ଚଳିତ ବର୍ଷ ଫେବ୍ରୁଆରୀ ୨୪ ତାରିଖ, ସକାଳ ପ୍ରାୟ ୭.୩୦। ପେନୁଗୋଲାନୁ ଗାଁର ୪୩ ବର୍ଷର ପଣ୍ଡି ଭେଙ୍କେୟା ତାଙ୍କ ଜମିରେ କୀଟନାଶକ ପିଇଦେଲେ। କୀଟନାଶକ ପିଇବା ବେଳେ ଜମିରେ ସେ ଏକା ଥିଲେ, ଘରେ ଥିଲେ ପରିବାର ଲୋକ। ସକାଳ ପ୍ରାୟ ୯ଟା ବେଳେ ଗାଁର ଆଉ କିଛି ଚାଷୀ ତାଙ୍କ ମୃତ ଦେହ ପଡ଼ିଥିବା ଦେଖିଲେ। 

କେବଳ ୨୦୧୬ରେ ତାଙ୍କର ୧୦ ଲକ୍ଷ ଟଙ୍କାର କ୍ଷତି ଘଟିଥିଲା। ଫଳରେ ତାଙ୍କ ଋଣ ପରିମାଣ ବଢିବଢି ୧୭ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ତାଙ୍କ ନିଜର ଗୋଟିଏ ଏକର ଜମି ଥିଲା। ଆଉ ସାତ ଏକର ଜମି ବାର୍ଷିକ ୩୦,୦୦୦ ଟଙ୍କାରେ ଲିଜ୍ ଆଣିଥିଲେ। ସେପଟେମ୍ବର ୨୦୧୬ରେ ଏହି ଜମିରେ ୧ ଲକ୍ଷ ଟଙ୍କାର ବିହନ ବୁଣିଥିଲେ। ଚାରି ଏକର ଜମିରେ ଲଙ୍କା ମଞ୍ଜି ଏବଂ ଆଉ ଚାରି ଏକର ଜମିରେ କପା ବୁଣିଥିଲେ। ତାଙ୍କ ପତ୍ନୀ ୩୫ ବର୍ଷୀୟା ସୀତାଙ୍କ କହିବା ଅନୁସାରେ ଏହି ଜମିରେ ସେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏଥିରୁ କିଛି ଟଙ୍କା ମହାଜନୀ ସୁଧରେ ଆଣିଥିବାବେଳେ ବାକି ଟଙ୍କା ସୁନା ବନ୍ଧକ ରଖି ବ୍ୟାଙ୍କରୁ ଆଣିଥିଲେ। 

ଡିସେମ୍ବର ୨୦୧୬, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ଆନ୍ଧ୍ର ପ୍ରଦେଶ କ୍ରିଷ୍ଣା ଜିଲ୍ଲା ଗମ୍ପାଲାଗୁଡ଼େମ୍ ମଣ୍ଡଳର ପେନୁଗୋଲାନୁ ଗାଁର ୮୭ ଜଣ ଚାଷୀ ଉପଲବ୍ଧି କଲେ ଯେ, ସେମାନଙ୍କର ଲଙ୍କା ଫସଲ ଉଜୁଡ଼ି ଯାଉଛି। ଦୁଇଟି ସ୍ଥାନୀୟ ନର୍ସରୀରୁ ସେମାନେ ମଞ୍ଜି କିଣିଥିଲେ। ୨୬ ବର୍ଷୀୟ ବଡ଼େରାପୁ ତିରୁପତି ରାଓ କହନ୍ତି, "ମୋଟ ଉପରେ ୧୬୨ ଏକରର ଲଙ୍କା ଫସଲ ଉଜୁଡ଼ି ଗଲା। ସବୁ ଖର୍ଚ୍ଚ ଏବଂ ପରଶ୍ରମ ପାଣିରେ ପଡ଼ିଲା।" 

Pandi Seetha, 35, widow of Pandi Venkaiah, who committed suicide on 24th February, 2018.
PHOTO • Rahul Maganti
Banala Naga Poornayya, 32, one of the affected farmers and who spent 24 days in Nuzvid Sub-jail.
PHOTO • Rahul Maganti

