ଅନନ୍ତପୁର ଜିଲ୍ଲାର ନାଗରୁର ଗ୍ରାମବାସୀ ଅତୀତର ସେଇ ସମୟକୁ ଝୁରି ହେଉଛନ୍ତି ଯେଉଁ ସମୟରେ ସେମାନଙ୍କ ଗାଁରେ ପ୍ରଚୁର ଭୂତଳ ଜଳ ରହିଥିଲା । ବେଳେବେଳେ ସେମାନେ ବର୍ତ୍ତମାନ କାଳରେ କହନ୍ତି ୨୦୦୭ ମସିହା ପୂର୍ବ ସମୟର କଥା। ବୋଧହୁଏ ସେଇ ଦିନଗୁଡ଼ିକର ଅପେକ୍ଷାକୃତ ସମୃଦ୍ଧ ବେଳାକୁ ସହଜରେ ଭୁଲିବାକୁ ସେମାନେ ସକ୍ଷମ ନୁହଁନ୍ତି ।

ଯଦିଓ ବୃଷ୍ଟିପାତ ହାର କମି ଯାଇଥିଲା, ତଥାପି ପାଖାପାଖି ୨୦୦୭ ବେଳକୁ ନାଗରୁର ଗାଁ ନିକଟ ହ୍ରଦଟି ଶେଷ ଥର ପାଇଁ ଉଛୁଳି ଉଠିଥିଲା । ଗାଁର ୪୨ ବର୍ଷୀୟ କୃଷକ ଭି. ରାମକ୍ରିଷ୍ଣା ନାଇଡୁ କହନ୍ତି, “ଏନ୍‌.ଟି. ରାମା ରାଓଙ୍କ (ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ) ସମୟରେ ନିୟମିତ ବର୍ଷା ହେଉଥିଲା । ଯେତେବେଳେ ୱାଇ.ଏସ୍‌.ରାଜଶେଖର ରେଡ୍ଡି (୨୦୦୪ରେ ଶାସନ କ୍ଷମତାକୁ) ଆସିଲେ (ପ୍ରବଳ ବର୍ଷା ହେତୁ) ସପ୍ତାହକ ପାଇଁ ହ୍ରଦଗୁଡ଼ିକରେ ପାଣି ଉଛୁଳିବାରେ ଲାଗିଥିଲା । ଏବଂ ତାହା ହିଁ ଥିଲା ଶେଷଥର ।”

PHOTO • Sahith M.

“ଏନ୍‌.ଟି.ରାମା ରାଓଙ୍କ ସମୟରେ ନିୟମିତ ବର୍ଷା ହେଉଥିଲା,” ତାଙ୍କ ଗାଁ ଚିର ମରୁଡ଼ିଗ୍ରସ୍ତ ହେବା ପୂର୍ବ ସମୟର କଥା ମନେ ପକାନ୍ତି ଭି. ରାମକ୍ରିଷ୍ଣା ନାଇଡୁ

ସାଧାରଣତଃ, କିଛି ବର୍ଷ ଧରି ବୃଷ୍ଟିପାତ ହାର କମିବା ପରେ ଗୋଟିଏ ବର୍ଷ ଭଲ ବର୍ଷା ହେଉଥିଲା, ଯାହାକି କୂଅଗୁଡ଼ିକୁ ଭର୍ତ୍ତି କରିବାରେ ଏବଂ ଭୂତଳ ଜଳସ୍ତରକୁ ପୁଣି ବଢ଼ାଇବାରେ ସହାୟକ ହେଉଥିଲା । ୨୦୧୧ ପୂର୍ବରୁ, କେତେକ ବର୍ଷରେ ନାଗରୁରର ବାର୍ଷିକ ବୃଷ୍ଟିପାତ (ଅନନ୍ତପୁରର ଗ୍ରାଉଣ୍ଟ ୱାଟର୍‌ ଆଣ୍ଡ୍‌ ୱାଟର୍‌ ଅଡିଟ୍‌ ବିଭାଗ ଦ୍ଵାରା ରେକର୍ଡ କରାଯାଇଥିବା) ୭୦୦-୮୦୦ ମି.ମି.ରୁ ଅଧିକ ରହୁଥିଲା । କିନ୍ତୁ ୨୦୧୧ ଜୁନ୍‌ ପରେ ଗାଁରେ ସର୍ବାଧିକ ବୃଷ୍ଟିପାତ ୬୦୭ ମି.ମି. (ଜୁନ୍‌ ୨୦୧୫- ମେ ୨୦୧୬) ଥିବା ରେକର୍ଡ କରାଯାଇଛି ଏବଂ ଅନ୍ୟ ବର୍ଷଗୁଡ଼ିକରେ ମାତ୍ର ୪୦୦ ରୁ ୫୩୦ ମି.ମି. ରହିଛି ।

