“ଯଦି ତୁଷାରପାତ ବିଷୟରେ ଆମକୁ ପୂର୍ବରୁ ସୂଚିତ କରାଯାଇଥାନ୍ତା, ତେବେ ଆମେ ଶୀଘ୍ର ଅମଳ କରିଦେଇଥାନ୍ତୁ,” ବୋଲି ମୁସ୍ତାକ୍‌ ଅହମଦ କୁହନ୍ତି ।

ଅହମଦ୍‌ ଦକ୍ଷିଣ କଶ୍ମୀରର ପାମ୍ପୋର୍‌ ବ୍ଲକ୍‌ର ନାମ୍ବାଲ୍‌ ବାଲ୍‌ ଗ୍ରାମରେ ରହନ୍ତି । ଏଠାରେ, ପ୍ରତିବର୍ଷ ପ୍ରାୟ ମେ ମାସର ମଧ୍ୟ ଭାଗରେ, ସେ ଓ ଅନ୍ୟ ଚାଷୀମାନେ କୋରସ୍‌ ସାଟିଭସ୍‌ – ‘ସାଫରନ୍‌ କ୍ରୋକସ୍‌’ ଗଛ ଲଗେଇଥାନ୍ତି । ପ୍ରାୟ ଅକ୍ଟୋବର୍‌ ମଧ୍ୟ ଭାଗରୁ ନଭେମ୍ବର ମଧ୍ୟ ଭାଗ ପର୍ଯ୍ୟନ୍ତ ସେମାନ ଫୁଲ ଅମଳ କରିଥାନ୍ତି । ଏହାର ଗାଢ ଲାଲ୍‌ ବର୍ଣ୍ଣର ଅଂଶ (ଏହି ଫୁଲର ଫଳିକାଶୀର୍ଷ ଓ ଶଳାକା) ଜନପ୍ରିୟ ଓ ଉଚ୍ଚ-ମୂଲ୍ୟ ଯୁକ୍ତ କେଶରରେ ରୂପାନ୍ତରିତ ହୋଇଥାଏ ।

କାଶ୍ମୀର ହେଉଛି ଭାରତର ଏକମାତ୍ର ରାଜ୍ୟ (ବର୍ତ୍ତମାନ କେନ୍ଦ୍ର ଶାସିତ ଅଞ୍ଚଳ) ଯେଉଁଠାରେ କେଶର ଉତ୍ପାଦନ କରାଯାଏ । ଏହାର କିଛି ଭାଗ ସ୍ଥାନୀୟ ଅଞ୍ଚଳରେ କହୱା ଚାହା ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଉଥିବା ବେଳେ ଏକ ବଡ ଭାଗ ଦେଶର ଅନ୍ୟ ରାଜ୍ୟମାନଙ୍କୁ ପଠାଯାଏ, ଯେଉଁଠାରେ ଏଗୁଡିକୁ ମୁଖ୍ୟତଃ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତି, ଆୟୁର୍ବେଦ ଔଷଧ ପ୍ରସ୍ତୁତି ଓ ମନ୍ଦିରରେ ବିଭିନ୍ନ ରିତିନୀତିରେ ବ୍ୟବହାର କରାଯାଇଥାଏ ।

