ଶାନ୍ତି କହନ୍ତି, ‘ପ୍ରତିବର୍ଷ ଖରାଦିନେ ମାସକ ପାଇଁ ଆମେ ଏଠାକୁ କିଛି ଟଙ୍କା ରୋଜଗାର କରିବାକୁ ଆସୁ। ସେ ନିଜର ରଙ୍ଗୀନ ଓଢଣୀକୁ ନିଜର କପାଳ ପାଖକୁ ଆଣୁ ଆଣୁ ନଅବର୍ଷୀୟ ନାତି ଅମରଜିତକୁ ରାବଣ ହାତ ବଜାଇବାକୁ ନିର୍ଦ୍ଦେଶ ଦେଲେ।’ “ବଜାଅ, ବଜାଅ” ଶାନ୍ତି ତାଙ୍କୁ କହିଲେ। ସେ ରାବଣହାତର ତାରକୁ ଉତ୍ସାହହୀନ ଭାବେ ବଜାଇଲା। 

ପାହାଡ଼ ଦେଖାଯାଉଥିବା ଗୋଟିଏ ସ୍ଥାନକୁ ଆମର ଯାତ୍ରା ସମୟରେ ଆମେ ଶାନ୍ତି ଓ ଅମରଜିତ(ଉପରେ କଭର ଫଟୋରେ ଥିବା)ଙ୍କୁ ଭେଟିଲୁ। ଧର୍ମଶାଳାର ଟିକେ ଉପରେ ହିମାଚଳ ପ୍ରଦେଶର ମ୍ୟାକ୍ଲିଓଗଞ୍ଜରୁ ପ୍ରାୟ ତିନି କିମି ଦୂରରେ ଥିବା ନଡ୍ଡି ଗାଁର ରାସ୍ତା କଡ଼ରେ ଏକ ଉଚ୍ଚା ପ୍ଲାଟଫର୍ମ ଉପରେ ସେମାନେ ବସିଥିଲେ। 

ଶାନ୍ତି ଆମକୁ କ୍ଷମାପ୍ରାର୍ଥନା ଢଙ୍ଗରେ କହିଲେ, ‘ପିଲା (ଅମରଜିତ)ର ଜେଜେବାପା ଖୁବ୍ ଭଲ ରାବଣହାତ ବାଦକ, କିନ୍ତୁ ସେ ଆଜି ଅସୁସ୍ଥ ଅଛନ୍ତି, ତେଣୁ ସେ ବଜାଇପାରିବେ ନାହିଁ। ଆମେ ସର୍ବଦା ଏହି ବାଦ୍ୟଯନ୍ତ୍ର ବଜାଇ ଗୀତ ଗାଉ, କିନ୍ତୁ ଆମ ନାତି ଏହାକୁ ବଜାଇବାକୁ ଭଲ ପାଏ ନାହିଁ। ଆଜିକାଲି ପିଲାଙ୍କ ପାଠପଢ଼ିବା କଥା କୁହାଯାଉଛି। ତେଣୁ ସେ ଆମ ଗାଁରେ ଥିବା ସ୍କୁଲକୁ ଯାଉଛି।’

ତୁମେ କେଉଁ ଶ୍ରେଣୀରେ ପଢ଼ୁଛ, ମୁଁ ଅମରଜିତକୁ ପଚାରିଲି। ସେ ହସିକରି କହିଲା ଚତୁର୍ଥ ଶ୍ରେଣୀରେ। 

ରାବଣହାତ-ଆକ୍ଷରିକ ଭାବେ କହିଲେ, ‘ରାବଣର ହାତ’- ଏହା ଦୁଇଟି ତାର ଥିବା ଏକ ବାଦ୍ୟଯନ୍ତ୍ର। ଏହାର ଗୋଟିଏ ପାଶ୍ୱର୍ରେ ନଡ଼ିଆ ଖୋଳପା ଓ ଛେଳି ଚମଡ଼ାରେ ତିଆରି ଗୋଟିଏ ଆକୃତି ଥାଏ। ବାଦକ ଅଧା ନଡ଼ିଆର ଶେଷଭାଗକୁ ଧରି ତାଙ୍କର ଶରୀର ଆଡକୁ ଟାଣନ୍ତି ଏବଂ ଲମ୍ବା ବାଉଁଶ ବାଡ଼ି ସାହାଯ୍ୟରେ ତାକୁ ବଜାନ୍ତି। ତାର ଦୁଇଟିରୁ ଗୋଟିଏ ଧାତୁରୁ ଏବଂ ଅନ୍ୟଟି ପଶୁଙ୍କ କେଶରେ ତିଆରି ହୋଇଥାଏ। ବଜାଇବା ପାଇଁ ଧନୁଟିକୁ ତା’ ଉପରେ ଚଳାଯାଏ। 