ହେଲେ, ଅନନ୍ତପୁର ଜିଲ୍ଲାର ୭୫୦ରୁ ଅଧିକ ଗାଁରେ ପାଣି ଶୁଖିଯିବା ଆରମ୍ଭ ହୋଇଥିଲା ଆହୁରି ଆଗରୁ, ଏମିତି କି ୧୯୯୦ ଦଶକରୁ । ସେଇ ଦଶକରେ ହିଁ ପ୍ରାୟ ୨୩୦୦ ଲୋକସଂଖ୍ୟା ବିଶିଷ୍ଟ ନାଗରୁର ଗାଁର କୃଷକମାନେ ବାଜରା ଓ ଲେମ୍ବୁ ଭଳି ସେମାନଙ୍କ ପାରମ୍ପରିକ ଫସଲ ବଦଳରେ ଚିନାବାଦାମ ଏବଂ କମଳା ଭଳି ଅର୍ଥକରୀ ଫସଲ ଚାଷ ଆରମ୍ଭ କରିଥିଲେ । କୃଷକ ସୁନୀଲ ବାବୁ କହନ୍ତି, “ସେତେବେଳେ ସେଇ ଧାରା ଥିଲା, ଅଧିକ ଲାଭଜନକ ହେଉଥିବାରୁ ଲୋକେ ଏସବୁ ଫସଲ ଚାଷ କରୁଥିଲେ ।”

PHOTO • Sahith M.

କେ. ଶ୍ରୀନିବାସୁଲୁ ଏବଂ ତାଙ୍କ ପରିବାର ଭୂତଳ ଜଳରେ ବୁଡ଼ି ରହିଥିବା ବୋର୍‌ୱେଲ୍‌ ପାଇଁ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି, ଯେଉଁଥିରେ ସେମାନଙ୍କ ଜମିରେ ବୁନ୍ଦା ଜଳସେଚନ ସକାଶେ ପାଇପ୍‌ (ଡାହାଣ) ପାଇଁ ୨ ଲକ୍ଷ ଟଙ୍କା ଅନ୍ତର୍ଭୁକ୍ତ

ଅଧିକ ପାଣି ଦରକାର କରୁଥିବା ଅର୍ଥକରୀ ଫସଲକୁ ଆପଣେଇ ନେବା ସହ ବୃଷ୍ଟିପାତ ହାର ହ୍ରାସ ପାଇବାର ଅର୍ଥ ହେଲା ଅଧିକରୁ ଅଧିକ ବୋର୍‌ୱେଲ୍‌ ଖୋଳିବା ଏବଂ ଅଧିକରୁ ଅଧିକ ଗଭୀରତାରୁ ଭୂତଳ ଜଳ ପାଇବାକୁ ଉଦ୍ୟମ କରିବା । ସୁନୀଲ ବାବୁଙ୍କ ବାପା, ୭୦ ବର୍ଷରୁ ଅଧିକ ବୟସର ଜଣେ କୃଷକ କେ.ଶ୍ରୀନିବାସୁଲୁ ସ୍ମୃତିଚାରଣ କରନ୍ତି, “ଚାଳିଶ ବର୍ଷ ତଳେ ଭୂମିରେ ଗାତ (ବୋର୍‌ୱେଲ୍‌) ନ ଥିଲା । କେବଳ (ଆମ ହାତରେ) ଖୋଳାଯାଇଥିବା କୂଅ ଥିଲା । ଆମକୁ ମାତ୍ର ୧୦ ଫୁଟ୍‌ ଭୂମି ଖୋଳିବାକୁ ପଡୁଥିଲା ଏବଂ ସେଥିରୁ ପାଣି ବାହାରୁଥିଲା ।”