ତେବେ ଚଳିତ ବର୍ଷ, କାଶ୍ମୀରରେ ପ୍ରାୟ ଏକ ମାସ ପୂର୍ବରୁ ତୁଷାରପାତ ଆରମ୍ଭ ହୋଇଯାଇଛି – ନଭେମ୍ବର ୭ରେ । ଏହାଦ୍ୱାରା ଫୁଲ ଫୁଟିଥିବା ଏହି ଗଛଗୁଡିକ ପ୍ରଭାବିତ ହୋଇଛି । ଯାହାଫଳରେ, ପାମ୍ପୋର୍‌ର ମୈଜ୍‌ ଗ୍ରାମର ୱସୀମ୍‌ ମୈଜ୍‌ କେବଳ ୩୦- ୪୦ଗ୍ରାମ କେଶର ଅମଳ କରିବାକୁ ସମର୍ଥ ହୋଇପାରିଛନ୍ତି – ତେବେ ସେ ତାଙ୍କର ୬୦ କେନାଲ ଜମିରେ କେନାଲ ପ୍ରତି ପ୍ରାୟ ୨୫୦ – ୩୦୦ ଗ୍ରାମ ଅମଳ ହେବାନେଇ ଆଶାବାଦୀ ଥିଲେ । ବର୍ତ୍ତମାନ ପୂର୍ବ ଆକଳନ ମୁତାବକ କେନାଲ୍‌  ପ୍ରତି ୨୦,୦୦୦ଟଙ୍କା ଲାଭ ହେବା ପରିବର୍ତ୍ତେ (୮କେନାଲ ୧ ଏକର ସହିତ ସମାନ) ତାଙ୍କୁ ବର୍ତ୍ତମାନ ପ୍ରାୟ ୩ ଲକ୍ଷରୁ ଅଧିକ ଟଙ୍କା କ୍ଷତି ସହିବାକୁ ପଡୁଛି ।

“ଏହି ଋତୁରେ ଭଲ ଅମଳ ହେବ ବୋଲି ଆମେ ଆଶା କରୁଥିଲୁ, କିନ୍ତୁ ଅସମୟରେ ତୁଷାରପାତ ହେବା ଯୋଗୁଁ ଆମର ଚାଷ ନଷ୍ଟ ହୋଇଯାଇଛି,” ବୋଲି ୨୦୦୦ରୁ ଅଧିକ ସଦସ୍ୟ ବିଶିଷ୍ଟ ଜେ ଓ କେ କେଶର ଉତ୍ପାଦନକାରୀ ସଂଘର ସଭାପତି ଅବ୍‌ଦୁଲ୍‌ ମଜିଦ୍‌ ୱାନି କୁହନ୍ତି । ୱାନି ଆକଳନ କରନ୍ତି ଯେ ଚଳିତ ବର୍ଷ କାଶ୍ମୀରର କେଶର ଚାଷୀମାନଙ୍କୁ ପ୍ରାୟ ୨୦କୋଟି ଟଙ୍କାର କ୍ଷତି ସହିବାକୁ ହେବ । କେଶର ବ୍ୟବସାୟରେ ପ୍ରାୟ ୨୦୦କୋଟି ଟଙ୍କାର କାରବାର ହୋଇଥାଏ ବୋଲି କାଶ୍ମୀର ଚାମ୍ବର ଅଫ୍‌ ଫୁଡ୍‌ ପ୍ରୋସେସିଂ ଇଣ୍ଡଷ୍ଟ୍ରୀଜ୍‌ର ସଭାପତି ଡ. ଜୈନୁଲ୍‌ ଅବିଦିନ କିଛି ଦିନ ପୂର୍ବେ ଏକ ପ୍ରେସ୍‌ କନ୍‌ଫରେନ୍ସରେ ଜଣାଇଛନ୍ତି ।

ଅହମଦ୍‌ ଓ ଖାଣ୍ଡେଙ୍କ ଗ୍ରାମ ଜମ୍ମୁ ଓ କାଶ୍ମୀରର ସେହି ୨୨୬ ଗ୍ରାମ ଅନ୍ତର୍ଭୁକ୍ତ ଅଟେ ଯେଉଁଠାରେ ପ୍ରାୟ ୩୨,୦୦୦ ପରିବାର କେଶର ଚାଷ କରନ୍ତି ବୋଲି କଶ୍ମୀରର ଡିଭିଜନାଲ୍‌ କମିଶନର୍‌ଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ଡକ୍ୟୁମେଣ୍ଟରେ ଉଲ୍ଲେଖ କରାଯାଇଛି । ଏହା ମଧ୍ୟରୁ ଅନେକ ପୁଲ୍‌ୱାମା ଜିଲ୍ଲାର ପାମ୍ପୋର୍‌ ଅଞ୍ଚଳରେ ରହନ୍ତି । ସେମାନେ ସମସ୍ତେ ମିଳିତ ଭାବେ ପ୍ରତିବର୍ଷ ପ୍ରାୟ ୧୭ ଟନ୍‌ କେଶର ଉତ୍ପାଦନ କରିଥାନ୍ତି, ବୋଲି କୃଷି ନିର୍ଦ୍ଦେଶକ ଅଲ୍‌ତାଫ୍‌ ଐଜାଜ୍‌ ଅନ୍ଦ୍ରାବି କୁହନ୍ତି ।

