ମଧ୍ୟାହ୍ନ ପାଖାପାଖି ୩୨ ବର୍ଷୀୟ ଅଶ୍ୱିନ ଯେତେବେଳେ ତାଙ୍କ ପରିବାରର ଘରୁ ବାହାରିଲେ ସେ ତାଙ୍କର ୭୬ ବର୍ଷୀୟା ଜେଜେମାଆ ପୋସାନି ଲକ୍ଷ୍ମୀ ଆମ୍ମାଙ୍କ ଆଶୀର୍ବାଦ ନେବା ଲାଗିପାଦ ଛୁଇଁଲେ । ତିନି ଘଣ୍ଟା ପରେ, ଅସ୍ଥାୟୀ ଭାବେ ହେଲେ ବି ସଂପୂର୍ଣ୍ଣ ରୂପାନ୍ତରିତ ହୋଇ ସେ ଯେତେବେଳେ ଘରକୁ ଫେରିଲେ, ଜେଜେମାଆ ତାଙ୍କ ପାଦ ଛୁଇଁଲେ । ଭକ୍ତିଭାଜନର ଏହି ଦୁଇ କ୍ରିୟା ମଧ୍ୟରେ ରହିଛି,ଏକ ସମଗ୍ର ସଂପ୍ରଦାୟର ବିଶ୍ୱାସରେ ଭରା ଶହେ ବର୍ଷ ପୁରୁଣା ବିଧି ବ୍ୟବସ୍ଥା- ପୋଥୁରାଜୁ ପରମ୍ପରା ।

ଶରୀର ସାରା କୁଙ୍କୁମ (ସିନ୍ଦୂର) ଏବଂ ହଳଦି ବୋଳି ହୋଇ ଏବଂ ଉଗ୍ର ଭାବରେ ଏକ ଚାବୁକ୍‌ ଚଳାଇ ଅଶ୍ୱିନ ଯେତେବେଳେ ଭୟଙ୍କର ପୋଥୁରାଜୁଙ୍କ ରୂପ ନେଇଝଡ଼ ବେଗରେ ଘରକୁ ଫେରୁଥିଲେ ସେତେବେଳେ ରାସ୍ତାକଡ଼ରେ ଏବଂ ଘରଗୁଡ଼ିକର ବାଲକୋନିରେ ଠିଆ ହୋଇଥିବା ଲୋକେ ତାଙ୍କ ଉପରେ ପୁଷ୍ପବୃଷ୍ଟି କରୁଥିଲେ। ଦକ୍ଷିଣ-ପୂର୍ବ ହାଇଦ୍ରାବାଦର ମେକାଲ ବାନ୍ଦା ଅଞ୍ଚଳରେ ଥିବା ତାଙ୍କ ଘର ଲକ୍ଷ୍ମୀ ନିଳୟମର ଫାଟକ ଭିତରକୁ ପ୍ରବେଶ କଲା ବେଳେ ସେ ଚାବୁକ ଚଳାଇ ସେଠାରେ ଭିଡ଼ ଜମାଇଥିବା ଚଳଚଞ୍ଚଳ ଏବଂ ଉଲ୍ଲସିତ ଲୋକଙ୍କୁ ଇତସ୍ତତଃ କରି ଦେଇଥିଲେ । ଘର ଭିତରେ ସେ ତାଙ୍କ ଜେଜେମାଆଙ୍କ ସହ ମୁହାଁମୁହିଁ ହୋଇଥିଲେ । ଲୁହ ଛଳଛଳ ଆଖିରେ ଜେଜେମାଆ ମୁଣ୍ଡ ନୁଆଁଇ ତାଙ୍କ ପାଦ ଛୁଇଁଥିଲେ । ବାପାଙ୍କ ଏଭଳି ରୂପ ଦେଖିବାରେ ଅନଭ୍ୟସ୍ତ ଅଶ୍ୱିନଙ୍କ ଆଠ ବର୍ଷର ଝିଅ ଶାସ୍ରା ଭୟରେ ମାଆ କବିତାଙ୍କ ପଛରେ ଲୁଚି ଯାଇଥିଲା । ଶାସ୍ରାର ବଡ଼ଭାଇ ୧୦ ବର୍ଷୀୟ ଋତ୍ୱିକ୍‌ ମଧ୍ୟ ଭୟଙ୍କର ଅବତାର ଧାରଣ କରିଥିବା ବାପାଙ୍କଠାରୁ ଦୂରେଇ ରହିଥିଲା ।