୧୯୭୨ମସିହାରେ ଜିଲ୍ଲାର ଗ୍ରାଉଣ୍ଡ ୱାଟର୍‌ ଆଣ୍ଡ୍‌ ୱାଟର୍‌ ଅଡିଟ୍‌ ବିଭାଗ ରେକର୍ଡ ରଖିବା ଆରମ୍ଭ କରିବା ପରଠାରୁ, ଜଳ ସାରଣୀ ଦ୍ରୁତ ହାରରେ ହ୍ରାସ ପାଇବା ଏବଂ ପ୍ରତି ବର୍ଷ ଭୂତଳ ଜଳ ପ୍ରବେଶ କମିବା ଯୋଗୁଁ ଏବେ ବୋର୍‌ୱେଲ୍‌ଗୁଡ଼ିକ ୬୦୦-୭୦୦ ଫୁଟ୍‌ ତଳକୁ ଯାଉଛି । ଏବଂ ନାଗରୁରର କେତେକ ଚାଷୀ କହନ୍ତି ଯେ ସେମାନେ  ୧୦୦୦ ଫୁଟ୍‌ରୁ ଅଧିକ ଖୋଳିବା ପରେ ବି ପାଣି ପାଇନାହାନ୍ତି ।

୨୦୦୯ ମସିହାରେ ଏମ୍‌.ଏସ୍‌. ସ୍ଵାମୀନାଥନ୍‌ ରିସର୍ଚ୍ଚ୍‌ ଫାଉଣ୍ଡେସନ୍‌ର ଏକ ଅଧ୍ୟୟନ ଅନୁସାରେ, ବୋର୍‌ୱେଲ୍‌ ସଂଖ୍ୟା ଦ୍ରୁତ ହାରରେ ବଢ଼ିବା କାରଣରୁ ଭୂତଳ ଜଳସ୍ତର ଆହୁରି ତଳକୁ ଖସୁଛି ଏବଂ ଜିଲ୍ଲାର ଖୋଲା କୂଅଗୁଡ଼ିକ ଶୁଖିଯାଉଛି । “... ଭୂତଳ ଜଳ ବିନିଯୋଗ ଦୃଷ୍ଟିରୁ ଅନନ୍ତପୁର ଜିଲ୍ଲାର ୬୩ଟି ମଣ୍ଡଳ ମଧ୍ୟରୁ କେବଳ ୧୨ଟି ‘ସୁରକ୍ଷିତ’ ବର୍ଗରେ ରହିଛି” ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

PHOTO • Sahith M.

ନାଗରୁରରେ କେତେ ଗଭୀରତାରୁ ଭୂତଳ ଜଳ ମିଳିପାରିବ ତାହାର ଏକ ଗ୍ରାଫ୍‌-୨୦୦୧-୦୨ରେ ପ୍ରାୟ୧୦ ମିଟର ଥିଲା ବେଳେ ୨୦୧୭ରେ ୨୫ ମିଟରରୁ ଅଧିକ । ଅନ୍ୟ କେତେକ ବର୍ଷରେ ବି ଗଭୀରତା ଖସିଛି । କିନ୍ତୁ ହାରାହାରି ଗଭୀରତା ତଳକୁ ଖସିବାରେ ଲାଗିଛି । (ସୂତ୍ର: ଗ୍ରାଉଣ୍ଡୱାଟର୍‌ ଆଣ୍ଡ୍‌ ୱାଟର ଅଡିଟ୍‌ ବିଭାଗ, ଅନନ୍ତପୁର) । ଡାହାଣ: କେ. ଶ୍ରୀନିବାସୁଲୁତାଙ୍କ ଜମିରେ ଖୋଳା ଯାଇଥିବା ଏକ ଅସଫଳ ବୋର୍‌ୱେଲ୍‌ର ଖୋଲାମୁହଁ ଦେଖାଉଛନ୍ତି

