“ମୁଁ ଖୁବ୍ ଖୁସି ଥିଲି । ମୁଁ କହିଲି, ‘ନମସ୍କାର’ । ସେ (ରାଷ୍ଟ୍ରପତି) ମୋତେ ସ୍ୱାଗତ ଜଣାଇଲେ ଏବଂ କହିଲେ, ‘ରାଷ୍ଟ୍ରପତି ଭବନକୁ ସ୍ୱାଗତ’,’’ ଚଳିତବର୍ଷ ମାର୍ଚ୍ଚ ମାସରେ ପଦ୍ମଶ୍ରୀ ପୁରସ୍କାର ପାଇଁ ନୂଆଦିଲ୍ଲୀକୁ ଯିବା ସମୟର କଥାକୁ ମନେ ପକାଇ କମଳା ପୂଜାରୀ ଏହା କହିଲେ ।

ବିହନ ସଂରକ୍ଷଣ ଦିଗରେ କମଳାଜୀଙ୍କ କାର୍ଯ୍ୟକୁ ସ୍ୱୀକୃତି ଦେଇ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା (ଉପରେ ଥିବା କଭର ଫଟୋକୁ ଦେଖନ୍ତୁ) । ତାଙ୍କ ପାଇଁ ଏହା ଏକ ଯାତ୍ରା, ଯାହାକି ୪ ଦଶନ୍ଧି ତଳୁ ଆରମ୍ଭ ହୋଇଥିଲା ଯେତେବେଳେ ସେ ବିବାହ ପରେ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଥିବା ପାତ୍ରପୁଟ ଗାଁକୁ ଆସିଥିଲେ। ସେ ମନେ ପକାଇଲେ, ସେତେବେଳେ ଗ୍ରାମବାସୀମାନେ ପ୍ରାୟ ୧୫ଟି ଦେଶୀ ପ୍ରଜାତିର ଧାନ ଚାଷ କରୁଥିଲେ । କଳାଜିରା, ଗୋଠିଆ, ହଳଦୀଚୁଡ଼ି, ଉମୁରିଆଚୁଡ଼ି, ମାଛକଣ୍ଟା, ଭୁଦେଇ, ଦୋଡିକାବୁରି ଏବଂ ଅନ୍ୟ ପ୍ରଜାତିର ଧାନକୁ ପ୍ରଚୁର ଭାବେ ଚାଷ କରାଯାଉଥିଲା । 

ସେ କହିଲେ, “ପ୍ରତି ପରିବାର ପରସ୍ପରଠାରୁ ଭିନ୍ନ ୨-୩ ପ୍ରକାର ଧାନ ଚାଷ କରୁଥିଲେ।’’ “ଫସଲ ଅମଳ ଋତୁର ଶେଷରେ ଲୋକମାନେ ପରସ୍ପର ମଧ୍ୟରେ ବିହନ ଏବଂ ଶସ୍ୟକୁ ବଦଳ କରୁଥିଲେ। ତାହା ମାଧ୍ୟମରେ ଗାଁରେ ବିଭିନ୍ନ ପ୍ରଜାତିର ଧାନ ରହୁଥିଲା ।’’

କିନ୍ତୁ ପ୍ରାୟ ୨୫ ବର୍ଷ ତଳୁ ଧାନର ପ୍ରଜାତି କମିବାରେ ଲାଗିଲା । କମଳାଜୀ ଯିଏକି ୬୦ ବର୍ଷରେ ଉପନୀତା ଏବଂ ଭୂମିଆ ଆଦିବାସୀ ସଂପ୍ରଦାୟର ବାସିନ୍ଦା ସେ କହିଲେ, “ଲ୍ୟାଣ୍ଡ୍ରେସେସ୍ (ଦେଶୀ ପ୍ରଜାତି)ର ଧାନ ଚାଷ କମୁଥିବାର ମୁଁ ଲକ୍ଷ୍ୟ କଲି । ମୁଁ ଅନୁଭବ କଲି ଯେ ସେଗୁଡ଼ିକୁ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି ।’’

