ପଶ୍ଚିମ ଓଡ଼ିଶାର ନିୟମଗିରିର ଘନ ଜଙ୍ଗଲରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଗୋଟିଏ ପାହାଡ଼ ଖନନ ହେବା ଉଚିତ୍ କି ନାହିଁ ତାହା ମେ ୨୦୧୪ରେ କେଉଁ ଦଳ କ୍ଷମତାକୁ ଆସିବ, ଭାରତକୁ କିଏ ଶାସନ କରିବ ତା’ଠାରୁ ଅଧିକ ପ୍ରାସଙ୍ଗିକ ପ୍ରଶ୍ନ ।

ଗତବର୍ଷ ଜୁଲାଇ ଓ ଅଗଷ୍ଟ ମାସର ମୌସୁମୀ ଦିନମାନଙ୍କରେ ସୁପ୍ରିମକୋର୍ଟ ଦ୍ୱାରା ଅନିବାର୍ଯ୍ୟ କରାଯାଇଥିବା ୧୨ଟି ଗ୍ରାମସଭାରେ ଏଠାକାର  ଗୌଡ଼ ଓ କନ୍ଧ ସଂପ୍ରଦାୟର ଆଦିବାସୀମାନେ ସର୍ବସହମତିରେ  ବକ୍ସାଇଟ୍ ଉତ୍ତୋଳନ ପାଇଁ  ପାହାଡ଼ ଖୋଳାର ଯୋଜନାକୁ ମନା କରିଦେଲେ । ୭ବର୍ଗ କିମିର ଏହି ଖଣି  ଲାଞ୍ଜିଗଡ଼ ସହରରେ ଥିବା ଏକ ରିଫାଇନାରିକୁ ୭୨ ନିୟୁତ ଟନ୍ କଞ୍ଚାମାଲ ଦେବାର ଥିଲା । ସେହି ରିଫାଇନାରିକୁ ୨୦୦୭ରେ ବେଦାନ୍ତ ଆଲୁମିନିୟମ୍ ଲିମିଟେଡ୍ ପକ୍ଷରୁ ଆରମ୍ଭ କରାଯାଇଥିଲା ଯାହାକି ଆଲୁମିନିୟମ୍ ଉତ୍ପାଦନକୁ ବାର୍ଷିକ ୧ରୁ ୬ ନିୟୁତ ଟନ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ନିୟମଗିରି ଖନନ ଏବଂ ତା’ ପରେ ସେଠାକାର ୬୦ କିମି ପରିଧି ମଧ୍ୟରେ ଥିବା ଅନ୍ୟ ବକ୍ସାଇଟ୍ ପୂର୍ଣ୍ଣ ପାହାଡ଼କୁ ଖନନ କରିବାକୁ ତାର ଯୋଜନା ରହିଛି ।

ନିକଟରେ  ଏକ ସକାଳରେ ଲିରୁପାରେ ଯେଉଁଠାରେ ଗ୍ରାମସଭା ନିୟମଗିରି ଖନନକୁ ମନା କରିଦେଇଛି ସେଠାରେ ନିର୍ବାଚନର କୌଣସି ସଙ୍କେତ ନାହିଁ । ନିର୍ବାଚନକୁ ଭାରତରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଉଥିବା ବେଳେ ତାହା ମାତ୍ର କିଛି ଦିନ ବାକି ରହିଛି। ସେଠାରେ ଲାଲ-ଧୂସର ରଙ୍ଗର ମାଟି ଘରର କାନ୍ଥରେ  କୌଣସି ପ୍ରାର୍ଥୀଙ୍କର ପୋଷ୍ଟର ଛପାଯାଇନାହିଁ ଏବଂ କୌଣସି ଟିଭି ଚ୍ୟାନେଲରେ ପ୍ରତି ରାତିରେ ପ୍ରାଇମଟାଇମ୍ ବିତର୍କ ପ୍ରଦର୍ଶିତ ହେଉନାହିଁ । ଏହି ଗାଁରେ ବିଜୁଳି, ପାନୀୟ ଜଳ କିମ୍ବା ପକ୍କା ରୋଡର ବ୍ୟବସ୍ଥା ନାହିଁ ।

ଲିରୂପାର ବାସିନ୍ଦା ପାର୍ବତୀ ଗୌଡ଼ ପାଚି ତଳେ ପଡ଼ିଯାଇଥିବା ବାସ୍ନାଯୁକ୍ତ ମହୁଆ ଫଳକୁ ଅମଳ କରିବାରୁ ଟିକେ ବିରତି ନେଇ କହିଲେ ଯେ ତାଙ୍କର ସଂସଦୀୟ ମଣ୍ଡଳରୁ ପ୍ରାର୍ଥୀ ହୋଇଥିବା ୧୫ ଜଣ ପ୍ରାର୍ଥୀଙ୍କ ସଂପର୍କରେ ସେ କିଛି ଜାଣନ୍ତି ନାହିଁ । ତାଙ୍କର ସଂସଦୀୟ ମଣ୍ଡଳରେ ବିସ୍ତୀର୍ଣ୍ଣ ପାହାଡ଼, ଜଙ୍ଗଲ, ୪୦୦୦ରୁ ଅଧିକ ଗାଁ ଓ ଛୋଟ ଗାଁ ରହିଛି ଯାହାକି କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ପରିବ୍ୟାପ୍ତ ।