ଗୋଟିକ ପାଇଁ ୧ ଲକ୍ଷ ଟଙ୍କା ହିସାବରେ ଖର୍ଚ୍ଚ କରି ଶ୍ରୀନିବାସୁଲୁ ତାଙ୍କର ନଅ ଏକର ଜମିରେ ଆଠଟି ବୋର୍‌ୱେଲ୍‌ ଖୋଳିଥିଲେ । ସେ ଓ ତାଙ୍କ ପୁଅମାନେ ଘରୋଇ ଋଣଦାତାମାନଙ୍କ ପାଖରୁ ପ୍ରାୟ ୫ ଲକ୍ଷ ଟଙ୍କା ଋଣ କରିଛନ୍ତି । ସେମାନଙ୍କର କେବଳ ଗୋଟିଏ ବୋର୍‌ୱେଲ୍‌ ଏବେ କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି । ଏହା ତାଙ୍କ ଜମି ପାଖରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଏବଂ ସେଠାରୁ କ୍ଷେତକୁ ପାଣି ପରିବହନ କରିବା ଲାଗି ବୁନ୍ଦା ସେଚନ ପାଇପ୍‌ ପାଇଁ ତାଙ୍କ ପରିବାର ଲୋକେ ଆଉ ଅଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ କଲେ । ଶ୍ରୀନିବାସୁଲୁ କହନ୍ତି, “ଆମର ଇଚ୍ଛା ଯେ ଆମ ତୁଣ୍ଡରେ ପଡ଼ିବାକୁ ଥିବା ଫସଲ ଉଜୁଡ଼ି ନ ଯାଇ ବଞ୍ଚି ରହୁ ।”

ଶ୍ରୀନିବାସୁଲୁଙ୍କ ଭଳି ଅନେକ ଚାଷୀ ବିକଳରେ ଅଧିକରୁ ଅଧିକ କୂଅ ଖୋଳି ସେମାନଙ୍କର ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଥିବା କାରଣରୁ୨୦୧୩ ସୁଦ୍ଧା ଜିଲ୍ଲାରେ ବୋର୍‌ୱେଲ୍‌ ସଂଖ୍ୟା ଥିଲା ୨ ଲକ୍ଷରୁ ଅଧିକ । ଅନନ୍ତ ପ୍ରସ୍ଥାନମ୍‌ ଶୀର୍ଷକ ତାଙ୍କ ବହିରେ ଏହି ସଂଖ୍ୟା ଆକଳନ କରିଛନ୍ତି ଡକ୍ଟର ୱାଇ.ଭି.ମାଲା ରେଡ୍ଡି । ରେଡ୍ଡି, ଅନନ୍ତପୁରରେ ଥିବା ଆସିଅନ୍‌ଫ୍ରାତେର୍ନା ଇକୋଲୋଜି ସେଣ୍ଟରରେ ନିର୍ଦ୍ଦେଶକ ରୂପେ କାର୍ଯ୍ୟରତ । ସେ ଲେଖିଛନ୍ତି, “କିନ୍ତୁ ଆମେ ଜାଣୁ ଯେ, ଏଗୁଡ଼ିକ ମଧ୍ୟରୁ ପ୍ରାୟ ୮୦,୦୦୦ ବୋର୍‌ୱେଲ୍‌ ୨୦୧୩ ମସିହା ଗ୍ରୀଷ୍ମ ଋତୁରେ ଶୁଖିଯାଇଛି ।”

ଏହି ରିପୋର୍ଟରଙ୍କୁ ରେଡ୍ଡି କହିଲେ ଯେ ୨୦୧୭ରେ ମୋଟ ବୋର୍‌ୱେଲ୍‌ ସଂଖ୍ୟା ପ୍ରାୟ ୨.୫ ଲକ୍ଷରେ ପହଞ୍ଚିଛି, ଏବଂ, ସେ କହିଲେ, “କେବଳ ୨୦ ପ୍ରତିଶତ ବୋର୍‌ୱେଲ୍‌ କାର୍ଯ୍ୟକ୍ଷମ ଅଛି ଏବଂ ୮୦ ପ୍ରତିଶତ ଅଚଳ ହୋଇପଡ଼ିଛି ବୋଲି ନିକଟରେ (ଭୂତଳ ଜଳ) ଅଧିକାରୀମାନେ ମୋତେ କହିଲେ ।”

PHOTO • Sahith M.