କମଳାଜୀଙ୍କ ଅନୁସାରେ ଯେହେତୁ ଯୌଥ ପରିବାର ଭାଗଭାଗ ହୋଇଗଲା, ଛୋଟ ପରିବାରଗୁଡ଼ିକ ଅଧିକ ଅମଳକ୍ଷମ ହାଇବ୍ରିଡ୍ ବିହନ ବ୍ୟବହାର କରିବା ବୃଦ୍ଧି କଲେ । ଏହାଯୋଗୁ ଧାନର ପ୍ରଜାତି ନିଶ୍ଚିହ୍ନ ହେବା ଆରମ୍ଭ ହେଲା । ସେହି ପରିବର୍ତ୍ତନକୁ ସରକାରୀ ନୀତି ବି ସୁହାଇଲା । କମଳାଜୀଙ୍କ ପୁଅ ଟଙ୍କଧର ପୂଜାରୀ କହିଲେ, “ସବୁ ପ୍ରଜାତିକୁ ମଣ୍ଡି (ସରକାରଙ୍କ କ୍ରୟ ସଂସ୍ଥା)ରେ କିଣାଯାଏ ନାହିଁ କାରଣ ସେଗୁଡ଼ିକ ସେମାନଙ୍କର ମାନକ (‘ଉଚିତ୍ ହାରାହାରି ଗୁଣବତ୍ତା’)ପାଳନ କରିପାରନ୍ତି ନାହିଁ ।’’ “ସମୟ ସମୟରେ ମାଛକଣ୍ଟା ପରି ଫାଇନ୍ କ୍ୱାଲିଟିର ଧାନକୁ ମଣ୍ଡିରେ ବିକ୍ରି କରିହେବ। କିନ୍ତୁ ଅଧିକାଂଶ ସମୟରେ ଆମେ ମାଛକଣ୍ଟା ଏବଂ ହଳଦୀଚୁଡ଼ିକୁ ଘରେ ବ୍ୟବହାର ପାଇଁ ଚାଷ କରୁ ଏବଂ ‘ସରକାରୀ ଧାନ ୧୦୧୦’ (ଏକ ନୂଆ ପ୍ରଜାତିର ହାଇବ୍ରିଡ୍ ଧାନ)କୁ ମଣ୍ଡିରେ ବିକ୍ରି କରିବା ଲାଗି ଚାଷ କରିଥାଉ ।’’
Seeds storage in Nuaguda seed bank. Seeds stored in earthen pots are treated with neem and custard apple leaves to keep pests and fungus away. Seeds stored in air-tight plastic jars are labelled. Currently in the seed bank, there are 94 paddy and 16 ragi varieties
PHOTO • Harinath Rao Nagulavancha
Seeds storage in Nuaguda seed bank. Seeds stored in earthen pots are treated with neem and custard apple leaves to keep pests and fungus away. Seeds stored in air-tight plastic jars are labelled. Currently in the seed bank, there are 94 paddy and 16 ragi varieties
PHOTO • Harinath Rao Nagulavancha

କୋରାପୁଟ ଜିଲ୍ଲାରୁ ଅନେକ ପ୍ରଜାତିର ବିହନ ଏବଂ ପାରମ୍ପରିକ କିସମ ଧୀରେ ଧୀରେ ନିଶ୍ଚିହ୍ନ ହୋଇଯାଇଛି କିମ୍ବା ସ୍ଵତନ୍ତ୍ର ଅବସର ପାଇଁ ଛୋଟ ଛୋଟ ପ୍ଲଟରେ ଚାଷ କରାଯାଉଛି । ଅନ୍ୟ ପ୍ରଜାତିଗୁଡ଼ିକୁ ଏବେ କେବଳ ବିହନ ବ୍ୟାଙ୍କରେ ଦେଖିବାକୁ ମିଳିବ । ଯେପରିକି ନୂଆଗୁଡ଼ା ଗାଁରେ ଥିବା ଏହି ବିହନ ବ୍ୟାଙ୍କ ଯେଉଁଠାରେ ୯୪ ପ୍ରକାରର ଧାନ ଏବଂ ୧୬ ପ୍ରକାରର ମାଣ୍ଡିଆ ବିହନ ରହିଛି ।

ଯେତେବେଳେ ସେ ଦେଖିଲେ ଯେ ଦେଶୀ ପ୍ରଜାତିର ବିହନ ନିଶ୍ଚିହ୍ନ ହେବାକୁ ବସିଛି, ସେତେବେଳେ କମଳାଜୀ ପାତ୍ରପୁଟଠାରୁ ୨୦ କିମି ମଧ୍ୟରେ ଥିବା ଗାଁଗୁଡ଼ିକରେ ପାଦରେ ବୁଲି ବୁଲି ବିହନ ସଂଗ୍ରହ କଲେ ।  ସେ ମନେ ପକାଇଲେ “ରାସ୍ତା ବହୁତ କଠିନ ଥିଲା, ଖୁବ୍ ଜଙ୍ଗଲିଆ ଥିଲା ।’’ ସମୟ ସମୟରେ ତାଙ୍କୁ ବିହନ ସଂଗ୍ରହ କରିବାକୁ ଯାଇଥିବା ଗାଁରେ ରାତି କଟାଇବାକୁ ପଡୁଥିଲା ।

ସଂଗୃହୀତ ବିହନକୁ ନିଜ ଘରେ ସାଇତି ରଖି କିମ୍ବା ତାଙ୍କ ପରିବାରର ୨ ଏକର ଜମି ମଧ୍ୟରୁ ଛୋଟିଆ ଛୋଟିଆ ଅଂଶରେ ତାକୁ ବୁଣି କମଳାଜୀ ବିହନକୁ ସଂରକ୍ଷଣ ଆରମ୍ଭ କଲେ। ସମୟାନୁକ୍ରମେ ତାଙ୍କ ବସ୍ତିଠାରୁ ୧୩ କିମି ଦୂରରେ ପାତ୍ରପୁଟରେ ଏମଏସ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍(ଏମଏସଏସଆରଏଫ୍)ର ପକ୍ଷରୁ ୨୦୦୧ରେ ପ୍ରତିଷ୍ଠା କରାଯାଇଥିବା ଏକ ବିହନ ବ୍ୟାଙ୍କରେ ସେ ବିହନକୁ ରଖିଲେ । 