ସେ କହିଲେ, “ମୁଁ ଏହା କହିବାକୁ ଚାହିଁବି ଯେ ବେଦାନ୍ତ ଆମର ପାହାଡ଼କୁ ଆମଠାରୁ ନେଇଯିବାକୁ ଆମେ ଚାହୁଁନାହୁଁ।’’ ଗୌଡ଼ଙ୍କ ପରିବାର ପାହାଡ଼ିଆ ଜମିରେ କପା, ସୂର୍ଯ୍ୟମୁଖୀ, ଚାଉଳ ଏବଂ ପନିପରିବା ପରି ଫସଲ ଲଗାଇଛନ୍ତି । ଅନ୍ୟ କୌଣସି ଜଳର ଉତ୍ସ ନଥିବା ବେଳେ ଚିରସ୍ରୋତା ଝରଣାଗୁଡ଼ିକ ସେମାନଙ୍କର ଫସଲକୁ ଜଳସେଚିତ କରିଥାନ୍ତି। ଜଙ୍ଗଲଜାତ ଦ୍ରବ୍ୟରୁ ଖାଦ୍ୟ ଓ ରୋଜଗାର ହୋଇଥାଏ । ସେହିପରି ସେମାନଙ୍କର ଧାର୍ମିକ ବିଶ୍ୱାସ ଏବଂ ପରମ୍ପରା ପ୍ରକୃତି ଉପରେ ଆଧାରିତ । ପରିବେଶ ଉପରେ ସେମାନେ ଖୁବ୍ ନିର୍ଭରଶୀଳ ।

ଫୁଲଡୁମେରରେ ପାହାଡ଼ ଉପରେ ରହୁଥିବା ଡୋଙ୍ଗରିଆ କନ୍ଧ ସମ୍ପ୍ରଦାୟର ମିତଭାଷୀ ଲୋକମାନେ ନିର୍ବାଚନୀ ଉଦାସୀନତା ଏବଂ ବେଦାନ୍ତ, ବିବାଦ ସମ୍ପର୍କରେ ପ୍ରଶ୍ନ କଲେ । ଡାହାଣ କାନ୍ଧରେ କୁରାଢୀ ଝୁଲାଇଥିବା ଜଣେ ଲୋକ କୁଇ ଭାଷାରେ ପ୍ରଶ୍ନ କଲେ, “ଜଣେ କାହାକୁ ଭୋଟ ଦେବା କଥା-ହାତ ନା ଶଙ୍ଖ ନା ହାତୀ (ଯଥାକ୍ରମେ କଂଗ୍ରେସ, ବିଜୁ ଜନତା ଦଳ ଏବଂ ବହୁଜନ ସମାଜ ପାର୍ଟିର ନିର୍ବାଚନୀ ପ୍ରତୀକ)?’’ ସେ ପ୍ରଶ୍ନ ପଚାରୁଥିବା ସମୟରେ ପ୍ରାର୍ଥନା ପାଇଁ ଗାଁରେ ବାଜୁଥିବା ଘଣ୍ଟା ଧ୍ୱନି ଶୂନ୍ୟରେ ପ୍ରତିଧ୍ୱନିତ ହେଲା । “କିଏ ବେଦାନ୍ତକୁ ବିରୋଧ କରୁଛି?’’ କୌଣସି ପ୍ରାର୍ଥୀ ଭୋଟଭିକ୍ଷା କରିବା ଲାଗି ଏବେଯାଏଁ ଏଠାକୁ ଆସିନାହାନ୍ତି । ଏହି ଗାଁକୁ କଚ୍ଚା ରାସ୍ତା ସଂଯୋଗ କରୁଥିବା ବେଳେ ସିଏସଆର କାର୍ଯ୍ୟକ୍ରମ ଅନୁସାରେ ବେଦାନ୍ତ ପକ୍ଷରୁ ତିଆରି କରାଯାଇଥିବା ୩ଟି ବିଲ୍ଡିଂ ଭଗ୍ନ ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ସ୍ଥାନୀୟ ଲୋକମାନେ ଉତ୍ତ୍ୟକ୍ତ ହୋଇ ତାକୁ କୁରାଢୀରେ ଭାଙ୍ଗି ଦେଇଛନ୍ତି ।