ଅଶ୍ୱିନ କହନ୍ତି, “ପୋଥୁରାଜୁ ହେବା ପରେ ମୁଁ ସଂପୂର୍ଣ୍ଣ ଭାବେ ସମ୍ମୋହିତ ଅବସ୍ଥାରେ ଥାଏ’’ । ‘‘ମୋ ଶରୀର ଉପରେ ମୋର ନିୟନ୍ତ୍ରଣ ଶକ୍ତି ନଥାଏ । ମୁଁ ଦେବୀଙ୍କ ଇଚ୍ଛା ଅନୁସାରେ କାମ କରେ । ଏମିତି କି ମୁଁ ମୋ ନିଜ ଘରକୁ ଯିବା ବେଳେ ବି ଏହା ବୁଝିପାରେ ନାହିଁ । ଦେବୀ ହିଁ ମୋତେ ନିର୍ଦ୍ଦେଶ ଦିଅନ୍ତି ।”

ଆଜିକୁ ପାଞ୍ଚ ବର୍ଷ ହେଲା ବୋନାଲୁ ଦିନ ପୋଥୁରାଜୁରେ ରୂପାନ୍ତରିତ ହୁଅନ୍ତି ଅଶ୍ୱିନ। ତେଲେଙ୍ଗାନା ରାଜ୍ୟରେ ଆଷାଢ଼ (ଜୁନ୍‌-ଜୁଲାଇ) ମାସରେ ଦେବୀ ମହାନ୍‌କାଳୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ବାର୍ଷିକ ପର୍ବ, ବୋନାଲୁ ପାଳିତ ହୁଏ । ମେକାଲ ବାନ୍ଦାଠାରୁ ପ୍ରାୟ ୧୨ କିଲୋମିଟର ଦୂର ଗୋଲକୋଣ୍ଡାରୁ ଏହି ଉତ୍ସବ ପାଳନ ଆରମ୍ଭ ହୁଏ ଏବଂ ଚାରିଟି ରବିବାର ଧରି ସହରର ବିଭିନ୍ନ ଭାଗରେ ପାଳିତ ହୁଏ ।

Ashwin and his father Posani Babu coming out of the temple
PHOTO • Sreelakshmi Prakash
Posani Ashwin as Pothraj starts his dance coming out of his ancestral home
PHOTO • Sreelakshmi Prakash

ବାମ: ଅଶ୍ୱିନ ଏବଂ ତାଙ୍କ ବାପା ବାବୁ ମନ୍ଦିରରୁ ବାହାରକୁ ଆସୁଛନ୍ତି;୨୦୧୩ ପର୍ଯ୍ୟନ୍ତ, ଦୁଇ ଦଶନ୍ଧି ଧରି ବାବୁ ମଧ୍ୟ ପୋଥୁରାଜୁ ଥିଲେ

ଡାହାଣ: ରୂପାନ୍ତରଣ ପରେ, ଅଶ୍ୱିନ୍‌ ତାଙ୍କ ପୈତୃକ ଘରୁ ଉଭା ହେଉଛନ୍ତି

ଅଶ୍ୱିନ ହେଉଛନ୍ତି ସ୍ଥାନୀୟ ଲାଲ ଦରୱାଜା ସିଂହବାହିନୀ ମହାନକାଳୀ ମନ୍ଦିରର ମୁଖ୍ୟ ପୋଥୁରାଜୁ । ୧୯୮୩ରୁ ୨୦୧୩ ପର୍ଯ୍ୟନ୍ତ ନିଜେ ପୋଥୁରାଜୁ ଥିବା ଅଶ୍ୱିନଙ୍କ ବାପା, ୬୧ ବର୍ଷ ବୟସ୍କ ପୋସାନି ବାବୁ ରାଓ କହନ୍ତି, “ପୋଥୁରାଜୁ (କେତେକ ତଥ୍ୟରୁ ଜଣାପଡ଼େ ଯେ ବିଷ୍ଣୁଙ୍କର ଏକ ଅବତାର) ଗ୍ରାମଦେବତା ସାତ ଭଉଣୀଙ୍କ ରକ୍ଷାକର୍ତ୍ତା”। ଏହି ଦେବଦେବୀମାନେ ରାଜ୍ୟର ଲୋକକଳା ସଂସ୍କୃତିର ଅଂଶବିଶେଷ । ସବୁଠାରୁ ବଡ଼ ହେଲେ ମହାନକାଳୀ, ଯିଏ କି ଏହି ପର୍ବର ମୁଖ୍ୟ ଦେବୀ (ମନ୍ଦିର ୱେବ୍‌ସାଇଟ୍‌ରେ ଦର୍ଶାଯାଇଛି) । ଉପାସକମାନେ ବିଶ୍ୱାସ କରନ୍ତି ଯେ, ଦେବୀ ରୋଗବ୍ୟାଧିକୁ ଦୂରେଇ ରଖନ୍ତି । ବାବୁ କହନ୍ତି, “ପୋଥୁରାଜୁ ଦେବୀଙ୍କର ଭାଇ । ଦେବୀଙ୍କୁ ଖୁସି କରିବା ପାଇଁ ସେ ଦୁଇରୁ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ନୃତ୍ୟ କରନ୍ତି ।”