ନାଗରୁରର ଏକ ଅସଫଳ ବୋର୍‌ୱେଲ୍‌ ଏବଂ ଏହାର ଖୋଲାମୁହଁ ଢାଙ୍କିବାକୁ ବ୍ୟବହୃତ ପଥର

ସେଇ ୮୦ପ୍ରତିଶତ ଭିତରେ ରହିଛି ରାମକୃଷ୍ଣ ନାଇଡୁଙ୍କ ଜମିରେ ଥିବା ଦୁଇଟି କୂଅ । ୨୦୦୦ ମସିହାରେ ସେ ତାଙ୍କର ୫.୫ଏକର ଚାଷଜମିରେ କରିଥିବା ତିନିଟି ମଧ୍ୟରୁ କେବଳ ଗୋଟିଏ କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି । ନାଇଡୁ କହନ୍ତି, “ପ୍ରାୟ ୨୦୧୦-୧୧ରେ ମୁଁ ଋଣ ନେବା ଆରମ୍ଭ କଲି । ତା ପୂର୍ବରୁ ଏଠାରେ ଅନେକ ଗଛ ଏବଂ ପ୍ରଚୁର ପାଣି ଥିଲା । ଋଣଭାର ନ ଥିଲା।” ଏବେ ତାଙ୍କ ଉପରେ ଘରୋଇ ଋଣଦାତାଙ୍କଠାରୁ ନେଇଥିବା ପ୍ରାୟ ୨.୭୦ଲକ୍ଷ ଟଙ୍କାର ଋଣଭାର ରହିଛି । ତାଙ୍କ ଚାଷବାସର ଆୟରୁ ଏହି ଋଣ ବାବଦରେ କେବଳ ୨ ପ୍ରତିଶତ ମାସିକ ସୁଧ ପରିଶୋଧ କରିବାରେ ସେ ସକ୍ଷମ । ସେ କହନ୍ତି, “ମୁଁ ରାତିରେ ଶୋଇପାରେ ନାହିଁ । ମୁଁ କେବଳ ଋଣଦାତାଙ୍କ କଥା ଭାବିବାରେ ଲାଗେ । କିଏ କାଲି ମୋତେ ଟଙ୍କା ମାଗିବାକୁ ଆସି ପହଞ୍ଚିଯିବ କି? କିଏ ମୋତେ ଗାଁରେ ଅପଦସ୍ଥ କରିଦେବକି ?”

ଋଣଭାର, ବହୁସଂଖ୍ୟକ ବୋର୍‌ୱେଲ୍‌ ଏବଂ ପାଣି ଓ ଋଣ ପରିଶୋଧର ଚିନ୍ତା ଲାଗି ରହିଥିବା ସତ୍ତ୍ଵେ ଯଦିବା ଜଣେ ଚାଷୀ ଭଲ ଫସଲ ଅମଳ କରିବାରେ ସଫଳ ହୁଅନ୍ତି, ତଥାପି, ସେଥିରୁ ଲାଭ ମିଳିବା ସୁନିଶ୍ଚିତ ନୁହେଁ । କାରଣ ଅନନ୍ତପୁରର କୃଷିଜାତ ଦ୍ରବ୍ୟ ବଜାରରେ ଦରଦାମ ଉଠାପକା ଲାଗି ରହିଥାଏ । ଏ ବର୍ଷ ଏପ୍ରିଲ୍‌ରେ ବୋର୍‌ୱେଲ୍‌ ପାଣି ବ୍ୟବହାର କରି ନାଇଡୁ ସମ୍ବର ତିଆରିରେ ଲାଗୁଥିବା କାକୁଡ଼ିର ଭଲ ଅମଳ କରିଥିଲେ । କିଛିଟା ଭଲ ଲାଭ ହେବ ବୋଲି ସେ ଆଶା ରଖିଥିଲେ । ସେ କହନ୍ତି, “ମୋର ଫସଲ କାଟିବାର ଦଶ ଦିନ ପୂର୍ବରୁ କିଲୋ ପିଛା ଦର ୧୪-୧୫ ଟଙ୍କାରୁ ୧ ଟଙ୍କାକୁ ଖସିଆସିଲା । ମୁଁ ବିହନ କିଣିବାରେ ଖର୍ଚ୍ଚ କରିଥିବା ଟଙ୍କା ବି ପାଇଲି ନାହିଁ । ମୋ ଫସଲ ଛେଳିମାନଙ୍କୁ ଖୁଆଇଦେଲି ।”