ପାହାଡ଼ ତଳେ ଲାଞ୍ଜିଗଡ଼ରେ ସମୟ ସମୟରେ ନିର୍ବାଚନ ପ୍ରଚାର କରୁଥିବା ଜିପ୍‌କୁ ଦେଖିବାକୁ ମିଳୁଛି । ସେଥିରେ ଲାଉଡସ୍ପିକର ଖଞ୍ଜା ଯାଇଥିବା ବେଳେ ଗୀତ ବାଜିଥାଏ ଯାହାକି ପ୍ରାର୍ଥୀଙ୍କ ଅପେକ୍ଷା ଦଳକୁ ଅଧିକ ଗୁରୁତ୍ୱ ଦେଇଥାଏ। ଗ୍ରାମୀଣ ଲୋକଙ୍କ ମଧ୍ୟରେ ମୌଳିକ ଶିକ୍ଷାର ଅଭାବ ଥିବାରୁ ଏପରି କରାଯାଇଥାଏ । ସିଆରପିଏଫ୍ ବାରାକ ଅପର ପାର୍ଶ୍ୱରେ ଥିବା ଲାଞ୍ଜିଗଡ଼ ପୋଲିସ ଷ୍ଟେସନରେ ଥକି ଯାଇଥିବା ପୋଲିସ କର୍ମୀମାନେ ସେହି ଅଞ୍ଚଳରେ ନିର୍ବାଚନ ହେବାକୁ ଥିବା ସ୍ଥାନଗୁଡ଼ିକର ଚାର୍ଟକୁ ଦେଖାଇବାକୁ ଟିଭି ନ୍ୟୁଜ୍ ଦେଖିବାରୁ ବିରତି ନେଲେ। ସେଗୁଡ଼ିକୁ ହାଇଲି ସେନସିଟିଭ୍ (ଅଧିକ ଉତ୍ତେଜନାପ୍ରବଣ) କିମ୍ବା ନକ୍ସଲ ପ୍ରଭାବିତ ଭାବେ ଦର୍ଶାଯାଇଥିଲା । କଳାହାଣ୍ଡି ଜିଲ୍ଲାର ୨୪ଟି ଦୁର୍ଗମ ବୁଥ୍ ମଧ୍ୟରୁ ୨୨ଟି ଲାଞ୍ଜିଗଡ଼ରେ ରହିଛି ।

PHOTO • Chitrangada Choudhury

ନିୟମଗିରିର ଗ୍ରାମସଭାରେ ଭାରତର ପ୍ରଥମ ପରିବେଶ ସଂପର୍କିତ ଜନମତ ସଂଗ୍ରହ କରାଗଲା ଏବଂ ପୂର୍ବରୁ ଥିବା ପଦାନୁକ୍ରମକୁ ଦୂରେଇ ଦେଇ ଆନୁଷ୍ଠାନିକ ଭାବେ କ୍ଷମତାର ବିକେନ୍ଦ୍ରୀକରଣ ଓ ନୂଆ ସୁଯୋଗର ଉଦ୍ଭବକୁ ଦର୍ଶାଇଲା । ଗ୍ରାମସଭାରେ ଗାଁ ଲୋକଙ୍କର ମତାମତକୁ ଦୃଷ୍ଟିରେ ରଖି ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଏହି ଜାନୁଆରୀ ମାସରେ ବକ୍ସାଇଟ୍ ଖଣିକୁ ମନା କରିଦେଲେ । ଏହି ଖାରଜ ଓଡ଼ିଶା ସମେତ ଦେଶର ଅନେକ ପ୍ରାକୃତିକ ସମ୍ବଳ ସଂପନ୍ନ ଅଞ୍ଚଳରେ ଏକ ବଡ଼ ଧରଣର ସଂଘର୍ଷକୁ ଏଡ଼ାଇବାରେ ସହାୟତା କଲା ।

ଏକ ଦଶନ୍ଧି ଧରି ଚାଲିଥିବା ୟୁପିଏ ସରକାରଙ୍କ ସମୟରେ ଜଙ୍ଗଲ ଅଧିକାର ଆଇନ (ଯାହା ଅଧୀନରେ ସୁପ୍ରିମକୋର୍ଟ ଗ୍ରାମସଭାକୁ ନିର୍ଦ୍ଦେଶ ଦେଲେ), ସୂଚନା ଅଧିକାର ଆଇନ ପରି ନୂଆ ଆଇନ ପାସ୍ ହେଲା । ଏହାଯୋଗୁ ସ୍ଥାନୀୟ ସଂପ୍ରଦାୟଗୁଡ଼ିକ ପ୍ରଶ୍ନ ପଚାରିବା, ବାଚନିକ ମତାମତ ରଖିବା ଲାଗି ଆଇନତଃ ସଶକ୍ତ ହେଲେ । ସିଦ୍ଧାନ୍ତ ନେବା ପ୍ରକ୍ରିୟା ଅଧିକ ଗଣତାନ୍ତ୍ରିକ ଓ ସହଭାଗୀ ହେଲା, କିନ୍ତୁ ଅଧିକ ଇତସ୍ତତଃ ହେବା ସହିତ ସିଦ୍ଧାନ୍ତ ନେବା ସଂପର୍କରେ ପୂର୍ବାନୁମାନ କରିହେଲା ନାହିଁ। ରାଜ୍ୟ ବାହାରର କେତେକ ସଂସ୍ଥା ପକ୍ଷରୁ ଏହି କର୍ପୋରେଟ ସଂସ୍ଥାମାନଙ୍କର କାମ ଉପରେ ନଜର ରଖାଯାଉଛି । ଯାହା ଫଳରେ ସ୍ଥାନୀୟ ବାସିନ୍ଦାଙ୍କୁ ଦମନ କରିବା ଏବଂ ସେମାନେ ନିର୍ଭର କରୁଥିବା ସମ୍ପଦକୁ ଦଖଲ କରିବା କର୍ପୋରେଟମାନଙ୍କ ପକ୍ଷରେ ସେତେ ସହଜ ହେଉନାହିଁ ।