ଯେତେବେଳେ ଆମେ ପାତ୍ରପୁଟଠାରେ ଦେଖାସାକ୍ଷାତ ହେଲୁ ସେ କହିଲେ, ପଡ଼ୋଶୀ ଗାଁର ଅଧିକାଂଶ ପରିବାରରେ “କେବଳ ମାତ୍ର ଦୁଇ ପ୍ରକାରର ଧାନ (ମାଛକଣ୍ଟା ଏବଂ ହଳଦୀଚୁଡ଼ି) ଏବେ ମଧ୍ୟ ଚାଷ କରାଯାଉଛି ।’’ ଜୟପୁର ବ୍ଲକର ଡଙ୍ଗରଚିଞ୍ଚି ପଞ୍ଚାୟତର କଞ୍ଜେଇପାତ୍ରପୁଟ ଗାଁଠାରୁ ୩ କିମି ଦୂରରେ ରହିଛି ଛୋଟ ଗାଁ ପାତ୍ରପୁଟ । ସେଠାରେ ୧୧୯ଟି ପରିବାର ବସବାସ କରୁଛନ୍ତି । ଗାଁର   ଜନସଂଖ୍ୟା ୯୬୬ (ଗାଁର ପରିବାରଗୁଡ଼ିକୁ ମିଶାଇ) ମଧ୍ୟରୁ ୩୮୧ ଜଣ ଅନୁସୂଚୀତ ଜନଜାତିର ।

କମଳାଜୀଙ୍କର ଦୁଇ ଏକର ଜମି ମଧ୍ୟରୁ ଅଧିକାଂଶକୁ ମୁଖ୍ୟତଃ ତାଙ୍କର ପୁଅ ଟଙ୍କଧର (ପ୍ରାୟ ୩୫ ବର୍ଷ) ଚାଷ କରୁଛନ୍ତି । ଜମିର କିଛି ଅଂଶରେ ମାଛକଣ୍ଟା ଓ ହଳଦୀଚୁଡ଼ି ଚାଷ କରିବା ବ୍ୟତୀତ ତାଙ୍କ ପରିବାର ଆଉ ପାରମ୍ପରିକ ବିହନରେ ଚାଷ କରୁନାହାନ୍ତି । ଟଙ୍କଧର କହିଲେ ସେମାନେ ଧୀରେ ଧୀରେ ସ୍ଥାନୀୟ ପ୍ରଜାତିରୁ ଅଧିକ ଅମଳକ୍ଷମ ହାଇବ୍ରିଡ୍ ବିହନକୁ ପ୍ରାୟ ୧୦ ବର୍ଷ ତଳୁ ଚାଷ କରିବା ଆରମ୍ଭ କରିଛନ୍ତି ।

Tankadhar Pujhari, Kamala Pujhari’s son, at their one-acre lowland paddy farm in Patraput hamlet
PHOTO • Harinath Rao Nagulavancha
Budra Pradhan shows the difference in two paddy varieties. While both the seeds are in dark brown color, the one on the left have [or top; depending on the photo orientation] more golden touch, from tip to the center. And the one on the right has golden color just at tip and on edges
PHOTO • Harinath Rao Nagulavancha

ବାମ: ଟଙ୍କଧର ପୂଜାରୀ କହିଲେ, ‘ଆମର ରୋଜଗାର ଆମେ କେତେ ଧାନ ଅମଳ କରୁଛୁ ତା’ ଉପରେ ନିର୍ଭର କରେ ।’ ଡାହାଣ: ବୁଦ୍ରା ପ୍ରଧାନ ଆମକୁ ଦୁଇ ପ୍ରଜାତିର ଧାନ ବିହନ ପ୍ରଦର୍ଶନ କରୁଛନ୍ତି

ସେ କହିଲେ, ‘‘ଆମର ରୋଜଗାର ଆମେ କେତେ ଧାନ ଅମଳ କରୁଛୁ ତା’ ଉପରେ ନିର୍ଭର କରେ ।’’ “ଗୋଟିଏ ବା ଦୁଇଟି ପାରମ୍ପରିକ ପ୍ରଜାତିରୁ ୬-୧୦ କ୍ୱିଣ୍ଟାଲ ଧାନ ଅମଳ ହୋଇଥାଏ । ଅଧିକ ଅମଳକ୍ଷମ ବିହନରୁ ଆମେ ଯେତିକି ଧାନ ପାଉ (୧୫-୧୮କ୍ୱିଣ୍ଟାଲ) ଏହା ତା’ଠାରୁ ଖୁବ୍ କମ୍ । ଉତ୍ପାଦନ କମିଲେ ମୁଁ କିଭଳି ପରିବାରର ଯତ୍ନ ନେଇପାରିବି? ଏହାଛଡ଼ା, ବିଭିନ୍ନ ପ୍ରଜାତିର ଧାନ ଅପେକ୍ଷା ଗୋଟିଏ ପ୍ରଜାତିର ଧାନ ବିକ୍ରି କରିବା ସହଜ ।’’

