ସ୍ୱାମୀଙ୍କୁ ଖାଇଦେଲି।"

Kausani Mahila Sangathan raising awareness about Kosi in a government school
PHOTO • Basant Pandey

କୌସାନି ମହିଳା ଦଳର ଏକ ସଭାରେ – ଏକ ସରକାରୀ  ସ୍କୁଲରେ ଆଯୋଜିତ ଏହି ସଭାରେ ସେ କୋଶି ପ୍ରତି ଥିବା ବିପଦ ବିଷଯରେ କହୁଛନ୍ତି।

ଏହାପରେ ସେ ତୁରନ୍ତ ନିଜର ଲୁଗାପଟା ବାନ୍ଧି ନିଜ ମାଆ ଓ ବଡ଼ମାଆ ଓ ଖୁଡ଼ିମାନଙ୍କୁ ଘାସ କାଟିବା ଓ ଗୋବର ସଂଗ୍ରହ କରିବା ଆଦିରେ ସାହାଯ୍ୟ କରିବା ପାଇଁ ପିଥୋରଗଡ଼ସ୍ଥ ଦିଗାରାରେ ଥିବା ନିଜ ଘରକୁଫେରିଲେ। ସାମନ୍ତଙ୍କ ବାପା ଯେ କି ବିହାରରେ ପୋଲିସ୍ ବିଭାଗରେ କାମ କରୁଥିଲେ, ସ୍କୁଲରେ ତାଙ୍କର ପୁନଃ ନାମଲେଖା କରିବାକୁ ଚାହିଁଲେ। ସେ କୁହନ୍ତି, "ବାପା ଚାହୁଁଥିଲେ ମୁଁ ପ୍ରାଇମେରୀ ସ୍କୁଲରେ ଶିକ୍ଷକଟିଏହୋଇଯାଏ।" ମାତ୍ର ଘରେ ଏଥିପାଇଁ ଖୁବ୍ ବିରୋଧ ଥିଲା। "ଯଦି କେବେ ମୁଁ ବହିଟିଏ ପଢ଼େ ତେବେ ମା’ ମୋତେ ଗାଳିଦିଅନ୍ତି, କହନ୍ତି, 'କଣ ତୁ ଏବେ ସାଙ୍ଗେ ସାଙ୍ଗେ ଅଫିସରେ କାମ କରିବୁ?' ତାଙ୍କୁ ବିରୋଧ କରିବାପାଇଁ ମୋର ସାହସ ନଥିଲା।"

କିଛି ବର୍ଷ ପରେ, ବାସନ୍ତୀ ମହାତ୍ମା ଗାନ୍ଧୀଙ୍କ ଜଣେ ଶିଷ୍ୟା କାଥେରିନ୍ ହେଲ୍ମ୍ୟାନଙ୍କ ଦ୍ୱାରା ୧୯୪୬ରେ କୌସାନିରେ ଯୁବତୀମାନଙ୍କ ପାଇଁ ସ୍ଥାପିତ ହୋଇଥିବା ଲକ୍ଷ୍ମୀ ଆଶ୍ରମ ବିଷୟରେ ଶୁଣିବାକୁ ପାଇଲେ। ସେଠାରେ ନାମ ଲେଖାଇବା ପାଇଁ ଅନୁରୋଧ କରି ବାସନ୍ତି ଏକ ଚିଠି ପଠାଇଥିଲେ। ସେ କୁହନ୍ତି, "ଆଶ୍ରମର ଅଧ୍ୟକ୍ଷା ରାଧା ଭଟ୍ଟ ମୋତେ ସେଠାକୁ ଆସିବାକୁ କହିଲେ।" ୧୯୮୦ରେ ତାଙ୍କ ପିତା ଏକ ବର୍ଷିକିଆ ସିଲେଇ ଶିକ୍ଷା ପାଠ୍ୟକ୍ରମ ପାଇଁ ତାଙ୍କୁ ସେଠାରେ ଛାଡ଼ିଲେ। 