ସେହିଭଳି ସରକାର ଓ କଂପାନିଗୁଡ଼ିକ  ବୃହତ ଅର୍ଥନୈତିକ ଯୋଜନାର ଅଂଶବିଶେଷ ଭାବେ ଧାତବପଦାର୍ଥରେ ଭରପୁର ଅଞ୍ଚଳକୁ ସେମାନଙ୍କର ନିୟନ୍ତ୍ରଣକୁ ଆଣିବାକୁ ଯୋଜନା କରୁଛନ୍ତି । ଓଡ଼ିଶା, କର୍ଣ୍ଣାଟକ ଓ ଗୋଆ ସଂପର୍କରେ ଶାହ କମିଶନଙ୍କ ରିପୋର୍ଟରେ କୁହାଯାଇଛି ଯେ କୋଇଲା ଭଳି କିଛି ପ୍ରାକୃତିକ ସମ୍ବଳ ଭାରତର ବର୍ଧିଷ୍ଣୁ ଉଦ୍ୟୋଗିକ ଓ ଗ୍ରାହକଙ୍କର ଶକ୍ତି ଚାହିଦାକୁ ମେଣ୍ଟାଇବାକୁ ନିହାତି ଆବଶ୍ୟକ । ଅନ୍ୟ ସମ୍ବଳ ଯେପରିକି ଲୁହାପଥର ଲାଭଜନକ କଞ୍ଚାମାଲ ଭାବେ ରପ୍ତାନୀ ହୋଇ ବେଆଇନ ଓ ଶୀଘ୍ର ଅର୍ଥ ଠୁଳ କରିବାର ମାଧ୍ୟମ ପାଲଟିଛି ।

ବର୍ଧିଷ୍ଣୁ ଚାହିଦାକୁ ଦୃଷ୍ଟିରେ ରଖି ବିବାଦ ମଧ୍ୟ ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି କଳାହାଣ୍ଡିର କଂଗ୍ରେସ ସାଂସଦ ଓ ପ୍ରାର୍ଥୀ ଭକ୍ତଚରଣ ଦାସ କହିଲେ ।  ତାଙ୍କ ଅନୁସାରେ “ଗ୍ରାମସଭାଗୁଡ଼ିକ କିନ୍ତୁ ସରକାର ଓ ଶିଳ୍ପଜଗତର ଧ୍ୟାନ ଆକର୍ଷଣ କରିବାକୁ ଯାଉଛନ୍ତି ।’’

୧୯୯୬ ମସିହାରେ ଚନ୍ଦ୍ରଶେଖରଙ୍କ ସମୟରେ ରେଳମନ୍ତ୍ରୀ ଥିବା ଦାସ ଲୋକସଭାରେ ଏକ ଭାଷଣ ସମୟରେ କଳାହାଣ୍ଡିରେ ଆଲୁମିନିୟମ୍ ପ୍ଲାଣ୍ଟ  ପାଇଁ ଦୃଢ ଭାବେ ଯୁକ୍ତି ଉପସ୍ଥାପନ କରିଥିଲେ । ସେ ବର୍ତ୍ତମାନ କହିଲେ ଯେ ଏବେ କିନ୍ତୁ ସେ ନିୟମଗିରିରେ ଖନନକୁ ବିରୋଧ କରୁଛନ୍ତି ଏବଂ ତା’ ବଦଳରେ କୃଷିଭିତ୍ତିକ କାରଖାନାକୁ ସମର୍ଥନ କରୁଛନ୍ତି । “ଯାହାଦ୍ୱାରା ଜିଲ୍ଲାର ୬ ହଜାର କୋଟିର ବାର୍ଷିକ କୃଷି ଉତ୍ପାଦନକୁ ସହାୟତା ମିଳିବ ।’’ ୨୦୦୮ରେ ନିୟମଗିରିର ଲିରୁପା ଭଳି ଅଞ୍ଚଳ ପରିଦର୍ଶନ ପାଇଁ ରାହୁଲ ଗାନ୍ଧୀଙ୍କୁ ଆଣିଥିବା ଦାସ କହିଲେ, “ମୁଁ କେବେହେଲେ ଶିଳ୍ପ ଅନ୍ଧ ଓ ନିର୍ଦ୍ଦୟୀ ହେବା ଉଚିତ୍ ବୋଲି କହିନାହିଁ । ଯେତେବେଳେ ମୁଁ ଭାଷଣ ଦେଇଥିଲି ମୁଁ ଗରିବୀ ଦୂରୀକରଣ ନେଇ ଚିନ୍ତିତ ଥିଲି । ଯେତେବେଳେ ମୁଁ ସେହି ସଂପ୍ରଦାୟର ସ୍ଵତଃସ୍ଫୁର୍ତ୍ତ ବିକ୍ଷୋଭ ପ୍ରଦର୍ଶନକୁ ଦେଖିଲି ଏବଂ ସେହି ଜଙ୍ଗଲ ଅଞ୍ଚଳ ପରିଦର୍ଶନ କଲି ମୁଁ ଅନୁଭବ କଲି ଯେ ସେମାନଙ୍କ ବିନିମୟରେ ଖନନ ହୋଇପାରିବ ନାହିଁ ।’’