ସେ ଆହୁରି କହନ୍ତି, “ପୋଥୁରାଜୁ (ମନ୍ଦିରକୁ) ବୋନମ୍‌ ନେଇ ଯାଉଥିବା ମହିଳାମାନଙ୍କୁ ମଧ୍ୟ ରକ୍ଷା କରନ୍ତି ।” ତେଲୁଗୁରେ ‘ବୋନମ୍‌’  ଅର୍ଥ ‘ଭୋଜନ’ଏବଂ ବୋନାଲୁ ପର୍ବର ନାଁ ଏହି ଶବ୍ଦରୁ ଉଦ୍ଧୃତ । ପରମ୍ପରା ଅନୁସାରେ ମହିଳାମାନେ ଏକ ମାଟି କିମ୍ବା ପିତ୍ତଳର ନୂଆ ପାତ୍ରରେ ଚାଉଳରେ କ୍ଷୀର ଓ ଗୁଡ଼ ମିଶାଇ ରାନ୍ଧନ୍ତି । ଏହି ପାତ୍ରକୁ ନିମ୍ବପତ୍ର, ହଳଦି ଏବଂ ସିନ୍ଦୂରରେ ସଜା ଯାଇଥାଏ । ମହିଳା ଓ ଝିଅମାନେ ଏହି ପାତ୍ରକୁ ମୁଣ୍ଡରେ ବୋହି ମନ୍ଦିରକୁ ନିଅନ୍ତି ଏବଂ ମନ୍ଦିରର ଦେବୀଙ୍କୁ ଚୂଡ଼ି ଓ ଶାଢ଼ି ସହିତ ସେସବୁ ଅର୍ପଣ କରନ୍ତି ।

ବୋନାଲୁର ୧୫ ଦିନ ପୂର୍ବରୁ ଅଶ୍ୱିନଙ୍କ ପ୍ରସ୍ତୁତି ଆରମ୍ଭ ହୁଏ । ଏହି ସମୟ ମଧ୍ୟରେ ସେ ଆମିଷ ଓ ନିଶାଦ୍ରବ୍ୟ ସେବନ କରନ୍ତି ନାହିଁ ଏବଂ ନିଜକୁ ପ୍ରାର୍ଥନାରେ ବୁଡ଼ାଇ ରଖନ୍ତି । ପର୍ବର ଆଠ ଦିନ ପୂର୍ବରୁ ମନ୍ଦିରର ପୂଜକ ମନ୍ଦିର ଭିତରେ ରଖାଯାଇଥିବା ଘଟମ୍‌ (ଦେବୀଙ୍କ ରୂପରେ ସଜା ଯାଇଥିବା ତମ୍ବା ପାତ୍ର) ସମୂହର ଅନୁକ୍ରମିକ ପୂଜା ଆରମ୍ଭ କରନ୍ତି ।