ଲକ୍ଷ୍ମୀ ଆଶ୍ରମର ବାଲ୍ବାଡ଼ିରେ ଶିକ୍ଷାଦାନ କରି ପିତାଙ୍କ ସ୍ୱପ୍ନ ସାକାର କରିବା ପାଇଁ ବାସନ୍ତୀ ଆଶ୍ରମ ରହଣୀ ବଢ଼ାଇଦେଲେ। ଏ ମଧ୍ୟରେ ସ୍କୁଲ ପାଠପଢ଼ା ଆଉ ଥରେ ଚାଲୁ କରିବା ପାଇଁ ସେ ଫର୍ମ ପୂରଣ କଲେ। ସେ କୁହନ୍ତି, "୩୧ ବର୍ଷ ତଳେ ଏକ ଦୂରଶିକ୍ଷା ପାଠ୍ୟକ୍ରମ ଅଧୀନରେ ୧୦ମ ପାସ୍ କଲି। ମୋ ଭାଇ ଗାଁ ସାରା ମିଠା ବାଣ୍ଟିଥିଲେ।" ୩୦ ବର୍ଷ ତଳର ଏ ଉପଲବ୍ଧି ବୟାନ କଲାବେଳେ ତାଙ୍କ ଚେହେରାର ଚମକ୍ ଦେଖି ମନେ ହେଉଥିଲା ସତେ ଯେମିତି ଏହା ଗତକାଲିର କଥା। 

ସମୟକ୍ରମେ ବାସନ୍ତୀ ଆଶ୍ରମରେ ପୂର୍ଣ୍ଣକାଳୀନ କାମ କରିବା ଆରମ୍ଭ କଲେ। ସେ ସେତେବେଳେ ସେଠାରେ ରହୁଥିଲେ। ତାଙ୍କର କାମ ସାରା ଉତ୍ତରାଖଣ୍ଡରେ ବାଲବାଡ଼ି ସ୍ଥାପନରେ ସହାୟତା କରିବା ଓ ସିଲେଇ, ହସ୍ତଶିଳ୍ପ ଓ ଅନ୍ୟ ଆୟ ସୃଷ୍ଟିକାରୀ ଦକ୍ଷତା ବିକାଶ ନିମନ୍ତେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏସ୍ଜି) ଗଠନ କରିବା ଇତ୍ୟାଦି ଥିଲା। କିନ୍ତୁ ସେ କସୌନି ଫେରିବାକୁ ଚାହୁଁଥିଲେ। ସେ କୁହନ୍ତି, "ମୁଁ ମନେ ମନେ ଭାବୁଥିଲି, ଏ ବଡ଼ ସହରରେ ମୁଁ କ’ଣ କରୁଛି (ସେ ଡେରାଡୁନ୍ରେ ଅବସ୍ଥାପିତ ଥିଲେ), ଯେତେବେଳେ ମୁଁ ଗାଁର ମହିଳାମାନଙ୍କ ସହ ରହିବା କଥା।"

ସେ ୨୦୦୨ରେ କସୌନିକୁ ଫେରିଲେ, ଯେଉଁଠି ପରିସ୍ଥିତି ଉତ୍କଟ ଥିଲା। ପରିଣାମ ସମ୍ପର୍କରେ ସଚେତନ ନଥିବାରୁ ଗ୍ରାମୀଣମାନେ ଗଛ କାଟୁଥିଲେ। ପ୍ରତ୍ୟେକ ପରିବାର ଭାବୁଥିଲା ଜାଳେଣୀ ଓ ଚାଷ ପାଇଁ ସେମାନେ ଯେତିକି ସୀମିତ କାଠ ବ୍ୟବହାର କରୁଛନ୍ତି ତାହା କିଛି ବିଶେଷ ନୁହେଁ ଏବଂ କୋଶି ଶୁଖିବାର ଲାଗିଥିଲା। ୨୦୦୩ରେ 'ଅମର ଉଜାଲା' ଖବର କାଗଜରେ ଶ୍ରୀମତୀ ସାମନ୍ତ ଏକ ପ୍ରବନ୍ଧ ପଢ଼ିଲେ, ଯାହା ସୂଚିତ କରୁଥିଲା ଯଦି ଜଙ୍ଗଲ ନଷ୍ଟ ଓ ଜଙ୍ଗଲ ଅଗ୍ନିକୁ ନିୟନ୍ତ୍ରଣ କରାନଯାଏ ତେବେ ୧୦ ବର୍ଷ ମଧ୍ୟରେ କୋଶି ମୃତ୍ୟୁ ବରଣ କରିବ। ସେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଗକୁ ବଢ଼ିଲେ। 