ଦେଶର ସର୍ବାଧିକ ଖଣି ଖନନ ହେଉଥିବା ରାଜ୍ୟ, ଯେଉଁଠି ଦେଶର ୬୦ ପ୍ରତିଶତ ବକ୍ସାଇଟ୍‌, ଏକତୃତୀୟାଂଶ ଲୁହାପଥର ଏବଂ ଏକ ଚତୁର୍ଥାଂଶ କୋଇଲା ରହିଛି, ସେଠାରେ ଏହା କେବଳ ଜଙ୍ଗଲ ଉପରେ ନିର୍ଭର କରୁଥିବା ଗ୍ରାମୀଣ ଅର୍ଥନୀତି ନୁହେଁ ଯାହା ଶିଳ୍ପୋନ୍ନତି କ୍ଷେତ୍ରରେ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। କୃଷିକୁ  ନେଇ ସମୃଦ୍ଧ ଗାଁଗୁଡ଼ିକ ଖଣି ଉଦ୍ୟୋଗ ପାଇଁ ସେମାନଙ୍କ ଜୀବନରେ ପରିବର୍ତ୍ତନ କରିବାକୁ ଚାହୁଁନାହାନ୍ତି । ଏଥିଯୋଗୁଁ ପୋହାଙ୍ଗ ଷ୍ଟିଲ୍‌ କମ୍ପାନି ବା ପୋସ୍କୋର ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଜମି ଅଧିଗ୍ରହଣ ବିରୋଧରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଗତ ୮ ବର୍ଷ ହେଲା ବିରୋଧ ଜାରି ରହିଛି । ଏହା ସେହି ଶିଳ୍ପ ପ୍ରସ୍ତାବ ଯାହା ଦେଶର ସବୁଠାରୁ ଅଧିକ ବିଦେଶୀ ପୁଞ୍ଜି ବିନିଯୋଗ ଚୁକ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଦୃଢ଼ ସମର୍ଥିତ ।

ଗତ ସପ୍ତାହରେ ଆହୁରି ପଶ୍ଚିମରେ କୋଇଲାପୂର୍ଣ୍ଣ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକରେ ୯ଟି ଗ୍ରାମର ଲୋକମାନେ ମିଶି ଏପ୍ରିଲ ୧୦ ତାରିଖରେ ହେବାକୁ ଥିବା ନିର୍ବାଚନକୁ ବୟକଟ୍ କରିବା ଲାଗି ସିଦ୍ଧାନ୍ତ ନେଇଛନ୍ତି । ସେମାନଙ୍କ ଅନୁସାରେ ଏହି ପଦକ୍ଷେପ ନୂଆ ଜମି ଅଧିଗ୍ରହଣ ଆଇନ ଅନୁସାରେ ସେମାନଙ୍କ ଅଞ୍ଚଳରେ  ଗ୍ରାମସଭା ହେବା ପାଇଁ ଦୃଷ୍ଟି ଆକର୍ଷଣ କରିବାର ଏକ ମାଧ୍ୟମ । ଯେଉଁଠାରେ ସେମାନେ ଏକ କୋଇଲା ଖଣି ପାଇଁ ସେମାନଙ୍କର ଜମିକୁ ଅଧିଗ୍ରହଣ କରାଯିବା ନେଇ ଆନୁଷ୍ଠାନିକ ଭାବେ  ବିରୋଧ ପ୍ରଦର୍ଶନ କରିପାରିବେ । ଜାନୁଆରୀ ୧, ୨୦୧୪ରୁ ଲାଗୁ ହୋଇଥିବା ଏହି ନୂଆ ନିୟମରେ ଜମି ମାଲିକଙ୍କର ଅନୁମତି ନେବାର ବ୍ୟବସ୍ଥା ରହିଛି ।