ସୀତାଙ୍କ ସ୍ୱାମୀ ପଣ୍ଡି ଭେଙ୍କେୟା ଫେବ୍ରୁଆରୀରେ ଆତ୍ମହତ୍ୟା କଲେ। ଦକ୍ଷିଣ: କ୍ଷତିଗ୍ରସ୍ତ ହୋଇଥବା ଚାଷୀ ବନଲ ନାଗ ପୂର୍ଣ୍ଣିୟା କ୍ଷତିପୂରଣ ପାଇଁ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି।

ନଭେମ୍ବର ୨୨, ୨୦୧୭ରେ ଭେଙ୍କେୟା ଆତ୍ମହତ୍ୟା କରିବା ପୂର୍ବରୁ ତିରୁପତି ରାଓ ଏବଂ ୩୨ ବର୍ଷୀୟ ବନଲ ନାଗ ପୂର୍ଣ୍ଣିୟା ଓ ୩୫ ବର୍ଷୀୟ ରାମାୟା, ଅମରାବତୀର ନୂଆ ବିଧାନସୌଧ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ନିମ୍ନ ମାନର ମଞ୍ଜି ପାଇଁ କ୍ଷତି ସହିଥିବା ଚାଷୀମାନେ ନର୍ସରୀ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାର ପ୍ରତିବାଦରେ ସେହିଦିନ ଅମରାବତୀରେ ବିକ୍ଷୋଭ କରିଥିଲେ। ବିଧାନସଭା ପାଖରେ ପହଞ୍ଚିବା ପରେ ଚାଷୀମାନଙ୍କୁ ପୋଲିସ ଗିରଫ କରିଥିଲା। ଏହାପରେ ନ୍ୟାୟ ପାଇଁ ଆନ୍ଦେଳନ କରୁଥିବା ଏହି ଚାଷୀମାନେ ନିଜକୁ ଅସହାୟ ମନେ କରିଥିଲେ। ଘଟଣା ସ୍ଥଳରେ ତିନିଜଣ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। 

ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାର ଏହି ସୀମାନ୍ତ ଅଞ୍ଚଳରେ ୨୦୧୬ ପର୍ଯ୍ୟନ୍ତ ଲଙ୍କା ଫସଲ ଲାଭଦାୟକ ଥିଲା ଏବଂ ଲଙ୍କା ପାଇଁ ଏହାର ପ୍ରସିଦ୍ଧି ମଧ୍ୟ ଥିଲା। ଏଠାକାର ଅଧିକାଂଶ ଚାଷୀ ପ୍ରାୟ ରାଗ ଲଙ୍କା ଚାଷ କରନ୍ତି । ୨୦୧୬ରେ ଲଙ୍କାର ବଜାର ଦର ସର୍ବକାଳୀନ ଭାବେ ଉଚ୍ଚା ଥିଲା। ପାଖାପାଖି ଦୁଇଗୁଣ ଦର ହୋଇଥିଲା। କ୍ୱିଣ୍ଟାଲ ପିଛା ୧୫,୦୦୦ ଟଙ୍କାରେ ବିକ୍ରି ହୋଇଥିଲା। ୨୦୧୬ ପ୍ରଥମାର୍ଦ୍ଧରେ ଲଙ୍କାର ଚଢା ଦର ଯୋଗୁ ସେପଟେମ୍ବର-ଅକ୍ଟୋବର ୨୦୧୬ ମାସକୁ ମଞ୍ଜିର ଚାହିଦା ବଢିଲା। ଏହା ସହ କପା ଫସଲକୁ କୀଟ ଆକ୍ରମଣ ଯୋଗୁ ଅଧିକାଂଶ ଚାଷୀ ଲଙ୍କା ଫସଲରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ବାଧ୍ୟ ହୋଇଥିଲେ। 