କିନ୍ତୁ ସେ ଯେମିତି ଆଶା କରୁଥିଲେ ସମସ୍ୟା ତା’ଠାରୁ ଭୟଙ୍କର ଥିଲା। 

Basanti Samant
PHOTO • Basant Pandey

'ମୋ ଜୀବନ ପର୍ବତ ପରି  କଷ୍ଟକର ଓ ଅସାଧ୍ୟ': ବାସନ୍ତୀ ସାମନ୍ତ

ଗାଁର ମହିଳାମାନେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ କାଠ ଆଣିବା ପାଇଁ ବାହାରି ଯାଆନ୍ତି। ସେଠାରୁ ଫେରିବା ପରେ ରୋଟି- ଲୁଣ କିମ୍ବା ବେଳେବେଳେ ଭାତ ଖାଇ କ୍ଷେତରେ କାମ କରିବାକୁ ବାହାରି ଯାଆନ୍ତି। ସାମନ୍ତ କୁହନ୍ତି, "ଅଧିକାଂଶ ସମୟରେ ପୂର୍ବରୁ ଆଣି ରଖିଥିବା କାଠ ସେମିତି ଜମା ହୋଇ ରହି ଥାଏ, ରହି ରହି ଉଇ ମଧ୍ୟ ଲାଗିଯାଇଥାଏ। କିନ୍ତୁ ମହିଳାମାନଙ୍କୁ ଆହୁରି କାଠ ଆଣିବାକୁ ହୁଏ। ଯଦି ସେମାନେ ଘରେ ବସିବେ, ସେମାନେ ସ୍ୱାମୀ ଓ ଶାଶୁଘର ଲୋକଙ୍କ ଠାରୁ ଗାଳି ଶୁଣିବେ।" ଏହି କମ୍ ପରିମାଣର ଖାଦ୍ୟ ଓ ଅତ୍ୟଧିକ କଷ୍ଟକର କାମର ଅର୍ଥ ହେଉଛି ମହିଳାମାନେ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ଔଷଧରେ ଖର୍ଚ୍ଚ କରିବେ। କିନ୍ତୁ ସେମାନଙ୍କ ପାଖରେ ନିଜ ପିଲାଙ୍କ ପାଠପଢ଼ା  ଦେଖିବା ପାଇଁ ଖୁବ୍ କମ୍ ସମୟ ଥିବ କିମ୍ବା ଆଦୌ ସମୟ ନଥିବ। 

ତେଣୁ ସାମନ୍ତଙ୍କ ପାଇଁ ପରିବେଶ ସଂରକ୍ଷଣ ଅପେକ୍ଷା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନର ଲକ୍ଷ୍ୟ ଅଧିକ ହୋଇଗଲା। କିନ୍ତୁ ମହିଳାମାନେ ତାଙ୍କ ସହ କଥାବାର୍ତ୍ତା କରି ପାରୁନଥିଲେ- ମୁଖ୍ୟତଃ ଏଥିପାଇଁ ଯେ ପରିବାରର ପୁରୁଷମାନେ ସେମାନଙ୍କୁ କୌଣସି ପ୍ରକାର କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ ହେବାକୁ ବିରୋଧ କରୁଥିଲେ। 

ଦିନେ ସାମନ୍ତ କୌସାନି ବସ୍ଷ୍ଟାଣ୍ଡ ନିକଟରେ ଦଳେ ମହିଳା ଛିଡା ହୋଇଥିବା ଦେଖିଲେ। ଜିଲ୍ଲା ମାଜିଷ୍ଟ୍ରେଟ୍ ଘୋଷଣା କରିଥିଲେ କୋଶିର ଜଳ କେବଳ ପିଇବା ପାଣି ବ୍ୟବହାର କରାଯିବ। କିନ୍ତୁ ମହିଳାମାନେ ଚାଷ ପାଇଁ ମଧ୍ୟ ଏହା ଦରକାର କରୁଥିଲେ। ସରକାର ସେ ପର୍ଯ୍ୟନ୍ତ ଗାଁରେ ଚେକ୍ ଡ୍ୟାମ୍ କିମ୍ବା କେନାଲ ନିର୍ମାଣ କରିନଥିଲେ। ସେତେବେଳେ ଗୋଟିଏ ମାତ୍ର ଉଦ୍ୟମ ଥିଲା କୋଶି ବଞ୍ଚି ରହୁ। 