ଯଦି ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ତାହେଲେ ପର୍ଯ୍ୟଟକମାନେ ସେମାନଙ୍କର ଦ୍ରୁତ ଭାବେ ଗତିଶୀଳ ଗାଡ଼ିରୁ ଓହ୍ଲାନ୍ତି କିମ୍ବା ଯେଉଁମାନେ ପାଦରେ ଚାଲି ବୁଲୁଥାନ୍ତି ସେମାନେ ସେଠାରେ ଅଟକି ବାଦ୍ୟଯନ୍ତ୍ର ଶୁଣନ୍ତି ଓ କିଛି ଟଙ୍କା ଦିଅନ୍ତି। 

ଭିଡିଓ ଦେଖନ୍ତୁ: ରାଜସ୍ଥାନରୁ ହିମାଚଳପ୍ରଦେଶ ଯାଏ ରାବଣହାତ ବଜାଯାଉଛି

ଏହି ବାଦ୍ୟଯନ୍ତ୍ର ସଂପର୍କରେ ରାମାୟଣରେ ଉଲ୍ଲେଖ ରହିଛି। କିମ୍ବଦନ୍ତୀ ଅନୁସାରେ ଶିବ ଭକ୍ତ ରାବଣ ତା’ର ୧୦ଟି ମୁଣ୍ଡ ଭିତରୁ ଗୋଟିଏ ମୁଣ୍ଡ, ବାହୁ ଓ ନିଜର କିଛି କେଶ ଦ୍ୱାରା ରାବଣହାତ ବଜାଉଥିଲା। ହନୁମାନ ତାକୁ ଲଙ୍କାରୁ ଭାରତକୁ ଆଣିଲେ। ସମୟ ପରିବର୍ତ୍ତନ ସହିତ ଶ୍ରୀଲଙ୍କାର ଜଣେ କମ୍ପୋଜର ଏବଂ ଭାଓଲିନ ବାଦକ ଦିନେଶ ସୁବାସସିଂଘେ ସେହି ବାଦ୍ୟଯନ୍ତ୍ରର ପୁନରୁତ୍ଥାନ ପାଇଁ ଉଦ୍ୟମ କରୁଛନ୍ତି। ସେ ତାଙ୍କର ବହୁ କମ୍ପୋଜିସ୍ନରେ ରାବଣହାତକୁ ବ୍ୟବହାର କରୁଛନ୍ତି। 

ରାଜସ୍ଥାନରେ ଲୋକ ସଂଙ୍ଗୀତଜ୍ଞ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଯାଯାବର ସଂପ୍ରଦାୟର ରାବଣହାତ ବଜାଇଥାନ୍ତି। ଶାନ୍ତିଙ୍କର ଶ୍ରମିକ ପରିବାର, ଯେଉଁମାନେ କୃଷିକ୍ଷେତ୍ରରେ କାମ କରନ୍ତି, ରାଜସ୍ଥାନର ମାରୱାର ଅଞ୍ଚଳରେ ନାଗାଉର ଜିଲ୍ଲାର ମୁଣ୍ଡୱା ଗାଁରେ ରହନ୍ତି। ଯେତେବେଳେ ଗାଁରେ କିଛି ଚାଷ କାମ ନଥାଏ, ଶାନ୍ତି ତାଙ୍କ ପୁଅ ରାଜୁ, ତାଙ୍କ ସ୍ୱାମୀ, ବୋହୂ ସୁକଲି ଏବଂ ନାତି ଅମରଜିତଙ୍କ ସହ ସେ ପ୍ରତିବର୍ଷ ଏପ୍ରିଲ ମାସର ଅଧାରୁ ହିମାଚଳ ପ୍ରଦେଶକୁ ଆସିଥାନ୍ତି ଏବଂ ମେ ମାସ ଅଧା ଯାଏ ସେଠାରେ ରହିଥାନ୍ତି। ସେମାନେ ବସ୍ ମାଧ୍ୟମରେ ଯୋଧପୁରକୁ ଆସିଥାନ୍ତି, ସେଠାରୁ ଟ୍ରେନ୍ ଧରି ପଞ୍ଜାବର ଭଟିଣ୍ଡା ଓ ତା’ ପରେ ଏକ ବସ୍ରେ ଧର୍ମଶାଳାକୁ ଆସିଥାନ୍ତି। ଗୋଟିଏ ଥର ଯିବା ପାଇଁ ତାଙ୍କୁ ଜଣପିଛା ୩୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। 