କିନ୍ତୁ ତା ପରେ ଫସଲ ମାଡ଼ ଖାଇଲା। ଅମଳ ଏତେ ଖରାପ ହେଲା ଯେ ପେନୁଗୋଲାନୁ ଗାଁରେ ପୂର୍ବରୁ ଏଭଳି କେବେ ହୋଇ ନଥିଲା। ଏହା କେବଳ ଖରାପ ମଞ୍ଜି ଯୋଗୁ ହେଲା। ଚାଷୀଙ୍କ ଚାହିଦା ଦେଖି ଟଙ୍କା ଲୋଭରେ ଭେଜାଲ ମଞ୍ଜି ବିକି ଦେଇଥିଲେ ଦୁଇଟି ନର୍ସରୀ। 

ଏହି ଅଞ୍ଚଳର କୃଷକମାନେ ସାଧାରଣତଃ ନର୍ସରୀ ଗୁଡ଼ିକରୁ ଅଧିକ ଉତ୍ପାଦନକ୍ଷମ ହାଇବ୍ରିଡ୍ ଲଙ୍କାମଞ୍ଜି କିଣିଥାନ୍ତି। ନର୍ସରୀ ଗୁଡ଼ିକ ଏହି ମଞ୍ଜି ଆଗ୍ରୋ କମ୍ପାନୀରୁ କିଣିଥାନ୍ତି। ଦେଶୀ କିସମଗୁଡ଼ିକ ଏଠାରେ ଭଲ ବଢିପାରେ ନାହିଁ। ଏହାର କାରଣ ହେଉଛି ମାଟି ଉପରେ ଅତ୍ୟଧିକ ସାର ଏବଂ ହାଇବ୍ରିଡ୍ ମଞ୍ଜିର ପ୍ରଭାବ। ଏହା ଛଡ଼ା ଅନ୍ୟାନ୍ୟ କାରଣ ମଧ୍ୟ ରହିଛି। ଅଲ୍ ଇଣ୍ଡିଆ କିସାନ୍ ସଭାର ନାଗବୋଇନ ରଙ୍ଗାରାଓ କହନ୍ତି, କେବଳ ଏଇଥିପାଇଁ ପୂର୍ବଭଳି ଚାଷୀମାନେ ନିଜ ଉତ୍ପାଦନକୁ ବିହନ ଭାବେ ବ୍ୟବହାର କରିପାରୁ ନାହାନ୍ତି। ୨୦୧୬ରେ ଅତ୍ୟଧିକ ଚାହିଦାର ଫାଇଦା ଉଠାଇ ଦୁଇଟି ସ୍ଥାନୀୟ ନର୍ସରୀ ୮୭ ଜଣ ଚାଷୀଙ୍କୁ କମ ଉତ୍ପାଦନକ୍ଷମ ନନ୍-ହାଇବ୍ରିଡ୍ ମଞ୍ଜି ବିକ୍ରି କରିଦେଇଥିଲେ। ମଞ୍ଜି ଦେଖିବାକୁ ସମାନ ଥିଲା। ତେଣୁ ଚାଷୀ କୌଣସି ଦ୍ୱିଧାରେ ନପଡ଼ି ବୁଣିଲେ। କିନ୍ତୁ ଅମଳ ହେଲା ନାହିଁ। 

ଏହି ଅଞ୍ଚଳରେ ଏକର ପିଛା ହାରାହାରି ୩୫ ରୁ ୪୦ କ୍ୱିଣ୍ଟାଲ ଲଙ୍କା ଅମଳ ହୁଏ। କିନ୍ତୁ ଗତବର୍ଷ ରାମାୟାଙ୍କ କ୍ଷେତରେ ସର୍ବାଧିକ କୁଇଣ୍ଟାଲ ଅମଳ ହୋଇଥିଲା।

ଭିଡିଓ ଦେଖନ୍ତୁ: '"ଆମକୁ ନ୍ୟାୟ ପାଇଁ ପ୍ରତିଶ୍ରୁତି ମିଳିଥିଲା ..."