କୋଇଲା ମନ୍ତ୍ରାଳୟର କାଗଜପତ୍ରରେ ୨୫୦୦ ଜନସଂଖ୍ୟା ବିଶିଷ୍ଟ ୯ଟି ଗ୍ରାମର ବାସିନ୍ଦାଙ୍କୁ ଆୟତାକାର ମାଛକଟା କୋଲ ବ୍ଲକର ବାସିନ୍ଦା ଭାବେ ଚିହ୍ନଟ କରାଯାଇଛି । ଏହି ବ୍ଲକରେ ଗୁଜରାଟ ଭିତ୍ତିକ ଶିଳ୍ପସଂସ୍ଥା ଅଦାନି ଖନନ କରିବ ଏବଂ ଏଥିରୁ ମହାରାଷ୍ଟ୍ର ଓ ଗୁଜରାଟର ଲୋକଙ୍କ ପାଇଁ ବିଦ୍ୟୁତ ଶକ୍ତି ଉତ୍ପାଦନ ହେବ। ୨୦୧୨ରୁ ଏକ ଆକର୍ଷଣୀୟ ଅନଲାଇନ୍ ପ୍ରେଜେଣ୍ଟେସନ୍  ମାଧ୍ୟମରେ  ଅଦାନିର ଯୋଜନା ଦର୍ଶାଉଛି ଯେ ମାଛକଟାରେ ଗତ ବର୍ଷଠାରୁ ଉତ୍ପାଦନ ଆରମ୍ଭ ହୋଇଛି । ୨୦୧୨ରେ କଂପାନିର ବାର୍ଷିକ ବ୍ୟବସାୟ ୩୬ ନିୟୁତ ଟନ୍‌ରୁ ୨୦୨୦ସୁଦ୍ଧା ବଢି ୩୦୦ ନିୟୁତ ଟନ୍ ହେବାକୁ କରାଯାଇଥିବା ଯୋଜନାର ଏହା ଏକ ଅଂଶ ।

ଛେଣ୍ଡିପଦାର ଚାଷୀମାନଙ୍କ ନିକଟରେ ଅନ୍ୟ ଚିନ୍ତାଧାରା ମଧ୍ୟ ରହିଛି । ଗତ ୩ ବର୍ଷ ଧରି ବାସିନ୍ଦାଙ୍କ ଦ୍ୱାରା ରାସ୍ତା ଅବରୋଧ, ବିକ୍ଷୋଭ ଅଧିକାଂଶ ସମୟରେ ହିଂସାତ୍ମକ ରୂପ ନେଇଛି। ଏଥିଯୋଗୁ ଖଣି ଖନନ ପାଇଁ ଆବଶ୍ୟକ ପରିବେଶ ମଞ୍ଜୁରୀ ଉଦ୍ଦେଶ୍ୟରେ ଜନଶୁଣାଣି କରାଇବାରେ ପ୍ରଶାସନ ସକ୍ଷମ ହୋଇପାରିନାହିଁ ।

ନିୟମଗିରିର କନ୍ଧ ଯେଉଁମାନଙ୍କ ମଧ୍ୟରୁ ମାତ୍ର କେତେଜଣ ସ୍କୁଲ ଶିକ୍ଷା ପାଇଛନ୍ତି ବା ଆଇନର ସୂକ୍ଷ୍ମ କଥା ଜାଣିବା ଏବଂ ସରକାରୀ ବ୍ୟବସ୍ଥାକୁ ବିରୋଧ କରିବାକୁ ଆଗ୍ରହୀ ସେମାନଙ୍କ ତୁଳନାରେ ବାଗଡ଼ିଆର କଲେଜ ଶିକ୍ଷାପ୍ରାପ୍ତ ବାସିନ୍ଦାମାନେ ନିୟମରେ ପରିବର୍ତ୍ତନକୁ ଗଭୀର ଭାବେ ଅନୁସରଣ କରୁଛନ୍ତି । ସେମାନେ ଇଣ୍ଟରନେଟ୍‌ରେ ଖୋଜି ସୂଚନା ଅଧିକାର ଆଇନରେ ଆବେଦନ କରି କୋର୍ଟ ଗଲେ ଏବଂ କେଉଁ ଦଳ କ’ଣ କହୁଛି ତାକୁ ଲକ୍ଷ୍ୟ କଲେ। ବାଗଡିଆ ବାସିନ୍ଦା ଓ ଇଞ୍ଜିନିୟରିଂ ଅଧ୍ୟାପକ ସତ୍ୟବ୍ରତ ପ୍ରଧାନ ନିକଟରେ ଦିନେ ଅପରାହ୍ନରେ ଏକ ସାକ୍ଷାତକାରରେ କହିଲେ, “ନୂଆ ଜମି ଅଧିଗ୍ରହଣ ଆଇନ ପାସ୍ ହୋଇଛି, କିନ୍ତୁ କାହିଁକି ଆମର ସ୍ଥାନୀୟ କଂଗ୍ରେସ ସାଂସଦ ଏହାକୁ ସମର୍ଥନ କରୁନାହାନ୍ତି?’’ ଏପ୍ରିଲରେ ହେବାକୁ ଥିବା ନିର୍ବାଚନକୁ କାହିଁକି ତାଙ୍କ ଗାଁକୁ ମିଶାଇ ୯ଟି ଗାଁର ବାସିନ୍ଦା ବୟକଟ୍ କରିବେ ସେ ବାବଦରେ ମଧ୍ୟ ସେ କହିଲେ । “ନୂଆ ଆଇନରେ ଥିବା ଗ୍ରାମସଭା ମତାମତ ନିୟମ ଆମ ଉପରେ ମଧ୍ୟ ଲାଗୁ ହେଉ-ଯଦି ସତୁରୀ ପ୍ରତିଶତ ଲୋକେ ଖଣି ଖନନକୁ ହଁ କହିବେ ତେବେ ଆମେ ବିସ୍ଥାପିତ ହେବାକୁ ପ୍ରସ୍ତୁତ ।’’