ନିଜର ପାରିବାରିକ ସମସ୍ୟା ସତ୍ତ୍ଵେ କମଳାଜୀ ତାଙ୍କର ବିହନ ସଂରକ୍ଷଣ କାମ ଜାରି ରଖିଛନ୍ତି ଯେଉଁଥିପାଇଁ ତାଙ୍କୁ ବହୁ ପୁରସ୍କାର ମିଳିଛି । ୨୦୦୨ରେ ସେ ଜୋହାନ୍ସବର୍ଗରୁ ଜୟପୁରର ଆଦିବାସୀ ସଂପ୍ରଦାୟ ପକ୍ଷରୁ ‘ଇକ୍ୱେଟର ଇନିସିଏଟିଭ’ ପୁରସ୍କାର ଗ୍ରହଣ କରିଥିଲେ। ୨୦୦୯-୧୦ରେ ପଞ୍ଚବଟୀ ଗ୍ରାମ୍ୟ ଉନ୍ନୟନ ସମିତି (ଏକ ଗ୍ରାମୀଣ ବିକାଶ ସୋସାଇଟି ଯାହାକି ଏମଏସଏସଆରଏଫ୍ ସହାୟତାରେ ୨୦୦୩ରେ ପ୍ରତିଷ୍ଠା କରାଯାଇଥିଲା, ଯେଉଁଥିରେ କମଳାଜୀ ଉପସଭାପତି ଥିଲେ) ତା’ ପକ୍ଷରୁ ସେ ‘ପ୍ଲାଣ୍ଟ ଜେନୋମ୍ ସାଭିଅର କମ୍ୟୁନିଟି ପୁରସ୍କାର’ ପାଇଥିଲେ । ସେହି ପୁରସ୍କାରକୁ ପ୍ରୋଟେକ୍ସନ୍ ଅଫ୍ ପ୍ଲାଣ୍ଟ ଭେରାଇଟିଜ୍ ଆଣ୍ଡ ଫାର୍ମସ ରାଇଟ୍ସ ଅଥୋରିଟି (ପିପିଭିଏଫ୍ଆରଏ) ଦ୍ୱାରା ଆରମ୍ଭ କରାଯାଇଥିଲା ।

ପ୍ରତିବର୍ଷ ଏହି ପୁରସ୍କାର ଚାଷୀ ବା ଗଛଗୁଡ଼ିକର ଜୈବବିବିଧତାର ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ କାମ କରିଥିବା ଗୋଷ୍ଠୀଭିତ୍ତିକ ସଂସ୍ଥା ପକ୍ଷରୁ ମିଳିଥିବା ଆବେଦନ ଭିତ୍ତିରେ ପ୍ରଦାନ କରାଯାଇଥାଏ । ପିପିଭିଏଫ୍ଆରଏ ହେଉଛି ଭାରତ ସରକାରଙ୍କ ଏକ ଶାଖା, ୨୦୦୧ର ପିପିଭିଏଫ୍ଆରଏ ଆଇନକୁ ପାଳନ କରିବା ଲାଗି କୃଷିବିଭାଗ ଅଧୀନରେ ନଭେମ୍ବର ୨୦୦୫ରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା । ଏହାର ଅଧିକାରୀମାନେ ଯେଉଁ ଚାଷୀ ବା ସଂସ୍ଥାମାନେ ଦେଶୀ ବିହନ ସଂରକ୍ଷଣ କରିଛନ୍ତି, ତାକୁ ଚାଷ କରିଛନ୍ତି, କିମ୍ବା ନୂଆ ପ୍ରଜାତିକୁ ବିକଶିତ କରିଛନ୍ତି ସେମାନଙ୍କୁ ଅଧିକାର ପ୍ରଦାନ କରିଥାନ୍ତି । 