ଧର୍ମଶାଳାକୁ ଆସିଲେ କେଉଁଠି ରୁହ? ‘ଆମେ ମାସକୁ ୨,୫୦୦ ଟଙ୍କା ଦେଇ ଗୋଟିଏ କୋଠରୀ ଭଡ଼ା ନେଇ ରହୁ। ସେଠାରେ ରୋଷେଇ କରି ଖାଇଥାଉ ମଧ୍ୟ।’ ପ୍ରତିଦିନ ସେମାନେ ହିନ୍ଦୀଗୀତର ସ୍ୱରରେ ବାଦ୍ୟଯନ୍ତ୍ର ବଜାଇ ୪୦୦ରୁ ୫୦୦ ଟଙ୍କା ରୋଜଗାର କରନ୍ତି। ଆଜି ସେମାନେ ଦୁଇ ଭାଗରେ ବିଭକ୍ତ ହୋଇଯାଇଛନ୍ତି। ଶାନ୍ତି ଓ ଅମରଜିତ ଗୋଟିଏ ସ୍ଥାନରେ ବସିଥିବାବେଳେ ରାଜୁ ଓ ପତ୍ନୀ ସୁକଲି ଅନ୍ୟ ସ୍ଥାନରେ ବସିଛନ୍ତି। 

ଧଉଳଧର ପର୍ବତାମାଳା ଏବଂ ବୌଦ୍ଧମଠମାନଙ୍କର ସୌନ୍ଦର୍ଯ୍ୟ ସହ ପ୍ରତିଦ୍ୱନ୍ଦ୍ୱିତା କରି ଏହି ସଙ୍ଗୀତଜ୍ଞମାନେ ପର୍ଯ୍ୟଟକମାନଙ୍କର ଦୃଷ୍ଟି ଆକର୍ଷଣ କରିବା ଲାଗି ଉଦ୍ୟମ କରିଥାନ୍ତି। ଯେଉଁମାନେ କି ସେମାନଙ୍କ ପାଖ ଦେଇ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବା ଲାଗି କାର, ଟ୍ୟାକ୍ସି ବା ମୋଟରବାଇକରେ ଖୁବ୍ ଶୀଘ୍ର ପଳାଇଥାନ୍ତି। ସାଧାରଣତଃ କୌଣସି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳକୁ ଯିବା ରାସ୍ତା ବା ତାର ଖୁବ୍ ନିକଟରେ ପ୍ରତିଦିନ ସେମାନେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ସେମାନଙ୍କର ବାଦ୍ୟଯନ୍ତ୍ର ବଜାଇଥାନ୍ତି। ଯଦି ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ତା’ ହେଲେ ପର୍ଯ୍ୟଟକମାନେ ସେମାନଙ୍କର ଦ୍ରୁତଗତିରେ ଯାଉଥିବା କାରରୁ ଓହ୍ଲାଇ ଆସନ୍ତି ନ ହେଲେ ପାଦରେ ଚାଲି ଯାଉଥିବା ଲୋକମାନେ ସେମାନଙ୍କ ନିକଟକୁ ଆସି ଗୀତ ଶୁଣନ୍ତି ଓ କିଛି ଟଙ୍କା ଦେଇଥାନ୍ତି। 

A man and his wife sitting on the side of the road in the moutains. the man is holding an instrument called ravanahatha in his hands
PHOTO • Namita Waikar

ଆମେ ଅମରଜିତ, ମଞ୍ଜୁ ଓ ସେମାନଙ୍କର ଦୁଇ ବର୍ଷର ପୁଅ ରାଜୁଙ୍କୁ ନାମଗ୍ୟାଲ ବୌଦ୍ଧମଠ ରାସ୍ତାରେ ଭେଟିଲୁ। 

ନାମଗ୍ୟାଲ ବୌଦ୍ଧମଠ ରାସ୍ତାରେ ରହିଛି ସୁଗଲଗଖାଙ୍ଗ କଂପ୍ଲେକ୍ସ ଯାହା ଦଲାଲଲାମାଙ୍କ ଘର। ସେଠାରେ ଆମେ ରାଜସ୍ଥାନରୁ ଆସିଥିବା ଆଉ ଗୋଟିଏ ବିସ୍ଥାପିତ ପରିବାରକୁ ଭେଟିଲୁ। ଏହି ପରିବାରରେ ମଧ୍ୟ ଜଣେ ଅମରଜିତ ଅଛନ୍ତି। କିନ୍ତୁ ସେ ରାବଣହାତର ସ୍ମୃତି ମଧୁର ଧୁନ୍ ବଜାନ୍ତି। ତାଙ୍କ ପତ୍ନୀ ମଞ୍ଜୁ ଏବଂ ସେମାନଙ୍କର ଦୁଇବର୍ଷର ପୁଅ ରାଜି ଗୋଟିଏ ସବୁଜ ପ୍ଲାଷ୍ଟିକ୍ ସପ ଉପରେ ତାଙ୍କ ନିକଟରେ ବସିଥିଲେ। ସେମାନଙ୍କ ସମ୍ମୁଖରେ ଥିବା ଷ୍ଟିଲ ଥାଳିରେ କେତେକ ୧୦ ଟଙ୍କିଆ ନୋଟ୍ ଓ କେତେକ କଏନ୍ ପଡ଼ିଥିଲା ଯାହାକି ସେହି ସ୍ଥାନ ଦେଇ ଯାଉଥିବା ପର୍ଯ୍ୟଟକମାନେ ଦେଇଥିଲେ। ସେମାନଙ୍କଠାରୁ କିଛି ପାଦ ପଛରେ ରାସ୍ତାର ଧାର ଖୁବ୍ ତୀକ୍ଷ୍ମ ଭାବେ କାଙ୍ଗ୍ରା ଉପତ୍ୟକା ଆଡକୁ ଲମ୍ବିଛି। 