ବୋନାଲୁ ଦିନ, ମନ୍ଦିର କମିଟିର ସଦସ୍ୟମାନେ ଅଶ୍ୱିନଙ୍କ ଘରକୁ (ତାଙ୍କ ପରିବାରର ଘରଠାରୁ ଅଳ୍ପ କିଛି ମିଟର ଦୂର) ଯାଆନ୍ତି ଏବଂ ଢୋଲବାଜା ସହିତ ତାଙ୍କୁ ମନ୍ଦିର ଯାଏ ପାଛୋଟି ଆଣନ୍ତି । ଭକ୍ତମାନଙ୍କ ଭିଡ଼ ଦେଇ ଆସିବାକୁ ପ୍ରାୟ ଅଧା ଘଣ୍ଟା ଲାଗେ । ମନ୍ଦିରରେ ଦେବୀ ମହାନକାଳୀ ଅର୍ଥାତ୍‌ ସିଂହ ଉପରେ ବସିଥିବା କାଳୀଙ୍କ ଆଶିଷ କାମନା କରନ୍ତି ଅଶ୍ୱିନ। ପୂଜାରୀ ତାଙ୍କୁ ଭଣ୍ଡାର (କୁଙ୍କୁମ, ହଳଦି, ନଡ଼ିଆ ତେଲ ଏବଂ ମଲ୍ଲୀ, ଗୋଲାପ ଓ ଗେଣ୍ଡୁ ଫୁଲର ଏକ ମାଳ) ପ୍ରଦାନ କରନ୍ତି । ଭଣ୍ଡାରୀ ରୂପରେ ତାଙ୍କ ପରିବାରର ଜଣେ ସଦସ୍ୟ ଏହି ସବୁ ଦ୍ରବ୍ୟ ବହନ କରନ୍ତି । ଅଶ୍ୱିନ କହନ୍ତି, “ମନ୍ଦିର ତରଫରୁ ମୋତେ ଏସବୁ ଦ୍ରବ୍ୟ ପ୍ରଦାନ କରାଯାଏ । ମୁଁ ଏହି ମନ୍ଦିରରେ ଆନୁଷ୍ଠାନିକ ଭାବେ ନିଯୁକ୍ତିପ୍ରାପ୍ତ ଏକମାତ୍ର ପୋଥୁରାଜୁ । ଏହି ପର୍ବ ସମୟରେ ଆପଣ ଅନ୍ୟ ପୋଥୁରାଜୁମାନଙ୍କୁ ମଧ୍ୟ ଦେଖିବାକୁ ପାଇବେ, କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଆମ ପରିବାରର ନୁହଁନ୍ତି । ସେମାନେ ମଜାରେ ମଜାରେ ଏହା କରନ୍ତି ଏବଂ ଏମିତିକି ସେଲ୍‌ଫି ପାଇଁ ପୋଜ୍‌ ଦିଅନ୍ତି ।”

PHOTO • Sreelakshmi Prakash ,  Sumit Kumar Jha

ଉପର ଧାଡ଼ି: ଭକ୍ତମାନଙ୍କ ଗହଣରେ ପୋଥୁରାଜୁ ରୂପରେ ଅଶ୍ୱିନ । ତାଙ୍କ ଭଉଣୀ ମଲ୍ଲିକା କହନ୍ତି, “(ଲୋକେ ବିଶ୍ୱାସ କରନ୍ତି) ପୋଥୁରାଜୁଙ୍କ ଚାବୁକ୍‌ ମାଡ଼ ସମସ୍ତ ରୋଗରୁ ମୁକ୍ତି ଦିଏ” । ତଳ ଧାଡ଼ି: ଅନ୍ୟାନ୍ୟ ବେଶଧାରଣ ଏହି ପର୍ବର ବିଶେଷତ୍ୱ । ବାମ: ଲୋକଙ୍କ ଭିଡ଼ରେ ଦୈବୀଶକ୍ତି ‘ଅଧିକାରିଣୀ’ ଜଣେ ମହିଳା । ଡାହାଣ: ମୁଖ୍ୟ ପୋଥୁରାଜୁଙ୍କ ଆଗମନ ପୂର୍ବରୁ ପୋଥୁରାଜୁ ବେଶଧାରୀ ଜଣେ ବ୍ୟକ୍ତିଙ୍କ ପ୍ରଦର୍ଶନ