କିନ୍ତୁ ପଦ୍ମଶ୍ରୀ କିମ୍ବା ପିପିଭିଏଫ୍ଆରଏ ପୁରସ୍କାର କମଳାଜୀଙ୍କୁ ବିହନର ଅଧିକାର ପାଇବା ଲାଗି ସହାୟକ ହୋଇପାରିନାହିଁ, ଯେଉଁ ବିହନକୁ ଏକଦା ସେ ଚାଷ କରିଥିଲେ ଏବଂ ଏବେ ତାକୁ ସାଇତି ରଖୁଛନ୍ତି । ଏପରିକି ପିପିଭିଏଫ୍ଆରଏ ସଂପର୍କରେ ସେ ଜାଣିନଥିଲେ ଏବଂ ସେ ଧାନ ଉପରେ ଅଧିକାର ଦାବି କରିପାରିବେ ବୋଲି ବି ଜାଣିନଥିଲେ । ଉଦାହରଣସ୍ଵରୂପ କଳାଜିରା ଉପରେ ଓଡ଼ିଶାର ହରିଚନ୍ଦ୍ରପୁରର ଯୋଗେନ୍ଦ୍ର ସାହୁଙ୍କର ଅକ୍ଟୋବର ୮, ୨୦୧୩ରୁ ଅଧିକାର ରହିଆସୁଛି (୨୦୨୮ ଅକ୍ଟୋବର ୭ ତାରିଖ ଯାଏ ତାଙ୍କ ନିକଟରେ ତାହା ରହିବ) । କଳାଜିରା ଉପରେ ଅଧିକାର ସାବ୍ୟସ୍ତ ପାଇଁ ଯୋଗେନ୍ଦ୍ରଙ୍କର ଆବେଦନ ଜୁନ୍ ୨୦୧୩ରେ ପ୍ଲାଣ୍ଟ ଭେରାଇଟି ଜର୍ଣ୍ଣାଲ ଅଫ୍ ଇଣ୍ଡିଆରେ ବିଜ୍ଞପିତ ହୋଇଥିଲା । ଆଇନ ଅନୁସାରେ କମଳାଜୀ କିମ୍ବା ଯେକୌଣସି ଚାଷୀ ସଂପ୍ରଦାୟ ଯେଉଁମାନେ ସେହି ଧାନ ଉପରେ ଅଧିକାର ଥିବା କଥା ମନେ କରୁଛନ୍ତି ସେମାନେ ଯୋଗେନ୍ଦ୍ରଙ୍କର ଦାବି ବିରୋଧରେ ୩ ମାସ ମଧ୍ୟରେ ଏକ ଦାବି କରିବାର ଥିଲା ।

Chandramma Masia at her house in Nuaguda
PHOTO • Harinath Rao Nagulavancha
Rukmani Khillo set to pack and store Machhakanta and Muktabali rice varieties for the next sowing season
PHOTO • Harinath Rao Nagulavancha

ବାମ: ନୂଆଗୁଡ଼ା ବସ୍ତିର ଚନ୍ଦ୍ରମ୍ମା ମାସିଆ କହନ୍ତି ତାଙ୍କ ପରିବାର ମଧ୍ୟ ଦେଶୀ ଧାନରୁ ଏକ ‘ଉନ୍ନତ’ କିସମର ଧାନ ଚାଷ କରୁଛନ୍ତି । ଡାହାଣ: ରୁକ୍ମଣୀ ଖିଲୋ ସ୍ଥାନୀୟ ପର୍ବପର୍ବାଣୀ ପାଇଁ ମୁକ୍ତାବାଲିକୁ ଅଧ ଏକର ଏବଂ ମାଛକଣ୍ଟାକୁ ୨ ଏକର ଜମିରେ ଚାଷ କରୁଛନ୍ତି ।

କିନ୍ତୁ କମଳାଜୀ ଜର୍ଣ୍ଣାଲ ପଢନ୍ତି ନାହିଁ । ପ୍ରକୃତରେ, ଅନେକ ଚାଷୀ ପିପିଭିଏଫଆରଏ କିମ୍ବା ବର୍ଷ ବର୍ଷ ଧରି ସେମାନେ ଯେଉଁ ବିହନ ଚାଷ କରୁଛନ୍ତି ସେଥିନେଇ ଅଧିକାର ସାବ୍ୟସ୍ତ କରିପାରିବେ ବୋଲି ଜାଣିନାହାନ୍ତି । ଏହାର ଅର୍ଥ ଯିଏ ପ୍ରଥମେ ଦାବି କରିବେ ତାଙ୍କର ନାମ ପଞ୍ଜିକୃତ ହେବ। ତେଣୁ ଯଦି କଳାଜିରା ପ୍ରଜାତି ବ୍ୟାବସାୟିକ ଭାବେ ଲାଭ ପାଏ ତା’ ହେଲେ ଅତି କମରେ ଆଗାମୀ ୯ ବର୍ଷ ଧରି ଯୋଗେନ୍ଦ୍ର ଏକୁଟିଆ ତାର ଲାଭ ପାଇବେ । ମେ ୨୦୧୯ ମଧ୍ୟରେ ପିପିଭିଏଫ୍ଆରଏ ୩,୫୩୮ଟି ପ୍ରଜାତିକୁ ସାର୍ଟିଫିକେଟ୍ ଦେଇସାରିଛି- ସେଥିମଧ୍ୟରୁ ୧,୫୯୫ଟି ହେଉଛି ଚାଷୀଙ୍କର ପ୍ରଜାତି । ଅନ୍ୟଗୁଡ଼ିକ ଘରୋଇ ବିହନ କଂପାନି; ଗବେଷଣା ବିଶ୍ଵବିଦ୍ୟାଳୟ କିମ୍ବା ବ୍ୟକ୍ତିଗତ ବ୍ୟାବସାୟିକ ବିହନ ପ୍ରସ୍ତୁତକର୍ତ୍ତାଙ୍କୁ ମିଳିଛି ।