ସାମନ୍ତ ସେମାନଙ୍କୁ ଖବରକାଗଜର କଟା ଅଂଶଟିକୁ କାଢ଼ି ଦେଖାଇଲେ। ବ୍ରିଟିଶ୍ମାନେ ରୋପଣ କରିଥିବା ପାଇନ୍ ଗଛ ଯାହାକି ସ୍ଥାନୀୟ ଜଳବାୟୁ ପ୍ରତି ଅସହଯୋଗୀ ତା’ ବଦଳରେ ସ୍ଥାନୀୟ ବଡ଼ପତ୍ର ବିଶିଷ୍ଟ ଓକ୍ ଗଛ ରୋପଣ ଓ ଏହାର ସୁରକ୍ଷାର ଆବଶ୍ୟକତା ବିଷୟରେ ବୁଝାଇଲେ। ସେ ସେମାନଙ୍କୁ ଉତ୍ତରାଖଣ୍ଡର ଗଡ଼ୱାଲ ଅଞ୍ଚଳରେ ଜଙ୍ଗଲର ସୁରକ୍ଷା ପାଇଁ ୧୯୭୦ ଦଶକରେ ଆରମ୍ଭ ହୋଇଥିବା ଐତିହାସିକ ଚିପ୍କୋ ଅଭିଯାନର ଉଦାହରଣ ମଧ୍ୟ ଦେଲେ। ସେ ସେହି ମହିଳାମାନଙ୍କୁ ହାତ ଯୋଡ଼ିଲେ ତଥା ଶ୍ରଦ୍ଧାର ସହ ସେମାନେ ୧୦ବର୍ଷ ପରେ କିପରି ନିଜ କ୍ଷେତକୁ ପାଣି ଦେବେ ସେ ବିଷୟରେ ଚିନ୍ତା କରିବାକୁ ବୁଝାଇଲେ। ସେ ସେମାନଙ୍କ ମନରେ ଜଳହୀନ, ଜୀବନହୀନ କୋଶିର ଚିତ୍ର ଆଙ୍କିଦେଲେ। 

Basanti Samant delivering keynote address at the opening of the Buransh Mahotsav 2018
PHOTO • Ashutosh Kalla

ନିକଟରେ ଏକ ସାମୁହିକ ଉତ୍ସବର ମୁଖ୍ୟ ପ୍ରସଙ୍ଗ ଉପସ୍ଥାପନ କରୁଛନ୍ତି।

ସେମାନଙ୍କ ସହ ଆଲୋଚନା ପ୍ରକୃତ ମର୍ମସ୍ଥଳକୁ ଆଘାତ କଲା। ୨୦୦୩ ମସିହାରେ ଏହି ମହିଳାମାନେ ଏକ କମିଟି ଗଠନ କଲେ। ଜଣେ ଅଧ୍ୟକ୍ଷ ନିଯୁକ୍ତ କଲେ ଓ ଧୀରେ ଧୀରେ ଗାଁରେ ଗଛ କାଟିବା ବନ୍ଦ ହୋଇଗଲା। କୌସାନିର ପୁରୁଷମାନେ ମଧ୍ୟ ଏହି ଅଭିଯାନକୁ ସମର୍ଥନ ଦେବା ଆରମ୍ଭ କଲେ। ମହିଳାମାନେ ତଥାପି ଶୀଘ୍ର ଘରୁ ବାହାରୁଥିଲେ। କିନ୍ତୁ ଶୁଖିଲା କାଠ ସଂଗ୍ରହ ପାଇଁ। ଗାଁର ଲୋକମାନେ ଜଙ୍ଗଲ ବିଭାଗ ସହ ଏକ ବୁଝାମଣା କଲେ - ଜଙ୍ଗଲ ବିଭାଗ ଏହି ଜଙ୍ଗଲ ଉପରେ ଗ୍ରାମବାସୀଙ୍କର ପ୍ରଥମ ଅଧିକାର ବୋଲି ସ୍ୱୀକାର କରୁ କିନ୍ତୁ ଜଙ୍ଗଲ ବିଭାଗ ଅଧିକାରୀ କିମ୍ବା ଗ୍ରାମବାସୀ କେହି ଗଛ କାଟିବେ ନାହିଁ। ଏହା ଏକ ବଳିଷ୍ଠ ଉଦାହରଣ ସୃଷ୍ଟି କଲା ଓ ଆଖପାଖ ଅନେକ ଗାଁର ମହିଳାମାନେ ମଧ୍ୟ କମିଟି ଗଠନ କଲେ। 