Saffron flowers in full bloom in the fields of Pampore before the November 7 snowfall this year (left)
PHOTO • Muzamil Bhat
A farmer (right, who did not want to be named) plucking saffron flowers in her field in the Galendar area of Pulwama.
PHOTO • Muzamil Bhat

ଚଳିତ ବର୍ଷ ପାମ୍ପୋର୍‌ରେ ନଭେମ୍ବର ୭ ପୂର୍ବରୁ କେଶର ଫୁଲଗୁଡିକ ସମ୍ପୂର୍ଣ୍ଣ ପ୍ରସ୍ଫୁଟିତ(ବାମ) ଅବସ୍ଥାରେ ଅଛନ୍ତି (ବାମ) । ଜଣେ କୃଷକ (ଡାହାଣ, ଯିଏ ନିଜ ନାମ ପ୍ରକାଶ କରିବାକୁ ଚାହୁନାହାନ୍ତି) ପୁଲ୍‌ୱାମାର ଗାଲେଣ୍ଡର ଅଞ୍ଚଳରେ ଥିବା ତାଙ୍କ ଜମିରେ କେଶର ଫୁଲ ତୋଳୁଛନ୍ତି ।

ବର୍ଷ ବର୍ଷ ଧରି କାଶ୍ମୀରର ଯେଉଁ ଜମିଗୁଡିକରେ ଏହି ଅର୍ଥକରୀ ଫସଲ ଚାଷ କରାଯାଉଛି, ତାହାର ପରିମାଣ ପୂର୍ବରୁ ୫,୭୦୦ ହେକ୍ଟରରୁ ଅଧିକ ଥିବା ବେଳେ ତାହା ବର୍ତ୍ତମାନ ହ୍ରାସ ପାଇଁ ୩, ୭୦୦ ହେକ୍ଟରରେ ପହଞ୍ଚିଯାଇଛି । ଏଠାର ଚାଷୀମାନେ ଜମି ପରିମାଣ ହ୍ରାସ ହେବା ପାଇଁ ପରିବର୍ତ୍ତିତ ବୃଷ୍ଟିପାତ ଶୈଳୀ (ଅଗଷ୍ଟ – ସେପ୍ଟେମ୍ବରରେ ମୌସୁମୀ ଋତୁରେ ସ୍ୱାଭାବିକ ବର୍ଷା ନହେବା ବା ଅସମୟରେ ବର୍ଷା ହେବା) ଓ ଦୁର୍ବଳ ଜଳସେଚନ ବ୍ୟବସ୍ଥା ମୁଖ୍ୟତଃ ଦାୟୀ ବୋଲି ଜଣାଇଛନ୍ତି ।