ଏଠାରେ ଏକର ପିଛା ୩୦ରୁ ୪୦ କ୍ୱିଣ୍ଟାଲ ଲଙ୍କା ଅମଳ ହୁଏ। କିନ୍ତୁ ପୂର୍ଣ୍ଣୟାଙ୍କ କହିବା ଅନୁସାରେ ଗତବର୍ଷ [ସେପ୍ଟେମ୍ବର ୨୦୧୬ ରୁ ଜାନୁଆରୀ ୨୦୧୭], ସେ ଏକାଠି ୧୦ ଏକର ଜମିରେ ଚାଷ କରିଥିଲେ। ମୋଟ ଉପରେ ୨୦ କ୍ୱିଣ୍ଟାଲ ଅମଳ ହୋଇଥିଲା। ତେବେ ରାମାୟାଙ୍କ ବିଲରେ ଏକର ପିଛା ସର୍ବାଧିକ ୩ କ୍ୱିଣ୍ଟାଲ ଅମଳ ହୋଇଥିଲା। ୨୦୧୬ରେ ସେ ୧୦ ଏକର ଲିଜ ନେଇଥିଲେ। ଅମଳ ଖରାପ ହେବାରୁ ବାଧ୍ୟ ହୋଇ ଏ ବର୍ଷ [ସେପ୍ଟେମ୍ବର ୨୦୧୭ ରୁ ଜାନୁଆରୀ ୨୦୧୮ ଯାଏଁ] ୩ ଏକର ଲିଜ୍ ନେଇଛନ୍ତି। ତାଙ୍କ ମୁଣ୍ଡ ଉପରେ ଏବେ ବି ୧୨ ଲକ୍ଷ ଟଙ୍କାର ଋଣ ଅଛି। 

ଲଙ୍କା ଫସଲରେ ଅଧିକ ଶ୍ରମ ଦେବାକୁ ପଡ଼େ। ଏକର ପିଛା ଚାଷୀଙ୍କୁ ପ୍ରାୟ ୨.୫ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରବାକୁ ହୁଏ। ମଞ୍ଜି, ସାର, ବୁଣିବା ଏବଂ ତୋଳିବାରେ ଏହି ଟଙ୍କା ଖର୍ଚ୍ଚ ହୁଏ। ଖରାପ ମଞ୍ଜି ଯୋଗୁ ଫସଲହାନୀ ହୋଇଥିବା ଜାଣିବା ପୂର୍ବରୁ ସେମାନେ ପୂର୍ବରୁ ଏକର ପିଛା ୧.୫ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରି ସାରିଥିଲେ। ପୂର୍ଣ୍ଣୟା କହିଲେ, "ଆମ ଭିତରୁ ଅଧିକାଂଶ ଭାଗ ଚାଷୀ। ଅମଳ ଖରାପ ହେବା ସତ୍ତ୍ୱେ ଜମି ମାଲିକଙ୍କୁ ତାଙ୍କ ଭାଗ ଦେବାକୁ ପଡ଼ିବ।" 

ଭାଗ ଚାଷୀମାନେ ସଂଘୀୟ ଋଣ ନେଇପାରନ୍ତି ନାହିଁ, କାରଣ ଋଣ ନେବା ପାଇଁ ତାଙ୍କ ପାଖରେ ରାଜ୍ୟ କୃଷି ବିଭାଗର ଯୋଗ୍ୟତା କାର୍ଡ ନାହିଁ। ସେହିମାନଙ୍କୁ କାର୍ଡ ମିଳିଥାଏ, ଯେଉଁମାନଙ୍କ ପାଖରେ ଋଣକୁ କାମରେ ଲଗାଇବା ପାଇଁ ଜମିନଥାଏ। ଏମିତି ଜଣେ ଭାଗ ଚାଷୀ ହେଉଛନ୍ତି ୫୦ ବର୍ଷୀୟ ଦେବରା ନାଗାର୍ଜୁନ। ସେ କହିଲେ, "୬୦ ପ୍ରତିଶତ ସୁଧରେ ମୋ ମୁଣ୍ଡରେ ଏବେ ୧୦ ଲକ୍ଷ ଟଙ୍କାର କରଜ ରହିଛି।" ୨୦୧୬-୧୭ରେ ଚାଷ କରିବା ସମୟରେ ବିହନ ଖରାପ ହୋଇଯିବାରୁ ଦେବରା ୫ ଲକ୍ଷ ଟଙ୍କା ହରାଇଥିଲେ। ଦେବରା କହନ୍ତି, "ଏଥିରୁ କିଛି ଟଙ୍କା ମଞ୍ଜି ବ୍ୟବସାୟୀ ଦେଇଛନ୍ତି। ମଞ୍ଜି, ସାର ଏବଂ ଔଷଧ ଆଣିବା ବେଳେ ସେମାନେ ଅଲେଖା ବଣ୍ଡ ପେପରରେ ଆମ ଟିପ ଚିହ୍ନ ନେଇଛନ୍ତି। ସେମାନେ ଟଙ୍କାର ପରିମାଣ କିଛି ବି ଲେଖି ପାରନ୍ତି। ଅମଳ ପରେ ସେଇମାନେ ହିଁ ଫସଲ କିଣି ନିଅନ୍ତି। ତେଣୁ ଋଣ ଆଉ ସୁଧ ଟଙ୍କାକୁ ଫେଡି ବାକି ଟଙ୍କା ଆମକୁ ଫେରାନ୍ତି।" 