ଅବଶ୍ୟ କୃଷକ କର୍ମକର୍ତ୍ତାମାନେ କୌଣସି ଜଣେ ଚାଷୀ ବା ସଂପ୍ରଦାୟ ଏକ ନୂଆ ପ୍ରଜାତିର ବିହନ ବିକଶିତ ନ କଲା ଯାଏ ସେମାନଙ୍କୁ ଅଧିକାର ନ ଦିଆଯିବାକୁ ଦାବି କରୁଛନ୍ତି । କମଳାଜୀ କହିଲେ, “ବିହନ ତିଷ୍ଠି ରହିବ ଯଦି ସେଗୁଡ଼ିକୁ ଋତୁ ପରେ ଋତୁ ନିୟମିତ ଭାବେ ଚାଷ କରାଯିବ, ଅନ୍ୟ ବାଟେ ନୁହେଁ (ଅଧିକାର ଏବଂ ସାର୍ଟିଫିକେଟ୍ ଉପାୟରେ) ।’’

ଇତିମଧ୍ୟରେ ବାରମ୍ବାର ଚାଷ ନ ହେବା ଫଳରେ ଅନେକଗୁଡ଼ିଏ ପ୍ରଜାତି ନିଶ୍ଚିହ୍ନ ହୋଇଯାଉଛି । କାଞ୍ଜେଇପାତ୍ରପୁଟଠାରୁ ପ୍ରାୟ ୩୫ କିମି ଦୂର କୁନ୍ଦୁରା ବ୍ଲକର ଲିମା ଗାଁର ନୂଆଗୁଡ଼ା ବସ୍ତିର ଅନ୍ୟ ଜଣେ ଭୂମିଆ ଆଦିବାସୀ ଚାଷୀ ଚନ୍ଦ୍ରମ୍ମା ମାସିଆ(୫୫) କହିଲେ, ତାଙ୍କ ପରିବାର ମଧ୍ୟ ଦେଶୀ ଧାନ (ପାରମ୍ପରିକ ପ୍ରଜାତି) ବଦଳରେ ଏକ ‘ଉନ୍ନତ’ ପ୍ରଜାତିର ଧାନ ଚାଷ କରୁଛନ୍ତି ।  ସେ କହିଲେ “ଆମେ ୧୫-୨୦ କ୍ୱିଣ୍ଟାଲ ଧାନ ପାଉଛୁ (ଏହି ‘ଉନ୍ନତ’ କିସମରୁ) । ଅମଳ ବଢିବା ଦେଖି ଅନ୍ୟ ଗାଁର ଚାଷୀମାନେ ମଧ୍ୟ ମୋତେ ବିହନ ପାଇଁ ନିବେଦନ କରୁଛନ୍ତି ।’’ ଚନ୍ଦ୍ରମ୍ମା ତାଙ୍କ ପରିବାରର ବ୍ୟବହାର ପାଇଁ ୧୦୦ ଦିନିଆ ପାରମ୍ପରିକ କିସମ ପାଣ୍ଡକାଗୁରାକୁ କେବଳ ମାତ୍ର ଅଧ ଏକର ଜମିରେ ଚାଷ କରୁଛନ୍ତି ।

ସେହିଭଳି ପରଜା ସଂପ୍ରଦାୟର ଆଦିବାସୀ ବାସିନ୍ଦା  ୪୦ ବର୍ଷୀୟ ରୁକ୍ମଣୀ ଖିଲୋ ତାଙ୍କର ଅଧ ଏକର ଜମିରେ ମୁକ୍ତାବାଲି ଏବଂ ଦୁଇ ଏକର ଜମିରେ ମାଛକଣ୍ଟା ଚାଷ କରୁଛନ୍ତି । ଲିମା ଗାଁର ଝୋଲାଗୁଡ଼ା ବସ୍ତିର ବାସିନ୍ଦା ରୁକ୍ମଣୀ କହିଲେ,“ଏଗୁଡ଼ିକ ବୁଣା ହେବାଠାରୁ ୯୦-୧୦୦ ଦିନ ମଧ୍ୟରେ ଅମଳ ହୋଇପାରିବ (ଲମ୍ବା ଅବଧିର ଧାନ ପାଇଁ ୧୨୦-୧୪୦ ଦିନ ଲାଗିଥାଏ), ଏବଂ ସ୍ଥାନୀୟ ଚାଷୀମାନଙ୍କ ମଧ୍ୟରେ ଏହିଭଳି କମ୍ ସମୟରେ ଅମଳ ହୋଇପାରୁଥିବା କିସମର ଖୁବ୍ ଚାହିଦା ରହିଛି ।’’

Raimati Ghiuria has packed Kalajira, close to 10 quintals, in a large bamboo basket, which she will open before the sowing season or during the Nuakhai festival
PHOTO • Harinath Rao Nagulavancha
“We have our first meal of year, cooked from grain produced that year, only after submitting the food to our village goddess, ‘Gaon Budhi Thakurani’,” says Damo Paroja
PHOTO • Harinath Rao Nagulavancha