ସେମାନଙ୍କ ମଧ୍ୟରୁ କିଛି ଚାଷୀ କୁହନ୍ତି ଯେ ଯଦିଓ ୨୦୧୦ରେ ଜାତୀୟ କେଶର ମିସନ୍‌ ଆରମ୍ଭ କରାଯାଇଛି, ତେବେ ସେମାନେ ଏହା ଦ୍ୱାରା ବିଶେଷ ଲାଭାନ୍ୱିତ  ହୋଇପାରିନାହାନ୍ତି । ଏହି ମିଶନ୍‌ର ପ୍ରମୁଖ ଲକ୍ଷ୍ୟଗୁଡିକ ହେଉଛି ଉତ୍ପାଦନ ପ୍ରଣାଳୀର ଉନ୍ନତି ସାଧନ କରିବା, ଏସମ୍ବନ୍ଧୀୟ ଗବେଷଣା ଆରମ୍ଭ କରିବା ଓ ଏହାର ମାର୍କେଟିଂ କରିବା, ପାଣି ସିଞ୍ଚନକାରୀ ଯନ୍ତ୍ର ଓ ନଳକୂଅ ଯୋଗାଇବା ଓ ଉଚ୍ଚମାନର ବୀଜ ଯୋଗାଇବା ଆଦି । “ଏହାର କୌଣସି ସୁଫଳ କିନ୍ତୁ ଏପର୍ଯ୍ୟନ୍ତ ଦୃଶ୍ୟମାନ ହୋଇପାରିନି । ଏଥିରେ ପଇସାର ବହୁତ ଅପବ୍ୟବହାର କରାଯାଉଥିବା କଥା ମଧ୍ୟ ଅନେକ ଚାଷୀ ଅଭିଯୋଗ କରୁଛନ୍ତି… ବୋଲି ପୁଲ୍‌ୱାମା ଜିଲ୍ଲାର ପାମ୍ପୋର ବ୍ଲକ୍‌ର ଦ୍ରାଙ୍ଘ ବାଲ୍‌ ଅଞ୍ଚଳରେ ରହୁଥିବା, ସାତ କେନାଲ  ଜମିର ମାଲିକ ଚାଷୀ ଗୁଲାମ ମହମ୍ମଦ ଭଟ୍‌ କୁହନ୍ତି ।

“ସ୍ଥାନୀୟ କୃଷି ଅଧିକାରୀଙ୍କ ଦ୍ୱାରା ଯୋଗାଯାଇଥିବା ନୂତନ କେଶର ବୀଜରୁ କୌଣସି ସୁଫଳ ମିଳିପାରିନି, ଯଦିଓ ସେମାନେ ଏହାଦ୍ୱାରା ଅମଳ ବୃଦ୍ଧି ପାଇବ ବୋଲି ଦାବି କରୁଛନ୍ତି,” ବୋଲି ଅବ୍‌ଦୁଲ୍‌ ଅହଦ୍‌ ମୀର୍‌ କୁହନ୍ତି । କାଶ୍ମୀରର ଅନ୍ୟ କେଶର ଉତ୍ପାଦନକାରୀଙ୍କ ପରି, ସେ ମଧ୍ୟ ଖରାପ ଫସଲ ଜନିତ କ୍ଷତି ସହିବାକୁ ନିଜକୁ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି ।

ତେବେ କେବଳ ସମୟ ପୂର୍ବରୁ ତୁଷାରପାତ ହେବା ଖରାପ ଅମଳ ପାଇଁ ଦାୟୀ ନୁହେଁ । ଏଠାରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ଓ ଧାରା ୩୭୦ ଉଚ୍ଛେଦ ହେବାପରେ ଅଗଷ୍ଟ ୫ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏଠାରେ ଜାରି କରାଯାଇଥିବା ବିଭିନ୍ନ କଟକଣା ଯୋଗୁଁ ମଧ୍ୟ ଫସଲ ବହୁମାତ୍ରାରେ ପ୍ରଭାବିତ ହୋଇଛି । “ବିଭିନ୍ନ କଟକଣା ଯୋଗୁଁ ଆମେ ଆମର ଜମିରେ ପହଞ୍ଚି ପାରିଲୁନାହିଁ ଯାହା ଫଳରେ ଆମେ ଫୁଟିବାକୁ ଥିବା କଢିର ଉଚିତ ଯତ୍ନ ନେଇପାରିଲୁ ନାହିଁ” ବୋଲି ଦଙ୍ଘ୍ରା ବାଲ୍‌ ଅଞ୍ଚଳର ଅନ୍ୟଜଣେ କେଶର ଉତ୍ପାଦନକାରୀ ଐଜାଜ୍‌ ଅହମଦ୍‌ ଭଟ୍‌ କୁହନ୍ତି ।