Abhayanjaneya Nursery in Penugolanu village
PHOTO • Rahul Maganti
List of seeds, fertilizers and pesticides available in Abhayanjaneya Nursery, written on a wall.
PHOTO • Rahul Maganti

ପେନୁଗୋଲାନୁ ଗାଁର କୃଷକଙ୍କୁ ଭେଜାଲ ମଞ୍ଜି ବିକିଥିବା ଦୁଇଟି ନର୍ସରୀ ମଧ୍ୟରୁ ଗୋଟିଏ ହେଉଛି ଅଭୟଞ୍ଜନେୟା ନର୍ସରୀ। ଡାହାଣ: ଗଛିତ ଥିବା ମଞ୍ଜି, ସାର ଏବଂ ଔଷଧର ତାଲିକା

'ସେମାନେ' ଶବ୍ଦଟି ନର୍ସରୀ ମାଲିକଙ୍କୁ ଇଙ୍ଗିତ କରୁଛି। ମଞ୍ଜି ବିକ୍ରି କରିଥିବା ଅଭୟାଞ୍ଜନେୟା ନର୍ସରୀ ମାଲିକ ହେଉଛନ୍ତି ନାଗଲ୍ଲା ମୁରଲୀ ଏବଂ ଲକ୍ଷ୍ମୀ ତିରୁପତାମ୍ମା ନର୍ସରୀ ମାଲିକ ୟେଦୁରୁ ସତ୍ୟ ନାରାୟଣ ରେଡ୍ଡୀ । ଏହ ଦୁଇଟି ନର୍ସରୀ ଚାଷୀଙ୍କୁ ମଞ୍ଜି, ସାର ଏବଂ ଔଷଧ ବିକ୍ରି କରିବା ହସ ସଂଘୀୟ ଋଣ ପାଇଁ ଯେଉଁମାନେ ଅକ୍ଷମ, ତାଙ୍କୁ ଚଢା ସୁଧ ହାରରେ କୃଷି ଋଣ ଦେଇଛନ୍ତି। ଏମାନେ ଗୁଣ୍ଟୁର ଲଙ୍କା ମାର୍କେଟ୍ ୟାର୍ଡର ଏଜେଣ୍ଟ ମଧ୍ୟ। 

ମୁରଲୀ ହେଉଛନ୍ତି ତେଲୁଗୁଦେଶମ ପାର୍ଟିର ଗାଁ ସଭାପତି ଏବଂ ଜଳ ସଂପଦ ଓ ଜଳ ସେଚନ ମନ୍ତ୍ରୀ ଦେବୀନେନୀ ଉମା ମହେଶ୍ୱର ରାଓଙ୍କର ଜଣେ ଘନିଷ୍ଠ ସହଯୋଗୀ। ସତ୍ୟ ନାରାୟଣ ହେଉଛନ୍ତି ଜଗନମୋହନ ରେଡ୍ଡୀ ଗଢିଥିବା ଯୁବଜ୍ଞାନ ଶ୍ରମିକ ରାୟଥୁ କଂଗ୍ରେସ ପାର୍ଟି (ୱାଇଏସଆରସିପି) ର ନେତା। ସେ ମଧ୍ୟ ତିରୁବୁରୁ ନିର୍ବାଚନମଣ୍ଡଳୀ (ପେନୁଗୋଲାନୁ ଏହି ନିର୍ବାଚନମଣ୍ଡଳୀରେ ଅବସ୍ଥିତ) ର ୱାଇଏସଆରସିପି ବିଧାୟକ କୋକିଳିଗଡ୍ଡା ରକ୍ଷଣନିଧିଙ୍କ ଘନିଷ୍ଠ ସହଯୋଗୀ। 