ଅମରଜିତ ଓ ମଞ୍ଜୁ ମଧ୍ୟ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଜିଲ୍ଲାର ଗୋମାବାରି ଗାଁରୁ ଆସିଥିବା କୃଷିଶ୍ରମିକ। ଚଳିତବର୍ଷ ସେମାନଙ୍କ ଘରୁ ଧର୍ମଶାଳାକୁ ଆସିବା ପାଇଁ ତିନି ଜଣକ ପାଇଁ ସେମାନେ ୧,୨୦୦ ଟଙ୍କା ଗାଡ଼ି ଭଡ଼ା ଖର୍ଚ୍ଚ କରିଥିଲେ। ସେମାନେ ଏଠାରେ ମାସିକ ୩,୦୦୦ ଟଙ୍କା ଘରଭଡ଼ା ଦେଉଛନ୍ତି। ମଞ୍ଜୁ କହନ୍ତି,‘ଆମେ ଏଠାରେ ଗୋଟିଏ ଇଲେକ୍ଟ୍ରିକ୍ ହିଟର ସାହାଯ୍ୟରେ ରୋଷେଇ କରୁ। ଆମେ ଆମ ସାଙ୍ଗରେ ସବୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଣିଥିଲୁ, ତେଣୁ ଏଠାରେ ଆମକୁ ଅଧିକ ଖର୍ଚ୍ଚ କରିବାକୁ ପଡୁନାହିଁ। ’ ଦିନକୁ ୫୦୦ ଟଙ୍କା ରୋଜଗାର ଏବଂ ଯିବାଆସିବା ରହିବା ବାବଦକୁ ସେମାନଙ୍କର ଖର୍ଚ୍ଚକୁ ବାଦ୍ ଦେଲେ ସେମାନେ ମାସକୁ ୧୦,୦୦୦ ଟଙ୍କା ଆୟ କରୁଛନ୍ତି। 

ଅମରଜିତ ଧୀର ଭାବେ କହିଲେ, ‘ଆମେ ଯେତେବେଳେ ଗଙ୍ଗାନଗର ଯାଉ ସେଠାରେ କ୍ଷେତରେ ମଜୁରୀ କରୁ।’ ତାଙ୍କ ଚାରିପଟେ ପର୍ଯ୍ୟଟକ ଘେରିବା ଆରମ୍ଭ ହେବାରୁ ସେ କଥା କହିବା ବନ୍ଦ କରିଦେଲେ। ତା’ ପରେ ଲୋକପ୍ରିୟ ହିନ୍ଦୀ ଗୀତର ଧୂନରେ ସେ ରାବଣହାତର ତାର ଉପରେ ହାତ ଚଳାଇବା ଆରମ୍ଭ କଲେ। 

ପରଦେଶୀ, ପରଦେଶୀ, ଜାନା ନେହିଁ

ମୁଝେ ଛୋଡକେ...

ପରଦେଶୀ, ପରଦେଶୀ, ଛାଡ଼ି ଯାଅ ନାହିଁ

ମୋତେ ଛାଡ଼ି ଯାଅ ନାହିଁ ...

ଅନିଚ୍ଛାସତ୍ତ୍ୱେ ଆମେ ଗଲୁ। 

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ନମିତା ଓ୍ୱାକର ଜଣେ ଲେଖକ, ଅନୁବାଦକ ଏବଂ PARIର ପରିଚାଳନା ସଂପାଦକ। କେମିସଃତଈ ଡାଟବେସ୍ଫା ର୍ମର ସେ ଜଣେ ଅଂଶୀଦାର। ସେ ଜୈବ ରସାୟନବିତ ଭାବେ କାର୍ଯ୍ୟ କରିଛନ୍ତି ଏବଂ ଜଣେ ସଫ୍ଟଓ୍ୱାର ପ୍ରକଳ୍ପ ପରିଚାଳକ।

Other stories by Namita Waikar