ଅଗଷ୍ଟ ପରେ ପ୍ରବାସରେ ଆସିଥିବା ଅଧିକାଂଶ ଶ୍ରମିକ, ଯେଉଁମାନେ ବିଭିନ୍ନ ଋତୁଭିତ୍ତିକ ବୃତ୍ତି ସନ୍ଧାନରେ କଶ୍ମୀର ଆସିଥାନ୍ତି, ସେମାନେ ଏହି ସ୍ଥାନ ଛାଡି ଚାଲିଯିବା ଯୋଗୁଁ ମଧ୍ୟ ଫସଲ ପ୍ରଭାବିତ ହୋଇଛି । ଏଥିଯୋଗୁଁ କେଶର ଚାଷୀମାନେ ଯଥେଷ୍ଟ ଅଧିକ ଦୈନିକ ମଜୁରୀ ପ୍ରଦାନ କରି ସ୍ଥାନୀୟ ଶ୍ରମିକମାନଙ୍କୁ ନିୟୋଜିତ କରିବାକୁ ବାଧ୍ୟ ହେଉଛନ୍ତି, ବୋଲି ବସିର୍‌ ଅହମଦ୍‌ ଭଟ୍‌, ପାମ୍ପୋର୍‌ର ଜାଫ୍‌ରାନ୍‌ କଲୋନୀରେ ରହୁଥିବା ଜଣେ କେଶର ଉତ୍ପାଦନକାରୀ, କୁହନ୍ତି । “ଏହା ବର୍ତ୍ତମାନ ଆଉ ଲାଭଜନକ ବ୍ୟବସାୟ ହୋଇ ନାହିଁ” ବୋଲି ମଧ୍ୟ ସେ କୁହନ୍ତି ।

ଇଣ୍ଟରନେଟ୍‌ ବନ୍ଦ ହୋଇଯିବା ଯୋଗୁଁ ମଧ୍ୟ କ୍ଷତି ଦ୍ୱିଗୁଣିତ ହୋଇଯାଇଛି । “ଆମର ପିଲାମାନେ ନିୟମିତ ଭାବେ ଇଣ୍ଟରନେଟ୍‌ ମାଧ୍ୟମରେ ପାଣିପାଗର ପୂର୍ବାନୁମାନ ଦେଖୁଥିଲେ.” ବୋଲି ମୁସ୍ତାକ୍‌ ଅହମଦ୍‌ କୁହନ୍ତି । ଅତୀତ କଥା ମନେ ପକାଇ ୱସୀମ ଖାଣ୍ଡେ କୁହନ୍ତି ଯେ. “ସେତେବେଳେ କେବଳ ମେଘକୁ ଦେଖି କେତେବେଳେ ବର୍ଷା ହେବ ବା କେତେବେଳେ ତୁଷାରପାତ ହେବ ତାହା ଆମେ କହିଦେଇ ପାରୁଥିଲୁ । କିନ୍ତୁ ବର୍ତ୍ତମାନ ଆମେ ଇଣ୍ଟର୍‌ନେଟ୍‌ ଉପରେ ଏତେ ପରିମାଣରେ ନିର୍ଭରଶୀଳ ହୋଇଗଲୁଣି ଯେ ଆମେ ପାଣିପାଗରେ ହେଉଥିବା ପରିବର୍ତ୍ତନଗୁଡିକୁ ଲକ୍ଷ୍ୟ କରିବାକୁ ମଧ୍ୟ ବନ୍ଦ କରିଦେଇଛୁ । 

PHOTO • Muzamil Bhat

ଏକ ଶୀତୁଆ ସକାଳରେ ପୁଲ୍‌ୱାମା ଜିଲ୍ଲାର ପାମ୍ପୋର ବ୍ଲକ୍‌ର ଖ୍ରୀଉ ଅଞ୍ଚଳରେ ଚାଷୀମାନେ କେଶର ଚାଷ କରିବା ପାଇଁ ସେମାନଙ୍କ ଜମି କର୍ଷଣ କରୁଛନ୍ତି ଓ ସେଥିରେ ସାର ମିଶାଉଛନ୍ତି ।