ଡିସେମ୍ବର ୨୦୧୬ରୁ ଆଉ କିଛି ବ୍ୟକ୍ତିଙ୍କ ସହ ଏହି ୮୭ ଜଣ ଶ୍ରମିକ ବିଭିନ୍ନ ସ୍ଥାନରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗମ୍ଫାଲାଗୁଡେମ୍ ମଣ୍ଡଳ ରାଜସ୍ୱ କାର୍ଯ୍ୟାଳୟ ଆଗରେ, ନୁଜବିଦ୍ରାଜସ୍ୱ ମଣ୍ଡଳ କାର୍ଯ୍ୟାଳୟ, ମଛଲିପଟନମ୍ ସ୍ଥିତ ଜିଲ୍ଲାପାଳଙ୍କ ଅଫିସ, ଗୁଣ୍ଟୁର କୃଷି ବିଭାଗ କାର୍ଯ୍ୟାଳୟ ଏବଂ ଅମରାବତୀରେ ଧାରଣା ଦେଇଛନ୍ତି। ଆନ୍ଦୋଳନ ଜାରି ରଖିବା ପାଇଁ ସେମାନେ ଆଉ ଏକ ପଦଯାତ୍ରା କରିବାକୁ ଯୋଜନା ରଖିଛନ୍ତି। 

Farmers protesting infront of the Officer of the Commissioner, Agricultural Department
PHOTO • Rahul Maganti
Farmers protesting infront of the Officer of the Commissioner, Agricultural Department
PHOTO • Rahul Maganti

ଫସଲହାନୀ ହେବା ପରଠାରୁ ବିଭିନ୍ନ ସମୟରେ ଏହି ଚାଷୀମାନେ ଆନ୍ଦୋଳନ କରିଛନ୍ତି। ୨୦୧୮, ମାର୍ଚ୍ଚ ୧୨ ତାରିଖରେ ସେମାନେ ଗୁଣ୍ଟୁର କୃଷି ବିଭାଗ ବାହାରେ ଧାରଣା ଦେଇଥିଲେ।

ଫସଲହାନୀ ପରେ ସେମାନେ ଆନ୍ଧ୍ର ପ୍ରଦେଶ ଭାଗ ଚଷୀ ସଂଗଠନରେ ସାମିଲ ହୋଇଛନ୍ତି। ଏହି ସଂଗଠନ ଅଲ ଇଣ୍ଡିଆ କିଷାନ ସଭାର ଅନୁମୋଦନ ପାଇଛି। ନର୍ସରୀ ମାଲିକଙ୍କ ବିରୋଧରେ ଚାଲିଥବା ଆନ୍ଦୋଳନର ନେତୃତ୍ୱ ନେଇଥିବା ପୂର୍ଣ୍ଣୟା କହିଲେ, "ନର୍ସରୀଠାରୁ କ୍ଷତିପୂରଣ ପାଇବାକୁ ଆମେ ସଂଘର୍ଷ କରୁଛୁ।" ସେ ନୁଜବିଦ୍ ଜେଲରେ ୨୪ ଦିନ କାଟିଥିବାବେଳେ ତାଙ୍କ ବିରୋଧରେ ୧୧ଟି ମାମଲା ପଞ୍ଜିକୃତ ହୋଇଛି।  