ଏହି ବିଜୟ ପରେ ମଧ୍ୟ ନାନା ପ୍ରକାର ଆହ୍ୱାନ ମୁହଁ କାଢ଼ୁଥାଏ। ଉଦାହରଣ ସ୍ୱରୁପ, ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ବେ ୨୦୦୫ ମସିହାରେ, ଜଣେ ସ୍ଥାନୀୟ ରେଷ୍ଟୁରାଣ୍ଟ ମାଲିକ କୋଶିର ଜଳ ଚୋରି କରିବାକୁ ଚେଷ୍ଟା କରୁଥିଲେ। ମହିଳାମାନେ ବାସନ୍ତୀ ବେହେରାଙ୍କୁ ଫୋନ୍ କଲେ। ସେ ସେମାନଙ୍କୁ କହିଲେ ଟ୍ୟାଙ୍କରକୁ ଯିବାକୁ ଦିଅନି। ସେତେବେଳକୁ ଏହି ଅଭିଯାନ ଦୃଢ଼ ଓ ଦୃଶ୍ୟମାନ ହେଉଥଲା। ତେଣୁ ଯେତେବେଳେ ମହିଳାମାନେ ପ୍ରତିବାଦରେ ବସି ରହିଲେ ସେତେବେଳେ ରେଷ୍ଟୁରାଣ୍ଟ ମାଲିକ ଭୁଲ ମାଗିଲେ ଓ ୧,୦୦୦ ଟଙ୍କା ଜୋରିମାନା ଦେବାକୁ ରାଜି ହେଲେ ଯାହାକି ଏସ୍ଏଚ୍ଜିର ପାଣ୍ଠିକୁ ଗଲା। 

କିନ୍ତୁ ଏକଥା ନୁହେଁ ଯେ କେବଳ ଗ୍ରାମବାସୀ ବା ପର୍ଯ୍ୟଟନ ବିଭାଗ ହିଁ ଭୁଲ କରୁଥିଲା। ଜଣେ ଜଙ୍ଗଲ ବିଭାଗ ଅଧିକାରୀ ମଧ୍ୟ ଚତୁରତାର ସହ ଏକ କାଠ ବ୍ୟବସାୟ ଚଳାଇଥିଲେ। ସେ ଅଧିକାଂଶ ସମୟରେ ନିଜ ଶ୍ରମିକମାନଙ୍କ ସହ ଗଛ କାଟିବାକୁ ଆସି ପହଞ୍ଚି ଯାଉଥିଲେ। ଦିନେ ସାମନ୍ତ ଓ ଅନ୍ୟ ମହିଳାମାନେ ତାଙ୍କୁ ସାମ୍ନା କଲେ। ସାମନ୍ତ ତାଙ୍କୁ କହିଲେ, "ତମେ କେବେ ଗୋଟିଏ ମଧ୍ୟ ଗଛଚାରା ଏଠି ଲଗାଇନ କିନ୍ତୁ ଆମ କାଠ ଚୋରି କରିବାକୁ ଆସୁଛ।" ମହିଳାମାନେ ଏକତ୍ରିତ ହୋଇଗଲେ, ସେମାନଙ୍କ ସଂଖ୍ୟା ମଧ୍ୟ ଅଧିକ ଥିଲା। ସେମାନେ ମାସ ମାସ ଧରି ଲାଗି ରହିଲେ। ସେମାନେ ଲିଖିତ କ୍ଷମା ପ୍ରାର୍ଥନା ଦାବି କଲେ। ସେ ମନା କଲେ। ସେମାନେ ତାଙ୍କ ବିରୋଧରେ ଅଭିଯୋଗ କରିବେ ବୋଲି ଧମକାଇଲେ। ନିଜ ଚାକିରୀ ଚାଲିଯିବାର ଭୟ ଯୋଗୁଁ ଶେଷରେ ସେ ଓହରି ଗଲେ। 