PHOTO • Chitrangada Choudhury

ବାଗଡ଼ିଆମାନଙ୍କର ଧାନ ଓ ପନିପରିବା ଚାଷ ଅଛି । ସେମାନଙ୍କର ବଡ଼ ଆମ୍ବ ଓ କାଜୁ ବଗିଚା ରହିଛି । ସେଠାକୁ ନିକଟବର୍ତ୍ତୀ କୋଶଳା ସଂରକ୍ଷିତ ଜଙ୍ଗଲରୁ ହାତୀପଲ ନିୟମିତ ଆସିଥାନ୍ତି । ଏହି ଅପରାହ୍ନରେ ଗାଁ ଲୋକମାନେ ଗାଁର ଏକ ମନ୍ଦିର ସାମ୍ନାରେ ସାମୁହିକ ଭୋଜି ପାଇଁ ଏକତ୍ରିତ ହୋଇଥିଲେ । ସେମାନେ ଭାତ, ଡାଲମା ଏବଂ ଟମାଟୋ ଖଟାକୁ ପତ୍ରରେ ଖାଇଲେ । ବିକ୍ଷୋଭ କରୁଥିବା ଚାଷୀମାନଙ୍କର ପକ୍କା ଘର, ଦୁଇ ଓ ଚାରିଚକିଆ ଯାନ ଥିବାବେଳେ ସେମାନେ ଗ୍ରାମୀଣ ମଧ୍ୟବତ୍ତି ପରିବାରର ଅନ୍ତର୍ଭୁକ୍ତ । ସେମାନେ ଗରିବ ଲୋକଙ୍କ ଭଳି  ବିଭିନ୍ନ ରାଜନୈତିକ ଦଳ ଓ ଶିଳ୍ପପତିମାନଙ୍କୁ ଦିଆଯାଉଥିବା ସବସିଡିକୁ ବିରୋଧ କରୁଛନ୍ତି । ଏହି ରାଜନୈତିକ ଦଳ ଓ ଶିଳ୍ପପତିମାନେ ଘରୋଇ ଭାବେ ବୁଝାମଣା କରିବା ସହ ଧନୀ ହେବାକୁ ପରସ୍ପରକୁ ସହାୟତା କରୁଥିବାର ସେମାନେ ଅଭିଯୋଗ କରୁଛନ୍ତି । (ଗୋଟିଏ ଗଣମାଧ୍ୟମ ରିପୋର୍ଟକୁ ଉଦ୍ଧାର କରି ଜଣେ ସ୍ଥାନୀୟ ବାସିନ୍ଦା କହିଲେ, “ମୋଦି କାହିଁକି ଅଦାନିଙ୍କ ଜେଟ୍ ବ୍ୟବହାର କରୁଛନ୍ତି’’)

ଗ୍ରାମୀଣ ଓଡ଼ିଶାରେ ଲୋକଙ୍କ ଭୂମି ଅଧିକାର କଥାକୁ ଦର୍ଶାଇବାକୁ ଯାଇ କଳାହାଣ୍ଡିର ବାସିନ୍ଦା ଏବଂ  ଜାତୀୟ କୃଷି କମିଶନଙ୍କ ପୂର୍ବତନ ସଦସ୍ୟ ଜଗଦୀଶ ପ୍ରଧାନ କହିଲେ “ହୀରାକୁଦ(ପଶ୍ଚିମ ଓଡ଼ିଶାରେ ସ୍ୱାଧୀନତା ସମୟରେ ନିର୍ମାଣ ହୋଇଥିବା ବୃହତ ଡ୍ୟାମ୍) ସମୟଠାରୁ ଆମେ ଖୁବ୍ ଆଗକୁ ଆସିସାରିଲେଣି, ଯେତେବେଳେ  ଚାଷୀମାନଙ୍କୁ ଦେଶପାଇଁ ତ୍ୟାଗ କରିବାକୁ ନିଜ ବାସସ୍ଥାନ ଖାଲି କରିବାକୁ କୁହାଗଲା ।’’ “ଏବେ ଏମିତି ହୃଦବୋଧ ହେଉଛି ଯେ ଖଣି ଖନନ ସ୍ଥାନୀୟ ଲୋକଙ୍କ ପାଇଁ ପ୍ରତିଶ୍ରୁତି ମୁତାବକ କର୍ମସଂସ୍ଥାନ ସୃଷ୍ଟି ଓ ସଂପନ୍ନତା ଆଣିପାରୁନାହିଁ ।’’