ଭଣ୍ଡାର ଗ୍ରହଣ କରିବା ପରେ ଅଶ୍ୱିନ୍‌ ତାଙ୍କ ପୈତୃକ ଘରକୁ ଫେରି ଆସନ୍ତି । ଅଶ୍ୱିନ ସ୍ନାନ କରୁଥିବା ବେଳେ ପୋସାନି ପରିବାରର ପୁରୁଷ ସଦସ୍ୟମାନେ ବସି ପାସୁ- ହଳଦି, କୁଙ୍କୁମ, ତେଲ ଏବଂ ପାଣିର ଏକ ମିଶ୍ରଣ- ତିଆରି କରନ୍ତି । କେବଳ ଲାଲ ରଙ୍ଗର ଜଂଘିଆ ପରିଧାନ କରି ସେ ତାଙ୍କ ପରିବାରର ବୟସ୍କ ଲୋକ ଓ ମନ୍ଦିର ପ୍ରତିନିଧିଙ୍କ ସହାୟତାରେ ନିଜ ଦେହରେ ଏହି ମିଶ୍ରଣଙ୍କୁ ବୋଳି ହୁଅନ୍ତି । ପୂର୍ବରୁ ପୋଥୁରାଜୁ ସାଜିଥିବା ସ୍ୱର୍ଗତ ସଂପର୍କୀୟମାନଙ୍କ ଫଟୋ ନିକଟରେ ଚାର୍ଲା କୋଲା (ଚାବୁକ୍‌) ଏବଂ ଘୁଙ୍ଗୁରୁ (ଛୋଟ ଛୋଟ ଘଣ୍ଟି) ଲାଗିଥିବା କଟିବନ୍ଧ ରଖାଯାଏ । ଏସବୁ ସମୟରେ ଘର ବାହାରେ ଢୋଲବାଦ୍ୟ ବାଜୁଥାଏ । ଯେମିତିପାସୁ ବୋଳା ଶେଷ ହୁଏ କୋଠରିରେ ଥିବା ସବୁ ଲୋକେ ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରନ୍ତି। ଗୁରୁଜନମାନେ ଚାର୍ଲା କୋଲାକୁ ପାସୁରେ ବୁଡ଼ାଇ ଅଶ୍ୱିନଙ୍କୁ ଦିଅନ୍ତି ଏବଂ ସେମାନେ ହିଁ ତାଙ୍କ ଅଣ୍ଟାରେ କଟିବନ୍ଧ ବାନ୍ଧି ଦିଅନ୍ତି । ଏବେ ସେ ହେଲେ ପୋଥୁରାଜୁ ।

ଅଶ୍ୱିନ୍‌ କହନ୍ତି, “ତାଙ୍କ ଘର ଫାଟକ ବାହାରେ ଭକ୍ତମାନେ ପୋଥୁରାଜୁଙ୍କ ଆଗମନକୁ ଅପେକ୍ଷା କରନ୍ତି ।” ତାଙ୍କ ବାପା ବାବୁ କହନ୍ତି ଯେ ୧୧ ବର୍ଷ ପୁରୁଣା ଏହି ଉତ୍ତରାଧିକାରକୁ ଆଗକୁ ନେବାରେ ସେ ହେଲେ ତାଙ୍କ ପରିବାରର ଷଷ୍ଠ ପିଢ଼ିର ସଦସ୍ୟ। ଜାତିରେ ଏହି ପରିବାର ମୁଦିରାଜ, ଯାହାକି ତେଲଙ୍ଗାନାରେ ଅନ୍ୟ ପଛୁଆ ବର୍ଗ ରୂପେ ତାଲିକାଭୁକ୍ତ । ହାଇଦ୍ରାବାଦ ପୌର ନିଗମର ପରିବହନ ବିଭାଗରେ ଫୋର୍‌ମ୍ୟାନ୍‌ ପଦରୁ ଅବସରପ୍ରାପ୍ତ ବାବୁ କହନ୍ତି, “୧୯୦୮ ମସିହାରେ ମୁସି ନଦୀରେ (ଏହି ନଦୀର ଦୁଇ କୂଳରେ ହାଇଦ୍ରାବାଦ ଅବସ୍ଥିତ) ବନ୍ୟା ଆସିଲା ଏବଂ ହଇଜା ବ୍ୟାପିବା ଯୋଗୁଁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଲା । ନଈପାଣି ଚାରମୀନାର ଛୁଇଁଥିଲା । ହାଇଦ୍ରାବାଦର ତତ୍କାଳୀନ ନିଜାମ ମିର ଓସ୍‌ମାନ ଅଲି ଖାନ୍‌ ଏବଂ ତାଙ୍କ ପ୍ରଧାନମନ୍ତ୍ରୀ ମହାରାଜା କିଶନ ପର୍‌ଶାଦ ଏକ ହାତବୁଣା ଟୋକେଇରେ ଚାଉଳ, ସୁନା, ରତ୍ନ, ହୀରା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ନେଇ ନଦୀକୂଳକୁ ଗଲେ ଏବଂ ସେଠାରେ ଏସବୁ ଅର୍ପଣ କରି ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ଦେବୀଙ୍କୁ ମିନତି କଲେ।” ବନ୍ୟାପାଣି କମିଗଲା ଏବଂ ଏହାର ବର୍ଷକ ପୂର୍ବରୁ, ୧୯୦୭ରେ ନିର୍ମିତ ଲାଲ ଦରୱାଜା ମନ୍ଦିରର ଖ୍ୟାତି ବଢ଼ିବାରେ ଲାଗିଲା।