ବାମ: ରାଇମତି ଘିଉରିଆ ବିହନ ବୁଣିବା ଏବଂ ନୂଆଖାଇ ପର୍ବ ପାଇଁ ଏକ ବାସ୍କେଟରେ କଳାଜିରା ଭର୍ତ୍ତି କରିଛନ୍ତି: ଡାହାଣ: ଡମୁ ପରଜା କହିଲେ, “ଆମେ ବର୍ଷର ପ୍ରଥମ ଭୋଜନକୁ ସେହିବର୍ଷ ଅମଳ କରିଥିବା ଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ଆମର ଗ୍ରାମଦେବତୀଙ୍କ ପାଖରେ ଭୋଗ କରିବା ପରେ ଖାଇଥାଉ ।’’

କମଳାଜୀଙ୍କ ଝିଅ ୪୨ ବର୍ଷୀୟ ରାଇମତି ଘିଉରିଆ ପାତ୍ରପୁଟଠାରୁ ପ୍ରାୟ ୩୫ କିମି ଦୂର ନୂଆଗୁଡ଼ାରେ ଥିବା ତାଙ୍କ ପରିବାରର ୬ ଏକର ଜମିରେ ପାରମ୍ପରିକ ଧାନ ଚାଷ କରନ୍ତି । ଚଳିତବର୍ଷ ସେ କଳାଜିରା, ମାଛକଣ୍ଟା, ହଳଦୀଚୁଡ଼ି, ଗୋଥିଆ, ଡଙ୍ଗର ଏବଂ ବୋଡିକାବୁରି ଚାଷ କରିଛନ୍ତି । ରାଇମତି କହିଲେ, “ଛଅ ଏକର ମଧ୍ୟରୁ ୨ ଏକର ଜମିରେ ହେଉଥିବା ଫସଲ ଆମର ୧୦ ଜଣିଆ ପରିବାରର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ । ବଳକା ଧାନକୁ ଆମେ ବିକ୍ରି କରୁ (ସ୍ଥାନୀୟ ଚାଷୀଙ୍କୁ) । ଏଗୁଡ଼ିକ ସବୁ ସ୍ପଳ୍ପ ଅବଧିର କିସମ ।’’

ସ୍ଵଳ୍ପ ଅବଧିର କିସମ ସ୍ଥାନୀୟ ଅଞ୍ଚଳରେ ବିକ୍ରି ହୋଇଥାଏ କାରଣ ସେଗୁଡ଼ିକ ଆଦିବାସୀ ପର୍ବ ନୂଆଖାଇ, ପ୍ରାୟତଃ ସେପ୍ଟେମ୍ବର-ଅକ୍ଟୋବର ମାସରେ ନୂଆ ଦିନ ପାଇଁ ପାଳନ କରାଯାଉଥିବା ପର୍ବର କେନ୍ଦ୍ରବିନ୍ଦୁ । କୁନ୍ଦୁରା ବ୍ଲକର କୁନ୍ଦୁରା ଗାଁର ପରଜା ଆଦିବାସୀ ସଂପ୍ରଦାୟର ଡମୁ ପରଜା (୩୮) କହିଲେ, “ଆମେ ବର୍ଷର ପ୍ରଥମ ଭୋଜନକୁ ସେହିବର୍ଷ ଅମଳ କରିଥିବା ଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ଆମର ଗ୍ରାମଦେବତୀ, ଗ୍ରାମର ବୁଢି ଠାକୁରାଣୀଙ୍କ ପାଖରେ ଭୋଗ କରିବା ପରେ ଖାଇଥାଉ । ସେଦିନ ଆମେ ମେସିନ୍ ଦ୍ୱାରା ପ୍ରକ୍ରିୟାକରଣ ହୋଇଥିବା ଶସ୍ୟ ଖାଉନା, ହାତରେ କୁଟାଯାଇ ପ୍ରସ୍ତୁତ ହୋଇଥିବା ଶସ୍ୟ ଖାଇଥାଉ ।’’