PHOTO • Muzamil Bhat

ଅବ୍‌ଦୁଲ୍‌ ଅହଦ୍‌, ୬୫, ପୁଲ୍‌ୱାମା ଜିଲ୍ଲାର ଲେଥ୍‌ପୋରା ଅଞ୍ଚଳରେ ତାଙ୍କର ଛଅ-କେନାଲ୍‌ ଜମିରେ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ କେଶର ତୋଳୁଛନ୍ତି। ସେ ୩୦ ବର୍ଷରୁ ଅଧିକ ସମୟ ହେବ କେଶର ଚାଷ କରିଆସୁଛନ୍ତି ।

PHOTO • Muzamil Bhat

ପୁଲ୍‌ୱାମା ଜିଲ୍ଲାର ପାମ୍ପୋର୍‌ ବ୍ଲକ୍‌ର ଲେଥ୍‌ପୋରା ଅଞ୍ଚଳରେ ବିଭିନ୍ନ ଜମିରେ ଥିବା କେଶର ଫୁଲଗୁଡ଼ିକ ।

PHOTO • Muzamil Bhat

ପୁଲ୍‌ୱାମାର ଖ୍ରୀଉ ଅଞ୍ଚଳରେ ନିଜ ଘରେ ଅବ୍‌ଦୁଲ୍‌ ରାସିଦ୍‌, ୫୫, ଫୁଲରୁ କେଶର ଖିଅ ବାହାର କରୁଛନ୍ତି ।

PHOTO • Muzamil Bhat

ଅବଦୁଲ୍‌ ରସିଦ୍‌ ତାଙ୍କର ପୁଅ ଫୟାଜ୍‌ଙ୍କ ସହିତ କାମ କରୁଛନ୍ତି । ସେ କୁହନ୍ତି ଯେ ଫୁଲରୁ ଖିଅ ବାହାର କରିବା ହେଉଛି ଏକ କଳା । “ଫୁଲରୁ ସଠିକ୍‌ ଖିଅ ବାହାର କରିବା ପାଇଁ ତୁମକୁ ଏହି କାମରେ ଦକ୍ଷତା ଅର୍ଜନ କରିବାକୁ ହେବ, ନଚେତ୍‌ ଏହା ତୁମ ଦ୍ୱାରା ସବୁ ନଷ୍ଟ ହୋଇଯିବ ।

PHOTO • Muzamil Bhat

“ଗତ ପାଞ୍ଚ ବର୍ଷ ଧରି ଫସଲ ପରିମାଣ ହ୍ରାସ ହେବାରେ ଲାଗିଛି,” ବୋଲି ହାଜି ଅବ୍‌ଦୁଲ୍‌ ଅହଦ୍‌ ମୀର, ୭୦, କୁହନ୍ତି । ତିନି ପୁରୁଷ ହେବ ଏହି ଆଠ କେନାଲ୍‌ ଜମିରେ ତାଙ୍କ ପରିବାରର ଲୋକମାନେ କେଶର ଚାଷ କରିଆସୁଛନ୍ତି । “କେଶର ଚାଷ କରିବା ହେଉଛି ଏକ କୌଶଳ ଯାହା ମୁଁ ମୋର ପୂର୍ବପୁରୁଷଙ୍କ ଠାରୁ ପ୍ରାପ୍ତ କରିଛି । “ଯଦି ଯୁବ ପିଢି ଏହାକୁ ଭୁଲ୍‌ ପଦ୍ଧତିରେ ଚାଷ କରିବେ [ ଭୁଲ୍‌ ଢଙ୍ଗରେ ବୀଜ ବୁଣିବା ଓ ସେଗୁଡିକର ପରିଚାଳନା କରିବା], ତେବେ ସବୁଦିନ ପାଇଁ ଏହି ଫସଲ ଆମେ ହରାଇବା ସମ୍ଭାବନା ରହିଛି । ସେ ଆଶାବାଦୀ ଅଛନ୍ତି ଯେ ଏହି ଋତୁରେ ହୋଇଥିବା ତୁଷାରପାତ ଯୋଗୁ ଆସନ୍ତା ବର୍ଷ ଭଲ ଫସଲ ଅମଳ ହେବ । 