୨୦୧୭ ମାର୍ଚ୍ଚ ମାସରେ କ୍ରିଷ୍ଣା ଜିଲ୍ଲାର ଜିଲ୍ଲାପାଳ ବି. ଲକ୍ଷ୍ମୀକାନ୍ତମ୍ ଏହାର ତଦନ୍ତ ନିର୍ଦେଶ ଦେଇଥିଲେ। ବୈଜ୍ଞାନିକ ଏବଂ କୃଷି ଅଧିକାରୀଙ୍କୁ ନେଇ ଗଠିତ ଜିଲ୍ଲା ସ୍ତରୀୟ କ୍ଷତିପୂରଣ କମିଟି ଦ୍ୱାରା ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଥିଲା। ଭୁଲ ମଞ୍ଜି ଦେଇଥିବାରୁ ଏଥିପାଇଁ ନର୍ସରୀ ମାଲିକ ଏକର ପିଛା ୯୧,୦୦୦ ଟଙ୍କା କ୍ଷତିପୂରଣ ଦେବାକୁ ଏହି କମିଟି ରିପୋର୍ଟ ଦେଇଥିଲା। ଏହି ୮୭ ଜଣ ଚାଷୀଙ୍କୁ ଉଭୟ ନର୍ସରୀ ୨.୧୩ କୋଟି ଟଙ୍କା ଦେବାକୁ ଅଛି। 

ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ୨୦୧୮ ଜାନୁଆରୀରେ ଉଭୟ ନର୍ସରୀକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ୨୦୧୮ ବର୍ଷର ଅମଳ ସରିଲା ପଛେ ଚାଷୀଙ୍କୁ କ୍ଷତିପୂରଣର ଦର୍ଶନ ମିଳିଲାନି। ଏଥର ଅନ୍ୟ ନର୍ସରୀରୁ ମଞ୍ଜି କିଣି ଏମାନେ ଚାଷ କରିଥିଲେ। ଏ ସଂପର୍କରେ ବି. ଲକ୍ଷ୍ମୀକାନ୍ତମ୍ଙ୍କୁ ପଚାରିବାରୁ ସେ କହିଲେ, "ହାଇକୋର୍ଟରେ ଆମେ ତଥ୍ୟ ଦାଖଲ କରିସାରିଛୁ। କୋର୍ଟ ନିର୍ଦେଶ ଦେଲେ ଆମେ ରେଭିନ୍ୟୁ ରିକଭରି ଆଇନ୍ ବଳରେ ନର୍ସରୀ ମାଲିକଙ୍କ ସଂପତ୍ତି ସିଜ୍ କରି ଚାଷୀଙ୍କୁ କ୍ଷତିପୂରଣ ଦେବୁ।"

ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବ ଚାଷୀ ତିରୁପତି ରାଓ କହିଲେ, "ଆମେ କୃଷି ମନ୍ତ୍ରୀ [ଏସ୍. ଚନ୍ଦ୍ରଶେଖର ରେଡ୍ଡୀ] ଙ୍କୁ ଚାରିଥର ଦେଖା କରିଛୁ। ଜିଲ୍ଲା ଦାୟିତ୍ଵରେ ଥିବା ମନ୍ତ୍ରୀ [ଦେବୀନେନି ଉମା] ଙ୍କୁ ଦୁଇ ଥର, ଜିଲ୍ଲାପାଳଙ୍କୁ ଆଠଥର ଭେଟିଛୁ। ମଣ୍ଡଳ ରାଜସ୍ୱ ଅଧିକାରୀ ଏବଂ କୃଷି ଅଧିକାରୀଙ୍କୁ ଅସଂଖ୍ୟ ଥର ଭେଟି ସାରିଛୁ। ଆମେ ଆନ୍ଦୋଳନ କରିବାକୁ ଯାଇ ଅନେକ ଥର ଜେଲ ଯାଇଛୁ। ଫସଲହାନୀ ହେବାକୁ ୧୮ ମାସ ବିତିଗଲାଣି। ଏପର୍ଯ୍ୟନ୍ତ ଟଙ୍କାଟିଏ ବି କ୍ଷତିପୂରଣ ମିଳିନି।" 

Devara Nagarjuna
PHOTO • Rahul Maganti
Vadderapu Tirupathi Rao
PHOTO • Rahul Maganti