ଅନ୍ୟ ସବୁ ଦେଶୀ କିସମକୁ ବିହନ ବ୍ୟାଙ୍କରେ ରଖାଯାଇଛି । ପାତ୍ରପୁଟ, ନୂଆଗୁଡ଼ା ଏବଂ ଝୋଲାଗୁଡ଼ା ଗାଁରେ  ଗୋଷ୍ଠୀ ଦ୍ୱାରା ପରିଚାଳିତ ୩ଟି ବିହନ ବ୍ୟାଙ୍କ୍ ରହିଛି (ଏମଏସଏସଆରଏଫ୍ ପକ୍ଷରୁ ସେଗୁଡ଼ିକୁ ପ୍ରତିଷ୍ଠା କରାଯାଇଥିଲା) । ରାଜ୍ୟ ସରକାରଙ୍କ ଓଡ଼ିଶା ମିଲେଟ୍ ମିସନର ଜଣେ ଗୋଷ୍ଠୀ ରିସୋର୍ସ ପର୍ସନ୍ ବୁଦ୍ରା ପ୍ରଧାନ (୨୫) କହିଲେ, “ଆମ ପାଖରେ ୯୪ ପ୍ରକାରର ଧାନ ଏବଂ ୧୬ ପ୍ରକାରର ମାଣ୍ଡିଆ କିସମ ନୂଆଗୁଡ଼ା ବିହନ ବ୍ୟାଙ୍କରେ ରହିଛି । ପ୍ରତିବର୍ଷ ଏହାକୁ ଏକ ସଂରକ୍ଷିତ ପ୍ଲଟରେ ବୁଣାଯାଇଥାଏ । ଚଳିତବର୍ଷ ଆମେ ଅଧିକ ସଂଖ୍ୟକ ପ୍ରଜାତିକୁ ବିଭିନ୍ନ ସ୍ଥାନରୁ ସଂଗ୍ରହ କରିଛୁ ଏବଂ ଧାନ ବିହନର ସଂଖ୍ୟାକୁ ୧୧୦ରେ ପହଞ୍ଚାଇଛୁ ।’’ 

କମଳାଜୀ କହିଲେ, “ଚାଷକ୍ଷେତ୍ରରେ ବିହନକୁ ବୁଣିବାକୁ ହୁଏ, ତାହା ବଡ଼ ହୁଏ, ଫସଲ ଅମଳ ହୁଏ, ସାଇତା ଯାଏ, ବଣ୍ଟନ କରାଯାଏ । ଏସବୁ କାମ ମଧ୍ୟରୁ ମୁଁ ଲୋକଙ୍କୁ ବିହନ ବାଣ୍ଟିବାକୁ ଭଲ ପାଏ । ଯଦି ବି ମୋ ପାଖରେ ଯାହା ଅଛି ତା’ ମୁଁ ହରାଇଦିଏ, ତା’ ହେଲେ ତାହା ଅନ୍ୟ କାହା ପାଖରେ ସୁରକ୍ଷିତ ଭାବେ ରହିବ ।’’ “ଆମର ବିହନକୁ ସଂରକ୍ଷଣ କରିବାରେ ସରକାରଙ୍କ ସହାୟତା ଆମକୁ ବହୁ ଆଗକୁ ନେଇଯିବ। ଭବିଷ୍ୟତ ପାଇଁ ଆମର ଦେଶୀ ବିହନକୁ ସଂରକ୍ଷଣ କରିବାରେ ସରକାରଙ୍କ ସହାୟତା ପାଇଁ ମୁଁ ନିବେଦନ କରୁଛି ।’’

ତାଙ୍କ ପୁଅ ଟଙ୍କଧର ଆହୁରି ଯୋଗକଲେ, “ଆସନ୍ତା ବର୍ଷଠାରୁ ମୁଁ ଦେଶୀ ପ୍ରଜାତିର ଧାନ ଚାଷ କରିବି । ଅନେକ ଲୋକ ଯେଉଁମାନେ କି ମୋ ମା’ଙ୍କୁ ଭେଟିବାକୁ ଆସୁଛନ୍ତି ସେମାନେ ପଚାରୁଛନ୍ତି: ତୁମର ମା’ ଯେତେବେଳେ ଦେଶୀ ବିହନର ସଂରକ୍ଷଣ ପାଇଁ ପୁରସ୍କାର ପାଉଛନ୍ତି ସେତେବେଳେ ତୁମେ କିପରି ଶଙ୍କରୀ ଧାନ ଚାଷ କରିପାରିବ ।’’

ତଥ୍ୟ ଏବଂ ଅନୁବାଦରେ ସହାୟତା କରିବା ଯୋଗୁ ଲେଖକ ଡବ୍ଲୁଏଏସଏସଏଏନ, କୋରାପୁଟ, ଓଡ଼ିଶାର ସୁଶାନ୍ତ ଶେଖର ଚୌଧୁରୀ ଏବଂ ତ୍ରିନାଥ ତାରାପୁଟିଆଙ୍କ ନାମକୁ ସ୍ୱୀକାର କରୁଛନ୍ତି । ସେହିପରି ଏମ ଏସ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍, କୋରାପୁଟ, ଓଡ଼ିଶାର  ପ୍ରତାପ ଚନ୍ଦ୍ର ଜେନା ଏବଂ ପ୍ରଶାନ୍ତ କୁମାର ପରିଡ଼ାଙ୍କ ନାମକୁ ଉଲ୍ଲେଖ କରୁଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Harinath Rao Nagulavancha

ହରିନାଥ ରାଓ ନାଗୁଲାବଞ୍ଚା ଜଣେ କମଳା ଚାଷୀ ଏବଂ ତେଲେଙ୍ଗାନାର ନାଲ୍‌ଗୋଣ୍ଡାରେ ରହୁଥିବା ଜଣେ ସ୍ୱାଧୀନ ସାମ୍ବାଦିକ।

Other stories by Harinath Rao Nagulavancha