PHOTO • Muzamil Bhat

ଗୁଲାମ ମହମ୍ମଦ୍‌ ଭଟ୍‌, ପୁଲ୍‌ୱାମା ଜିଲ୍ଲାର ଦ୍ରାଙ୍ଘ ଅଞ୍ଚଳର ଜଣେ କେଶର ଉତ୍ପାଦନକାରୀ ଓ ବିକ୍ରେତା, ନିଜ ଘରେ ବିକ୍ରି କରିବା ଉଦ୍ଦେଶ୍ୟରେ ତାଙ୍କ କେଶରଗୁଡିକର ଶ୍ରେଣୀ ବିଭାଜନ କରୁଛନ୍ତି । କେଶରକୁ ସାଧାରଣ ତିନିଟି ଶ୍ରେଣୀରେ ବିଭକ୍ତ କରାଯାଏ –  ଉଚ୍ଚ ଗୁଣବତ୍ତାଯୁକ୍ତ ଶ୍ରେଣୀରେ କେବଳ ଲାଲ୍‌ ଖିଅ ରଖାଯାଏ  ଓ ସେଥିରେ କଢି ନଥାଏ, ମଧ୍ୟମ ଗୁଣବତ୍ତା ଯୁକ୍ତ ଶ୍ରେଣୀରେ ଫୁଲ କଢି ରହିଥାଏ ଓ ତୃତୀୟ ଶ୍ରେଣୀରେ କେବଳ ଏଥିରୁ ବାହାରିଥିବା ରସ ଓ ଉଚ୍ଚ ଗୁଣବତ୍ତା ଯୁକ୍ତ କେଶରର ବଳକା ଅଂଶ ରହିଥାଏ ।

PHOTO • Muzamil Bhat

ଦ୍ରଙ୍ଘା ବଲ୍‌ରେ ଗୁଲାମ ମହମ୍ମଦ ଭଟ୍‌ଙ୍କର ଏକ କିରାଣା ଦୋକାନ ମଧ୍ୟ ଅଛି । ସେ ଗତ ତିନି ଦଶନ୍ଧି ହେବ ତାଙ୍କ ପରିବାରର ସାତ କେନାଲ୍‌ ଜମିରେ କେଶର ଚାଷ କରିଆସୁଛନ୍ତି। “ମୁଁ ଚଳିତ ବର୍ଷ ଏକ କିଲୋ କେଶର ଉତ୍ପାଦନ ହେବ ବୋଲି ଆଶା କରୁଥିଲି କିନ୍ତୁ କେବଳ ୭୦ ଗ୍ରାମ ପାଇପାରିଲି । ତୁଷାରପାତ ଯୋଗୁଁ ମୋର ଫସଲ ନଷ୍ଟ ହୋଇଗଲା,” ବୋଲି ସେ କୁହନ୍ତି । ସେ ଆହୁରି ମଧ୍ୟ କହିଲେ ଯେ ଏହି ସମୟରେ ଇଣ୍ଟରନେଟ୍‌ ସେବା ବନ୍ଦ ହୋଇଯିବା କାରଣରୁ ସେ ଯେ ସମୟ ପୂର୍ବରୁ ତୁଷାରପାତ ଆରମ୍ଭ ହେବା ନେଇ କୌଣସି ସୂଚନା ପାଇପାରିବେ ନାହିଁ ,ସେ ବିଷୟରେ ଜାଣିନଥିଲେ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Muzamil Bhat

ମୁଜାମିଲ୍‌ ଭଟ୍ଟ ଶ୍ରୀନଗରରେ ଫ୍ରିଲାନ୍ସ ଫଟୋ ଜର୍ଣ୍ଣାଲିଷ୍ଟ ଅଛନ୍ତି ।

Other stories by Muzamil Bhat