ଖରାପ ମଞ୍ଜି ଯୋଗୁଁ ଦେବରା ନାଗାର୍ଜୁନ (ବାମ) ୫ ଲକ୍ଷ ହରାଇଛନ୍ତି : ଥରେ ବିକ୍ଷୋଭ ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତିରୁପତି ରାଓ (ଡାହଣ)।  

କ୍ଷତିପୂରଣ ସଂପର୍କରେ ନୁଜଭିଦ୍ ଡିଭିଜନ୍ର ରାଜସ୍ୱ ଅଧିକାରୀଙ୍କୁ ପଚାରିଲି। (ନୁଜଭିଦ୍ ଡିଭିଜନ ଅଧିନରେ ପେନୁଗୋଲାନୁ ଗାଁ) ସେ କହିଲେ, "ଏକର ପ୍ରତି ୯୧,୦୦୦ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେବା ପରେ ନର୍ସରୀ ମାଲିକ ହାଇକୋର୍ଟରେ ଆବେଦନ କରିଛନ୍ତି। ମାମଲା ଏବେ ବିଚାରାଧୀନ ଥିବାରୁ ଆମକୁ କୋର୍ଟଙ୍କ ରାୟକୁ ଅପେକ୍ଷା କରିବାକୁ ପଡ଼ିବ।"  

ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଚାଷୀଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ପଟ୍ଟୋରୀ ସୁରେଶ କୁମାର କହିଲେ, ଭେଜାଲ ବିହନ ଯାଂଚ କରିବା ଦାୟିତ୍ଵ ରାଜ୍ୟ ସରକାରଙ୍କର। ନର୍ସରୀଗୁଡ଼ିକ ଉପରେ କଟକଣା ପାଇଁ କୌଣସି ବ୍ୟବସ୍ଥା କିମ୍ବା ଆଇନ୍ କାହିଁକି ନାହିଁ? ନର୍ସରୀ ଆଇନ୍ ଆସିବା ଦରକାର ଏବଂ ଏହି ଆଇନ୍ ଅଧିନରେ ସମସ୍ତ ନର୍ସରୀ ପରିଚାଳିତ ହେବା ଆବଶ୍ୟକ। 

କିନ୍ତୁ ସେମିତି କିଛି ସୁରକ୍ଷା ଅଭାବରୁ ଭେଙ୍କେୟାଙ୍କ ଜୀବନ ଗଲା। ଅନ୍ୟ ଚାଷୀମାନେ ମାନସିକ ସନ୍ତୁଳନ ହରାଇ ସାରିଲେଣି। ତିରୁପତି ରାଓ କହିଲେ, "ଆମେ ଦେଶକୁ ଆହାର ଯୋଗାଉଛୁ। ସବୁ ସରକାର ନିଜକୁ ଚାଷୀଙ୍କ ସରକାର ବୋଲି ଦାବି କରୁଛନ୍ତି। କିନ୍ତୁ ପ୍ରକୃତିରେ ଆମେ ନିର୍ବାଚନ ବେଳେ ହିଁ ମନେ ପଡ଼ୁଛୁ। ଅନ୍ୟକୁ ଆମର ସ୍ୱର ଶୁଣାଇବାକୁ ଆମେ ପାଖରେ ଆଉ କଣ ବାଟ ଥିଲା? ନ୍ୟାୟ ପାଇଁ କି ଆଶା ରହିଛି? ସ୍ତ୍ରୀ ଏବଂ ୩ ବର୍ଷର ପିଲା କଥା ମନକୁ ଆସିବା ସତ୍ତେ୍ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲି ... କରଜ ଦେଇଥିବା ଲୋକଠାରୁ ପ୍ରତିଦିନ ଶୁଣିବା ଅପେକ୍ଷା ମରିଯିବା ବରଂ ଭଲ।" ୨୬ ବର୍ଷୀୟ ରାଓଙ୍କ ଆଖି ଲୁହରେ ଓଦା ହୋଇଗଲା। 

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul Maganti

ଲେଖକ ପରିଚୟ: ରାହୁଲ୍ ମାଗାନ୍ତି ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ୨୦୧୭ ପରି ବ୍ୟକ୍ତିତ୍ୱ। ସେ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରେ ରୁହନ୍ତି।

Other stories by Rahul Maganti