ତିଚାରଣ କରି ବାବୁ କହନ୍ତି, “୧୯୦୮ରେ ଆମ ପୂର୍ବପୁରୁଷ ସିଂହରାମ ବାବ୍ବାୟା ପ୍ରଥମ ପୋଥୁରାଜୁ ରୂପେ ମନ୍ଦିର କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଯୁକ୍ତି ପାଇଲେ ।” ଶହେ ବର୍ଷରୁ ଅଧିକ କାଳ ପରେ ବି ମନ୍ଦିର ସହ ଜଡ଼ିତ ଏହି ପାରିବାରିକ ପରମ୍ପରାକୁ ପୋସାନି ପରିବାର ଜାରି ରଖିଛନ୍ତି ।

ଅଶ୍ୱିନଙ୍କ ଭଉଣୀ ୩୩ ବର୍ଷୀୟା ଗୃହିଣୀ ଟି.ମଲ୍ଲିକା ରାକେଶ କହନ୍ତି, “ଏହା ଆମ ପାରିବାରିକ ପରମ୍ପରାର ଅଂଶବିଶେଷ ଏବଂ ଆମେ ଏହାକୁ ବଜାୟ ରଖିବୁ’’ । ‘‘ଏହା ଦେବୀଙ୍କ ପ୍ରତି ଏକ ସେବା । ବୋନାଲୁ ସପ୍ତାହରେ ଆମ ପରିବାର ସହ ଏ ଅଞ୍ଚଳର ଲୋକଙ୍କ ଦେଖାସାକ୍ଷାତ ଲାଗି ରହିଥାଏ । ବୋନାଲୁ ଦିନ ଆମ ଘରକୁ ଆସିଥିବା ପ୍ରତ୍ୟେକ ଲୋକଙ୍କୁ ଆମେ ଖାଦ୍ୟ ଓ ମଦ ପରଷି ଦେଉ ।” ଭୋଜନରେ ଭାତ ଓ ପୁରୀ ଏବଂ ଛେଳିମାଂସ ଓ କୁକୁଡ଼ା ମାଂସ ଥାଏ; ସ୍ଥାନୀୟ ଦୋକାନରୁ ମଦ ଅଣାଯାଏ ।

PHOTO • Sreelakshmi Prakash

‘ପିଲାମାନଙ୍କୁ ଚାବୁକ ମାଡ଼ କରିବାକୁ ପିତାମାତାମାନେ ବି ଚାହାଁନ୍ତି କାରଣ, ଏହା ଫଳରେ ସେମାନେ ସୁସ୍ଥ ରହିବେ । ଛୋଟପିଲାମାନଙ୍କୁ ଚାବୁକ୍‌ ମାଡ଼ କରାଯାଏ ନାହିଁ ବରଂ ମୁଁ ସେମାନଙ୍କ ଗଳା ଚାରିପଟେ ଚାର୍ଲା କୋଲା ଲଗାଇଥାଏ ଏବଂ ସେମାନଙ୍କୁ ଆଶୀର୍ବାଦ ଦେଇଥାଏ’

ମଲ୍ଲିକା କହନ୍ତି, “ପୋଥୁରାଜୁଙ୍କ ଦ୍ୱାରା ଚାବୁକ ମାଡ଼ (ଲୋକେ ବିଶ୍ୱାସ କରନ୍ତି) ରୋଗ ଦୂର କରିଥାଏ । ଲୋକେ ତାଙ୍କ ଦ୍ୱାରା ମାଡ଼ ଖାଇବାକୁ ଧାଡ଼ି ବାନ୍ଧି ଠିଆ ହୁଅନ୍ତି ।” ପୋଥୁରାଜୁ ରୂପରେ ଅଶ୍ୱିନ୍‌ ଲୋକଙ୍କୁ ଚାବୁକରେ ପ୍ରହାର କରନ୍ତି ଏବଂ ସେମାନେ ଦୌଡ଼ି ପଳାଇଲା ବେଳେ ଗୋଡ଼ାଇ ଯାଆନ୍ତି । କିଛି ସମୟ ପରେ ଭକ୍ତମାନେ ତାଙ୍କୁ ଘେରିଯାଆନ୍ତି ଏବଂ ସେ ନାଚିବା ଆରମ୍ଭ କରନ୍ତି । ବିଭିନ୍ନ ଘର ବାହାରେ ସେ ଅଟକି ଯାଆନ୍ତି, ଯେଉଁଠି ଭକ୍ତମାନେ ତାଙ୍କ ପାଦ ସ୍ପର୍ଶ କରନ୍ତି ଏବଂ ଧୋଇ ଦିଅନ୍ତି । ସେମାନେ ତାଙ୍କୁ ଶାଲ ଘୋଡ଼େଇ ଦିଅନ୍ତି ଓ ଫୁଲହାରରେ ସଜେଇ ଦିଅନ୍ତି । ସେମାନଙ୍କୁ ମଧ୍ୟ ସେ ଚାବୁକ ମାଡ଼ କରନ୍ତି । ଏହାକୁ ଉପାସକମାନେ ଆଶୀର୍ବାଦ ବୋଲି ମନେ କରନ୍ତି ।