PHOTO • Sahith M.

ଜି. ଶ୍ରୀରାମୁଲୁ ତାଙ୍କ ଛଅ ଏକର ଚାଷଜମି ଉପରେ ଛଅଟି ଅସଫଳବୋର୍‌ୱେଲ୍‌ ପାଖରେ ଠିଆ ହୋଇଛନ୍ତି

୨୦୧୬ ଡିସେମ୍ବରରେ ବୋର୍‌ୱେଲ୍‌ ପାଣିରେ ଭଲ ଟମାଟୋ ଚାଷ କରି ବି କ୍ଷତି ସହିଥିବା ଜି. ଶ୍ରୀରାମୁଲୁ କହନ୍ତି, “ଟମାଟୋର ବି ଦର ବୋଲି କିଛି ନାହିଁ।” ଶ୍ରୀରାମୁଲୁଙ୍କର ଛଅ ଏକର ଜମିରେ ଛଅଟି ଅସଫଳ ବୋର୍‌ୱେଲ୍‌ ରହିଛି । ଗାଁ ବାହାରେ ଥିବା ଶ୍ରୀ ସାଇ ଟିଫିନ୍‌ ହୋଟେଲ୍‌ରେ ଚା’ ପିଇବା ବେଳେ ସେ ତାଙ୍କ ବୋର୍‌ୱେଲ୍‌ ବିଷୟରେ ଆଲୋଚନା କରନ୍ତି । ସକାଳ ୭:୩୦ ପାଖାପାଖି ଏଠାରେ ଗ୍ରାହକଙ୍କ ଭିଡ଼ ଜମିଯାଏ । ପ୍ରାୟ ସମସ୍ତେ ଚାଷୀ, ଫସଲ ଭଲ ହୋଇ ନଥିବାରୁ ଯେଉଁମାନଙ୍କୁ କ୍ଷେତରେ ଅଳ୍ପ ସମୟ କାଟିବାକୁ ପଡ଼େ କିମ୍ବା ଯେଉଁମାନେ ଏମ୍‌ଏନ୍‌ଆର୍‌ଇଜିଏ ଯୋଜନା ଅନ୍ତର୍ଗତ ନିର୍ମାଣ ସ୍ଥଳରେ ଦିନ ମଜୁରିଆ ଭାବେ କାମ କରନ୍ତି । ୨୦୦୩ରେ ଏହି ଜଳଖିଆ ଦୋକାନ ଆରମ୍ଭ କରିଥିଲେ ଜଣେ କୁମ୍ଭକାର, କେ. ନାଗରାଜୁ । ସେ କହନ୍ତି, “ଆରମ୍ଭରୁ ଆମର ପ୍ରତି ଦିନ ପ୍ରାୟ ୨୦୦-୩୦୦ ଟଙ୍କାର କାରବାର ହେଉଥିଲା । ଏବେ ଏହା ଦିନକୁ ପ୍ରାୟ ୧୦୦୦ ଟଙ୍କା ।”