ରାଜ୍ୟର ୨୦୧୨-୨୦୧୩ର ଆର୍ଥିକ ସର୍ଭେ ମଧ୍ୟ ପ୍ରଧାନଙ୍କ ତର୍କକୁ ଯଥାର୍ଥ ବୋଲି ଦର୍ଶାଉଛି । ରାଜ୍ୟରେ ୨୦୦୧-୦୨ ବର୍ଷରେ ୨୭୭୬ କୋଟିର ଖଣି ଉତ୍ପାଦନ ଦଶଗୁଣା ବଢି ୨୦୧୧-୧୨ରେ ୩୦,୨୦୪ କୋଟି ଟଙ୍କାରେ ପହଞ୍ଚିଛି । ସେହି ସମୟ ମଧ୍ୟରେ ଖଣି କ୍ଷେତ୍ରରେ କିନ୍ତୁ  କର୍ମସଂସ୍ଥାନ ୫୨,୯୩୭ରୁ ଖସି ୪୮,୨୩୯ରେ ପହଞ୍ଚିଛି । ରିପୋର୍ଟର ଏହି ତଥ୍ୟ ଦର୍ଶାଉଛି ଯେ, ଏହି କ୍ଷେତ୍ରରେ ଯନ୍ତ୍ରର ବ୍ୟବହାର ବଢିଛି ।

୩୪ ବର୍ଷୀୟ କୃଷକ ତଥା ବାଗଡ଼ିଆ ବାସିନ୍ଦା ସୁଜିତ ଗଡ଼ନାୟକ କହନ୍ତି, ‘‘ତୁମେ ଯଦି ଆମ ଜମି ନେବାକୁ ଚାହୁଁଛ, ତେବେ ଆମକୁ ବିକଳ୍ପ ଜମି ଦିଅ । କୋଇଲା ଖଣିରେ ଗୋଟିଏ ଅସ୍ଥାୟୀ ଚାକିରି ପାଇଁ ଆମେ କାହିଁକି ଆମକୁ ସର୍ବଦା ଚଳାଇ ଆସିଥିବା ଜମିକୁ ଦେଇଦେବୁ ।’’

ଜାଭିଅର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ପ୍ରଫେସର ଏବଂ ଯୋଜନା ବୋର୍ଡର ପୂର୍ବତନ ସଦସ୍ୟ ବାଣୀକଣ୍ଠ ମିଶ୍ର ଦର୍ଶାନ୍ତି ଯେ, ସରକାରଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ । ଗତ ଦଶନ୍ଧିରୁ ଊର୍ଦ୍ଧ୍ଵ ସମୟ ହେଲା ରାଜ୍ୟ ସରକାର ରାଜକୋଷ ପାଇଁ ଶୀଘ୍ର ରୟାଲିଟି ରାଜସ୍ୱ ପାଇବା ଲାଗି ଖଣି ଖନନ ଉପରେ ଖୁବ୍ ଅଧିକ ନିର୍ଭର କରୁଛନ୍ତି । ଯେତେବେଳେକି ଅଧିକ ନିରନ୍ତରତାର ସହ ବିକାଶର ମଡ଼େଲ ତିଆରି କରିବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଉନାହିଁ। ଯଦି ନବୀନ ପଟ୍ଟନାୟକ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୁଅନ୍ତି ତା’ ହେଲେ “ସେ ଚର୍ଚ୍ଚାରେ ଥିବା ଗୋଟିଏ ବଡ଼ ଖଣି ପ୍ରକଳ୍ପ ବଦଳରେ କୃଷି ଓ ଗ୍ରାମୀଣ ଦକ୍ଷତା ସହ ସଂପର୍କିତ ଚାକିରି ଓ ରୋଜଗାର ସୃଷ୍ଟି ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି ମୁଁ ଆଶା କରିବି ।’’

ନିଜର ନିର୍ବାଚିତ ପ୍ରତିନିଧିଙ୍କଠାରୁ ସେ କ’ଣ ଚାହିଁବେ ବୋଲି ପଚରାଯିବାରୁ ଲିରୁପାର ପାର୍ବତୀ ଗୌଡ଼ କହିଲେ, “ଆମ ଗାଁରେ ଗୋଟିଏ କୂଅ ଖୋଳାଯିବା ଆବଶ୍ୟକ ଯେପରିକି ଆମେ ଅଧିକ ଅମଳ କରିପାରିବୁ । ସେତେବେଳେ ଦୁଇଟିଣ  ସୂର୍ଯ୍ୟମୁଖୀ ତେଲ ୪ ଟିଣ ହୋଇଯିବ ।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Chitrangada Choudhury

ଲେଖକ ପରିଚୟ: ଚିତ୍ରାଙ୍ଗଦା ଚୌଧୁରି ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଏବଂ ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର କୋର୍ ଗ୍ରୁପର ସଦସ୍ୟ ।

Other stories by Chitrangada Choudhury