ସେବେଠାରୁ ସ୍ଥାନୀୟ ଗୋଷ୍ଠୀମାନେ କେବଳ ଜଙ୍ଗଲର ରକ୍ଷକ ହୋଇନାହାନ୍ତି, ସେମାନେ ମଦ୍ୟପାନ ଓ ପରିବାର ମଧ୍ୟରେ ଦୁର୍ବ୍ୟବହାର ପରି ଘଟଣାରେ ହସ୍ତକ୍ଷେପ ଦ୍ୱାରା କିମ୍ବା ମହିଳାମାନଙ୍କୁ ଏ ପରିସ୍ଥିତିକୁ କେମିତି ସାମ୍ନା କରିବେ ସେହି ପରାମର୍ଶ ଦେଇ ଅନେକ ସମସ୍ୟାର ସମାଧାନ କରୁଛନ୍ତି। ସମସ୍ୟା ଏବେ ବି ଲାଗିରହିଛି। କୌସାନିର ଅନେକ ଏସ୍ଏଚ୍ଜି ମଧ୍ୟରୁ ଗୋଟିକର ସଦସ୍ୟା ୩୦ ବର୍ଷୀୟ ମମତା ଥାପ୍ପା କୁହନ୍ତି, "ମୁଁ ଆଲୋଚନା କରିବା ପାଇଁ ଓ ସମାଧାନର ରାସ୍ତା ବାହାର କରିବା ପାଇଁ ଏକ ମଞ୍ଚ ପାଇଲି।"

୨୦୧୬ ସାମନ୍ତ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ୱାରା ନାରୀ ଶକ୍ତି ପୁରସ୍କାରରେ ସମ୍ମାନିତ ହେଲେ - ସେ ଗର୍ବର ସହ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଠାରୁ ଏହା ଗ୍ରହଣ କଲେ। ସେ ଏବେ ବି କୋଶିକୁ ରକ୍ଷା କରିବା ପାଇଁ ସଂଗ୍ରାମ ଅବ୍ୟାହତ ରଖିଛନ୍ତି। ଏଥିସହ ସେ ଶୁଷ୍କ ବର୍ଜ୍ୟ ଅଲଗା କରିବା ଦିଗରେ ଏବଂ କୌସାନି ଓ ଏହାର ଆଖପାଖର ହୋଟେଲ୍ ମାଲିକମାନଙ୍କୁ ସେମାନଙ୍କୁ ଶୁଷ୍କ ବଜ୍ର୍ୟ ପୁନଃଚକ୍ରଣ କରିବା ଦିଗରେ ସଚେତନ କରାଉଛନ୍ତି। ତେବେ ତାଙ୍କର ସବୁଠାରୁ ବଡ଼ ଯୋଗଦାନ ବିଷୟରେ ସେ କୁହନ୍ତିଏ "ଏବେ ନିଶ୍ଚିତ ଯେ ମହିଳାମାନେ ଆଉ ଚୁପ୍ ନାହାନ୍ତି। ନିଜ ନିଜର ସ୍ଥାନୀୟ କମିଟିରେ, ଗ୍ରାମସଭାରେ କିମ୍ବା ସେମାନଙ୍କ ଘର ଭିତରେ।"

ଏହି ଲେଖକ ସାକ୍ଷାତକାର ପାଇଁ ବ୍ୟବସ୍ଥା କରିଥିବା ବୁରାଂଶ ମହୋତ୍ସବର ଆୟୋଜକ ଥ୍ରୀଶ୍ କପୁର ଓ ପ୍ରସନ୍ନ କପୁରଙ୍କୁ ଧନ୍ୟବାଦ ଦେବାକୁ ଚାହିଁଛନ୍ତି। 

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Apekshita Varshney

ଲେଖକ ପରିଚିତି: ଆପେକ୍ଷିତା ବର୍ଷନେ ମୁମ୍ବାଇର ଜଣେ ମୁକ୍ତବୃତ୍ତ ଲେଖିକା।

Other stories by Apekshita Varshney