ଅଶ୍ୱିନ କହନ୍ତି, “ପିଲାମାନଙ୍କୁ ଚାବୁକ ମାଡ଼ କରିବା ଲାଗି ପିତାମାତାମାନେ ବି ଚାହାଁନ୍ତି, କାରଣ ଏହା ଫଳରେ ସେମାନେ ସୁସ୍ଥ ରହିବେ। ଛୋଟପିଲାମାନଙ୍କୁ ଚାବୁକ୍‌ ମାଡ଼ କରାଯାଏ ନାହିଁ ବରଂ ମୁଁ ସେମାନଙ୍କ ଗଳା ଚାରିପଟେ ଚାର୍ଲା କୋଲା ଲଗାଇଥାଏ ଏବଂ ସେମାନଙ୍କୁ ଆଶୀର୍ବାଦ ଦେଇଥାଏ। ଆମ ପରିବାର ପକ୍ଷରୁ ଏହି ବିଧି ପାଳନର ସବୁ ଖର୍ଚ୍ଚ (ପ୍ରତି ବର୍ଷ ପ୍ରାୟ ୩ଲକ୍ଷ ଟଙ୍କା) ବହନ କରାଯାଏ। ମନ୍ଦିର ତରଫରୁ ମୋତେ ୨,୧୦୦ ଟଙ୍କା ଏବଂ ଅଢ଼େଇ ଗ୍ରାମ ଓଜନର ଏକ ସୁନା ମୁଦି ମିଳିଥାଏ ।”

 ଘଣ୍ଟା ଘଣ୍ଟା ଧରି ନାଚିବା ଏବଂ ଲୋକଙ୍କୁ ଚାବୁକ ମାଡ଼ କରିବା ସହିତ ମନ୍ଦିର ଚାରିପଟେ ଥିବା ଛୋଟ ଛୋଟ ଗଳି ଦେଇ ପୋଥୁରାଜୁଙ୍କ ଶୋଭାଯାତ୍ରା ସମାପନ ପରେ ଅଶ୍ୱିନ ଲାଲ ଦରୱାଜା ମନ୍ଦିରରେ ପ୍ରବେଶ କରନ୍ତି। ସେଠାରେ ପୋଥୁରାଜୁ ଅବତାରରୁ ଅଶ୍ୱିନଙ୍କୁ ମୁକ୍ତ କରିବା ପାଇଁ ଶାନ୍ତିବିଧି ପାଳନ କରାଯାଏ । ମନ୍ଦିରର ପୂଜକ ତାଙ୍କ ଉପରେ ପାଣି ଢାଳନ୍ତି ଏବଂ ତାଙ୍କୁ ଆହୁରି ହଳଦି ଓ କୁଙ୍କୁମର ମିଶ୍ରଣ ଦିଅନ୍ତି । ଅଶ୍ୱିନ ବାହାରକୁ ଆସନ୍ତି ଏବଂ ସମବେତ ଲୋକଙ୍କୁ ଏହା ବାଣ୍ଟି ଦିଅନ୍ତି ।

PHOTO • Sreelakshmi Prakash

ଉପର ବାମ:ଜଣେ ବାଳିକା ପର୍ବ ପାଳନ ଉପଲକ୍ଷେ ରନ୍ଧା ହୋଇଥିବା ବୋନମ୍‌ (ସ୍ୱତନ୍ତ୍ର ଭୋଜନ) ପାତ୍ର ଧରିଛି । ଉପର ଡାହାଣ: ଲାଲ ଦରୱାଜା ସିଂହବାହିନୀ ମହାନକାଳୀ ମନ୍ଦିର ଅଭିମୁଖେ ଲୋକଙ୍କ ଭିଡ଼ । ତଳ ବାମ: ଭକ୍ତମାନଙ୍କୁ ଅନ୍ନ ପରଷା ଯାଉଛି । ତଳ ଡାହାଣ: ପୋଥୁରାଜୁଙ୍କ ଶୋଭାଯାତ୍ରା ଯିବା ପରେ ଫୁଲ ଗାଲିଚାରେ ପରିଣତ ରାସ୍ତା