ଜାତୀୟ ରାଜନୀତିରୁ ସେମାନଙ୍କ ବୋର୍‌ୱେଲ୍‌ ଏବଂ ଋଣଭାର ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ଚାଷୀମାନେ ଆଲୋଚନା କରନ୍ତି । ପରିହାସ ଛଳରେ ଜଳଖିଆ ଦୋକାନର ଜଣେ ଗ୍ରାହକ କହନ୍ତି, “ଦିନ ଥିଲା, ଏହି ଦଳ ଥିଲା ଗାଁର ରାଜନୈତିକ ନେତାଙ୍କର । ଏବେ ଆମେ ଗଙ୍ଗାମ୍ମା (ପାଣି) ଦଳରେ ସାମିଲ ହୋଇଛୁ ।” ତାହାର ଅର୍ଥ ହେଲା, ସେମାନଙ୍କ ଗାଁରେ ଗୋଷ୍ଠୀଗତ ଝଗଡ଼ା ହେବା ପରେ ଗିରଫଦାରି ଏଡ଼ାଇବାକୁ ଚାଷୀମାନେ ଟଙ୍କା ଖର୍ଚ୍ଚ କରୁଥିଲେ । କିନ୍ତୁ ଏବେ ସେମାନଙ୍କର ଅଧିକ ଭାଗ ଟଙ୍କା ଖର୍ଚ୍ଚ ହେଉଛି ପାଣି ପାଇଁ ।

PHOTO • Sahith M.

ନାଗରୁର ଗାଁ ବାହାରେ ଥିବା ଶ୍ରୀ ସାଇ ଟିଫିନ୍‌ ହୋଟେଲ୍‌ର ଅଧିକାଂଶ ଗ୍ରାହକ ଚାଷୀ, ଯେଉଁମାନେ, ଫସଲହାନି ଯୋଗୁଁ ଦିନ ମଜୁରିଆ ଭାବେ କାମ କରିବାକୁ ନିର୍ମାଣସ୍ଥଳକୁ ଯାଆନ୍ତି

ପ୍ରତି ବର୍ଷ ବୃଷ୍ଟିପାତ କମୁଥିବା ବେଳେ, ନାଗରୁରରେ ଏବେ ଚାଷବାସ ଏକ ଅବାଞ୍ଛିତ ଜୀବିକାର ରୂପ ନେଇଛି । ଅନେକ ଲୋକ ଆମକୁ କହନ୍ତି ଯେ, ଚାଷୀ ପରିବାରରେ ଝିଅ ବାହା ଦେବାକୁ ନାଗରୁରର କେହି ଚାହାଁନ୍ତି ନାହିଁ । ନାଇଡୁ କହନ୍ତି, “ମୁଁ ଆମ ଗାଁର ଜଣେ ଝିଅକୁ ବାହା ହେବାକୁ ଚାହିଁଲି’’ । “ତା’ର ବାପା-ମାଆ କହିଲେ ଯେ ମୁଁ ଯଦି ହାଇଦ୍ରାବାଦ କି ଆଉ କେଉଁଠି ଚାକିରିଟିଏ କରିବି ତେବେ ସେମାନେ ରାଜି ହେବେ । ସେମାନଙ୍କ ଝିଅ ଜଣେ ଚାଷୀକୁ ବାହା ହେଉ ବୋଲି ସେମାନେ ଚାହିଁଲେ ନାହିଁ ।”

ନାଇଡୁ ଜଣେ ଓକିଲ ହେବାକୁ ଚାହୁଁଥିଲେ । ସେ କହନ୍ତି, “ତାହେଲେ ହୁଏତ ଭଲରେ ଜୀବନ କଟିଥାଆନ୍ତା । ମୁଁ ଲୋକଙ୍କ ପାଖରେ ନ୍ୟାୟ ପହଞ୍ଚାଇ ପାରିଥାଆନ୍ତି ।” କିନ୍ତୁ ପାରିବାରିକ ବିବାଦ ଯୋଗୁଁ ସେ ତାଙ୍କର ସ୍ନାତକ ଡିଗ୍ରୀ ଶିକ୍ଷା ଛାଡ଼ି ଚାଷବାସ କରିବାକୁ ବାଧ୍ୟ ହେଲେ । ତାଙ୍କ ବୟସ ଏବେ ୪୨, ଅବିବାହିତ, ଏବଂ ତାଙ୍କ ଅନ୍ତରରେ ଏବେ ଅନେକ ଅସଂପୂର୍ଣ୍ଣ ସ୍ଵପ୍ନ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sahith M.

Sahith M. is working towards an M.Phil degree in Political Science from Hyderabad Central University.

Other stories by Sahith M.