ଏହା ପରେ ଦେବୀ ମହାନକାଳୀଙ୍କ ଦୈବୀଶକ୍ତି ‘ଅଧିକାରିଣୀ’ଜଣେ ମହିଳାଙ୍କ ଦ୍ୱାରା ରଙ୍ଗମ୍‌ ବା ଭାଗ୍ୟ କଥନ ହୁଏ । ମହିଳା ଜଣକ ଦୈବୀବାଣୀ କରନ୍ତି (ଅନ୍ୟ ଏକ ଲେଖାରେ ତାଙ୍କ ସଂପର୍କରେ ଅଧିକ ତଥ୍ୟ ରହିଛି) । ସେ ଲୋକଙ୍କ ସୌଭାଗ୍ୟ ଏବଂ ପାଣିପାଗ ସଂପର୍କରେ ଭବିଷ୍ୟତ ବାଣୀ କରନ୍ତି ଏବଂ ପୂଜକ ଓ ଭକ୍ତମାନେ ପଚାରିଥିବା ପ୍ରଶ୍ନର ଉତ୍ତର ଦିଅନ୍ତି ।

ଏହା ପରେ ଘଟମ୍‌  ଉଠାଯାଏ ଏବଂ ଭକ୍ତମାନଙ୍କ ଗହଣରେ ଶୋଭାଯାତ୍ରାରେ ନିଆଯାଇ ପୂଜକ ଓ ମନ୍ଦିର କର୍ମକର୍ତ୍ତାଙ୍କ ଦ୍ୱାରା ମୁସି ନଦୀରେ ବିସର୍ଜନ କରାଯାଏ । ଆନୁଷ୍ଠାନିକ ଭାବେ ପର୍ବ ସମାପିତ ହୁଏ ।

ପରଦିନ, ଭୟଙ୍କର ପୋଥୁରାଜୁ, ସାତ ଭଉଣୀଙ୍କ ରକ୍ଷାକର୍ତ୍ତା, ଚାବୁକ୍‌ ମାଡ଼ କରି ଆଶୀର୍ବାଦ ଦେଉଥିବା ଅଶ୍ୱିନ, ନିତିଦିନିଆ ଜୀବନରେ ପୁଣି ଜଣେ ଅଟୋ ପାର୍ଟ୍‌ସ ଡିଲର ହୋଇଯାଆନ୍ତି । ପୁରୁଣା ହାଇଦ୍ରାବାଦ ନଗରୀର ଉପ୍ପୁଗୁଡ଼ାରେ ଥିବା ତାଙ୍କ ସଂପନ୍ନ ପରିବାରର ଦୋକାନରେ ଅଟୋମୋବାଇଲ୍‌ ପାର୍ଟ୍‌ସ ବିକିବା କାମରେ ଲାଗିଯାଆନ୍ତି ।

୨୮ ବର୍ଷ ବୟସ୍କା କବିତା କହନ୍ତି, “ଆଜିକୁ ପାଞ୍ଚ ବର୍ଷ ହେଲା ମୁଁ ତାଙ୍କୁ ପୋଥୁରାଜୁ ରୂପରେ ଦେଖିଆସୁଛି । କିନ୍ତୁ ଯେତେବେଳେ ଘରକୁ ଫେରିଆସନ୍ତି, ସେ ପୁଣି ମୋର ସେଇ ପୁରୁଣା ସ୍ୱାମୀ ହୋଇଯାଆନ୍ତି ।”

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sreelakshmi Prakash

ଶ୍ରୀଲକ୍ଷ୍ମୀ ପ୍ରକାଶ ସଂଚାର ବିଦ୍ୟାରେ ସ୍ନାତକୋତ୍ତର ଉପାଧି ପାଇଁ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ସହର ସାରା ବୁଲି ଲୋକଙ୍କ କଥା ଶୁଣିବାରେ ସେ ଆନନ୍ଦ ପାଆନ୍ତି ।

Other stories by Sreelakshmi Prakash